ଅନାବନା ରଚନା

 

 

 

 

 

 

 

 

 

 

 

ଅନାବନା ରଚନା

ଚିତ୍ତରଞ୍ଜନ ଦାସ

 

—ପ୍ରସ୍ତୁତ ସଂକଳନରେ ଏକାଠି ଗୁନ୍ଥା ହୋଇଥିବା ଲେଖାଗୁଡ଼ିକ ଭିନ୍ନ ଭିନ୍ନ ସମୟର । ପ୍ରତ୍ୟେକ ଲେଖାର ଶେଷରେ ସେହି ବିଷୟରେ ସୂଚନା ଦିଆଯାଇଛି । ସଂପୃକ୍ତ ସମ୍ପାଦକମାନଙ୍କୁ ମୁଁ ଏହି ଅବସରରେ ଗଭୀର କୃତଜ୍ଞତା ଜଣାଉଛି ।

 

ଲେଖାଗୁଡ଼ିକୁ ଗୋଟିଏ ସମଗ୍ରରେ ଯୋଡ଼ି ପାରୁଥିବା କୌଣସି ଡୋର କ’ଣ ଏହି ସଂକଳନରେ ନାହିଁ ? ପାଠକେ ଚାହିଁଲେ ଅଛି, ନ ଚାହିଁଲେ ନାହିଁ । ଲେଖକ ପାଇଁ ଅବଶ୍ୟ ଅଛି । ମୋ’ ନିଜ ଭିତରେ ସେଗୁଡ଼ିକୁ ମୁଁ ଗୋଟିଏ ଗୋଟିଏ ପାହାଚ ପରି ପ୍ରତ୍ୟକ୍ଷ କରି ପାରୁଛି ।

 

ସଂକଳନଟି ନିମନ୍ତେ ପ୍ରସ୍ତାବ ଦେଲେ ବନ୍ଧୁ ଶ୍ରୀଯୁକ୍ତ ଭାଗ୍ୟଧର ସାହୁ । ସେଇ ଏଇଟିକୁ ଛାପିବେ । ତାଙ୍କୁ ମୋର ବହୁତ ବହୁତ । ଇଚ୍ଛୁକ ପ୍ରକାଶକମାନେ ଲେଖକମାନଙ୍କୁ ସର୍ବଦା ଠିକ୍ ଏହିପରି ଭାବରେ ହାଲୁକା କରି ଦେଇଥାନ୍ତି ।

 

–ଲେଖକ

Image

 

ପ୍ରକାଶକୀୟ

 

ପୁସ୍ତକ ପ୍ରକାଶନରେ ଏଇ ହେଲା ମୋର ପ୍ରଥମ ଅନୁଭୂତି ।

 

ମୋ ଜୀବନରେ କେତେ ଖାଲଢ଼ିପର ବାଟ ଚାଲୁ ଚାଲୁ ଦିନେ ଘଟଣାକ୍ରମେ ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ପ୍ରତି ଆକୃଷ୍ଟ ହେଲି ଏବଂ ତାଙ୍କରି କେତେ ପୁସ୍ତକ ପଢ଼ି ଓ ପାଠଚକ୍ର, ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଇତ୍ୟାଦି ସହ ସଂପୃକ୍ତ ରହି ଜୀବନକୁ ଆଉ ଏକ ଢଙ୍ଗରେ ବଞ୍ଚିବାର ପ୍ରେରଣା ପାଇଲି । ବାଟରେ କେତେ ନୂଆ ନୂଆ ସହଗାମୀ ବନ୍ଧୁଙ୍କ ସହ ଭେଟ ହେଲା । ସେଇ କ୍ରମରେ ଜୀବନର ପରିସର ଭିତରକୁ ପଶି ଆସିଛନ୍ତି ଆଉ ଜଣେ ଅନନ୍ୟ ଅଗ୍ରଗାମୀ ବନ୍ଧୁ । ସେ ଆଉ କେହି ନୁହନ୍ତି, ସ୍ଵୟଂ ଏଇ ପୁସ୍ତକର ଲେଖକ ଅଧ୍ୟାପକ ଚିତ୍ତରଞ୍ଜନ ଦାସ– ଆମର ପ୍ରିୟ ପୂଜ୍ୟ ଚିତ୍ତଭାଇ । ତା’ପରେ ବିଭିନ୍ନ ପାଠଚକ୍ର, ସ୍ଵାଧ୍ୟାୟ–ଶିବିର, ଶ୍ରମ–ଶିବିର ଓ ବ୍ୟକ୍ତିଗତ କଥାବାର୍ତ୍ତାର ବହୁ ଅନୁଭୂତି ଭିତର ଦେଇ ତାଙ୍କ ସହ ମୋର ସଂପର୍କ ଗଢ଼ିଉଠିଚି, ଓ ବଢ଼ିଚି । ତାଙ୍କର କେତେ ବହି ପଢ଼ିଲାପରେ, ସେ ଯେଭଳି ଭାବେ ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କୁ ବୁଝିଛନ୍ତି, ଓ ବୁଝାଇଛନ୍ତି, ତାହା ମତେ ବହୁତ ସ୍ପର୍ଶ କଲା । ତେଣିକି ସଂସାର ଓ ସାଧନାକୁ ଗତାନୁଗତିକ ଭାବେ ଆଉ ଦୁଇ ଫାଳ ନ କରି ଗୋଟିଏ ସମଗ୍ରରେ ଦେଖିବାକୁ ଭଲ ଲାଗିଲା । ଏବଂ ମୋର ମନେ ହେଲା, ଏଠାରେ ଆମମାନଙ୍କୁ ନେଇ କେତେ ମହତ ସ୍ଵପ୍ନକୁ ସାକାର କରିବା ପାଇଁ ସେ ନିୟତ ବ୍ୟାକୁଳ । ତାଙ୍କର ସେଇ ସ୍ଵପ୍ନର ଯୋଜନାରେ ରବୀନ୍ଦ୍ରନାଥ, ମହାତ୍ମା ଗାନ୍ଧୀ, ଶ୍ରୀ ଅରବିନ୍ଦ... କେତେ କିଏ ଅଛନ୍ତି ତାହାର ତୁଳନା ନାହିଁ । ‘ଅନାବନା ରଚନା’ ତାଙ୍କର ସେଇ ସ୍ଵପ୍ନର ଅନ୍ୟତମ ବଳିଷ୍ଠ ପରିପ୍ରକାଶ ।

 

ଚିତ୍ତଭାଇଙ୍କର କୌଣସି ଲେଖା ବହି–ଆକାରରେ ଛାପିବାକୁ ଦାନା ବାନ୍ଧିଥିବା ମୋର ଆଗ୍ରହ ତାଙ୍କ ଆଗରେ ଦିନେ ପ୍ରକାଶ କଲି । କୌଣସି ନିଷ୍ଠାପର, ନିଷ୍କପଟ ମୌଳିକ ସୃଜନ– ପ୍ରୟାସ ପଛରେ ତାଙ୍କର ଯେଉଁ ନିବିଡ଼ ଓ ଅଯାଚିତ ପ୍ରେରଣା ଥାଏ, ତାହା ଯେକେହି ଅନୁଭବୀ ଜାଣେ । କିଛିଦିନ ପରେ ସେ ମତେ ‘ଅନାବନା ରଚନା’ ନାମରେ ତାଙ୍କର କେତେଗୁଡ଼ିଏ ଲେଖାର ପାଣ୍ଡୁଲିପି ଦେଇ ତାକୁ ପ୍ରକାଶ କରିବା ପାଇଁ ନିଜର ଶ୍ରଦ୍ଧା ଓ ସ୍ଵୀକୃତି ଦେଲେ । ସେଇ ଖୁସିରେ, ଏବେ ତାଙ୍କରି ବହିଟିକୁ ପ୍ରକାଶ କରି ତାଙ୍କୁ ମୋ’ ଅନ୍ତରର ଗଭୀର କୃତଜ୍ଞତା ଜ୍ଞାପନ କରୁଛି । କହିବା ବାହୁଲ୍ୟ, ତାଙ୍କରି ଏଇ ପ୍ରେରଣା ଆହୁରି ଆଗକୁ ଯିବା ପାଇଁ ମୋ’ ଆଗ୍ରହ ଓ ସାହାସର କେତେ ଦ୍ଵାରକୁ ଖୋଲିଦେଇ ପାରିଛି । ଇତ୍ୟବସରରେ, ଏ ପୁସ୍ତକର ପ୍ରକାଶନରେ ବହୁମତେ ଅକୁଣ୍ଠ ସାହାଯ୍ୟ ପ୍ରଦାନ କରୁଥିବାରୁ ମୂଲ୍ୟାୟନ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଜଗଦ୍ଦେବଙ୍କୁ, ଓ ସନ୍ତୋଷ ଭାଇଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି ।

 

‘ଅନାବନା ରଚନା’ରେ ମୋଟରେ ତେଇଶିଟି ପ୍ରବଂଧ ରହିଛି । ସେସବୁ ଆଗରୁ କେତେ ଠାରେ କେତେ ନାଁରେ ଆତ୍ମପ୍ରକାଶ କରିଥିଲେ । ବହିଟି ପ୍ରକାଶ କଲାବେଳେ ତହିଁର ପ୍ରତ୍ୟେକଟି ପ୍ରବଂଧ ଗୋଟିଏ ଗୋଟିଏ ବିଶେଷ ଆବଶ୍ୟକତାର ଆହ୍ଵାନରୁ ଜନ୍ମ ନେଇଥିବା ଆମର ହୃଦବୋଧ ହୋଇଛି । ସୁତରାଂ ସବୁଯାକ ଲେଖା ଚେତନାପୃଷ୍ଟ, ଶକ୍ତିପୃଷ୍ଟ । ପାଠକବଂଧୁ ‘ଅନାବନା ରଚନା’ ର ପ୍ରତ୍ୟେକ ଲେଖାରେ ସେଇ ସ୍ପନ୍ଦନ ଅନୁଭବ କରିବେ ବୋଲି ମୋର ଗଭୀର ବିଶ୍ଵାସ ।

 

–ଭାଗ୍ୟଧର ସାହୁ

Image

 

ସୂଚୀପତ୍ର

 

୧.

ଦର୍ଶନ ଓ ସମାଜ

୨.

ଏକଃ ତରତି ଦୁର୍ଗାଣି

୩.

ବ୍ୟକ୍ତି ଓ ସମାଜର ପରିବର୍ତ୍ତନ

୪.

ମୂଲ୍ୟବୋଧରେ ସଙ୍କଟ

୫.

ସଂସ୍କୃତି, ସଙ୍କଟ, ଓ ସମାଧାନ

୬.

ସଂହତି ଓ ସଂଗ୍ରାମ

୭.

ଅସ୍ପୃଶ୍ୟତା

୮.

ସେବା ଓ ଶିକ୍ଷାର ବହୁତ ପ୍ରସ୍ଥ

୯.

ନାରୀଶକ୍ତିର ସ୍ୱରୂପ

୧୦.

କିଛି ଦିଶୁନାହିଁ

୧୧.

ଅକ୍ରିୟ ସ୍ମରଣ

୧୨.

ଯୁଗକୁ ଯୁଗ ଏହିମତେ

୧୩.

ଜାଗରଣର ପ୍ରକ୍ରିୟା

୧୪.

ଆଗାମୀ ବିପ୍ଳବ

୧୫.

ଗଣତାନ୍ତ୍ରିକ ନିର୍ବାଚନର ଗତି

୧୬.

ଅସଲ ବିରୋଧୀମାନେ କେବେ ବାହାରିବେ ?

୧୭.

ଗାନ୍ଧୀ ଓ ବିନୋବା

୧୮.

ସତ୍ୟାଗ୍ରହ ଏକମାତ୍ର ରାଜନୀତି

୧୯.

ଅନାସକ୍ତି ଓ ଅନାଗ୍ରହ

୨୦.

ଗାନ୍ଧୀବିପ୍ଳବର ବିଚାର

୨୧.

୨୨.

ଗାଆଁ ଭୂଇଁ

ସ ମେ ଭକ୍ତଃ ସ ମେ ପ୍ରିୟଃ

୨୩.

ମୋ’ରି ଭଳି ମୋ’ ଠାରୁ ବଳି

Image

 

ଦର୍ଶନ ଓ ସମାଜ

 

ଆଗ ସମାଜ, ତା’ ପରେ ଦର୍ଶନ । ସମାଜ କହିଲେ ସମାଜ ଭିତରେ ବାସ କରୁଥିବା ମଣିଷ । ଯାବତୀୟ ଦର୍ଶନ ଏହି ମଣିଷଦ୍ଵାରା ହିଁ ସୃଷ୍ଟି ହୋଇଛି । ମଣିଷ ସମାଜ ଭିତରେ ହିଁ ଆତଯାତ ହୋଇଆସିଛି । ଏହି ସମାଜର ପରିବେଶ ଏବଂ ଆକାଶପ୍ରସାରଗୁଡ଼ିକର ମଧ୍ୟରେ ରହି ମଣିଷ ଆପଣାର ଦୃଷ୍ଟିକୁ ଯେତିକି ଦୂରଯାଏ ଲମ୍ବାଇ ନେଇପାରିଛି, ଅର୍ଥାତ୍ ଯେତିକି ଅଧିକ ବ୍ୟାପକ କରି ପାରିଛି, ତାହାର ଦର୍ଶନ ମଧ୍ୟ ସେତିକି ବ୍ୟାପକ ଓ ଅଧିକପ୍ରସ୍ଥଯୁକ୍ତ ହୋଇପାରିଛି । ଆପଣା ଜୀବନର ଅଧିକରୁ ଅଧିକ ଗଭୀରକୁ ଭେଦ କରି ସିଏ ଜୀବନକୁ ଯେତିକି ଗଭୀର ବୋଲି ଅନୁଭବ କରିଛି ଓ ଆପଣାର ଦୃଷ୍ଟିଭୂମିରେ ଶୃଙ୍ଗ ପରେ ଶୃଙ୍ଗ ଅତିକ୍ରମ କରି ଜୀବନକୁ ଯେତିକି ବିରାଟ ବୋଲି ଆବିଷ୍କାର କରିଛି, ତାହାର ଦର୍ଶନ ମଧ୍ୟ ସେତିକି ଗଭୀର ଓ ବିରାଟ ହୋଇ ପାରିଛି-। ଦର୍ଶନଲବ୍ଧ ସତ୍ୟଟିକୁ ସେ ଏକଦା “ତେଜୋମୟଃ ଅମୃତମୟଃ ପୁରୁଷଃ” ବୋଲି କହିଛି ଓ ତାହାକୁ ଏକାଧାରାରେ ଆପଣାର ଆତ୍ମାରେ ତଥା ଚତୁର୍ଦ୍ଦିଗସ୍ଥ ଆକାଶ ମଧ୍ୟରେ ବି ଠାବ କରି ପାରିଛି । ବିଶ୍ଵର ଚାରଣା କରୁ କରୁ ବିଶ୍ଵାତୀତର ସ୍ପର୍ଶ ଲାଭ କରିଛି । ବିଶ୍ଵ ମଧ୍ୟରୁ ଆଉ କୁଆଡ଼େ ବାହାରିଯାଇ କିମ୍ବା ପଳାୟନ କରି ନୁହେଁ, ଆପଣାଦ୍ଵାରା ଆବିଷ୍କୃତ ବିଶ୍ଵଗୁଡ଼ିକର ଚତୁର୍ଦ୍ଦିଗରେ ହିଁ ବୃହତ୍ତର ତଥା ସମ୍ପୂର୍ଣ୍ଣତର ଆହୁରି ନାନା ବୃତ୍ତକୁ ବୁଲାଇ ସିଏ ବିଶ୍ଵାତୀତର ଆବିଷ୍କାର କରି ପାରିଛି-

ମନୁଷ୍ୟର ସମାଜ ଯୁଗ ଯୁଗର ଅନୁକ୍ରମରେ ବଦଳି ଯାଇଥିଲା ପରି ମନୁଷ୍ୟର ଦର୍ଶନ ମଧ୍ୟ ବଦଳି ବଦଳି ଯାଇଛି । ଦତ୍ତ ତଥ୍ୟଗୁଡ଼ିକର ଭୂମି ଓ ପରିସର ବଢ଼ି ବଢ଼ି ଯାଉଥିବା ସଂଗେ ସଂଗେ ବିଜ୍ଞାନର ଗବେଷଣାଗାରରେ ଆମର ଅନୁମାନଗୁଡ଼ିକ ମଧ୍ୟ ଯେଉଁପରି ବଦଳି ବଦଳି ଯାଇଛି, ପ୍ରାୟ ଠିକ୍ ସେହିପରି । ଦିଗବଳୟ ଓ ଭୂମିଗୁଡ଼ିକ ବଦଳିବା ସହିତ ତଥାକଥିତ ଦର୍ଶନ ଆପଣାକୁ କେତେଟା ଶାସ୍ତ୍ର ଅଥବା ସୂତ୍ର ମଧ୍ୟରେ ତଥାପି ଆବଦ୍ଧ କରି ରଖିଛି ଓ ବଦଳିବାକୁ କୁଣ୍ଠା ପ୍ରକାଶ କରିଛି, ତାହା କାଳ ସହିତ କ୍ରମେ ଖତରା ହୋଇ ଯାଇଛି, ବୃଦ୍ଧିର ଉପଭୋଗ୍ୟ କେବଳ ଏକ ଇତିହାସରେ ପରିଣତ ହୋଇ ରହିଛି ଓ ଦର୍ଶନର ସର୍ବମୂଳ ଧର୍ମଟିକୁ ହରାଇ ବସିଛି । ତା’ ପରେ କୌଣସି ଯୁଗ ଲାଗି ତାହା ଆଉ ପ୍ରାୟ କୌଣସି ପ୍ରେରଣା ଦେଇ ପାରିନାହିଁ ।

ତେଣୁ, ଦର୍ଶନ କହିଲେ କେବେହେଲେ କୌଣସି ସ୍ଥାଣୁ ପଦାର୍ଥକୁ ବୁଝାଇବ ନାହିଁ । ଦର୍ଶନ ମଧ୍ୟରେ ସତତ ଗତିଶୀଳତା ରହିଥିବା ଦରକାର । ଜୀବନ ଗତିଶୀଳ, ବିଚାର ଗତିଶୀଳ ଏବଂ ଯାବତୀୟ ବିଚାରର ସଞ୍ଚାରପଥ ଆମର ସମାଜ ମଧ୍ୟ ଗତିଶୀଳ । ତେଣୁ, ଏହି ସବୁଯାକ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ କହିଲେ ମୂଳତଃ ଏକ ସଚଳତା ବା ଗତିଶୀଳତାକୁ ହିଁ ବୁଝାଇବା ଉଚିତ ଏବଂ ସୁସ୍ଥ ଭାବରେ ବିକାଶ କରିବାକୁ ହେଲେ ଦର୍ଶନର ମଧ୍ୟ ଗତିଶୀଳ ହୋଇ ରହିଥିବା ଦରକାର, ସଦା ଉନ୍ନୁକ୍ତ ଏବଂ ସଦା ଗ୍ରହଣଶୀଳ ହୋଇ ରହିଥିବା ଦରକାର । ଆଖି ବୁଜି ବସିଲେ ଆଦୌ କିଛି ଦେଖି ହୁଏ ନାହିଁ; ପାଚେରୀ ବାନ୍ଧିଦେଲେ ମଣିଷ ଆପଣାଲାଗି ହିଁ ଏକ କାରାଗାରର ସୃଷ୍ଟି କରେ; ତା’ ପରେ ଦର୍ଶନକୁ ନେଇ ଅଥବା ନାମରେ ଆଉକିଛିକୁ ନେଇ ମୁକ୍ତିମଣ୍ଡପ ଗଢ଼ାଯାଇପାରେ, ସଂପ୍ରଦାୟଗତ ନାନାବିଧ ଅସ୍ପୃଶ୍ୟତାକୁ ବରଣ କରା ଯାଇପାରେ, ମାତ୍ର ତଥାପି କୌଣସି ଯଥାର୍ଥ ଦର୍ଶନ ହୋଇ ପାରେନାହିଁ । ସତ୍ୟକୁ ଯିଏ ଗୋଟାସୁଦ୍ଧା ପାଇଛି ବୋଲି ଭାଣ କରୁଥାଏ, ଆଗକୁ ଆଉ କିଛି ହେଲେ ଦେଖିବାର ବା ଛୁଇଁବାର ନାହିଁ ବୋଲି କହୁଥାଏ ଓ ଏହି ଅର୍ଥରେ ଆପଣାର ଦର୍ଶନକୁ ଏକ ସଂପୂର୍ଣ୍ଣ ଦର୍ଶନ ବୋଲି ଦାବୀ କରିବାରେ ଲାଗିଥାଏ, ସିଏ ହୁଏତ କିଛି ଦେଖିନଥାଏ ଓ କିଛିହେଲେ ପାଇନଥାଏ । ଜେନୋପନିଷଦର ଗୋଟିଏ ଶ୍ଳୋକରେ ଆମକୁ ଠିକ୍ ଏହିକଥା କୁହାଯାଇଛି । ସତ୍ୟ କହିଲେ ଏକ ମାର୍ଗକୁ ବୁଝାଏ, ଉତ୍ତରୋତ୍ତର ଅଧିକ ଦେଖିବାକୁ ଓ ତାହାରିଦ୍ଵାରା ହିଁ ଅଧିକରୁ ଅଧିକ ସଂପୂର୍ଣ୍ଣ ହେବାକୁ ମନ କରୁଥିବା ଏକ ଆକୂତିକୁ ବୁଝାଏ । ଏବଂ ତେଣୁ, ଯେଉଁ ଦର୍ଶନ ସତ୍ୟକୁ ଅଧିଗମିବାକୁ ହିଁ ନିଜର ଧର୍ମରୂପେ ଗ୍ରହଣ କରିଥାଏ, ସେହି ଦର୍ଶନ ମଧ୍ୟ ଏକ ମାର୍ଗକୁ ବୁଝାଏ, ଆକାଂକ୍ଷା ଓ ଅନୁରାଗମୟ ଏକ ଚକ୍ଷୁକୁ ବୁଝାଏ ।

ସମଗ୍ର ସତ୍ୟାନୁରାଗ ବା ଦର୍ଶନାନୁରାଗ କାହାକୁ ହେଲେ ଛାଡ଼ି ଯାଏ ନାହିଁ । କାହାକୁ ହେଲେ ଲୋଷ୍ଟ୍ରବତ୍ ପରିତ୍ୟାଗ କରେ ନାହିଁ, ଏପରିକି ମାୟା ବୋଲି କହି ପ୍ରତ୍ୟାଖାନ ବି କରେ ନାହିଁ । ବସ୍ତୁ ଭିତରେ ସତ୍ୟ ନିହିତ ହୋଇ ରହିଛି, ବସ୍ତୁକୁ ଆଧାର କରି ସତ୍ୟ ବିବର୍ତ୍ତିତ ଏବଂ ଉନ୍ମୋଚିତ ହେବାରେ ଲାଗିଛି, ଯଥାର୍ଥ ଦର୍ଶନ ଏହାକୁ ହିଁ ଆପଣାର ଯାବତୀୟ ବିଚରଣର ଧର୍ମ ବୋଲି ଗ୍ରହଣ କରିଥାଏ । ତେଣୁ ତା’ ଲାଗି ସଂସାରବୈରାଗୀ ହେବାର ଆଉ କୌଣସି ପ୍ରୟୋଜନ ନ ଥାଏ । ତା’ର ଅଭିଧାନ ଭିତରେ ଉପେକ୍ଷାର କୌଣସି ସ୍ଥାନ ନ ଥାଏ । ତା’ ର ଯାବତୀୟ ଦେଖିବା ଶ୍ରଦ୍ଧା ଦ୍ଵାରା ହିଁ ଉପରିଭାଗରେ ଖଣ୍ଡସତ୍ୟ ତଥା ଆପାତ ସତ୍ୟଗୁଡ଼ାକୁ ଭେଦ କରି ସମଗ୍ରତର ସତ୍ୟ ଆଡ଼କୁ ଧାବିତ ହେବାର ଲାଗିଥାଏ । ଉପନିଷଦର “ପୂର୍ଣ୍ଣାତ୍ ପୂର୍ଣ୍ଣତରାକୃତିଃ” କଥାଟି ଉପରେ ସିଏ ବିଶ୍ଵାସ ରଖିଥାଏ ।

ସମାଜ ମଧ୍ୟ କୌଣସି ଏକ ନିର୍ଦ୍ଦିଷ୍ଟ ଦର୍ଶନକୁ ଚକ୍ଷୁ ସମକ୍ଷରେ ରଖି ସତତ ବଦଳିବାରେ ଲାଗିଥାଏ । ଅର୍ଥାତ୍, ମନୁଷ୍ୟ ହିସାବରେ ଯେତେବେଳେ ଆମେ ସମାଜ ମଧ୍ୟରେ ଆପଣାକୁ ପ୍ରେରିତ କରି ରଖିଥାଉ, ସେତେବେଳେ ଆମେ କେତେକ ଜୀବନମୂଲ୍ୟକୁ ପ୍ରାୟ ଶାଶ୍ଵତ ବା ଅନ୍ତତଃ ଉପଲଭ୍ୟ ବୋଲି ଗ୍ରହଣ କରିଥାଉ ଓ ସେହି ଅନୁସାରେ ଆପଣା ସହିତ ସମାଜକୁ ମଧ୍ୟ ଅଗ୍ରସର କରାଇ ନେଇଥାଉ । ସେହି ଅନୁସାରେ ଆମର ସମାଜ ବିଭିନ୍ନ ଅବସ୍ଥାରେ ବିଭିନ୍ନ ନାମରେ ମଧ୍ୟ କଥିତ ହୋଇଥାଏ । ଇତିହାସର ନାନା ଯୁଗରେ ମନୁଷ୍ୟରେ ସମାଜ ସ୍ଥାନବିଶେଷରେ ସାମନ୍ତବାଦୀ ହୋଇଛି, କେତେବେଳେ ପୁଞ୍ଜିବାଦୀ ହୋଇଛି, ପୁଣି କେତେବେଳେ ସମାଜବାଦୀ ମଧ୍ୟ ହୋଇଛି । ବର୍ତ୍ତମାନ ମଧ୍ୟ ମନୁଷ୍ୟ ସମାଜ ଭିତରେ ଆମେ ଏହିସବୁ ବାଦର ଅବସ୍ଥିତିକୁ ଦେଖିବାକୁ ପାଇପାରିବା । ଏପରିକି, କୌଣସି ଗୋଟିଏ ସମାଜରେ ଭିନ୍ନ ଭିନ୍ନ କ୍ଷେତ୍ରରେ ମଧ୍ୟ ଏକାଧାରରେ ଏହି ବିଭିନ୍ନ ବାଦର ଉପସ୍ଥିତିକୁ ଦେଖିବାକୁ ପାଇବା । ଏଠାରେ ଦର୍ଶନ କହିଲେ ସମାଜକୁ ପ୍ରେରିତ କରି ରଖିଥିବା ଗୋଟିଏ ଗୋଟିଏ ଦୃଷ୍ଟିକୋଣକୁ ବୁଝାଏ । ବ୍ୟକ୍ତି ଓ ବ୍ୟକ୍ତି ମଧ୍ୟରେ କିପରି ସମ୍ବନ୍ଧ ରହିବା ଉଚିତ, ବ୍ୟକ୍ତି ଓ ସମୂହ ମଧ୍ୟରେ କିପରି ସମ୍ବନ୍ଧ ରହିବା ଉଚିତ, ଗୋଟିଏ ସମୂହ ସହିତ ଆଉ ଗୋଟିଏ ସମୂହର ବି କିପରି ସମ୍ବନ୍ଧ ରହିବା ଉଚିତ, ଏସବୁ ସମଗ୍ରତଃ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ବା ଦୃଷ୍ଟିକୋଣ ଦ୍ଵାରା ପରିଚାଳିତ ହୋଇଥାଏ । ସେହି ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣଗୁଡ଼ିକର ପଛରେ ଗୋଟିଏ ଗୋଟିଏ ଦର୍ଶନ ହିଁ ମଣିଷ ହିସାବରେ ଆମ ପ୍ରତ୍ୟେକଙ୍କୁ ଏବଂ ଏକ ସମୂହ ହିସାବରେ ଆମ ସମାଜକୁ ପରିଚାଳିତ କରି ନେଉଥାଏ । ସମାଜ–ବିବର୍ତ୍ତନର ଇତିହାସରେ ବେଳେବେଳେ ସମଗ୍ରଦର୍ଶୀଙ୍କର ଆବିର୍ଭାବ ହୋଇଥାଏ, ଯେଉଁମାନେ କି ବର୍ତ୍ତମାନ ମଧ୍ୟରୁ ଏକ ନୂତନ ଭବିଷ୍ୟତ ଲାଗି ନିର୍ଦ୍ଦେଶ ଦିଅନ୍ତି, ସେମାନେ ପୁରୁଣା ନାନା ଗଣ୍ଠି ଭିତରୁ ସତେଅବା ଏକ ନୂତନ ଉନ୍ମୋଚନ ଅର୍ଥାତ୍ ନୂତନ ମୁକ୍ତି ଆଡ଼କୁ ବାଟ କଢ଼ାଇ ନିଅନ୍ତି । ସେମାନଙ୍କର ଜୀବନଦୃଷ୍ଟି ଏକ ସମଗ୍ର ବିଚାର ରୂପେ ଯୁଗକୁ ସଂକ୍ରାମିତ କରେ, ଏକ ଆଲୋଡ଼ନାରେ ପରିଣତ ହୁଏ;– ସେତେବେଳେ ଏକ ବିପ୍ଳବ ସଂଘଟିତ ହୋଇଥାଏ । ସେହି ବିପ୍ଳବ ସମାଜକୁ ସତେଅବା ଏକ ନୂତନ ଜନ୍ମରେ ଅବତୀର୍ଣ୍ଣ କରାଇବା ଲାଗି ଅମିତ ଶକ୍ତି ବହନ ଆସିଥାଏ । ତାହା ମଣିଷର ଆଖିକୁ ବଦଳାଇ ଦିଏ, ଜୀବନ–ଅନ୍ଵେଷାର ମୂଳ ମାନଦଣ୍ଡଗୁଡ଼ିକୁ ମଧ୍ୟ ବଦଳାଇ ଦେବାର ସ୍ପର୍ଦ୍ଧା ରଖିଥାଏ । ସେତେବେଳେ ପୁରୁଣା ଅନେକ ମୂର୍ତ୍ତି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଆନ୍ତି, ପୁରୁଣା ଅନେକ ଡିହ ସେତେବେଳେ ସେତେଅବା ସର୍ବସ୍ଵାନ୍ତ ହୋଇ ପଡ଼ନ୍ତି, ପୁରୁଣା ପାଠଗୁଡ଼ିକ ସତେଅବା ଅପାଠ ବୋଲି ଘୋଷିତ ହୁଏ । ଚକମାନେ ଆଗକୁ ଗଡ଼ି ଯାଆନ୍ତି ।

ଦର୍ଶନର ଇତିହାସରେ ଆମେ ଏପରି ଜଣେ ଜଣେ ଦାର୍ଶନିକଙ୍କର ସମ୍ପର୍କରେ ଆସିଥାଉ, ଯେଉଁମାନେ କି ସ୍ଵକୀୟ ଖାସ୍ ଏକ ଦର୍ଶନଦୃଷ୍ଟି ଅନୁପ୍ରେରିତ ହୋଇ ଏକ ଅନ୍ୟପ୍ରକାର ସମାଜରେ ଅର୍ଥାତ୍ ମନୁଷ୍ୟ-ସମ୍ବନ୍ଧର କଳ୍ପନା କରିଛନ୍ତି । ସେମାନେ ଏହି ସମାଜରେ ଏକ ଆରେଖ ବା ପ୍ରୟୋଗଚିତ୍ର ମଧ୍ୟ ଆଙ୍କି ଦେବା ସାହସୀ ହୋଇଛନ୍ତି ଏବଂ ସେହି ଚିତ୍ରକୁ ଆଦର୍ଶ ସମାଜ ବୋଲି ମାନିଛନ୍ତି । ଦାର୍ଶନିକ ପ୍ଲେଟୋଙ୍କର ‘ରିପବ୍ଲିକ୍’ ଏହିପରି ଏକ ଆଦର୍ଶ ସମାଜ ବ୍ୟବସ୍ଥାର ଚିତ୍ରକୁ ଆମ ଆଗରେ ଆଣି ଉପସ୍ଥାପିତ କରିଥାଏ । ସେହି ଚିତ୍ର ଭିତରେ ରାଜନୀତି ରହିଛି, ଅର୍ଥନୀତି ରହିଛି; ସମାଜ କହିଲେ ସାମୂହିକ ଜୀବନରେ ଯେତେ ଯେତେ କ୍ଷେତ୍ରକୁ ବୁଝାଏ, ଏଥିରେ ସେହି ସବୁଗୁଡ଼ିକର ଚିତ୍ର ଏକତ୍ର ପରସ୍ପରକୁ ସ୍ପର୍ଶ କରି ରହିଛି, ଏବଂ ସବୁଠାରେ ଏକ ନିର୍ଦ୍ଦିଷ୍ଟ ଜୀବନଦର୍ଶନ ହିଁ ସେହି କ୍ଷ୍ରେତ୍ରଗୁଡ଼ିକରେ ଭେଦି କରି ରହିଛି । ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାଦ୍ଦୀର ଏଥେନ୍‍ସ୍‍ ସହିତ ଆମର ଆଧୁନିକ ପୃଥିବୀର କେତେ କ’ଣ ପାର୍ଥକ୍ୟ ରହିଥିଲେ ମଧ୍ୟ ପ୍ଲେଟୋଙ୍କର ସେହି ଚିତ୍ରଟି ଆଜି ମଧ୍ୟ ଆମକୁ ଆମ ବିଶ୍ଵଭୂମିଟି ବିଷୟରେ କେତେ କେତେ ଅନ୍ତଃଦୃଷ୍ଟି ଆଣି ଯୋଗାଇଦେଇ ପାରୁଛି । ଇତିହାସ ପୁରୁଣା ହୋଇ ଯାଇଥିଲେ ମଧ୍ୟ ଦର୍ଶନ ତଥାପି ପୁରୁଣା ହୋଇ ପାରିନାହିଁ । ମଣିଷର ଆଧୁନିକ ଆଖିଟି ସହିତ ତାହାର ତଥାପି ନାନା ଆଖି ଲାଗି ରହିଛି; ଆମର ମାର୍ଗଗୁଡ଼ିକୁ ଯାବତୀୟ ଅଭିନବତା ମଧ୍ୟରେ ତଥାପି ଏକ ଅବିଚ୍ଛିନ୍ନତାର ନିଶ୍ଚିତ ବ୍ୟଞ୍ଜନା ଆଣି ଦେଇ ଯାଉଛି । ଆମ ଏ ଯୁଗରେ ମଧ୍ୟ ‘ରିପବ୍ଲିକ୍’ ଓ ଆଦର୍ଶ ରାଷ୍ଟ୍ରର କୁଶଳ ଏବଂ ଅକୁଶଳ ଏକାଧିକ ପ୍ରୟୋଗ ଚାଲିଛି, ପ୍ଲେଟୋଙ୍କର ଚିତ୍ର ଓ ପରିପ୍ରେକ୍ଷୀଟି ସହିତ ହୁଏତ ସେଗୁଡ଼ିକର ଆଦୌ କୌଣସି ସାଦୃଶ୍ୟ ବା ସାଧର୍ମ୍ୟ ରହିଥିଲା ପରି ମନେ ହେଉନାହିଁ । ତଥାପି ସେଇଟି ସହିତ ସତେଅବା କେଉଁଠି ନା କେଉଁଠି ସୂତ୍ର ଲାଗି ରହିଥିବା ପରି ଅନୁଭୂତି ହେଉଛି ।

ଚାର୍ଲସ୍ ଡାରଉଇନ୍ କୌଣସି ଦର୍ଶନର ଚର୍ଚ୍ଚା କରି ନ ଥିଲେ । ମାତ୍ର, ଡାରଉଇନଙ୍କ ପରେ ଓ ତାଙ୍କରି ଜୀବବିଜ୍ଞାନଗତ କେତୋଟି ସୂତ୍ରକୁ ବହନ କରିଦେଇ ଆଉଥୋକେ ଦାର୍ଶନିକ ହେଲେ ଏବଂ ଆପଣାକୁ ଡାରଉଇନବାଦୀ ବୋଲି ପରିଚିତ କରାଇଥିଲେ । ସେମାନେ ସମାଜଦାର୍ଶନିକ ହେଲେ । ପ୍ରତିଦ୍ୱନ୍ଦିତା ଏବଂ ପରସ୍ପରଗ୍ରାସକୁ ଏକ ଜୀବନଧର୍ମ ବୋଲି ପ୍ରତିଷ୍ଠିତ କରାଇ ବାହାରିଲେ । ତତ୍କାଳୀନ ସାମ୍ରାଜ୍ୟବାଦ ସେଥିରୁ ଆନେକ ବଳ ପାଇଲା । ‘ବୀର’ ଶବ୍ଦର ଏକ ଅନ୍ୟ ପ୍ରକାର ବ୍ୟାଖ୍ୟା କରାଗଲା, ଶକ୍ତିର ଅନ୍ୟ ବ୍ୟାଖ୍ୟା ହେଲା ଏବଂ ସେହି ବ୍ୟାଖ୍ୟାକୁ ହିଁ ବିଜ୍ଞାନସମ୍ମତ ବୋଲି କୁହାଗଲା । ବିଜ୍ଞାନକୁ ସାମ୍ରାଜ୍ୟ ବିସ୍ତାରର ଏବଂ ଆର୍ଥିକ ଏକଚାଟିଆର ପରିକର କରି ଲଗାଗଲା । ସାମ୍ରାଜ୍ୟକର୍ତ୍ତାମାନଙ୍କଠାରୁ ବୈଜ୍ଞାନିକମାନେ ଇନାମ ପାଇଲେ, ସ୍ଵୀକୃତି ଲାଭ କଲେ । ମଣିଷ ମଣିଷକୁ ଗିଳି ପକାଇ ବୀର ହେବାକୁ ବାହାରିଲା, ଦେଶ ଦେଶକୁ ଗିଳିବାକୁ ଜାତୀୟତା ବୋଲି କୁହାଗଲା; ସେହି ଗୋଟିଏ ଦେଶରେ ମଧ୍ୟ ଗୋଟିଏ ବର୍ଗ ଆଉ ଗୋଟିଏ ବର୍ଗକୁ ଗିଳି ପକାଇବାକୁ ଏବଂ ତଦ୍ୱାରା ଆପେ ମୋଟା ହେବାକୁ ହିଁ ଯୁଗର ଧର୍ମ ବୋଲି ସ୍ଵୀକାର କରି ନିଆଗଲା । ଅନ୍ତର୍ଜାତିକ ସମ୍ବନ୍ଧରେ ଏବେ ଯାହାକୁ ରାଜନୀତି ବୋଲି କୁହାଯାଉଛି, ସେଥିରେ ଆଜି ମଧ୍ୟ ଅପରକୁ ଗ୍ରାସ କରି ପକାଇବାର ପ୍ରବୃତ୍ତିଟା ତଥାପି ଭାରି ପ୍ରବଳ ହୋଇ ହୋଇ ରହିଛି । ସାନମାନଙ୍କୁ ପୂରା ଗିଳି ନ ପକାଇଲେ ମଧ୍ୟ ଅନ୍ୟକୁ ନିଜର ଆଶ୍ରିତ କରି ରଖିବାକୁ ବା ନିଜ ଉପରେ ଅତ୍ୟନ୍ତ ନିର୍ଭରଶୀଳ କରି ରଖିବାକୁ ବଡ଼ମାନେ ଅନ୍ତରାଷ୍ଟ୍ରୀୟ ଆଚରଣର କ୍ଷେତ୍ରରେ ବୀରପଣିଆ ବୋଲି ବିଶ୍ଵାସ କରୁଛନ୍ତି । ସାନ ମାଛମାନଙ୍କୁ ହଜମ କରି ନେବାକୁ ବଡ଼ ମାଛମାନେ ଏବେ ମଧ୍ୟ ଆପଣା ଅନ୍ତଃମନର ଅରଣ୍ୟ ଭିତରେ ବୀରପଣିଆ ଏବଂ ଯୋଗ୍ୟପଣିଆ ବୋଲି ସମଝୁଛନ୍ତି । ଆଧୁନିକ ନାନା ରାଷ୍ଟ୍ରରେ ଗଣତନ୍ତ୍ର ଓ ଯାବତୀୟ ଅନ୍ୟାନ୍ୟ ତନ୍ତ୍ରର ମୁଖାବରଣ ତଳେ ଯେ ଅତ୍ୟଧିକ ସଂଖ୍ୟାରେ ଅନମନୀୟ ଡାରଉଇନବାଦୀ ଏହି ବୀରମାନେ ଲୁଚି କରି ରହିଛନ୍ତି ଓ ବିଶ୍ଵର ନୀତିଗୁଡ଼ାକୁ କୂଟନୀତି ଭିତରେ ଦୁର୍ଗନ୍ଧ କରି ରଖିଛନ୍ତି, ଏକଥାକୁ ବୁଝାଇ କୌଣସି ପ୍ରୟୋଜନ ନାହିଁ ।

 

ଡାର୍‍ଉଇନ୍‍ବାଦର ଓଲଟ ଦର୍ଶନ ହେଲା ପ୍ରିନ୍ସ୍ କ୍ରୋପଟ୍‍କିନ୍‍ଙ୍କର ପାରସ୍ପରିକତାବାଦ । ପ୍ରତିଦ୍ଵନ୍ଦିତା ଓ ପାରସ୍ପରିକ ଗ୍ରାସ ବଦଳରେ କ୍ରୋପଟକିନ ପାରସ୍ପରିକ ସହଯୋଗିତାକୁ ଜୀବନର ଯଥାର୍ଥ ଶ୍ରେୟ ଏବଂ ପ୍ରେରକ ଧର୍ମ ବୋଲି ମାନିଥିଲେ । ମନୁଷ୍ୟେତର ରାଜ୍ୟରେ ମଧ୍ୟ ଅଧିକତର ଜୀବନଯାତ୍ରା ମୁଖ୍ୟତଃ ସହଯୋଗ ହେତୁ ହିଁ ସମ୍ଭବ ହୋଇ ପାରୁଛି ବୋଲି ସିଏ ପ୍ରତିପାଦିତ କରିଥିଲେ । ତାଙ୍କର Mutual Aid ପୁସ୍ତକକୁ ସମାଜଦର୍ଶନର ଇତିହାସରେ ଏକ ଅନ୍ୟତମ ଜୀବନଦେବ ବୋଲି କୁହାଯାଇ ପାରିବ । ମଣିଷର ସମ୍ବନ୍ଧଗତ ଜୀବନ ଯେଉଁଠି ସମାଜ ଭିତରେ ସହଯୋଗିତା, ସହଭାବନା ଅର୍ଥାତ୍ ଏକ ଅନ୍ତଃପ୍ରେରିତ ଭାତୃତ୍ଵ ଦ୍ଵାରା ଅନୁପ୍ରେରିତ ହୋଇ ଚାଲୁଥାଏ, ମନୁଷ୍ୟ ସେହିଠାରେ ହିଁ ଯଥାର୍ଥ ଭାବରେ ସ୍ଵତନ୍ତ୍ର ହୁଏ ଏବଂ ସ୍ଵତନ୍ତ୍ର ହୋଇ ଆପଣାର ପରିପୂର୍ଣ୍ଣ ବିକାଶ ସାଧନା କରିପାରେ । ସେଠି କେହି କାହାକୁ ଈର୍ଷା କରେ ନାହିଁ । ପରିପୂରକତା ହିଁ ପ୍ରତିବେଶୀତ୍ଵର ଅସଲ ବୃତ୍ତି ହୋଇ ରହିଥାଏ । ବାହାରୁ କୌଣସି ପ୍ରକାରର ହସ୍ତକ୍ଷେପ କିମ୍ବା ବଳପ୍ରୟୋଗ ଦରକାର ହୁଏ ନାହିଁ । ଏପରିକି, ରାଷ୍ଟ୍ର ନାମରେ ଯେଉଁ ହସ୍ତକ୍ଷେପ ଆଧୁନିକ ଜୀବନ ଉପରେ ଏକ ଦୃଷ୍ଟ ଗ୍ରହ ପରି ଆବୋରି ରହିଛି, ସେଇଟା ମଧ୍ୟ କ୍ରମେ ପରିହାର୍ଯ୍ୟ ବୋଲି ଅନୁଭୂତ ହୁଏ । ସହଯୋଗିତା ଓ ସହଭାଗିତା ହିଁ ଜୀବନଦର୍ଶନ ରୂପେ ସ୍ଵୀକୃତ ହୋଇ ପାରିଲେ ବ୍ୟକ୍ତି ଆଉ କୌଣସି ପ୍ରକାରର ସାମୂହିକ ପ୍ରବଳତା ଦ୍ଵାରା ଦଳିହୋଇ ଯାଏନାହିଁ ଅଥବା ବ୍ୟକ୍ତିର ସ୍ଵାର୍ଥ ସାମାଜିକ ସ୍ଵାର୍ଥରେ ବାଧକ ହୋଇ ଛିଡ଼ା ହୁଏନାହିଁ । ଏହି ବିଚାର ଏବଂ ଏହି ଉଦ୍ୟମକୁ କ୍ରୋପ୍‍ଟକିନ୍‍ ନୈରାଜ୍ୟବାଦୀ ବୋଲି କହିଛନ୍ତି । ଆପଣାର ପ୍ରଥମକାଳୀନ ଏକାଧିକ ଲେଖାରେ କାର୍ଲ ମାର୍କସ୍‍ କମ୍ୟୁନିଜମ୍‍ର ବ୍ୟାଖ୍ୟା କଲାବେଳେ ଅନେକାଂଶରେ ଏକ ‘ନୈରାଜ୍ୟବାଦୀ’ ଦୃଷ୍ଟି ଦ୍ଵାରା ପ୍ରଭାବିତ ହୋଇଥିବା ପରି ମନେ ହୁଏ । ପ୍ରତ୍ୟେକ ବ୍ୟକ୍ତିର ସ୍ଵାଧୀନ ବିକାଶକୁ ଆଧାର କରି ସମଗ୍ରର ଅର୍ଥାତ୍ ସମସ୍ତଙ୍କର ସ୍ଵାଧୀନ ବିକାଶ–ମାର୍କ୍‍ସୀୟ ଭବିଷ୍ୟ ବ୍ୟାଖ୍ୟାରେ ଏହାକୁ ହିଁ କଳ୍ପିତ କମ୍ୟୁନିଷ୍ଟ ଅର୍ଥାତ୍ ସମତାବାଦୀ ସମାଜରେ ଗୋଟିଏ ମୂଳ ସୂତ୍ର ରୂପେ ଗ୍ରହଣ କରାଯାଇଛି । ଫ୍ରାନ୍ସ୍‍ରେ ଶ୍ରୀଯୁକ୍ତ ପ୍ରୁଧୋଁଙ୍କର ରଚନା ସମେତ ଇଉରୋପୀୟ ଅନେକ ବିଚାର ମଧ୍ୟରେ ଆମେ ନୈରାଜ୍ୟବାଦ ବା ସହଯୋଗିତାବାଦର ପ୍ରଭାବ ଓ ପ୍ରେରଣା ସ୍ପଷ୍ଟ ପ୍ରତିଫଳିତ ହୋଇଥିବାର ଦେଖିବାକୁ ପାଇବା । ଆଧୁନିକ ସମାଜର ନାନା ଅଦୃଶ୍ୟ ଅତିନିୟନ୍ତ୍ରଣ ଦ୍ଵାରା ଅବସନ୍ନ ଓ ବିକ୍ଷୁବ୍ଧ ହୋଇ ଯେଉଁ ତରୁଣମାନ ଏବେ ଅଲଗା ହୋଇ ଆପଣାର ସାନ ସାନ ଗୋଷ୍ଠୀ ତିଆରି କରି ରହିବାକୁ ଇଚ୍ଛା କରୁଛନ୍ତି, ସେମାନେ ମଧ୍ୟ ପ୍ରଚ୍ଛନ୍ନ ଭାବରେ ପ୍ରାୟ ଏକ ନୈରାଜ୍ୟବାଦୀ ଅନୁରାଗ ଦ୍ଵାରା ପରିଚାଳିତ ହେଉଛନ୍ତି । ଗତ ଗୋଟିଏ ଶତାଦ୍ଦୀ ମଧ୍ୟରେ ଏକାଧିକ ଦେଶରେ ଏହିପରି କେତେ କେତେ ନୂତନ ପ୍ରୟୋଗ ହୋଇ ଆସିଛି । ଆଧୁନିକ ତରୁଣ ସମାଜର ସମାଜଭାବନା ଅଧିକରୁ ଅଧିକ ପରିମାଣରେ ସେହି ଆଡ଼କୁ ଆକୃଷ୍ଟ ହୋଇ ଯାଉଥିବା ପରି ବୋଧ ହେଉଛି ।

 

କେହି କେହି ସମୀକ୍ଷକ କାର୍ଲ ମାର୍କସ୍‍ଙ୍କୁ ଆଧୁନିକ ସମାଜବିଜ୍ଞାନର ଜନକ ବୋଲି କହିଛନ୍ତି । ସମାଜଦର୍ଶନର ଯେଉଁ ବିଶେଷ କ୍ଷେତ୍ରଟିକୁ ଆମେ ସମାଜ ପରିବର୍ତ୍ତନର ଦର୍ଶନ ବୋଲି କହିବା, ସେହି କ୍ଷେତ୍ରରେ ମାର୍କସ୍‍ଙ୍କୁ ଜଣେ ମୁଖ୍ୟ ଏବଂ ସାହାସବାନ୍ ପୁରୋଗାମୀ ବୋଲି ମାନି ନେବାକୁ ହିଁ ପଡ଼ିବ । ମାର୍କସ୍‍ଙ୍କ ପୂର୍ବରୁ ସମାଜ ବିଷୟରେ ଅନେକ ଦାର୍ଶନିକ ଦର୍ଶନ ଫାନ୍ଦିଥିଲେ, ମାତ୍ର ସାମାଜିକ ପରିବର୍ତ୍ତନ ଏବଂ ଶୃଙ୍ଖଳାମୋଚନକୁ ପ୍ରଧାନ ଇଷ୍ଟ କରି ଧରି ମାର୍କସ୍‍ଙ୍କ ପରି କେହି ହେଲେ ଏତେ ଗମ୍ଭୀର ଅଥଚ ଯୁକ୍ତିପୃଷ୍ଟି ଭାବରେ ସମାଜର ଦାର୍ଶନିକ ବ୍ୟାଖ୍ୟା କରି ନ ଥିଲେ ଏବଂ ତେଣୁ ସେହି ଦର୍ଶନରେ ଏତେବେଶୀ ଗତିଶୀଳତା ଆଣି ଦେଇ ନ ଥିଲେ । ମାର୍କସ୍‍ଙ୍କର ସେହି ଦାର୍ଶନିକ ବିଚାର ଦ୍ଵାରା ପୃଥିବୀର ପ୍ରତ୍ୟେକ ସମାଜ ଆଜି ମଧ୍ୟ ତୁମୂଳ ଭାବରେ ପ୍ରଭାବିତ ହେବାରେ ଲାଗିଛି, ନାନା କୁଶଳ ତଥା ଅକୁଶଳ ପଦ୍ଧତିରେ ଉତ୍ସାହୀ ମାର୍କସ୍‍ବାଦୀମାନେ ଏବେ ମଧ୍ୟ ତାହାର ପ୍ରୟୋଗ କରିବାରେ ଲାଗିଛନ୍ତି । ମାର୍କସ୍‍ବାଦୀ ଦର୍ଶନ ସାହିତ୍ୟକୁ ସ୍ପର୍ଶ କରିଛି, କାବ୍ୟକୁ ମଧ୍ୟ ସ୍ପର୍ଶ କରିଛି । ଅର୍ଥନୀତି, ରାଷ୍ଟ୍ରନୀତି ଏବଂ ରାଜନୀତିର ସଂସ୍କାରବଦ୍ଧ ପ୍ରତିଷ୍ଠିତ ଚେରଗୁଡ଼ାକ ତାହା କେତେ ପ୍ରକାରେ ଦୋହଲାଇ ଦେଇଛି । ମଣିଷକୁ ମୂଳ କରି ହିଁ ଯେ ଯାବତୀୟ ରାଜନୀତି ଓ ଅର୍ଥନୀତି ଆପଣାର ଯଥାର୍ଥତାକୁ ସାବ୍ୟସ୍ତ କରି ପାରିବ, ମାର୍କସ୍‍ବାଦୀ ସମାଜଦର୍ଶନ ଅଣମାର୍କସ୍‍ବାଦୀମାନଙ୍କ ଭିତରେ ମଧ୍ୟ ସେହି ପ୍ରତ୍ୟୟଟିକୁ ସ୍ପଷ୍ଟ କରି ଦେଇଛି । ଯୁକ୍ତରାଜ୍ୟ ଆମେରିକା ଓ ଜାପାନ ପ୍ରଭୃତି ଧନବନ୍ତ ଦେଶରେ ମଧ୍ୟ କାର୍ଲ ମାର୍କସ୍‍ଙ୍କର ବିଚାର ଅନେକ ଗୋଷ୍ଠୀଙ୍କୁ ଅନୁପ୍ରେରିତ କରି ରଖିଛି, ଲାଟିନ୍ ଆମେରିକା ଓ ଆଫ୍ରିକାର ଗହନ ଭିତରେ ମଧ୍ୟ ଅନେକ ଭବିଷ୍ୟକାମୀ ଗୋଷ୍ଠୀଙ୍କ ଚକ୍ଷୁ ସମକ୍ଷରେ ମାର୍କସ୍‍ଙ୍କର ଭବିଷ୍ୟଦୃଷ୍ଟି ପ୍ରଦୀପଟିଏ ହୋଇ ଜଳୁଛି । ଆଗାମୀ ଯୁଗରେ, କିଏ ମାର୍କସ୍‍ବାଦୀ ବା କିଏ ମାର୍କସ୍‍ବାଦୀ ନୁହେଁ, ସେହି କଥାଟିର ହୁଏତ ଆଦୌ କୌଣସି ବିଚାର ହିଁ ପଡ଼ିବନାହିଁ । କାରଣ, ସେତେବେଳର ନୂତନ ମଣିଷ ଆପଣାକୁ ମାର୍କ୍‍ସୀୟ ବିଚାରର କୌଣସି ନା କୌଣସି ପ୍ରକାରେ ଜଣେ ଦାୟାଦ ବୋଲି କହିଲାବେଳେ ହୁଏତ ସ୍ଵତଃସ୍ପୂର୍ତ୍ତ ଭାବରେ ଏକ ଗୌରବ ଅନୁଭବ କରୁଥିବ ।

 

କାର୍ଲ ମାର୍କସ୍‍ଙ୍କର ଆଉ ଜଣେ ସହଗାମୀ ମୋହନଦାସ କରମଚାନ୍ଦ ଗାନ୍ଧୀ । ସେହି ଗୋଟିଏ ସହାନୁଭବର ଯେଉଁ ପ୍ରେରଣା ଇଉରୋପର ଭୂମିରେ ଆପଣାକୁ ମାର୍କସ୍‍ ରୂପେ ପ୍ରକଟ କରିଥିଲା, ସତେଯେପରି ଭାରତର ଭୂମି ଉପରେ ତାହାହିଁ ଗାନ୍ଧୀ ରୂପେ ଆବିର୍ଭୂତ ହେଲା । ପରିବର୍ତ୍ତନର ଦର୍ଶନ ଭାରତୀୟ ଭୂମି ଉପରେ ଏକ ଦୀର୍ଘତର ଅବଲମ୍ବନ ପାଇଲା, ଏକ ସମଗ୍ରତର ଚକ୍ଷୁ ଲାଭ କଲା । ଜୀବନ କହିଲେ କାର୍ଲ ମାର୍କସ୍‍ ଜୀବନର ଯେତିକି ଇଲାକାକୁ ବୁଝିଥିଲେ, ଗାନ୍ଧୀଦୃଷ୍ଟିରୁ ଆଲୋକଟି ଦ୍ଵାରା ତାହା ସତେଅବା ଆହୁରି କେତେ କେତେ ଦୃଶ୍ୟ ଓ ଅଦୃଶ୍ୟ ଅର୍ଥାତ୍ ଓ ସମ୍ଭୂତ ଭୂମି ମଧ୍ୟକୁ ପ୍ରସାରିତ ହୋଇଗଲା । ଆଧୁନିକ ସମାଜଦର୍ଶନର ଆଲୋଚନା ତଥା ପ୍ରୟୋଗର କ୍ଷେତ୍ରରେ ଯେଉଁମାନେ ଗାନ୍ଧୀ ବନାମ କାର୍ଲ ମାର୍କସ୍‍ଙ୍କର ଦୁଆ ଉଠାଇ ଜଣକୁ ଛାଡ଼ି ଆଉଜଣକୁ ଗ୍ରହଣ କରିବାର ଅବସରବାଦିତା ଦେଖାନ୍ତି, ସେମାନେ ସମ୍ଭବତଃ ଦୁହିଁଙ୍କୁ ହିଁ ଫାଙ୍କି ଦେବାଲାଗି ମନ କରୁଥାନ୍ତି; ହୁଏତ ପୁରୁଣା ଗଣ୍ଠିଗୁଡ଼ାକୁ ଛିଣ୍ଡାଇ ପାରୁ ନ ଥାନ୍ତି ଅଥବା ଗତିଶୀଳତାକୁ ଓ ପରିବର୍ତ୍ତନକୁ ଭୟ କରୁଥାନ୍ତି । ତେଣୁ, ଦାର୍ଶନିକ ଅଳସଯୁକ୍ତି ବା ଦାର୍ଶନିକ ଉପେକ୍ଷାପଣ ଦ୍ଵାରା କେବଳ କାଳକ୍ଷେପଣ କରିବାକୁ ଇଚ୍ଛା କରୁଥାନ୍ତି । ଏବଂ, ଅନ୍ୟାୟାକୁ ବାଟ ଛାଡ଼ି ଦେଉଥାନ୍ତି । ଆମେରିକାର ମାର୍ଟିନ୍ ଲୁଥର୍ କିଙ୍ଗ୍ ଏହି ମାର୍କାର ସଜ୍ଜନ ବା ଭଲ ଲୋକମାନଙ୍କୁ ଜାଗତିକ ଦୁର୍ଦ୍ଦଶାଗୁଡ଼ିକର ସବୁଠାରୁ ବଡ଼ କାରଣ ବୋଲି ଅଭିହିତ କରିଛନ୍ତି । ଗାନ୍ଧୀ ଅଥବା ମାର୍କସ୍‍ କେହି ହେଲେ ଆମକୁ ଅନ୍ୟାୟଗୁଡ଼ାକୁ ସହିଯିବା ଲାଗି କହି ନାହାନ୍ତି । ଭୀରୁ ହୋଇ ବସି ଯିବାକୁ କହି ନାହାନ୍ତି । କେତୋଟି ନିରାପଦ ଅଭ୍ୟାସକୁ ଆଚରି ନେଇ ଓ ତାହାକୁ ହିଁ ଅହିଂସା ବୋଲି କହି ସେମାନେ ଆମକୁ ଦାସତ୍ଵଗୁଡ଼ାକୁ ସ୍ଵୀକାର କରି ନେବାର କୌଣସି ପ୍ରରୋଚନା ଦେଇ ନାହାନ୍ତି । ମଣିଷ ନିର୍ଭୟ ନ ହେଲେ ତା’ ଦ୍ଵାରା ପ୍ରକୃତରେ କୌଣସି ଧର୍ମ ଯେ କଦାପି ସମ୍ଭବ ହେବ ନାହିଁ, ଗାନ୍ଧୀ ସେହି କଥାଟିକୁ ଅନେକ ସ୍ପଷ୍ଟ ଭାବରେ ଏକାଧିକ ଥର କହିଛନ୍ତି । ଭୀରୁ ଅହିଂସାଚାର ଅପେକ୍ଷା ସାହସୀ ଓ ସକ୍ରିୟ ହିଂସାଚରଣକୁ ସେ ସର୍ବଦା ଶ୍ରେୟସ୍କର ଓ ଅଧିକ ମନୁଷ୍ୟୋଚିତ ବୋଲି କହିଛନ୍ତି ।

 

ଆଧ୍ୟାତ୍ମିକତା କହିଲେ ଯେ ଏକ ସମଗ୍ର କ୍ରିୟାଶୀଳତା ଅର୍ଥାତ୍ ସମଗ୍ର ଚେତନାକୁ ବୁଝାଏ, ମୋହନଦାସ ଗାନ୍ଧୀ ଆପଣାର ଯାବତୀୟ ପ୍ରୟୋଗ ମଧ୍ୟ ଦେଇ ତାହାର ଉଦାହରଣ ଦେଖାଇ ଦେଇ ଯାଇଛନ୍ତି । ଯିଏ ଆଗ ଭୀରୁତାକୁ ଛାଡ଼ିବ, ଗାନ୍ଧୀ ବିଚାର ଏବଂ ମାର୍କସ୍‍ଙ୍କର ବିଚାର ଭିତରେ ସିଏ ହୁଏତ ଆଦୌ କୌଣସି ଭେଦ ରହିଥିବାର ଅନୁଭବ କରି ପାରିବନାହିଁ । ଯିଏ ଦାସତ୍ଵକୁ ଛାଡ଼ି ଆପଣାର ଦାସତ୍ଵକୁ ଛାଡ଼ି ଆପଣାର ମାନବତ୍ଵକୁ ଚିହ୍ନିବ, ଗାନ୍ଧୀଙ୍କର ଭାଷାରେ ଯିଏ ଆପଣା ସମେତ ସମସ୍ତଙ୍କ ମଧ୍ୟରେ ପ୍ରଚ୍ଛନ୍ନ ହୋଇ ରହିଥିବା ଦେବତ୍ଵକୁ ଚିହ୍ନିବ, ସେଇଟି ସହିତ ଆପଣାର ଚେତନାକୁ ସଂଯୁକ୍ତ କରି ରଖି ପାରିବ, ତାହାର କୌଣସି କାର୍ଯ୍ୟ ଗାନ୍ଧୀବାଦ ଅଥବା ମାର୍କସ୍‍ବାଦ କାହାରି ହେଲେ ବିରୋଧୀ ହେବ ନାହିଁ ।

 

ମନୁଷ୍ୟର ଜୀବନ ପରି ମନୁଷ୍ୟ ସମାଜ ମଧ୍ୟ ଏକ ସମଗ୍ର ବ୍ୟାପାର । ସମାଜ ମଧ୍ୟରେ ମନୁଷ୍ୟର ବିଚରଣ ଏକ ସକଳାଙ୍ଗ ବିଚରଣ । ତେଣୁ ସମାଜର ଦର୍ଶନକୁ ବିଶେଷଜ୍ଞମାନଙ୍କର ଏକ ବ୍ୟାପାର କରି ରଖିବାକୁ ପ୍ରୟାସ କଲେ ତାହା ଆମକୁ ନାନା ଏକଦେଶୀୟତା ଭିତରେ ନେଇ ପକାଇ ଦେବାର ସର୍ବଦା ଆଶଙ୍କା ରହିଥିବା । ଏହି ବିଶେଷଜ୍ଞତା ତଥାକଥିତ ବୈଜ୍ଞାନିକ ବିଶେଷଜ୍ଞତା ହୋଇଥାଉ ଅଥବା ଯାବତୀୟ ଯେକୌଣସି ଭାବପ୍ରବଣତା ଅଥବା ଉପେକ୍ଷା ଦ୍ଵାରା ପ୍ରଣୋଦିତ ହୋଇଥିବା ବିଶେଷଜ୍ଞତା ହୋଇଥାଉ ପଛକେ, ତାହା ଆମର ସକଳ ଅନ୍ଵେଷଣ, ଅଧ୍ୟୟନ ଏବଂ ଅନୁଶୀଳନ ମୋହଗ୍ରସ୍ତ କରି ରଖିଥିବ । ଏହି ବ୍ୟାଧିତ ବିଶେଷଜ୍ଞ ଦୃଷ୍ଟିକୁ ଦାର୍ଶନିକ ନୀତଶେ ଏକ ପ୍ରସଙ୍ଗରେ ‘ଖଞ୍ଜ ଦାର୍ଶନିକତା’ ବୋଲି କହିଛନ୍ତି । ଏହିଭଳି ଦାର୍ଶନିକମାନଙ୍କୁ ସେ inverted cripples ବୋଲି କହିଛନ୍ତି । ସମାଜର ଦର୍ଶନକୁ ଔପଚାରିକ ସମାଜ ବିଜ୍ଞାନ ରୂପେ ପରିସୀମିତ କରି ରଖିବାର ଆଧୁନିକ ଅଧିକାଂଶ ପ୍ରୟାସରେ ଆମେ ଏହିପରି ଏକ ଖଞ୍ଜି ଦାର୍ଶନିକତାର ଗନ୍ଧ ପାଇପାରିବା । ଯେତେବେଳେ ଦର୍ଶନ ତୁଚ୍ଛା ବୁଦ୍ଧିଦ୍ଵାରା ପ୍ରେରିତ ହୁଏ, ପ୍ରତିଭାସଗୁଡ଼ାକୁ ସତ୍ୟ ବୋଲି ହୁରି ପକାଏ, ଆପଣାର ଅପକ୍ଵ ମାପକାଠିଗୁଡ଼ାକ ଅନୁସାରେ ଅନୁସାରେ ସତ୍ୟକାଠିର କଳନା କରିବାକୁ ହିଁ ବିଜ୍ଞାନ ବୋଲି କହେ, ଅର୍ଥାତ୍ ସତ୍ୟ ଯେତିକି ବ୍ୟାପକ ଓ ଯେତିକି ସମଗ୍ର, ଆପଣାର ମାପକାଠିଗୁଡ଼ିକୁ ମଧ୍ୟ ସେତିକି ବ୍ୟାପକ ଓ ସେତିକି ସମଗ୍ର ନ କରିବା ଲାଗି ହିଁ ଅଜଟ କରି ବସିଥାଏ, ସେତେବେଳେ ସିଏ ଆମକୁ ସମାଜ ଭିତରକୁ ହୁଏତ ଆଦୌ କୌଣସି ପ୍ରବେଶାଧିକାର ଦେଇ ପାରେନାହିଁ । ସିଏ ଆମର ଆଖିଗୁଡ଼ାକୁ ଭାରି ଚତୁରତା ସହକାରେ ବ୍ୟୂହସ୍ଥ କରି ରଖିଦିଏ ।

 

ଭାରତୀୟ ବ୍ରହ୍ମବିଦ୍ୟାରେ ଅନ୍ନକୁ ମଧ୍ୟ ବ୍ରହ୍ମ ବୋଲି କୁହାଯାଇଛି । ଅନ୍ନର ସ୍ତରରୁ ହିଁ ବ୍ରହ୍ମକଳନା ଆପଣାର ବିଚରଣା ଆରମ୍ଭ କରିଛି ଏବଂ ମଧ୍ୟବର୍ତ୍ତୀ ନାନା ସ୍ତର ଦେଇ ଆନନ୍ଦ ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି । ଏହି ସବୁଯାକ ସ୍ତରକୁ ଯିଏ ଏକାବେଳେକେ ଗୋଟିଏ ସମଗ୍ର ମଣ୍ଡଳ ରୂପେ ପ୍ରତ୍ୟେକ୍ଷ କରେ, ସେଇ ସତ୍ୟର ପରିଚୟ ପାଏ ବୋଲି ଉଦବୋଧନ ଦିଆ ଯାଇଛି । ସ୍ଥାନାନ୍ତରରେ ତାହାକୁ ହିଁ ଭୂମା ବୋଲି କୁହା ଯାଇଛି ଏବଂ “ନାଳ୍ପେ ସୁଖମସ୍ତି ଭୂମୈବ ସୁଖ” ବୋଲି ଘୋଷଣା କରାଯାଇଛି ।

 

ଆମର ସମାଜକୁ ଯେଉଁ ଦର୍ଶନ ଯଥାର୍ଥରେ ପରିଚାଳିତ କରି ନେଇଯାଇ ପାରିବ, ତାହା ସେହିପରି ଭୂମିଧର୍ମୀ ହୋଇଥିବା ଉଚିତ, ସେହିପରି ସମଗ୍ର ହୋଇଥିବା ଉଚିତ । ସମାଜ ବିଷୟକ ଆପଣାର ଭବିଷ୍ୟ ଦୃଷ୍ଟିରେ ଶ୍ରୀଅରବିନ୍ଦ ତାଙ୍କ ଭାଷାରେ ଯେଉଁ ଆଧ୍ୟାତ୍ମକ ନୈରାଜ୍ୟବାଦରେ ସଙ୍କେତ ଦେଇଛନ୍ତି, ଆମେ ପ୍ରସ୍ତୁତ ଥିଲେ ହୁଏତ ତାହାହିଁ ଆମକୁ ଏକ ଗତିଶୀଳ ଅଥଚ ଆଦର୍ଶ ସମାଜର ସମ୍ଭାବନା ଦିଗରେ ଅଗ୍ରସର କରାଇ ନେଇଯାଇ ପାରିବ । ଯେତେବେଳେ ସମଗ୍ର ଜୀବନ ହିଁ ସମାଜ ଅଧ୍ୟୟନର ପ୍ରୟୋଗଶାଳା ରୂପେ ସ୍ଵୀକୃତ ହୋଇ ପାରିବ, ସେତେବେଳେ ଆମ ବିଜ୍ଞାନୀମାନେ ଅଧ୍ୟୟନକ୍ଷେତ୍ରର ସମଗ୍ରତା ଓ ବହୁରଙ୍ଗତା ଅନୁସାରେ ଆପଣାର ଅଧ୍ୟୟନ କାଠିଗୁଡ଼ିକୁ ମଧ୍ୟ ଅନୁରୂପ ଭାବରେ ଗ୍ରହଣକ୍ଷମ କରି ରଖିପାରିବେ, ହୁଏତ ସେତିକିବେଳେ ସମାଜକୁ ବୁଝିବାଲାଗି ଆମକୁ ଏକ ଯଥାର୍ଥ ଭୂମି ମିଳିଯିବ, ସମାଜର ଯାବତୀୟ ପରିବର୍ତ୍ତନ ଓ ଭବିଷ୍ୟ ରଚନା ଲାଗି ମଧ୍ୟ ଅନେକ ମାର୍ଗ ବି ମିଳିଯିବ ।

 

—‘ସମାବେଶ’, ପୂଜା ସଂଖ୍ୟା, ୧୯୮୧

Image

 

ଏକଃ ତରତି ଦୂର୍ଗାଣି

 

ମାୟାବାଦୀ ସଂସାରୀମାନେ କହନ୍ତି, ମଣିଷ କୁଆଡ଼େ ଏକୁଟିଆ ହୋଇ ଏହି ସଂସାରକୁ ଆସେ, ଆଉ କାହାର ବରାଦ ଅନୁସାରେ କେତୋଟା ଦିନ ପାଇଁ ଏଠିକି ଲୀଳାଖେଳା କରେ ଓ ବେଳ ସରିଗଲେ ପୁନର୍ବାର ଏକା ଏକା ସଂସାରରୁ ବିଦାୟ ନେଇ ଚାଲିଯାଏ । ଯେମିତି ଏକୁଟିଆ ଆସିଥାଏ, କୁଆଡ଼େ ଠିକ୍ ସେମିତି ଏକୁଟିଆ ହୋଇ ବାହାରିଯାଏ । ଭକ୍ତିବାଦୀ ସଂସାରୀମାନେ ଦର୍ଶନ ସାଙ୍ଗକୁ ଏକ କାବ୍ୟିକତାକୁ ମିଶାଇ କରି କହନ୍ତି ଯେ, ମଣିଷ କୁଆଡ଼େ କାନ୍ଦି କାନ୍ଦି ଆସିଥାଏ ଏବଂ ହସି ହସି ଏଠୁ ଚାଲିଯାଏ । କୋଉ ଅସଲ ଘରୁ ବଉଳା ହୋଇ ଚାଲି ଆସିଥାଏ ବୋଲି କୁଆଡ଼େ, ଭୂମିଷ୍ଠ ହେଲାବେଳେ କାନ୍ଦେ, ପୁନର୍ବାର ସେହି ଅସଲ ଘରକୁ ବାହୁଡ଼ି ଯାଉଥିବା ସମୟରେ ମନପୁଲକରେ ହସି ହସି ଚାଲିଯାଏ । ଏତିକି ସାରକୁ ନେଇ ଭାରତବର୍ଷରେ ଗଦା ଗଦା ଶାସ୍ତ୍ର ଲେଖା ଯାଇଛି ଏବଂ ସେଗୁଡ଼ାକୁ କେଡ଼େ ସମ୍ଭ୍ରମର ସହିତ ଧର୍ମଶାସ୍ତ୍ର ବୋଲି କୁହାଯାଇଛି । ଭାରତବର୍ଷ ବାହାରେ ମଧ୍ୟ ଲେଖା ଯାଇଛି, ମାତ୍ର ଭାରତବର୍ଷରେ ଅପେକ୍ଷାକୃତ ଅଧିକ ପରିମାଣରେ ଓ ଅଧିକ ଆଡ଼ମ୍ବର ସହିତ ଲେଖା ଯାଇଛି ।

 

ସେହି ଭାରତବର୍ଷର ଆଧ୍ୟାତ୍ମଶାସ୍ତ୍ରରେ ଲେଖା ଯାଇଛି ଯେ, ଆଗେ ଯେତେବେଳେ କେହି କୁଆଡ଼େ ନ ଥିଲେ ବା କିଛି କୁଆଡ଼େ ନ ଥିଲା, ସେତେବେଳେ କେବଳ ସେଇ ରହିଥିଲା । ଏକୁଟିଆ ଆତ୍ମରତି ହୋଇ ବୁଲୁଥିଲେ । ଏକୁଟିଆ ତାଙ୍କୁ ଭଲ ଲାଗିଲା ନାହିଁ । ତେଣୁ ସିଏ ଦ୍ଵିତୀୟ ଇଚ୍ଛା କଲେ, ବହୁ ହେଲେ—ଏହି ଜଗତକୁ ଭିଆଇଲେ । ଅର୍ଥାତ୍ ଏହି ଜଗତ ମାୟାରୁ ତିଆରି ହୋଇନାହିଁ, ଜଗତ ବାସନାରୁ ତିଆରି ହୋଇଛି । ସମ୍ମିଳିତ ଅର୍ଥାତ୍ ସଂପ୍ରସାରିତ ହୋଇ ରହିବାର ବାସନା, ଆପଣାର ଏକୁଟିଆ ଗାତଗୁଡ଼ାକରୁ ବାହାରି ବିସ୍ତୃତ ପୃଥିବୀ ଓ ବିସ୍ତୃତ ଆକାଶଗୁଡ଼ିକ ସହିତ ପରିଚୟ ସ୍ଥାପନ କରିବାର ବାସନା, ଘନିଷ୍ଠ ହେବାର ବାସନା, ଖିଅ ବାନ୍ଧି ତାହାକୁ ହିଁ ସନ୍ନିଧାନରେ ରହିବା ବୋଲି କହିବାର ବାସନା । ପୁଣି ସେହି ଶାସ୍ତ୍ରର କଥାରେ କହିଲେ, ‘ଅଭୟଂ ମିତ୍ରାତ୍, ଅଭୟଂ ଅମିତ୍ରାତ୍’ ବୋଲି ଉଚ୍ଚାରଣ କରି ପାରିବାର ଏବଂ ସେହି ଉଚ୍ଚାରଣ ହିଁ ଜୀବନାଭିଳାଷର ସର୍ବୋତ୍ତମ ଅଭିବ୍ୟକ୍ତି ବୋଲି ଅନୁଭବ କରି ପାରିବାର ବାସନା । ଏହି ବାସନକୁ ସାଙ୍ଗ କରି ଜୀବନ ବଂଚିବା, ତାହାହିଁ ପରମ ରସମୟଙ୍କୁ (ରସୋବୈସଃ) ସଙ୍ଗୀ ରୂପେ ପାଇ ଜୀବନ ମଧ୍ୟରୁ କୁସୁମ ଫୁଟାଇବା । କାହାର ହୋଇଯାଇ ପାରିବା, ପାଖୁଡ଼ା ପାଖୁଡ଼ା ହୋଇ ଫୁଟି ଉଠିବା, ଆପଣାକୁ ନେଇ ଆପଣାଠାରୁ ବୃହତ୍ତର ଆଉ ଏକ ସନ୍ନିଧି ପାଖରେ ସମର୍ପିତ କରି ରଖିବା, ସନ୍ଥ ଓ ମନ୍ତ୍ରଦ୍ରଷ୍ଟାମାନଙ୍କର ଭାଷାରେ କହିଲେ, ପ୍ରତ୍ୟେକ ମୁହୂର୍ତ୍ତରେ ପଳ ପଳ କରି ମରି ପ୍ରତ୍ୟେକ ମୁହୂର୍ତ୍ତରେ ପଳ ପଳ କରି ବୃହତ୍ତର ଜୀବନର ଅଧିକାରୀ ହେବା ଏବଂ ଏହି ଉତ୍ତରୋତ୍ତର ଅଧିକାରଲାଭକୁ ହିଁ ନିତ୍ୟନବଜନ୍ମ ବୋଲି କହିବା ଏସବୁ କଥା ଆମକୁ ମାୟାବାଦୀ ନିଃସଙ୍ଗତାବାଦୀମାନଙ୍କର ଅଭିଧାନରୁ ମୋଟେ ଦେଖିବାକୁ ମିଳିବ ନାହିଁ । ନିଃସଙ୍ଗତାବାଦୀମାନେ ହେଉଛନ୍ତି ଗୋଟିଏ ଗୋଟିଏ ଗୁମ୍ଫାର ମଣିଷ; ସେହି ଗୁମ୍ଫାକୁ ସେମାନେ ନିଜେ ତିଆରି କରିଛନ୍ତି, ଏକ ମୂଳଭୂତ ଅନିଚ୍ଛା ଏବଂ ଅସମ୍ମତିରୁ ନାନାବିଧ ଅଳଙ୍କାର ଗଢ଼ାଇ ତାହାରି ମଣ୍ଡନରେ ସତେଅବା କୋଟିବ୍ରହ୍ମାଣ୍ଡସୁନ୍ଦରୀ ହୋଇ ଆପଣାର କୂପଗୁଡ଼ିକ ମଧ୍ୟରେ ବାସ କରୁଛନ୍ତି ଏବଂ ଆପଣାକୁ ନାନା ପ୍ରକାରେ ଅସମର୍ଥ କରି ରଖିଛନ୍ତି ।

 

ଜଙ୍ଗଲରେ ହୁଏତ ଏପରି କେତେକ ଗଛ ରହିଥିବେ, ଯେଉଁମାନେ କି ଜଙ୍ଗଲଟାକୁ ହିଁ ଦେଖୁଥିବେ, ଅନ୍ୟ ଗଛମାନଙ୍କୁ ଆଦୌ ଦେଖି ପାରୁନଥିବେ । ହୁଏତ କେବଳ ଆପଣାକୁ ହିଁ ଏକମାତ୍ର ଗଛ ବୋଲି ଦେଖୁଥିବେ ବୋଲି ଅନ୍ୟ ଗଛମାନଙ୍କୁ ଦେଖି ପାରୁନଥିବେ । ଜଙ୍ଗଲ ସେମାନଙ୍କ ଉପରେ ଭାରି ମାଡ଼ିମାଡ଼ି ପଡ଼ୁଥିବ । ତେଣୁ ଭାରି ଏକୁଟିଆ ଲାଗୁଥିବ । ସମାଜ ଭିତରେ ରହି ମଧ୍ୟ ଯେଉଁମାନେ କେବଳ ନିଜକୁ ହିଁ ଦେଖନ୍ତି, ନିଜ ବ୍ୟତୀତ ଆଉ କାହାକୁ ହେଲେ ଦେଖି ପାରନ୍ତି ନାହିଁ, ସମାଜ ଭିତରେ ସେମାନେ ସମ୍ଭବତଃ ଜଙ୍ଗଲ ଭିତରର ସେହି ନିଃସଙ୍ଗ ବୃକ୍ଷଟି ପରି ଭାରି ଅନୁଭବ କରୁଥିବେ । ସମାଜ ସେମାନଙ୍କ ଉପରକୁ ଭାରି ମାଡ଼ି ମାଡ଼ି ପଡ଼ୁଥିବ । ମାଡ଼ିମାଡ଼ି ପଡ଼ୁଥିବା ଗୋଟିଏ ଜଙ୍ଗଲ ଭିତରେ ମୁଁ ଏକାକୀ ଶାର୍ଦ୍ଦୂଳ ପରି ବୁଲୁଥିବି, ଆଉ କାହାକୁ ହେଲେ ସ୍ଵୀକାର କରୁ ନ ଥିବି, ସମସ୍ତକୁ ଗିଳି ପକାଇବାକୁ ମନ କରୁଥିବି ଅଥଚ ଆଗତୁରା କେବେ କାହାରି ହୋଇ ପାରୁନଥିବି—ଆଧୁନିକ କାଳରେ କ’ଣ ଏହିପରି ଏକ ଦୁର୍ଭାଗ୍ୟମୟ ଆତ୍ମପ୍ରମତ୍ତତାକୁ ନିଃସଙ୍ଗତା ବୋଲି କୁହାଯାଉଛି କି ? ଆମେ ଯେଉଁମାନେ ଜୀବନରୂପୀ ଏହି ଜଙ୍ଗଲରେ ଆପଣା ବ୍ୟତୀତ ଆଉ ଗୋଟିଏ ହେଲେ ବୃକ୍ଷକୁ ଦେଖି ପାରୁନାହିଁ, ତେଣୁ ନିଜକୁ ଅତ୍ୟନ୍ତ ନିଃସଙ୍ଗ ବୋଲି ମନେକରୁଛୁ, ଆମେ ହୁଏତ ଆପଣା ଦର୍ପଣଟିରୁ ସଂସାର ଗୋଟାକୁ ବୁଝିବାକୁ ଯାଇ ସଂସାରର ସବୁ ମଣିଷଙ୍କୁ ନିଃସଙ୍ଗ ମଣିଷ ବୋଲି କହିବାକୁ ଇଚ୍ଛା କରୁଛୁ । ଆଧୁନିକ ମଣିଷକୁ ନିଃସଙ୍ଗ ମଣିଷ ବୋଲି କହୁଛୁ । ଏହି ନିଃସଙ୍ଗତା ମଣିଷକୁ ଆଜି ଚାରିପାଖରୁ ଗ୍ରାସ କରି ରହିଛି; ତେଣୁ ମଣିଷ ଆପଣାଠାରୁ, ଜୀବନଠାରୁ ଏଡ଼େ ଦୂରଛଡ଼ା ହୋଇ ରହି ଯାଉଛି–ଏହିପରି କାବ୍ୟାମୋଦ ଦ୍ଵାରା ମଣିଷକୁ ବଡ଼ ଅସମର୍ଥ ଓ ବଡ଼ ଅକିଞ୍ଚନ ବୋଲି ହୁରି କରି ଅସମ୍ମତ ମଣିଷମାନେ ଆହୁରି ଅଧିକ ଅହଂଜୀବୀ ହୋଇ ରହିବା ସକାଶେ କେତେ ନା କେତେ ଖୋରାକ ପାଇ ଯାଉଛନ୍ତି । ନିଜ ଜୀବନର ପ୍ରାୟ ଏକ ଇଚ୍ଛାକୃତ ବିଷାଦକୁ ଏକ ମନଗଢ଼ା ମହାଭାରତର ଭୂମିକା ଯୋଗାଇଦେଇ ତାହାକୁ ବିଷାଦଯୋଗ ବୋଲି କହି ଡିବି ଡିବି ଡମ୍ବରୁ ବଜାଇବାରେ ଗୁମ୍ଫାଗୁଡ଼ାକର ଗମାତଗୁଡ଼ାକ ଆହୁରି ଅଧିକ ଗେହ୍ଲା ହେବାକୁ ମଉକା ପାଇ ଯାଉଛନ୍ତି ସିନା, ମାତ୍ର ଅସଲ କେନ୍ଦ୍ରଟି ତଥାପି ବଡ଼ ହାତଛଡ଼ା ହୋଇ ରହିଛି । ଜଗନ୍ନାଥ ଯେମିତି ମୋଟେ ଦୃଶ୍ୟ ହେବେନାହିଁ, ସେଥିଲାଗି ଅସଲ ଦୁଆରଗୁଡ଼ିକରେ ପାହଡ଼ ପକାଇଦେଇ ନିଃସଙ୍ଗତାର ଗଭା ମଣ୍ଡାଇ ମାହାରୀମାନେ ନାଚିବାରେ ଲାଗିଛନ୍ତି ଏବଂ ଏହି ସୁଆଙ୍ଗଗୁଡ଼ାକୁ ଅନେକ ସମୟରେ ‘ଆଧୁନିକତା’ ବୋଲି କୁହା ଯାଉଛି ।

 

ଆପଣାର ମୂଳଭୂତ ଅନିଚ୍ଛା ଏବଂ ଅସାହସଗୁଡ଼ାକୁ ବିଶ୍ଵାକାର କରି ଆପଣା ସମେତ ସମସ୍ତଙ୍କୁ ନିଃସଙ୍ଗ ମଣିଷ ବୋଲି ଘୋଷଣା କରୁଥିବା ଆମ ଭିତରର ସେହି ବିଚିତ୍ର ମଣିଷଟି ହେଉଛି ମୂଳତଃ ଏକ ଆତ୍ମରତିରତ ମଣିଷ । ଇଚ୍ଛା ଓ ସାହସ ଏକାଠି ମିଶିଲେ ଜୀବନ ବଞ୍ଚିବାର କ୍ଷେତ୍ରରେ ଯେଉଁ ସର୍ବମୂଳ ପ୍ରେରଣାଟି ମଣିଷକୁ ବାଟ କଢ଼ାଇ ଆଗକୁ ଆଗକୁ ନେଇଯାଏ, ତାହାହିଁ ଶ୍ରଦ୍ଧା । ଶ୍ରଦ୍ଧାଶୀଳ ମଣିଷ ନିଜକୁ ଦିଏ, ଆପଣାର ଦୁଆରଗୁଡ଼ିକୁ ଖୋଲା ରଖିଥାଏ, ତେଣୁ କଦାପି ନିଃସଙ୍ଗ ଅନୁଭବ କରେ ନାହିଁ । ତା’ର ଚାରିପାଖରେ ରାଷ୍ଟ୍ର ଥାଏ, ଦୁରାଗ୍ରହୀ ଦୁଃସମୟଗୁଡ଼ାକ ମଧ୍ୟ ସତେଅବା ଅସ୍ତ୍ର ଉତ୍ତୋଳନ କରି ଠିଆହୋଇ ରହିଥାନ୍ତି, ହୁଏତ ଓଲଟା ଦିଗରୁ ପବନମାନେ ବହୁଥାନ୍ତି, ସାବଧାନ ବରିଷ୍ଠମାନଙ୍କର ଆକଟଗୁଡ଼ାକ ଶାସ୍ତ୍ର ହୋଇ ତା’ ଗୋଡ଼କୁ ବାନ୍ଧି ପକାଇବାକୁ ପ୍ରୟାସ ବି କରୁଥାନ୍ତି । ତଥାପି ଶ୍ରଦ୍ଧାଶୀଳ ଅଟକି ରହେ ନାହିଁ, ପ୍ରତିକୂଳତାଗୁଡ଼ାକୁ ଛତ୍ରି ପରି ଟେକିଧରି ତାହାରି ତଳେ ବାହୁନି ବସିବାକୁ ଆଦୌ ମନ କରେ ନାହିଁ । ସିଏ ସୁଅ ପହଁରି ବାହାରିଯାଏ, ଅଧିକାଂଶ ସମୟରେ ତାକୁ ଉଜାଣି ପହଁରିବାକୁ ହିଁ ପଡ଼ିଥାଏ । ତାକୁ ସିଏ ସମଗ୍ର ଖେଳଟି ମଧ୍ୟରେ ଏକ ବିଧାନ ବୋଲି ଗ୍ରହଣ କରିନିଏ । ଅଭିଯୋଗ କରେ ନାହିଁ, ଅଭିମାନ କରେ ନାହିଁ—ରୁଷି ବସିବ ବୋଲି ସିଏ କେତେ କୁଆଡ଼ର ଶୈଳୀମଣ୍ଡନରେ ରଥକୁ ସଜାଇ ମୋଟେ ପଡ଼ିଆକୁ ବାହାରି ନ ଥାଏ । ଏଣେ ଆପଣାକୁ ଅର୍ଜୁନ ବୋଲି କହିବ ଏବଂ କୃଷ୍ଣଙ୍କୁ ଦେଖିଲେ ସବାଆଗ ରୁଷି ବାହାରିବ,–ଇଏ ତଥାକଥିତ ନିଃସଙ୍ଗମାନଙ୍କର ଏକ ଅତି ପ୍ରିୟ ଟେକ୍‍ନିକ୍‍ । କୃଷ୍ଣ କେବଳ ଆକର୍ଷଣ କରି ନିଅନ୍ତି, ଲଜ୍ଜା ହରଣ କରନ୍ତି; ମାତ୍ର କୃଷ୍ଣଙ୍କୁ ଦେଖି ଯେଉଁମାନେ ଆଗ ନିଃସଙ୍ଗତାର ମୁଖାଟାକୁ ମୁହଁରେ ଗଳାଇ ନିଜର ତଥା କୃଷ୍ଣଙ୍କର ସୁକୁଟ ଦେଖନ୍ତି ଓ ସୁକୁଟ ଗାଆନ୍ତି, ସେମାନଙ୍କୁ ମଣିଷ ନ କହି ପ୍ରକୃତରେ ମହିଷା ବୋଲି କହିବାକୁ ହେବ, ଅତ୍ୟନ୍ତ ଅସାଧାରଣ ବୋଲି କହିବାକୁ ହେବ ।

 

ନିଃସଙ୍ଗ ମଣିଷ, ଅର୍ଥାତ୍ ଆତ୍ମରତିରତ ମଣିଷ । ଏକାନ୍ତ ଅନମନୀୟ ମଣିଷ । ସେମାନେ ଆପଣ ବ୍ୟତୀତ ଆଉ କିଛି ଲୋଡ଼ନ୍ତି ନାହିଁ । ଉଆସଯାକର ଏକା ରାଣୀ ହୋଇ ରହିବାକୁ ମନ କରୁଥାନ୍ତି । ଆପଣା ଭିତରେ ପ୍ରବଳ ହୋଇ ରହିଥିବା ପୋଇଲୀଟାକୁ ଲୁଚାଇ ରଖିବାଲାଗି ସେମାନେ ସଂସାରଯାକ ସମସ୍ତଙ୍କୁ ପୋଇଲୀ ପରି ଦେଖିବାକୁ ହିଁ ନିଷ୍ପତ୍ତି କରିଥାନ୍ତି । କହିବା ବାହୁଲ୍ୟ, ଅନ୍ୟମାନଙ୍କୁ ପୋଇଲୀ ପରି ଦେଖୁଥିବାରୁ ହିଁ ଅନ୍ୟମାନଙ୍କର ଗହଣ ଭିତରକୁ ଆସିବା ମାତ୍ରକେ ସେମାନେ ନିଃସଙ୍ଗ ଅନୁଭବ କରିବାରେ ଲାଗନ୍ତି । ସଂସାରର ଅନେକ ତୃଷ୍ଣା ମଧ୍ୟରେ ନିଜକୁ କାହା ପାଖରେ ଦେଇ ଦେବାର, ଅଥବା ସତକୁ ସତ ବୃହତ୍ତର କୌଣସି ଏକ ବସ୍ତୁପାଇଁ ଜୀବନ ବଞ୍ଚିବାର ତୃଷ୍ଣାଟି ମହଜୁଦ ହୋଇ ରହିଥିଲେ ମଣିଷ ନିଃସଂଗତାକୁ ଜୟ କରେ । ମାତ୍ର ଆପଣାର ଅନ୍ତରଂଗତମ ଜୀବନ–ଅଳିନ୍ଦଟିରେ କେବଳ ନିଜେ ଏକା ବାଟ ଚାଲିବେ ଓ ତେଣୁ ସତେଅବା ରାଣୀମକଦଲ ପରି ଦେଖାଯିବେ ବୋଲି ଯେଉଁମାନେ ନିଜର ବାଟଟିକୁ କେବଳ ଜଣେ ଚାଲିଯିବା ଭଳି ଯଥାସମ୍ଭବ ଅଧିକ ଅଣଓସାରିଆ କରି ରଖିଥାନ୍ତି, ନିଜର ଚୁଟୀକୁ ସେମାନେ ସେହି ନିଃସଂଗତା ପାଖରେ ଯାଇ ବିକି ଦେଇଥାନ୍ତି । ଏକା ସାମନ୍ତ ହୋଇ ବସିଲେ ଯାଇ ସେମାନଙ୍କୁ ଶ୍ରୀମନ୍ତ ହୋଇ ବସିଥିବା ପରି ଅନୁଭବ ହେଉଥାଏ । ସମନ୍ତବାଦ ଆତ୍ମରତିବାଦର ଏକ ଅନ୍ୟତମ ବହିଃପ୍ରକାଶ । ସାମନ୍ତମାନେ କବି ହେଲେ ଭଗବାନଙ୍କୁ ମଧ୍ୟ ସାମନ୍ତ ରୂପେ ବର୍ଣ୍ଣନା କରି କେଡ଼େ ସୁଖ ପାଆନ୍ତି । ଜଗବନ୍ଧୁ ସାମନ୍ତଟିଏ କରି ଆପଣାର ରତିଖୁଣ୍ଟରେ ବାନ୍ଧି ଦେଇ ହିଁ ସେମାନେ ତାଙ୍କ ସହିତ ଏକାତ୍ମତା ଅର୍ଜନ କରିପାରିଲେ ବୋଲି ଅନୁଭବ କରନ୍ତି । ଆତ୍ମରତିରତ ମଣିଷମାନେ ବର୍ତ୍ତମାନ ଆମ ସଂସାରର ସବୁଯାକ ମହୁଡ଼କୁ ମାଡ଼ି ବସିଛନ୍ତି । ଦେଶ, ରାଷ୍ଟ୍ର, ଲୋକଶାସନ, ଲୋକକଲ୍ୟାଣ, ଅର୍ଥନୀତି, ରାଜନୀତି–ଏହି ସବୁଯାକ ଜୀବନପ୍ରସଙ୍ଗ ସତେଅବା ଏହି ବିଶେଷ କାମଶାସ୍ତ୍ରରେ ହିଁ ଗୋଟିଏ ଗୋଟିଏ ମାମଲତରେ ପରିଣତ ହୋଇ ରହିଛି । ଏଗୁଡ଼ାକର ସାମନା କରି ନ ପାରି ସାହିତ୍ୟକ ଯେତେବେଳେ ଏଗୁଡ଼ାକ ସହିତ ଖାପ ଖାଇ ରହିଯିବାକୁ ହିଁ ବାଛି ନେଉଛି, ସେତେବେଳେ ସିଏ ମଧ୍ୟ ଆତ୍ମରତିର ଖାନ୍ଦାଟି ଭିତରେ ଆସି ପଡ଼ିଯାଉଛି । ନିଃସଙ୍ଗତର ଧର୍ମରେ ନିଜକୁ ଦୀକ୍ଷିତ କରି ନେଉଛି । ସଙ୍ଗ ଲାଭ କରିବାକୁ ଇଚ୍ଛା କଲେ ଯାଇ ମଣିଷ ସଙ୍ଗ ପାଏ; ସଙ୍ଗୀ ହେବାକୁ ମନ କଲେ ଯାଇ ସଙ୍ଗୀମାନେ ମିଳନ୍ତି । ଆତ୍ମରତିରତ ମଣିଷମାନେ ସଙ୍ଗୀ ହୋଇ ପାରନ୍ତି ନାହିଁ । ନିଃସଙ୍ଗ ହୋଇ ରହିବାର ଦୁର୍ଦ୍ଦଶାକୁ ଆଦରି ନିଅନ୍ତି ପଛକେ, ମାତ୍ର ସଙ୍ଗ ହେବାକୁ ଡରନ୍ତି । ବିବସନ ହେବାକୁ ଡରନ୍ତି, କୃଷ୍ଣଙ୍କୁ ଡରନ୍ତି । ଅଲଗା ହୋଇ ରହନ୍ତି–ଆପଣା ଭିତରେ ଏକମାତ୍ର ବୃକ୍ଷ ହୋଇ ଶୋଭା ପାଉଥାନ୍ତି । ସେଇଟି ସହିତ ରମଣରତ ହୋଇ ରହିଥାନ୍ତି । ସେହି ରମଣରୁ ଯେଉଁ ଏକମାତ୍ର ସନ୍ତାନଟି ଜାତ ହୁଏ, ତାହାରି ନାମ ହେଉଛି ନିଃସଙ୍ଗତା ।

 

ତଥାପି, ମୁଁ ଯେ ଆଦୌ ଏକା ନୁହେଁ, ସେହି ସତ୍ୟଟିକୁ ନିଜ ଜୀବନରେ ନିତ୍ୟସତ୍ୟ ରୂପେ ବଂଚି ପାରିବାକୁ ହେଲେ ସବାଆଗ ହାଟ ଭିତରୁ ବାହାରି ଆସିବାକୁ ହୁଏ । କୋଳାହଳ ଭିତରୁ ମଧ୍ୟ ବାହାରି ଆସିବାକୁ ପଡ଼େ । ଆପଣାକୁ ଠାବ କରିବାକୁ ପଡ଼େ, ଆପଣାଲାଗି ବାହାର କରିବାକୁ ହୁଏ । ଯଥେଷ୍ଟ ପରିମାଣରେ ବ୍ୟାକୁଳ ହୋଇ ପାରିଲେ ଯାଇ ଆପଣାର ବାଟଟି ଦିଶିବାକୁ ଆରମ୍ଭ କରେ ଏବଂ ସେହି ବାଟଟି ଉପରେ ହିଁ କୋଉ କାଳରୁ ଅପେକ୍ଷା କରି ରହିଥିବା ବନ୍ଧୁଟି ସହିତ ଭେଟ ହୁଏ । ବନ୍ଧୁଟି ସହିତ ଭେଟ ହେଲେ ମୋତେ ସମସ୍ତେ ଏକା ଛାଡ଼ିଦେଇ ଗଲେ ବୋଲି ଏକ ଆର୍ତ୍ତତାର ଭାଣ ବାହାରି କରି ପାଟି କରିବାକୁ ମୋଟେ ମନ ହୁଏନାହିଁ । ସେହି ବାଟରେ ବଂଶୀସ୍ଵନ ଶୁଣିବାକୁ ମିଳେ ଏବଂ ବଂଶୀସ୍ଵନ ଶୁଣିଲେ ଅଭିଯୋଗ ଅଥବା ଅଭିମାନ କରିବାଲାଗି ଆଦୌ କୌଣସି ଅବକାଶ ରହେନାହିଁ । ସାହିତ୍ୟ ମଧ୍ୟ ସେହିପରି ଗୋଟିଏ ବାଟରେ ପରିଣତ ହୋଇପାରେ, ବନ୍ଧୁ ପାଇବାର ବାଟରେ ପରିଣତ ହୋଇ ପାରିଲେ ଆମର ସାହିତ୍ୟ ଆମକୁ କେତେ ଅର୍ଦ୍ଧସତ୍ୟର ବାଟଗୁଡ଼ାକ ଅତିକ୍ରମ କରାଇ ନେଇ ଯାଇପାରେ, ଆମ ଭିତରୁ କେତେ ଖୁମାଣ ଭାଙ୍ଗିଦିଏ, ଆମକୁ ଅସଲ ଭେଟ, ଅସଲ ପତ୍ୟାବର୍ତ୍ତନ ଅର୍ଥାତ୍ ଅସଲ ଗୃହପ୍ରବେଶ ଲାଗି ପ୍ରସ୍ତୁତ କରାଇ ନେଉଥାଏ । ତା’ ପରେ ଆମର ସାହିତ୍ୟ ଆମ ଲାଗି ଆଉ ମୋଟେ ଏକ ଜୁଗୁପ୍‍ସାର ବସ୍ତୁ ହୋଇ ରହେନାହିଁ; ଆମକୁ ଲୁଚାଇ ରଖିବାର ଆଦୌ ଏକ ଫନ୍ଦି ରୂପେ ବ୍ୟବହୃତ ହୁଏନାହିଁ । ସମଗ୍ର ସଂସାର ଆପଣାର ଘର ପରି ଦିଶେ, ସମଗ୍ର ଜୀବନ ସତେଅବା ଏକ ଭବ୍ୟତର ଭବିଷ୍ୟ ଲାଗି ଫିଟି ଫିଟି ଯିବାରେ ଲାଗିଥାନ୍ତି । ସେତେବେଳେ କପଟ କରିବାକୁ ବଡ଼ ଲାଜ ଲାଗେ, ଫୁଲେଇ ହୋଇ ବାହୁନିବାକୁ ମଧ୍ୟ ଲାଜ ଲାଗେ, ଆମକୁ ଆପଣା ପାଖରେ ତଥା ଜୀବନ ପାଖରେ ଲୁଚାଇ ରଖିବାରେ ବ୍ୟବହୃତ ହୋଇ ଆସିଥିବା ମିଥ୍ ଏବଂ ମିଛଗୁଡ଼ାକ ସତେଅବା ନାକୋଇ ହୋଇ ଆଉ କୁଆଡ଼େ ପଳାନ୍ତି । ମଣିଷ ରାଜି ହେଲେ ଯାଇ ଏସବୁ ହୁଏ; ଏବଂ ଏହିପରି ରାଜି ହୋଇ ସାରିଥିବା ମଣିଷ ଆପଣାକୁ ନିଃସଙ୍ଗ ବୋଲି କହିବାକୁ ସତେଅବା ଏକ ଅଧର୍ମ ବୋଲି ମଣିବାକୁ ଆରମ୍ଭ କରେ ।

 

ନିଜ ଭିତରେ ବାଟମୁଣ୍ଡରେ ଅନ୍ତରଙ୍ଗତାର ସେହି ନିଶ୍ଵାସ ଗଭୀର ମଧ୍ୟରେ ସତେଅବା ଆଦିକାଳରୁ ଅପେକ୍ଷା କରି ରହିଥିବା ବନ୍ଧୁଟିକୁ ଆବିଷ୍କାର କରି ନେଇ ପାରିଲେ ଆମ ଆଖିର ପୁରୁଣା ମଳିଗୁଡ଼ାକ ଏକାବେଳେକେ ଧୋଇ ହୋଇଯାଏ । ତେଣୁ ଗୋଟିଏ କେନ୍ଦ୍ରରେ ପହଞ୍ଚି ପ୍ରକୃତରେ ସବୁ କେନ୍ଦ୍ରଗୁଡ଼ିକର ଦର୍ଶନ ମିଳେ । ସେହି ଭୂମିରେ ଜୀବନ କହିଲେ କେବଳ ସେତୁଗୁଡ଼ିକୁ ହିଁ ବୁଝାଏ । ମୋ’ର ବୋଧ ଅର୍ଥାତ୍ ମୋ’ର ଦିଗବଳୟ ଉପରେ ଉକୁଟି ଉଠିଥିବା ଆଶୟଗୁଡ଼ିକୁ ଏକତ୍ର ବାନ୍ଧି ରଖିଥିବା ଏକ ରଜ୍ଜୁକୁ ବୁଝାଏ । ସୂତ୍ରଟି ମିଳିଯାଏ, ତେଣୁ ମଣିଗୁଡ଼ିକ ଏକତ୍ର ଗୋଟିଏ ମାଳାରେ ଗୁନ୍ଥା ହୋଇ ରହିଥିବା ପରି ପ୍ରତ୍ୟେକ୍ଷ ହୁଅନ୍ତି । ଆପଣାକୁ ଦେଖିବାର ଭୂମିଟି ହିଁ ବଦଳିଯାଏ ଏବଂ ତେଣୁ ‘ମୁଁ’ ର ସେହି ଶାସ୍ତ୍ରରୁ ଶିଖା ପୁରୁଣା ସଂଜ୍ଞାଗୁଡ଼ାକ ମଧ୍ୟ ବଦଳି ଯାଆନ୍ତି । ଆପଣାକୁ ଆବିଷ୍କାର କରି ମଣିଷ ସମସ୍ତଙ୍କୁ ପାଏ, ସବୁକିଛିକୁ ପାଏ । ଆପଣାକୁ ଆବିଷ୍କାର କଲେ ସକଳ ବିଚ୍ଛିନ୍ନତା–ବୋଧ ଆପେ ଆପେ କଟିଯାଏ, ନିଃସଙ୍ଗତା ସମ୍ବନ୍ଧରେ ଆମକୁ ଶିଖା ଯାଇଥିବା ଫର୍ମୁଲାଗୁଡ଼ାକର ଆଣ୍ଟ ସେତିକିବେଳେ ଭାଙ୍ଗେ । ଆପଣାକୁ ଆବିଷ୍କାର କଲେ ନିଜର ପୁରୁଣା ରେଣ୍ଟିଗୁଡ଼ାକୁ ଛାଡ଼ିଦେବା ସକାଶେ ଆଦୌ ନିଜ ସହିତ ଯୁଝିବାକୁ ପଡ଼େ ନାହିଁ, ସେମାନେ ଆପେ ଆପେ ଆମକୁ ଛାଡ଼ି ପଳାନ୍ତି, ଅନାବଶ୍ୟକ ବୋଲି ପ୍ରମାଣିତ ହେବାରୁ ଛାଡ଼ି ପଳାନ୍ତି । ତା’ ପରେ ଜୀବନ ବଞ୍ଚିବାକୁ ଧର୍ମତଃ ଏକ ଅଙ୍ଗୀକାର ବୋଲି କୁହାଯାଏ । ଆପଣା ଭିତରେ ମୁଁ ଯେଉଁ ବନ୍ଧୁକୁ ଭେଟିଲି, ଯେଉଁ ଭନ୍ଧୁକୁ ଭେଟି ମୁଁ ସମସ୍ତଙ୍କୁ ବନ୍ଧୁକରି ପାରିଲି ଓ ଏହି ସବୁକିଛି ସହିତ ମୁଁ ଏକ ସହଜ ଆତ୍ମୀୟତାରେ ଛନ୍ଦା ହୋଇ ରହିଥିବାର ଆବିଷ୍କାର କରିପାରିଲି, ସେହି ବନ୍ଧୁ ପାଖରେ ଅଙ୍ଗୀକାରବଦ୍ଧ ହୋଇ ରହିବାର ଏକ ସ୍ଵନିର୍ବାଚିତ ସ୍ଵଭାବାଚାର ବୋଲି କୁହାଯାଏ । ସେତେବେଳେ ‘ମୁଁ’ ଟାକୁ ଆଉ ବିଚ୍ଛିନ୍ନ ଭାବରେ ଅଲଗା କିଛି ବୋଲି ମୋଟେ ବାରିହୁଏ ନାହିଁ । ତେଣୁ ଏକା ଏକା ଗଡ଼ ଜିତିବାର ସକଳ ଦମ୍ଭ ସେଠାରେ ପରାଭବ ସ୍ଵୀକାର କରନ୍ତି– ନାନା ମହତ୍ତ୍ଵ–ଆକାଂକ୍ଷା ସହିତ ଜ୍ଵରାକ୍ରାନ୍ତ ହୋଇ ରହିଥିବା ବୈଷ୍ୟଧର୍ମଗୁଡ଼ାକ ସେଠାରୁ ବିତାଡ଼ିତ ହୋଇ ଆସନ୍ତି । ସେତେବେଳେ ବଞ୍ଚିବା କହିଲେ କ’ଣ ଗୋଟିଏ ବୃହତ୍ତର ବସ୍ତୁଲାଗି ବଞ୍ଚିବାକୁ ହିଁ ବୁଝାଏ । ଆମେ ଯେଉଁମାନେ ଆଦୌ କାହାଲାଗି ବଞ୍ଚୁ ନଥାଉ, ସଂସାରଯାକ କଳାକନା ବୁଲାଇ ଯାବତୀୟ ଯଶ, ଯାବତୀୟ ମାନ ଓ ଯାବତୀୟ ଧାନକୁ ବୁଜୁଳାଟିଏ କରି ଏକୁଟିଆ ମୁଣ୍ଡାଇ ଓ ତଥାପି ନିଜକୁ ନିଃସଙ୍ଗ ଦୁଃଖୀଟିଏ ବୋଲି ହୁରି ପକାଇ ବାଟଟାକୁ କୋଳାହଳମୟ କରି ରଖିବାକୁ ମନ କରି ଆସିଥାଉ, ଏହିଠାରେ ପହଞ୍ଚି ପାରିଲେ ଯାଇ ଆମର ମୁକ୍ତି ହୁଏ । ଅର୍ଥାତ୍ ଗଣ୍ଠି ଫିଟେ, ହୃଦୟ ଆଡ଼କୁ ବାଟ ଫିଟେ, ସଂଶୟଗୁଡ଼ାକ ଛିଣ୍ଡେ । ଆମର ସାହିତ୍ୟ ଆମ ଲାଗି ଏହିପରି ଏକ ଆତ୍ମୀୟତା ଆଣି ଦେଇପାରିଲେ ଯାଇ ଆମକୁ ଅସଲ ସାର୍ଥକତାର ଭାଜନ କରେ । ଆମକୁ ଅସଲ ଜାଗାରେ ଅଙ୍ଗୀକାରବଦ୍ଧ କରାଇ ସୁସ୍ଥ କରି ରଖେ । ଯାବତୀୟ ମିଛ ମୃଗୟାର ଅବାସାନ ଘଟେ ।

 

ତେଣୁ ଏକା ଏକା ବାଟ ଚାଲିବାକୁ ଦୁଇଟି ସମ୍ଭାବନା ରହିଛି । ଆମର ନିଜର ସମ୍ମତିଟି ଅନୁସାରେ ହିଁ, ଆମେ କେଉଁ ସମ୍ଭାବନାଟିକୁ ଆପଣାର ବୋଲି ଗ୍ରହଣ କରିବା, ଆମ ସମସ୍ତଙ୍କ ଜୀବନରେ ସେହି କଥାଟି ନିରୂପିତ ହେବାରେ ଲାଗିଛି । ଗୋଟିଏ ପାଖରେ ଆମ ଲାଗି ଅଭିପ୍ରେରିତ ହୋଇ ରହିଥିବା ଆତ୍ମୀୟତାବୋଧ ଓ ଅନ୍ୟ ପାଖରେ ଆମ ଅନିଚ୍ଛା ଏବଂ ଅନମନୀୟତା ବୁଢ଼ିଆଣୀମାନେ ଆମ ଚାରିପାଖରେ ବୁଣୀ ରଖିଥିବା ଆମର ତଥାକଥିତ ବିଚ୍ଛିନ୍ନତାବୋଧ, ନିଃସଙ୍ଗତାବୋଧ–ଦୁଇଟି ଭିତରୁ ଆମେ କେଉଁଟାକୁ ବାଛିବା, ତାହା ପ୍ରକୃତରେ ଆମର ସମ୍ମତି ଉପରେ ହିଁ ନିର୍ଭର କରୁଥାଏ; ଆପଣା ଭିତରେ ଆପଣାର ସକଳ ଅଙ୍ଗୀକାରବୋଧ ଏବଂ ବ୍ୟାକୁଳତା ସହିତ ଆମେ କେତେ ଦୂରକୁ ଯିବାକୁ ମନ କଳୁ ବା ନ କଳୁ ତାହା ଆମରି ରାଜି ହେବା ଉପରେ ନିର୍ଭର କରୁଛି । ସଙ୍ଗ କହିଲେ ଆଦୌ ଏକ ଶଗଡ଼କୁ ବୁଝାଏ ନାହିଁ ଯେ ତାହା ଆଉ କୁଆଡ଼ୁ ଆମ ପାଖକୁ ଗଡ଼ ଗଡ଼ ହୋଇ ଚାଲିଆସିବ ଏବଂ ତାହା ଆସି ପହଞ୍ଚିଯିବା ମାତ୍ରକେ ଆମେ ସିଧା ଯାଇ ତାହାରି ଉପରେ ବସିଯିବା ଏବଂ ଏକା ଆନନ୍ଦ–ମୃଗୟାରେ ବାହାରିଯିବା । ସଙ୍ଗକୁ ଲାଭ କରାଯାଏ ନାହିଁ; ନିଜ ଆଡ଼କୁ ସଙ୍ଗୀଟିଏ ହେବାକୁ ହୁଏ, ସଙ୍ଗୀଟିଏ ହୋଇ ପାରିଲେ ସଙ୍ଗଲାଭର ଅନୁଭୂତି ବି ମିଳିଯାଏ । ସଙ୍ଗୀଟିଏ ହେବାଲାଗି ଉତ୍ସର୍ଗୀକୃତ ଏକ ଜୀବନ, ତାହାହିଁ ଅଙ୍ଗୀକାରବଦ୍ଧ ଜୀବନ । ଆଧୁନିକ ମଣିଷ କ୍ରମେ ଭାରି ସଙ୍ଗୀହୀନ ହୋଇ ପଡ଼ିଲାଣି ବୋଲି ଆମ ଘର ଭିତରେ ଓ ଆମ ମାମୁଁଘର ଗାଆଁରେ କବିମାନେ କୋଉକାଳୁ କେଡ଼େ ପାଟିରେ କହିବାକୁ ଆରମ୍ଭ କଲେଣି । ମଣିଷର ଭିତରେ ଓ ତା’ ବାହାରେ ଦୃଶ୍ୟ ଓ ଅଦୃଶ୍ୟ ଯେଉଁ ପ୍ରବଳ Establishment ମାନେ ମଣିଷକୁ ଭୋଗ କରିବାର ଚକ୍ରାନ୍ତ କରୁଛନ୍ତି, ଆମର ଯେଉଁ କବିମାନେ ସେହି ଚକ୍ରାନ୍ତକୁ ମାନି ନେଉଛନ୍ତି ଓ ସେହି ଚକ୍ରାନ୍ତରୁ ହୁଏତ ଲାଭବାନ୍ ହେଉଛନ୍ତି, ମୁଖ୍ୟତଃ ସେହିମାନେ ହିଁ ନିଃସଙ୍ଗତାର ପୂରାଣଗାନ କରୁଛନ୍ତି, ଆମ ସମସ୍ତଙ୍କୁ ଏରୁଣ୍ଡିବନ୍ଧ ପାଖରେ ଚିରକାଳ ଅଟକାଇ ରଖିବାର ଫନ୍ଦିମାନ କରୁଛନ୍ତି । ଆମେ ସେହି ଫନ୍ଦିଗୁଡ଼ାକୁ କାଟି ଚାଲିଯିବା; ଆହୁରି ଆଗକୁ ଯିବା, ଆହୁରି ଗଭୀରକୁ ଯିବା, ତେବେ ଯାଇ ଏ ଯୁଗକୁ ଅଟକାଇ ରଖିଥିବା ଦୁର୍ଗଗୁଡ଼ାକ ଭିତରୁ ପାର ହୋଇଯିବା । ଜୀବନ ପାଖରେ ଅଙ୍ଗୀକାରବଦ୍ଧ ହୋଇ ରହିଥିବା ସାହିତ୍ୟ ମଧ୍ୟ ସେକଥା କରିପାରିବ । ଏକାରୁ ଆରମ୍ଭ କରୁଥିଲେ ମଧ୍ୟ ଅଙ୍ଗୀକାରର ସେହି ସମ୍ମିଳନ–ଭୂମିରେ ଆମର ସମସ୍ତଙ୍କ ସହିତ ଭେଟ ହେବ । ନିଜ ସହିତ ମଧ୍ୟ ଅସଲ ଭେଟ ଏବଂ ଅସଲ ମୁହାଁମୁହିଁ ଠିକ୍ ସେତିକିବେଳେ ହେବ ।

 

—‘ଏକା ଏକା’, ୫, ୧୯୮୪

Image

 

ବ୍ୟକ୍ତି ଓ ସମାଜର ପରିବର୍ତ୍ତନ

 

ଥୋକେ ମଣିଷ ଥାଆନ୍ତି, ଯେଉଁମାନେ କି ଆଦୌ କୌଣସି ପ୍ରଶ୍ନ ପଚାରନ୍ତି ନାହିଁ । ଆପଣାର ଜୀବନକୁ ଜୀବନ ଭଳି ବଞ୍ଚି ପାରିବାର ଉପାୟ ହେଉଛି ଆପଣାକୁ ଅସଲ ପ୍ରଶ୍ନଗୁଡ଼ିକ ପଚାରିପାରିବା ଓ ଅପାଣାକୁ ସନ୍ଦର୍ଭରୂପେ ରଖି ସେହି ପ୍ରଶ୍ନଗୁଡ଼ିକର ଏକ ଉତ୍ତର ପାଇବା । ମଣିଷର ଜୀବନରେ ଯେଉଁ ପ୍ରଶ୍ନଗୁଡ଼ିକୁ ସବୁ କାଳରେ ଯଥାର୍ଥରେ ମୌଳିକ ପ୍ରଶ୍ନ ବୋଲି କୁହାଯାଇ ଆସିଛି, ସବୁ ମଣିଷଙ୍କ ପାଇଁ ତାହାର ଆଦୌ କୌଣସି ସର୍ବସାମାନ୍ୟ ଉତ୍ତର ନାହିଁ, ପୁନଶ୍ଚ କୌଣସି ସର୍ବଶେଷ ବା ଚୂଡ଼ାନ୍ତ ଉତ୍ତର ମଧ୍ୟ ନାହିଁ । ଆମେ ପ୍ରତ୍ୟେକ ଯେତେବେଳେ ଜୀବନଚେତନାର ଯେଉଁ ସୋପାନରେ ରହିଥାଉ, ଆମର ପ୍ରଶ୍ନଗୁଡ଼ିକ ମଧ୍ୟ ସାଧାରଣତଃ ସେହି ସ୍ତରର ହୋଇଥାଏ, ଆମ ଉତ୍ତରଗୁଡ଼ିକ ମଧ୍ୟ ଆମକୁ ସେହି ସ୍ତରରେ ହିଁ ମିଳିଥାଏ । ଅଧିକାଂଶ ମଣିଷ ପ୍ରଧାନତଃ ଅନୁପ୍ରସ୍ଥ ଭାବରେ ହିଁ ଜୀବନ ବଞ୍ଚନ୍ତି । ସେମାନେ ଜୀବନର ଅନୁଲମ୍ବ ଶୈଳୀଟିକୁ ମୋଟେ ସାହସ କରନ୍ତି ନାହିଁ । ସେମାନଙ୍କର ଜୀବନ–ଦର୍ଶନ ଧର୍ମତଃ କେବଳ ସେହି ଅନୁପ୍ରସ୍ଥ ସ୍ତରରେ ହିଁ ବିଚରଣ କରିବାକୁ ବାଧ୍ୟ ହୁଏ । ତେଣୁ ସେମାନଙ୍କର ଜୀବନଜିଜ୍ଞାସାରେ ପ୍ରାୟ କୌଣସି ସଂପ୍ରସାରଣ ଘଟି ପାରେନାହିଁ । ସତତ ସଂପ୍ରସାରଣ ଲାଗି ଆଦୌ କୌଣସି ବାସନା ଏବଂ ବ୍ୟାକୁଳତା ନ ରହିଲେ ଜୀବନରେ ଯେ ଯଥାର୍ଥ ଜିଜ୍ଞାସାଗୁଡ଼ିକୁ ମଧ୍ୟ ଆଦୌ ସମ୍ଭବ ହୁଏନାହିଁ, ସେହି ମଣିଷମାନେ ସେକଥା ମୋଟେ ବୁଝିପାରନ୍ତି ନାହିଁ ।

 

ସୋପାନ ଉଠିବାକୁ ହିଁ ପ୍ରଶ୍ନ ପଚାରିବାକୁ ପଡ଼େ । ପ୍ରଶ୍ନ ପଚାରିବାକୁ ମନ କଲା ମାତ୍ରକେ ଜୀବନର ଦୁଇଟି ପ୍ରସ୍ଥ ଅନୁଭୂତ ହେବାକୁ ଆରମ୍ଭ କରନ୍ତି । ଗୋଟିଏ ହେଉଛି ଗଭୀରତାର ପ୍ରସ୍ଥ, ଆରଟି ଉଚ୍ଚତାର ପ୍ରସ୍ଥ । ସାଧନାର ଶାସ୍ତ୍ରରେ ମନୀଷୀମାନେ ଅବଶ୍ୟ ଗଭୀରତା ତଥା ଉଚ୍ଚତା, ଏହି ଦୁଇଟିଯାକ ପ୍ରସ୍ଥକୁ ପ୍ରକୃତରେ ଗୋଟିଏ ପ୍ରସ୍ଥ ବୋଲି କହିଛନ୍ତି । ଯିଏ ଅପାଣାର ଗଭୀରକୁ ଯେତିକି ଅଧିକ ଗଭୀର ପର୍ଯ୍ୟନ୍ତ ଯାଏ, ସିଏ ଉର୍ଦ୍ଧ୍ଵାୟନ ହୋଇ ସେତିକି ଅଧିକ ଆକାଶକୁ ମଧ୍ୟ ସ୍ପର୍ଶ କରିବାଲାଗି ସମର୍ଥ ହୋଇଥାଏ । ଭିତରର ଯଥାର୍ଥ ପରିଚୟ ବାହାରକୁ ବାଟ କାଢ଼ିନିଏ; ଏବଂ ବାହାରର ପରିଚୟଗୁଡ଼ିକ ଯଥାର୍ଥରେ ବ୍ୟାପକ ହୋଇ ଯାଉଥିବା ସଂଗେ ସଂଗେ ଆମ ଭିତରେ ତାହା ନୂଆ ଅନୁରାଗ ରୂପେ ସଞ୍ଚିତ ଏବଂ ସଂଜୀବିତ ହେବାର ଲାଗିଥାଏ । ଅନୁରାଗ ହିଁ ସଂପ୍ରସାରିତ ହେବାଲାଗି ଭିତରୁ ବଳ ଦେଇଯାଉଥାଏ । ପ୍ରତ୍ୟେକ ମନୁଷ୍ୟ–ବ୍ୟକ୍ତି ଭିତରେ ଏକ କେନ୍ଦ୍ର ରହିଥାଏ, ଯିଏକି ବାହାରକୁ ମନ କରେ । ଯଥାର୍ଥରେ ବାହାରକୁ ମନ କରିବାର ଅର୍ଥ ହେଉଛି ଏକାତ୍ମକ ହେବା, ସୂତ୍ର ଲଗାଇବା । ପୃଥିବୀର ଅଧିକାଂଶ ମଣିଷ ଏକାତ୍ମକ ହୋଇପରାନ୍ତି ନାହିଁ । ସେମାନେ ଗ୍ରାସ କରିବାକୁ ହିଁ ଅଧିକାରତ୍ଵ ଅର୍ଜନ କରିବାର ଏକମାତ୍ର ଉପାୟ ବୋଲି ଜାଣି ଥାଆନ୍ତି । ଗ୍ରାସ କରିବାକୁ ହିଁ ଅଧିକାର କରିବା ବୋଲି ବୁଝୁଥିବା ମଣିଷ ଆପଣାର କେନ୍ଦ୍ରଟିକୁ ହରାଇ ବସିଥାଏ,—ତେଣୁ ଅହଂକୁ ଲୋଡ଼େ । ସେହି ଅହଂଟାକୁ ସିଏ ଅଧିକରୁ ଅଧିକ ନମନୀୟ ଓ ଦୁର୍ଦ୍ଧର୍ଷ କରିବାରେ ଲାଗିଥାଏ । ସଂସାରଭୀରୁ ହୁଏ, ସଙ୍ଗଭୀରୁ ହୁଏ-। ସିଏ ସଂସାରଟାକୁ ଏକାକୀ ଜୁର କରିବ ବୋଲି ବାହାରିଥାଏ । ଭିତରର ଶୂନ୍ୟଟାକୁ, ଅନୁରାଗୀ ହୋଇ ନ ପାରିବାର ଦୈନ୍ୟଟାକୁ ଭୁଲି ରହିବା ଲାଗି ବାହାରେ ପ୍ରକୁପିତ ହୋଇ ରହିଥାଏ-। ପ୍ରକୁପିତ ହୋଇ ରହିବାକୁ ହିଁ ସିଏ ପରାକ୍ରମୀ ହେବା ବୋଲି ବୁଝେ । ଅହଂକାମନା ଏକ ବ୍ୟାଧିତ ପରାକ୍ରମ–କାମନାରେ ପର୍ଯ୍ୟବେସିତ ହୋଇ ରହେ ।

 

ପ୍ରଶ୍ନ ନ ପଚାରି ପାରୁଥିବା ମଣିଷ ପରିବର୍ତ୍ତନ ଚାହେ ନାହିଁ । ସମ୍ଭବତଃ, ପରିବର୍ତ୍ତନ ଚାହିଁଲେ ପ୍ରଶ୍ନ ପଚାରିବାକୁ ପଡ଼ିବ ବୋଲି ସେ କୌଣସି ପରିବର୍ତ୍ତନ ଚାହୁ ନ ଥାଏ । ସିଏ ଆପଣାକୁ ଖାପ ଖୁଆଇ ନେବାକୁ ହିଁ ବାସ୍ତବ ଧର୍ମବୋଲି ଗ୍ରହଣ କରି ନେଇଥାଏ । ଯାହା ଯେଉଁଭଳି ରହିଛି, ତାହା ସବୁଦିନ ଲାଗି ସେହିପରି ହିଁ ରହିବ, —ତଥାପି ସେହି ସମଗ୍ର ଅପରିବର୍ତ୍ତନୀୟତା ମଧ୍ୟରେ ସେ ଆପଣା ଲାଗି ଗୋଟିଏ କୋଣ ଅବଶ୍ୟ ବାଛିନେଇ ପାରିବ, ଯେଉଁଠାରେ କି ସେ ସ୍ଵଚ୍ଛନ୍ଦ ଓ ନିରାପଦ ହୋଇ ରହିପାରିବ, ନିଜର ମନ ମୁତାବକ ବାଡ଼ଟିଏ ତିଆରି କରି ତାହାରି ସୁଖରେ ରହିପାରିବ । ଏହି ବୁଦ୍ଧିକୁ ସଂସାର–ବୁଦ୍ଧି ବୋଲି କୁହାଯାଏ । ଏଥିଲାଗି ଚତୁରତା ଲୋଡ଼ାହୁଏ; ଏବଂ ଏହିପରି ସୁଖକାମୀ ମଣିଷମାନେ ସଂସାରରେ ବିଦ୍ୟା, ଯୋଗ୍ୟତା, ଗୁଣ ଓ କୌଶଳ ବୋଲି ଯାହା କିଛି ଅର୍ଜନ କରନ୍ତି ସେମାନେ ସେଗୁଡ଼ିକୁ ଅଧିକରୁ ଅଧିକ ଚତୁର ଅର୍ଥାତ୍ ସଂସାର–ବୁଦ୍ଧି–ସଂପନ୍ନ ହେବାରେ ହିଁ କାମରେ ଲଗାଇ ଥାଆନ୍ତି । ଏହିପରି ଏକ ପରିମାପକ ଯେଉଁ ସମାଜରେ ମୂଲ୍ୟଗୁଡ଼ାକର ପ୍ରଧାନ ମାପକ ହୋଇ ରହିଥାଏ, ସେହି ସମାଜରେ ସଂସାରରେ ସତକୁ ସତ ଚତୁର ଓ ସଫଳ ହୋଇ ପଡ଼ୁଥିବା ମଣିଷମାନେ ହିଁ ଆପଣାର ବିଦ୍ୟା ତଥା ଯାବତୀୟ କୁଶଳତାକୁ ଯଥାର୍ଥ କାମରେ ଲଗାଇ ପାରିଛନ୍ତି ବୋଲି ବିଚାର କରାଯାଇଥାଏ । ଏହିଭଳି ମଣିଷମାନେ ଭାରି ଅଳପ ଭିତରେ ରହିଥାନ୍ତି । ବହୁତକୁ ମୋଟେ ମନ କରନ୍ତି ନାହିଁ । ସାନ ଓ ଜ୍ଞାତ ଜାଳାଶୟଟି ମଧ୍ୟରେ ଅଧିକରୁ ଅଧିକ ଦର୍ପର ସହିତ ସନ୍ତରଣ କରିପାରିବାକୁ ହିଁ ଜୀବନର ଯାବତୀୟ ପୌରୁଷ ଓ ସାହସ ବୋଲି ଧରି ନେଇଥାନ୍ତି । ଏମାନଙ୍କର ଯାବତୀୟ ଅନୁରାଗ, ଯାବତୀୟ ସାଧୁତା ଏବଂ ଯାବତୀୟ ପାରସ୍ପରିକତାର ସୀମା ଖୁବ୍ ବେଶୀ ହେଲେ ଆପଣାର ପରିବାର ପର୍ଯ୍ୟନ୍ତ ଯାଇଥାଏ ଓ ସେହିଠାରେ ହିଁ କେଡ଼େ ଆତ୍ମସନ୍ତୋଷର ସହିତ ଅଟକି ରହିଯାଇଥାଏ । ଏହିଭଳି ବ୍ୟକ୍ତିମାନଙ୍କର ଜୀବନରେ ସଂସାର ସତେଅବା ଏକ ବିବର ଅଥବା ଏକ କୋଟରରେ ପରିଣତ ହୋଇ ରହିଥାଏ । ସଂସାରରୂପୀ ଅରଣ୍ୟରେ ଏମାନେ ଗୋଟିଏ ଗୋଟିଏ ସତର୍କ ଏବଂ ଶାନ୍ତ ଶାର୍ଦ୍ଦୂଳବତ୍ ବିଚରଣ କରୁଥାନ୍ତି ।

 

ଏହି ମଣିଷମାନେ ଆପଣାର ସୁଖ ଇଚ୍ଛା କରନ୍ତି, ଆପଣାର ମୁକ୍ତି ଲୋଡ଼ୁଥାନ୍ତି । ସେମାନେ ଏକାଧାରାରେ ବର୍ବର ଓ ଅଧ୍ୟବସାୟୀ ହୋଇ ରହିଥାନ୍ତି, ଏହି ସଂସାରକୁ ଶତ୍ରୁ ଦୁର୍ଗ ବୋଲି ମଣନ୍ତି ଏବଂ ଜୀବନ ବଞ୍ଚିବାକୁ ଜୀବନ–ରୁଣ ବୋଲି ବର୍ଣ୍ଣନା କରନ୍ତି । ବୈଜ୍ଞାନିକ ପରିଭାଷାରେ ତାହାକୁ ଜୀବନ–ସଂଗ୍ରାମ ବୋଲି କୁହା ଯାଇଥାଏ । ଏହି ସଂଗ୍ରାମରେ କୁଆଡ଼େ କେବଳ ଯୋଗ୍ୟତମ ହିଁ ଜୟଲାଭ କରେ । ଯିଏ ଯୋଗ୍ୟତମ ରୂପେ ସାବ୍ୟସ୍ତ ହୁଏ, ପ୍ରକୃତି ବା ବିଧାତା କୁଆଡ଼େ ତାହାକୁ ହିଁ ଜୟମାଳା ପିନ୍ଧାଇ ସ୍ଵୀକାର କରି ନେବା ବୋଲି ଅପେକ୍ଷା କରି ରହିଥାଏ । ଇତିହାସରେ ଅଧିକାଂଶ ଧର୍ମ କେତେ ଭାବପ୍ରବଣତା ସହିତ ଆତ୍ମମୁକ୍ତିର ପ୍ରଚାର କରିଛନ୍ତି । ସେମାନେ ଆତ୍ମମୁକ୍ତିକାମୀ ପୂଣ୍ୟବାନର ପ୍ରଶସ୍ତି ଗାନ କରିଛନ୍ତି । ମଣିଷ ଏହି ସଂସାରକୁ ଏକୁଟିଆ ଆସିଛି, ଏଠାରୁ ସେ ଏକୁଟିଆ ବିଦାୟ ନେଇ ଯିବ; ଏଠାରେ ଥିବାତକ ସେ ଯେତିକି ପୂଣ୍ୟ ଅର୍ଜନ କରିଥିବ, ମୃତ୍ୟୁ ଅନ୍ତେ କେବଳ ସେତିକି ପୁରସ୍କାରର ଭାଜନ ହେବ । ଏଠାରେ ପାପ କରିଥିଲେ ସେଠି ଶାସ୍ତି ପାଇବ । ଏହି ଏକୁଟିଆ ମୁକ୍ତିର ଭୁରି ଭୁରି ବର୍ଣ୍ଣନା କରି କେଡ଼େ ଆଡ଼ମ୍ବରରେ ଆମ ପୃଥିବୀର ଧର୍ମ–କାବ୍ୟ ଏବଂ ଧର୍ମ ଉପନ୍ୟାସମାନ ଲେଖା ଯାଇଛି । ଯେଉଁସବୁ ସାଂସ୍କୃତିକ ପରମ୍ପରାରେ ଏକୁଟିଆ ପୁଣ୍ୟାର୍ଜନ ଓ ଏକୁଟିଆ ମୁକ୍ତିଲାଭର କଥା କୁହାଯାଇଛି, ସେହି ପରମ୍ପରାଗୁଡ଼ିକରେ ହିଁ ମଣିଷମାନେ ସଂସାର ଭିତରେ ଅଧିକରୁ ଅଧିକ ସ୍ଵୀକୃତି ସହିତ ବର୍ବର ଆତ୍ମସୁଖକାମୀ ହୋଇ ରହିବାର ପ୍ରଶୟ ପାଆନ୍ତି । ସେହିସବୁ ସମାଜରେ ସୁଖର ଯାବତୀୟ କାମନା ବ୍ୟକ୍ତିମୁକ୍ତି ଅର୍ଥାତ୍ ବ୍ୟକ୍ତିସୁଖର କାମନା ଏବଂ ଆତୁରତା ଭିତରେ ବାନ୍ଧି ହୋଇ ରହିଥାଏ । ସେହିସବୁ ସମାଜରେ ସ୍ଵୀକୃତିପ୍ରାପ୍ତ ଯାବତୀୟ ଧର୍ମ ବ୍ୟକ୍ତିକୁ ଅଧିକରୁ ଅଧିକ ବର୍ବର ହେବାରେ ସାହାଯ୍ୟ କରିଥାଏ ।

 

ବର୍ବରତା ଅନେକ ସମୟରେ ଏକ ବିଶେଷ ଶାଳୀନତାର ପରିଚ୍ଛେଦ ପରିଧାନ କରି ଉଦାସ ହୋଇ ରହିବାର ଅପପ୍ରେରଣା ଆଣି ଯୋଗାଇଦିଏ । ପୃଥିବୀର ନାନା ସମାଜରେ ଏହିପରି ଭାବରେ ଯୁଗେ ଯୁଗେ ଏକ ଉଦାସୀ ସମ୍ଭ୍ରାନ୍ତବର୍ଗ ରହି ଆସିଛନ୍ତି । ପଦ୍ମପତ୍ର ଉପରେ ଯେପରି ଜଳବିନ୍ଦୁ ସର୍ବଦା ଅଲିପ୍ତ ହୋଇ ରହିଥାଏ, ସେହିପରି ଆଲିପ୍ତ ହୋଇ ରହିବାକୁ ହିଁ ସେମାନେ ସମ୍ଭ୍ରାନ୍ତତା ବୋଲି ବୁଝିଛନ୍ତି । ଉଦାସୀମାନୈ ସଜ୍ଜନ, ଭଲ ମଣିଷ । ସେମାନେ ଅସନା ଭିତରୁ ଦୂରରେ ରହିଥାନ୍ତି, ଉତ୍–ଆସୀନ ହୋଇ ରହିଥାନ୍ତି । ସ୍ଥୂଳ ଭିତରକୁ ଆସନ୍ତି ନାହିଁ ଏବଂ ଆନମନା ହୋଇ ରହି ପାରିବା ଲାଗି ହିଁ ସେମାବେ କେତେ ତଥାକଥିତ ସୂକ୍ଷ୍ମ ଅନୁଧାବନକୁ ହିଁ ଅବଲମ୍ବନ କରି ଧରିଥାନ୍ତି । ସାହିତ୍ୟ କରନ୍ତି, ସଙ୍ଗୀତ ଏବଂ କଳା ଭିତରେ ମଜି ରହିଥାନ୍ତି । ସେମାନେ ଏହିପରି ରହି ଆନନ୍ଦ ପାଆନ୍ତି । ଆନନ୍ଦର ଭାଷଣ କରନ୍ତି । ଭାରତବର୍ଷ ତଥା ଆମ ପୃଥିବୀର ଆଉ କେତେକ ଧାରାରେ ସନ୍ନ୍ୟାସୀର ଯେଉଁ ପରମ୍ପରାଟି ରହିଥିଲା, ତାହା ଏହିପରି ଏକ ଉଦାସୀ ସମ୍ଭ୍ରାନ୍ତବର୍ଗର ସୃଷ୍ଟି କରିବାରେ ସମ୍ଭବତଃ ଭାରି ସାହାଯ୍ୟ କରିଛି । ସନ୍ନ୍ୟାସୀ ସମ୍ମାନ ପାଏ, ମାତ୍ର ସଂସାର ଭିତରେ ନ ଥାଏ । ଅଧମ ସଂସାରୀମାନେ ଅନିତ୍ୟ ଭିତରେ ବାଉଳା ହୋଇ ରହିଛନ୍ତି ବୋଲି ସେମାନଙ୍କୁ ଏକ ଅସ୍ଵୀକାରାତ୍ମକ ଦୟାର ଭାବ ଦେଖାଇବାରେ ଲାଗିଥାଏ । ସିଏ ଆଦୌ କୌଣସି ଫାଶ ଭିତରେ ନଥାଏ । ଅଥବା, ହୁଏତ ଆପଣାର କୌଣସି ଅନ୍ୟ ବିମୁକ୍ତିର ଫାଶ ଭିତରେ ବୁଢ଼ୀଆଣିଟି ପରି ଜଳଜଳ ହୋଇ ବସି ଏକାଧାରରେ ଅବଜ୍ଞା ଏବଂ ଅନୁକମ୍ପା ସହିତ ସଂସାର ଆଡ଼କୁ ଅବଲୋକନ କରିବାରେ ଲାଗିଥାଏ । ସଂସାରକୁ ମୋହମୁଦ୍‍ଗରର ଭରସା ଦେଉଥାଏ ।

 

ଏହି ସଂସାରରେ ଆଦୌ କୌଣସି ପରିବର୍ତ୍ତନ ହୋଇ ପାରିବ ନାହିଁ ବୋଲି ଯେଉଁମାନେ ସମ୍ଭ୍ରାନ୍ତ ଭାବରେ ଏହି ସଂସାରର ବାହାରେ ଯାଇ ରହିଥାନ୍ତି, ସେମାନେ ଉଦାସୀ ବନନ୍ତି, ସନ୍ନ୍ୟାସୀ ବନନ୍ତି । ଅନ୍ୟ ପକ୍ଷରେ ଯେଉଁମାନେ ପରିବର୍ତ୍ତନର ଆଦୌ କୌଣସି ସମ୍ଭାବନା ନାହିଁ ବୋଲି ବାଧ୍ୟ ହୋଇ ସଂସାରର ସୂତାଗୁଡ଼ାକ ଭିତରେ ଅତ୍ୟନ୍ତ ବିକଳ ଭାବରେ ଗୁରାଇ ତୁରାଇ ହୋଇ ରହିଥାନ୍ତି, ସେମାନେ କର୍ମବାଦୀ ହୁଅନ୍ତି । କର୍ମବାଦୀ କର୍ମକୁ ଆଦରି ନେଇଥାଏ । ଯେଉଁ କର୍ମ ପାହାଚ ପରେ ପାହାଚ ଉତ୍ତୋଳିତ କରିନିଏ, ଯାହା ଯୁକ୍ତ କରିଆଣେ, କର୍ମବାଦୀ ସେହି କର୍ମରୁ ଆପଣାକୁ ନିର୍ବାସିତ କରି ରଖିଥାଏ । କର୍ମବାଦୀ କର୍ମକୁ ତିଆରି କରେ, ଗିରି ଲଙ୍ଘିବାକୁ କୁଣ୍ଠିତ ହୁଏ । ସତେଅବା ଏକ ମୂଳଭୂତ ଅନିଚ୍ଛା ଏବଂ ମୂଳଭୂତ ଅବିଶ୍ୱାସକୁ ସେ ଆପଣାର ଅସଲ ଗଣ୍ଠି କରି ଧରି ପଡ଼ି ରହିଥାଏ । ଯେଉଁମାନଙ୍କର ଭାଗ୍ୟ ଆପଣା ହାତରେ ନ ଥାଏ, ସେହିମାନେ ହିଁ ଭାଗ୍ୟବାଦୀ ହୁଅନ୍ତି । କର୍ମବାଦୀମାନେ ହିଁ ଭାଗ୍ୟବାଦୀ ହୁଅନ୍ତି । ତା’ପରେ ନିର୍ମମ ହୋଇ ସହିବା ବ୍ୟତୀତ ଆଉ କୌଣସି ଗତି ରହେ ନାହିଁ ।

 

ଶ୍ରୀ ଅରବିନ୍ଦ କର୍ମବାଦର ଖଣ୍ଡନ କରିବାକୁ ଯାଇ ମଣିଷର ଜୀବନରେ କାର୍ଯ୍ୟ କରୁଥିବା ଦୁଇ ପ୍ରକାରର କର୍ମର କଥା କହିଛନ୍ତି । ସିଏ କହିଛନ୍ତି ସେ ପ୍ରତ୍ୟେକ ମନୁଷ୍ୟ ଭିତରେ ଏହି ଦୁଇ ପ୍ରକାରର କର୍ମ ବା ବିଧାନ କାର୍ଯ୍ୟ କରୁଥାଏ । ଗୋଟିଏ ତା’ ନିମ୍ନତର ଆତ୍ମସତ୍ତାର କ୍ଷେତ୍ରରେ ଓ ଆଉ ଗୋଟିଏ ତାହାର ଉଚ୍ଚତର ଆତ୍ମସତ୍ତାର କ୍ଷେତ୍ରରେ କାର୍ଯ୍ୟ କରୁଥାଏ । ପ୍ରଥମଟି ମଣିଷକୁ ତା’ର ଅତୀତ ସହିତ ବାନ୍ଧି ରଖିଥାଏ, ତା’ର ଦୁଇ ଗୋଡ଼କୁ ବାନ୍ଧି ରଖିଥାଏ, ମୋଟେ ଆଗକୁ ଯିବାକୁ ଦିଏ ନାହିଁ । ଭାରତବର୍ଷରେ ତଥାକଥିତ ସଂହିତାକାରମାନେ ଅଧିକାଂଶତଃ ଏହି ପ୍ରଥମ ପ୍ରକାରର କର୍ମଟି କଥା କହିଛନ୍ତି । ମନୁଷ୍ୟ ଭିତରେ ଏକ ଉଚ୍ଚତର ଆତ୍ମସତ୍ତା ଅର୍ଥାତ୍ ଏକ ଉଚ୍ଚତର ସମ୍ଭାବନା ଓ ଉଚ୍ଚତର ବ୍ୟାକୁଳତା ରହିଛି ବୋଲି ଅନ୍ତତଃ ସମାଜବିଧାନର କ୍ଷେତ୍ରରେ ସେମାନେ ସ୍ଵୀକାର କରି ନାହାନ୍ତି । ଆମ ଭିତରେ ତଥାପି ଏକ ଉଚ୍ଚତର ଆତ୍ମସତ୍ତା ରହିଛି, ସେହି ଆତ୍ମସତ୍ତାର ଏକ ଅନ୍ୟ କର୍ମ ବା ବିଧାନ ଅବଶ୍ୟ ରହିଛି । ଶ୍ରୀଅରବିନ୍ଦଙ୍କ କହିବା ଅନୁସାରେ ସେହି ବିଧାନ ଅତୀତ, ପାଖରେ ଆଦୌ ମୁହଁମାଡ଼ି ପଡ଼ି ନ ଥାଏ । ସେହି ବିଧାନ ବା କର୍ମ ଆମ ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତର ନିୟନ୍ତ୍ରଣକାରୀ ରୂପେ ପ୍ରତିଷ୍ଠିତ ହୋଇ ରହିଥାଏ । ଅତୀତକୁ କାମରେ ଲଗାଏ, ବର୍ତ୍ତମାନର ଭୂମି ଏବଂ ପୁଞ୍ଜି ଉପରେ ତାହା ଅତୀତକୁ କାମରେ ଲଗାଏ ଏବଂ ଭବିଷ୍ୟତକୁ ଏକ ନିର୍ଦ୍ଦିଷ୍ଟ ମୂର୍ତ୍ତିରୂପେ ଦେଇ ଚାଲିଯାଏ । ଆଧୁନିକ ମନୋବିଜ୍ଞାନ ମଧ୍ୟ ମଣିଷକୁ ଏହିପରି ଭାବରେ ତା’ ନିଜ ଭାଗ୍ୟର ନିର୍ମାଣକର୍ତ୍ତା ବୋଲି ସ୍ଵୀକାର କରିବାକୁ ଆରମ୍ଭ କଲାଣି । ଏହି ମଣିଷ ଗଢ଼େ, ଏହି ମଣିଷ ଭାଙ୍ଗେ; ନୂଆ କରି ଗଢ଼ିବ ବୋଲି ସିଏ ପୁରାତନକୁ ଭାଙ୍ଗେ, ପୂର୍ଣ୍ଣରୁ ପୂର୍ଣ୍ଣତର ହୁଏ । ଏହିପରି ଭାବରେ ଯୁଗର ଅଗ୍ରଗତି ହୁଏ । ଭାଗ୍ୟବାଦୀ ଉପରେ ମନୁଷ୍ୟ ଭାଗ୍ୟ–ବିଷୟ ଘୋଷଣା କରେ । ମନୁଷ୍ୟର ଆକାଂକ୍ଷାକୁ ଏକ ବିବର୍ତ୍ତନାତ୍ମକ ପ୍ରକ୍ରିୟା ବୋଲି ସ୍ଵୀକାର କରି ପାରିଲେ ପରିବର୍ତ୍ତନ ଉପରେ ଅବଶ୍ୟ ବିଶ୍ଵାସ୍ଥାପନ କରିବାକୁ ହୋଇଥାଏ ।

 

ମନୁଷ୍ୟର ସାମୂହିକ ଇତିହାସ ହେଉଛି ଏହି କ୍ରମ-ପରିବର୍ତ୍ତନର ଇତିହାସ । ଏହି ଇତିହାସ ପରିବର୍ତ୍ତନ କଦାପି ଶୂନ୍ୟରୁ ହୋଇନାହିଁ, ବାହାରୁ କାହାରି ଆଦେଶ ମାନି ହୋଇନାହିଁ । ଏହା ମଣିଷଦ୍ଵାରା ହୋଇଛି, ମଣିଷମାନଙ୍କ ଦ୍ଵାରା ହୋଇଛି । ଏକ ନିର୍ଦ୍ଦିଷ୍ଟ ନେତୃତ୍ଵଦ୍ଵାରା ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ହୋଇଛି । ବିଚାର ନେତୃତ୍ଵ ଦେଇଛି, ଏକ ଅନ୍ତର୍ଗତ ଅସହିଷ୍ଣୁତା ବିଚାରକୁ ଏକ କାଳୋଚିତ ତାତ୍ପର୍ଯ୍ୟ ଦ୍ଵାରା ବଳିଷ୍ଠ କରିଛି । ବ୍ୟକ୍ତି ଅଥବା ଏକାଧିକ ବ୍ୟକ୍ତି ସେହି ବିଚାରର ବାହକ ହୋଇଛନ୍ତି, ତାହାକୁ ଏକ ନିର୍ଦ୍ଦିଷ୍ଟ ଦିଗ ଯୋଗାଇ ଦେଇଛନ୍ତି । ସେହି ବିଚାର ଅଥବା ନେତୃତ୍ଵ ଆପଣାର ଅବଲୋକନଗୁଡ଼ିକୁ ଯେତିକି ଅଧିକ ଅଥବା ଅଳପ ସୀମା ଭିତରେ ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ଭିତରେ ବାଛି ରଖିବାକୁ ଇଚ୍ଛା କରିଛି, ପରିବର୍ତ୍ତନର ପରିସର ମଧ୍ୟ ସେତିକି ଭୂମିକୁ ସ୍ପର୍ଶ କରି ପାରିଛି । ଏହି କ୍ଷେତ୍ରରେ ଫରାସୀ ବିପ୍ଳବକୁ ଏକ ଉଦାହରଣ ସ୍ୱରୂପ ନିଆ ଯାଇପାରେ । ମନୁଷ୍ୟର ଭାଗ୍ୟ-ପରିବର୍ତ୍ତନର ଇତିହାସରେ ଏହି ବିପ୍ଳବର ଏକ ଅତି ମହତ୍ତ୍ଵପୂର୍ଣ୍ଣ ବ୍ୟଞ୍ଜନା ଏବଂ ଆବେଦନ ରହିଛି । ମାତ୍ର ଫରାସୀ ବିପ୍ଳବକୁ ପ୍ରକୃତରେ ଯେଉଁ ପରିଧିର ନେତୃତ୍ଵ ମିଳିପାରିଲା, ପୃଥିବୀ ଲାଗି ତତ୍‍ଜନିତ ପରିବର୍ତ୍ତନ ସେହି ପରିଧିଗୁଡ଼ିକ ମଧ୍ୟରେ ହିଁ ଆବଦ୍ଧ ହୋଇ ରହିଗଲା । ସେହି ଦୃଷ୍ଟିରୁ ବିପ୍ଳବଟି ଅସମ୍ପୂର୍ଣ୍ଣ ହୋଇ ରହିଗଲା । ଆଗାମୀ ବିପ୍ଳବଗୁଡ଼ିକର ନେତୃତ୍ଵ ଲାଗି ଏକ ସତର୍କବାଣୀ ହୋଇ ରହିଲା । ଏହି ଦୃଷ୍ଟିରୁ ବିଚାର କଲେ ପୃଥିବୀରେ କୌଣସି ବିପ୍ଳବ ପ୍ରକୃତରେ ସମ୍ପୂର୍ଣ୍ଣ ଭାବରେ ଆଦୌ ବିଫଳ ହୋଇନାହିଁ; ଆପଣାର ଅଯଥେଷ୍ଟତା ପ୍ରମାଣ କରିଦେଇ ତାହା ମଣିଷ ଜାତିକୁ ଆଗକୁ ବାଟ କଢ଼ାଇ ନେଇ ଯାଉଛି ।

 

ଆଦର୍ଶଗୁଡ଼ାକ ନାନା କାରଣରୁ ଯେତେବେଳେ ବାଦରେ ପରିଣତ ହୁଅନ୍ତି, ପରିବର୍ତ୍ତନକାରୀମାନେ ସେତେବେଳେ ଆଉ ପରିବର୍ତ୍ତନକାମୀ ନ ହୋଇ କ୍ଷମତାକାମୀ ହେବାରେ ହିଁ ଅଧିକ ଶକ୍ତି ଓ ଶ୍ରଦ୍ଧାର ବିନିଯୋଗ କରିଥାନ୍ତି । ପରିବର୍ତ୍ତନ ସମ୍ଭବ କରିବା ଲାଗି ଅତ୍ୟାବଶ୍ୟକ ବୋଲି ସେମାନେ ପ୍ରଥମେ କ୍ଷମତାକୁ ମନ କରିଥାନ୍ତି ସତ, ମାତ୍ର ତା’ପରେ ସନ୍ତକଗୁଡ଼ାକ ସେମାନଙ୍କୁ ଏପରି ଦୃଢ଼ ଭାବରେ କାମୁଡ଼ି କରି ରହି ଯାଆନ୍ତି ଯେ, ସେମାନେ କ୍ଷମତାର ସ୍ଥାୟୀ ହୋଇ ରହିବାକୁ ହିଁ ପରିବର୍ତ୍ତନର ସର୍ବସାର ବୋଲି ଗ୍ରହଣ କରି ନିଅନ୍ତି । ଏହି କ୍ଷେତ୍ରରେ କାର୍ଲ୍ ମାର୍କସ୍ ରାଜନୈତିକ ବିପ୍ଳବ ଏବଂ ସାମାଜିକ ବିପ୍ଳବ, ଏହିପରି ଦୁଇଟି କଥାର ଉତ୍‍ଥାପନ କରିଛନ୍ତି । ରାଜନୀତିକ ବିପ୍ଳବ ଅର୍ଥାତ୍ ରାଜସଭାର ହସ୍ତାନ୍ତରୀକରଣ । ଏହି ହସ୍ତାନ୍ତରୀକରଣ ପୁରାତନ ପ୍ରଭୁମାନଙ୍କୁ ଗାଦୀରୁ ହଟାଇ ନୂତନ ପ୍ରଭୁମାନଙ୍କୁ ଗାଦୀରେ ନେଇ ବସାଏ । ନୂତନ ପ୍ରଭୁମାନେ ବିପ୍ଳବ କରି ପୁରୁଣାମାନଙ୍କୁ ହଟାନ୍ତି ଏବଂ ଏକ ନୂତନ ବ୍ୟବସ୍ଥାର ପ୍ରବର୍ତ୍ତନ ନିମନ୍ତେ ସ୍ଵୟଂ କ୍ଷମତାସୀନ ହୁଅନ୍ତି । ଏକ ସାମାଜିକ ବିପ୍ଳବ ଲାଗି ଆବଶ୍ୟକ ଉନ୍ମୋଚନ ଏବଂ ଅଗ୍ରପଦକ୍ଷେପଗୁଡ଼ିକୁ ସମ୍ଭବ କରିବା ସକାଶେ ସେମାନେ କ୍ଷମତା ଭିତରକୁ ଯାଇ ଥାଆନ୍ତି । ମାତ୍ର କ୍ରମେ କ୍ଷମତା ହିଁ ସେମାନଙ୍କର କାନ ଧରିବାକୁ ଆରମ୍ଭ କରେ ଏବଂ ଆଜିର ବିପ୍ଳବ ଆଗାମୀ କାଲି ସେହି କାରଣରୁ ହିଁ ପ୍ରତିକ୍ରିୟାଶୀଳ ହୋଇ ବାହାରେ । ଆମ ସାଂପ୍ରତିକ ପୃଥିବୀରେ ସ୍ଥାପିତ ହୋଇଥିବା ତଥାକଥିତ ଅଧିକାଂଶ ବିପ୍ଲବୀ ସରକାର ଦୁର୍ଭାଗ୍ୟବଶତଃ ସେହି ଦୁଷ୍ଟଗାତଟି ଭିତରେ ଯାଇ ପଡ଼ି ଯାଇଛନ୍ତି । ସମ୍ଭବତଃ ଏହିପରି ଏକ କାରଣରୁ ହିଁ ପୃଥିବୀରେ ଗୋଟିଏ ନେତୃତ୍ଵ ଦ୍ଵାରା ରାଜନୀତିକ ଏବଂ ସାମାଜିକ ଦୁଇଟିଯାକ ବିପ୍ଳବ ସମ୍ଭବ ହୋଇ ପାରେ ନାହିଁ । ରାଜନୀତିକ କ୍ଷମତା ହସ୍ତାନ୍ତରୀକରଣ ପରେ ଯେଉଁମାନେ କର୍ତ୍ତା ହୋଇ ଆସନ୍ତି, ପରବର୍ତ୍ତୀ ଦ୍ଵିତୀୟ ବିପ୍ଳବଟି ପାଇଁ ସେମାନଙ୍କର ଆଉ ବଳ ନ ଥାଏ, ବିବେକ ମଧ୍ୟ ନ ଥାଏ । ସାମାଜିକ ବିପ୍ଳବ, ଅର୍ଥାତ୍ ସମାଜ–ବ୍ୟବସ୍ଥାରେ ପରିବର୍ତ୍ତନ, ମନୁଷ୍ୟ ଦ୍ଵାରା ମନୁଷ୍ୟର ଶୋଷଣକୁ ଲୁପ୍ତ କରି ଏକ ନୂତନ ପାରସ୍ପରିକତାର ସ୍ଥାପନ । ଆମ ପୃଥିବୀରେ ରାଜସଭା କେତେଥର ବଦଳିଛି, ମାତ୍ର ସମାଜବ୍ୟବସ୍ଥା ତଥାପି ଅନୁକୂଳ ଭାବରେ ବଦଳି ପାରିନାହିଁ ।

 

ଭରତବର୍ଷରେ ଔପନିବେଶିକ ଅବସ୍ଥା ମଧ୍ୟରୁ ମୁକ୍ତିଲାଭ କରିବା ପରେ ଆମର ଏଠାରେ ନୂତନ ସାମୂହିକ ମୂଲ୍ୟରେ ଏକ ଅନ୍ୟ ସମାଜବ୍ୟବସ୍ଥା ଲାଗି ବାଟ କଢ଼ା ଯାଇଥାନ୍ତା । ମାତ୍ର ତାହା ହୋଇ ପାରିଲା ନାହିଁ । ସାଧାରଣ ମଣିଷକୁ ତଥାପି ତିମିର ଭିତରେ ପକାଇ ରଖାଗଲା । ଏକ ନୂଆ ସାମନ୍ତବାଦ ପୁରାତନ ଯାବତୀୟ ଅଶାଳୀନତାକୁ ଏକ ନୂତନ ଔଜ୍ଜ୍ୱଲ୍ୟ ଏବଂ ଔଦ୍ଧତ୍ୟ ସହିତ ଆପଣାର ଭୂଷଣ କରି ରଖିଲା । ଭାରତବର୍ଷକୁ ଯୁଗ ଯୁଗ ଧରି କାବୁ କରି ରଖିଥିବା ଜାତି–ବ୍ୟବସ୍ଥା ନାନା ନୂଆ ମାର୍କାର କେତେ ନା କେତେ ଦୂରତାକୁ ଏଠି ଦୋରସ୍ତ କରି ରଖିବାରେ ଭାରି ସାହାଯ୍ୟ କଲା । ବ୍ୟବଧାନଗୁଡ଼ାକ ଉଗ୍ର ଭାବରେ ବଢ଼ିବାକୁ ଲାଗିଲେ । କାଲିର ବିପ୍ଳବୀମାନେ ଧଳା ହାତୀ ହୋଇ ସିଂହାସନରେ ବସିଲେ । ଶିକ୍ଷା, ଅର୍ଥନୀତି, ସାମାଜିକ ସଂସ୍କାର ଓ ସଂସ୍କୃତି–ଯାବତୀୟ କ୍ଷେତ୍ରରେ ମଣିଷକୁ ଅପମାନିତ କରି ରଖାଗଲା, କେତେକ ବିଶିଷ୍ଟ ମଣିଷ ସାମନ୍ତ ହୋଇ ରହିଲେ । ଋଷିଆର କମ୍ୟୁନିଷ୍ଟ ବିପ୍ଳବକୁ ମଧ୍ୟ ଏକ ଦ୍ଵିତୀୟ ଦୃଷ୍ଟାନ୍ତ ରୂପେ ଗ୍ରହଣ କରାଯାଇପାରେ । ସେଠି ଅକଟୋବାର ବିପ୍ଳବ ପରେ ଯେଉଁମାନେ ଆସନକୁ ଆସିଲେ, ସେମାନେ କ୍ରମେ ନାନା ତ୍ରସର ଆବଶ୍ୟକତାର ପଡ଼ି, ଅଧିକରୁ ଅଧିକ ଜାତୀୟତାବାଦୀ ହେଲେ, ରାଜ୍ୟଜୟ କଲେ, ପୁଞ୍ଜିବାଦ ସହିତ ଟକକର ଦେଇ ପାରିବାକୁ ପୁଞ୍ଜିବାଦୀ କାଇଦାଗୁଡ଼ାକର ଅନୁକରଣ ମଧ୍ୟ କଲେ । ସେମାନେ କ୍ରମେ ଦେଶରେ ଗୋଟିଏ ଶିଷ୍ଟ ବର୍ଗରେ ପରିଣତ ହୋଇ ରହିଲେ, ଅଶିଷ୍ଟମାନଙ୍କ ଲାଗି ଶାସ୍ତିର ବିଧାନ କଲେ । ହୁଏତ ସବୁ ହୋଇ ପାରିଲେ, ମାତ୍ର ବିପ୍ଳବୀ ହୋଇ ରହି ପାରିଲେ ନାହିଁ । ରୁଷିଆ ଏକ ବୃହତ୍ ଓ ପରାକ୍ରମୀ ରାଷ୍ଟ୍ରରେ ପରିଣତ ହେଲା ସତ, କିନ୍ତୁ ଅନ୍ୟ ଦେଶର ସମଗୋତ୍ରୀମାନଙ୍କ ଆଖିରେ ଭାରି ଅଣକମ୍ୟୁନିଷ୍ଟ ପରି ଦେଖାଗଲା । ପୃଥିବୀଯାକର ସର୍ବହରା ଲାଗି ଏକ ପ୍ରେରଣା ହୋଇ ରହିବା ପରିବର୍ତ୍ତେ ସତେଅବା ଏକ ପାଚେରୀଘେରା ଘର ହୋଇ ରହିଗଲା । ଆଦର୍ଶ ଓ ଆଦର୍ଶ ଭିତରେ ଲଢ଼ାଇ କ୍ରମେ ସାମରିକ ବଳର କ୍ଷେତ୍ରରେ ଏକ ପ୍ରତିଯୋଗିତା ମଧ୍ୟରେ ପର୍ଯ୍ୟବସିତ ହୋଇ ରହିଲା । ଆମ ସଂସାରଟାକୁ ଅଧିକରୁ ଅଧିକ ଅଣନିଃଶ୍ଵାସୀ କରି ପକାଇବାରେ ଭାରି ସାହାଯ୍ୟ କଲା । ବାଟ ଦେଖାଇବାର ବିଚାର ରାଷ୍ଟ୍ରଧୀଶମାନଙ୍କର କବଳରେ ପଡ଼ି ବାଟ ଓଗାଳି ରଖିବାର ଏକ ଆଳ ରୂପେ ବ୍ୟବହୃତ ହେଲା ।

 

ଆଧ୍ୟାତ୍ମିକତା କହେ, ମଣିଷ ହେଉଛି ମୂଳତଃ ଏକ ଦିବ୍ୟ ସତ୍ତା । ତେଣୁ ତାହା ହେଉଛି ଏକ ସାଧ୍ୟ, ଆଦୌ ଏକ ସାଧନ ନୁହେଁ । ଅଧ୍ୟାତ୍ମିକତା ସ୍ଥୂଳ ଓ ସୂକ୍ଷ୍ମକୁ ବଡ଼ ସାନ କରି ଦେଖେ ନାହିଁ, ଅର୍ଥକୁ ପରମାର୍ଥଠାରୁ ଭିନ୍ନ କରି ପକାଏ ନାହିଁ, ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ ଯାବତୀୟ ଅବରୋଧ ଏବଂ ଅନୁଭୂତିକୁ ତାହା ଗୋଟିଏ ସୂତ୍ରରେ ବାନ୍ଧି ଏକାଠି କରି ଦେଖେ । ପୃଥିବୀର ଅଧ୍ୟାତ୍ମ ବିଦ୍ୟା କାଳେ କାଳେ ଏକ ଏକତ୍ଵର ଘୋଷଣା କରି ଆସିଛି । ଭଗବତ୍–ଉପଲବଧିକୁ ମୂଳତଃ ଆମ ଚେତନାର କ୍ଷେତ୍ରରେ ଏକ ଉପଲବଧି ବୋଲି ଘୋଷଣା କରି ସଂସାରରେ ଜଣେ ଜଣେ ମନୁଷ୍ୟ ଭାବରେ ଆମର ସମ୍ବନ୍ଧଗୁଡ଼ିକ ମଧ୍ୟ ତାହାରି ଅନୁରୂପ ହୋଇ ରହିବା ଉଚିତ ବୋଲି କହିଛି । ସେହି କାରଣରୁ ହିଁ ପୃଥିବୀର ସନ୍ଥମାନେ କାଳେ କାଳେ ଅଧ୍ୟାତ୍ମ କହିଲେ ଏକ ଜୀବନକୁ ହିଁ ବୁଝିଛନ୍ତି, ଯାହାକି ଆଧ୍ୟାତ୍ମିକ ପ୍ରେରଣା ଦ୍ଵାରା ଅନୁପ୍ରେଣିତ ହୋଇ ସଂସାରକୁ ଅନ୍ୟ ପ୍ରକାରେ ଗଢ଼ିବ । ସେମାନେ ଏକ ଅନ୍ୟ ସମାଜର ସ୍ଵପ୍ନ ଦେଖିଛନ୍ତି, ସାମୂହିକ ଜୀବନର ଯାବତୀୟ କ୍ଷେତ୍ରରେ ମନୁଷ୍ୟ ମନୁଷ୍ୟ ମଧ୍ୟରେ ଏକ ଆତ୍ମିକ ସମ୍ପର୍କ ରହିବା ଉପରେ କେତେ ମହତ୍ତ୍ଵ ଦେଇଛନ୍ତି । ସେମାନେ ଭେଦ ଭିତରେ ଅଭେଦ ଦେଖିଛନ୍ତି, ସକଳ ବିଷୁମତା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ଏବଂ, ସବୁଠାରୁ ବଡ଼ କଥା ହେଉଛି, ସେମାନେ ଆପଣାର ସେହି ଉଚ୍ଚତମ ଅଭୀପ୍‍ସାଟି ଅନୁସାରେ ଜୀବନଟିଏ ବଞ୍ଚିବାର ଉଦ୍ୟମ କରିଛନ୍ତି । ସେମାନେ ଏହି ସଂସାର ମଧ୍ୟରୁ ପଳାଇ ଯାଇ ନାହାନ୍ତି, ସଂସାର ଭିତରେ ରହି ସଂସାରକୁ ତା’ର ତୁଙ୍ଗତମ ସମ୍ଭାବନା ଯାଏ ଉତ୍ତୋଳିତ କରି ନେବାରେ ପ୍ରୟାସ କରିଛନ୍ତି । ସେମାନେ କ୍ଷମତା ଆଗରେ ମୁଣ୍ଡ ନୂଆଇଁ ନାହାନ୍ତି, ପ୍ରତ୍ୟେକ ମଣିଷ ଲାଗି ସମ୍ମାନ ଦାବୀ କରିଛନ୍ତି; ଶାସ୍ତ୍ରର ଭାଷାରେ କହିଲେ, ସନ୍ଥମାନେ ଆମରି ସଂସାର ଭିତରେ ଆମରି ସହିତ ଅଥଚ ଏକ ସମଗ୍ରତର ଚେତନା ମଧ୍ୟରେ ଅବସ୍ଥିତ ରହି ବସନ୍ତବତ୍ ଲୋକହିତର ଆଚରଣ କରିଛନ୍ତି । ଗୋଟିଏ ଦୃଷ୍ଟିରୁ ବିଚାର କରି ହୁଏତ ଏପରି କୁହାଯାଇ ପାରିବ ଯେ, ସଂସାରରେ ମନୁଷ୍ୟର ଅନ୍ତଃଜୀବନରେ ଅର୍ଥାତ୍ ଅନ୍ତର୍ଗତ ନିବିଡ଼ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ଯେଉଁସବୁ ସ୍ଵତଃସ୍ପୂର୍ତ୍ତ ଓ ସ୍ଥାୟୀ ପରିବର୍ତ୍ତନମାନ ସମ୍ଭବ ହୋଇଛି, ତାହା ରାଜନୀତି ଦ୍ଵାରା ହୋଇନାହିଁ, କ୍ଷମତା ଦ୍ଵାରା ହୋଇନାହିଁ; ସ୍ଵନିର୍ବାଚିତ ଏକ ଆଦର୍ଶ ଅର୍ଥାତ୍ ମୂଲ୍ୟବୋଧ ଅନୁସାରେ ଏକ ଅନ୍ତର୍ଗତ ସମ୍ମତି ସହିତ ଆପଣାକୁ ପରିଚାଳିତ କରି ପ୍ରକୃତରେ ଜୀବନଟିଏ ବଞ୍ଚୁଥିବା ଏହି ସନ୍ଥମାନଙ୍କ ଦ୍ଵାରା ହିଁ ତାହା ସମ୍ଭବ ହୋଇଛି ।

 

ମାତ୍ର ଏହା ମାର୍ଗରେ ସତେଅବା ବୈରୀପଣ କରି ଅନୁଷ୍ଠାନଗ୍ରସ୍ତ ଧର୍ମମାନେ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛନ୍ତି । ଧର୍ମ ପଲ ବଢ଼ାଇଛି, ଧାଉଡ଼ିମାନ ବାନ୍ଧି ସାନ ସାନ ବାସନାଗୁଡ଼ାକୁ କେତେ ବଡ଼ କରି ଦେଖାଇ ହୋଇଛି, ସତ୍ୟଗୁଡ଼ାକୁ ଆଡ଼ମ୍ବରମାୟା କେତେ ନା କେତେ ମୂର୍ତ୍ତି ଭିତରେ ନେଇ ବାନ୍ଧି ରଖିଛି । ଏପରି କରି ଉଦୟପଥକୁ ବଣା କରି ରଖିଛି । ମଣିଷର ଅସଲ ସାହସ ଏବଂ ଅସଲ ସମ୍ମତିଗୁଡ଼ାକୁ ଅପହରଣ କରି ନେଇ ତା’ ହାତରେ ଗୋଟାଏ ପିତୁଳା ଅର୍ଥବ ଗୋଟାଏ ଶାସ୍ତ୍ରକୁ ଧରାଇଦେଇ ଯାଇଛି । ଆହ୍ଵାନଗୁଡ଼ାକୁ ଶୀତଳ କରିଆଣି ଅବତାର କରି ବସାଇ ଦେଇଛି । ତୁଚ୍ଛା ତାମସିକ ବୃତ୍ତିଗୁଡ଼ାକୁ ଭଳି ଭଳି ରାଜସିକତାର ପୋଷାକ ପିନ୍ଧାଇ ମଣିଷର ଅସଲ ହୃଦୟ ଏବଂ ତାହାର ଯାବତୀୟ ଉଦୟ–ସମ୍ଭାବନାକୁ ପ୍ରବଞ୍ଚିତ କରି ରଖିଛି । ଏବଂ, ଅତ୍ୟନ୍ତ ସୁସଙ୍ଗିତ ସହିତ ଧର୍ମ କ୍ଷମତାର ପଟ ନେଇଛି, ରାଜାର ପକ୍ଷ ସମର୍ଥନ କରିଛି; ମଣିଷମାନଙ୍କୁ ଏହି ପୃଥିବୀରେ ମଧ୍ୟ ସତେଅବା ଏକ ଅପପ୍ରେରଣାଯୁକ୍ତ ଦାନବ–ନ୍ୟାୟରେ ଏକାବେଳକେ ଉଗ୍ର ଏବଂ ଭୀରୁ ହେବାର ମନ୍ତ୍ରଣା ଦେଉଛି । ଧର୍ମ ବିଭେଦ ଆଣିଛି, ଘୃଣା ବଢ଼ାଇଛି, ଦୂରତାଗୁଡ଼ାକୁ ହିଁ ପବିତ୍ରତା ବୋଲି କହିଛି, ମଣିଷଠାରୁ ତା’ର ଅସଲ ଗର୍ବ ଏବଂ ଅସଲ ଉଜ୍ଜ୍ଵଳତାଗୁଡ଼ିକୁ ହରଣ କରିନେଇ ତାହାକୁ ଅତ୍ୟନ୍ତ ଅକିଞ୍ଚନ ଭାବରେ ନାନାବିଧ କତ୍ତୃତ୍ଵ ପାଖରେ ଅସହାୟ ଦାସ କରି ରଖି ଦେଇଛି । ପ୍ରତ୍ୟେକ ଧର୍ମରେ ପ୍ରାୟ ଏକ ଅବବୌଦ୍ଧିକ ସ୍ତରରେ କରାଯାଇଥିବା ସ୍ଵର୍ଗ ଏବଂ ନର୍କର କଳ୍ପନାଗୁଡ଼ାକ ମଣିଷର ସେହି ଅସହାୟତାକୁ ବହୁ ଗୁଣିତ କରି ରଖିଛି । ଚେତନାଗତ ଉଦବୋଧନଗୁଡ଼ାକୁ ଧର୍ମ ଗୋଟିଏ ଗୋଟିଏ ଦେବତା କରି ବସାଇ ଦେଇଛି,–ଏହି ଦେବତାମାନଙ୍କୁ ମଣିଷମାନଙ୍କ ହାତରେ ଇଷ୍ଟଦେବ ରୂପରେ ଧରାଇ ଦେଇଛି ଏବଂ ଆପଣାର ଇଷ୍ଟଦେବମାନଙ୍କୁ ଅବତାରବରିଷ୍ଠ ବୋଲି ଆଖ୍ୟାୟିତ କରି ସଂପ୍ରଦାୟମାନେ ମଣିଷମାନଙ୍କୁ ତାହାରି ଭିତରେ ଭୁଆଁ ବୁଲାଇ ରଖିବାର ଚକ୍ରାନ୍ତ କରି ଆସିଛନ୍ତି । ସନ୍ଥମାନଙ୍କୁ ଜବତ କରି ରଖିବା ପାଇଁ ମଠମାନଙ୍କର ଭିଆଣ ହୋଇଛି । ତେଣୁ ଆଧ୍ୟାତ୍ମିକ ପ୍ରବଞ୍ଚିତ ହୋଇ ରହିଛି, ଦେଉଳମାନଙ୍କ ଉପରେ ଉଡ଼ୁଥିବା ବାନାଗୁଡ଼ାକ ମଣିଷର ହୃଦୟକୁ ଗୋଟିଏ ଖୋପ ଭିତରେ କିଳି ରଖିବାର ବରାଦ ମେଲି ରଖିଛନ୍ତି । ଯେଉଁ ପରିବର୍ତ୍ତନ ହେବା ଉଚିତ, ତାହା ସମ୍ଭବ ହୋଇ ପାରୁନାହିଁ; ଯେଉଁ ଆଖିଟି ଖୋଲିଯିବା ଉଚିତ, ତାହା ଖୋଲି ପାରୁନାହିଁ । ମଣିଷ ଭକ୍ତ ନ ହୋଇ ବର୍ବର ହେଉଛି, ପରିମାର୍ଜିତ ନ ହୋଇ ଅଧିକରୁ ଅଧିକ ଆଦିମ ହୋଇ ଚାଲିଛି ।

 

ବ୍ୟକ୍ତି ବଦଳିଲେ ଯାଇ ଯେ ସମାଜ ବଦଳିବ, ଏକଥା ଚତୁର ମଣିଷମାନଙ୍କର ମଥାରୁ ବାହାରିଛି । ଆଗ ସମାଜ ନ ବଦଳିବା ପର୍ଯ୍ୟନ୍ତ ବ୍ୟକ୍ତି ଯେ କଦାପି ବଦଳି ପାରିବନାହିଁ, ଏକଥା ମଧ୍ୟ କ୍ଷମତାକାମୀ ଚତୁର ପ୍ରବରମାନେ କହିଛନ୍ତି ଏବଂ ପୃଥିବୀଟାକୁ ନାନା ଅନାବଶ୍ୟକ ଉଗ୍ରତା ଦ୍ଵାରା ପ୍ରପୀଡ଼ିତ କରି ରଖିଛନ୍ତି । ତଥାପି, ଏକାନ୍ତ ସତ୍ୟ ଯେ, କେତେକ ବ୍ୟକ୍ତି ସବାଆଗ ବଦଳିବାକୁ ମନ ନ କଲେ ସମାଜ କଦାପି ବଦଳିବ ନାହିଁ । ସେହିମାନଙ୍କୁ ହିଁ ସବାଆଗ ସମ୍ମତ ହୋଇ ବାହାରିବାକୁ ପଡ଼ିବ । କେତେଜଣ ବ୍ୟକ୍ତି ସାହସୀ ନ ହେଲେ ସମ୍ମୁଖୀନ ହେବାକୁ ପଡ଼ୁଥିବା ଯାବତୀୟ ବିପଦ ସତ୍ତ୍ୱେ ସାହସୀ ହେବାଲାଗି ପ୍ରସ୍ତୃତ ନ ହେଲେ, ଆମର ଏହି ପୃଥିବୀରୁ ଭୀରୁତାଗୁଡ଼ାକର ଓ ତତ୍‍ଜନିତ ଉଗ୍ରତାଗୁଡ଼ାକର କେବେହେଲେ ଅନ୍ତ ହେବନାହିଁ । ମୁଁ ଯେଉଁଟା କାମ୍ୟ ବୋଲି ବିଶ୍ଵାସ କରୁଛି, ସଂସାରର ପରିବର୍ତ୍ତନ ଲାଗି ଯେଉଁସବୁ ମୂଳତମ ମୂଲ୍ୟକୁ ମୁଁ ଅପରିହାର୍ଯ୍ୟ ବୋଲି ଅନୁଭବ କରୁଛି, ମୁଁ ତାହାରି ଅନୁସାରେ ମୋ’ ନିଜ ଜୀବନଟାକୁ ବଞ୍ଚିବି, ସକଳ ପ୍ରତିକୂଳତା ସତ୍ତ୍ୱେ ମୁଁ ନିଜର ଜୀବନକୁ ତାହାରି ଧାରାରେ ନେଇ ପକାଇବାକୁ ଇଚ୍ଛା କରିବି ଓ ପ୍ରୟାସ କରିବି,–ଆପଣା ପାଖରେ ଆପେ ଜଣେ ମଣିଷ ବୋଲି ସ୍ଵୀକୃତ ପାରିବାଲାଗି ତାହାହିଁ ମନୁଷ୍ୟଠାରୁ ପ୍ରତ୍ୟାଶା କରା ଯାଉଥିବା ସର୍ବନିମ୍ନ ସାଧୁତା । ଏହି ଅର୍ଥରେ ଆମେ Paul Tillichଙ୍କର the courage to be in spite of କଥାଟିକୁ ବୁଝିବାଲାଗି ଚେଷ୍ଟା କରିବା-। ଜଣେ ବ୍ୟକ୍ତି ହିଁ ତା’ର ଜୀବନରେ ଯେତିକି ସାଧୁତାକୁ ପ୍ରକୃତରେ ବଞ୍ଚିବାକୁ ସମ୍ମତ ହୋଇଥାଏ, ସମାଜରେ, ଯେ କୌଣସି ସମାଜରେ ପ୍ରକୃତରେ ସେତିକି ହେଉଛି ଅସଲ ସାଧୁତା, ତାହାହିଁ ଏକମାତ୍ର ସଂକ୍ରମଣସମର୍ଥ ସାଧୁତା । କ୍ଷମତାଧୀଶ, ମଣ୍ଡପମାଲିକ ଅଥବା ନୀତିବାଗୀଶମାନେ ଯେଉଁ ସାଧୁତା ବିଷୟରେ ବୟାନ କରୁଥାନ୍ତି, ଯେଉଁ ସାଧୁତାକୁ ନାନା ଅଳଙ୍କାର ଦେଇ ଶାସ୍ତ୍ରରେ ତାହା ଇତିହାସରେ ଆମର ଆଦୌ ଖୁବ୍ ବେଶୀ କାମରେ ଲାଗି ପାରିନାହିଁ । ବରଂ ଅନେକ ସ୍ଥଳରେ ଆମକୁ କପଟାଚରଣରେ ସହାୟତା କରିଛି, ଆମକୁ ମିଛଟାରେ ପଣ୍ଡିତମନ୍ୟ କରି ରଖିଛି, ଆମକୁ ପରସ୍ପରଠାରୁ ଦୂରରେ ରହିବାଲାଗି ଭାରି ପ୍ରଶୟ ଦେଇ ଆସିଛି ।

 

ଏହି କେତେଜଣ ବ୍ୟକ୍ତି, ସେମାନେ କଦାପି ସ୍ଵର୍ଗରୁ ଆସିବେ ନାହିଁ । କୌଣସି କୁହୁକ ଅଥବା କିମିଆଁ ବଳରେ କୌଣସି ଗୁହାବିଦ୍ୟା–ଧର୍ମୀ ପ୍ରୟୋଗଶାଳାରେ ସେମାନଙ୍କୁ ତିଆରି କରାଯିବ ନାହିଁ । ସେମାନେ ଏଇଠି ଏହି ମଣିଷମାନଙ୍କ ମଧ୍ୟରୁ ବାହାରିବେ, ସେମାନେ ଆମରି ଭିତରୁ ବାହାରିବେ । ପରିବର୍ତ୍ତନଗୁଡ଼ାକ ବାହାରୁ ଆସେ, ଧର୍ମସଂସ୍ଥାପନଗୁଡ଼ାକ ସ୍ଵର୍ଗରୁ ବରାଦ ହୋଇ ଚକ୍ରବତ୍ ସଂସାରକୁ ପେଷା ହୁଏ ଏବଂ ଏଠାରେ ଗ୍ରାହକମାନଙ୍କର ଗ୍ରୀବାଛେଦନ କରି ଗଜମାନଙ୍କୁ ଉଦ୍ଧାର କରେ ବୋଲି ବିଚାର କରିବା କାଳକ୍ରମେ ଆମ ରକ୍ତର ମଧ୍ୟ ଏକ ସଂସ୍କାରରେ ପରିଣତ ହୋଇ ରହିଛି । ସେହି ସଂସ୍କାର ଆମ ନିଜର ଶକ୍ତି ବିଷୟରେ ଆମକୁ ଏକାନ୍ତ ଅସଚେତନ କରି ରଖି ଆସିଛି, ଆମ ଲାଗି ଉପେକ୍ଷାକୁ ହିଁ ପ୍ରାୟ ଏକ ଧର୍ମରେ ପରିଣତ କରି ରଖିଛି । ଏହି ସଂସ୍କାର ଭିତରୁ ଯେଉଁମାନେ ସାହସ କରି ବାହାରି ଆସି ପାରିବେ, ସେମାନେ ଆମ ପୃଥିବୀ ଲାଗି ପରବର୍ତ୍ତୀ ବିକଳ୍ପଗୁଡ଼ିକ ଯୋଗାଇ ଦେବାର ଲକ୍ଷ୍ୟସାଧନରେ ନିମିତ୍ତ ରୂପେ କାର୍ଯ୍ୟ କରି ପାରିବେ । ସେମାନେ ଆଗକୁ ବାଟ କାଢ଼ିବେ । ବିବର୍ତ୍ତନବାଦୀମାନେ ଏବେ କହିଲେଣି, ଜୀବନ ଓ ଜୀବନଦୃଷ୍ଟିର ବିବର୍ତ୍ତନକ୍ରମରେ ଏଥର ଏକ ଗୁଣାତ୍ମକ ଉର୍ଦ୍ଧ୍ଵାୟନର ଆହ୍ଵାନ ମନୁଷ୍ୟ ଲାଗି ଅପେକ୍ଷା କରି ରହିଛି । ଏକ ନୂତନ ଚେତନା, ଏକ ନୂତନ ସମ୍ବନ୍ଧସୂତ୍ର ଓ ଏକ ନୂତନ ପାରସ୍ପରିକତା ଆମ ଲାଗି ଅପେକ୍ଷା କରି ରହିଛି । ଆଧୁନିକ ବିଗତ ଶତାବଦୀଗୁଡ଼ିକର ନାନା ଦ୍ଵନ୍ଦ ମନୁଷ୍ୟସମୂହକୁ ଯେଉଁ ଜଟିଳ ସଙ୍କଟଗୁଡ଼ିକ ମଧ୍ୟରେ ଆଣି ପକାଇ ଦେଇଛି, କେବଳ ଏକ ଉତ୍‍କ୍ରମଣ ଦ୍ଵାରା ହିଁ ମାନବଜାତି ଆପଣାକୁ ସେଥିରୁ ଉଦ୍ଧାର କରି ନେଇ ଅଗ୍ରଗତି କରିପାରିବ । ଏହି ଉତ୍‍କ୍ରମଣ ହେଉଛି ଏକ ନୂତନ ଆତ୍ମୀୟତା, ଯାହାକି ମନୁଷ୍ୟକୁ ଏକାଧାରରେ ବ୍ୟକ୍ତିକୁ ଆପଣା ପାଖକୁ, ଆପଣାର ସମଗ୍ର ପରଚୟଟି ମଧ୍ୟକୁ ଫେରି ଆସିବା ପାଇଁ ସମର୍ଥ କରିବ, ତଥା ଅନ୍ୟ ସବୁ ମଣିଷଙ୍କ ସହିତ ଆବଶ୍ୟକ ଯାବତୀୟ ନିବିଡ଼ତା ତଥା ଯାବତୀୟ ଅଙ୍ଗୀକାରରେ ସମ୍ମିଳିତ ହୋଇ ରହି ପାରିବା ଲାଗି ମଧ୍ୟ ସମର୍ଥ କରିବ । ଏହି ଉତ୍‍କ୍ରମଣର ଆବଶ୍ୟକତା ଓ ଅନିବାର୍ଯ୍ୟତା ସର୍ବପ୍ରଥମେ କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ହିଁ ଅନୁଭୂତ ହେବ । ସେହି ବ୍ୟକ୍ତିମାନେ କୌଣସି ପ୍ରକାର ବାହ୍ୟ ମାନଦଣ୍ଡ ଦ୍ଵାରା ବାହାରୁ କାହାରି ଆଦେଶ ପାଳନ କରି କଦାପି ବଛା ହେବେ ନାହିଁ,–ସେମାନେ ନିଜ ଭିତରୁ ହିଁ ସେହି ଆବଶ୍ୟକତାଟିକୁ ଅନୁଭବ କରିବେ, ଆପଣାର ଜୀବନ କ୍ଷେତ୍ରରେ ହିଁ ସେମାନେ ସେହି ଉତ୍‍କ୍ରମଣ ଲାଗି ଆବଶ୍ୟକ ହେଉଥିବା ମେରୁଦଣ୍ଡଟିକୁ ଖୋଜି ବାହାର କରିବେ । ଏହି ବ୍ୟକ୍ତିମାନେ ପରସ୍ପରକୁ ଆବିଷ୍କାର କରିବେ, ପରସ୍ପର ସହିତ ସୂତ୍ର ସ୍ଥାପନ କରିବେ ଏବଂ ପରବର୍ତ୍ତୀ ପରିବର୍ତ୍ତନ ଲାଗି ଏକ ସଂଗତିଯୁକ୍ତ ମୂଳୁଦୁଆ ତିଆରି କରିପାରିବେ ।

 

ଆପଣାର ସମ୍ଭାବ୍ୟ ପରବର୍ତ୍ତୀ ସ୍ଥିତିଟିକୁ ପୂର୍ଣ୍ଣ ସଂପ୍ରତ୍ୟୟ ସହିତ ସମଗ୍ରତାର ଭାବରେ ଆପଣାର ଜୀବନଭୂମିଟି ଉପରେ ଅବତୀର୍ଣ୍ଣ କରି ଆସିବା ଲାଗି ଏକ ଯଥାର୍ଥ ଆକାଂକ୍ଷା ଦ୍ଵାରା ନିଜକୁ ଅଗ୍ରସର କରାଇ ନେବାର ସଂକଳ୍ପ ଗ୍ରହଣ କରିଥିବା ବ୍ୟକ୍ତିକୁ ଆଲୋଚନାର ଏକ ଅନ୍ୟ ପରିପ୍ରେକ୍ଷୀରେ ଶ୍ରୀଅରବିନ୍ଦ ‘ଦିବ୍ୟ କେନ୍ଦ୍ର’ ବୋଲି କହିଛନ୍ତି । ଯଥାସମ୍ଭବ ଅଧିକ ସଂପୂର୍ଣ୍ଣ ଓ ସମଗ୍ର ଭାବରେ ଆପଣାକୁ ଆଗାମୀ ଲାଗି ଏକ ସମ୍ମତ କେନ୍ଦ୍ର ରୂପେ ପ୍ରସ୍ତୁତ କରି ଆଣିବା ହିଁ ଏକ ନୂତନ ସଂକଳ୍ପବନ୍ଧା ବ୍ୟକ୍ତିମାନଙ୍କର ସାଧନା ହେବ । ଏହି ସାଧନା ସଂପ୍ରଦାୟ ଭିତରେ ହେବ ନାହିଁ, ଆଦୌ କୌଣସି ବହିରଙ୍କୁଶ ଦ୍ଵାରା ପରିଚାଳିତ ହେବ ନାହିଁ । ତାହା ଆଦୌ କୌଣସି ବାହ୍ୟ ସନ୍ତକର ମୋହ ଭିତରେ ଯାଇ ପଡ଼ିଯିବ ନାହିଁ । ତେଣୁ ହୁଏତ ଯାବତୀୟ ସନ୍ତକକୁ ସ୍ଵୀକାର କରିନେଇ ପାରୁଥିବା, ମାତ୍ର କୌଣସି ଉଗ୍ରତା ଏବଂ ଏକମାତ୍ରତାକୁ କଦାପି ସ୍ଵୀକାର କରୁନଥିବ । ସିଏ କୌଣସି ମାର୍ଗ ସହିତ ଆଦୌ କଳହ କରିବାକୁ ଯିବ ନାହିଁ, ମାତ୍ର ଯାବତୀୟ ମାର୍ଗସର୍ବସ୍ଵତା ଏବଂ ତତଜନିତ କାମୁକତାକୁ ସେ ଏକ ଖଳତା ଏବଂ ଅସାଧୁତା ବୋଲି ଘୋଷଣା କରିବାକୁ ସମର୍ଥ ହେଉଥିବ । ତା’ର ମଧ୍ୟ ଏକ ମାର୍ଗ ରହିଥିବ ସତ, ମାତ୍ର ସେହି ମାର୍ଗ ତାକୁ କୌଣସି ପ୍ରକାରେ କଦାପି ଗିଳି ପକାଇ ନ ଥିବା,–ସିଏ ଆପଣାକୁ ଉନ୍ମୋଚିତ କରି ରଖିଥିବା, ଆପଣାର ଚେତନାକୁ ମଧ୍ୟ ଅନେକଗ୍ରାହୀ କରିଥିବା,–ଏହିପରି ଭାବରେ ମାର୍ଗଟିକୁ ନମନୀୟ ଏବଂ ସଦା–ଗ୍ରହଣଶୀଳ କରି ଅବଶ୍ୟ ରଖିଥିବ । ଆପଣାକୁ ଏକ କେନ୍ଦ୍ରରେ ପରିଣତ କରିବାର ଅର୍ଥ ହେଉଛି, ଏକ ଉର୍ଦ୍ଧ୍ଵାୟିତ ସୋପାନକ୍ରମରେ ଆପଣାର ଜୀବନ ତଥା ଚେତନାର ସଂପ୍ରସାରଣ-କ୍ଷେତ୍ରରେ ଏକ ଉତ୍ତୋରତ୍ତର ସମଗ୍ରତା ଅର୍ଜନ କରିବା, ଶାସ୍ତ୍ରର ଭାଷାରେ କହିଲେ ‘ପୂର୍ଣ୍ଣରୁ ପୂର୍ଣ୍ଣତରାକୃତି’ ହେବାରେ ଲାଗିଥିବା । ମାନବ–ନିୟତିର ସମୀକ୍ଷାକାରମାନେ ଏବେ ଏହାକୁ Vertical Integration ବା Integration in Depth ବୋଲି କହୁଛନ୍ତି । Integrationର ଏହି ସମ୍ଭାବନାଟି ଆରମ୍ଭରୁ ହିଁ ମନୁଷ୍ୟ ଭିତରେ, ପ୍ରତ୍ୟେକ ମନୁଷ୍ୟ ଭିତରେ ସଞ୍ଚିତ ହୋଇ ରହି ଆସିଛି-। ଏକ ଦିକ୍–ନିର୍ଦ୍ଦେଶନକାରୀ ସମ୍ଭାବନା ଏବଂ ବ୍ୟାକୁଳତା ରୂପେ ରହି ଆସିଛି । କ୍ରମବିବର୍ତ୍ତନର ଉପସ୍ଥିତ ସୋପାନରେ ଆମେ ସତେଅବା ସେହି ସମ୍ଭାବନାଟିକୁ ସ୍ପର୍ଶ କରିବାକୁ ଯାଉଛୁ, ସେହି ବ୍ୟାକୁଳତାଟିକୁ ହିଁ ଆମର ଅସଲ ବ୍ୟାକୁଳତା ରୂପେ ଅନୁଭବ କରିବାକୁ ଯାଉଛୁ-। ଯେଉଁ ବ୍ୟକ୍ତିମାନେ ଏକ ବ୍ୟକ୍ତିଗତ ଉପସ୍ଥିତି–ସ୍ଥିତି ରୂପେ ସେହି ବ୍ୟାକୁଳତାଟିକୁ ଅନୁଭବ କରିବେ, ସେହିମାନେ ହିଁ ଆଗାମୀ ଉତକ୍ରମଣର ବାହକ ଓ କେନ୍ଦ୍ର ହେବେ । ବିବର୍ତ୍ତନର ପରବର୍ତ୍ତୀ ସୋପାନଟିକୁ ଏହିପରି ଭାବରେ ଏକ ସ୍ତର-ଉତକ୍ରମଣର ସୋପାନ ବୋଲି କୁହାଯାଇ ପାରିବ । ଶ୍ରୀ Dobzhanskyଙ୍କ ଭାଷାରେ ଏହିପରି ଏକ Evolutionary Transcendence ମନୁଷ୍ୟଜାତି ଲାଗି ଅପେକ୍ଷା କରି ରହିଛି, ମନୁଷ୍ୟ–ବ୍ୟକ୍ତି ଲାଗି ଅପେକ୍ଷା କରି ରହିଛି ।

 

ଦିବ୍ୟ କେନ୍ଦ୍ରମାନେ ହିଁ ଏକ ଦିବ୍ୟ ସଂଘ ସମ୍ଭବ କରି ପାରିବେ । ସମ୍ମତ ବ୍ୟକ୍ତିମାନେ ହିଁ ପରିବର୍ତ୍ତନକାମୀ ଏକ ଯଥାର୍ଥ ସମୂହ ସମ୍ଭବ କରି ପାରିବେ । ଅବତୀର ଯେକୌଣସି ଉପାସକ-ସମୂହ, ଧର୍ମ-ସଂପ୍ରଦାୟ ଅଥବା ରାଜନୀତିକ ଦଳ ବା ମତସଂଗଠନଠାରୁ ଏହା ଏକାବେଳେକେ ଏକ ଭିନ୍ନ କଥା । ଧର୍ମ, ମତ, ବାଦ ଏବଂ ଅନୁରକ୍ତିରେ ଯେତେ ଭିନ୍ନ ହୋଇଥିଲେ ମଧ୍ୟ ଏହି ନୂତନ ବ୍ୟକ୍ତିମାନେ ତଥାପି ପରସ୍ପର ପରିପୂରକ ହୋଇ ପାରୁଥିବେ, ଏକ ମୂଳଭୂତ ପ୍ରାଣୋତ୍ସାହପୂର୍ଣ୍ଣ ଜୀବନାନୁରାଗ ହିଁ ସେମାନଙ୍କୁ ଅତ୍ୟନ୍ତ ସହଜରେ ପରସ୍ପରର ପରିପୂରକ ଭାବରେ ଉଦ୍ୟତ ଓ କ୍ରିୟାଶୀଳ କରି ରଖି ପାରୁଥିବ । ଏହି ସମ୍ଭାବନାଟି ଆମ ଲାଗି ଆମ ପୃଥିବୀର ଇତିହାସରେ ଖୁବ୍ କମ୍ ପ୍ରୟୋଗ ଆରମ୍ଭ କରିବେ । ସାଧନା ଲାଗି ଏକ ଅନୁକୂଳ ପରିବେଶ ସମ୍ଭବ କରିବାର ଲୋଭରେ ସେମାନେ ସତେଅବା ଏକ ନୀତିବାଦୀ ଆତୁରତାର ବଶବର୍ତ୍ତୀ ହୋଇ ସ୍ଵନିର୍ବାଚିତ କୌଣସି କୃତ୍ରିମ ନିର୍ବାସନ ଭିତରକୁ ମୋଟେ ପଳାଇ ଯିବେନାହିଁ । ସେମାନେ ଏଇଠି ରହିବେ, ଆମ ସାମୂହିକ ଜୀବନର ବିବିଧ କ୍ଷେତ୍ରରେ ରହିବେ, ଅହଂ–ସତର୍କତାର ଯାବତୀୟ ଗାର ଏବଂ ଚତୁର ଅଳ୍ପଜ୍ଞାନକୁ ଡେଇଁ ସେମାନେ ଆତ୍ମୀୟତା ମଧ୍ୟକୁ ଉତ୍ତୀର୍ଣ୍ଣ ହୋଇଯିବେ । ସେମାନେ ଶିକ୍ଷାରେ ରହିବେ, ଅର୍ଥନୀତିରେ ରହିବେ, ରାଜନୀତି ମଧ୍ୟରେ ରହିବେ; ଏହିସବୁ ଯାବତୀୟ କ୍ଷେତ୍ରରେ ଗଭୀରତମ ତଳେ ଯେଉଁ ଗଭୀରତମ ସୂତ୍ରଟି ଜୀବନକୁ ଏକ ଅବିଭାଜ୍ୟ ସମଗ୍ରତା ଏବଂ ଭବିଷ୍ୟପ୍ରେରଣା ସହିତ ଧାରଣ କରି ରହିଛି, ସେମାନେ ଆପଣାର ସକଳ ବିଚରଣରେ ତାହାକୁ ହିଁ ସାର କରି ଧରିଥିବେ । ତା’ରି ଲାଗି ଆପଣାକୁ ଅନୁରୂପ ଭାବରେ ତଉଲି ପାରୁଥିବେ । ସେମାନେ ନିଜକୁ ଅଧିକରୁ ଅଧିକ ପୂର୍ଣ୍ଣ ଭାବରେ ଦେଇ ପାରୁଥିବେ, କାମରେ ଲାଗି ପାରୁଥିବେ, ସଖ୍ୟ ସ୍ଥାପନ କରି ପାରୁଥିବେ । ପୁରାତନ ଅନିଚ୍ଛୁକତା ଏବଂ ଜଡ଼ତାଗୁଡ଼ାକର କୌଣସି ତର୍କପ୍ରଣୋଦିତ ଶଙ୍କାଯୁକ୍ତ ବୁଦ୍ଧି ସେମାନଙ୍କୁ ଲୋଭ ଦେଖାଇ ଅଟକାଇ ରଖୀ ଦେଉ ନ ଥିବ । ସଂଘ କହିଲେ ଆମେ ପାରମ୍ପରିକ ଭାବରେ ଯେଉଁଭଳି ଏକ ଗଠନାନୁଷ୍ଠାନ ବୁଝି ଆସିଛୁ–ଦିବ୍ୟ ସଂଘ ଆଦୌ ସେଭଳି କୌଣସି ସଂଘସ୍ଥାପନାର ଅବତାରଣା ଆଣି ଦେବନାହିଁ । ଆତ୍ମୀୟତା, ଏକ ସତତପ୍ରସାରୀ ସହଜ ଆତ୍ମୀୟତା ତାହାର ଦୃଢ଼ତମ ସନ୍ତକ ହୋଇ ରହିଥିବ । ପରସ୍ପର ପାଖରେ ଅଙ୍ଗୀକାରବଦ୍ଧ ହୋଇ ରହିବା, ଦାୟିତ୍ଵସଚେତନ ହୋଇ ରହିବା–ଆତ୍ମୀୟତା କହିଲେ ସେତେବେଳେ ସର୍ବପ୍ରଥମେ ତାହାକୁ ହିଁ ବୁଝାଇବ । ଆତ୍ମୀୟତା ଓ ଅଙ୍ଗୀକାରବଦ୍ଧତାର ପ୍ରସ୍ଥଟି ଯୋଡ଼ାହୋଇ ପାରିଲେ, ଆମର ରାଜନୀତି, ଆମର ଅର୍ଥନୀତି ଓ ଆମର ଶିକ୍ଷା ଏକ ସୁସ୍ଥ ଜୀବନ–ସ୍ଵୀକାରୀ ଭୂମିକୁ ଉତ୍ତୋଳିତ ହୋଇଯାଇ ପାରିବ । ସେହି ଉତ୍ତୋଳନ ଆମ ସମାଜରେ ଏକ ତୁମୁଳ ବିପ୍ଳବକୁ ସମ୍ଭବ କରି ଆଣିବ । ବ୍ୟକ୍ତି ଏକ ଅନୁରୂପ ନିଷ୍ପତ୍ତି ଗ୍ରହଣ କରି ପାରିଲେ ସେହି ବିପ୍ଳବ ହୁଏତ ଏହି ମୁହୂର୍ତ୍ତରୁ ଆମରିଠାରୁ ଆରମ୍ଭ ହୋଇଯାଇ ପାରିବ । କେନ୍ଦ୍ରରୁ ସଂଘ ଉପୁଜିବ,–ସଂଘ ଯାବତୀୟ ପରିବର୍ତ୍ତନର ପୁରୋଗାମୀ ବାହକ ରୂପେ କାର୍ଯ୍ୟ କରିବ ।

 

ଅନ୍ଧାର ଭିତରେ ତଥାପି ଆଲୋକ ଲାଗି ଆଗ୍ରହ ରଖିଥିବା, ଆମ ଉପସ୍ଥିତ ପୃଥିବୀଟିକୁ ଯାବତୀୟ ପ୍ରକାରେ ପ୍ରଧାବିତ କରି ରଖିଥିବା, ଯାବତୀୟ ମରଣାକାଙ୍‍କ୍ଷା ସତ୍ତ୍ୱେ ତଥାପି ଜୀବନ ଉପରେ ଆସ୍ଥା ରଖିବା, ମଣିଷ ଭିତରେ ରହିଥିବା ଭଲ ଉପରେ ଆସ୍ଥା ରଖିବା ଏବଂ, ଏକାବେଳକେ ନିର୍ଦ୍ଦିଷ୍ଟ ଭାବରେ କହିଲେ, ଆପଣା ଭିତରେ ରହିଥିବା ସଖ୍ୟ ଓ ଉନ୍ମୋଚନଗାମୀ ଭଲଟି ଉପରେ ତଥାପି ଆସ୍ଥା ରଖିବା, ପ୍ରଚଣ୍ଡ ମୁଖମାନ ପିନ୍ଧାଇ ଆମକୁ ସତେଅବା ଗୋଟାସୁଦ୍ଧା ଜୟ କରିନେବାକୁ ଆସୁଥିବା ଯାବତୀୟ ଅସତ୍ୟ ସତ୍ତ୍ୱେ ତଥାପି ସତ୍ୟ ଉପରେ ଆସ୍ଥା ରଖିବା ଓ ସତ୍ୟ ଲାଗି ଆଗ୍ରହ ରଖିବା, ତାହାହିଁ ସତ୍ୟାଗ୍ରହ । ସତ୍ୟ ଲାଗି ଆଗ୍ରହ ଏବଂ ତେଣୁ ଅସତ୍ୟ ବିରୁଦ୍ଧରେ ପ୍ରତିବାଦ । ସତ୍ୟାଗ୍ରାହୀ ଆପଣାର ଆଗ୍ରହ ଅନୁସାରେ ଆପଣାର ଜୀବନକୁ ବଞ୍ଚେ, ଏବଂ ତେଣୁ ତାର ଜୀବନ ଅସତ୍ୟର ଗଡ଼ଗୁଡ଼ାକ ଲାଗି ନ୍ୟାୟତଃ ଏକ ପ୍ରତିବାଦ ପରି ହୋଇ ରହିଥାଏ । ସତ୍ୟାଗ୍ରାହୀ ସତ୍ୟ ପ୍ରତିଷ୍ଠାର ପ୍ରତିନିଧି ହୋଇ ରହିଥାଏ, ତେଣୁ ଯାବତୀୟ ଅସତ୍ୟ ଓ ଅର୍ଦ୍ଧ–ସତ୍ୟ ସମ୍ମୁଖରେ ସିଏ ଜଣେ ଅବାଞ୍ଛନୀୟ ବ୍ୟକ୍ତି ହୋଇ ରହିଥାଏ । କର୍ତ୍ତୃତ୍ତ୍ଵ ବଦଳରେ ସିଏ ଅନୁରାଗର କଥା କହୁଥିବାରୁ ସତ୍ୟରେ ଆଗ୍ରହ ରଖିଥିବା ବ୍ୟକ୍ତି କର୍ତ୍ତୃତ୍ତ୍ଵଗୁଡ଼ାକୁ କାମୁଡ଼ି ପଡ଼ି ରହିଥିବା ରାଷ୍ଟ୍ରଶକ୍ତି ଆଗରେ ବିଦ୍ରୋହୀ ଭଳି ଦିଶେ । ରାଷ୍ଟ୍ରଶକ୍ତିଠାରୁ ଯେ ମନୁଷ୍ୟ-ଜୀବନରେ ଦିଗ୍‍ଦର୍ଶନ ଦେଇ ପାରିବାର ଏକ ବୃହତ୍ତର ଶକ୍ତି ରହିଛି, ନିଜର ଏହି ଟାଣ କଥାଟିକୁ ସାବ୍ୟସ୍ତ କରି ବଞ୍ଚି ପାରିବାକୁ ଅନେକ ସମୟରେ ଜଣେ ସତ୍ୟାଗ୍ରହୀକୁ ନିଜର ଜୀବନ ଦେବାକୁ ମଧ୍ୟ ପଡ଼ିଥାଏ । A free man walks with his life on the palm of his hand, ଜଣେ ସତ୍ୟାଗ୍ରାହୀର ଜୀବନରେ ହିଁ ସକ୍ରେଟିସଙ୍କ ଏହି ଉକ୍ତିର ପ୍ରମାଣ ମିଳିଯାଇଥାଏ । ସମାଜର ପରିବର୍ତ୍ତନ ଇଚ୍ଛା କରୁଥିଲେ ବ୍ୟକ୍ତିକୁ ଏହିପରି ଜଣେ ସତ୍ୟାଗ୍ରାହୀ ହେବାକୁ ପଡ଼ିବ, ସତ୍ୟାଗ୍ରହୀ ହୋଇ ହୁଡ଼ି ଯିବାର ଯାବତୀୟ ଆକର୍ଷଣରୁ ଆପଣାକୁ ବଞ୍ଚାଇ ରଖିବାକୁ ହେବ । ଆମ ପୃଥିବୀରେ ଏହି ସତ୍ୟାଗ୍ରହୀମାନଙ୍କର ଦିନ ହିଁ ଆସୁଛି, ସତ୍ୟାଗ୍ରହୀମାନଙ୍କର ଅଳ୍ପତାଗୁଡ଼ାକ ଧରା ପଡ଼ି ପଡ଼ି ଯାଉଛି ।

 

ପୃଥିବୀରେ ମନୁଷ୍ୟନିୟତିର ଏହି ପରବର୍ତ୍ତୀ ପରିବର୍ତ୍ତନ,–ଯୁଗସମୀକ୍ଷକମାନେ ତାହାକୁ ଏକ ଦିକ୍ ପରିବର୍ତ୍ତନ ବା turning point ବୋଲି କହୁଛନ୍ତି । ମନୁଷ୍ୟର ଇତିହାସ ତାକୁ ଏପର୍ଯ୍ୟନ୍ତ ସେହି ପରିବର୍ତ୍ତନଟି ଲାଗି କ୍ରମପ୍ରସ୍ତୁତ କରି ଆସିଛି, ମନୁଷ୍ୟକୁ ସେହି ସଂକ୍ରମଣଟି ଲାଗି କ୍ରମଶଃ ଅଧିକରୁ ଅଧିକ ଉପଯୁକ୍ତ କରି ଆଣିଛି । ଏହି ଦିକ୍ ପରିବର୍ତ୍ତନର ପ୍ରକ୍ରିୟାରେ ସବୁଠାରୁ ଅଧିକ ଆଶାଜନକ ଏବଂ ପ୍ରତ୍ୟେୟଦାୟକ କଥା ହେଉଛି ଯେ, ମନୁଷ୍ୟ ସଚେତନ ଓ ସ୍ଵନିର୍ବାଚିତ ଭାବରେ ଏଇଠି ସହିତ ସହଯୋଗ କରିପାରିବ । ପ୍ରକୃତିର ପ୍ରକ୍ରିୟାକୁ ଆପଣାର ଇଚ୍ଛାକୃତ ଅବଦାନଟି ଦ୍ଵାରା ତ୍ୱରାନ୍ୱିତ କରି ଆଣିବା,–ସାଧନାର ଶାସ୍ତ୍ରରେ ଏହାକୁ ତପସ୍ୟା ବୋଲି ହିଁ କୁହାଯାଇଛି । କେବଳ ମନୁଷ୍ୟ ହିଁ ସେହି ତପସ୍ୟାର ଯୋଗ୍ୟ । ବ୍ୟକ୍ତି ସେହି ତପସ୍ୟାଟିକୁ କରିବ । ଆମ ଇତିହାସରେ ମନୁଷ୍ୟ ଏପର୍ଯ୍ୟନ୍ତ ଯାହାସବୁ କରିଆସିଛି, ସେ ଅଧିକାଂଶତଃ ତାହାକୁ ବାଧ୍ୟ ହୋଇ କରିଛି, ତଦ୍ଦ୍ଵାରା ତା’ର ତପସ୍ୟା କ୍ଷତିଗ୍ରସ୍ତ ହୋଇଛି, ଜୀବର ଅସଲ ନିୟତି ବାଧାପ୍ରାପ୍ତ ହୋଇଛି । ପ୍ରଚଣ୍ଡମାନେ ଅଧିକ ପ୍ରଚଣ୍ଡ ହୋଇଛନ୍ତି, ବର୍ବରମାନେ ଅଧିକ ବର୍ବର ହୋଇଛନ୍ତି । ମଣିଷ ଭିତରେ କେଉଁଠି ଏକ କେନ୍ଦ୍ର ଅଛି ବୋଲି ସ୍ଵୀକାର କରାଯାଇ ନାହିଁ । ସତ୍ୟଗୁଡ଼ାକ ନାନା ଭଳି କର୍ତ୍ତୃତ୍ଵ ସତ୍ତା ଭିତରେ କୁଆଡ଼େ ମାଡ଼ଖାଇ ଯାଇଛନ୍ତି । ମଣିଷମାନେ ମେଣ୍ଢା ହେବାରେ ଲାଗିଛନ୍ତି । ଜ୍ଞାନ ଓ ବିଜ୍ଞାନ ତୁଚ୍ଛା ଅଜ୍ଞାନୀମାନଙ୍କର ସେବାରେ ଆସି ଲାଗିଛନ୍ତି । ଏବେ ଏହି ପ୍ରବୃତ୍ତିଟି ବଢ଼ିବାର ସମୟ ଆସି ପହଞ୍ଚିଲାଣି ବୋଲି ଆମ ଭିତରୁ ଯିଏ ପ୍ରକୃତରେ ବିଶ୍ଵାସ କରୁଥିବ, ସିଏ ପୁଣି ତପସ୍ୟା ପାଖକୁ ଫେରିଆସିବ; ସିଏ କେନ୍ଦ୍ର ହେବ, ଏକ ନିମିତ୍ତ ହେବ । ତାହାରି ଉପରେ ଭରାଦେଇ ଆମ ସମାଜର ପରିବର୍ତ୍ତନ ସମ୍ଭବ ହେବ । ଭବିଷ୍ୟତର ନୂତନ ଆକାଶଗୁଡ଼ିକ କ୍ରମେ ଆମରି ଜୀବନରେ ସ୍ଵୀକୃତି ଲାଭ କରିବେ ଓ ଆମରି ତପସ୍ୟା ଦ୍ଵାରା ହିଁ ମୂର୍ତ୍ତି ଭାବରେ ବ୍ୟକ୍ତ ହୋଇ ଆସିବେ ।

 

—‘ପ୍ରଜ୍ଞାପ୍ରକାଶ’, ପୁରୀ, ୧୯୮୪

Image

 

ମୂଲ୍ୟବୋଧରେ ସଙ୍କଟ

 

ମୂଲ୍ୟବୋଧ ମନକୁ ଆସେ ନାହିଁ । ଜୀବନରେ କୌଣସି ଏକ ମୂଲ୍ୟକୁ ଖୋଜିଲେ ଏବଂ ସେହି ଅନୁସାରେ ଆପଣାକୁ ବଦଳାଇବାକୁ ସତକୁ ସତ ସମ୍ମତ ହେଲେ ଯାଇ ସେହି ମୂଲ୍ୟଟିକୁ ଆବିଷ୍କାର କରିବା ସମ୍ଭବ ହୁଏ । ମୂଲ୍ୟର ଏହି ଆବିଷ୍କାର–ତାହାହିଁ ମୂଲ୍ୟବୋଧ । ଜଣେ ବ୍ୟକ୍ତିର ଜୀବନରେ ଯାହା, ଯେ କୌଣସି ସମାଜ ଅଥବା ସମୂହର ଜୀବନରେ ମଧ୍ୟ ତାହା । ଆମର ଏହି ନିତ୍ୟ ନୈମିତିକ ଜୀବନରେ ଆମକୁ ଯେତିକି ଦିଶୁଛି, ସେତିକି ଲାଭଜନକ ବୋଲି ମନେ ହେଉଛି ଏବଂ ତେଣୁ ନାନାଭାବେ ବହୁ ତତ୍କାଳିକ ସଫଳତାମାନ ଆଣିଦେଇଛି, ସେତିକି ଭିତରେ ଆପଣାର ଜୀବନକୁ କିଳିକରି ରଖିବା, ଗାର ଟାଣି ରଖିବା ଓ ନିରାପଦ କରି ରଖିବା,–ମୂଲ୍ୟବୋଧର ମାନଦଣ୍ଡରେ ଦେଖିଲେ ଏହା ଆଦୌ ଯଥେଷ୍ଟ ନୁହେଁ । ନିଜଠାରୁ ବୃହତ୍ତର ଓ ମହତ୍ତର କୌଣସି ଏକ ଉପଲବଧି ନିମନ୍ତେ ଜୀବନ ବଞ୍ଚିବା, ତାହାହିଁ ମୂଲ୍ୟବୋଧ ଅର୍ଥାତ୍, ସେହି ବୃହତ୍ତର ଏବଂ ଉଚ୍ଚତରଟି ଲାଗି ନିଜେ ଏକ ନିମିତ୍ତ ହୋଇ ରହିବା, କେବଳ ନିଜକୁ ନ ଖୋଜି କିଛି ବୃହତ୍ତରକୁ ଖୋଜିବା, ଆପଣାର ଅସଲ କଲ୍ୟାଣ ଓ ଅସଲ ମଙ୍ଗଳ କହିଲେ ଏକ ବୃହତ୍ତର କଲ୍ୟାଣ ତଥା ମଙ୍ଗଳକୁ ବୁଝିବା,–ତାହାରି ଅର୍ଥ ହେଉଛି ସତକୁ ସତ ଏକ ମୂଲ୍ୟ ଲାଗି ଜୀବନ ବଞ୍ଚିବା । ଯେଉଁମାନେ କେବଳ ନିଜ ପାଇଁ ବଞ୍ଚନ୍ତି, ନିଜର ଗାର ଭିତରେ ରହିବା ଉଚିତ ଏବଂ ଅନୁଚିତର ବିଚାର କରନ୍ତି, ଆପେ ଭଲ ଥିଲେ ଦୁନିଆ ଭଲ ବୋଲି ମିଛ ଦର୍ଶନ ଭିତରେ ନିଜକୁ କିଳି ରଖିଥାନ୍ତି ସେମାନେ ଯେକୌଣସି ବୃହତ୍ତର ଓ ଉଚ୍ଚତରକୁ ମୂଳତଃ ଭୟ କରନ୍ତି । ସେମାନଙ୍କର ଭୟ ହିଁ ଯାବତୀୟ ଜୀବନାଶ୍ରଦ୍ଧାକୁ ଖାଇଯାଏ । ସେମାନେ ଆଦୌ କୌଣସି ପାଇଁ ଜୀବନ ବଞ୍ଚି ପାରନ୍ତି ନାହିଁ ।

 

କେତେକ ଲୋକ ଅଛନ୍ତି, ଯେଉଁମାନେ କି ମୂଲ୍ୟବୋଧ କହିଲେ ଆଉ ପ୍ରକାରେ ବୁଝନ୍ତି-। ପ୍ରତ୍ୟେକ ସମାଜ କେତୋଟି ନିୟମ ଅନୁସାରେ ଚଳୁଥାଏ, ସମାଜର ସମସ୍ତେ ସେହି ନିୟମଗୁଡ଼ିକୁ ମାନି ଚାଲୁଥାନ୍ତି, ଅନ୍ତତଃ ମାନି ଚାଲୁଛନ୍ତି ବୋଲି ସାଧାରଣ ଭାବରେ କୁହାଯାଉଥାଏ-। ସେଗୁଡ଼ିକ ହିଁ ଠିକ୍ ମାନିବା ନିମନ୍ତେ ମଣିଷମାନେ ପ୍ରାୟ ଜନମରୁ ଅଭ୍ୟସ୍ତ ହୋଇ ରହିଥାନ୍ତି-। ସେଗୁଡ଼ିକୁ ହିଁ ଠିକ୍ ବୋଲି କହିବା ଲାଗି ଶିକ୍ଷା ପାଇଥାନ୍ତି । ଏଗୁଡ଼ିକ ମୂଲ୍ୟବୋଧ ନୁହେଁ; ଏଗୁଡ଼ିକ ହେଉଛି ସାମାଜିକ ଅଭ୍ୟାସ, ସାମାଜିକ ସଂସ୍କାର । କେହି ଏଗୁଡ଼ିକୁ ଆପଣାର ଜୀବନରେ ଖୋଜି କରି ପାଇନଥାଏ । ଅଭ୍ୟାସବଶତଃ ସେଗୁଡ଼ିକରେ ମଣ ହୋଇ ରହିଥାଏ । ଅଧିକାଂଶ ମଣିଷ ଏହିପରି ମଣ ହୋଇ ରହିଥିବା ପର୍ଯ୍ୟନ୍ତ ସମାଜ ବେଶ୍ ସୁରୁଖୁରୁରେ ଚାଲୁଅଛି ବୋଲି ସମାଜର ଗୁରୁଜନମାନେ କହୁଥାନ୍ତି । ଏହିପରି ଏକ ସମାଜ ଶାନ୍ତିରେ ଚଳି ଯାଉଥାଏ । ସମସ୍ତେ ନିଜ ନିଜ ଥାନରେ ଶୃଙ୍ଖଳାରେ ରହୁଥାନ୍ତି । କେହି ଗାର ବାହାରକୁ ଯାଆନ୍ତି ନାହିଁ । ଏହିଭଳି ସମାଜମାନ କାଳକ୍ରମେ ଭାଗ୍ୟବାଦୀ ହୋଇଯାଆନ୍ତି । ମଣିଷମାନେ କର୍ମ ଆଦରି ରହିଯାଆନ୍ତି । ଗୁଳାରେ ରହିବାକୁ ସେହିସବୁ ସମାଜରେ ସଚରାଚର ଧର୍ମ ବୋଲି କୁହାଯାଏ । ଅବ୍ୟସ୍ତ ଗୁଳାଗୁଡ଼ିକରୁ ବାହାରିବାକୁ ମନ କଲେ ଯାଇ ଯେ ମନୁଷ୍ୟ ଜୀବନର ଅସଲ ସୃଜନାତ୍ମକ ନୂତନ ପରସ୍ତଗୁଡ଼ିକ ଖୋଲିବାକୁ ଆରମ୍ଭ କରେ, ସେହିସବୁ ସମାଜରେ ପ୍ରାୟ କେହି ହେଲେ ସେକଥାକୁ ସ୍ଵୀକାର କରନ୍ତି ନାହିଁ, ସେହିସବୁ ସମାଜରେ ଜୀବନର ଅସଲ ଉଦୟ ଏବଂ ଅସଲ ସମ୍ଭାବନାଗୁଡ଼ିକ ଭାରି ବିଡ଼ମ୍ବିତ ହୋଇରହିଥାଏ । ମଣିଷ ଭାରି ଅଳପ ହୋଇ ରହିଥାଏ । ମଣିଷ ଅଳପ ହୋଇ ରହିଥିବାରୁ ସମାଜ ମଧ୍ୟ ଅଳପ ହୋଇ ରହିଥାଏ ।

 

ମୂଲ୍ୟବୋଧ ଶାସ୍ତ୍ରରେ ନ ଥାଏ, ସାଧୁବାକ୍ୟରେ ମଧ୍ୟ ନଥାଏ, ମୂଲ୍ୟବୋଧ ଜୀବନରେ ରହିଥାଏ, ମଣିଷର ଯାବତୀୟ ଉଦ୍ୟମ ଭିତରେ ରହିଥାଏ । ଯେକୌଣସି ସମାଜରେ ମଣିଷ ମଣିଷ ଭିତରେ ରହିଥିବା ସମ୍ବନ୍ଧରୁ ହିଁ ତାହାର ପ୍ରକଟ ପରିଚୟ ପ୍ରାପ୍ତ ହୋଇଥାଏ । ଅନେକ ସମୟରେ ଏପରି ଦେଖାଯାଇଥାଏ ଯେ, ଯେଉଁ ସମାଜରେ ପ୍ରକୃତ ଜୀବନ ଭିତରେ ସୁସ୍ଥ ମୂଲ୍ୟବୋଧଗୁଡ଼ିକର ଏକାନ୍ତ ଅଭାବ ରହିଥାଏ, ସେହି ସମାଜରେ ମୂଲ୍ୟବୋଧ ବିଷୟରେ ଅଧିକ ଚକ ଚକ କରି ବହିମାନ ଲେଖାଯାଏ ଏବଂ ଅଧିକ ଚକ ଚକ କରି କଥାମାନ କୁହାଯାଏ । ସେହି ସମାଜର ଇସ୍କୁଲରେ ପିଲାମାନେ ଅଧିକ ତତ୍ପରତା ସହିତ ମୂଲ୍ୟବାକ୍ୟଗୁଡ଼ିକୁ ମୁଖସ୍ଥ କରି ରଖିବା ଲାଗି ଅଧିକ ପ୍ରୋତ୍ସାହନ ପାଆନ୍ତି । ପୃଥିବୀର ପ୍ରାଚୀନ ସମାଜଗୁଡ଼ିକରେ ପ୍ରାୟ ଏହିପରି ଏକ ରୀତି ଭାରି ପ୍ରସିଦ୍ଧି ଲାଭ କରିଥିଲା । ସମାଜରେ, ଜୀବନରେ, ଉପରେ ଥିବା ମଣିଷମାନେ ପଶୁପରି ପାଷଣ୍ଡ ହେଉଥିଲେ ଏବଂ ତଳେ ଥିବା ମଣିଷମାନେ ପଶୁ ପରି ସହ୍ୟ କରୁଥିଲେ । ତଥାପି ରାଜସଭାମାନଙ୍କରେ ପଣ୍ଡିତମାନେ ଥିଲେ, କୁଳଗୁରୁମାନେ ରହିଥିଲେ । ସେମାନେ ଶାସ୍ତ୍ର ଲେଖୁଥିଲେ ଓ ଶସ୍ତ୍ର ବଖାଣୁଥିଲେ । ସାମୂହିକ ଜୀବନ ବଡ଼ ପଙ୍କମୟ ହୋଇ ରହିଥିଲା । ସାମୂହିକ ଜୀବନର ଆକାଶ ଅନ୍ଧକାରମୟ ହୋଇ ରହିଥିଲା ।

 

ଯେଉଁ ମଣିଷମାନେ ନାନାବିଧ କାରଣରୁ ବର୍ତ୍ତମାନର ଜୀବନସମ୍ବନ୍ଧଗୁଡ଼ିକରେ ଯଥାର୍ଥ ମୂଲ୍ୟବୋଧ ଗୁଡ଼ିକର ସମ୍ମୁଖୀନ ହୋଇ ନ ପାରନ୍ତି, ସଚରାଚର ସେହିମାନେ ହିଁ ମୂଲ୍ୟବୋଧର ପ୍ରସଙ୍ଗ ପଡ଼ିବା ମାତ୍ରକେ ଅତୀତ ଆଡ଼କୁ ଅଙ୍ଗୁଳି ଦେଖାଇଥାନ୍ତି । ଏହିପରି କରି ସେମାନେ କେଡ଼େ ପୁଲକିତ ହୁଅନ୍ତି । ଶାସ୍ତ୍ରଗୁଡ଼ିକୁ ଜୀବନଠାରୁ ଅଧିକ ପ୍ରାମାଣିକ ବୋଲି ବିଶ୍ଵାସ କରନ୍ତି । ଜୀବନ ଓ ସମ୍ବନ୍ଧଗୁଡ଼ିକ ତୁଚ୍ଛା ଉଷର ହୋଇପଡ଼ିଥିଲେ ମଧ୍ୟ ସେମାନେ ଶାସ୍ତ୍ର ଭିତରୁ, ଅତୀତ ଭିତରୁ ପାରିଜାତକୁସୁମ ତୋଳିବାରେ ଲାଗିଥାନ୍ତି । ଅତୀତରେ ଅଧିକାଂଶ ମଣିଷ ନିୟମ ମାନୁଥିଲେ, ସଂସ୍କାର ଭିତରେ ରହିଥିଲେ । ନିୟମ ଓ ସଂସ୍କାରଗୁଡ଼ିକୁ ନ ମଣିବାକୁ ହିଁ ପାପ ବୋଲି କୁହାଯାଉଥିଲା । ସମୂହଗୁଡ଼ିକର ଚାରିପାଖରେ ବାଡ଼ ଦିଆହୋଇ ରହିଥିଲା । ବାଡ଼ ସେପାଖରେ ଯେ ଆହୁରି ସଂସାର ଓ ସଂସ୍କାରମାନ ରହିଛି, ସେକଥା ସେତେବେଳେ କେହି କହୁନଥିଲେ । ତେଣୁ, ‘ଯସ୍ମିନ୍ ଦେଶ ଯ ଆଚାରଃ’ କୁ ହିଁ ଧର୍ମ ବୋଲି କୁହାଯାଉଥିଲା । ଏବେ ଆଧୁନିକ ଯୁଗରେ ଧର୍ମର ସେହି ଭୂଗୋଳଗୁଡ଼ିକ ଅତ୍ୟନ୍ତ ଶୋଚନୀୟ ଭାବରେ ବଦଳିଯିବାକୁ ଆରମ୍ଭ କଲେ । ଗାର ବାହାରକୁ ଯିବା ଲାଗି ଅଧିକ ଅବସର ଆସି ପହଞ୍ଚିଲା । ଆଧୁନିକ ବିଜ୍ଞାନରୁ ବୈଜ୍ଞାନିକ ଦୃଷ୍ଟି ବୋଲି ଏକ ନୂତନ ପରିମଳ ଜନ୍ମ ଲାଭ କଲା । ଗୋଟିଏ ସଂସ୍କାରର ଆଉ ଗୋଟିଏ ସଂସ୍କାର ସହିତ ସଂଘାତ ଘଟିଲା । ମଣିଷ ସ୍ଥାନୀୟ ଭାବରେ ମାନି ଆସୁଥିବା ବିଧାନଗୁଡ଼ିକଠାରୁ ସିଏ ନିଜେ ଯେ ଅନେକ ଅଧିକ ବଡ଼ ଓ ଅନେକ ଅଧିକ ମୂଲ୍ୟବାନ, ପୃଥିବୀରେ ଏହି ଅନ୍ୟ ବିବେଚନାଟି ଅତୀତର ଅନେକ ଅର୍ଦ୍ଧସତ୍ୟକୁ ଏକାବେଳକେ ପଦାରେ ପକାଇଦେବାକୁ ଆସିଲା । ତଥାକଥିତ ସବୁ ଧର୍ମର ଆହୁରି ସେପାଖକୁ ଯେ ଏକ ବହୁ–ସମ୍ଭାବନାମୟ ଅନ୍ତରଙ୍ଗତା ମଣିଷକୁ ମଣିଷ ସହିତ କେତେନା କେତେ ଆହ୍ଵାନର ସୂତ୍ରରେ ଏକତ୍ର କରି ବାନ୍ଧିରଖିଛି, ଆମ ଆଧୁନିକ ପୃଥିବୀ ସେହିପରି ଏକ ଦୃଢ଼ ପ୍ରତ୍ୟୟ ସହିତ ଆମ ଆଗରେ ଆସି ଉପସ୍ଥିତ ହେଲା । ଅତୀତରେ ପବିତ୍ର ବୋଲି ଘୋଷିତ ହୋଇ ଆସିଥିବା ବହୁ ବିଧାନ ଏବଂ ବୋଧ ଏଣିକି ଏକାନ୍ତ ଅଯଥେଷ୍ଟ ବୋଲି ଅନୁଭୂତ ହେବାଲୁ ଲାଗିଲା । ଅତୀତର ତଥାକଥିତ ମୂଲ୍ୟବୋଧଗୁଡ଼ିକ ଆଉ ମୋଟେ ପୋଷେଇଲା ନାହିଁ । ମାତ୍ର, ସେଗୁଡ଼ିକ ଛାଡ଼ି ନ ଆସିବା ପର୍ଯ୍ୟନ୍ତ, ଅର୍ଥାତ୍ ଆପଣାର ବ୍ୟକ୍ତିଗତ ତଥା ସାମୂହିକ ଜୀବନରେ ସତକୁ ସତ ଏକ ସଂପ୍ରସାରଣ ଓ ଅତିକ୍ରମତା ଲାଗି ଆବଶ୍ୟକ ଭୂମିଗୁଡ଼ିକ ସ୍ଵୀକାର ଏବଂ ସମ୍ଭବ କରି ନେବା ପର୍ଯ୍ୟନ୍ତ ଉପସ୍ଥିତ ନୂତନ ଭୂମିଟିରେ ଜୀବନ ବଞ୍ଚିବା ସମ୍ଭବ ହେବ କିପରି-? ସେହିଥିରୁ ହିଁ ସଙ୍କଟ ଆସି ପହଞ୍ଚିଲା ।

 

ତେଣୁ ମୂଲ୍ୟବୋଧରେ ସଙ୍କଟ ହେଉଛି ଯଥାର୍ଥ ଅତୀତରେ ଆମେ ଆବୋରି ଧରି ରହିଥିବା ପୁରାତନ ମୁଲ୍ୟଗୁଡ଼ିକୁ ନ ଛାଡ଼ି ପାରିବାର ଅସମର୍ଥତାକୁ ଜାତ ହେଉଥିବା ଏକ ସଙ୍କଟ । ପୁରୁଣା ମୂଲ୍ୟଗୁଡ଼ିକ ଏବେ ଆଉ କୌଣସି କାମ ଦେଉନାହିଁ । ପୁରୁଣା ସଂଜ୍ଞାଗୁଡ଼ିକ ଏକାନ୍ତ ଅଚଳ ହୋଇ ସାରିଲାଣି । ବାହାରେ ଯେତେ ଯାହା ଅଭିନୟ କରୁଥିଲେ ମଧ୍ୟ ଆମେ ସେଗୁଡ଼ିକୁ ସତକୁ ସତ ଛାଡ଼ି ଆସିଲୁଣି । ଅନ୍ତତଃ ସେଗୁଡ଼ିକ ଉପରେ ଆମର ପ୍ରତ୍ୟେୟ ଛାଡ଼ି ଗଲାଣି । ନୂତନ ମୂଲ୍ୟଗୁଡ଼ିକ, ନୂତନ ଆହ୍ଵାନଗୁଡ଼ିକ ଏବଂ ନୂତନ ଆବଶ୍ୟକତାଗୁଡ଼ିକ ଅନ୍ତତଃ ଆଖିଥିବା ପ୍ରତ୍ୟେକ ବ୍ୟକ୍ତିକୁ ଜଳ ଜଳ ହୋଇ ଦେଖାଯାଉଛି ସତ, ମାତ୍ର ସେଗୁଡ଼ିକୁ ଗ୍ରହଣ କରିନେବାଲାଗି ଆମେ ମୋଟେ ରାଜି ହୋଇପାରିନାହୁଁ । ଅଧିକ ସ୍ପଷ୍ଟକରି କହିଲେ, ସେହି ମୂଲ୍ୟବୋଧଗୁଡ଼ିକୁ ଗ୍ରହଣ କରି ନେବାଲାଗି ଆମର ବ୍ୟକ୍ତିଗତ ତଥା ସାମୂହିକ ବସ୍ତୁଭୂମିଗୁଡ଼ିକରେ ଆମକୁ ଯେଉଁ ସବୁ ପରିବର୍ତ୍ତନକୁ ସ୍ଵୀକାର କରିନେବାକୁ ପଡ଼ିବ, ଆମେ ସେଗୁଡ଼ିକ ନିମନ୍ତେ ଆଦୌ ରାଜିହୋଇ ପାରୁନାହୁଁ । ସଙ୍କଟ ସେଇଥିରୁ ହିଁ ଉପୁଜୁଛି । ଆମର ଗୋଟାଏ ଗୋଡ଼ ନୂଆକୁ ମନ କରି ବାହାରୁଛି ତ, ଆଉ ଛଅଟା ଗୋଡ଼ ଆମକୁ ଏକାବେଳେକେ ସେହି ପୁରୁଣାଟା ଭିତରେ ବାନ୍ଧି ରଖିବାକୁ ଇଚ୍ଛା କରୁଛନ୍ତି । ଆମ ଯୁଗର ଅସଲ ସଙ୍କଟ ଠିକ୍ ଏଇଠି । ସଙ୍କଟ ମୂଲ୍ୟଗୁଡ଼ିକ ମଧ୍ୟରେ ନାହିଁ, ମାତ୍ର ମୂଲ୍ୟଗୁଡ଼ିକୁ ସତକୁ ସତ ସ୍ଵୀକାର କରିନେବା ପାଇଁ ଆମର ବହୁବିଧ ସଙ୍କୋଚ ଓ ଅନିଚ୍ଛୂକତା ମଧ୍ୟରେ ହିଁ ରହିଛି ।

 

ପାରମ୍ପରିକ କାଳରେ ସବୁ କିଛି କେତେଜଣଙ୍କ ପାଇଁ ରହିଥିଲା । କେତେକ ବ୍ୟକ୍ତି ଅଥବା କେତେକ ଶ୍ରେଣୀ ଲାଗି ରହିଥିଲା । ପାରମ୍ପରିକ ସମାଜିକତାବୋଧ ଏବେ ମଧ୍ୟ ଆମ ଅନେକଙ୍କୁ ମୋଟାମୋଟି ତାହାରି ଭିତରେ ଆମ ଗୋଡ଼ରେ ଝୁଣ୍ଟିଆ ପିନ୍ଧାଇ ବାନ୍ଧି ରଖିଛି । ଆମର ଧର୍ମଭାବନା, ମନୁଷ୍ୟ ବିଷୟରେ ଆମର ପ୍ରାୟ ଯାବତୀୟ ଆକଳନ ଓ ଅନୁମାନ ଏବେ ମଧ୍ୟ ସେହି ବିଧାନଟି ଅନୁସାରେ ଚଳୁଛି । ଆମର ସାହିତ୍ୟ, ଆମ ସଂସ୍କୃତି ଓ ଜୀବନର ସୃଜନାତ୍ମକତା ବିଷୟରେ ଆମର ଯାବତୀୟ କଳ୍ପନା ଓ ଛଳନା ମୁଖ୍ୟତଃ ତାହାରି ଭିତରେ ମୁହଁମାଡ଼ି ଗୋଡ଼ ଛନ୍ଦାଇ ପଡ଼ିରହିଛି । ସମସ୍ତେ ନୁହନ୍ତି, ଆମ ପୃଥିବୀରେ କେତେଜଣ ହିଁ ସମ୍ପନ୍ନ ହୋଇ ରହିଛନ୍ତି । କୃତିତ୍ଵର ଯାବତୀୟ ଲକ୍ଷ୍ମୀଙ୍କୁ ସେହିମାନେ ଭୋଗ କରୁଛନ୍ତି । ସେହିମାନଙ୍କର ଅଧା ଅନୁସାରେ ତଥାକଥିତ ସବୁ ଅର୍ଥନୀତି ଚାଲିଛି । ଆମର ଚଳନ୍ତି ରାଜନୀତି ମଧ୍ୟ ସତେଯେପରି ଭାଗ୍ୟବାନ ଅଳ୍ପ କେତେକଙ୍କ ହାତରେ କ୍ଷମତା ଓ କର୍ତ୍ତୃତ୍ଵର ଅସଲ ସୂତ୍ରଗୁଡ଼ିକ ଅବଶ୍ୟ ରହିବ ବୋଲି ସ୍ଵୀକାର କରିନେଇଛି । ଏଣେ ଲୋକତନ୍ତ୍ର କଥା କୁହାଯାଉଛି, ପୃଥିବୀରେ ମୋଟା କେହି ଭୋକରେ ଓ ଅଭାବରେ ରହିବେ ନାହିଁ ବୋଲି ଘୋଷଣା ହୋଇ ସାରିଲାଣି । କୌଣସି ମଣିଷର ଭୋକ ତଥା ତତ୍ତୁଲ୍ୟ କୌଣସି ଅସମର୍ଥତା ମଧ୍ୟରେ ରହିବାକୁ ବାଧ୍ୟ ହେବାର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ଆଧୁନିକ ବିଜ୍ଞାନୀମାନେ ହିସାବ କରି କହିସାରିଲେଣି । ପ୍ରତ୍ୟେକ ମନୁଷ୍ୟ ଭିତରେ ଭଗବାନ ରହିଛନ୍ତି ବୋଲି ତେଣେ ସମାଜରେ, ସମ୍ବନ୍ଧରେ, ବିଦ୍ୟାରେ ଏବଂ ସୁଯୋଗଗୁଡ଼ିକର କ୍ଷେତ୍ରରେ ମଣିଷକୁ ଉତ୍ତମ ଏବଂ ଅଧମ ନ୍ୟାୟରେ ସତର ଭାଗକରି ରଖିବା ମଧ୍ୟରେ ଭାରତବର୍ଷରେ କାଳ କାଳରୁ ଯେଉଁ ବିରୋଧ ଏବଂ ତଜ୍ଜନିତ ବହୁ ସଙ୍କଟ ଏଠି ଆମର ମୂଲ୍ୟବୋଧ ଗୁଡ଼ିକୁ ଯେପରି କାମଳଗ୍ରସ୍ତ କରି ରଖିଆସିଛି, ବର୍ତ୍ତମାନ ଆମକୁ କାମୁଡ଼ି କରି ଧରିଥିବା ମୂଲ୍ୟବୋଧର ସଙ୍କଟକୁ ଆମେ ପ୍ରାୟ ସେହିପରି ଏକ ଭୂମି ଉପରେ ବିଚାର କରିପାରିବା ।

 

ମୂଲ୍ୟବୋଧର ଏହି ସଙ୍କଟ ଦୂର ହୋଇପାରିବ କିପରି ? ଆମେ ସମସ୍ତେ ଯଦି ଏକ ନୂତନକୁ ମଙ୍ଗିପାରିବା, ଏକ ଅନ୍ୟ ଭବିଷ୍ୟତ ଲାଗି ଇଚ୍ଛୁକ ହେବା, ତେବେ ଯାଇ ସେହି ସଙ୍କଟକୁ ଡେଇଁ ବାହାରି ଯାଇପାରିବା । ଏଇ ପୃଥିବୀ ସବୁ ମଣିଷଙ୍କର ହେବ, ଏଠି ସବୁ ମଣିଷଙ୍କର ହୃଦୟ ହେବ, ଏବଂ ଆମେ ଚକ୍ଷୁଥିବା ସମ୍ପୃକ୍ତ ସମସ୍ତେ ସେହିପରି ଏକ ଅନ୍ୟ ପ୍ରତିଶ୍ରୁତିମୟ ଭବିଷ୍ୟଲାଗି ନିମିତ୍ତ ହୋଇ ତିଆରି ହେବା, ଆମେ ଆପଣାର ବିଦ୍ୟା, ବିବେକ ଏବଂ ସାମର୍ଥ୍ୟକୁ ପ୍ରଧାନତଃ ସେଇଥିପାଇଁ କାମରେ ଲଗାଇପାରିବା, ଆପଣାର ତତ୍କାଳୀନ ସ୍ଵାର୍ଥ, ଲାଭ ଓ ମତଲବଗୁଡ଼ିକ ଭିତରୁ ବାହାରି କିଛି ବୃହତ୍ତରକୁ ଓ ଉଚ୍ଚତରକୁ ମନକରିବା,–ତେବେ ଯାଇ ଆମେ ଏହି ସଙ୍କଟଟିକୁ ପାରହୋଇଯିବା ଏବଂ, ଯେଉଁ ଦେଶରେ ଅଥବା ସମୂହରେ, ଅଧିକରୁ ଅଧିକ ଚକ୍ଷୁଷ୍ମାନ୍ ବ୍ୟକ୍ତି ଏଥିପାଇଁ ରାଜି ହେବେ ଓ ଆପଣାର ସୃଜନାତ୍ମକ ପୁଞ୍ଜିଗୁଡ଼ିକୁ ଏହିପରି ଭାବରେ କାମରେ ଲଗାଇପାରିବେ, ସେହି ଦେଶ ଓ ସେହି ସମୂହ ମଧ୍ୟ ତାହାରି ଫଳରେ ହିଁ ଉପସ୍ଥିତ ସଙ୍କଟକୁ ଅତିକ୍ରମ କରିଯାଇପାରିବ । ଏକ ନୂତନ ପାରସ୍ପରିକତା ଜନ୍ମଲାଭ କରିବ । ତେଣୁ ବର୍ତ୍ତମାନର ଅନେକ ବ୍ୟାଧି ଦୂର ହୋଇଯିବ । ଆମର ସାହିତ୍ୟ, ଆମର ସମ୍ବନ୍ଧ, ଆମର ଅର୍ଥନୀତି ତଥା ରାଜନୀତି ମଧ୍ୟ ସେହି ପାରସ୍ପରିକତାର ଦ୍ୟୋତକ ହୋଇ ରହିବ । ଆମକୁ କାମୁଡ଼ି ଧରିଥିବା ବହୁ ମିଛ ଭୟ ଓ ମିଛ ସଙ୍କୋଚ ଆମକୁ ଛାଡ଼ି ଚାଲିଯିବ । ଘୃଣା ନୁହେଁ, ଦୂରତା ନୁହେଁ, କୃପଣତା ନୁହେଁ, ଏକ ଏକ ଅନ୍ତରଙ୍ଗତାକାମୀ ଶ୍ରଦ୍ଧା ହିଁ ଆମ ଜୀବନ ବଞ୍ଚିବାର ଓ ଜୀବନକୁ ଆବିଷ୍କାର କରିବାର ସର୍ବମୂଳ ନିର୍ଭର ଓ ସାଧନ ହୋଇ ରହିବ । ମାତ୍ର ଆମେ ମଙ୍ଗିଲେ ଯାଇ ସେପରି ହେବ-। ପୁରୁଣା ଭିତରେ ଥାଇ ମଧ୍ୟ ଅନ୍ତତଃ କେତେଜଣ ସାହସ କରି ନୂଆ ଭିତରକୁ ଗୋଡ଼ ପକାଇଲେ ଯାଇହେବ । ଆଗକୁ ଦୁଆରଟିଏ ଖୋଲିପାରିବ । ସଙ୍କଟ ଦୂର ହେବ ।

 

୧୯୮୮

(କଟକ ‘ଆକାଶବାଣୀ’ ସୌଜନ୍ୟରୁ)

Image

 

ଅନାବନା ରଚନା

ସଂସ୍କୃତି, ସଙ୍କଟ, ଓ ସମାଧାନ

 

ଆମ ସାମୂହିକ ଜୀବନର ଗୁଣାତ୍ମକ ଆବେଦନଗୁଡ଼ିକର କ୍ରିୟାଶୀଳ କ୍ଷେତ୍ରଟିକୁ ହିଁ ଆମେ ସଂସ୍କୃତି ବୋଲି କହିବା । ଜୀବନ କହିଲେ ଆମ ସମ୍ମୁଖରେ ଆସି ନିରନ୍ତର ଉପସ୍ଥିତ ହେଉଥିବା ଆହ୍ଵାନଗୁଡ଼ିକୁ ହିଁ ବୁଝାଇବ । ସେହି ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବାକୁ ହୁଏ, ଜବାବ ଦେବାକୁ ହୁଏ । ଜବାବ ଦେଇପାରିଲେ ଯାଇ ସୋପାନ ଉଠିବା ସମ୍ଭବ ହୁଏ । ଜବାବ ଦେଇ ନ ପାରିଲେ ଅଥବା ଜବାବ ପର୍ଯ୍ୟାପ୍ତ ନ ହେଲେ ସଙ୍କଟ ଆସି ପହଞ୍ଚେ । ଅନେକ ସମୟରେ ଗୋଟିଏ ଗୋଟିଏ ସଂସ୍କୃତି ଏତେ ଅତିରିକ୍ତ ପରିମାଣରେ ଅକ୍ତିଆରର ବାହାର ହୋଇପଡ଼ିଥାନ୍ତି ଯେ, ତାହାର କ୍ଷେତ୍ରରେ ସତକୁ ସତ ଏକ ସଙ୍କଟ ଆସି ଉପସ୍ଥିତ ହେଲାଣି ବୋଲି ଘ୍ରାଣ କରିପାରିବାକୁ ମଧ୍ୟ ସାମୂହିକ ଜୀବନରେ ଯଥେଷ୍ଟ ସଚେତନତା ନ ଥାଏ । ଓଡ଼ିଶାରେ ଆମେ ଆମ ସଂସ୍କୃତିର କ୍ଷେତ୍ରରେ ଏକ ସଙ୍କଟ ବିଷୟରେ କ୍ରମେ ସଚେତନ ହେଉଛୁ, ତାହା ଏକ ସୁସ୍ଥତାର ଲକ୍ଷଣ, ଏକ ଜାଗରୁକତାର ଲକ୍ଷଣ । ଆମେ ଯେ ତଥାପି ବଞ୍ଚିଛୁ, ତାହାରି ଲକ୍ଷଣ । ସଙ୍କଟ-ସଚେତନତା ସର୍ବଦା ଏକ ସୁସ୍ଥତାର ଲକ୍ଷଣ ।

 

ଆମ ଦେଶରେ ସମ୍ପ୍ରତି ସଂସ୍କୃତି କେଉଁଠି ଅଛି ଯେ, ଓଡ଼ିଶା ନାମକ ଆମର ଏହି ନିଜ ଘରଟିରେ ଆମେ ଓଡ଼ିଆ ସଂସ୍କୃତି ଛାରଖାର ହୋଇଯାଉଛି ବୋଲି ଅଲଗା ଖେଦ କରିବାକୁ ମନ କରିବା ? ଭାରତବର୍ଷ ରାଜନୀତିକ ସ୍ଵାଧୀନତା ଲାଭ କରିବା ପରେ ଭାରତର ସାଂସ୍କୃତିକ ଆକାଶଟିକୁ ହିଁ ସମ୍ଭବତଃ ସବୁଠାରୁ ଅଧିକ ପ୍ରମାଦ ଭୋଗ କରିବାକୁ ପଡ଼ିଛି । ଯେଉଁ ରାଜନୀତି ଭାରତବର୍ଷକୁ ରାଜନୀତିକ ସ୍ଵାଧୀନତା ଆଣି ଦେଉଥିଲା, ସ୍ଵାଧୀନ ଭାରତରେ ସେହି ରାଜନୀତି କୁଆଡ଼େ ଗଲା ? ଯେଉଁ ବିଶେଷ କିସମର ନେତୃତ୍ଵଟି ଭାରତର ସ୍ଵାଧୀନତା–ସଂଗ୍ରାମରେ ଆମର ଜାତୀୟ ନିୟତିକୁ ବାଟ କଢ଼ାଇ ଆଣୁଥିଲା, ସ୍ଵାଧୀନ ଭାରତରେ ସେହି ନେତୃତ୍ଵ କେଉଁ ଲାଜରେ କାହିଁକି ଲୁଚିଛପି ଗଲା ? ଓଡ଼ିଶାର ରାଜନୈତିକ ଚେତନାଗତ ବିବର୍ତ୍ତନଟି ପ୍ରାୟ ଏହି ଶତାବ୍ଦୀର ଆରମ୍ଭରୁ ହିଁ ଏପରି କେତେକ ବିଶେଷ ସୀମାବଦ୍ଧତା ମଧ୍ୟରେ ସତେଅବା ପେଙ୍ଗେଇ ପେଙ୍ଗେଇ ଚାଲିବାକୁ ବାଧ୍ୟ ହେଲା, ଯାହା ଫଳରେ କି ଓଡ଼ିଶାରେ ଆମକୁ ସ୍ଵାଧୀନତା ପରବର୍ତ୍ତୀ ସମଗ୍ର ଦେଶର ଉକ୍ତ ଦୁର୍ବିପାକଟିରୁ ଅପେକ୍ଷାକୃତ ଅଧିକ ପରିମାଣରେ ଦାଉ ସହିବାକୁ ପଡ଼ିଲା । ଆମର ଶିକ୍ଷା, ଆମର ସାହିତ୍ୟ, ଆମ ପାରସ୍ପରିକ ଜୀବନର ଯାବତୀୟ ପରିମଳ,–ଏହି ସବୁକିଛିକୁ ସତେଅବା ବାବୁମାନେ ଆସି ଆତ୍ମସାତ୍ କରିନେଲେ । ସତେଅବା ସେହିମାନେ ହିଁ ନିଜକୁ ସମଗ୍ର ଓଡ଼ିଶା ବୋଲି କହିବା ଆପଣା ଆପଣାର ଜଙ୍ଗଲ ଭିତରେ ଡିଣ୍ଡିମ ପିଟିଲେ । ମଣିଷ ମଣିଷ ମଧ୍ୟରେ ସର୍ବନିମ୍ନ ଯେଉଁ ପ୍ରତ୍ୟୟଟି ରହିଲେ ମଣିଷମାନେ ଆପଣାକୁ ଗୋଟିଏ ଏକକ ବୋଲି ଅନୁଭବ କରନ୍ତି ଏବଂ ସେମାନଙ୍କର ଜୀବନରେ ଅନ୍ତତଃ ଏକ ସର୍ବନିମ୍ନ ସାଂସ୍କୃତିକତା ସମ୍ଭବ ହୁଏ, ଆମ ସମଷ୍ଟିଗତ ଜୀବନର ଯାବତୀୟ ଅଳିନ୍ଦରୁ ସେହି ପ୍ରତ୍ୟୟ ବିଦାୟ ହୋଇ ଚାଲିଗଲା ।

 

ଓଡ଼ିଶାରେ ପ୍ରାଥମିକ ସ୍ତରରେ ମଧ୍ୟ ସତର ପ୍ରକାରର ଶିକ୍ଷା ଚାଲିଲା । ବାବୁମାନେ, ଉପରେ ବ୍ରାହ୍ମଣ ହୋଇ ବସିଲେ ଓ ଅପର ସମସ୍ତଙ୍କୁ ଅବର ଶୂଦ୍ରବତ୍ ଜ୍ଞାନ କଲେ, ସେମାନଙ୍କର ଭାଗ୍ୟଧର ହୋଇ ରହିଲେ । ଆମ ବିଶ୍ୱବିଦ୍ୟାଳୟମାନେ ଛତରା ହେଲେ । ସେମାନେ ଯେ ଏହି ଓଡ଼ିଶା ଭିତରେ ରହିଛନ୍ତି, ସେମାନଙ୍କର ଭେକମାନଙ୍କରୁ ମଧ୍ୟ ସେହି ପ୍ରତ୍ୟୟଟି ମିଳିବା ଦୁଷ୍କର ହେଲା । ବିଦ୍ୟାମାନେ ପରାଭୂତ ହୋଇ ପଳାୟନ କଲେ । ଇସ୍କୁଲମାନଙ୍କୁ ମାଷ୍ଟର ଗଲେ ନାହିଁ; ବାବୁମାନେ ତାହା ଜାଣିଲେ, ମାତ୍ର ହାତଗୁଞ୍ଜା ଆଦୌ କିଛି କରିବେ ନାହିଁ ବୋଲି ମମସ୍ଥ କଲେ । କ୍ରମେ ଅକର୍ମଣ୍ୟ ହେଲେ, ନିଜ ଭାଗ୍ୟଟିର ପରିଚାର୍ଯ୍ୟା କରି ହିଁ ସେମାନେ ଆପଣାକୁ କୃତକୃତ୍ୟ ମନେ କଲେ । ଆମର ପୋଲିସଥାନା, ଆମର କଚେରୀ, ଆମ ନ୍ୟାୟାଳୟ ଓ ବହୁ ବିଭାଗରେ ବିଭକ୍ତ ହୋଇ କେଡ଼େ ମଞ୍ଜୁଳ ଦିଶୁଥିବା ଆମର ପ୍ରଶାସନିକ ମହକୁମାଗୁଡ଼ାକ ପ୍ରକୃତରେ ଯେ ଏହି ଓଡ଼ିଶାର ଲୋକମାନଙ୍କ ପାଇଁ ଅଭିପ୍ରେତ ହୋଇ ରହିଛି, ସେହି ସବୁ ଅତ୍ୟନ୍ତ ପ୍ରଦୂଷିତ ଚିତ୍ରାବ୍ୟୁହମାନଙ୍କୁ ଗଲେ ସେ କଥାଟିର କୌଣସି ସୂଚନା ମିଳିଲା ନାହିଁ । ଯେଉଁଠି ଉପରେ ହୃଦୟହୀନ ଉଦାସୀନମାନେ ରାଜା ହୋଇ ବସିଛନ୍ତି ଓ ତଳେ ଭାଗ୍ୟହୀନମାନେ ଭାଗ୍ୟ ବ୍ୟତୀତ ଜୀବନରେ ଆଦୌ ଆଉ କୌଣସି ଉତପ୍ରେରକ ରହିଛି ବୋଲି ଭାବିବାକୁ ମଧ୍ୟ ଅସମର୍ଥ ହୋଇ ରହିଛନ୍ତି, ସେଠି ଆଦୌ କୌଣସି ସଂସ୍କୃତି ମଧ୍ୟ କାହିଁକି ସମ୍ଭବ ହେବ ? ମାଛମାନଙ୍କର ସଂସାରରେ ବଡ଼ମାଛ ସାନ ମାଛକୁ ଖାଇଯାଏ । ଆମ ସାମାଜିକ ଜୀବନର ଗୁମ୍ଫାମାନଙ୍କରେ ପ୍ରାୟ ସେହିପରି ଏକ ମତ୍ସ୍ୟ-ନ୍ୟାୟ ହିଁ ଚାଲିଛି; ସତେଅବା ସେଇଥିପାଇଁ ସବୁଠାରୁ ଅଧିକ ପଇସା, ଅଧିକ ମୁଣ୍ଡ ଓ ଅଧିକ ଚାଲାଖି ଖରଚ ହେଉଛି । ଏପରି ଏକ ବିଛୁଆତି ବଣରେ ସଂସ୍କୃତି କାହିଁକି ଫଳିବାକୁ ମନ କରିବ ? ସଭାମାନଙ୍କର ବିଟ-ମଣିଷମାନେ ଯେତେ ଅଳଙ୍କାର ପିନ୍ଧି ଯେତେ ଯାହା ଉଦ୍‍ଗାରିବାରେ ଲାଗିଥିଲେ ମଧ୍ୟ ଆମେ ସଂସ୍କୃତିଛଡ଼ା ହୋଇ ହିଁ ରହିଥିବା ।

 

ଉନବିଂଶ ଶତାବ୍ଦୀର ଅଧାଅଧି ବେଳକୁ ଶ୍ରୀଯୁକ୍ତ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଜ୍ୟ ‘ଓଡ଼ିଶା ଭାଷା ଏକ ସ୍ଵତନ୍ତ୍ର ଭାଷା ନୁହେଁ’ ବୋଲି ସିନା ମନ୍ତବ୍ୟ କରିଥିଲେ, ମାତ୍ର ଆମର ସାଂପ୍ରତିକ ଶତାବ୍ଦୀରେ ଓଡ଼ିଶାର ସ୍ଥାନସ୍ଥ ଓଡ଼ିଆ ବାବୁମାନେ ହିଁ ସତେଅବା ଓଡ଼ିଆକୁ ଆଦୌ ଏକ ଭାଷା ବୋଲି ମଧ୍ୟ ସ୍ଵୀକାର ନ କରିବାକୁ ବଦ୍ଧପରିକର ହୋଇ ବାହାରିଛନ୍ତି । ସେମାନେ ସମସ୍ତେ ଇଂରାଜୀ ଭାଷା ସହିତ ରତି କରିବେ ବୋଲି ଅଙ୍ଗୀକାରବଦ୍ଧ ହୋଇଛନ୍ତି । ଏକ ସାମନ୍ତବାଦୀ ସମାଜରେ ଶିଖରୁ ନଖ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ସାମନ୍ତ ହେବାକୁ ହିଁ ଆପଣା ଜୀବନରେ ଉଚ୍ଚତମ ଅଭୀଷ୍ଟ ବୋଲି ମାନି ନେଇଥିବାରୁ ଓଡ଼ିଶାରେ ଇଂରାଜୀ ପଢ଼ାଟା ଓଡ଼ିଆ ଭାଷାର ଅନୁଶୀଳନ ଅପେକ୍ଷା ଅଧିକ ମର୍ଯ୍ୟାଦା ପାଇବାରେ ଲାଗିଛି । ଏକ ଅନିଶ୍ଚିତ ବର୍ତ୍ତମାନ ମଧ୍ୟରେ ଇଂରାଜୀ ଭାଷାର ମାଧ୍ୟମକୁ ପ୍ରାୟ ଏକମାତ୍ର ପରିତ୍ରାଣ ବୋଲି ଗ୍ରହଣ କରିଥିବା ପରି ଆମ ସମସ୍ତଙ୍କର ପରମ ଉତ୍ସାହରେ ଇଂରାଜୀ ମାଧ୍ୟମବାଲା ଇସ୍କୁଲଗୁଡ଼ାକ ମଫସଲ ଆଡ଼କୁ ମଧ୍ୟ ଅନୁପ୍ରବେଶ କରିବାକୁ ଆରମ୍ଭ କଲେଣି । ଏହି ଇସ୍କୁଲଗୁଡ଼ିକର ପିଲାଏ ଇଂରାଜୀ ଭାଷାକୁ ସତକୁ ସତ କେତେଦୂର ସାଧ୍ୟ କରୁଛନ୍ତି, ସେକଥା କେହି କହିପାରିବ ନାହିଁ, ମାତ୍ର ସେମାନେ ଆମ ଗାଁ ଓ ସହରମାନଙ୍କରେ ଏକାବେଳକେ ଅନ୍ୟ ଭଳି ଦିଶୁଛନ୍ତି । ଓଡ଼ିଆ ଭାଷାକୁ ସତେଅବା ଗୋଟାଏ ପୋଇଲି ଭାଷା ବୋଲି ବିଶ୍ଵାସ କରିବାର ଶିକ୍ଷା ପାଉଛନ୍ତି । ନିଜର ଘରଟାକୁ ଘୃଣା କରିବା ପାଇଁ ଯେତେଦୂର ମନ୍ତ୍ରଣା ଦିଆଯାଇପାରେ, ସାନ ବୟସରୁ କ୍ରମେ ଅଧିକରୁ ଅଧିକ ପିଲାଙ୍କୁ ସେହି ମନ୍ତ୍ରଣାରେ ମନ କରାଯାଉଛି ।

 

ପ୍ରାୟ ତିନିମାସ ତଳେ କେରଳର କୌଣସି ସାନ ସହରରେ ଘଟିଥିବା ଏକ ଘଟଣାର ଉଲ୍ଲେଖ କରିବା ଏଠାରେ ସମ୍ଭବତଃ ଆଦୌ ଅପ୍ରାସଙ୍ଗିକ ହେବ ନାହିଁ । ଇଂରାଜୀ ମାଧ୍ୟମ ଚଳୁଥିବା କୌଣସି ଏକ ଇସ୍କୁଲରେ ସ୍କୁଲହତା ଭିତରେ ନିଜ ଘରଭାଷା ମାଲାୟାଲାମରେ ନିଜର ଜଣେ ସାଙ୍ଗପିଲା ଶୀତ କଥାବାର୍ତ୍ତା କରିଥିବାର ଅପରାଧରେ ଗୋଟିଏ ପିଲାକୁ କର୍ତ୍ତୁପକ୍ଷଙ୍କଠାରୁ ଶାସ୍ତି ପାଇବାକୁ ପଡ଼ିଲା । ସେହି ଖବର ସମ୍ବାଦପତ୍ରମାନଙ୍କରେ ବାହାରିଲା ଏବଂ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ସେଥିପାଇଁ ଦଣ୍ଡ ଦିଆଯାଉ ବୋଲି ସବୁଆଡ଼ୁ ଦାବି ହେଲା । ବିଚରା ପ୍ରଧାନ ଶିକ୍ଷକଙ୍କର ଆଦୌ କୌଣସି ଦୋଷ ନଥିଲା । ପିଲାମାନଙ୍କର ଅଭିଭାବକମାନେ ଏପରି ଏକ କଡ଼ା ନିୟମ କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବାଧ୍ୟ କରିଥିଲେ । ମାଲୟାଲମରେ କଥାବାର୍ତ୍ତା ହେଲେ ପିଲାମାନଙ୍କର ଇଂରାଜୀ ଭାଷା ଦୋରସ୍ତ ହେବାର ସାଧନାରେ ବାଧା ଜନ୍ମିବ ବୋଲି ଏପରି ଗୋଟିଏ ନିୟମ କରାଯାଇଥିଲା । ସ୍ଵାଧୀନ ଭାରତକୁ ଗ୍ରାସ କରୁଥିବା ସମ୍ଭ୍ରାନ୍ତମାନଙ୍କର ଏହି ବର୍ବରତା ଓଡ଼ିଶାରେ ମଧ୍ୟ କାହିଁକି ଖଣ୍ଡା ଧରି ମ୍ଳେଚ୍ଛମାନଙ୍କୁ ସଂହାର କରି ନ ବାହାରିବ ? ଆମ ଆଧୁନିକ ଓଡ଼ିଆ ସାହିତ୍ୟରେ ହୁଏତ କେତେ ପୁଞ୍ଜା ଏଭଳି ବରିଷ୍ଠ ଲେଖକ ବାହାରିବେ, ଯେଉଁମାନେ କି ଆଗ ଇଂରାଜୀ ଭାଷାରେ ଯାହା କିଛି ଲେଖୁଛନ୍ତି ଓ ତା’ ପରେ ସତେଅବା ଦୟା କରି ଓଡ଼ିଶାବାସୀଲାଗି ତାହାକୁ ଓଡ଼ିଆରେ ଅନୁବାଦ କରି ଦେଉଛନ୍ତି । ଓଡ଼ିଆରେ ଲେଖିଲେ କଦାପି ଯଶ ମିଳିବ ନାହିଁ ବୋଲି ଆଉ ଥୋକେ କାମୁକ ସଦୃଶ ନିଜେ ନିଜେ ନିଜର ଲେଖାଗୁଡ଼ାକୁ ଇଂରାଜୀରେ ତର୍ଜମା କରି ପକାଉଛନ୍ତି । ଓଡ଼ିଶାରେ ଅଧିକରୁ ଅଧିକ ଓଡ଼ିଆଙ୍କ ନିରକ୍ଷର ଓ ଦାରିଦ୍ର୍ୟ ହୋଇ ରହିବାକୁ ବାଧ୍ୟ କରି ତେଣେ ଶିଷ୍ଟମାନେ କେଡ଼େ ପ୍ରେମରେ ଏକ ବିଶ୍ଵ ଓଡ଼ିଆ ସମ୍ମିଳନୀ କରିବାକୁ ବି ମନ କଲେଣି । ସତେଅବା ନିଜ ଘର ଭିତରଟାକୁ ଆଉ ମୋଟେ ବଳ ପାଉନାହିଁ ବୋଲି କିଏ ବିଚ୍ଛିନ୍ନ କିମ୍ବା ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର କରାଇବ ବୋଲି ଶଗଡ଼ ସଜ କଲାଣି । ଏବେ ଆପଣାର ମଞ୍ଜ ଭିତରେ ଓଡ଼ିଆ ନ ହୋଇ ଗୋଟା ସୁଦ୍ଧା ଗରିଷ୍ଠ ହୋଇ ରହିବା ଲାଗି ଉଦ୍‍ଗ୍ରୀବ ପ୍ରୟାସ କରୁଛି । ସରକାରୀ ବିପଣିମାନଙ୍କର ସର୍ବୋଚ୍ଚମାନେ ଓଡ଼ିଆ ଭାଷାକୁ ଗିଳି ପକାଇବେ, କେବଳ ଇଂରାଜୀ ଭାଷାରେ ଆତଯାତ ହେବେ ଓ ଅଧିକରୁ ଅଧିକ ଗୁରୁ ହୋଇ ଦିଶିବେ,–ସତେଅବା ଏହାକୁ ହିଁ ସଂସ୍କୃତି ବୋଲି ଧରିନେଇ ସାରିଲେଣି । ଏବଂ ସମ୍ପୃକ୍ତ ସମସ୍ତଙ୍କର ଆଶୀର୍ବାଦରୁ ଓଡ଼ିଶାରେ ଅପସଂସ୍କୃତି ମାଡ଼ି ଯାଉଛି । ଏକ ସାଂସ୍କୃତିକ ନିରକ୍ଷରତା ଅତ୍ୟନ୍ତ ଉଦ୍ଧତ ଭାବରେ ବୁଢ଼ା ବେବର୍ତ୍ତାମାନଙ୍କର ମାଧ୍ୟମରେ ଆମ ତରୁଣମାନଙ୍କୁ ମଧ୍ୟ ସଂକ୍ରମିତ କଲାଣି ।

 

ଏହି ସଙ୍କଟ ମଧ୍ୟରୁ ବାହାରି ଆସିବାକୁ ଇଚ୍ଛା କରୁଥିଲେ ଆମେ କେଉଁ ସବୁ ପ୍ରତିବିଧାନ କରିପାରିବା ? ସତ୍ୟ ଆଡ଼କୁ ଆଗ୍ରହ ଜନ୍ମିଲେ ଯାଇ ଅସତ୍ୟର ଉପଦ୍ରବରୁ ଆମକୁ ନିଷ୍କୃତି ମିଳିପାରିବ । ବହୁତର କ୍ଷେତ୍ରରେ ଆପଣାର ଅସମର୍ଥତାକୁ ଘୋଷଣା କରିଥିବା ଏବଂ ଏବେ ମଧ୍ୟ କରୁଥିବା ସରକାରୀ ଉଆସମାନେ ଏ ଦିଗରେ ଖୁବ୍ ବେଶୀ ଆଦୌ କିଛି କରିପାରିବେ ନାହିଁ । ଅମଲାତନ୍ତ୍ର ଆମକୁ ଅଧିକରୁ ଅଧିକ ଭୁରାଡ଼ିବାରେ ହିଁ ଲାଗିଥିବ । ବାବୁମାନେ ବା କାହିଁକି ସଂସ୍କୃତିକୁ ମନ କରିବେ ? ଅସଲ ସଂସ୍କୃତିର ଯେକୌଣସି ଆୟତନ ଭିତରେ ବାବୁମାନେ ଯେ ଭାରି ଶୀଘ୍ର ବିଟ ବୋଲି ଧରାପଡ଼ି ଯାଆନ୍ତି, ସେକଥା ସେହି ବାବୁମାନେ ମଧ୍ୟ ଖୁବ୍ ଭଲ ଭାବରେ ଜାଣିଛନ୍ତି । ଓଡ଼ିଶାର ରାଜନୀତିରେ କେଉଁଠାରେ କି ପୌରୁଷପଣ ଓ ଆନ୍ତରିକତା ଅଛି ଯେ, ଆମେ ସେଘରୁ ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ଆଦୌ କିଛି ଆଶା କରିବା ? ତେଣୁ ଯାହା ହେବ, ତାହା ତଳୁ ହେବ । ସମଧର୍ମୀମାନେ ସାନ ସାନ ଗୋଷ୍ଠୀରେ ଅତ୍ୟନ୍ତ କୋଳାହଳଶୂନ୍ୟ ଅଥଚ ସଂକଳ୍ପବଦ୍ଧ ହୋଇ ବାହାରିଲେ ଓଡ଼ିଶାରେ ଏହି ଦିଗରେ ଏକ ବଳିଷ୍ଠ ପଦକ୍ଷେପ ପଡ଼ିବା ନିଶ୍ଚୟ ଆରମ୍ଭ ହୋଇଯିବ । ଛାତ୍ରମାନେ ଓ ତାରୁଣ୍ୟ ରହିଥିବା ତରୁଣମାନେ ମନ କଲେ ତାହା କରିପାରିବେ । ବିଶ୍ୱବିଦ୍ୟାଳୟମାନଙ୍କରେ ବିକଳ୍ପ ଗୋଷ୍ଠୀମାନେ ଗଢ଼ି ଉଠିଲେ ତାହା ହୋଇପାରିବ-। ଶ୍ରୋତା ସମସ୍ତେ ଓଡ଼ିଆ ହୋଇଥିବେ, ଓଡ଼ିଆ ଘରେ ଜନ୍ମ ହୋଇଥିବା ଶ୍ରୀମାନ୍ ବକ୍ତା ଇଂରାଜୀରେ ପାଠତକ ପଢ଼ିଛନ୍ତି ଓ ପାଠ ପଢ଼ାଇ ଆସିଛନ୍ତି ବୋଲି କୈଫିୟତ୍ ଦେଖାଇ ଓଡ଼ିଆ ପରିବର୍ତ୍ତେ ଇଂରାଜୀରେ କହିବା ତେଣୁ ତାଙ୍କ ପକ୍ଷରେ ସହଜ ହେବ ଓ ସେ ଇଂରାଜୀରେ ହିଁ କହିବେ ବୋଲି ହିଁ ପ୍ରସ୍ତାବ ବାଢ଼ିଲେ, ଓଡ଼ିଶାରେ କୌଣସି ସଭ୍ୟ ସମାଗମରେ ତାହାକୁ କଦାପି ପ୍ରଶୟ ଦିଆଯିବ ନାହିଁ । ମାଧ୍ୟମିକ ଶିକ୍ଷା ବୋର୍ଡ଼, ତଥାକଥିତ ବିଶ୍ୱବିଦ୍ୟାଳୟମାନଙ୍କର ବିଭିନ୍ନ ନୀତି–ନିର୍ଦ୍ଧାରିକା ମଣ୍ଡଳୀମାନଙ୍କରେ ସୁଧୀମାନେ ଯେପରି ଓଡ଼ିଆରେ ନ କହିବାକୁ କେବେହେଲେ ଖୁଣ୍ଟ କରି ବସିବେ ନାହିଁ । ଏହି ସବୁକିଛି ପାଇଁ ତଳୁ ଚାପ ଦିଆଯିବ । କଲେଜମାନଙ୍କର କୌଣସି ଉତ୍ସବ ଓ ତତ୍ତୁଲ୍ୟ ଅବକାଶମାନଙ୍କରେ ଛାତ୍ର ପ୍ରତିନିଧୀମାନେ ଅବର୍ଜିଆ ଇଂରାଜୀରେ ବିବରଣୀ ପାଠ କରିବା ଅଥବା ଧନ୍ୟବାଦ ପ୍ରଦାନ କରିବାକୁ ମୋଟେ ଏକ ବାହାଦୁରି ବୋଲି ଭ୍ରମ କରିବେ ନାହିଁ । ଜଣେ ଓଡ଼ିଆ ଓଡ଼ିଆ ଭାଷା କହୁଥିବା ବେଳେ କଦାପି ଫୁଲେଇ ହୋଇ ତା’ଭିତରେ ପାଞ୍ଚଟା ଇଂରାଜୀ ପୂରେଇ ଦେବାକୁ କୌଣସି ବୀରତ୍ଵ ବୋଲି ଭାବିବ ନାହିଁ । ଏବଂ, ଏହି ସବୁକିଛି ଲାଗି ଓଡ଼ିଶାରେ ଏକ ଅନୁରୂପ ଜନଧାରିତ ଜଳବାୟୁ ସୃଷ୍ଟି କରାଯିବ । ପୁନଶ୍ଚ ତଳୁ ବାଧ୍ୟ ନହେଲେ ଆମ ସରକାର ମଧ୍ୟ ତାଙ୍କ ଗୋଦାମରେ ଯାବତୀୟ କାର୍ଯ୍ୟକୁ ଓଡ଼ିଆ ଭାଷାରେ ନିବାର୍ହିତ କରିବାକୁ କଦାପି ରାଜି ହେବେ ନାହିଁ ।

 

ମୋଟ କଥା ହେଉଛି, ସଂସ୍କୃତି ଥାନ ଛାଡ଼ି ଦିଆ ନ ଗଲେ ଅପସଂସ୍କୃତି କେବେହେଲେ ଯିବ ନାହିଁ । ଏବଂ, ଆମ କୋର୍ଟ କଚେରୀରେ କେଉଁ ଦିନ ଆମ ନିଜ ଭାଷା ଓଡ଼ିଆ ପ୍ରକୃତରେ ଚଳିବ ? ଉପରର ଅନୁକମ୍ପା କିମ୍ବା ଅନୁଗ୍ରହକୁ ତାହା କଦାପି ସମ୍ଭବ ହେବ ନାହିଁ । ଏହି ପୃଥିବୀରେ ସେପରି କେବେହେଲେ ହୋଇ ନାହିଁ । ଏକ ବିକଳ୍ପ ଆନ୍ଦୋଳନ ଦ୍ଵାରା ହିଁ ତାହା ହୋଇ ପାରିବ । ସେହି ଆନ୍ଦୋଳନ ଆପଣାକୁ ରାଜନୀତିର ଦୁଷ୍ଟମାନଙ୍କଠାରୁ ଦୂରରେ ରଖିବ । ସର୍ବୋପରି, ଓଡ଼ିଶାର ଭାଷା ଓ ସଂସ୍କୃତି କହିଲେ ଯିଏ ଓଡ଼ିଶାର ସାଢ଼େ ତିନିକୋଟି ମଣିଷଙ୍କ ସହିତ ଆପଣାର ଏକାତ୍ମତା ଅନୁଭବ କରିବାକୁ ବୁଝୁଥିବ, ଉଦାସୀନ ରହିବାକୁ ଘୃଣା କରୁଥିବ, ମଣିଷମାନଙ୍କ ସହିତ ଯାହାର ଏକ ଅନ୍ତରଙ୍ଗ ସୂତ୍ର ଲାଗିଥିବ, ସେଇ ବର୍ତ୍ତମାନର ବର୍ବରତାକୁ ଟଳାଇ ଦେଇପାରିବ । ଟଳାଇ ଦେଇପାରିବ ନାହିଁ, ଅବଶ୍ୟ ଟଳାଇ ଦେବ ।

 

ସ୍ମରଣିକା, ଓଡ଼ିଆ ଭାଷା ଓ ସଂସ୍କୃତିର ଐକ୍ୟ ସୁରକ୍ଷା

ସମାବେଶ, ବ୍ରହ୍ମପୁର,ସେପ୍ଟେମ୍ବେର ,୧୯୯୨

Image

 

ସଂହତି ଓ ସଂଗ୍ରାମ

 

ଭାରତବର୍ଷ ଆମ ସାଂପ୍ରତିକ ପୃଥିବୀରେ ଏପରି ଗୋଟିଏ ଦେଶ, ଯେଉଁଠାରେ ଅଳପ ମଣିଷଙ୍କ ପାଖରେ ଅଧିକ ରହିଛି ଓ ଅଧିକ ମଣିଷଙ୍କ ପାଖରେ ଅଳପ ରହିଛି । ଅଧିକ ଧନସମ୍ପତ୍ତି ରହିଛି, ଅଧିକ କ୍ଷମତା ରହିଛି, ଅଧିକ ସଂଭାବନା ରହିଛି । ସେମାନେ ଆପଣାକୁ ଭାଗ୍ୟବାନ ବୋଲି କହୁଛନ୍ତି । ଅଧିକ ମଣିଷ ଭାଗ୍ୟହୀନ ହୋଇ ରହିଛନ୍ତି । ସାରା ଦେଶରେ ଅଧିକମାନେ ହିଁ ଅଳ୍ପବଳ ହୋଇ ରହିଛନ୍ତି, କାରଣ ଅଳ୍ପ ମଣିଷ ପ୍ରାୟ ସବୁଯାକ ବଳକୁ ଆପଣାର ଅକ୍ତିଆରରେ ରଖିଛନ୍ତି ଏବଂ ପ୍ରବଳରୁ ପ୍ରବଳତର ହେବାକୁ ଇଚ୍ଛା କରୁଛନ୍ତି । ଭାରତବର୍ଷରେ ବଡ଼ ମାଛମାନେ ସାନ ମାଛମାନଙ୍କୁ ଗିଳି ପକାଉଛନ୍ତି । ଏହି ବଡ଼ ମାଛମାନେ ସାଧାରଣତଃ ବଡ଼ ଘରେ ଜନ୍ମ ହୋଇଛନ୍ତି, ବଡ଼ ଜାତିରେ ଜନ୍ମ ହୋଇଛନ୍ତି, ବଡ଼ ପାଠମାନଙ୍କୁ ପଢ଼ିଛନ୍ତି, ବଡ଼ ବଡ଼ ଚାକିରି କରିଛନ୍ତି, ବଡ଼ କ୍ଷମତାରେ ଅଛନ୍ତି । ସାଧାରଣତଃ ଏହି ବଡ଼ମାନେ ହିଁ ଏହି ଦେଶରେ ଜାତୀୟ ସଂହତର କଥା କହୁଛନ୍ତି । ଜାତୀୟ ସଂହତି ବିନା ଦେଶ ଘୋର ବିପଦର ସମ୍ମୁଖୀନ ହେବ ବୋଲି ସେମାନେ ଏଡ଼େ ପାଟିକରି କହୁଛନ୍ତି । ଦେଶର ସରକାରରେ ଏହି ବଡ଼ମାନେ ହିଁ ଅଧିକତର ସଂଖ୍ୟାରେ ଅଛନ୍ତି ବଡ଼ ବଡ଼ ଶାସ୍ତ୍ରକୁ ନିଜ ହାତରେ ଧରିଛନ୍ତି । ସରକାର ସତେଅବା କୌଣସି ପ୍ରମାଦରେ ପଡ଼ିଥିବା ପରି ଜାତୀୟ ସଂହତିର ପ୍ରଚାର କରୁଛନ୍ତି ।

 

ଭାରତବର୍ଷର ବାହାରୁ ଯେତେ ଯେତେ ବିଦେଶୀ ଆସି ଏହି ଭୂମିକୁ ଜୟ କରିଛନ୍ତି ଓ ଏହି ଭୂମିରେ ଶାସକ ହୋଇଛନ୍ତି, ସେମାନେ କେହି ଏକାବେଳକେ ସଂପୂର୍ଣ୍ଣ ଭାରତବର୍ଷକୁ ଗୋଟିଏ ଯୁଦ୍ଧରେ ଜୟ କରିନାହାନ୍ତି । ଗ୍ରୀକ୍ ବୀର ଆଲେକଜାଣ୍ଡର ମଧ୍ୟ ଏହି ଭୂମିରେ ପ୍ରବେଶ କରିଥିବା ସମୟରେ ଏକାବେଳକେ ଗୋଟିଏ ଯୁଦ୍ଧକ୍ଷେତ୍ରରେ ସମଗ୍ର ଦେଶ ଉପରେ ରାଜତ୍ଵ କରୁଥିବା ଜଣେ ରାଜାର ସମ୍ମୁଖୀନ ହୋଇନଥିଲେ । ତା’ର ଆହୁରି ପୂର୍ବରୁ ଆର୍ଯ୍ୟମାନେ ମଧ୍ୟ ସିନ୍ଧୁ ଓ ଗଙ୍ଗାର ଅବବାହିକାରେ ବସତି ସ୍ଥାପନ ଓ ରାଜ୍ୟ ଗଠନ କରିବାପରେ ପରସ୍ପର ଉପରେ ଆଧିପତ୍ୟ ନିମନ୍ତେ ଯୁଦ୍ଧ କରୁଥିଲେ । ଦୁଇ ହିନ୍ଦୁ ରାଜା କଳହ କରିବାରୁ ହିଁ ସେମାନଙ୍କ ମଧ୍ୟରୁ ଜଣେ ଅତି ହିଂସାରେ ବାହାରୁ ଜଣେ ମୁସଲମାନ ସେନାପତିଙ୍କୁ ନିଜର ସହାୟତା ରୂପେ ଡାକି ଆଣିଥିଲେ ଏବଂ ନିଜ ଶତ୍ରୁ ଉପରେ ପ୍ରତିରୋଧ ନେଇଥିଲେ । ବାବର ଭାରତ ଆକ୍ରମଣ କଲାବେଳେ ଆଦୌ କୌଣସି ଭାରତ ସମ୍ରାଟଙ୍କର ସାମନା କରି ନ ଥିଲେ । ଇଂରେଜମାନେ ଭାରତବର୍ଷରେ ଆସି ଶାସନ ପ୍ରତିଷ୍ଠା କରିବା ପର୍ଯ୍ୟନ୍ତ ମଧ୍ୟ ସେହି ଅଭିନୟଟି ଅଭିନୀତ ହେବାରେ ଲାଗିଥିଲା । ଖଣ୍ଡ ରାଜ୍ୟମାନେ ରହିଥିଲେ, ସାନ ଓ ବଡ଼ ରାଜାମାନେ ରହିଥିଲେ । ଭାରତ ବୋଇଲେ ଏବେ ଆମେ ଯେଉଁ ଦେଶଟିକୁ ବୁଝୁଛୁ, ସେତେବେଳେ ସେହି ଦେଶ କେଉଁଠି ହେଲେ ନଥିଲା । ଭାରତୀୟ ବୋଲି କହିଲେ ଏବେ ଆମେ ଯେଉଁ ଏକତାତ୍ମକ ଓ ରାଜନୀତିକ ବ୍ୟଞ୍ଜନା ଦେଇ କଥାଟିକୁ ବୁଝୁଛୁ, ସେହି ଭାରତୀୟମାନେ ଆଦୌ କେଉଁଠାରେ ହେଲେ ନ ଥିଲେ । ହିମାଳୟଠାରୁ ତିନି ସମୁଦ୍ରକୁ ବାଡ଼ ଦେଇ ଭୂମିଟିଏ ରହିଥିଲା ସତ, ମାତ୍ର ଦେଶ ନଥିଲା, କୌଣସି ଜାତି ମଧ୍ୟ ନ ଥିଲା ।

 

ସାଂପ୍ରତିକ ଅର୍ଥରେ ‘ଜାତି’ ଶବ୍ଦଟି ଇଉରୋପରୁ ଭାରତବର୍ଷକୁ ଆସିଛି ଏବଂ ଇଉରୋପରେ ମଧ୍ୟ ମନୁଷ୍ୟମାନେ ସାମୂହିକଭାବରେ ଆପଣାକୁ ଗୋଟିଏ ଜାତି ବୋଲି ଅନୁଭବ କରିବାର ଓ ପରିଚିତ କରାଇବାର ରୀତିଟି ଆଦୌ ଖୁବ୍ ବେଶୀ ପୁରାତନ ନୁହେଁ । ପ୍ରତିଦ୍ଵନ୍ଦୀ ଅନ୍ୟ ଇଉରୋପୀୟ ବାଣିଜ୍ୟିକ କମ୍ପାନୀମାନଙ୍କୁ ଯୁଦ୍ଧରେ ଓ ପ୍ରତିପତ୍ତିରେ ପରାସ୍ତ କରି ପ୍ରଥମେ ଇଂଲଣ୍ଡର ରାଜା ନୁହନ୍ତି, ଇଷ୍ଟ ଇଣ୍ଡିଆ କମ୍ପାନୀ ହିଁ ଭାରତବର୍ଷ ନାମକ ଏକ ଭୂଖଣ୍ଡରେ ଆପଣାଲାଗି ଏକ ବାଣିଜ୍ୟମାହାଲର ସ୍ଥାପନା କରିଥିଲା ଓ ସେହି ମାହାଲ କ୍ରମେ ଏକ ଉପନିବେଶରେ ପରିଣତ ହେଲା । ପ୍ରାୟ ଶହେ ବର୍ଷର କମ୍ପାନୀ ଶାସନ ପରେ ଇଂଲଣ୍ଡର ସରକାର ଭାରତବର୍ଷର ଶାସନକୁ ନିଜ ହାତକୁ ନେଲେ । ଫରାସୀ ଓ ପର୍ତ୍ତୁଗୀଜ୍ କେତେଟା କୁନି କୁନି ମାହାଲକୁ ଛାଡ଼ିଦେଲେ ଏହି ଭୂଖଣ୍ଡଟି ଶାସନଗତ ଗୋଟିଏ ଏକକ ରୂପେ ଇଂରେଜମାନଙ୍କ ଶାସନଖାତାକୁ ଆସିଥିଲା । ସେତେବେଳେ ସିଂହଳ ଓ ବ୍ରହ୍ମଦେଶ ଏହି ଭାରତବର୍ଷ ନାମରେ ଅଭିହିତ ଖଣ୍ଡ ଏକକରେ ଅନ୍ତର୍ଭୂକ୍ତ ହୋଇ ରହିଥିଲେ । କୌଣସି ସାଂସ୍କୃତିକ କାରଣରୁ ନୁହେଁ ଅଥବା ସମ୍ପୃକ୍ତ ସେହି ଖଣ୍ଡଦ୍ୱୟ ଅଲଗା ହୋଇଯିବାକୁ ଦାବୀ କରିଥିବାରୁ ନୁହେଁ, ମୁଖ୍ୟତଃ ଶାସନଗତ ସୁବିଧା ହେତୁ ସେଗୁଡ଼ିକୁ ପରେ ଭାରତବର୍ଷରୁ ଅଲଗା କରି ନିଆଗଲା । ଭାରତବର୍ଷ ଏକ ସ୍ଵତନ୍ତ୍ର ଏକକ ରୂପେ ଶାସିତ ହେଲା ।

 

୧୮୫୭ର ସିପାହୀ ବିଦ୍ରୋହ ସମୟରେ ଏବଂ ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ନାମକ ଅନୁଷ୍ଠାନର ସ୍ଥାପନା ସମୟରେ ମଧ୍ୟ ବ୍ରହ୍ମଦେଶ ଏବଂ ସିଂହଳ ଭାରତ ସହିତ ଗୁନ୍ଥା ହୋଇ ରହିଥିଲେ । କ୍ରମେ ଜାତୀୟ କଂଗ୍ରେସର ରାଜନୀତିକ ଆଭିମୁଖ୍ୟ ବଦଳି ଆସୁଥିବା ସଙ୍ଗେ ସଙ୍ଗେ ଆମ ମାନଚିତ୍ରରୁ ବ୍ରହ୍ମଦେଶ ଏବଂ ସିଂହଳକୁ କାଢ଼ି ନିଆଯିବା ପରେ ଯେତେବେଳେ ଲୋକମାନ୍ୟ ତିଳକ ‘ସ୍ଵାଧୀନତା ହିଁ ଆମର ଜନ୍ମଗତ ଅଧିକାର’ ବୋଲି କହିଥିଲେ, ସେତେବେଳେ ଯାଇ ସଂଗ୍ରାମ–ସଚେତନ ଭାରତବର୍ଷ ଆପଣାକୁ ଏକ ଅଖଣ୍ଡ ଭୂମି ଓ ଜାତି ବୋଲି ଅନୁଭବ କରିବାର ଯଥାର୍ଥ ଖୋରାକ ହୁଏତ ପାଇଥିବ । ଜାତି କହିଲେ ପାରମ୍ପରିକ ଭାରତୀୟ ସମୂହରେ ସଂପୂର୍ଣ୍ଣ ଭାବରେ ଏକ ଅନ୍ୟ କଥାକୁ ବୁଝାଇ ଆସିଥିଲା । ଆଦିମ ଆର୍ଯ୍ୟ ଭାରତର ଚାରି ଜାତି କାଳକ୍ରମେ ଚାରିହଜାର ବା ତତୋଽଧିକ ଜାତିରେ ବିଭକ୍ତ ହୋଇ ରହିଥିଲେ-। ସେମାନେ ଉଚ୍ଚନୀଚ ଭେଦରେ ପରସ୍ପରଠାରୁ ଅଲଗା ହୋଇ ରହି ଆସିଥିଲେ-। ସେହି ଭେଦର ସମର୍ଥନରେ ଶାସ୍ତ୍ରମାନେ ଲେଖା ଯାଇଥିଲା, ସଂପ୍ରଦାୟମାନେ ସ୍ଵକୀୟ ଶିବିରମାନଙ୍କରେ ସତେଅବା କେଡ଼େ ସୁପ୍ରତିଷ୍ଠିତ ଭାବରେ ଖାପ ଖାଇ ରହିଯାଇଥିଲେ । ଜାତି ଅନୁସାରେ ଧର୍ମଚାର, ଜାତି ଅନୁସାରେ ଠାକୁର, ଜାତି ଅନୁସାରେ ବିଧି ଓ ରୀତି, ଜାତି ଅନୁସାରେ ପରସ୍ପର ମଧ୍ୟରେ ଏକ ସର୍ବସ୍ଵୀକୃତ ଦୂରତା–ସମ୍ଭବତଃ ଏହିଗୁଡ଼ିକ ହିଁ ସମଗ୍ରତଃ ଏକ ଅଚଳପ୍ରାୟ ସମାଜରେ ତଥାପି ସଚଳତାର ଏକ ପ୍ରତୀତି ଆଣି ଦେଉଥିଲେ । ଆଧୁନିକ ଭାରତବର୍ଷରେ ମଧ୍ୟ, ଯେତେବେଳେ ଜାତି କହିଲେ ନିଜ ନିଜର casteକୁ ନବୁଝି ସମସ୍ତଙ୍କୁ ଏକତ୍ର ଗୋଟିଏ ନିୟତିରେ ବାନ୍ଧି ରଖିଥିବା nationକୁ ବୁଝିବା ନିମନ୍ତେ ଏକ ବୃହତ୍ତର ଆହ୍ଵାନ ଆମ ଦୁଆରେ ଆସି କର ପିଟିବାରେ ଲାଗିଛି, ସେତେବେଳେ ମଧ୍ୟ ଦେଶର ଦ୍ଵୀପମାନେ ପ୍ରାୟ ଧର୍ମତଃ casteଗୁଡ଼ାକୁ ହିଁ nationର ବ୍ୟଞ୍ଜନା ଦେଇ ଦେଖିବାରେ ସେହି ପୁରୁଣା ନିଶାରେ ଲଟରପଟର ହେବାରେ ଲାଗିଛନ୍ତି । ସାଧାରଣ ମଣିଷମାନଙ୍କର ତୁଳନାରେ ଦ୍ଵୀପଗୁଡ଼ିକର ନେତାମାନେ ସମ୍ଭବତଃ ଅଧିକ ଲଟର ପଟର ହେଉଛନ୍ତି ।

 

ଭାରତବର୍ଷରେ ନିରନ୍ତର ସାମନ୍ତ ହୋଇ ରହି ଆସିଥିବା ବ୍ୟକ୍ତି ଓ ବର୍ଗମାନେ ନିଜକୁ ଚିରକାଳ ଅଧିକ ସଂସ୍କୃତିସଂପନ୍ନ ଓ ତେଣୁ ଅପେକ୍ଷାକୃତ ଭାବରେ ଅଧିକ ଅଧିକାରସପନ୍ନ ବୋଲି ଭାବି ଆସିଛନ୍ତି । ଦେଶଟା ଗୋଟାସୁଦ୍ଧା ସେହିମାନଙ୍କର ବୋଲି ଆପଣାର ସଂସ୍କାର ତଥା ଆଚରଣରେ ପ୍ରତିପାଦିତ କରିବାର ଚେଷ୍ଟା କରି ଆସିଛନ୍ତି । ସେମାନେ କହିଆସିଛନ୍ତି ଓ କହୁଛନ୍ତି ଯେ, ଭାରତୀୟ ଜାତି ଆବହମାନ କାଳରୁ ରହି ଆସିଛି । ସେମାନେ ସତେଅବା ସ୍ଵର୍ଗରାଜ୍ୟକୁ ପବିତ୍ର ପ୍ରମାଣମାନ ଦୁହିଁ ଆଣି ଆପଣା ମତରେ ପକ୍ଷରେ ନଜିର ଦେଉଛନ୍ତି । ପବିତ୍ର ଶାସ୍ତ୍ରମାନଙ୍କରୁ ଉଦ୍ଧୃତିମାନ ଆଣି ବାଢ଼ି ଦେଉଛନ୍ତି । ବେଦ, ପୁରାଣ, ଉପନିଷଦ ଏବଂ ପ୍ରଶସ୍ତିମନ୍ତ୍ରଗୁଡ଼ିକରୁ ସେମାନେ ଭାରତବର୍ଷ ଚିରକାଳ ଗୋଟିଏ ହୋଇ ରହିଥିଲା ବୋଲି ଆମ ମନରେ ପ୍ରତ୍ୟୟ ଆଣିଦେବା ଲାଗି ଚେଷ୍ଟା କରୁଛନ୍ତି । ଆପଣାର ଯୁକ୍ତିଗୁଡ଼ିକୁ ସେମାନେ ପ୍ରାୟ ଏକ ଆଧ୍ୟାତ୍ମିକ ସ୍ତରକୁ ଉତ୍ତୋଳିତ କରିନେଇ ସେଥିରେ କଦାପି କୌଣସି ତ୍ରୁଟି ନାହିଁ ବୋଲି ଜିଦ୍ କରି କହୁଛନ୍ତି ।

 

ସତକଥା ହେଉଛି ଭାରତବର୍ଷ ପ୍ରାୟ ଆବହମାନ କାଳରୁ ଏକାବେଳେକେ ଦୁଇ ଖଣ୍ଡ ହୋଇ ରହି ଆସିଛି । ଗୋଟିଏ ହେଉଛି ବିଚାରର ସ୍ତର, କଳ୍ପନା ସ୍ତର, ଆଉ ଗୋଟିଏ ହେଉଛି ସମାଜର ସ୍ତର, ବାସ୍ତବ ସମ୍ବନ୍ଧଗୁଡ଼ିକର ସ୍ତର । ଏହି ଦେଶର ମୁନି, ଋଷି ଓ ମନିଷୀମାନେ ଭାବନାର ଡେଣାରେ ବସି ଉଲ୍ଲାସ–କଠଉମାନ ପିନ୍ଧି କେତେ କୁଆଡ଼େ ମାଡ଼ିଯାଇଛନ୍ତି, ଏକାବେଳେକେ ବ୍ରହ୍ମ ପର୍ଯନ୍ତ ଚହଟି ଯାଇଛନ୍ତି । ଏହି ମୁନି ଓ ମନିଷୀମାନେ ସାଧାରଣତଃ ନଶ୍ଵର ସଂସାରକୁ ତ୍ୟାଗ କରି, ଅର୍ଥାତ୍ ସଂସାର କଦାପି ବଦଳିବ ନାହିଁ ବୋଲି ଏକ ନକରାତ୍ମକତାକୁ ଆଶ୍ରୟ କରି ଅରଣ୍ୟକୁ ବାହାରି ଯାଇଛନ୍ତି ଓ ପ୍ରକାରେ ମୁକ୍ତି ଲାଭ କରିଛନ୍ତି । ଭାରତବର୍ଷର ପୁରାଣମାନେ ଅପହଞ୍ଚ କୌଣସି ଦୂର ରାଜ୍ୟରେ ଚିର ସ୍ଵର୍ଗ, ଚିର ସତ୍ୟ ଏବଂ ଚିର ସୁଖର କଳ୍ପନା କରିଛନ୍ତି । ତେଣୁ, ମୋକ୍ଷ କହିଲେ ପ୍ରଧାନତଃ ଏକ ପଳାୟନକୁ ବୁଝାଇଛି । ତପସ୍ୟା କହିଲେ ଏକ ଉପେକ୍ଷାକୁ ବୁଝାଇ ଆସିଛି ।

 

ଏବଂ ଲୋକାଜୀବନର ତଥା ଲୋକସମ୍ବନ୍ଧର ପୃଥିବୀଟି ଭାରତବର୍ଷରେ ସଂହିତାଗୁଡ଼ିକ ଅନୁସାରେ ଚାଲିଛି । ଜାତିଭେଦ ଓ ଉଚ୍ଚନୀଚ ଅନୁସାରେ, କର୍ମବାଦର ମିଛ ବିଶ୍ଵାସ ଅନୁସାରେ ଚାଲିଛି । ଏଥିରେ ଯାବତୀୟ ନିର୍ମମତା ଓ ଅମାନୁଷିକତାକୁ ପ୍ରଶୟ ଦିଆଯାଇଛି । ମନୁଷ୍ୟକୃତ ଅନ୍ୟାୟ ଏବଂ ଦୂରତାଗୁଡ଼ିକୁ ଭାଗ୍ୟର ବିଧାନ ବୋଲି ଘୋଷଣା କରାଯାଇଛି । ବ୍ରହ୍ମ ଏବଂ ସତ୍ୟ ଶାସ୍ତ୍ରସ୍ଥ ସମ୍ପତ୍ତି ହୋଇ ରହିଛନ୍ତି । ଜଗତକୁ ମିଥ୍ୟା ବା ମାୟା ବୋଲି କହି ମନୁଷ୍ୟର ଯାବତୀୟ ଶୁଭବୁଦ୍ଧିକୁ ସତେଅବା ହସରେ ଉଡ଼ାଇ ଦିଆଯାଇଛି । ଶାସ୍ତ୍ରଗୁଡ଼ାକର ଜୀବନ ସହିତ ଆଦୌ କୌଣସି ସଂପର୍କ ରହିନାହିଁ । ଅଳପ ମଣିଷ ଅନେକ ମଣିଷଙ୍କୁ ପରିକର କରି ରଖିଛନ୍ତି । ଶାସ୍ତ୍ରରେ ସତ୍ୟକୁ ଅଥବା ଭଗବାନଙ୍କୁ ମାଲିକ କରି ବସାଇ ଦିଆଯାଉଥିବା ପରି ନିତ୍ୟ ସମ୍ବନ୍ଧର ଏହି ସଂସାରରେ ରାଜା ଓ ସାମନ୍ତମାନଙ୍କୁ ଠାକୁରଙ୍କ ପରି ସ୍ଵୀକାର କରି ନିଆଯାଇଛି । ଏକ ସମୂହ କହିଲେ ଯେ ପ୍ରକୃତରେ ସବୁ ମଣିଷକୁ ବୁଝାଏ, ଭାରତବର୍ଷର ସମାଜ–ବ୍ୟବସ୍ଥାରେ ଏହି ଅସଲ କଥାଟିକୁ କେବେହେଲେ ସ୍ଵୀକାର କରାଯାଇ ନାହିଁ । ସବୁରି ଭିତରେ ବ୍ରହ୍ମ ଅଛନ୍ତି ସବୁ ମଣିଷର ଚେତା ରହିଛି, ଏଗୁଡ଼ିକ କଥା ହୋଇ ପଣ୍ଡିତମାନଙ୍କର ଏବଂ ଭାଗ୍ୟବାନମାନଙ୍କର ଉଲ୍ଲାସବର୍ଦ୍ଧନ ନିମନ୍ତେ ପେଡ଼ୀର ନିର୍ମାଲ୍ୟ ହୋଇ ରହିଛି । ଭାରତବର୍ଷର ସମ୍ବିଧାନରେ ଏବେ ଯେପରି କେତେ କେତେ ଉଚ୍ଚ କେତେ କଥା କେଡ଼େ ସମ୍ଭ୍ରମରେ ଲେଖା ହୋଇ ରହିଛି ଅଥଚ ଦୀର୍ଘ ପ୍ରାୟ ପଚାଶବର୍ଷ ପରେ ମଧ୍ୟ ଏହା ଲୋକାଜୀବନକୁ ଭେଦିପାରୁ ନାହିଁ, ଏହାକୁ ଆମେ ପ୍ରାୟ ସେହିପରି ଗୋଟିଏ ବ୍ୟାପାର ବୋଲି ଜାଣିବା । ଏହି ଦେଶରେ ସଂସ୍କୃତ ବୋଲି ଯାହାକିଛି ରହିଛି, ତାହା ଏବେ ମଧ୍ୟ ସେହିପରି ସଦର–ମଫସଲର ନ୍ୟାୟରେ ଦୁଇଭଳି ହୋଇ ରହିଛି ।

 

ବିଦେଶୀ ଆଧିପତ୍ୟର ବୋଝଟି ବିଷୟରେ ଭାରତର ଅଧିବାସୀମାନେ ଯେତିକି ସଚେତନ ହେଲେ ଏବଂ ସେହି ବୋଝଟିକୁ ଦୂର କରିଦେବା ନିମନ୍ତେ ସେମାନେ ଯେତିକି ସକ୍ରିୟ ଭାବରେ ସଜ ହୋଇ ବାହାରିଲେ, ସେମାନେ ସେତିକି ସରଳ ଭାବରେ ଆପଣାକୁ ଗୋଟିଏ ପକ୍ଷ, ଗୋଟିଏ ସମୂହ ଅର୍ଥାତ ଗୋଟିଏ ଜାତି ରୂପେ ଅନୁଭବ କରିବାକୁ ଆରମ୍ଭ କଲେ । ସେବା ତାକୁ ଜାତୀୟ ଜାଗରଣ ବୋଲି କୁହାଗଲା, ସେହି ସଂଗ୍ରାମଟି ଏକ ଜାତୀୟ ସଂଗ୍ରାମ ବୋଲି ଅନୁଭୂତ ହେଲା । ସାହିତ୍ୟରେ ଜାତୀୟତାର ଯୁଗ ଆସିଲା, ନେତୃତ୍ଵକୁ ଜାତୀୟ ନେତୃତ୍ଵ ବୋଲି କୁହାଗଲା । ଇଂରେଜ ଶାସନ ସମସ୍ତ ଭାରତବର୍ଷକୁ ମାଲିକ ହୋଇ ମାଡ଼ି ବସିଥିଲା, ତେଣୁ ସମଗ୍ର ଭାରତବର୍ଷକୁ ଉଦବେଳିତ କରି ଜାତୀୟ ସଂଗ୍ରାମ ଆପଣାକୁ ମୂର୍ତ୍ତ କରି ଆଣିଲା । ସ୍ଥାନୀୟତା ଭୁଲି ହୋଇଗଲା, ଆଞ୍ଚଳିକତା ଭୁଲି ହୋଇଗଲା, ଯାବତୀୟ ତାତ୍କାଳିକତା ବି ଭୁଲି ହୋଇଗଲା । ଅନ୍ତତଃ ଯେଉଁମାନେ ସଂଗ୍ରାମ ଭିତରେ ସାମିଲ ହେବାକୁ ଆସିଲେ, ଏକ ସ୍ଵାଧୀନ ଭାରତର, ଭବିଷ୍ୟର ଏକ ଅନ୍ୟ ଭାରତର ସ୍ଵପ୍ନ ଦେଖିଲେ ଏବଂ ସେହି ସ୍ଵପ୍ନଦ୍ଵାରା ଉଦ୍‍ବୁଦ୍ଧ ହେଲେ, ସେମାନେ ସେଗୁଡ଼ିକୁ ଭୁଲିଗଲେ । ସେମାନେ ଭାରତମାତାର ଉପାସନା କଲେ, ଭାରତୀୟତାକୁ ସବାବଡ଼ ଧର୍ମ ବୋଲି ମାନିଲେ ଓ ସେହି ଧର୍ମରେ ଦୀକ୍ଷା ନେଲେ । ସେହି ଦୀକ୍ଷା ଏକ ଅପୂର୍ବ ସଂହତି ଆଣିଦେଇଥିଲା ।

 

ପାଶ୍ଚାତ୍ୟ ସାହିତ ପ୍ରାଚ୍ୟ ଭାରତବର୍ଷର ସଂପର୍କ ସ୍ଥାପିତ ହେବାଦ୍ଵାରା ହିଁ ଏହି ନୂତନ ସଂକ୍ରମଣଟି ସମ୍ଭବ ହୋଇଥିଲା । ଆଧୁନିକ ଭାରତର ଜାତୀୟ ନିର୍ମାତାମାନେ, ରାଜା ରାମମୋହନଙ୍କଠାରୁ ସ୍ଵାମୀ ବିବେକାନନ୍ଦ, ରବୀନ୍ଦ୍ରନାଥ ଓ ମହାତ୍ମାଗାନ୍ଧୀଙ୍କର ଲଗାଏତ ଶ୍ରୀଅରବିନ୍ଦଙ୍କ ପର୍ଯ୍ୟନ୍ତ ପାଶ୍ଚାତ୍ୟ ନୂଆ ଗବାକ୍ଷଟିର ପ୍ରତ୍ୟକ୍ଷ ସମ୍ପର୍କରେ ଆସିଥିଲେ । ଇଉରୋପର ସ୍ଵାଧୀନ ସଂହତ ଦେଶ ଏବଂ ସଭ୍ୟତାଗୁଡ଼ିକ ସହିତ ସେମାନେ ପରାଧୀନ ଭାରତବର୍ଷକୁ ତୁଳନା କରି ଦେଖିବାକୁ ସମର୍ଥ ହୋଇଥିଲେ; ସତେଅବା ସେହିଠାରୁ ଆଖି ନେଇ ସେମାନେ ଭାରତବର୍ଷର ନୂଆ ନିୟତିଗୁଡ଼ିକୁ ଦେଖି ପାରିଥିଲେ । ଏବଂ ଏହି ପ୍ରକ୍ରିୟାରେ ଶାଶ୍ଵତ ଭାରତବର୍ଷ ଭିତରେ ଲୁକକାୟିତ ହୋଇ ରହିଥିବା ଚିରନ୍ତନ ମୂଲ୍ୟପ୍ରେରଣାଗୁଡ଼ିକୁ ମଧ୍ୟ ସେମାନେ ଆବିଷ୍କାର କରିଥିଲେ । ପ୍ରଥମ କରି ଏକ ନୂତନ ସଂଭାବନାମୟ ଭାରତର ଚିତ୍ର ଏଠି ସମ୍ମତ ସମସ୍ତଙ୍କୁ ଆଲୋଡ଼ିତ କରି ଧରିଥିଲା, ଏକ ଅଭିନବ ମାର୍ଗରେ ଏଠି ସ୍ଵାଧୀନତା ଲାଗି ସଂଗ୍ରାମଟିଏ ଲଢ଼ାଗଲା । ଭାରତବର୍ଷ ସ୍ଵାଧୀନ ହେଲା ।

 

ବିଦେଶୀ ଶାସନ ହଟିଯିବା ପରେ ଭାରତବର୍ଷକୁ କିପରି କେଉଁସବୁ ଧାରାରେ ନୂଆ କରି ଗଢ଼ାଯିବ, ଏ ଦେଶରେ ସ୍ଵାଧୀନତା ସଂଗ୍ରାମ ଲଢ଼ା ହେବାବେଳେ ମଧ୍ୟ ସେହିସବୁ ଚିତ୍ରର ଉଦବୋଧନ ଦିଆଯାଉଥିଲା । ଆମେ କିପରି ଛାଞ୍ଚରେ ଦେଶକୁ ଗଢ଼ିବା, କ’ଣ ସବୁର ଥାପନା ପାଇଁ କେଉଁ ସବୁକୁ ଭାଙ୍ଗିବା, ସଂଗ୍ରାମକାଳୀନ ରାଜନୀତି ଦେଶବାସୀଙ୍କ ସମ୍ମୁଖରେ ସତତ ସେହି କଥାଗୁଡ଼ିକୁ ସ୍ପଷ୍ଟ କରି ଦେଉଥିଲା । ସେହି ଆକଳନଗୁଡ଼ିକୁ ଆଖି ଆଗରେ ରଖି ସମଗ୍ର ଭାରତବର୍ଷ ନିମନ୍ତେ ନୂଆ ସମ୍ବିଧାନଟିଏ ଲେଖାହେଲା । ସେହି ମୁତାବକ ଦେଶରେ ନିର୍ବାଚନ ହେଲା, ନୂଆ ସରକାର ବସିଲା । ସମସ୍ତେ ନ୍ୟାୟତଃ ବହୁତ କିଛି ନୂଆ ଘଟିବ ବୋଲି ଅପେକ୍ଷା କରି ରହିଥିଲେ, ସଂପୃକ୍ତ ବିଭିନ୍ନ ସାମାଜିକ ସ୍ତରର ଲୋକମାନେ ସେହି ନୂଆଗୁଡ଼ିକର ଦାବୀ ଅନୁସାରେ ନିଜକୁ ଅନୁକୂଳିତ କରି ନେବାଲାଗି ମନେ ମନେ ନିଜକୁ ପ୍ରସ୍ତୁତ ମଧ୍ୟ କରି ନେଉଥିଲେ-। ସେହି ଅନୁକୂଳତାର ପବନରେ ଦେଶରୁ ରାଜାମାନେ ଲୋପ ପାଇଲେ, ଜମିଦାରମାନେ ଲୋପ ପାଇଲେ । ସେମାନେ ନାଗରିକ ହେଲେ । ଏକ ନୂତନ ପରିଚୟ ଏବଂ ନୂତନ ଗୌରବର ଅଧିକାର ଲାଭ କଲେ, ଭାରତ ଭିତରୁ ସିନା ଖଣ୍ଡେ ପାକିସ୍ତାନ ହୋଇ ତେଣେ ବାହାରିଗଲା; ତଥାପି ଯେତିକି ରହିଲା, ସେଥିରେ ସବୁ ଧର୍ମ ରହିଥିଲେ, ସବୁ ଭାଷା ରହିଥିଲେ, ଏହି ଦେଶର ବିଚିତ୍ର ସଂସ୍କୃତିମାନେ ରହିଥିଲେ । ତେଣୁ ଆମେ ଆମରି ବୋଲି କହି ପାରିବାଭଳି ଭାରତବର୍ଷରେ କେତେ କ’ଣ ସମ୍ଭବ କରି ଦେଖାଇଦେଇ ପାରିବୁ ବୋଲି ଏକ ସକାରାତ୍ମକ ସଂକଳ୍ପ ସ୍ଵାଧୀନତା ଲାଭର ସେହି ପ୍ରଥମ କାଳରେ ଆମକୁ ପ୍ରତ୍ୟୟ ଦେଇ ରଖିଥିଲା ।

 

ସର୍ବୋପରି ସଂହତି ଉପରେ ପର୍ଯ୍ୟବସିତ ହୋଇ ହିଁ ଭାରତରେ ଜାତୀୟ ସ୍ଵାଧୀନତା ସଂଗ୍ରାମ ଲଢ଼ାଯାଇଥିଲା । ସଂଗ୍ରାମରେ ଯୋଗ ଦେଇ ନାନାବିଧ କଷ୍ଟ ଓ ଦଣ୍ଡକୁ ବରଣ କରି ନେଇଥିବା ଯୋଦ୍ଧାମାନେ ସମସ୍ତେ ମୂଳତଃ ସେହି ସଂହତି ଉପରେ ଦୃଢ଼ ବିଶ୍ଵାସ ରଖି ହିଁ ସାଧାରଣ କ୍ଷେତ୍ରକୁ ବାହାରି ଆସିଥିଲେ । ବହୁ ଧର୍ମ, ବହୁ ଭାଷା ଏବଂ ବହୁ ବିବିଧତା ସତ୍ତ୍ୱେ ଭାରତବର୍ଷ ଗୋଟିଏ ଦେଶ, ଗୋଟିଏ ସଂସ୍କୃତି ଓ ତେଣୁ ଗୋଟିଏ ଜାତି, ସ୍ଵାଧୀନତା ସଂଗ୍ରାମର ନେତୃତ୍ଵ ଲୋକମାନଙ୍କୁ ଏହିପରି ଏକ ରାଜନୀତିକ ସମ୍ମୁଖଦୃଷ୍ଟିରେ ଉଦ୍‍ବୁଦ୍ଧ କରି ରଖିଥିଲା । ସ୍ଵାଧୀନତାଲାଭକୁ ଆପଣାର ଏକମାତ୍ର ଲକ୍ଷ୍ୟ ରୂପେ ଗ୍ରହଣ କରିଥିବା ଓ ଭାରତବାସୀଙ୍କୁ କ୍ରମେ ସେହି ସ୍ଵାଧୀନତାର ନିକଟବର୍ତ୍ତୀ କରାଇ ଆଣୁଥିବା ଭାରତୀୟ ଜାତୀୟ କଂଗ୍ରେସରେ ସେତେବେଳେ ହିନ୍ଦୁ, ମୁସଲମାନ, ଶିଖ ଓ ଖ୍ରୀଷ୍ଟିୟାନ ସମସ୍ତେ ଥିଲେ, ମାତ୍ର ସେହି ଅନୁଷ୍ଠାନ ଭିତରେ ସେମାନେ ଆଦୌ ନିଜ ନିଜ ଧର୍ମର ପ୍ରତିନିଧିତ୍ଵ କରୁନଥିଲେ, ସେମାନେ ଭାରତୀୟତାର ପ୍ରତିନିଧିତ୍ଵ କରୁଥିଲେ, ରାଜନୀତିକ ସ୍ଵାଧୀନତା ନିମନ୍ତେ ସେତେବେଳେ ଭାରତବାସୀଙ୍କ ମନରେ ଉଜ୍ଜୀବିତ ହୋଇ ରହିଥିବା ସର୍ବଭାରତୀୟ ଆକାଂକ୍ଷାର ପ୍ରତିନିଧିତ୍ଵ ହିଁ କରୁଥିଲେ ।

 

ସଂଗ୍ରାମର ସେହି ଯୁଗରେ ସାମ୍ପ୍ରଦାୟିକ ରାଜନୀତିକ ଦଳମାନେ ଅବଶ୍ୟ ରହିଥିଲେ ସତ, ମାତ୍ର ସେମାନେ ସଂଗ୍ରାମ ଭିତରେ ନଥିଲେ । ସେତେବେଳେ ହିନ୍ଦୁ ମହାସଭା ଥିଲା, ମୁସଲିମ୍ ଲିଗ୍ ଥିଲା, ଆଙ୍ଗ୍ଲୋଇଣ୍ଡିଆନମାନଙ୍କର ଏକ ସ୍ଵତନ୍ତ୍ର ସଂସ୍ଥା ରହିଥିଲା । ମାତ୍ର, ଏମାନେ କେହି ଭାରତବର୍ଷର ସ୍ଵାଧୀନତା ଚାହୁଁ ନଥିଲେ । ଭାରତବର୍ଷକୁ ସ୍ଵାଧୀନତା ଦେଇ ଯଦି ବ୍ରିଟିଶ ସରକାର ଏହି ଦେଶରୁ ବିଦାୟ ନେଇଯିବାକୁ କେବେ ନିଷ୍ପତ୍ତି କରନ୍ତି, ତେବେ ସେହି ନୂଆ ଭାରତରେ ଯେପରି ଗୋଟିଏ ଗୋଟିଏ ସଂପ୍ରଦାୟ ହିସାବରେ ସେମାନଙ୍କର ସ୍ଵାର୍ଥ ସୁରକ୍ଷିତ ହୋଇରହିବ, ଭାରତ ଛାଡ଼ି ଯିବା ପୂର୍ବର ସରକାର ବାହାଦୂର ସେହି ବିଷୟରେ ଅବଶ୍ୟ ବ୍ୟବସ୍ଥା କରି ଯିବେ, ବୋଲି ଏହି ସଂଗଠନମାନେ ଦାବି କରୁଥିଲେ । ଅର୍ଥାତ୍, ସେମାନଙ୍କର ଖଣ୍ଡସ୍ଵାର୍ଥଗୁଡ଼ିକ ନିମନ୍ତେ ଯଥେଷ୍ଟ ଭରସା ନମିଳିବା ପର୍ଯ୍ୟନ୍ତ ବ୍ରିଟିଶ ସରକାର ଭାରତବର୍ଷରେ ରହନ୍ତୁ ବୋଲି ସେମାନେ ଇଚ୍ଛା ରଖିଥିଲେ । ବ୍ରିଟିଶ୍ ସରକାର ନାନା ଅରାଜନୀତିକ ଓ ଚତୁର ଉପାୟରେ ସେହି ସଂଗଠନ ଓ ଦଳଗୁଡ଼ିକର ପୃଷ୍ଠପୋଷକତା କରୁଥିଲେ । ଖଣ୍ଡସ୍ଵାର୍ଥମାନେ ରାଜି ନହେବା ପର୍ଯ୍ୟନ୍ତ ଭାରତବର୍ଷର ସ୍ଵାଧୀନତା ଲାଗି ସମ୍ମତି ଦେବା ସମ୍ଭବ ହେବାନାହିଁ ବୋଲି ସଫେଇ ଦେଉଥିଲେ । ସ୍ଵାଧୀନତାପ୍ରାପ୍ତି ପଥରେ ସେମାନେ ପ୍ରତିବନ୍ଧକ ଭଳି କାର୍ଯ୍ୟ କରୁଥିଲେ ।

 

ରାଜନୀତିକ ସ୍ଵାଧୀନତା ତଥାପି ଆସିଲା । ଭାରତବର୍ଷ ସ୍ଵାଧୀନତା ଲାଭ କରିବା ସଙ୍ଗେ ସଙ୍ଗେ ସମଗ୍ର ଏସିଆ ଓ ଆଫ୍ରିକାର ଦେଶମାନଙ୍କ ଲାଗି ସତେଅବା ଏକ ନୂଆ ଯୁଗର ଆଗମନ ଘଟିଲା । ତାହା କ୍ରମେ ସାରା ପୃଥିବୀର ରାଜନୀତିକ ବ୍ୟାସାର୍ଦ୍ଧକୁ ବଦଳାଇ ଦେଲା । ଉପନିବେଶବାଦର ଅବସାନ ଘଟିଲା । ବାହାରୁ କୋଟି କୋଟି ମଣିଷଙ୍କର ନଜର ଭାରତବର୍ଷ ଉପରେ ପଡ଼ିଥିଲା । ଭାରତବର୍ଷ ଯେଉଁ ଅଭିନବ ଅସ୍ତ୍ରର ପ୍ରୟୋଗ କରି ନିଜଲାଗି ସ୍ଵାଧୀନତା ହାସଲ କରିଥିଲା, ତାହାହିଁ ପୃଥିବୀଯାକକୁ ଚକିତ କରିଦେଇଥିଲା । ସ୍ଵାଧୀନ ଭାରତବର୍ଷ ମଧ୍ୟ ଆପଣାର ଏକ ଅଭିନବ ପନ୍ଥାରେ ନିଜର ପରବର୍ତ୍ତୀ ଏବଂ ନବଗଠନଗୁଡ଼ିକ ସମ୍ଭବ କରାଇବ, ରାଜନୀତିକ ବୃଦ୍ଧି ତଥା ଦୃଷ୍ଟିର କ୍ଷେତ୍ରରେ ସତ୍ୟ ଓ ସାଧୁତାକୁ ହିଁ ସର୍ବପ୍ରଧାନ ଅବଲମ୍ବନ ରୂପେ ଗ୍ରହଣ କରିବ, ପୃଥିବୀରେ ସଚେତନ ସମସ୍ତେ ସତେଅବା ତାହାହିଁ ଆଶା କରୁଥିଲେ । ସେତେବେଳେ ଭାରତବର୍ଷ ଦୁଇଟା ଦେଶରେ ପରିଣତ ହୋଇଯାଇଥାଏ ଏବଂ ଭାରତକୁ ବିଭାଜନଜନିତ ଆନୁଷଙ୍ଗିକ ଯାବତୀୟ ଦୁର୍ଗଟିର ସମ୍ମୁଖୀନ ହେବାକୁ ପଡ଼ୁଥାଏ । ଘରଟିକୁ ଗଢ଼ିବା ଅପେକ୍ଷା ସତେଅବା ତାହାକୁ ସକଳ ଅର୍ଥରେ ଗୋଟିଏ ଘର ପରି ସମ୍ଭାଳି ରଖିବା ହିଁ ଭାରତବର୍ଷର ନୂଆ ସରକାରଙ୍କ ଲାଗି ସର୍ବପ୍ରଧାନ ଚିନ୍ତାରେ ପରିଣତ ହୋଇ ରହିଥାଏ । ତଥାପି, ଏହି ଖଣ୍ଡିଆ ଭାରତବର୍ଷ ଉପରେ ପୃଥିବୀର ପ୍ରତ୍ୟାଶା ଆଦୌ କମ୍ ହୋଇ ରହି ନଥାଏ । ପାକିସ୍ତାନଠାରୁ ସେପରି କୌଣସି ପ୍ରତ୍ୟାଶା କରାଯିବାର ଆଦୌ କୌଣସି ରାଜନୀତିକ ହେତୁ ନଥିଲା । ତେଣୁ ସବୁଯାକ ପ୍ରତ୍ୟାଶା କେବଳ ଏ ପାଖର ଏହି ଖଣ୍ଡଟି ଉପରେ ରହିଥିଲା ।

 

ରାଜନୀତିକ ସ୍ଵାଧୀନତାକୁ ଛଅ ମାସ ନ ହେଉଣୁ ସାମ୍ପ୍ରଦାୟିକତା ହାତରେ ଗାନ୍ଧିଜୀଙ୍କର ହତ୍ୟା ହେଲା । ମହାତ୍ମାଗାନ୍ଧୀ ଜାତୀୟ ସ୍ଵାଧୀନତାର ସଂଗ୍ରାମରେ ସେନାପତି ହୋଇ ରହିଥିଲେ ଏବଂ ସ୍ଵାଧୀନ ଭାରତବର୍ଷର ବିବେକ ରୂପେ ତାଙ୍କୁ ସମଗ୍ର ଭାରତ ନୁହେଁ, ସମଗ୍ର ଜଗତ ଚାହିଁ ବସିଥିଲା । ଭାରତବର୍ଷ ସ୍ଵାଧୀନତା ଲାଭ କଲାପରେ ସାମ୍ପ୍ରଦାୟିକତାବାଦ ଯେ ତଥାପି ବଞ୍ଚି ରହିଛି, ଗାନ୍ଧୀ–ହତ୍ୟାରୁ ତାହାର ପ୍ରଥମ ଚେତାବନୀ ମିଳିଗଲା । ମହାତ୍ମାଗାନ୍ଧୀ କଂଗ୍ରେସ ସଂଗଠନର ମଧ୍ୟ ବିବେକ ହୋଇ ରହି ଆସିଥିଲେ । ତାଙ୍କର ତିରୋଧାନ ପରେ କଂଗ୍ରେସ ରୂପୀ ନୌକାରେ କାଣ୍ଡାରୀ ହେବାଲାଗି ସତେଅବା ଆଉ କେହି ହେଲେ ରହିଲେ ନାହିଁ । ଯେଉଁମାନେ ଥିଲେ, ସେମାନେ ସତେଅବା ଆପଣାକୁ ହିଁ ସବା ଆଗରେ ନେଇ ରଖିଥିଲେ । ସେମାନେ ନିଜେ ସବାଆଗରେ ଅଥବା ସର୍ବଶୀର୍ଷରେ ରହିଥିବା ପର୍ଯ୍ୟନ୍ତ ଭାରତବର୍ଷର ଭାଗ୍ୟ ସୁରକ୍ଷିତ ରହିବ ବୋଲି ସେମାନେ ସତେଅବା ପ୍ରତ୍ୟେକେ ଭାବୁଥିଲେ । ପ୍ରାୟ ପ୍ରତ୍ୟେକେ ଭାରତବର୍ଷକୁ ପଛରେ, ସାତ ପଛରେ ରଖି ରାଜନୀତି ଭିତରେ ଆସନସ୍ଥ ହୋଇ ରହିଥିଲେ । ସେମାନେ ଆମ ସମସ୍ତଙ୍କର ହିତାକାଂକ୍ଷୀର ଯାବତୀୟ ସ୍ଵପ୍ନ ଭିତରେ ସେମାନେ ନିଜେ ସବାଆଗରେ ରହିଥିଲେ । ଗାନ୍ଧିଜୀଙ୍କ ସମୟରେ ସେହି ଗୋଟାଏ କଂଗ୍ରେସ ଭିତରେ କେତେଭଳି ଦାନ୍ତର ଓ କେତେଭଳି ଧାତୁର ନେତା ଏକତ୍ର ରହିଥିଲି । ଗାନ୍ଧିଜୀଙ୍କର ନେତୃତ୍ଵ ଏବଂ ସମଗ୍ର ପ୍ରଭାବଶାଳୀତାର ବାହୁ ବିସ୍ତାର କରି ସମସ୍ତଙ୍କୁ ଗୋଟିଏ ପିତୃତ୍ଵର ଲଗାମ ଭିତରେ ରଖିଥିବାରୁ ଏବଂ ଭାରତବର୍ଷର ରାଜନୀତିକ ସ୍ଵାଧୀନତା ସଂଗ୍ରାମ ସମୟରେ ଅଲଗା ଅଲଗା ହୋଇ ଦିଶିବା ଲାଗି ସମ୍ଭବତଃ କୌଣସି ଅବସର ପାଉନଥିଲେ । ଗାନ୍ଧିଜୀ ବାଟରୁ ହଟିଯିବା ପରେ ଯାଇ ସେପରି ଏକ ଅବସର ଉପଲବ୍‍ଧ ହୋଇଥିଲା ।

 

ରାଜନୀତିକ ସ୍ଵାଧୀନତା ଆସିବା ପରେ ମହାତ୍ମା ଗାନ୍ଧୀ ଏକ ରାଜନୀତିକ ସଂଗଠନ ଭାବରେ କଂଗ୍ରେସର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ ଓ ତାହାକୁ ଭାଙ୍ଗିଦେବାର ପରାମର୍ଶ ଦେଇଥିଲେ । ରାଜନୀତିକ ସ୍ଵାଧୀନତା ଭାରତବାସୀ ମାତ୍ରକେ ସମସ୍ତଙ୍କର କାମ୍ୟ ଥିଲା । ସେହି ସ୍ଵାଧୀନତା ଆସିଯିବା ପରେ ଏଣିକି ବିଭିନ୍ନ ଅର୍ଥନୈତିକ ସ୍ଵାର୍ଥକୁ ଭିତ୍ତି କରି ଦଳମାନ ଗଢ଼ାଯିବା ଉଚିତ ବୋଲି ସେ ମତ ଦେଲେ । ରାଜନୀତିକ ସ୍ଵାଧୀନତା ପାଇଁ ଏକ ରାଜନୀତିକ ସଂଗ୍ରାମର ପ୍ରୟୋଜନ ରହିଥିଲା । ଏଣିକି ଯେଉଁ ଦ୍ଵିତୀୟ ସଂଗ୍ରାମ ଅର୍ଥାତ୍ ବିପ୍ଳବଟି ହେବ, ଗାନ୍ଧିଜୀ ତାହାକୁ ସାମାଜିକ ଏବଂ ଅର୍ଥନୈତିକ ବିପ୍ଳବ ବୋଲି କହିଥିଲେ । ରାଜନୀତିକ ବିପ୍ଳବଠାରୁ ଏହି ଦ୍ଵିତୀୟ ସୋପାନର ବିପ୍ଳବଟି ଅଧିକ କଷ୍ଟସାଧ୍ୟ ହେବ ବୋଲି ସେ କହିଥିଲେ । ଭାରତୀୟ ସମାଜରେ ଏବଂ ଅର୍ଥନିତୀରେ ଯେଉଁସବୁ ପୁରୁଣା ରକ୍ଷଣଶୀଳତା ଏବଂ ଅନିଚ୍ଛା କାଳ କାଳରୁ ରହିଆସିଛି, ସେଗୁଡ଼ିକୁ ଭାଙ୍ଗିବାକୁ ହେବ ଏବଂ ତାହାରି ଦ୍ଵାରାହିଁ ଭାରତବର୍ଷରେ ଗଣତନ୍ତ୍ର ତଥା ସମାନ ନ୍ୟାୟର ଏକ ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ କରାଯାଇ ପାରିବ ବୋଲି ଗାନ୍ଧିଜୀ ଯୁକ୍ତି ବାଢ଼ିଥିଲେ ।

 

ଦେଶବାସୀଙ୍କୁ ଏହି ବୃହତ୍ତର ପରିବର୍ତ୍ତନ ଓ ନିର୍ମାଣର ଚେତନାରେ ଜୁଆଇ ଆଣିବା ନିମନ୍ତେ ଗାନ୍ଧିଜୀ କଂଗ୍ରେସକୁ ଏକ ଲୋକସେବକ ସଙ୍ଘରେ ପରିଣତ ହୋଇଯିବାକୁ ପରାମର୍ଶ ଦେଇଥିଲେ । ଲୋକସେବକ ସଂଘର ଗଠନ ତଥା କାର୍ଯ୍ୟକ୍ରମ ସମ୍ବନ୍ଧରେ ସେ ଏକ ପ୍ରାଥମିକ ଚିଠା ମଧ୍ୟ ପ୍ରସ୍ତୁତ କରିଥିଲେ । ବିଭିନ୍ନ ରାଜନୀତିକ ଦଳର ସାଧୁତା ବା ସାଧୁତାକୁ ହୃଦୟଙ୍ଗମ କରି ସେହି ଅନୁସାରେ ଭାରତବର୍ଷ ଜନଗଣ ଯେପରି ଦେଶର ଅନୁରୂପ ଶାସନ ନିମନ୍ତେ ଆପଣାର ପ୍ରତିନିଧିମାନଙ୍କୁ ବାଛି ପାରିବେ, ସେଥିଲାଗି ଏକ ରାଜନୀତିକ ସଚେତନତା ତଥା ସକ୍ରିୟତା ସେମାନଙ୍କଠାରେ ରହିବା ଉଚିତ ବୋଲି ଗାନ୍ଧିଜୀ ହୃଦୟଙ୍ଗମ କରିଥିଲେ । ସେହି ସଚେତନା ସୃଷ୍ଟି କରିବା ନିମନ୍ତେ ଲୋକସେବକ ସଂଘର କର୍ମୀମାନେ ଭାରତର ସାତଲକ୍ଷ ଗାଆଁରେ କାର୍ଯ୍ୟ କରିବେ ବୋଲି ତାଙ୍କର କଳ୍ପନା ରହିଥିଲା । କଂଗ୍ରେସ ଶିବିର ତାଙ୍କର ସେହି ଅନୁରୋଧ ରକ୍ଷା କରିନଥିଲା । ନେତାମାନେ ଏକ ଆପାତ ବିଜୟ ପରେ ସତେଅବା କ୍ଳାନ୍ତ ହୋଇପଡ଼ିଥିଲେ ଓ ଆସନଗୁଡ଼ିକରେ ଯାଇ ବସି ପଡ଼ିବାକୁ ବ୍ୟଗ୍ର ହୋଇ ରହିଥିଲେ । ଆସନ ଅର୍ଥାତ୍ କ୍ଷମତା, କ୍ଷମତାଲାଭ ଦ୍ଵାରା ହିଁ ସେମାନେ ସ୍ଵାଧୀନତା ନିମନ୍ତେ ଏକ ରାଜନୀତିକ ସଂଗ୍ରାମ କରିଥିବାଜନିତ କ୍ଳାନ୍ତିକୁ ମେଣ୍ଟାଇବାର ସ୍ଵପ୍ନ ଦେଖୁଥିଲେ । ତେଣୁ ସ୍ଵାଧୀନ ଦେଶ ଆପଣାର ଗୁଳାରେ ଯେପରି ଆଗକୁ ଚାଲିପାରିବ, ସେଥିଲାଗି ବହୁ ଉଚ୍ଚ ସ୍ଵପ୍ନକୁ ଗର୍ଭରେ ଧରି ଭାରତବର୍ଷ ପାଇଁ ସମ୍ବିଧାନଟିଏ ଗଢ଼ା ହେଲା । ସେହି ସମ୍ବିଧାନକୁ କାର୍ଯ୍ୟକାରି କରିବା ନିମନ୍ତେ କେନ୍ଦ୍ରରେ ଶାସନ ବସିଲା ଓ ଉପରୁ ହିଁ ଦେଶକୁ ନୂଆକରି ଗଢ଼ିବାର ମସୁଧାମାନ ହେଲା ।

 

ଗାନ୍ଧିଜୀଙ୍କର ଚିଠାରେ ଦେଶକୁ ତଳଆଡ଼ୁ ଗଢ଼ିଆଣିବାର ଓ ତାହାରି ମାଧ୍ୟମରେ ଲୋକ ଶକ୍ତିକୁ ମଜବୁତ କରିବାର ଯୋଜନାମାନ ରହିଥିଲା । ସ୍ଵାଧୀନ ଭାରତବର୍ଷରେ ପ୍ରଧାନତଃ ଉପରୁ ଯେଉଁ ଶାସନ ଚାଲିଲା, ତଦ୍ୱାରା ରାଜଶକ୍ତି ହିଁ ଅଧିକରୁ ଅଧିକ ବଳ ପାଇଲା । ଲୋକମାନଙ୍କୁ ଉପରୁ ଅନୁକମ୍ପା କିମ୍ବା ହିତୈଷିତା ଦେଖାଇ କେହି କଦାପି ଲୋକଶକ୍ତିର ବୃଦ୍ଧିରେ ଯଥାର୍ଥ ସହାୟତା କରିପାରିବ ନାହିଁ । ବିଶେଷତଃ, ଅଶିକ୍ଷା, ଦାରିଦ୍ର୍ୟ ଏବଂ ଦୃଶ୍ୟ ତଥା ଅଦୃଶ୍ୟ ବହୁ ଅସମାନତା କାଳକାଳରୁ ସାମୂହିକ ଜୀବନକୁ ମାଡ଼ି ବସିବାର ଗୋଟିଏ ଦେଶରେ ରାଜଶକ୍ତି ଯେତିକି ବିପୁଳ ଏବଂ ବହୁଳ ହେଉଥିବ, ଉପରଟାକୁ ନ୍ୟସ୍ତସ୍ଵାର୍ଥମାନେ ସେତିକି ସେତିକି ଅଧିକ ପ୍ରବଳ ଭାବରେ ମାଡ଼ି ବସିବାର ପ୍ରଶ୍ରୟ ମଧ୍ୟ ପାଇବାରେ ଲାଗିଥିବେ । ଅଳ୍ପମାନେ ଅଧିକଙ୍କ ଉପରେ ସେତିକି ଅଧିକ ପରାକ୍ରମ ଦେଖାଉଥିବା ଏବଂ ଶାସନ ଓ ଶାସିତମାନଙ୍କ ମଧ୍ୟରେ ଖାଇଗୁଡ଼ିକ ସେତିକି ବଢ଼ିବାରେ ଲାଗିଥିବେ ଏବଂ ଅନିଷ୍ଟ ସାଧନ କରୁଥିବେ । ସ୍ଵାଧୀନତାର ବିଗତ ପ୍ରାୟ ପାଞ୍ଚ ଦଶକରେ ଭାରତବର୍ଷରେ ପ୍ରଧାନତଃ ତାହାହିଁ ହୋଇଛି । ମୂଳଟି ଦୁର୍ବଳ ହୋଇ ରହିଯାଇଛି । ତେଣୁ ଅଗମାନେ, ଉପରମାନେ ଓ ଉତ୍ତମମାନେ ଅଧିକ ଉପଦ୍ରବ ଏବଂ ଅବିବେକୀ ହୋଇଛନ୍ତି । ସଂହତି ଭାଙ୍ଗି ଭାଙ୍ଗି ଯାଉଛି ।

 

ଭାରତବର୍ଷ ସ୍ଵାଧୀନ ହେବାପରେ ଏହି ଦେଶର ଅଧିବାସୀମାନଙ୍କର ନିମନ୍ତେ ସବାଆଗ କେଉଁ କାମ ସବୁ କରାଯିବ, ସ୍ଵାଧୀନତାର ସଂଗ୍ରାମ ଲଢ଼ା ହେବାବେଳେ ସଂଗ୍ରାମର ନେତାମାନେ କେଡ଼େ ଉତ୍ସାହରେ ସେସବୁ କଥା କହୁଥିଲେ । ଭାରତବର୍ଷରୁ ଦାରିଦ୍ର୍ୟ ଦୂର ହୋଇଯିବ, ଅଶିକ୍ଷା ଯିବ, ସବୁ ପିଲା ପାଠ ପଢ଼ିବେ, ସମସ୍ତେ କାମ ପାଇବେ, ଭାରତବର୍ଷର ଗ୍ରାମଗୁଡ଼ିକରେ ଜୀବିକା–ଅର୍ଜନର ସଂସ୍ଥାଗୁଡ଼ିକୁ ସୁଦୃଢ଼ କରାଯିବ, ଯାହା ଫଳରେ କି ଗ୍ରାମବାସୀମାନେ ଉଦବାସ୍ତୁ ହୋଇ ସହରକୁ ଆସିବାକୁ ବାଧ୍ୟ ହେବେନାହିଁ, ଭାରତୀୟ ବୃହତ୍ ପରମ୍ପରାକୁ ଭାଙ୍ଗିଯିବାକୁ ନଦେଇ ଦେଶରେ ଯଥାସମ୍ଭବ ଅଧିକ ବିକେନ୍ଦ୍ରୀକରଣକୁ ବାଟ ଛାଡ଼ିଦେବା ହିଁ ରାଷ୍ଟ୍ରର ନୀତି ହୋଇ ରହିବ । ଉପନିବେଶ ଅମଳର ଗୋଲାମ ବନାଉଥିବା ଶିକ୍ଷାର ଲୋପ ହେବ, ଶିକ୍ଷାର ଆଭିମୁଖ୍ୟ ଏବଂ ଆବେଦନ ସଂପୂର୍ଣ୍ଣ ଭାବରେ ବଦଳି ଯିବ, ଏହିପରି କେତେ କେତେ କଥା । ଭୂମି ସଂସ୍କାରକୁ ସର୍ବାଗ୍ରସ୍ଥାନ ଦିଆଯିବ ଅର୍ଥାତ୍ ଜମିକୁ ପ୍ରକୃତରେ ଚାଷ କରି ଫଳ ଫଳାଉଥିବା ଲୋକ ହିଁ ଜମିର ଅଧିକାରୀ ହେବ,–ଭାରତୀୟ ଜାତୀୟ କଂଗ୍ରେସ ଏହି କଥାଟିକୁ ସ୍ଵାଧୀନତା ପାଇବାର ବହୁବର୍ଷ ପୂର୍ବରୁ ଘୋଷଣା କରିଦେଇଥିଲା । ମୋଟ କଥା ହେଉଛି, ଭାରତବର୍ଷରେ ସମସ୍ତେ ଆପଣାକୁ ଗୋଟିଏ ଦେଶ, ଗୋଟିଏ ଜାତି ଓ ଗୋଟିଏ ସମୂହ ବୋଲି ଅନୁଭବ କରିବେ । କେହି କାହାରିକୁ ଶୋଷଣ କରିବେ ନାହିଁ, ନ୍ୟାୟ ପାଇବା ସମସ୍ତଙ୍କର ସହଜ ପହଞ୍ଚ ଭିତରେ ରହିବ । ଜାତିଭେଦ ଉଠିଯିବ, ବଡ଼ସାନ ରହିବ ନାହିଁ, ଅସମାନତାଗୁଡ଼ିକ ଯଥାସମ୍ଭବ ଲୋପ କରି ଦିଆଯିବ । ସମସ୍ତେ ମନୁଷ୍ୟର ସମ୍ମାନ ଲାଭ କରିବେ;–ଦିଲ୍ଲୀର ରାଜପ୍ରସାଦ ଓ ଦରିଦ୍ର ମନୁଷ୍ୟର ଦିନ କୁଟୀର ସ୍ଵାଧୀନ ଭାରତବର୍ଷରେ ଗୋଟିଏ ଦିନପାଇଁ ମଧ୍ୟ କଦାପି ପରସ୍ପରର ପାଖାପାଖି ହୋଇ ରହିବେ ନାହିଁ ବୋଲି ମହାତ୍ମାଗାନ୍ଧୀ ସ୍ଵାଧୀନତା ଆସିବା ପୂର୍ବରୁ ଘୋଷଣା କରିଥିଲେ । ସ୍ଵାଧୀନ ଭାରତର ଶାସକମାନଙ୍କ ଉପରେ ସେ ପ୍ରକୃତରେ ବହୁତ ଭରସା ରଖିଥିଲେ ।

 

ସମାନ ଅଧିକାର, ସମାନ ସୁଯୋଗ, ସମାନ କର୍ତ୍ତବ୍ୟ, ସମାନ ସମ୍ଭାବନା ଓ ସମସ୍ତଙ୍କ ଲାଗି ସର୍ବନିମ୍ନ ଆବଶ୍ୟକତାଗୁଡ଼ିକର ପରିପୂର୍ତ୍ତି,–ଯେକୌଣସି ଦେଶରେ ଏହିଗୁଡ଼ିକୁ ହିଁ ଅସଲ ସଂହତି ପ୍ରତିଷ୍ଠିତ ହୋଇ ରହିବାର କେତୋଟି ସନ୍ତକ ଏବଂ ନିଦର୍ଶନ ବୋଲି କୁହାଯିବ । ପୃଥିବୀର ଯେଉଁସବୁ ଦେଶରେ ଏଗୁଡ଼ିକଲାଗି ସବାଆଗ ଜାଗା ଛାଡ଼ି ଦିଆଯାଇଛି, ସେହିସବୁ ଦେଶରେ ସଂହତି ରହିଛି, ପାରସ୍ପରିକ ଆସ୍ଥା ରହିଛି, ସେହି ଦେଶମାନଙ୍କରେ ଜାତୀୟ ଜୀବନ ଏକ ଦୃଢ଼ ମୂଳଦୁଆ ଉପରେ ଛିଡ଼ା ହୋଇ ରହିପାରିଛି । ଯଥାର୍ଥ ଗଣତନ୍ତ୍ର ସେହିସବୁ ଦେଶରେ ସମ୍ଭବ ହୋଇପାରିଛି । ସାମୂହିକ ଜୀବନରେ ଏକ ନୂତନ ନୈତିକତା ସମ୍ଭବ ହୋଇଛି, ଯାହାକୁ ଏକାଧିକ ଅର୍ଥରେ ଏକ ଯଥାର୍ଥ ମାନବିକତା ବୋଲି କୁହାଯାଇପାରିବ । ରାଜନୀତିକ ସ୍ଵାଧୀନତା ଆସିବା ପରେ ଯେଉଁସବୁ ଦେଶରେ ଦେଶର ସବୁ ମଣିଷମାନଙ୍କୁ ନଜରରେ ରଖି ଆବଶ୍ୟକ ଅର୍ଥନୈତିକ ଏବଂ ସାମାଜିକ ପରିବର୍ତ୍ତନ ଲାଗି ବାଟ ଛାଡ଼ି ଦିଆଯାଇଛି, ସେହିସବୁ ଦେଶରେ ରାଷ୍ଟ୍ରୀୟତା କ୍ରମଶଃ ଏକ ପ୍ରଶସ୍ତତର ମାନବିକତାରେ ପରିଣତ ହେବା ନିମନ୍ତେ ଉତ୍ସାହ ଲାଭ କରିଛି । ଭାରତବର୍ଷରେ ସେହି ମୂଳ ଜିନିଷଗୁଡ଼ିକ ସମ୍ଭବ ହୋଇନାହିଁ, ସର୍ବମୂଳ ସାହାସଗୁଡ଼ିକୁ ଦେଖାଇବାରେ ଏବଂ ସର୍ବପ୍ରଥମ ପାହୁଣ୍ଡଗୁଡ଼ିକୁ ପକାଇବାରେ ଭାରତବର୍ଷର ନେତୃତ୍ଵ ସତେଅବା କେଉଁ ଜିଦ୍ ଧରି ବସିଥିବା ପରି ପଶ୍ଚାତ୍‍ପଦ ହୋଇରହିଛି । ତେଣୁ, ଭାରତବର୍ଷରେ ଯାହା ଆଦୌ ହେବାର ନଥିଲା, ଅଧିକତଃ ସେଗୁଡ଼ାକ ହିଁ ଘଟିଛି, ଦିଗବଳୟଗୁଡ଼ିକୁ ବିଭ୍ରାନ୍ତ କରି ରଖିଛି ।

 

ସ୍ଵାଧୀନ ଭାରତବର୍ଷର ଅଭିବୃଦ୍ଧି–ଖାତାରେ ଗତ ପାଞ୍ଚ ଦଶକ ମଧ୍ୟରେ ଆଖିଦୃଶିଆ ବହୁତ କିଛି ଘଟିଛି ଓ ଘଟୁଛି ଏବଂ ସେଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏବଂ ହେଉଛି । ଦେଶର ସମୃଦ୍ଧି ବଢ଼ାଇବାର ନିଶାରେ ରାଷ୍ଟ୍ର ବିଦେଶରୁ ଅର୍ବୁଦ ପରିମାଣର ଟଙ୍କା କରଜ କରି ଆଣିବାକୁ ଆଦୌ କୁଣ୍ଠା ପ୍ରକାଶ କରିନାହିଁ । କୋଠାମାନ ଦଶହଜାର ଗୁଣ ବଢ଼ିଛନ୍ତି, ରାସ୍ତାମାନେ ଲମ୍ବରୁ ଆହୁରି ଲମ୍ବ ହୋଇଛନ୍ତି, କଳକାରଖାନା ଭଳିକି ଭଳି ବସିଛି ଓ ବସୁଛି ବ୍ରିଟିଶ ଅମଳରେ ଯେଉଁସବୁ ଦ୍ରବ୍ୟ ବାହାରୁ ଦେଶକୁ ଆସୁଥିଲା, ଏବେ ଭାରତର ବୈଜ୍ଞାନିକମାନେ ତାହାକୁ ଦେଶରେ ତିଆରି କରି ପାରିଲେଣି । ଭାରତବର୍ଷକୁ ଏକ ଆଧୁନିକ ଦେଶରେ ପରିଣତ କରିବାଲାଗି କେତେ କେତେ ଯୋଜନା ଏବଂ ଗବେଷଣା ହେଉଛି । ଇସ୍କୁଲ ଓ କଲେଜମାନେ ସଂଖ୍ୟାରେ ବହୁଗୁଣିତ ହେଉଛନ୍ତି । ଚାକିରି ବହୁଗୁଣିତ ହେଉଛି, ଚାକିରିଆମାନେ ଆଗ ଅପେକ୍ଷା ଅନେକଗୁଣ ଅଧିକ ଦରମା ପାଉଛନ୍ତି । ଯଥା ସମ୍ଭବ ଅଧିକରୁ ଅଧିକ ଅଞ୍ଚଳକୁ ସହରଗୁଡ଼ିକ ସହିତ ଗୁନ୍ଥି ଆଣିବାକୁ ଡାକତାର ବସିଲାଣି, ବିଜୁଳି ଆଲୁଅରେ ପ୍ରସାର ଘଟିଲାଣି, ବ୍ୟାଙ୍କମାନେ ଗାଁ ଭିତରେ ଯାଇ ପଶିଲେଣି । ଜନକଲ୍ୟାଣ ହିଁ ରାଷ୍ଟ୍ରର ସର୍ବମୁଖ୍ୟ ଧନ୍ଦା ହୋଇଛି । ଧନୀ ହେବାର ଆକାଂକ୍ଷାମାନ ଅଧିକରୁ ଅଧିକ ସାର୍ବଜନୀନ ହେଲାଣି । ରେଡ଼ିଓ, ଟେଲିଭିଜନ ଓ ଟେଲିଫୋନର ମାଧ୍ୟମରେ ରାଷ୍ଟ୍ରୀୟ ଶାସନ ତଥା ପ୍ରଶାସନର ରଜ୍ଜୁଗୁଡ଼ିକ ସତେଅବା ଆମ ଘର ଭିତରେ ପଶି ଆମକୁ କେଡ଼େ ବିଚକ୍ଷଣ ଭାବରେ ବାନ୍ଧି ପକାଇଲେଣି । ଦେଶରେ ସରକାରଙ୍କର ଗୋଟିଏ ପ୍ରଚାର ବିଭାଗ ରହିଛି, ଯାହାକି ଏହି ସରକାର ଏକାବେଳକେ ଆମ ନିଜର ବୋଲି ଏକାଧିକ ଉପାୟରେ ଆମକୁ ଘନ ଘନ ପ୍ରତ୍ୟୟ ଆଣିଦେବାର ପ୍ରୟାସ କରୁଛି । ସରକାରୀ ଦଳ ସାଙ୍ଗକୁ ବିରୋଧୀ ଦଳମାନେ ରହିଛନ୍ତି, ଯେଉଁମାନେ କି ଦେଶରେ ଆମ ସମସ୍ତଙ୍କ ନିମନ୍ତେ ଗଣତନ୍ତ୍ରକୁ ବଞ୍ଚାଇ ରଖିଛନ୍ତି । ମୁଣ୍ଡ ସୁମାରି କରି ଭାରତବର୍ଷକୁ ପୃଥିବୀର ସର୍ବବୃହତ୍ ଗଣତନ୍ତ୍ର ବୋଲି କୁହାଯାଉଛି । ତଥାପି କେଉଁଠାରେ କ’ଣ ଗଲତି ରହିଯାଇଛି । ତଥାପି କେଉଁଠି କ’ଣ ବିଗିଡ଼ି ଯାଇଛି । ସେର ଓ ମାଣମାନେ ଭରପୁର ହୋଇରହିଛନ୍ତି, ତଥାପି ଅସଲ ଉଜ୍ଜୀବନ ଏବଂ ଅସଲ ସଂହତିଗୁଡ଼ିକ ସମ୍ଭବ ହୋଇପାରୁ ନାହିଁ ।

 

ଏତେ ଏତେ ସମୃଦ୍ଧି ସତ୍ତ୍ୱେ ଦେଶରେ ମଣିଷ ମଣିଷ ଭିତରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି । ସ୍ୱୟଂ ସରକାରଙ୍କ ସ୍ଵୀକାରୋକ୍ତି ଅନୁସାରେ ଭାରତବର୍ଷ ଧନୀ ଅଧିକ ଧନୀ ହେବାରେ ଲାଗିଛି ଏବଂ ଦରିଦ୍ର ଅଧିକ ଦରିଦ୍ର ହେଉଛି । ଅସହାୟ ମଣିଷ ଅଧିକ ଅସହାୟ ହୋଇଯାଉଛି । ସମୃଦ୍ଧିର ସୁଫଳ ସବୁ ମଣିଷଙ୍କ ପାଖରେ ପହଞ୍ଚି ପାରୁନାହିଁ । ଅଳପ ମଣିଷ ଅଧିକାଂଶ ସୁଫଳକୁ ନିଜପାଇଁ ଅଟକାଇ ରଖୁଛନ୍ତି ଏବଂ ତାହାକୁ ସର୍ବଜନଙ୍କର ସ୍ତରଯାଏ ଆସିବାକୁ ଦେଉନାହାନ୍ତି । ଯୋଜନାମାନେ ବାଟମାରଣା ହେଉଛନ୍ତି । କୃଷିରେ ଉତ୍ପାଦନ ବୃଦ୍ଧି ପାଉଛି । ତଥାପି ଖାଦ୍ୟଭାବ ରହିଛି । ମଣିଷମାନେ ଅନାହାରରେ, ଅର୍ଦ୍ଧାହାରରେ ମରୁଛନ୍ତି । ପ୍ରତିବର୍ଷ ଏ ଦେଶରେ ହଜାର ହଜାର ଡାକ୍ତର ବାହାରୁଛନ୍ତି । ନୂଆ ଡାକ୍ତରଖାନାମାନ ବସୁଛି । ମାତ୍ର ଚିକିତ୍ସା ନ ପାଇ ମଣିଷମାନେ ପୋକମାଛି ପରି ମରୁଛନ୍ତି । ତାକୁ ଆଳ କରି ପ୍ରତିନିଧିସଭାମାନଙ୍କରେ ତୁମୁଳ ତର୍କଗୋଳ ହେଉଛି ଓ ରାଜନୀତିର ମଣ୍ଡୁକମାନେ ସେଥିରୁ ଫାଇଦାମାନ ଉଠାଉଛନ୍ତି ସତ, ମାତ୍ର ଅସହାୟ ମଣିଷମାନଙ୍କର ଅସହାୟତା ଦୂର ହେଉନାହିଁ । ଉପେକ୍ଷା ହିଁ ଉତ୍ତମମାନଙ୍କର ଧର୍ମ ହୋଇରହିଛି । ସରକାରୀ କାଗଜପତ୍ର ଯେତେ କୋଳାହଳ କରି ଯେତେ ଉତ୍ସାହରେ ଯାହାମନ ତାହା କହୁ ପଛକେ, ଦାରିଦ୍ର୍ୟର ସୀମାରେଖା ତଳେ ଏହି ଦେଶରେ ଏବେ ମଧ୍ୟ କୋଟି କୋଟି ମଣିଷ ରହିଛନ୍ତି । ସେମାନଙ୍କୁ ଭଳି ଭଳି ଦୟା ଦେଖାଯାଉଛି ସତ, ମାତ୍ର ସେମାନଙ୍କୁ ସମକକ୍ଷ ସମାନ ଅଧିକାର ରହିଥିବା ମଣିଷ ହିସାବରେ ମୋଟେ ସ୍ଵୀକାର କରାଯାଉନାହିଁ ।

 

ଦେଶରେ ନ୍ୟାୟାଳୟ ରହିଛି, ତଥାପି ସବୁ ମଣିଷଙ୍କୁ ନ୍ୟାୟର ଭରସା ମିଳୁନାହିଁ । ପୋଲିସ ରହିଛନ୍ତି, ତଥାପି ସବୁ ମଣିଷଙ୍କୁ ଆବଶ୍ୟକ ସୁରକ୍ଷାର ନିଶ୍ଚିତ ଭରସା ମିଳୁନାହିଁ । ନିର୍ବାଚିତ ଲୋକପ୍ରତିନିଧୀମାନେ ରହିଛନ୍ତି । ମାତ୍ର ଲୋକସାଧାରଣଙ୍କ ଆବାଜ ଉଚ୍ଚଥାନମାନଙ୍କରେ ଯାଇ ପହଞ୍ଚି ପାରୁନାହିଁ । ଦେଶର ସବୁଯାକ ଅଢ଼ା ସାମନ୍ତମାନଙ୍କ ହାତରେ ଯାଇ ରହିଛି । ସବୁଯାକ ଫେଶନ, ସବୁଯାକ ପ୍ରଦର୍ଶନ, ସବୁଯାକ ଗର୍ବ ଓ ଗରିମା ସେହି ସାମନ୍ତମାନେ ହିଁ ଭୋଗ କରିବାରେ ଲାଗିଛନ୍ତି । ଦେଶରେ ଅମଲାତନ୍ତ୍ର ହିଁ ମଙ୍ଗରାଜାଙ୍କ ଘରେ ଚମ୍ପାସାଆନ୍ତାଣୀ ହୋଇ ବସିଛି । ସ୍ଵାଧୀନ ଭାରତର ହାକିମମାନେ ଦେଶରେ ସେବକ ହୋଇ ରହିଥାଆନ୍ତେ । ମାତ୍ର, ସେଠି ସେହି ମଥାନଟାରେ ଯନ୍ତ୍ରଗୁଡ଼ାକୁ ଏପରି କୌଶଳ କରି ଖଞ୍ଜି ଦିଆଯାଇଛି ଯେ, ସେମାନେ ଆମର ସେବକ ଓ ସହାୟକ ହେବା ଅପେକ୍ଷା ବରଂ ବାବୁ ହେବାରେ ହିଁ ଅଧିକ ଆତ୍ମପ୍ରସାଦ ଲାଭ କରୁଛନ୍ତି । ଏକ ଭାଗ୍ୟହୀନ ଦେଶରେ ସେମାନେ ସତେଅବା ଆପଣାକୁ ହିଁ ଏକମାତ୍ର ଭାଗ୍ୟବାନ ଏବଂ ଭାଗ୍ୟଧର ବୋଲି ମଣୁଛନ୍ତି । ରାଜନୀତି ମହାପ୍ରଶସ୍ତମାନଙ୍କର ଆଖଡ଼ାରେ ପରିଣତ ହେଲାଣି । ମଣିଷମାନଙ୍କର ଚକ୍ଷୁରୁ ଯାବତୀୟ ଦୁଃଖଜନିତ ଅଶ୍ରୁର ମୋଚନ କରିବା ହିଁ ରାଜନୀତିର ଅସଲ ଧର୍ମ ବୋଲି ମହାତ୍ମାଗାନ୍ଧୀ ଏକଦା ଭାରତବର୍ଷରେ କହିଥିଲେ । ଏବେ ରାଜନୀତି ମୂଳତଃ ଆପଣା ସ୍ଵାର୍ଥର ସିଦ୍ଧିକୁ ହିଁ ବୁଝାଉଛି । ଯେକୌଣସି ପ୍ରକାରେ କ୍ଷମତା ରହିବା ହିଁ ବିଚରା ଆତ୍ମକଥା ଅଥର୍ବମାନଙ୍କର ଏକମାତ୍ର ଧର୍ମରେ ପରିଣତ ହୋଇଗଲାଣି । ବାମ ଓ ଡାହାଣ, ଉଭୟ ପକ୍ଷରେ ଅଧିକତର ସଂଖ୍ୟାରେ ଏହି ଆତ୍ମକାମୀମାନେ ରହିଛନ୍ତି । ସେମାନେ ସମସ୍ତେ ମିଶି ଗଣତନ୍ତ୍ରକୁ ଏକ ସାମନ୍ତବାଦୀ ଆଖଡ଼ାରେ ପରିଣତ କରିଦେଇଛନ୍ତି । ଅସଲ ରାଜନୀତି ଯାଇ ଲଟାରେ ପଶିଲାଣି । ଏପରି ଏକ ପରିସ୍ଥିତିରେ ଦେଶରେ ସଂହତି କୁଆଡ଼ୁ କାହିଁକି ସମ୍ଭବ ହେବ ? ଯେଉଁ ଦେଶରେ ଉଚ୍ଚ ଓ ଉତ୍ତମମାନେ ଆପଣାକୁ ହିଁ ଅଧିକରୁ ଅଧିକ ପୃଷ୍ଟ ଓ ପୃଥୁଳ କରିବାକୁ ଧର୍ମ ପରି ଗ୍ରହଣ କରି ନେଇଥାନ୍ତି ଓ ଅଧିକ ସଂଖ୍ୟକ ମନୁଷ୍ୟ ଅସହାୟ ହୋଇ ରହିଥାଆନ୍ତି, ସେହି ଦେଶରେ ସଂହତି ଖୋଜି ଆମେ ଆଉ କାହା ଘରକୁ ଯିବା ? ସେହି ଦେଶରେ ଉପେକ୍ଷା ଓ ଆତ୍ମକାତରତା ହିଁ ରାଜ୍ୟ ହୋଇ ବସିଥାଆନ୍ତି ।

 

ଏହି ସର୍ତ୍ତଟିକୁ ଅଧିକ ସ୍ପଷ୍ଟ କରି ଦେବାଲାଗି ଦେଶର ଶିକ୍ଷା କ୍ଷେତ୍ରକୁ ଆମେ ଏକ ଅନ୍ୟତମ ଉଦାହରଣ ରୂପେ ଗ୍ରହଣ କରିପାରିବା । ଦେଶର ସବୁ ପିଲା ଆମ ସମ୍ବିଧାନର ସକଳ ପ୍ରତିଶ୍ରୂତି ସତ୍ତ୍ୱେ ପ୍ରାଥମିକ ଶିକ୍ଷାର ଅଧିକାର ଲାଭ କରିପାରି ନାହାନ୍ତି । ଯେତିକି ପିଲା ସ୍କୁଲକୁ ଆସୁଛନ୍ତି, ସେମାନେ ମଧ୍ୟ ଏକା ପାଠ ପଢ଼ୁନାହାନ୍ତି । ସତେଅବା ସତରଟା ସ୍ଵାର୍ଥକୁ ସନ୍ତୁଷ୍ଟ କରିବାର ମତଲବରେ ଦେଶରେ ସତର ପ୍ରକାରର ପ୍ରାଥମିକ ଶିକ୍ଷା ଚାଲିଛି । ପ୍ଲେଟୋଙ୍କର ବିଚିତ୍ର କଳ୍ପନା ପରି ସୁନାଘରର ପିଲାଏ ସୁନା ପାଠ ପଢ଼ୁଛନ୍ତି, ରୂପାଘରର ପିଲାଏ ରୂପା ପାଠ ପଢ଼ୁଛନ୍ତି ଓ ପିତ୍ତଳ ଘରର ପିଲାଏ ପିତ୍ତଳ ପାଠ ପଢ଼ୁଛନ୍ତି । ଉଚ୍ଚରେ ଥିବା ଶିକ୍ଷାଘରର ବାବୁମାନେ ସେହି ଉପରେ ଥାଇ ଦେଶର ପିଲାଙ୍କ ନିମନ୍ତେ ଏଭଳି ଏକ ଶିକ୍ଷାର ବ୍ୟବସ୍ଥା କରିଦେଇଛନ୍ତି, ଯାହା ଫଳରେ ନଥିବା ଘରର ପିଲାମାନଙ୍କର ଅଧେ ଭାଗ ସ୍କୁଲରେ ମାତ୍ର କେତେ ବର୍ଷ ବସି ତା’ପରେ ଇସ୍କୁଲ ଛାଡ଼ି ପଳାଉଛନ୍ତି । ଆମ ଦେଶରେ ପଢ଼ାଯାଉଥିବା ପାଠ ପିଲାର ପାରିପାର୍ଶ୍ଵିକ ଜୀବନରେ ଅଧିକାଂଶ ସ୍ଥଳରେ ହୁଏତ କୌଣସି କାମରେ ଲାଗୁନାହିଁ । ଶିକ୍ଷାର ଗୁଣାତ୍ମକ ଦୃଷ୍ଟିରୁ ଶିକ୍ଷା ବିଷୟରେ ସମ୍ଭବତଃ କିଛି ନ କହିବା ହିଁ ଭଲ ହେବ । ଚାକିରି ସହିତ ପାଠ ପଢ଼ିବାକୁ ଅତ୍ୟନ୍ତ ନିର୍ବୋଧ ଭାବରେ ଯୋଡ଼ି ଦିଆଯାଇଥିବାରୁ ପିଲାମାନେ ସତେଅବା ବାଧ୍ୟ ହୋଇ ପାଠପଢ଼ି ଗୋଟାଏ ଗୋଟାଏ ପ୍ରମାଣପତ୍ର ହାସଲ କରିବା ନିମନ୍ତେ ସ୍କୁଲକୁ ଆସୁଛନ୍ତି । ପାଠ ପଢ଼ିବା, ଶିକ୍ଷିତ ହେବା ଏବଂ ପରୀକ୍ଷାରେ ପାସ କରିବା ନ୍ୟାୟତଃ ଏକ ପ୍ରହସନରେ ପରିଣତ ହୋଇଗଲାଣି । ଉପରେ ଶିକ୍ଷାର ସିରସ୍ତାମାନଙ୍କରେ କେଡ଼େ କେଡ଼େ ବାବୁମାନେ ବସି ଯନ୍ତ୍ରଗୁଡ଼ାକୁ ଚଳାଉଛନ୍ତି ବୋଲି ହିଁ ଯାହା ଏହି ଦେଶରେ ଶିକ୍ଷା ଲାଗି କିଛି ହେଉଛି ବୋଲି ପ୍ରତୀତ ହେଉଛି ।

 

ଏହି ଦେଶଟା ଯେ ଅନୁରକ୍ତି ଏବଂ ଆନୁଗତ୍ୟ କ୍ଷେତ୍ରରେ ନାନା ଭାବରେ ବିଭାଜିତ ହୋଇ ରହିଛି, ଆମ ବିଦ୍ୟାଳୟଗୁଡ଼ିକ ତାହାର ଚାକ୍ଷୁଶ ପ୍ରମାଣ ହୋଇ ରହିଛନ୍ତି । ଦେଶର ପ୍ରତ୍ୟକ ଶିଶୁ ତା’ର ପ୍ରାଥମିକ ଶିକ୍ଷାର କାଳରୁ ହିଁ ତା’ର ସମବୟସୀ ଏହି ଦେଶର ସମସ୍ତଙ୍କ ସହିତ ଯେଉଁ ଏକାତ୍ମକତା ଅନୁଭବ କରୁଥାନ୍ତା, ତାହା ଭାରତବର୍ଷରେ ସମ୍ଭବ ହୋଇପାରୁନାହିଁ । ମୂଳରୁ ହିଁ ସେ ନାନା ସ୍ତରର ନାନା ଦେଶକୁ ଦେଖୁଛି । ସିଏ କେଉଁଠି ଇଂରାଜୀ ମାଧ୍ୟମରେ ପାଠ ପଢ଼ୁଛି; ଉତ୍ତମରୁ ଶିକ୍ଷା ଲାଭ କରିବାର ଯାବତୀୟ ସରଞ୍ଜାମ ତା’ଲାଗି ଖଞ୍ଜା ହୋଇ ରହିଛି । ଗେହ୍ଲା ହୋଇ, କଣ୍ଢେଇପରି ଦିଶି ସିଏ ପାଠ ବୋଲି ଯାହାକିଛି ପଢ଼ୁଛି, ତାହା ତାକୁ ତା’ଅନ୍ତର ଭିତରୁ ଏହି ଦେଶର ନିୟତିଠାରୁ ବଡ଼ ନିର୍ମାଣ ଭାବରେ ଛିନ୍ନ କରି ନେଉଛି । ସେ ଏହି ଦେଶକୁ ସତେଅବା କେବଳ ଭୋଗ କରିବାକୁ ହିଁ ଏକ ବିଶେଷ ଘରେ ଜନ୍ମ ହୋଇଛି ବୋଲି ତା’ଇସ୍କୁଲ hidden syllabus ଷଡ଼ଯନ୍ତ୍ର କଲାପରି ତା’ କାନ ପାଖରେ ମନ୍ତ୍ର ଫୁଙ୍କିବାରେ ଲାଗିଛି । ଅଙ୍ଗୀକାରବଦ୍ଧତାର କୌଣସି ପ୍ରଶ୍ନ ହିଁ କାହିଁକି ଉଠିବ ? ଆଉ କେଉଁଠି ଶିଶୁ ଗୋଟିଏ ଗୁହାଳ ଘରେ ଅନ୍ୟ ଅନେକ ପିଲାଙ୍କ ପଲ ଭିତରେ ଯାଇ ବସୁଛି । ତା’ ପାଇଁ ବିଜ୍ଞାନଗାର ନାହିଁ, ଶିକ୍ଷାକୁ ଆଗ୍ରହଯୁକ୍ତ କରିବା ଲାଗି କୌଣସି ଆକର୍ଷଣ ନାହିଁ, ତା’ ଶିକ୍ଷକମାନେ ତାକୁ ସତେଅବା କେତେଟା ଘଣ୍ଟା ବାଡ଼ି ଧରି ଜଗିବା ନିମନ୍ତେ ଶିକ୍ଷକର ରୂପ ଧରି ଆସିଛନ୍ତି । ଶିକ୍ଷକ ଓ ଶିକ୍ଷାଳୟ ସମସ୍ତେ ମ୍ଳେଚ୍ଛ ଓ ପତିତ ପରି ଦିଶୁଛନ୍ତି । ସେଠାରେ ମଧ୍ୟ କୌଣସି ଅଙ୍ଗୀକାରବଦ୍ଧତା ନାହିଁ । ଅବହେଳା ହିଁ ମୀମାଂସକ ରୀତି ହୋଇରହିଚି । ତା’ ଶିକ୍ଷକମାନେ ସତେଅବା ତାକୁ ଅବଜ୍ଞା ହିଁ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ସ୍ୱୟଂ ଅବଜ୍ଞାର ଶିକାର ହୋଇ ଶିଶୁ ବଡ଼ ହୋଇ ଅବଜ୍ଞାକୁ ହିଁ ଜୀବନ ବଞ୍ଚିବାର ସାଧନ ରୂପେ ଗ୍ରହଣ କରି ନେଉଛି । ଏହି ସବୁପ୍ରକାରର ସବୁଯାକ ପିଲା ଯେଉଁ ଦେଶରେ ସାନରୁ ବଡ଼ ହେଉଛନ୍ତି, ସେହି ଦେଶର ସଂହତି ରକ୍ଷା କରିବାରେ ଏମାନେ କାହିଁକି କ’ଣ କରିବାକୁ ମନ କରିବେ ?

 

ସମତାରୁ ସଂହତି; ଦୂରତା ହେଉଛି ସଂହତି ସ୍ଥାପନର ପଥରେ ସବୁଠାରୁ ବଡ଼ ବାଧା । ମୁଁ ଯଦି ମୋ ଘରେ ପୂର୍ଣ୍ଣ ଭରସାର ସହିତ ରହି ନ ପାରିବି, ମୋତେ ଯଦି ସେଠାରେ ପଦେ ପଦେ ଅବଜ୍ଞା ଓ ଅସମ୍ମାନ ଭୋଗ କରିବାକୁ ପଡ଼ୁଥିବା, ଯଦି ମୋତେ ମୋର ନିତ୍ୟ ଅତ୍ୟାବଶ୍ୟକତା ଗୁଡ଼ିକରୁ ବଞ୍ଚିତ କରି ରଖାଯାଇଥିବ ଏବଂ ପ୍ରଧାନତଃ ଉତ୍ତମମାନଙ୍କର ଦୟା ଉପରେ ନିର୍ଭର କରି ସେମାନଙ୍କର ଗୋଲାମୀ ଖଟିବା ପାଇଁ ମୁଁ ବାଧ୍ୟ ହୋଇ ରହିଥିବି, ତେବେ ସେହି ଘରକୁ ମୁଁ ମୋ ନିଜ ଘର ବୋଲି କାହିଁକି କହିବାକୁ ମନ କରିବି ? ଭାରତବର୍ଷକୁ ଆଜି ମାତ୍ର ଥୋକାଏ ମଣିଷ ଭୋଗ କରୁଛନ୍ତି ଓ ଅନ୍ୟ କୋଟି କୋଟି ମଣିଷ ଜଳକା ହୋଇ ଅନାଇ ରହିଛନ୍ତି । ଭାରତବର୍ଷର ସାମନ୍ତମାନେ ଅନ୍ତରୀକ୍ଷକୁ କୃତ୍ରିମ ଗ୍ରହମାନ ପଠାଇଲେଣି, କେତେ କେତେ ଦେଶକୁ ଅସ୍ତ୍ରଶସ୍ତ୍ର ରପ୍ତାନି କଲେଣି, ନିଜର ଦେଶକୁ ତାହାରି ଦ୍ଵାରା ହିଁ ପୃଥିବୀରେ ଏକ ମହାନ୍ ଦେଶ ବୋଲି କୁହାଇ ପାରିବ ବୋଲି ଦର୍ପିଷ୍ଠ ହୋଇ ବାହାରିଲେଣି, ଏଣେ ଆଇନ ଅନୁସାରେ ସେହିମାନଙ୍କର ଭଳି ନାଗରିକ ଓ ଭାରତୀୟ ହୋଇ ରହିଥିବା କୋଟି କୋଟି ମଣିଷ ନିରକ୍ଷର, ଅସହାୟ ଓ ନିରକ୍ଷ ହୋଇ ରହିଛନ୍ତି; ଭୋକ ସହୁଛନ୍ତି, ରୋଗରେ ମରୁଛନ୍ତି । ସେମାନଙ୍କ ଘରକୁ ଏବେ ମଧ୍ୟ ସ୍ଵାଧୀନତା ଆସିନାହିଁ । ସତେଅବା ଯୁଗଯୁଗାନ୍ତ ପର୍ଯ୍ୟନ୍ତ ସେମାନଙ୍କର ଭାଗ୍ୟରେ ସେମାନେ ଏହିପରି ଭାବରେ ଅବଶ୍ୟ ରହିବେ ବୋଲି ଲେଖାହୋଇ ରହିଛି ।

 

ଦେଶରେ ଯାହାକିଛି ହେବ, ତାହା ଦେଶରେ ବାସ କରୁଥିବା ସବୁ ମଣିଷଙ୍କୁ ଆଖିଆଗରେ ରଖି ହିଁ ହେବ । ସେଥିଲାଗି, ମଣିଷ ପରି ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତାଗୁଡ଼ିକ ଯେପରି ସବୁ ମଣିଷଙ୍କ ପାଇଁ ଉପଲବ୍‍ଧ ହୋଇପାରିବ, ରାଷ୍ଟ୍ରରେ ସେଥିଲାଗି ସର୍ବପ୍ରଥମ ଅଗ୍ରାଧିକାର ପ୍ରଦାନ କରାଯିବ । ଅବଜ୍ଞା ନୁହେଁ, ସମ୍ବେଦନଶୀଳତା ହିଁ ଯାବତୀୟ ଜାତୀୟ ବିଚାରର ନିୟାମକ ହୋଇ ରହିବ । ସ୍ଵାଧୀନତା ଲାଭ କରିବା ପରେ ପ୍ରଥମେ ଭାରତବର୍ଷରେ ସମାଜବାଦର କଥା କୁହାଯାଉଥିଲା–ପ୍ରତ୍ୟେକ ମନୁଷ୍ୟକୁ ତା’ର ମନୁଷ୍ୟଚିତ ସମ୍ମାନ ସହିତ ଜୀବନ ବଞ୍ଚିବାକୁ ଦେଇ ତା’ ଅନ୍ତର୍ନିହିତ ଗୁଣଗୁଡ଼ିକର ପରିପୂର୍ଣ୍ଣ ବିକାଶ କରାଇ ଆଣିବାର କଥା ସ୍ଵାମୀ ବିବେକାନନ୍ଦଙ୍କଠାରୁ ଆରମ୍ଭ କରି ମହାତ୍ମାଗାନ୍ଧୀ ପର୍ଯ୍ୟନ୍ତ ସମସ୍ତେ କେଡ଼େ ନିର୍ଭର–ଦେଇ କହିଥିଲେ । ସେସବୁକୁ ସତେଅବା କେଉଁ ଅବଜ୍ଞାର ରାକ୍ଷସ ଆସି ଗିଳି ପକାଇଲା । ସତେଅବା ଦେଶ ବୁଡ଼ି ଯାଇ ଚତୁର ଏବଂ ଲମ୍ପଟମାନଙ୍କ ହାତରେ ପଡ଼ିଗଲା । ଯେଉଁମାନେ ତାହାର ପ୍ରତିବାଦ କରିଥାନ୍ତେ, ସେମାନେ ଭୀରୁ ହୋଇରହିଲେ । ଯେଉଁମାନେ ସେଥିଲାଗି ନେତୃତ୍ଵ ଦେଇଥାନ୍ତେ, ସେମାନେ ଭୋଗକୁ ହିଁ ଅଧିକ ମନ କଲେ ଓ ଧୋକା ଦେଲେ । ଏଥିରେ ଏହି ଦେଶରେ କେଉଁଠାରେ ଆଉ ସଂହତି ରହି ପାରିଥାନ୍ତା ! କପଟ ପ୍ରବଳ ହେଲା, ପ୍ରବଳମାନେ ପ୍ରବଳତର ହେଲେ । ପ୍ରତିନିଧୀମାନେ ଯେଉଁମାନଙ୍କର ଆଦେଶପତ୍ର ନେଇ କ୍ଷମତା ଭିତରକୁ ଯାଇଥିଲେ, ସେମାନେ ସେମାନଙ୍କୁ ପ୍ରତାରିତ କଲେ, ଉଦାସୀନ ହେଲେ, ନିର୍ମମ ହେଲେ, ସାମନ୍ତ ହୋଇ ରହିଲେ । ଅଳପ କେତେ ମଣିଷ ମାଲିକ ହୋଇ ସାହିତ୍ୟ କଲେ, ସଂସ୍କୃତି କଲେ, ଅତୀତ ଗୌରବ ଗବେଷଣା କଲେ ଏବଂ ବର୍ତ୍ତମାନକୁ ଆଖି ବୁଜିଦେଲେ, ନିର୍ମମ ହେଲେ । ଭାରତବର୍ଷର ମଉରସୀ ମାୟାବାଦଟା ସେମାନଙ୍କୁ ସତେଅବା ଏହିପରି ହୋଇ ରହିବା ପାଇଁ ଆବଶ୍ୟକ ତାତ୍ତ୍ୱିକ ମାଦକଟିଏ ଯୋଗାଇଦେଲା । ସଂହତି ବହି ହୋଇ ରହିଗଲା, ସରକାରୀ ପ୍ରଚାର ବିଭାଗର ଏକ ବିଶେଷ ପରିପାଟୀରେ ପରିଣତ ହେଲା । ମଣିଷମାନେ ଲାଞ୍ଛିତ ହୋଇ ରହିଲେ ।

 

ବିଫଳତାବୋଧରୁ ହିଁ ସବୁକିଛିକୁ ଭାଙ୍ଗି ପକାଇବାରେ ଏକ ଅଣଅଭିଳାଷ ଜନ୍ମ ନେଇଥାଏ । ବଞ୍ଚିତ ମଣିଷମାନେ ସେମାନଙ୍କୁ ବଞ୍ଚିତ କରାଯାଉଛି ବୋଲି ସଚେତନ ହେବା ମାତ୍ରକେ ସତେଅବା ସମଗ୍ର ଘରଟାରେ ନିଆଁ ଲଗାଇଦେବାକୁ ମନ କରନ୍ତି । ପିଲାମାନେ ରାଗିଗଲେ ଯେମିତି ନିଜର ଖେଳନା ଭାଙ୍ଗିଦେବା ପାଇଁ ଉଗ୍ର ହୋଇ ବାହାରନ୍ତି, ଇଏ ପ୍ରାୟ ସେହିପରି କଥାଟିଏ । ସେତେବେଳେ ସେମାନେ ବଡ଼ ଦୁର୍ବଳ ହୋଇପଡ଼ନ୍ତି, ସତେଅବା ହାତରୁ ନିଜର ବିଶ୍ଵାସର ଯଷ୍ଟିଟିକୁ ହରାଇ ବସନ୍ତି । ସେତେବେଳେ ଯେକୌଣସି ପ୍ରରୋଚନା ଯଦି ସେମାନଙ୍କ ହାତରେ ମିଛ ଯଷ୍ଟିଟିଏ ଆଣି ଧରାଇ ଦେବାର ପ୍ରତୀତି ଦେଇ ଆସି ପହଞ୍ଚିଯାଏ, ସେତେବେଳେ ସେମାନେ ତାହାରି ଆଡ଼କୁ ଆଉଜି ପଡ଼ନ୍ତି । ତାହାରି ଦ୍ଵାରା ନ୍ୟାୟର ପ୍ରତିଷ୍ଠା ହୋଇ ପାରିବ କି ନାହିଁ ବୋଲି ଥିର ହୋଇ ନିଜ ବେବେକକୁ ପଚାରି ଉତ୍ତରଟିଏ ପାଇବା ପୂର୍ବରୁ, ଅନ୍ତତଃ ଅନ୍ୟାୟକୁ ପାନେ ଦିଆଯାଇ ପାରିବ ବୋଲି ସେମାନେ ଉଲ୍ଲସିତ ହୁଅନ୍ତି ଓ ଆଉଜି ପଡ଼ନ୍ତି-। ପୃଥିବୀରେ ସମ୍ଭବତଃ ଯାବତୀୟ ସନ୍ତ୍ରାସବାଦର ଜନ୍ମ ଏହି ବିଫଳତାବୋଧରୁ ଏବଂ ଅନ୍ୟାୟକାରୀ କରୁଥିବା ଅନ୍ୟାୟର ପ୍ରତିଶୋଧ ନେବା ଲାଗି ଏହିପରି ଭାବରେ ଆଉଜି ପଡ଼ିବାରୁ-। ଭାରତବର୍ଷ ଯାବତୀୟ ସନ୍ତ୍ରାସବାଦର ଅସଲ ମୂଳ ଏହିଠାରେ । କାଶ୍ମୀର ଓ ପଞ୍ଜାବଠାରୁ ଆରମ୍ଭ କରି ଧର୍ମଘଟକାରୀ ବାଇଆ ଛାତ୍ରମାନଙ୍କର ବସ୍ ପୋଡ଼ିବା ଓ ପଥର ଢେଲା ମାରିବା ପଛରେ ଅତିମାତ୍ରାରେ ଏହି ଅସହାୟତାବୋଧ ହିଁ ରହିଥାଏ ଓ ସମ୍ପୃକ୍ତ ମଣିଷମାନଙ୍କୁ ଉଗ୍ର କରିପକାଏ-

 

ସେତେବେଳେ ମିଛ ନେତାମାନେ ପରିତ୍ରାଣକର୍ତ୍ତାର ମୁଖାମାନ ପିନ୍ଧି ସେହି ପରିସ୍ଥିତିରୁ ଫାଇଦା ଉଠାଇବାକୁ ଆସନ୍ତି । ସେମାନେ ଧର୍ମର କଥା କହନ୍ତି, ଭାଷା ନାମରେ, ଜିଲ୍ଲା ନାମରେ, ଅଞ୍ଚଳନାମରେ ଯୁଦ୍ଧ କରିବା ନିମନ୍ତେ ଡାକରା ଦିଅନ୍ତି, ଓ ସତେଅବା ଫରିସ୍ତାମାନେ ଆସି ପହଞ୍ଚିଗଲେ ବୋଲି ଭ୍ରମ କରି ଅସହାୟ ଓ ବିରକ୍ତମାନେ ସେମାନଙ୍କ ସହିତ ସାମିଲ ହୋଇଯାଆନ୍ତି । ଭଗବାନ ସତକୁ ସତ ଥାଆନ୍ତୁ ବା ନଥାଆନ୍ତୁ, ମଣିଷମାନେ ହିଁ ସେମାନଙ୍କୁ ଭିନ୍ନ ଭିନ୍ନ ନାମ ତାଙ୍କୁ ଥାପି କରି ରଖିଛନ୍ତି, ତାଙ୍କୁ କେନ୍ଦ୍ରକରି ସଂପ୍ରଦାୟମାନ ଗଢ଼ିଛନ୍ତି ଓ ତାଙ୍କ ନାମରେ ପାଟପଗଡ଼ି ବାନ୍ଧି ଆପଣାକୁ ହିଁ ସଂସାରଯାକ ଏକମାତ୍ର ସାର ଓ ଏକମାତ୍ର ବୀର ବୋଲି ଦେଖାଇ ବାହାରିଛନ୍ତି । ଏହି ମନ୍ଦିର ଓ ମସ୍‍ଜିଦମାନେ ନଥିଲେ ମଧ୍ୟ ଭଗବାନ ରହିଥାନ୍ତେ, ସତ୍ୟ ରହିଥାନ୍ତା, ବାଟଟିଏ ଚାଲିବାଲାଗି ମନ କରୁଥିବା ମଣିଷ ନିମନ୍ତେ ବାଟଟିଏ ଅବଶ୍ୟ ରହିଥାନ୍ତା । ଯେଉଁ ସମାଜରେ ଯେତେ ଅଧିକ ବିଫଳତାବୋଧ ଓ ଅସହାୟତା, ମଣିଷ ଭିତରେ ଯେତେ ଅଧିକ ଦୂରତା, ମଣିଷ ପ୍ରତି ମଣିଷର ଯେତେ ଅବଜ୍ଞା, ବହୁ ସଂଖ୍ୟକଙ୍କୁ ବାଦ ଦେଇ ଗେହ୍ଲା ଅଳପମାନଙ୍କର ସବୁ ମାଡ଼ିବସି ସମସ୍ତଙ୍କଠାରୁ ବଡ଼ ହୋଇ ଦିଶିବେ ବୋଲି ଯେତେ ଅଧିକ ଆସକ୍ତି, ସେହି ସମାଜମାନଙ୍କରେ ହିଁ ଠାକୁରମାନଙ୍କୁ ନେଇ ରାଜନୀତିର ଲାଞ୍ଜଧରି ଅଧିକ ଉପନ୍ୟାସ ରଚନା କରାଯାଏ, ଠାକୁରମାନଙ୍କର ଜନ୍ମସ୍ଥାନ ଓ ମୃତ୍ୟୁସ୍ଥାନଗୁଡ଼ିକୁ ନେଇ ସେତେ ଅଧିକ ଗୋଳର ବରାଦ କରାଯାଏ । ଅସଲ ରାଜନୀତି ଚୁଲିକୁ ଯାଏ । ଆମ ପୃଥିବୀରେ କାଳ କାଳ ଏପରି ହୋଇ ଆସିଛି । କାରଣ ଏବେ ମଧ୍ୟ ଅସହାୟ ମଣିଷମାନେ ଅଛନ୍ତି ଓ ସେମାନଙ୍କୁ ଏକ ସୁସ୍ଥ ସଂପୂର୍ଣ୍ଣ ସର୍ବନିମ୍ନ ଜୀବନ–ପରିବେଶ ମଧ୍ୟକୁ ପ୍ରବେଶାଧିକାର ମିଳିପାରି ନାହିଁ । ଆଲ୍ଲା ଓ ରାମଲାଲାଙ୍କ ଭିତରେ ପୃଥିବୀ ବାହାରେ କେଉଁ ସ୍ଵର୍ଗରେ ଅଥବା ଏହି ପୃଥିବୀପୃଷ୍ଠରେ ଆଦୌ କୌଣସି କଳହ କେବେ ଲାଗୁନଥିଲେ ମଧ୍ୟ ରାଜନୀତି–ରାଜ୍ୟର ଛନ୍ଦକାରମାନେ ସେମାନଙ୍କ ନାମରେ ଫୌଜଦାରୀ କରି ବାହାରିଛନ୍ତି । ଧର୍ମର କପଟପାଶା ପ୍ରକାର ସେମାନେ ଅସହାୟମାନଙ୍କୁ ଅଧିକ ଅସହାୟ କରି ପକାଉଛନ୍ତି ଓ ଆପଣ ଆଡ଼କୁ କେଡ଼େ ବାଗରେ ଆଉଜାଇ ନେଉଛନ୍ତି ।

 

ଆମ ଦେଶରେ ପଢ଼ା ହେଉଥିବା ପାଠ ଆମ ଜିଜ୍ଞାସା ପାଇଁ କୌଣସି କାମ ଦେଉନାହିଁ କିମ୍ବା ଆମ ବିବେକକୁ ବି ପୋଷଉ ନାହିଁ । ତେଣୁ ପିଲାମାନେ ବାଇଆ ହୋଇ କଲେଜମାନଙ୍କରେ ମହାଭାରତ ଭିଆଇ ପକାଉଛନ୍ତି । ପଙ୍ଖାଗୁଡ଼ିକୁ ମୋଡ଼ି ବଙ୍କା କରିଦେଉଛନ୍ତି, ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କୁ ଘେରାଉ କରୁଛନ୍ତି । ଏହିଭଳି ଏକ ସ୍ଥିତିରେ ଯେକୌଣସି ପ୍ରକାରେ କଲେଜରେ ନିର୍ବାଚନରେ ଜିତିବା ହିଁ ସେମାନଙ୍କର ସତେଅବା ସବାବଡ଼ ଶ୍ରେୟ ହୋଇ ରହିଛି । କେବଳ ସେହି ନିର୍ବାଚନ ସମୟରେ ହିଁ ସେମାନଙ୍କ ଭିତରେ ଯାହାକିଛି ଉତ୍ସାହ ରହିଥିବା ପରି ବୋଧ ହେଉଛି । କର୍ମଚାରୀମାନଙ୍କର ଭିତରେ, ଶ୍ରମିକମାନଙ୍କ ଭିତରେ, ଶିକ୍ଷକମାନଙ୍କ ଭିତରେ ଏବଂ ଉଚ୍ଚ ଅମଲାମାନଙ୍କ ଭିତରେ ମଧ୍ୟ ସେହି ଅସନ୍ତୋଷ ଓ ସେହି ପରାଜୟବୋଧ । ପରାଜୟବୋଧରୁ ହିଂସ୍ର ହେବାର ପ୍ରରୋଚନା, ସବୁକିଛିକୁ ଭାଙ୍ଗି ପକାଇବାର ଦୁଷ୍ଟ ଯାବତୀୟ ଅଭିପ୍ରାୟ । ସମସ୍ତେ ନିଜକୁ ବଞ୍ଚିତ ବୋଲି ଅନୁଭବ କରୁଛନ୍ତି, ଅସମ୍ମାନିତ ଓ ଅସମର୍ଥ ବୋଲି ଭାବୁଛନ୍ତି । ସମସ୍ତେ ଉପରକୁ ଅନାଉଛନ୍ତି, ଉପରେ ଥିବା ଆହୁରି ଅଧିକ ଭାଗ୍ୟବାନମାନଙ୍କୁ ଦେଖି ଆପଣାକୁ ଭାଗ୍ୟହୀନ ବୋଲି ମଣୁଛନ୍ତି ଏବଂ ତେଣୁ ଏହି ଘରଟାକୁ ଭାଙ୍ଗି ପକାଇଲେ ଯାଇ ଯଥାର୍ଥ ପ୍ରତିଶୋଧ ନିଆ ଯାଇପାରିବ ବୋଲି ସେମାନଙ୍କ ଭିତରେ ଥିବା ଅତୃପ୍ତିର ଦୁର୍ମନଟା ସେମାନଙ୍କୁ ନିରନ୍ତର ଉସକାଇବାରେ ଲାଗିଛି । ଏବଂ, ଯେଉଁମାନେ ତଥାକଥିତ ସବା ଉପରେ ଅଛନ୍ତି, ସେମାନେ କ’ଣ ସୁଖରେ ଅଛନ୍ତି ? ମ୍ଳେଚ୍ଛମାନଙ୍କର ଯେତେ ଉପରେ ଯେତେ ଯେତେ ପ୍ରାଚୁର୍ଯ୍ୟ ଓ ବାହୁବେଷ୍ଟନ ମଧ୍ୟରେ ରହିଥିଲେ ମଧ୍ୟ ସେମାନେ ବି ମ୍ଳେଚ୍ଛ ପରି ଦିଶୁଛନ୍ତି, ନିଜ ଭିତରେ ନିଜ ସ୍ଵାଧିକାର ପ୍ରମତ୍ତତାର ନାତ ଖାଇବାରେ ଲାଗିଛନ୍ତି ।

 

ତେଣୁ, ଜାତୀୟ ସଂହତି ଯେଉଁ ଅସଲ କାରଣରୁ ଚାଲି ଗଲାପରି ଲାଗୁଛି, ସେହି କାରଣଗୁଡ଼ିକର କ୍ଷେତ୍ରରେ ହିଁ ଆମକୁ ତାହାର ପ୍ରତିକାର ଖୋଜିବାକୁ ପଡ଼ିବ । ଯେତେ ବାହୁସ୍ଫୋଟ ମାରି ସରକାରୀ ସିରସ୍ତାମାନେ ଯେତେ ଫୁଲେଇ ହୋଇ ପ୍ରଚାର କଲେ ଓ ସଂହତି ଲାଗି ଉଦବୋଧନ ଦେଲେ ମଧ୍ୟ ଅସଲ ପ୍ରତିକାର କଦାପି ସମ୍ଭବ ହେବ ନାହିଁ । ଆମେ ଯେଉଁମାନେ ଉପରେ ରହିଛୁ, ଅଧିକ ଭୁଞ୍ଜୁଛୁ ଏବଂ ଅଧିକ ମର୍ଯ୍ୟାଦା ପାଉଛୁ, ମୂଳତଃ ଆମେ ହିଁ ଯେ ଏହି ସଂହତି ତୁଟି ତୁଟି ଯାଉଥିବାର ପ୍ରତ୍ୟକ୍ଷ ଅଥବା ପରୋକ୍ଷ କାରଣ ହୋଇରହିଛୁ, ସମ୍ଭବତଃ ଏହି ଅସଲ କଥାଟିକୁ ଲୋକମାନଙ୍କର ଧ୍ୟାନ ଭିତରୁ ବାହାରେ ବାହାରେ ରଖିବାର ଉଦ୍ଦେଶ୍ୟରେ ଆମେ ପ୍ରଚାରରେ ମାତିଛୁ । ଛାତିକୁ ଦୁଲୁକାଇ ଦେଲାପରି ଗୀତମାନ ରଚନା କରି ରେଡ଼ିଓରେ ଗାଉଛୁ, ସଭାମାନଙ୍କରେ ସଂହତି ନାମରେ ମିଛ ପ୍ରେରଣାର ଅଟ୍ଟାଳିକାମାନ ଗଢ଼ି ଥୋଇଦେଇଛୁ, ଆମର ବର୍ତ୍ତମାନଟା ଏକାନ୍ତ ଶ୍ରୀହୀନ ହୋଇ ରହିଥିବାବେଳେ ଆମେ ପଣ୍ଡିତମାନଙ୍କୁ ଏକାଠି ବସାଇ ଅତୀତଶ୍ରୀର ଉଦବୋଧନ ଦିଆଉଛୁ । ବର୍ତ୍ତମାନର ସମ୍ମୁଖୀନ ହେବାପାଇଁ ତଥା ଏକ ପରିବର୍ତ୍ତିତ ଧାରାରେ ଭବିଷ୍ୟତକୁ ଗଢ଼ିବାଲାଗି ହିଁ ଅତୀତର ଯାହା ଯଥାର୍ଥ ତାତ୍ପର୍ଯ୍ୟ ରହିଛି । ଏହି ଦେଶରେ ଅତୀତରେ ସବୁ ମଣିଷଙ୍କୁ ଯଥାର୍ଥ ସ୍ଵୀକୃତି ଦେଇ କଦାପି କିଛି କରାଯାଇନାହିଁ, ବର୍ତ୍ତମାନର ଯାବତୀୟ ଗଢ଼ିବା ଏବଂ ଉପକୃତ ହେବାରେ ସବୁ ମଣିଷଙ୍କର କଥାକୁ ତଥାପି ବିଚାରକୁ ନିଆଯାଉନାହିଁ । ଏହି ବର୍ତ୍ତମାନକୁ ଅନ୍ୟ ଏକ ଧାରାରେ ଆଣି ପକାଇବାକୁ ହେବ, ଯେପରି ଭବିଷ୍ୟତରେ ଏହି ଦେଶରେ ସବୁ ମଣିଷଙ୍କୁ ସ୍ଵୀକୃତି ଓ ସମ୍ମାନ ମିଳିବ, ତେବେ ଯାଇ ସଂହତି ସମ୍ଭବ ହେବ । ଏକ ଅନ୍ୟ ସଂଗ୍ରାମ ଦ୍ଵାରାହିଁ ସଂହତିର ପ୍ରତିଷ୍ଠା ହୋଇ ପାରିବ ।

 

ଅର୍ଥାତ୍, ଭାରତବର୍ଷରେ ଯେଉଁ ସଂଗ୍ରାମଟି ହେବା ଏପର୍ଯ୍ୟନ୍ତ ବାକି ରହିଛି, ସେହି ସଂଗ୍ରାମର ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବାକୁ ପଡ଼ିବ । ରାଜନୀତିକ ବିପ୍ଳବ ବା ପରିବର୍ତ୍ତନ ପରେ ଯେଉଁ ସାମାଜିକ ଓ ଅର୍ଥନୈତିକ ବିପ୍ଳବ ହେବା ତଥାପି ବାକି ରହିଛି, ତାହାରି ପ୍ରକ୍ରିୟାକୁ ଯଥାସମ୍ଭବ ଅଧିକ ତ୍ଵରାନିତ କରିବାକୁ ହେବ । ଭାରତୀୟ ଜାତୀୟ କଂଗ୍ରେସ ଜରିଆରେ ଆମେ ଭାରତବର୍ଷରେ ରାଜନୀତିକ ସ୍ଵାଧୀନତା ଲାଭ କରିଥିଲୁ । ଗୋଟିଏ ସଂଗଠନଦ୍ଵାରା ଦୁଇଟା ବିପ୍ଳବ ହୋଇପାରେ ନାହିଁ ବୋଲି ଇତିହାସକାରମାନେ ଅପବାଦ ଦେଇ ଆସିଛନ୍ତି । ଯେଉଁମାନଙ୍କର ନେତୃତ୍ଵରେ ରାଜନୀତିକ ବିପ୍ଳବ ହୋଇଥାଏ, କ୍ଷମତାର ହସ୍ତାନ୍ତର ପରେ ସେହିମାନେ କ୍ଷମତାସୀନ ହୁଅନ୍ତି, କ୍ଷମତାରେ ବାନ୍ଧି ହୋଇ ଯାଆନ୍ତି ଓ ତେଣୁ ଆଉ ଆଗକୁ ବାଟ କଢ଼ାଇ ନେଇ ପାରନ୍ତି ନାହିଁ-। ସେମାନେ ସରକାର ଗଢ଼ନ୍ତି, ସରକାର ସବୁ କରିବ ବା କରିଦେବ ବୋଲି କହନ୍ତି, ମାତ୍ର ନିଜର ଗାଦୀଟିକୁ ସୁରକ୍ଷିତ କରି ରଖିବାର ସନ୍ତାପ ଭିତରେ ପଡ଼ିଯାଇ ସେମାନେ ବିପ୍ଳବାତ୍ମକ ପ୍ରକ୍ରିୟାଗୁଡ଼ିକୁ ଅଟକାଇ ରଖନ୍ତି । ତେଣୁ, ଭାରତବର୍ଷର ସରକାର ଅଭିଳଷିତ ସେହି ଦ୍ଵିତୀୟ ବିପ୍ଳବଟିକୁ କଦାପି କରିବେ ନାହିଁ, ଦେବାଳିଆ ହୋଇ ଭୁଷୁଡ଼ି ପଡ଼ିବା ପର୍ଯ୍ୟନ୍ତ ସମୟ ଗଡ଼ାଇବାରେ ଲାଗିଥିବେ । ଉପରୁ ଥାଇ ଦୟା ପ୍ରଦର୍ଶନ କରୁଥିବେ, କମିଶନ ବସାଉଥିବେ, ଆପଣାର ମୂଳଭୂତ ଅସମର୍ଥତାଗୁଡ଼ିକୁ ସେମାନେ ଯଥାସମ୍ଭବ ଅଧିକ ପରିମାଣରେ ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଥିବେ । ଏଣେ ଜନବିକାଶର ଅର୍ଥରାଶିକୁ ସାମନ୍ତମାନେ ମଝିରେ ଥାଇ ମାରି ନେଉଥିବେ, ଖାଇଗୁଡ଼ାକ ବଢ଼ିବାରେ ଲାଗିଥିବ, ସଂହତି ସୁଦୂରପରାହତ ହୋଇ ରହିଥିବ-

ତେବେ ପ୍ରତ୍ୟାଶିତ ସାମାଜିକ ବିପ୍ଳବଟିରେ ନେତୃତ୍ଵ କିଏ ନେବ ? ଗତ ପଚାଶ ବର୍ଷ ଭିତରେ ଆମର ପୃଥିବୀ ଏତେ ବଦଳି ଗଲାଣି ଓ ତାହାର ଘଟଣାବଳୀ ସଂଗ୍ରାମର ପୁରୁଣା କୌଶଳଗୁଡ଼ିକର ଅସମର୍ଥତା ବିଷୟରେ ସମ୍ପୃକ୍ତ ଆମ ସମସ୍ତଙ୍କର ଏତେ ପ୍ରକାରେ ମୋହରଙ୍ଗ କରାଇ ସାରିଲାଣି ଯେ, ସେହିସବୁ ରୀତି ଅନୁସରଣ କଲେ ଆମେ କଦାପି ଅଧିକ ଦୂର ଅଗ୍ରସର ହୋଇ ପାରିବା ନାହିଁ । ପୁରୁଣା ମାର୍ଗଗୁଡ଼ିକ ଆମକୁ ପୁନର୍ବାର ସେହି ପୁରୁଣା ଖାତାଗୁଡ଼ାକରେ ନେଇ ପକାଇଦେବ । ରାଜନୀତିକ ଦଳମାନେ ସଚରାଚର ସାମାଜିକ ବିପ୍ଳବର କଥା କହନ୍ତି, ମାତ୍ର ସାମାଜିକ ପରିବର୍ତ୍ତନ ଅପେକ୍ଷା ସେମାନେ ଅଧିକତର ପରିମାଣରେ ସ୍ଵୟଂ ରାଜନୀତିକ କ୍ଷମତାରେ ଆସି ବସିବାକୁ ହିଁ ଇଚ୍ଛା କରୁଥାନ୍ତି । ମଣିଷମାନଙ୍କୁ ଧୋକା ଦିଅନ୍ତି । କାଲିର ବିପ୍ଲବୀମାନେ ଆଜି ଗାଦିରେ ବସି କେଡ଼େ ନିପାତନସିଦ୍ଧଭାବରେ ପ୍ରତିକ୍ରିୟାଶୀଳ ହୋଇ ଯାଆନ୍ତି-। ପୃଥିବୀର ଇତିହାସରେ ଏହିଭଳି କେତେ ଥର ହୋଇଛି । ସୋଭିଏଟ୍ ଋଷିଆ ଓ ତାହାଠାରୁ ବଳ ନେଇ ପୂର୍ବାଞ୍ଚଳ ଇଉରୋପରେ ଗତ ବହୁ ଦଶକ ହେଲା ପ୍ରତିଷ୍ଠିତ ହୋଇଥିବା ଜନବାଦୀ ରାଷ୍ଟ୍ରମାନଙ୍କୁ ଏବେ ଯେଉଁ ଦଶା ଭୋଗିବାକୁ ହେଲା, ତାହାକୁ ଆମେ ସେହି ନିୟମର ସଦ୍ୟତମ ଉଦାହରଣ ବୋଲି ଜାଣିବା । ସେହି ଦଶା ପୃଥିବୀର ଜନମାନସକୁ ଏକ ଅଭିନବ ଶିକ୍ଷା ଦେଇଗଲା-। ପୃଥିବୀ ଏବେ ମଧ୍ୟ ସେଥିଲାଗି ଯଥାର୍ଥ ବିକଳ୍ପଗୁଡ଼ିକୁ ଖୋଜୁଛି । ଆମେ ଭାରତବର୍ଷରେ ମଧ୍ୟ ସେହିସବୁ ଘଟଣାକୁ ଶିକ୍ଷା କରିବା, ପୁରୁଣା ପ୍ରଲୋଭନର ଜାଲଗୁଡ଼ିକରେ ପଡ଼ିବାକୁ ଆମ ପୁରୁଣା ରାଜନୀତିକ ଗୁଣିଆମାନଙ୍କୁ ସିଧା ମନା କରିଦେବା ।

ଜନବିପ୍ଳବକୁ ଜନାଧାରିତ ହେବାକୁ ପଡ଼ିବ । ମହାତ୍ମା ଗାନ୍ଧୀଙ୍କର ଭାଷାରେ... "The underdogs will have to earn their own salvation”—ବଞ୍ଚିତମାନଙ୍କୁ ଆପଣାର ମୁକ୍ତି ଆପେ ହାସଲ କରିବାକୁ ହେବ (ହରିଜନ, ୨୬/୧୦/୧୯୪୭, ପୃଷ୍ଠା–୩୮୫)-। ଅଚେତନ ଯଦି ଯଥାର୍ଥ ଭାବରେ ସଚେତନ ହୁଏ, ତେବେ ତାର ବାଟ ସେ ନିଜେ ପାଇଯିବ । ପୃଥିବୀର କୌଣସି ନ୍ୟସ୍ତସ୍ଵାର୍ଥ ଏକ ସଚେତନ ସମୂହର କଦାପି ପଥରୋଧ କରିପାରିବ ନାହିଁ-। ପୃଥିବୀରେ ପୂର୍ବରୁ ଯେଉଁ ବିପ୍ଳବମାନ ହୋଇଛି, ସେଗୁଡ଼ିକ ଅଚେତନମାନଙ୍କ 'ପାଇଁ' ହୋଇଛି, ସେମାନଙ୍କ ‘ଦ୍ଵାରା’ କ୍ଵଚିତ୍ ହୋଇଛି । ଅଚେତନମାନେ ଅଚେତନ ହୋଇ ରହିଛନ୍ତି, ସେମାନଙ୍କର ବହିରାଗତ ହିତୈଷୀମାନେ ସେମାନଙ୍କୁ ପଲଟଣ ପରି ବ୍ୟବହାର କରି ବିପ୍ଳବ କରିଛନ୍ତି-। ବିପ୍ଳବରେ ବିଜୟ ହାସଲ କରି ଅଧିକତର ସ୍ଥଳରେ ସେମାନେ ସ୍ୱୟଂ ରାଜା ହୋଇ ବସିଛନ୍ତି, ପୁରୁଣା ଅନ୍ଧାରଗୁଡ଼ିକର ବିଲୋପ ହୋଇ ନୂଆ ଅନ୍ଧାରମାନେ ଥାନ ମାଡ଼ି ବସିଛନ୍ତି-। ଉତ୍ପୀଡ଼ନର ନାଆଁଗୁଡ଼ାକ ଯାହା ବଦଳିଯାଉଛି; ସାମୟିକ ଭାବରେ ସେଗୁଡ଼ିକ ଭାରି ଆକର୍ଷଣ ପରି ମନେ ହୋଇଛନ୍ତି ଏବଂ ମୋହଭଙ୍ଗ ହେବାଲାଗି ଆଦୌ ଖୁବ୍ ବେଶୀ ବିଳମ୍ବ ଲାଗି ନାହିଁ-। ସେହି ମୋହଭଙ୍ଗଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରାଇଦେଇ ଏକଦା ଋଷିଆର ବୋରିସ୍ ପାଷ୍ଟରନାକ୍‍ ତାଂକର 'ଡକ୍ଟର ଜିଭାଗୋ' ଉପନ୍ୟାସଟିକୁ ଲେଖିଥିଲେ । ଏହି ଶତାବ୍ଦୀର ଅଷ୍ଟମ ଦଶକରେ ଋଷିଆରେ ଯେଉଁ ସାମଗ୍ରିକ ମୋହଭଙ୍ଗ ଘଟିଲା ଏବଂ ସମଗ୍ର ପୃଥିବୀର ପୁରୁଣା ବିଶ୍ଵାସଗୁଡ଼ିକୁ ଭାଙ୍ଗିଦେଇଗଲା, ସେଥିଲାଗି ସେହି ଉପନ୍ୟାସଟି ମଧ୍ୟ ଯେ ଏକ ସହାୟକ ପାବଚ୍ଛପରି କାର୍ଯ୍ୟ କରିଛି, ସେଥିରେ କେହି କଦାପି ଦ୍ଵିମତ ହେବେନାହିଁ ।

ପୁରୁଣା ରାଜନୀତି ମଣିଷମାନଂକୁ ମିଛ ନୂତନତ୍ୱର ବାଣମାନ ମାରି ମୋହଗ୍ରସ୍ତ କରି ରଖିବାର ଫିକର କରି ଆସିଛି । ଭାରତବର୍ଷରେ ଆମେ ସେହି ପୁରୁଣାଗୁଡ଼ାକୁ ଆଦୌ ମନ କରିବା ନାହିଁ । ମଣିଷ ଯେତେବେଳେ ନିଜ ଗୋଡ଼ରେ ପଡ଼ି ରହିଥିବା ବେଡ଼ିଗୁଡ଼ିକ ବିଷୟରେ ସଜ୍ଞାନ ଓ ସଚେତନ ହେବ, ସେ ସେତେବେଳେ ସଂଗ୍ରାମ କରି ବାହାରିବ । ବେଡ଼ିଗୁଡ଼ିକୁ କଦାପି ଭାଗ୍ୟବୋଲି ମାନିନେବ ନାହିଁ । ସେ ଆପଣା ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ମନୁଷ୍ୟଟିକୁ ଆବିଷ୍କାର କରିବ, ଶକ୍ତିମାନ ହେବ ଏବଂ ପ୍ରତିକାର ଲୋଡ଼ି ବାହାରିବ । ଅସଲ ରାଜନୀତି ପ୍ରକୃତରେ ତାହାହିଁ କରୁଥାନ୍ତା । ତାହା ମନୁଷ୍ୟକୁ ତା’ର ଯଥାର୍ଥ ନିୟତିଗୁଡ଼ିକ ବିଷୟରେ ଜାଗରୁକ କରି ଆଣୁଥାନ୍ତା । ସ୍ୱାଧୀନ ଭାରତରେ ଏହି ଜାଗରୂକ କରି ଆଣିବା ହିଁ ତାଙ୍କ କଳ୍ପିତ ଲୋକସେବକ ସଂଘର କାର୍ଯ୍ୟ ହେବ ବୋଲି ମହାତ୍ମାଗାନ୍ଧୀ ବିଚାର କରିଥିଲେ । ଲୋକସେବକମାନେ ଗାଆଁମାନଂକରେ ରହିଥାନ୍ତେ । ଗ୍ରାମବାସୀମାନଂକର ପାଖେ ପାଖେ ରହିଥାନ୍ତେ । ସ୍ୱାଧୀନ ଭାରତର ନାଗରିକର ଯେତିକି ସଚେତନତା ସହିତ ଆପଣାର ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଚିନ୍ତା କରିବା କଥା, ସେମାନେ ଜନସାଧାରଣଙ୍କ ପାଖରେ ସେହି ସଚେତନତା ଆଣି ଦେବାକୁ କାର୍ଯ୍ୟ କରିଥାନ୍ତେ । ଯେଉଁ ଜାତିବିଚାର, ଭାଗ୍ୟବାଦ ଏବଂ ଅନ୍ୟାନ୍ୟ ଅନ୍ତର୍ଗତ ଆଳସ୍ୟ–ପରାୟଣତା ଭାରତବର୍ଷର ମଣିଷମାନଂକୁ ନିଷ୍କ୍ରିୟ ଓ ଉଦାସୀନ କରି ରଖିଛି, ସେମାନେ ଜନଗଣଙ୍କ ଭିତରେ ରହି ବଳିଷ୍ଠ ଭାବରେ ସେଗୁଡ଼ିକର ନିରାକରଣ କରାଇଥାନ୍ତେ । ନୂତନ ଲାଗି ଗ୍ରାମକୁ ଏକ କରାଇ ଆଣିଥାନ୍ତେ । ଯାବତୀୟ ପୁରାତନ ଯେତେବେଳେ ସେହିସବୁ ନୂତନ ପ୍ରୟାସରେ ବାଧା ଦେବାକୁ ଆସିଥାନ୍ତା, ସେତେବେଳେ ଲୋକସେବକମାନେ ସବା ଆଗରେ ଛିଡ଼ା ହୋଇ ତାହାର ପ୍ରତିରୋଧ କରିଥାନ୍ତେ ଏବଂ ଏହିପରି ଭାବରେ ସେମାନେ ଗ୍ରାମବାସୀମାନଂକୁ ମଧ୍ୟ ପ୍ରତିରୋଧ କରିବାର ଶକ୍ତି ଆଣି ଦେଇଥାନ୍ତେ । ଏହି ପରିବର୍ତ୍ତନର ପ୍ରକ୍ରିୟାରେ ନ୍ୟସ୍ତସ୍ୱାର୍ଥମାନେ ଅବଶ୍ୟ ବାଧା ଦେଇଥା’ନ୍ତେ । ଦେଶର ଭୋଗପକ୍ଷ ବାଧା ଦେଇଥାନ୍ତା, ସେହିମାନଙ୍କର ସ୍ୱାର୍ଥକୁ ଜବର କରି ରଖିବା ଲାଗି ଚେଷ୍ଟା କରୁଥିବା ଦେଶର ଶାସନ ବାଧା ଦେଇଥାନ୍ତା । ପୁରୁଣା ରାଜନୀତି ନୂଆ ଲୋକନୀତିକୁ ବାଧା ଦେଇଥାନ୍ତା ତଥାକଥିତ ଶିକ୍ଷିତମାନେ ବାଧା ଦେଇଥାନ୍ତେ, ଚତୁରମାନେ ବାଧା ଦେଇଥାନ୍ତେ ଏବଂ ଜନଗଣ ତାହାର ପ୍ରତିରୋଧ କରିଥାନ୍ତେ ।

 

ଅହିଂସ ପ୍ରତିରୋଧ ହିଁ ଗାନ୍ଧିଜୀଙ୍କର ମତରେ ସାମାଜିକ ବିପ୍ଳବରେ ନୂତନର ଆକାଂକ୍ଷା ରଖିଥିବା, ଏକ ଅନ୍ୟ ଭାରତବର୍ଷର ଆକାଂକ୍ଷା ରଖିଥିବା ମନୁଷ୍ୟବାହିନୀ ଓ ସେମାନଂକୁ ନେତୃତ୍ୱ ଦେଉଥିବା ଲୋକସେବକମାନଂକର ଆୟୁଧ ହୋଇଥାନ୍ତା । ସେହି ଆୟୁଧକୁ ମହାତ୍ମାଗାନ୍ଧୀ ସତ୍ୟାଗ୍ରହ ବୋଲି କହିଥିଲେ । ପ୍ରଧାନତଃ ସେହି ଆୟୁଧ ବଳରେ ହିଁ ଭାରତବର୍ଷରୁ ଏଡ଼େ ବଡ଼ ବ୍ରିଟିଶ୍ ସାମ୍ରାଜ୍ୟ ହଟି ଚାଲିଯାଇ ପାରିଲା । ଭାରତବର୍ଷର ଉଦୟକୁ କାମୁଡ଼ି ଧରିଥିବା ନ୍ୟସ୍ତସ୍ୱାର୍ଥମାନଂକ ସହିତ ଆମର ଦ୍ୱିତୀୟ ସଂଗ୍ରାମରେ ମଧ୍ୟ ସେହି ସତ୍ୟାଗ୍ରହ ହିଁ ଅସ୍ତ୍ର ହୋଇଥାନ୍ତା-। ବର୍ତ୍ତମାନ ମଧ୍ୟ ଉଚିତ ନେତୃତ୍ୱ ମିଳିଲେ ଓ ଏକ ବିକଳ୍ପ ରାଜନୀତି ଲାଗି ଭିତ୍ତିକ୍ଷେତ୍ର ପ୍ରସ୍ତୁତ ହୋଇପାରିଲେ ସତ୍ୟାଗ୍ରହ ଏହି ଦେଶର ଦୀର୍ଘ ଇପ୍‌ସିତ ସାମାଜିକ ବିପ୍ଳବରେ ଆୟୁଧରୂପେ ବ୍ୟବହୃତ ହୋଇପାରିବ । ସ୍ୱାଧୀନ ଭାରତରେ ମଧ୍ୟ ଅନ୍ୟାୟୀମାନେ ରହିବେ । କ୍ଷମତାକାମୀ ଦୁର୍ନୀତିମାନେ ରହିବେ, ତେଣୁ ସ୍ୱାଧୀନଭାରତରେ ସତ୍ୟାଗ୍ରହର ଅବଶ୍ୟ ପ୍ରୟୋଜନ ରହିବ ବୋଲି ଗାନ୍ଧିଜୀ ପରାଧୀନ ଭାରତର ସଂଗ୍ରାମପର୍ବରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ମତବ୍ୟକ୍ତ କରିଥିଲେ-। ଅସଲ ଭାରତବର୍ଷକୁ ସମ୍ଭବ କରିବାକୁ ହେଲେ ଏବଂ ଏଠି ଅସଲ ସଂହତିର ଆବଶ୍ୟକ ଅନୁକୂଳତାଗୁଡ଼ିକୁ ସୃଷ୍ଟି କରିବାକୁ ହେଲେ ସେହି ସତ୍ୟାଗ୍ରହକୁ ଆୟୁଧ ରୂପେ ଗ୍ରହଣ କରିବାକୁ ହେବ । ଗାନ୍ଧିଜୀ ସର୍ବଦା ସବଳର ଅହିଂସା କଥା କହୁଥିଲେ । ସବଳର ଅହିଂସାରେ ଆସ୍ଥା ରଖିଥିବା ସେହି ବଳିଷ୍ଠ ବିଶ୍ୱାସୀମାନେ ହୁଏତ ଭାରତବର୍ଷର ଏହି ପରିସ୍ଥିତିରେ ପବନର ମୋଡ଼କୁ ବଦଳାଇଦେଇ ପାରିବେ, ଏକ ନୂତନ ରଚନାତ୍ମକତା ଆଡ଼କୁ ବାଟ ଫିଟାଇଦେଇ ପାରିବେ-

 

ସାମାଜିକ ବିପ୍ଳବରେ ଯେଉଁମାନେ ଅଗ୍ରଣୀ ହେବେ ଏବଂ ନେତୃତ୍ୱ ଦେବେ, ସେମାନେ ଯେ ନିଜର ଗୋଟିଏ ପେଶାରୂପେ ରାଜନୀତିକୁ ଗ୍ରହଣ କରିବେ, ତାହାର କୌଣସି କାରଣ ଆଦୌ ନାହିଁ । ମାତ୍ର ସାମୂହିକ ଜୀବନରେ ସେମାନେ ଯେଉଁ କ୍ଷେତ୍ରରେ ରହିଥାନ୍ତୁ ପଛକେ, ସେମାନେ ଏକ ନୂତନ ବିଶ୍ଵାସରେ ବିଶ୍ୱାସୀ ହୋଇଥିବେ, ସାହସୀ ହୋଇଥିବେ । ସେମାନେ ସମ୍ମୁଖକୁ ଦୃଷ୍ଟି ରଖି, ଏକ ଅନ୍ୟ ସମ୍ଭାବନା ଉପରେ ସବୁଠାରୁ ଅଧିକ ମହତ୍ତ୍ୱ ଦେଇ ଆପଣାର ଯାବତୀୟ କାର୍ଯ୍ୟ କରୁଥିବେ । କଳାକୁ କଳା ବୋଲି କହିବେ, କ୍ଷମତାସୀନ ବ୍ୟକ୍ତିମାନଙ୍କର ଯାବତୀୟ ହାସ୍ୟାସ୍ପଦତାକୁ ହାସ୍ୟାସ୍ପଦତା ବୋଲି କହିବେ, ଏବଂ ଏପରି କରିବାଦ୍ୱାରା ପ୍ରତିଷ୍ଠିତ ବ୍ୟବସ୍ଥା ସେମାନଙ୍କ ଲାଗି ଯେଉଁ ଶାସ୍ତିବିଧାନ କରିବ ସେମାନେ ତାହାକୁ ବରଣ କରିବେ । ଶାସ୍ତି ବରଣ କରିବେ, ମାତ୍ର ଅସତ୍ୟକୁ ମାନିବେ ନାହିଁ, ଅବିମୃଶ୍ୟକାରିତାକୁ ମାନିବେ ନାହିଁ । ସେମାନେ ଏକାବେଳେକେ ଏକ ଅଲଗା ପ୍ରକାରର ଶିକ୍ଷକ ହେବେ, ଅଲଗା ପ୍ରକାରର ଓକିଲ ହେବେ, ଅଲଗା ପ୍ରକାରର ଅମଲା ଏବଂ ଅଲଗା ପ୍ରକାରର ସମାଜସେବୀ ହେବେ, ରାଜନୀତି ଭିତରେ ରହିଥିଲେ ମଧ୍ୟ ସେମାନେ ଅନ୍ୟ ରାଜନୀତିକ ଲମ୍ଫଟମାନଙ୍କଠାରୁ ଗୋଟାସୁଦ୍ଧା ବାରି ହୋଇ ପଡ଼ୁଥିବେ । ସେମାନେ ତୋଷାମଦ କରିବେ ନାହିଁ, କୌଣସି ପ୍ରକାରର ପ୍ରବଞ୍ଚନାରେ କଦାପି ଅଂଶୀଦାର ହେବେ ନାହିଁ । ଯଦି ସେମାନେ କୌଣସି ରାଜନୀତିକ ଦଳରେ ସଦସ୍ୟ ହୋଇଥିବେ, ତେବେ ସର୍ବଦା ବଳଠାରୁ ସତ୍ୟକୁ ଉର୍ଦ୍ଧ୍ୱରେ ରଖିଥିବେ, ସତ୍ୟର ପ୍ରତିଷ୍ଠା ନିମନ୍ତେ ହୁଏତ ଦଳକୁ ବ୍ୟବହାର କରୁଥିବେ । ଅସତ୍ୟର ଦୁର୍ଗନ୍ଧ ପାଇବା ମାତ୍ରକେ ଦଳ ଭିତରେ ଥାଇ ମଧ୍ୟ ସେମାନେ ତାହାର ପ୍ରତିରୋଧ କରି ପାରୁଥିବେ, ଅର୍ଥାତ୍ ଅସତ୍ୟକୁ ଅସତ୍ୟ ବୋଲି କହି ପାରୁଥିବେ ।

 

ଏଥିଲାଗି ଅମିତ ସାହସର ଆବଶ୍ୟକତା ରହିଛି, ସତ୍ୟରେ ସତକୁ ସତ ଆଗ୍ରହ ରଖିଥିବା ବ୍ୟକ୍ତି ସେହି ସାହସ ଉପରେ ହିଁ ସବୁଠାରୁ ଅଧିକ ପରିମାଣରେ ନିର୍ଭର କରି ପାରୁଥିବ । ବର୍ତ୍ତମାନ ଭାରତବର୍ଷରେ ଭୀରୁମାନେ ରାଜା ହୋଇ ବସିଛନ୍ତି । ଭୀରୁମାନେ ହିଂସ୍ର ହେଲେ ଏବଂ କ୍ଷମତାରେ ରହିଲେ ଯାହା ହୁଏ, ଭାରତବର୍ଷ ବର୍ତ୍ତମାନ ତାହାରି ସହସ୍ର ଉପଦ୍ରବକୁ ସହ୍ୟ କରିବାରେ ଲାଗିଛି । ଜଣେ ସାହସୀ ସତ୍ୟାଗ୍ରହୀ ହିଁ ଏହି ଉପଦ୍ରବକୁ ଚୁନୌତି ଦେଇପାରିବ । ସେହିପରି ସତ୍ୟାଗ୍ରହୀମାନଙ୍କର ଏକ ଗୋଷ୍ଠୀ ହିଁ ଦେଶରେ ପୁନର୍ବାର ଏକ ସାମାଜିକ ବିପ୍ଳବର ମୂଳଦୁଆ ପକାଇ ପାରିବ । ଭାରତବର୍ଷରେ ଗତ କେତେବର୍ଷର ଉପଦ୍ରବୀମାନଙ୍କର ଅତ୍ୟାଚାର ଫଳରେ ବିଶ୍ୱାସଘରେ ଯେଉଁ ସଙ୍କଟର ସୃଷ୍ଟି ମନୁଷ୍ୟର ଅସଲ ପ୍ରତ୍ୟୟଗୁଡ଼ିକୁ ଅବଶ କରି ରଖିଛି, ସେହି ସଙ୍କଟର ଅବସାନ ଘଟିବ । ଏହି ଦେଶରେ ମହାତ୍ମା ଗାନ୍ଧୀ ଏକଦା ଯେଉଁ ଅନ୍ତର୍ଗତ ସାହସର ଦୃଷ୍ଟାନ୍ତ ଓ ପ୍ରତୀକ ହୋଇ ରହିଥିଲେ, ସେହି ସାହସକୁ ହିଁ ପୁନରୁଜ୍ଜୀବିତ ହୋଇ ପୁରୋଭାଗକୁ ଆସିବାକୁ ପଡ଼ିବ । ମହାତ୍ମା ଗାନ୍ଧୀଙ୍କ ପରେ ଗାନ୍ଧୀ–ଅନୁଗାମୀମାନେ ସେହି ସାହସଟିକୁ ହରାଇ ବସିଲେ ବୋଲି ଆପେ ଉଚ୍ଛନ୍ନ ହେଲେ, ଏବଂ ସ୍ୱାଧୀନତା ପରେ ଦେଶକୁ ନେତୃତ୍ୱ ଦେବାର ଯୋଗ୍ୟ ହୋଇ ପାରିଲେନାହିଁ । ବହୁ ସାଲିଶ୍ ମଧ୍ୟରେ ଆପଣାର ଔଜ୍ଜଲ୍ୟ ହରାଇ ବସିଲେ । ବିଗତ କୋଡ଼ିଏ ବର୍ଷ ମଧ୍ୟରେ ଭାରତ ବାହାରେ ରହିଥିବା ପୃଥିବୀରେ ଯାହା ସବୁ ଘଟିଆସୁଛି, ସେଥିରୁ ଏକାଧିକ ପ୍ରମାଣ ମିଳିଯାଉଛି ଯେ, ସାହସ ତଥାପି ବଞ୍ଚିରହିଛି, ସତ୍ୟାଗ୍ରହ ତଥାପି ଦନ୍ଥଡ଼ା ହୋଇ ଯାଇନାହିଁ, ଗାନ୍ଧୀ ସଂପୃକ୍ତ ସମସ୍ତଙ୍କ ସକାଶେ ଏବେ ମଧ୍ୟ ଏକ ଚ୍ୟାଲେଞ୍ଜ ହୋଇ ରହିଛନ୍ତି । ସ୍ଥିତାବସ୍ଥାକୁ ସ୍ଥାୟୀ କରି ରଖିବାକୁ କେତେ ମଣିଷ ସଂହତି ବୋଲି ମନେ କରିଥାନ୍ତି । ଯେଉଁମାନେ କ୍ଷମତାସୀନ ହୋଇ ରହିଥାନ୍ତି, କ୍ଷମତାର ରାଜନୀତି କରୁଥାନ୍ତି, ସେହିମାନେ ହିଁ ସ୍ଥିତାବସ୍ଥାକୁ ବଜାୟ ରଖିବାକୁ ସଂହତି ବୋଲି କହନ୍ତି । ଯଥାର୍ଥ ସଂହତି ନିମନ୍ତେ ଯେ ସତତ ଉଦ୍ୟତ ଓ ଜାଗ୍ରତ ହୋଇ ରହିବାକୁ ପଡ଼େ, ଏବଂ ଆବଶ୍ୟକ ହେଲେ ଆୟୁଧ ଧରି ସଂଗ୍ରାମ କରିବାକୁ ପଡ଼େ, ସେମାନେ ସେକଥା ଆଦୌ ବୁଝୁ ପାରନ୍ତି ନାହିଁ । ବର୍ତ୍ତମାନର ଏହି ପୃଥିବୀକୁ ସବୁ ମଣିଷଙ୍କ ପାଇଁ ଏକ ସୁସ୍ଥ ଓ ମୁକ୍ତ ଘରରୂପେ ତିଆରି କରିବାକୁ ହେଲେ ଏଠି ବହୁ ସଂଗ୍ରାମର ଆବଶ୍ୟକତା ରହିଛି । ଅବଶ୍ୟ ଫରକ ଏତିକି ଯେ, ସେହି ସଂଗ୍ରାମ କଦାପି ପୁରୁଣା ଅସ୍ତ୍ରଗୁଡ଼ିକ ଦ୍ୱାରା ହେବ ନାହିଁ । ସେଥିଲାଗି ବିକଳ୍ପ ମନୁଷ୍ୟ ଆବଶ୍ୟକ ହେବେ, ବିକଳ୍ପ ଅସ୍ତ୍ରଗୁଡ଼ିକ ମଧ୍ୟ ଆବଶ୍ୟକ ହେବ । ପୃଥିବୀର ଏକାଧିକ ମହାଦେଶରେ ସେହି ବିକଳ୍ପ ମନୁଷ୍ୟମାନେ ବାହାରିଲେଣି । ବିକଳ୍ପ ଅସ୍ତ୍ରମାନେ ମଧ୍ୟ ପୂଜା ହେଲେଣି । ଭାରତବର୍ଷ କଦାପି ସେହି ସଂଗ୍ରାମରୁ ଅଲଗା ହୋଇ ରହି ପାରିବ ନାହିଁ । ନ୍ୟସ୍ତସ୍ୱାର୍ଥମାନେ କେତେ ଗର୍ଜନ କରିବେ, କେତେ ଗଞ୍ଜଣା ଦେବେ, ପୁରୁଣା ଭୟପ୍ରଦର୍ଶନର ପୁଟୁଳାଗୁଡ଼ିକୁ ବାହାର କରି ବୋମା ଫିଙ୍ଗିବେ । ତଥାପି ପରବର୍ତ୍ତୀ ଭବିଷ୍ୟତଟିର ଗତିରୋଧ କରି ପାରିବେ ନାହିଁ ।

 

ପୁରୁଣା ଦୁର୍ଗଗୁଡ଼ିକ ଭୁଷୁଡ଼ି ପଡ଼ିବା ସଂଗେ ସଂଗେ ସଂହତିର ସେହି ପୁରୁଣା ପରିଭାଷାଗୁଡ଼ିକ ମଧ୍ୟ କ୍ରମେ ବଦଳି ଯାଉଛି । ଜାତୀୟତାର ସେହି ପୁରୁଣା ଧିସାଗୁଡ଼ାକ ନୂଆ ପୃଥିବୀ ଲାଗି ନିଜକୁ ସଜ କରୁଥିବା ମଣିଷର କାନକୁ ଯେ ଆଉ ଆଦୌ ଘେନାଇବ ନାହିଁ, ସେକଥା ପୃଥିବୀଯାକ କ୍ରମେ ଅଧିକରୁ ଅଧିକ ସ୍ପଷ୍ଟ ହେବାରେ ଲାଗିଛି । ଆଗାମୀ ପୃଥିବୀରେ ମଣିଷବ୍ୟକ୍ତି ହିଁ କେନ୍ଦ୍ରବିନ୍ଦୁ ହେବ; ଅର୍ଥାତ୍ ସମୂହମାନେ ଏବଂ ସରକାରମାନେ ସେହି ବ୍ୟକ୍ତିର ପରିପୂର୍ଣ୍ଣ ଉନ୍ମୀଳନ ନିମନ୍ତେ ପରିକର ହୋଇ ରହିବେ । ପୂର୍ଣ୍ଣ ଓ ସୁସ୍ଥ ବ୍ୟକ୍ତିମାନଙ୍କର ସମୂହ ବା ଦେଶକୁ ହିଁ ସୁସ୍ଥ ବୋଲି କୁହାଯିବ । ଏହି ମଣିଷ ପାଇଁ ଯାବତୀୟ ଯୋଜନା, ଯାବତୀୟ କଲ୍ୟାଣ-ପ୍ରତିଷ୍ଠା, ମଣିଷଲାଗି ହିଁ ରାଷ୍ଟ୍ର ଓ ରାଷ୍ଟ୍ରର ନେତାମାନେ । ମଣିଷଲାଗି ହିଁ ରାଜନୀତି ଏବଂ ରାଜନୀତିକ କ୍ଷମତା । ମଣିଷକୁ କେନ୍ଦ୍ର କରି ହିଁ ଏହି ଧର୍ମମାନେ, ଏହି ଭାଷାମାନେ ଓ ଏହି ଯାବତୀୟ ମତବାଦମାନେ । ଏବଂ, ମଣିଷ କହିଲେ ସବୁ ମଣିଷ । ମଣିଷ ଆଦ୍ୟତଃ କେବଳ ମଣିଷ; ତାକୁ ସୁନା, ରୂପା ଓ ପିତଳର ଶ୍ରେଣୀ ବିଭାଗରେ ବାଣ୍ଟି ରଖିଥିବା ଅମଣିଷମାନେ ଆଗାମୀ ପୃଥିବୀରେ ମୋଟେ ତିଷ୍ଠି ରହି ପାରିବେ ନାହିଁ । ଯେଉଁମାନେ ସଂହତିକୁ ଜାତୀୟତାର ବାଡ଼ ଭିତରେ ଆବଦ୍ଧ କରି ରଖିବାକୁ ଇଚ୍ଛା କରନ୍ତି, ସେମାନେ ହୁଏତ ମଣିଷକୁ ହିଁ ଯଥାର୍ଥ କାମ୍ୟରୂପେ ଗ୍ରହଣ କରି ପାରନ୍ତିନାହିଁ ।

 

ହିଟଲର୍‌ ମଧ୍ୟ ଏକଦା ଜର୍ମାନ୍‌ମାନଙ୍କୁ ଗୋଟିଏ ଦେଶର ଅର୍ଗଳ ଭିତରେ କେଡ଼େ ଚମତ୍କାର ସନ୍ତର୍ପଣରେ ସଂହତି ଓ ବଶ କରି ରଖିଥିଲା । ମଣିଷକୁ ମଣିଷ ବୋଲି ସ୍ୱୀକାର କରିପାରିଲେ ତାହାରି ଦ୍ୱାରା ହିଁ ଯଥାର୍ଥ ଜାତୀୟ ସଂହତି ଆସିବ । ବୈଜ୍ଞାନିକ ଦୃଷ୍ଟିର ଏହି ଯୁଗରେ ଜାତୀୟତାର ଯାବତୀୟ ଅବୈଜ୍ଞାନିକ ବାଡ଼କୁ ଡେଇଁଯାଇ ପାରିଲେ ଯାଇ ଆମେ ଯଥାର୍ଥ ସଂହତିକୁ ବୁଝିବାକୁ ସମର୍ଥ ହେବା, ଯଥାର୍ଥ ସଂହତି ପାଇଁ ଆପଣାକୁ ବଦଳାଇବାକୁ ସମର୍ଥ ହେବା; ଏବଂ, ସେଥିଲାଗି ଆବଶ୍ୟକ ସଂଗ୍ରାମଗୁଡ଼ିକୁ ଲଢ଼ିବାଲାଗି ମଧ୍ୟ ଭାରି ସହଜରେ ପ୍ରସ୍ତୁତ ହୋଇ ପାରିବା ।

 

୧୯୯୩

Image

 

ଅସ୍ପୃଶ୍ୟତା

 

ଜଣେ ମଣିଷ ଆଉଜଣେ ମଣିଷକୁ ନିଜଠାରୁ ଏତେ ବେଶୀ ସାନ, ନୀଚ ଏବଂ ନିକୃଷ୍ଟ ବୋଲି ଭାବେ ଯେ, ସିଏ ତାକୁ ଛୁଇଁବାକୁ ମଧ୍ୟ ସଂକୋଚ ବୋଧ କରେ । ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀକୁ ଆପଣାର ତୁଳନାରେ ଏତେ ବେଶୀ ସାନ, ନୀଚ ଓ ନିକୃଷ୍ଟ ବୋଲି ଭାବେ ଯେ ତାକୁ ସିଏ ଛୁଇଁବାକୁ ମଧ୍ୟ ସଂକୋଚ ବୋଧ କରେ । ଏହି ଭାବିବା ଓ ବୋଧ କରିବାକୁ ଆମେ ଅସ୍ପୃଶ୍ୟତା ବୋଲି କହିବା । ଅସ୍ପୃଶ୍ୟତା ଏକ ବ୍ୟାଧି । ବ୍ୟାଧିକୁ ଯେପରି ଔଷଧ ଅଛି, ଅସ୍ପୃଶ୍ୟତା ରୂପକ ବ୍ୟାଧିରୁ ରକ୍ଷା ପାଇବାକୁ ହେଲେ ଆମକୁ ସେଥିଲାଗି ଔଷଧଗୁଡ଼ିକୁ ମଧ୍ୟ ଖୋଜି ବାହାର କରିବାକୁ ହେବ । ଏବଂ, ଖାଲି ଔଷଧ ବାହାର କରିଦେଲେ ଚଳିବ ନାହିଁ, ଆମକୁ ସେହି ଔଷଧ ଅର୍ଥାତ୍ ପ୍ରତିକାରଗୁଡ଼ିକୁ ଗ୍ରହଣ କରିବାକୁ ପଡ଼ିବ । ଏବଂ, ସେଗୁଡ଼ିକୁ ଗ୍ରହଣ କରିବାକୁ ଆମେ ଦୃଷ୍ଟିକୋଣରେ ଯେଉଁ ପରିବର୍ତ୍ତନମାନ ଅବଶ୍ୟ ଆବଶ୍ୟକ, ସେହିସବୁ ପରିବର୍ତ୍ତନ ଲାଗି ମଧ୍ୟ ପ୍ରସ୍ତୁତ ହେବାକୁ ପଡ଼ିବ ।

 

କୌଣସି ଭଗବାନ୍ ମଣିଷକୁ ସ୍ପୃଶ୍ୟ ଓ ଅସ୍ପୃଶ୍ୟ ଏହିପରି ଦୁଇଟି ଭାଗରେ ଅଲଗା ଅଲଗା କରି ତିଆରି କରି ନାହାନ୍ତି । ଯଦି ସିଏ ତାହା କରିଥାନ୍ତେ, ତେବେ ସିଏ ଆଉ ଭଗବାନ ହୋଇ ନ ଥାନ୍ତେ । ସିଏ ଗୋଟିଏ ଶଇତାନ ହୋଇଥାନ୍ତେ । ଏକଥା ସତ ଯେ, ସମାଜର ସିଆଣିଆ ମଣିଷମାନେ ସ୍ୱାର୍ଥଜଡ଼ିତ ନାନା କାରଣରୁ ସମାଜକୁ ଭାଗ ଭାଗ କରି ରଖିବାକୁ ହିଁ ଭଲ ଅର୍ଥାତ୍ ଲାଭଜନକ ବୋଲି ମନେ କରି ଆସିଛନ୍ତି । ଏହିଭଳି ଗୋଟିଏ ଅବ୍ୟବସ୍ଥାରୁ ସେମାନେ ଲାଭବାନ୍ ହୋଇଛନ୍ତି ଓ ତେଣୁ ତାହାକୁ ହିଁ ସମାଜ ଭିତରେ ଚଳାଇ ଆଣିଛନ୍ତି । ସେହିମାନେ ହିଁ ଆମ ସମାଜରେ ନେତୃତ୍ୱର ନାନା ସ୍ଥାନରେ ରହିଛନ୍ତି । ତେଣୁ, ବ୍ୟବସ୍ଥାଗୁଡ଼ାକୁ ଭଣ୍ଡୁର କରି ମଣିଷ ମଣିଷ ଭିତରେ ରହିଥିବା ଅସଲ ସମ୍ପର୍କଗୁଡ଼ାକୁ ନଷ୍ଟ କରି ସେମାନେ ଯେଉଁ ଅନ୍ୟାୟଗୁଡ଼ାକୁ ଏଠାରେ ଶାସ୍ତ୍ରବାକ୍ୟର ପରାକ୍ରମ ଦେଇ ବଜାୟ ରଖି ଆସିଛନ୍ତି, ସେହି ଅନ୍ୟାୟଗୁଡ଼ାକୁ କ୍ରମେ ବିଧାନ ବୋଲି ମାନି ନିଆଯାଇଛି; ଅନେକେ ତାକୁ ଭାଗ୍ୟ ବୋଲି ମାନି ନେଇଛନ୍ତି, ପୁଣି କର୍ମ ବୋଲି ମଧ୍ୟ ମାନି ନେଇଛନ୍ତି ।

 

ଆମ ଭାରତବର୍ଷର ସମାଜ ଏପରି ଗୋଟିଏ ସମାଜ, ଯାହାକି ଅସ୍ପୃଶ୍ୟତାକୁ ଯୁଗ ଯୁଗ ଧରି ଏକ ବିଧାନ ପରି ମାନି ଆସିଛି । ହିନ୍ଦୁ ସାମାଜିକ ଧର୍ମ ଓ ହିନ୍ଦୁ ସମାଜର ଗଢ଼ଣ ହେଉଛି ଅସ୍ପୃଶ୍ୟତାର ଜନନୀ । ବଡ଼ ହୋଇ ରହିବାକୁ ବଡ଼ର ଧର୍ମ ଏବଂ ସାନ ହୋଇ ରହିବାକୁ ସାନର ଧର୍ମ ବୋଲି ମାନିନେଇ ଆମେ ଯୁଗ ଯୁଗ ଧରି ଏଠି ଭାରି ନିଷ୍ଠୁର ହୋଇ ରହି ଆସିଛୁ । ଭାରତବର୍ଷରେ ହିନ୍ଦୁମାନେ ହିଁ ସଂଖ୍ୟାରେ ଅତିଗରିଷ୍ଠ ହୋଇ ରହିଥିବାରୁ ଏହି ଦେଶକୁ ଯେଉଁ ଅନ୍ୟ ଧର୍ମାବଲମ୍ବୀମାନେ ଆସିଛନ୍ତି, ଏଠାରେ ବସବାସ କରି ରହି କାଳକ୍ରମେ ଭାରତୀୟ ବୋଲାଇଛନ୍ତି, ସେମାନେ ମଧ୍ୟ ଏହି ଅସ୍ପୃଶ୍ୟତାର ବିଚାର ଏବଂ ସ୍ଥୂଳତଃ ଜାତିଭେଦ ଦ୍ୱାରା କମ୍ ପ୍ରଭାବିତ ହୋଇ ନାହାନ୍ତି । ଭାରତୀୟ ହିନ୍ଦୁମାନଙ୍କଠାରୁ ପ୍ରେରଣା ନେଇ ଆମ ଦେଶରେ ମୁସଲମାନମାନଙ୍କ ଭିତରେ ବି ଜାତିଭେଦ ପଶିଛି, ଖ୍ରୀଷ୍ଟିଆନ୍‌ମାନଙ୍କ ଭିତରେ ଜାତିଭେଦ ପଶିଛି । ହିନ୍ଦୁ ସମାଜ ଭଳି ଏତେ ଉତ୍କଟ ଓ ଦୃଶ୍ୟମାନ୍ ହୋଇ ପଶିନାହିଁ ସତ, ମାତ୍ର ତଥାପି ପଶିଛି । ଏବଂ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଜାତିଭେଦକୁ ମାନୁଥିବା ଗୋଟିଏ ସମାଜ ଯେତେବେଳେ କୌଣସି ଦେଶରେ ଏତେଗୁଡ଼ାଏ ପ୍ରାଦୁର୍ଭାବ ବିସ୍ତାର କରି ରହିଛି, ସେତେବେଳେ ଆପଣା ଆପଣାକୁ ଅନୁକୂଳିତ କରି ରଖିବାକୁ ବାଧ୍ୟ ହେଉଥିବା ଅପେକ୍ଷାକୃତ ସଂଖ୍ୟାଲଘୁ ଧର୍ମ ଓ ସମ୍ପ୍ରଦାୟମାନେ ପ୍ରାୟ ବେଶ୍ ସ୍ୱାଭାବିକ ଭାବରେ ବହୁ ସଂଖ୍ୟାରେ ରୋଗଟାକୁ ମଧ୍ୟ ଆପଣା ଭିତରେ ଗ୍ରହଣ କରି ନେବାକୁ ବେଶ୍‌ ଉତ୍ସାହିତ ହୋଇଛନ୍ତି ।

 

ଅସ୍ପୃଶ୍ୟତା ଗୋଟିଏ ସାମାଜିକ ବ୍ୟାଧି । ଏହି ବ୍ୟାଧିଟିକୁ ଫୁଲିବା ଲାଗି ଏବଂ ଉଡ଼ିବା ଲାଗି ଧର୍ମ ହାୱା ଯୋଗାଇ ଆସିଛି, ଏହି ବ୍ୟାଧିକୁ ବ୍ୟାଧି ବୋଲି ଜ୍ଞାନ ନ କରିବାକୁ ପ୍ରାୟ ଏକ ଅନ୍ଧ ଆଣ୍ଟପଣ ଯୋଗାଇ ଆସିଛି, ଧର୍ମସ୍ଥ ମହାମାନ୍ୟ ପଣ୍ଡିତମାନେ ସ୍ପୃଶ୍ୟ ଓ ଅସ୍ପୃଶ୍ୟର ଭେଦ ଅନୁସାରେ ସ୍ୱର୍ଗ ଓ ନରକର ବିଧାନ କରିଛନ୍ତି । ଏବଂ, ଅସ୍ପୃଶ୍ୟତାକୁ ଏକ ଟାଣୁଆ ଭୂମି ଯୋଗାଇ ଆସିଛି ଏକ ଅର୍ଥନୀତି, ଯାହାକି ଅସମାନତା ଏବଂ ନ୍ୟସ୍ତସ୍ୱାର୍ଥକୁ ଅସଲ ନୀତି ବୋଲି ଗ୍ରହଣ କରି ନେଇଛି । ଆମେ ହିନ୍ଦୁ ସମାଜରେ ସ୍ପୃଶ୍ୟମାନେ ଅପେକ୍ଷାକୃତ ଅଧିକ ଧନୀ, ଅସ୍ପୃଶ୍ୟମାନେ ଅପେକ୍ଷାକୃତ ଅଧିକ ଦରିଦ୍ର । ଆମ ଦେଶରେ ଦରିଦ୍ର୍ୟର ସୀମାରେଖା ତଳେ ଯେଉଁମାନେ ରହିଛନ୍ତି ବୋଲି ଗଣନା କରାଯାଇଛି, ସେମାନଙ୍କ ଭିତରୁ ଅଧିକାଂଶ, ପ୍ରାୟ ସମସ୍ତେ ହେଉଛନ୍ତି ତଥାକଥିତ ଅଛୁଆଁ ଓ ନୀଚ ଜାତିର ମଣିଷ । ଦରିଦ୍ର ହୋଇଥିବାରୁ ସେମାନେ ଅଛୁଆଁ ବୋଲି ଗଣା ହେଲେ ଅଥବା ଅଛୁଆଁ ହୋଇ ଜନ୍ମଗ୍ରହଣ କରିଥିବାରୁ ସେମାନେ ଯେ ଦରିଦ୍ର ହୋଇ ରହିଲେ, ସେ କଥାଟିର ଶିରା କାଢ଼ି ସତ୍ୟର ନିରୂପଣ କରିବା ଆଦୌ ସହଜ କଥା ନୁହେଁ । ଯେଉଁମାନେ ଆମ ଦେଶରେ ଭୂମିହୀନ ବୋଲି ପରିଚିତ, ସେମାନଙ୍କ ମଧ୍ୟରେ ଅଧିକାଂଶ ଅସ୍ପୃଶ୍ୟ ସଂପ୍ରଦାୟଗୁଡ଼ିକର ଅନ୍ତର୍ଭୁକ୍ତ ହୋଇ ରହିଥିବା ମଣିଷ । ଏବଂ, ଯେଉଁମାନେ ଅନ୍ୟର ଜମିରେ ଦିନମଜୁରିଆ ଭାବରେ ଜୀବିକାନିର୍ବାହ କରନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ହେଉଛନ୍ତି ଅସ୍ପୃଶ୍ୟ ପାଟକଗୁଡ଼ିକର ଲୋକ । ବେକାରମାନଙ୍କର ସୁମାରିରେ ଅସ୍ପୃଶ୍ୟମାନଙ୍କର ସ୍ଥାନ ସବା ଆଗ ଧାଡ଼ିରେ । ସବୁଠାରୁ ଅଧିକ ନିରକ୍ଷର ଏହିମାନଙ୍କ ଭିତରେ ଗାଆଁର ଯେଉଁ ପିଲାମାନେ ଗ୍ରାମଚାଟଶାଳୀକୁ ଯାଆନ୍ତି ନାହିଁ, ସେମାନଙ୍କର ବାପ ମାଆ ପ୍ରଧାନତଃ ଅସ୍ପୃଶ୍ୟ ନାନା ଜାତିର ଲୋକ । ଏଗୁଡ଼ାକ ଯେ ଦୈବାତ୍ ବା ଈଶ୍ୱରଙ୍କର ବରାଦ ବଶତଃ ଏପରି ହୋଇଛି, ସେକଥା ଆଦୌ ନୁହେଁ । ଏଗୁଡ଼ିକ ଆମ ସମାଜରେ ଯୁଗ ଯୁଗ ଧରି ବ୍ୟବସ୍ଥା ନାମରେ ଚଳି ଆସୁଥିବା ଏକାଧିକାରୀ ଅବ୍ୟବସ୍ଥା ଫଳରେ ଏପରି ହୋଇଛି, ରୀତି ବୋଲି ଚଳି ଆସୁଥିବା ନାନା ଅରୀତି ଫଳରେ ହୋଇଛି ।

 

ଆମ ଦେଶରେ ଯେକୌଣସି ଗାଆଁରେ ଗ୍ରାମବାସୀ ବିଭିନ୍ନ ପାଚକଙ୍କର ବସତିଗୁଡ଼ିକ ମଧ୍ୟ ସ୍ପୃଶ୍ୟ ଓ ଅସ୍ପୃଶ୍ୟ ଭେଦରେ ତିଆରି ହୋଇ ଥାଆନ୍ତି । ଗୋଟାଏ ପାଖରେ ସ୍ପୃଶ୍ୟ ରହନ୍ତି, ସବର୍ଣ୍ଣ ରହନ୍ତି, ଉତ୍ତମର୍ଣ୍ଣମାନେ ରହନ୍ତି । ଆର ପାଖଟାରେ ଅସବର୍ଣ୍ଣ ଓ ଅସ୍ପୃଶ୍ୟମାନେ ରହନ୍ତି । ସେହିସବୁ ସାହୀର ସେମାନେ ସେହିଆଡ଼େ ହିଁ ଥାଆନ୍ତି । ଆମ ସବର୍ଣ୍ଣମାନଙ୍କର କାମ କରିବା ଲାଗି ଯାହା ସେମାନେ ଆମ ଏପାଖକୁ ଆସନ୍ତି । ଆମ ଠାକୁରଙ୍କ ପାଖରେ ସେମାନଙ୍କର କୌଣସି ଭାଗ ନ ଥାଏ, ଆମ ଠାକୁରେ ସେମାନଙ୍କ ଦାଣ୍ଡକୁ କେବେ ଭୋଗ ଖାଇ ଯାଆନ୍ତି ନାହିଁ । ଆମ ବ୍ରାହ୍ମଣମାନେ ସେମାନଙ୍କ ଘରେ ଯଜମାନି କରନ୍ତି ନାହିଁ ବା ଗହ୍ମାପୂର୍ଣ୍ଣମୀ ଦିନ ସେମାନଙ୍କ ଘରକୁ ପଇତା ପିନ୍ଧାଇ ଯାଆନ୍ତି ନାହିଁ । ଆମ ସାହୀର କୂଅଗୁଡ଼ାକ ସେମାନଙ୍କୁ ମନା ହୋଇ ରହିଥାଏ । ସେମାନେ ଆଉ ଆମେ ହୁଏତ ଗୋଟାଏ ପୋଖରୀରେ ଗାଧୋଉ ସତ, ମାତ୍ର ତାଙ୍କ ଲାଗି ଓ ଆମ ଲାଗି ଅଲଗା ଅଲଗା ତୁଠ ନିରୂପିତ ହୋଇଥାଏ । ପୁଣି ଅନେକ ଅଞ୍ଚଳରେ ସେମାନଙ୍କ ପାଇଁ କେତେଟା ନିର୍ଦ୍ଦିଷ୍ଟ ଫସଲର ଚାଷ ମଧ୍ୟ ନିଷିଦ୍ଧ ହୋଇ ରହିଥାଏ । ନଡ଼ିଆ ଅଞ୍ଚଳରେ ଶହେରୁ ପ୍ରାୟ ଅନେଶ୍ୱତରୁ ଅଧିକ ନଡ଼ିଆ ଗଛ ସବର୍ଣ୍ଣମାନଙ୍କର ଥାଏ । ଅସବର୍ଣ୍ଣମାନେ ନୂଆ କରି ନଡ଼ିଆ ଗଛ ଲଗାଇବାକୁ ମନ କଲେ ସେମାନଙ୍କର କୂଳ ବୁଡ଼ିଯିବ ବୋଲି ସବର୍ଣ୍ଣ ମାମଲତକାରମାନେ ସେମାନଙ୍କୁ ବୁଝାଇ ରଖିଥାନ୍ତି । କେରଳରେ ନଗଦ ପଇସା ଆଣି ଦେଉଥିବା ଦୁଇଟା ଫସଲର ଚାଷ–ଅଦା ଚାଷ ଏବଂ ଗୋଲମରିଚ ଚାଷ–ଅସବର୍ଣ୍ଣମାନଙ୍କ ନିମନ୍ତେ ପ୍ରାୟ ପରମ୍ପରାକ୍ରମେ ନିଷିଦ୍ଧ ହୋଇ ରହି ଆସିଛି ।

 

ଆମ ଦେଶର ଆଧୁନିକ ଜାତୀୟ ଏବଂ ରାଜନୀତିକ ଇତିହାସ ସହିତ ଏହି ଅସ୍ପୃଶ୍ୟତା ବିରୁଦ୍ଧରେ ମଧ୍ୟ ଏକ ଆନ୍ଦୋଳନ ପ୍ରାୟ ଅଭିନ୍ନ ଭାବରେ ଜଡ଼ିତ ହୋଇ ରହିଥିଲା । ସେତେବେଳେ ଯିଏ ଆମ ସ୍ୱାଧୀନତା–ସଂଗ୍ରାମରେ ନେତୃତ୍ୱ ଦେଉଥିଲେ, ସିଏ କେବଳ ଜଣେ ରାଜନୀତିକ ନେତା ନ ଥିଲେ । ରାଜନୀତିକ ବିପ୍ଳବ ସଙ୍ଗେ ସଙ୍ଗେ ସିଏ ଏକ ସାମାଜିକ ବିପ୍ଳବର ମଧ୍ୟ ଚିନ୍ତା କରୁଥିଲେ-। ଏବେ ଯାହାକୁ ଏକ ପୂର୍ଣ୍ଣାଙ୍ଗ ବିପ୍ଳବ ବୋଲି କୁହାଯାଉଛି, ମହାତ୍ମା ଗାନ୍ଧୀ ତାହାରି ଚିନ୍ତା କରିଥିଲେ । ରାଜନୀତିକ ସ୍ୱାଧୀନତା ଲାଗି ହେଉଥିବା ଆନ୍ଦୋଳନକୁ ସିଏ ସେହି ବୃହତ୍ତର ବିପ୍ଳବର କେବଳ ଏକ ଅଂଶ ରୂପେ ହିଁ ଆମ ଆଗରେ ଆଣି ବାଢ଼ିଥିଲେ । ତାଙ୍କର ରଚନାତ୍ମକ କାର୍ଯ୍ୟକ୍ରମରେ ଅସ୍ପୃଶ୍ୟତା ଦୂରୀକରଣ ମଧ୍ୟ ଏକ ଅନ୍ୟତମ କାର୍ଯ୍ୟକ୍ରମ ହୋଇ ରହିଥିଲା-। ହଁ, ଅର୍ଥନୈତିକ ସମାନତା ମଧ୍ୟ ଆଉ ଗୋଟିଏ କାର୍ଯ୍ୟକ୍ରମ ରୂପେ ଘୋଷିତ ହୋଇଥିଲା-। ଆର୍ଥିକ ବୈଷମ୍ୟର ଦୂରୀକରଣ ଏବଂ ଅସ୍ପୃଶ୍ୟତାର ଦୂରୀକରଣ,–ଦୁଇଟିଯାକ କାର୍ଯ୍ୟକ୍ରମ ଯେ ପରସ୍ପରର ପରିପୂରକ, ଏଥିରୁ ଆମ ଆଗରେ ଏହି ସତ୍ୟଟି ହିଁ ସଂପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇଯିବା ଉଚିତ-। ଭାରତବର୍ଷ ରାଜନୀତିକ ସ୍ୱାଧୀନତା ହାସଲ କଲା । ଆମ ଦେଶରୁ ବିଦେଶୀ ଶାସନ ହଟିଗଲା-। ଆମ ଶାସକମାନେ ଆମ ଭିତରୁ ହିଁ ବଛାଗଲେ । ଦେଶରେ ଉତ୍ପାଦନ ବଢ଼ିଲା, ଜଳଗୁଡ଼ାକ ଆହୁରି ବଡ଼ ହେଲା, ଅଧିକ ପରିପାଟୀଯୁକ୍ତ ହୋଇ ଚାଲିଲା । କୋଠାବାଡ଼ି ବଢ଼ିଲା, ଶିଳ୍ପ ଓ ବାଣିଜ୍ୟ ସବୁ ବଢ଼ିଲା । ମାତ୍ର ତେଣେ ଅସମାନତା ମଧ୍ୟ ବଢ଼ିଲା,–ଆର୍ଥିକ କ୍ଷେତ୍ରରେ ଅସମାନତା ବଢ଼ିଲା, ଶିକ୍ଷାକ୍ଷେତ୍ରରେ ଅସମାନତା ବଢ଼ିଲା ଏବଂ ସୁଯୋଗଗୁଡ଼ିକର କ୍ଷେତ୍ରରେ ବି ଅସମାନତା ବଢ଼ିଲା-। ଗରିବମାନେ ଆହୁରି ଗରିବ ହେଲେ; ଯେଉଁମାନେ ସମାଜରେ ପରମ୍ପରାଗତ ଭାବରେ ଦୁର୍ବଳ ବର୍ଗର ଅନ୍ତର୍ଗତ ହୋଇ ରହି ଆସିଥିଲେ, ସେମାନେ ଅଧିକ ଦୁର୍ବଳ ହେଲେ । ତେଣୁ ଅସ୍ପୃଶ୍ୟତା ବି ବଢ଼ିଲା;–ଖାଲି ଯେ ବଢ଼ିଲା ତାହା ନୁହେଁ, ସେଥିରେ ନୂଆ ନୂଆ ଡେଣା ମଧ୍ୟ ଲାଗିଲା,–ଅସ୍ପୃଶ୍ୟତାର ସାମ୍ରାଜ୍ୟମାନେ ଅଧିକ ବିସ୍ତାରଲାଭ କଲେ । ଏଣିକି ଖାଲି ସବର୍ଣ୍ଣମାନେ ଯେ ଅସବର୍ଣ୍ଣମାନଙ୍କୁ ଅସ୍ପୃଶ୍ୟ ଓ ସାନ ମନେ କଲେ ତା ନୁହେଁ, ଏଣିକି ବଡ଼ବଡ଼ ବାବୁମାନେ ସାନ ବାବୁମାନଙ୍କୁ ପ୍ରାୟ ଅସ୍ପୃଶ୍ୟ ପରି ଦେଖିଲେ, ବଡ଼ ଅମଲାମାନେ ସାନ ଅମଲାମାନଙ୍କୁ ଅସ୍ପୃଶ୍ୟ ମଣିଲେ । ଉପର ଚଉକୀ ତଳ ଚଉକୀଠାରୁ ଆଡ଼େଇ ହୋଇ ରହିଲା । ଏକ ସୋପାନତନ୍ତ୍ର ଆମର ଯାବତୀୟ ଜାତୀୟ ଉଦ୍ୟମକୁ ଚଉକଷ କରି ବାନ୍ଧି ରଖିଲା, ସେଗୁଡ଼ିକୁ ପ୍ରାୟ ଅକାମୀ କରି ରଖିଲା-। ସ୍ପୃଶ୍ୟ ଅସ୍ପୃଶ୍ୟର ଭେଦରେ ଗୋଟାସୁଦ୍ଧା ବିଶ୍ୱାସ କରୁଥିବା ଲୋକେ ଏକ ପ୍ରଚାର ବିଭାଗ ଖୋଲି ଅସ୍ପୃଶ୍ୟତା ବିରୁଦ୍ଧରେ ଖାଲି କଥା କହିଲେ ଏବଂ ଉପଦେଶ ଦେଲେ ସିନା, ତଥାପି ସେହି ଭେଦଟାକୁ ହିଁ କାମୁଡ଼ି ଧରିଲେ । ଏବଂ ସେଥିରେ ଲାଭବାନ୍ ମଧ୍ୟ ହେଲେ ।

 

ଆମ ଭିତରୁ ଏହି ଅସ୍ପୃଶ୍ୟତା ଯାଉ ବୋଲି ଯଦି ଆମେ ପ୍ରକୃତରେ ଇଚ୍ଛା କରୁଥିବା, ତେବେ ଆମକୁ ସର୍ବ ପ୍ରଥମେ ତାହାକୁ ଏକ ବ୍ୟାଧି ବୋଲି ସ୍ୱୀକାର କରିବାକୁ ପଡ଼ିବ । ମାତ୍ର, ଏହି ବ୍ୟାଧିଟାକୁ ସତେଅବା ଏକ ଭୂଷଣ ବୋଲି ଗ୍ରହଣ କରି ନେଇଥିଲେ ଓ ତଦ୍ୱାରା ନାନାପ୍ରକାରେ ଲାଭବାନ୍ ହେବାରେ ଲାଗିଥିଲେ, ସେହି ବ୍ୟାଧି ଆମକୁ କଦାପି ଛାଡ଼ି ଯିବ ନାହିଁ । ବ୍ୟାଧିକୁ ବ୍ୟାଧି ବୋଲି ସ୍ୱୀକାର କଲେ ଯାଇ ଆମେ ତାହା ସହ ଲଢ଼ିବା ସକାଶେ ପ୍ରକୃତରେ ପ୍ରସ୍ତୁତ ହୋଇପାରିବା-। ଆମେ ଏହି ବ୍ୟାଧିକୁ ସବାଆଗ ଆମ ଶିକ୍ଷାକ୍ଷେତ୍ରଗୁଡ଼ିକରୁ ବାହାର କରିବାକୁ ଚେଷ୍ଟା କରିବା-। ଆମ ଦେଶରେ ଇସ୍କୁଲରେ ପାଠ ପଢ଼ିବା ବୟସର ଯେତେ ପିଲା ଅଛନ୍ତି, ସେମାନେ ସବର୍ଣ୍ଣ, ଅସବର୍ଣ୍ଣ ବା ଅବର୍ଣ୍ଣ ଯାହା ହୋଇଥାଆନ୍ତୁ ପଛକେ, ଏମାନେ ସମସ୍ତେ ଇସ୍କୁଲକୁ ପାଠ ପଢ଼ିବାକୁ ଆସିବେ । ଏମାନେ ସମସ୍ତେ ଯେପରି ଇସ୍କୁଲକୁ ଆସି ପାରିବେ, ସେଥିଲାଗି ଏଠି ପ୍ରାଥମିକ ଶିକ୍ଷାର ଜାତୀୟ ଯୋଜନାରେ ଯେତେ ପ୍ରକାର ପରିବର୍ତ୍ତନ ଏବଂ ଅନୁଯୋଜନ ଦରକାର ପଡ଼ିବ, ସେସବୁ ପ୍ରକୃତରେ କରିବା ଲାଗି ସଂପୃକ୍ତ କର୍ତ୍ତା ଓ ଅନୁମନ୍ତାମାନଙ୍କର ଆଗ୍ରହ ରହିଥିବ-। ଏବଂ, ତା’ ଠାରୁ ଆହୁରି ବଡ଼ କଥା ହେଉଛି ଯେ, ଦେଶଯାକର ସବୁ ପିଲା ଗୋଟିଏ ପ୍ରକାରର ଶିକ୍ଷା ପାଇବେ; ଦେଶରେ ସବୁ ପିଲାଙ୍କ ଲାଗି ଭଲ ଶିକ୍ଷାର ବନ୍ଦୋବସ୍ତ କରିବା ନିମନ୍ତେ ଯଥେଷ୍ଟ ସମ୍ବଳ ନାହିଁ, ତେଣୁ ଅବସ୍ଥାପନ୍ନ ଘରର ପିଲାମାନଙ୍କୁ ଭଲ ଶିକ୍ଷା ନାଆଁରେ ଏଠି ସାଆନ୍ତ, ସ୍ୱାର୍ଥବୁଦ୍ଧି ଓ ଅହଙ୍କାରୀ ହୋଇ ବଢ଼ିବା ଲାଗି ପ୍ରଶ୍ରୟ ଯୋଗାଇ ଦିଆଯିବ, ଏପର୍ଯ୍ୟନ୍ତ ହୋଇ ଆସିଥିବା ସେହି ତାମସାକୁ ବନ୍ଦ କରିବାକୁ ପଡ଼ିବ । ଏବଂ ସେଥିଲାଗି ଦରକାର ପଡ଼ିଲେ ବାବୁଗିରିର ଚାଷ ହେଉଥିବା ତଥାକଥିତ ବିଶ୍ୱବିଦ୍ୟାଳୟମାନଙ୍କୁ ହୁଏତ ଏକ ମଧ୍ୟବର୍ତ୍ତୀ ସମୟ ଲାଗି ଆହୁରି ଅଧିକ ତେଲିଆ କରିବା ପାଇଁ ପଇସା ନ ଦେଇ ପ୍ରାଥମିକ ଶିକ୍ଷାକୁ ସର୍ବାଧିକାର ଦେବାକୁ ପଡ଼ିବ-। ପ୍ରାଥମିକ ଶିକ୍ଷାରେ ଯୋଗ୍ୟତର ଶିକ୍ଷକ ନିଯୁକ୍ତ କରିବାକୁ ପଡ଼ିବ, ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଯୋଗ୍ୟତର ବିଦ୍ୟାଳୟ ରୂପେ ଗଢ଼ିବାକୁ ପଡ଼ିବ । ପ୍ରାଥମିକ ସ୍କୁଲ ଗାଆଁ ଭିତରେ ଏପରି ଏକ ନୂତନ ଭବିଷ୍ୟଦୃଷ୍ଟିର ପ୍ରତୀକ ହୋଇ ରହିବ, ଯେଉଁଠାରେ କି ପ୍ରତ୍ୟେକ ମଣିଷ ହିସାବରେ ତା’ର ଯୋଗ୍ୟ ମର୍ଯ୍ୟାଦା ମିଳିବ,–ଯେଉଁଠାରେ ସଂସ୍କୃତି, ଧର୍ମ ଓ ସମ୍ଭ୍ରାନ୍ତତା ନାମରେ ଆଦୌ କୌଣସି ପ୍ରକାର ପୁରୁଣା ମୁଗ୍ଧତା ଏବଂ ରୁଗ୍‌ଣତାକୁ ପ୍ରଶ୍ରୟ ଦିଆ ଯିବନାହିଁ । ପ୍ରତ୍ୟେକ ଗ୍ରାମରେ ଯଦି ଅନ୍ତତଃ ଏପରି ଗୋଟିଏ ବି ସ୍ଥାନ ରହିବ, ଯେଉଁଠାରେ କି ଗାଆଁର ସବୁ ପିଲା ଏକାଠି ପାଠ ପଢ଼ିବେ, ଖୁସି ହୋଇ ପାଠ ପଢ଼ିବେ, ମଣିଷର ମର୍ଯ୍ୟାଦା ପାଇବେ, ପ୍ରତ୍ୟେକ ମଣିଷକୁ ତା’ର ସମୁଚିତ ମର୍ଯ୍ୟାଦା ଦେଇ ଶିଖିବେ, ତେବେ ଗାଆଁରେ କୌଣସି ପ୍ରକାର ଅସ୍ପୃଶ୍ୟତା ଲାଗି ହୁଏତ ଆଉ କୌଣସି ଥାନ ରହିବ ନାହିଁ । ପାଠଶାଳାର ନୂଆ ସଂକ୍ରମଣ ଗାଆଁର ସମାଜ ଭିତରକୁ ବ୍ୟାପିବ, ପୋଖରୀ ତୁଠଠାରୁ ଆରମ୍ଭ କରି ଗାଆଁ ଦେଉଳ ଓ ଗାଆଁ ଚଉପାଢ଼ୀଗୁଡ଼ାକୁ ମଧ୍ୟ ଏକ ନୂଆ ପ୍ରତିଷ୍ଠା ଦ୍ୱାରା ପବିତ୍ର କରିଦେବ । ଏପରି ହୋଇ ପାରିଲେ, ଆମେ ଯେପରି ହୋଇ ଆସିଲେ, ଆମ ପିଲାଏ ଅନ୍ତତଃ ସେପରି ସେପରି କଦାପି ହେବେ ନାହିଁ ।

 

ଆମ ଦେଶର ସ୍କୁଲଗୁଡ଼ିକ ସ୍କୁଲ ପରି ଚାଲିଲେ ହୁଏତ ସେହିଠାରେ ହିଁ ଅସ୍ପୃଶ୍ୟତା ଦୂରୀକରଣର କାର୍ଯ୍ୟ ଆରମ୍ଭ ହୋଇଯିବ । ଏବେ ଆମ ଦେଶରେ ଆଗରୁ ଅସ୍ପୃଶ୍ୟ ହୋଇ ରହି ଆସିଥିବା ଜାତିଗୁଡ଼ିକର ପିଲାଙ୍କ ଲାଗି ଅଲଗା ବ୍ୟବସ୍ଥାମାନ କରାଯାଇଛି । ସେମାନଙ୍କୁ ନାନା ପ୍ରକାରେ ବିଶେଷ ସୁବିଧା ଦିଆ ଯାଉଛି । ଦୟା ଦେଖାଇଲେ ମଣିଷ ମଣିଷ ଭିତରେ ରହିଥିବା ଦୂରତା ଚାଲି ଯାଏ ନାହିଁ । ମର୍ଯ୍ୟାଦା ଦେବାକୁ ହୁଏ, ସମ୍ମାନ ଦେବାକୁ ହୁଏ ଏବଂ ସମକକ୍ଷ ସମଜନ ବୋଲି ଗ୍ରହଣ କରିନେବାକୁ ହୁଏ । ହଁ, ଜାତି ବା ପାଟଜର କୌଣସି ପାତର ଅନ୍ତର ନ ରଖି ଦରିଦ୍ର ଘରମାନଙ୍କରୁ ଆସୁଥିବା ପିଲାମାନଙ୍କୁ ଅଧିକ ସୁବିଧା ଦିଆଯାଉ । ମାତ୍ର ସେମାନଙ୍କୁ ଆଗ ଆମ ଭିତରେ ଗ୍ରହଣ କରି ନେଇ ସାରି ତା’ପରେ ଯାଇ ଯାହାକିଛି ଅଧିକ ସୁବିଧା ଦିଆଯାଉ-। ଗତ କୋଡ଼ିଏ ପଚିଶି ବର୍ଷ ହେଲା ଅସବର୍ଣ୍ଣ ଜାତିର ପିଲାମାନଙ୍କ ଲାଗି ଉତ୍ତମର୍ଣ୍ଣ ଉପରିସ୍ଥମାନେ ଯେଉଁ ଅନୁଗ୍ରହ ଦେଖାଇ ଆସିଛନ୍ତି, ତଦ୍ଦ୍ୱାରା ସେହି ପିଲାମାନେ ପାଠ ପଢ଼ି ଅଧିକ ରୋଜଗାରକ୍ଷମ ହୋଇ ପାରିଛନ୍ତି ସତ, ମାତ୍ର ଆପଣାର କୁଳକୁ ସ୍ୱୀକାର କରିବାକୁ ସେମାନେ ଲଜ୍ଜାବୋଧ କରିଛନ୍ତି । ସେମାନେ ଆପଣା କୁଳର ଅନ୍ୟମାନଙ୍କୁ ଘୃଣା କରିଛନ୍ତି, ଆପେ ଉପରକୁ ଉଠିଯାଇ ତଦ୍ଦ୍ୱାରା ସମସ୍ୟାଟିର ସମାଧାନ କରିଦେବେ ବୋଲି ଧରି ନେଇଛନ୍ତି । ଫଳରେ, ତଳୁ କେତେଜଣ ମଣିଷ ବାବୁ ହୋଇ ଉପରକୁ ଉଠି ଆସିଛନ୍ତି ଏବଂ ଆମ ସମାଜରେ ଅହମିକାର ପରିମାଣ ବୃଦ୍ଧି କରିଛନ୍ତି ସତ, ମାତ୍ର ତଦ୍ଦ୍ୱାରା ତିମିରଗୁଡ଼ାକ ମୋଟେ କଟିନାହିଁ ଏବଂ ଉପେକ୍ଷାମାନେ ତଥାପି ଦୌରାତ୍ମ୍ୟ ବିସ୍ତାର କରି ରହିଛନ୍ତି । ଆମେରିକାର ଗୋରା ଶାସକମାନେ ଏକଦା ଏହିପରି କେତେଜଣ ନିଗ୍ରୋଙ୍କୁ ପୋଷାହାତୀ ପରି ପାଟ ପିନ୍ଧାଇ ସଂସାର ଆଗରେ ଭଲେଇ ହେଉଥିଲେ ।

 

ପୁରୁଣା ସମାଜ ଭାଙ୍ଗିଲେ ଯାଇ ନୂଆ ସମାଜ ଗଢ଼ାହୁଏ । ପୁରୁଣା ସମାଜକୁ ଭାଙ୍ଗିବାଲାଗି ଏକ ସବଳ ନେତୃତ୍ୱ ଓ ଏକ ବଦ୍ଧପରିକର ଆନ୍ଦୋଳନ ଜନ୍ମଲାଭ କରି ପାରିଲେ ଯାଇ ପୁରୁଣା ଭାଙ୍ଗେ । ଯେଉଁମାନେ ସମାଜର ଏକ ବ୍ୟାଧିରୁ ଯତ୍ପରୋନାସ୍ତି ଲାଭବାନ୍ ହେବାକୁ ଚେଷ୍ଟା କରୁଥାନ୍ତି, ସେମାନେ ସେହି ପୁରୁଣା ସହିତ ନିଜକୁ ନୂଆ ନୂଆ ଗଣ୍ଠିରେ ଛନ୍ଦି କରି ରଖିଥାନ୍ତି-। ସେମାନେ ସଂବିଧାନରୁ ଅସ୍ପୃଶ୍ୟତାକୁ ବିଲକୁଲ ତଡ଼ି ଦିଅନ୍ତି, କାଗଜପତ୍ରରୁ ତଡ଼ି ଦିଅନ୍ତି ଓ ସଭାସମିତି ଭିତରୁ ତଡ଼ି ଦିଅନ୍ତି । ମାତ୍ର ତଥାପି ସେହିଗୁଡ଼ାକୁ ଗଣ୍ଠି କରି ଚଳୁଥାନ୍ତି, ତାହାରି ବଳରେ ସମ୍ପନ୍ନରୁ ସମ୍ପନ୍ନତର ହେଉଥାନ୍ତି; ତାହାରି ବଳରେ ଭୋଟ ଲଢ଼ୁ ଥାଆନ୍ତି, ଭୋଟରେ ବିଜୟୀ ହେଉଥାନ୍ତି । ତେଣୁ ଏମାନେ ପୁରୁଣାଗୁଡ଼ାକୁ କଦାପି ବଦଳାଇ ପାରନ୍ତି ନାହିଁ, ପରିବର୍ତ୍ତନର ଗୋଡ଼ରେ ପଥର ବାନ୍ଧି ରଖନ୍ତି । ଯିଏ ନୂଆ ହେବାକୁ ନିଜେ ନିଷ୍ପତ୍ତି ନିଏ, ସେଇ ନୂଆ ଲାଗି ବାଟ ଫିଟାଏ । ନୂଆଲାଗି ଆବଶ୍ୟକ ଉଦ୍‌ବେଳନ ସୃଷ୍ଟି କରେ; ସେଇ ଅସଲ ନେତା ହୁଏ, ଅସଲ ନିମିତ୍ତ ହୁଏ ।

 

ଅସ୍ପୃଶ୍ୟତାର ଦୂରୀକରଣ ଲାଗି ସେହି ଅସ୍ପୃଶ୍ୟମାନଙ୍କ ଭିତରୁ ଯେ ନେତା ବାହାରି ସବୁକିଛି କରିବେ, ଏହା ଏକ ଭ୍ରମଧାରଣା । ଅସ୍ପୃଶ୍ୟମାନଙ୍କୁ ନେଇ ଦେଶରେ ଏକାଧିକ ସଂଘ ଗଢ଼ାଯାଇଛି, ମାତ୍ର ତଥାପି ଲାଜଗୁଡ଼ାକ ମୋଟେ ଯାଇନାହିଁ । ତଦ୍ଦ୍ୱାରା ହୁଏତ ରାଜନୀତିକୁ କିଛି ପାଣି ବା ପିଡ଼ିଆ ମିଳି ଯାଇଛି, ଦଳିତ ଜାତିମାନଙ୍କର ନେତା ବନି ରାଜଧାନୀରେ ସମୃଦ୍ଧ ହେବା ସମ୍ଭବ ହୋଇଛି, ମାତ୍ର ଅସ୍ପୃଶ୍ୟତା ଯାଇନାହିଁ । ଈର୍ଷା ବଢ଼ିଛି, ଅସୂୟା ବଢ଼ିଛି । ବିଭିନ୍ନତାଗୁଡ଼ିକୁ ପ୍ରଦର୍ଶିତ କରି ରଖି ସେଥିରୁ ଉଗ୍ର ସଂକୀର୍ଣ୍ଣତାମାନଙ୍କୁ ଏକ ଆଦର୍ଶବାଦର ଜର୍ସି ପିନ୍ଧାଇ ଦିଆ ଯାଇଛି । ଯିଏ ନିଜକୁ ମଣିଷ ବୋଲି ଭାବିବ, ସିଏ ନିଜକୁ ସବର୍ଣ୍ଣ ଅଥବା ଅସବର୍ଣ୍ଣ କିଛି ବୋଲି ଭାବିବ ନାହିଁ । ସିଏ ଭବିଷ୍ୟକୁ ହିଁ ଆପଣାର ଉତ୍ତରାଧିକାର ବୋଲି ଭାବିବ । ସିଏ ନିଜକୁ ସବାଆଗ ମଣିଷ ଓ ସର୍ବଶେଷରେ ମଧ୍ୟ ମଣିଷ ବୋଲି ଗ୍ରହଣ କରିଥିବ ଏବଂ ନିଜର ସେହି ମର୍ଯ୍ୟାଦାଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ଦେଖିବ । ସିଏ କ୍ଷମତା ଚାହିବ ନାହିଁ, ରାଜନୀତି ଚାହିଁବ ନାହିଁ,–ଏକ ନୂତନ ଚେତନାର ସଂଚରଣ ଲାଗି ସିଏ ଆପଣାକୁ ଏକ ନିମିତ୍ତରୂପେ ତିଆରି କରିବ । ସେହି ଅସ୍ପୃଶ୍ୟତା ଦୂର କରି ପାରିବ । ସିଏ ଇସ୍କୁଲରେ ମାଷ୍ଟର ହୋଇଥାଉ ବା ଛାତ୍ର ହୋଇଥାଉ, ନେତା ହୋଇଥାଉ କିମ୍ବା କର୍ମୀ ହୋଇଥାଉ, ଗାଆଁରେ ଥାଉ ବା ସହରରେ ଥାଉ,–ସିଏ ଯେକୌଣସି ଦେଉଳରେ ଠାକୁରଙ୍କୁ ପୂଜା କରୁଥାଉ ଅଥବା ଆଦୌ କୌଣସି ଦେଉଳକୁ ଯାଉ ନ ଥାଉ ପଛକେ, ତାହାରି ଦ୍ୱାରା ଅସ୍ପୃଶ୍ୟତା ଯିବ । ଆମ ଦେଶରେ ଏହି ପରି ଏକ ସମ୍ମାନବୋଧ ଏବଂ ନୂତନବୋଧ ନେଇ ଯେତେବେଶୀ ମଣିଷ ବାହାରିବେ, ଏହିଭଳି ଚକ୍ଷୁଷ୍କାନ୍ ମଣିଷମାନେ ଯେତେବେଶୀ ସକ୍ରିୟ ହେବେ,–ଆମର ସମାଜ ସେତିକି ସେତିକି ବଦଳିବ । ସତ୍ୟର ଆଗ୍ରହୀମାନଙ୍କ ଦ୍ୱାରା ହିଁ ସବୁ ବଦଳିବ । ଯେଉଁମାନେ ଅନ୍ୟ ଆଗ୍ରହ ରଖି ଚାନ୍ଦୁଆ ତଳକୁ ଆସିଥିବେ, ସେମାନଙ୍କ ଦ୍ୱାରା ଆଦୌ କିଛି ବଦଳିବ ନାହିଁ ।

 

୧୪/୨/୭୮

Image

 

ଅନାବନା ରଚନା

ସେବା ଓ ଶିକ୍ଷାର ବହୁତ ପ୍ରସ୍ଥ

 

ଉଦାସିଆ ଲୋକମାନେ କହିଛନ୍ତି, ମଣିଷ କୁଆଡ଼େ ଏକୁଟିଆ ଏହି ସଂସାରକୁ ଆସେ ଏବଂ ଏକୁଟିଆ ଏହି ସଂସାରରୁ ବିଦାୟ ନେଇ ଯାଏ । ମଣିଷ କେଉଁଠାରୁ ଆସେ ଓ କେଉଁଠାକୁ ଯାଏ, ସେହି ବିଷୟରେ ଅବଶ୍ୟ ମନୁଷ୍ୟମାନଙ୍କ ଭିତରେ ବହୁପ୍ରକାରର କଳ୍ପନାଜଳ୍ପନା ରହିଛି । ତଥାପି, ମଣିଷ ଏହି ସଂସାରକୁ ଯେପରି ଆସିଥାଉ ଅଥବା ଏହି ସଂସାରରୁ ଯେଉଁଭଳି ଭାବରେ ଯାଉଥାଉ ପଛକେ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ସିଏ ଏହି ସଂସାରରେ ମୋଟେ ଏକୁଟିଆ ହୋଇ ରହି ପାରେ ନାହିଁ । ଏକୁଟିଆ ହୋଇ ରହୁଥିଲେ ମଣିଷର ଏଠାରେ ବଞ୍ଚି ରହିବା ମଧ୍ୟ ସମ୍ଭବ ହେଉନଥାନ୍ତା । ସଂସାର ଭିତରେ ମଣିଷ ଆହୁରି କେତେ କେତେ ଅନ୍ୟ ମଣିଷଙ୍କ ଉପରେ ନିର୍ଭର କରି ରହେ, କେତେ ଭଳି ଡୋର ବାନ୍ଧେ ଓ ସେହି ଡୋରରେ ବାନ୍ଧି ହୋଇ ରହିଥାଏ । ସେହି ଡୋର ବାନ୍ଧି ରହିବାକୁ ହିଁ ଜୀବନ ବୋଲି କୁହାଯାଏ । ଆମର ସଭ୍ୟତା, ଆମ ସଂସ୍କୃତି, ଆମ ଅର୍ଥନୀତି, ଆମର ଧର୍ମ,–ଏହି ସବୁକିଛି ସମ୍ଭବ ହେଉଛି କାରଣ ଆମେ ମଣିଷମାନେ ଏହି ପୃଥିବୀରେ ଏକାଠି ରହୁଛୁ, ପରସ୍ପର ସହିତ ସମ୍ବନ୍ଧ ଯୋଡ଼ି ରହିଛୁ । ଭାବ, ବନ୍ଧୁତା, ଦୟା, ସହାନୁଭୂତି ଏବଂ ସହଯୋଗ,–ସଂସାରରେ ମଣିଷମାନେ ସମ୍ବନ୍ଧ ଯୋଡ଼ି ରହିଥିବାରୁ ହିଁ ଏସବୁ ସମ୍ଭବ ହୋଇ ପାରୁଛି । ମନୁଷ୍ୟ ଅନେକ ସମୟରେ ଏଗୁଡ଼ିକୁ ଗୋଟିଏ ସ୍ୱର୍ଗୀୟ ଗୁଣ ବୋଲି କହୁଛି । ଅଥବା, ଅନ୍ୟପ୍ରକାରେ କହିଲେ, ମନୁଷ୍ୟ ଭିତରେ ଏହିସବୁ ଗୁଣ ରହିଥିବାରୁ ହିଁ ଆମର ଏହି ପୃଥିବୀ ସତକୁ ସତ ସ୍ୱର୍ଗ ପରି ଲାଗୁଛି । ଏକାବେଳେକେ ନିଜର ଘର ବୋଲି ଲାଗୁଛି ।

 

ତଥାପି, ଏହି ପୃଥିବୀରେ ଥାଇ ମଧ୍ୟ ଅନେକ ମନୁଷ୍ୟ ଆପଣାକୁ ଏକୁଟିଆ ବୋଲି ମନେ କରନ୍ତି । ସେମାନେ କେବଳ ନିଜକୁ ଦେଖନ୍ତି, ନିଜ ସ୍ୱାର୍ଥକୁ ହିଁ ଦେଖନ୍ତି, ଅନ୍ୟ ମଣିଷମାନଙ୍କୁ ଯଥାସମ୍ଭବ ନିଜ ସ୍ୱାର୍ଥଗୁଡ଼ିକର ସାଧନ ପାଇଁ କାମରେ ଲଗାନ୍ତି । ସେମାନେ କେବଳ ନିଜ ପଇସା ରୋଜଗାର କରନ୍ତି, ନିଜେ ରୋଜଗାର କରୁଥିବା ପଇସା ସମ୍ପୂର୍ଣ୍ଣ ଭାବେ ସେମାନଙ୍କର ନିଜର ବୋଲି ଭାବନ୍ତି । ଭଗବାନଙ୍କୁ ମଧ୍ୟ ସେମାନେ କେବଳ ନିଜ ପାଇଁ ଡାକନ୍ତି । ଅନ୍ୟମାନେ ଅଛନ୍ତି ବୋଲି ଯେ ସେମାନେ ମଧ୍ୟ ଏହି ପୃଥିବୀରେ ଅଛନ୍ତି, ସେକଥା ସେମାନେ ଆଦୌ ସ୍ୱୀକାର କରନ୍ତି ନାହିଁ । ନିଜର ବୃତ୍ତଟିକୁ ବଢ଼ାଇ ବଢ଼ାଇ ସେମାନେ ଖୁବ୍‌ବେଶୀ ହେଲେ ତଥାକଥିତ ନିଜର ପରିବାର ପର୍ଯ୍ୟନ୍ତ ଯାଇ ସେହିଠାରେ ଅଟକି ଯାଇଥାନ୍ତି । ମୋ ପିଲାମାନେ, ମୋ’ ଘର, ମୋ’ ସଂସାର, ମୋ’ ଭାଗ୍ୟ ଏବଂ ମୋ’ ସୁଖ ବୋଲି କହି ସେମାନେ କେତେ ଆନନ୍ଦ ପାଆନ୍ତି । ଜୀବନକୁ ସେମାନେ ସତେଅବା ଗୀତଟିଏ ପରି ମନେ କରନ୍ତି ଓ ସମଗ୍ର ପୃଥିବୀଟାକୁ ସେହି ଗାତ ଭିତରେ ନେଇ ରଖିବାକୁ ନିରନ୍ତର ଫିକର କରୁଥାନ୍ତି । ଏହି ମଣିଷମାନେ ବିଦ୍ୟାକୁ ମଧ୍ୟ ଏପରି ଏକ ଧନ ବୋଲି ମନେ କରନ୍ତି, ଯାହାକୁ କି ସେମାନେ ନିଜେ ଅର୍ଜନ କରନ୍ତି, ପ୍ରଧାନତଃ ନିଜର ସୁଖ ଓ ନିଜର ଅଭିବୃଦ୍ଧି ସକାଶେ ସେହି ବିଦ୍ୟାକୁ କାମରେ ଲଗାନ୍ତି । ସଂଗ୍ରହ ସହିତ ବିତରଣ ବୋଲି ଗୋଟିଏ ଶବ୍ଦ ଯେ ପୃଥିବୀରେ ରହିଛି, ଏକଥା ସ୍ୱୀକାର କରୁନଥିବା ମଣିଷମାନଙ୍କୁ ଆମର ଚଳନ୍ତି ଭାଷାରେ କୃପଣ ବୋଲି କୁହାଯାଏ । କୃପଣ ମଣିଷ ପ୍ରକୃତରେ ଏକ ବିଚିତ୍ର ମଣିଷ । ଏକ ଭୀରୁ ମଣିଷ, ଏକ ସଙ୍କୋଚିତ ମଣିଷ । ଏତେବଡ଼ ପୃଥିବୀ ଭିତରେ କୃପଣମାନେ ସତେଅବା ତଥାପି ନିବୁଜ ହୋଇ ରହିଥାନ୍ତି, ସେମାନେ ଏହି ଜୀବନକୁ ଆଲୋକ କିମ୍ବା ପବନ ରୂପେ ଆଦୌ ଅନୁଭବ କରିବାକୁ ଇଚ୍ଛା କରନ୍ତି ନାହିଁ, ଏହି ପୃଥିବୀ ଉପରେ ଗୋଟାଏ ଆକାଶ ବିସ୍ତୃତ ହୋଇ ରହିଛି ବୋଲି ସେମାନେ ଆଦୌ ଦେଖି ପାରନ୍ତି ନାହିଁ । ନିଜ ଭିତରେ ଏବଂ ନିଜ ବାହାରେ ସେମାନେ ସେଭଳି ଦେଖି ପାରିବାର ଆଖିଟିକୁ ହରାଇ ବସିଥାନ୍ତି ।

 

ଶ୍ରୀଯୁକ୍ତ ନରେନ୍ଦ୍ର ପ୍ରସାଦ ଦାସ ଏକ ଅନ୍ୟ ଜାତିର ମଣିଷ ଥିଲେ । ସେ ଗୋଟିଏ ଦରିଦ୍ର ପରିବାରରେ ଜନ୍ମ ହୋଇଥିଲେ । ଦରିଦ୍ରମାନେ ଜୀବନରେ ବଡ଼ ଲୋକ ହେଲେ ପୃଥିବୀ ଉପରେ ଏକଦା ଦରିଦ୍ର ହୋଇ ଜନ୍ମ ହୋଇଥିବାର ଅପମାନର ପ୍ରତିଶୋଧ ନିଅନ୍ତି । ସେମାନେ କୃପଣ ହୁଅନ୍ତି, ଅନ୍ୟ ସମସ୍ତଙ୍କଠାରୁ ଅଧିକ ଡେଙ୍ଗା ହୋଇ ଦେଖା ଯିବାକୁ ଅନୁକ୍ଷଣ ଚେଷ୍ଟା କରୁଥାନ୍ତି । କେବଳ ନିଜ ପାଇଁ ଧନ କମାନ୍ତି, ଧନ ଜମାନ୍ତି; ସେଇଥିରୁ ସତେଅବା ଅଶେଷ ଆନନ୍ଦ ଲାଭ କରନ୍ତି । ଶ୍ରୀ ନରେନ୍ଦ୍ର ପ୍ରସାଦ ଦାସ ସେଭଳି ହୋଇ ନାହାନ୍ତି । ପାଠ ପଢ଼ି ଓକିଲ ହୋଇଛନ୍ତି, ଓକିଲ ହୋଇ ହୁଏତ ମୁଠା ମୁଠା ପଇସା କମାଇଛନ୍ତି । ମାତ୍ର, ତଥାପି ଦରିଦ୍ର ମଣିଷମାନଙ୍କୁ ଭୁଲି ନାହାନ୍ତି, ଅସହାୟମାନଙ୍କୁ ଭୁଲି ନାହାନ୍ତି । ତେଣୁ ସୁଯୋଗ ସୃଷ୍ଟି କରି ସେ ଜନହିତକର କେତେ କାର୍ଯ୍ୟ କରିଛନ୍ତି । ଦୁଃଖିନୀ କନିକାର ଦୁଃଖୀ ଓ ଅତ୍ୟାଚାରିତ ପ୍ରଜାମାନଙ୍କ ତରଫରୁ ମୋକଦ୍ଦମା ଲଢ଼ିଛନ୍ତି, ସେଥିପାଇଁ କୌଣସି ମୂଲ ନେଇ ନାହାନ୍ତି । ଫୌଜଦାରୀ ମୋକଦ୍ଦମା ଭିତରେ ପଶିଲେ ଜଣେ ଆଇନଜୀବୀକୁ ଯେ କେତେ ଅବାଞ୍ଛିତ ପରିସ୍ଥିତି ମଧ୍ୟକୁ ଯିବାକୁ ହୋଇଥାଏ, ସେକଥା ହୃଦୟଙ୍ଗମ କରିବା ପରେ ସେ ଫୌଜଦାରୀ ମୋକଦ୍ଦମା ଆଉ ହାତକୁ ନେଇ ନାହାନ୍ତି । ତାପରେ ଗୁରୁଦୀକ୍ଷା ନେଇ ସେ ବହୁ ଜନହିତକର କାର୍ଯ୍ୟରେ ଆପଣାକୁ ସଂଶ୍ଳିଷ୍ଟ କରି ରଖିଛନ୍ତି । ଶିକ୍ଷାର ପ୍ରସାରକୁ ସେ ସେବାର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ରୂପେ ଗ୍ରହଣ କରିଛନ୍ତି । ଭାରତବର୍ଷ ସ୍ୱାଧୀନତା ଲାଭ କରିବାର ପରବର୍ତ୍ତୀ ବର୍ଷଗୁଡ଼ିକରେ ସେ ସତେଅବା ସେହି କାର୍ଯ୍ୟକ୍ଷେତ୍ରଟିକୁ ଆପଣାର ଅସଲ ଆଗ୍ରହ ରୂପେ ଗ୍ରହଣ କରିଛନ୍ତି । ହାଇସ୍କୁଲ ସ୍ଥାପନ କରାଇଛନ୍ତି, ବାଳିକାମାନଙ୍କର ଉତ୍ତରୋତ୍ତର ଶିକ୍ଷା ଲାଗି ସେ ବିଶେଷ ଧ୍ୟାନ ଦେଇଛନ୍ତି ଏବଂ ଭଦ୍ରକ କଲେଜର ସ୍ଥାପନାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ପ୍ରାୟ ପଇଁଚାଳିଶି ବର୍ଷ ତଳେ ତାଙ୍କରି ଉଦ୍ୟମ ଦ୍ୱାରା ସ୍ଥାପିତ କଲେଜରେ ଆମେ ଆଜି ସମବେତ ହୋଇଥିବାବେଳେ ସର୍ବପ୍ରଥମେ ତାଙ୍କର ସେବାସମର୍ପିତ ଜୀବନଟିକୁ ସ୍ମରଣ କରିବା ଓ ତାଙ୍କ ଉଦ୍ଦେଶ୍ୟରେ ଆମର ଗଭୀର କୃତଜ୍ଞତା ଜ୍ଞାପନ କରିବା । ଏହି ପୃଥିବୀକୁ ନିର୍ମାଣ କରିଥିବା ପରମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ ଯେ ଏଠାରେ ମଣିଷମାନେ ଅଧିକାଂଶତଃ ଅତ୍ୟନ୍ତ କୃପଣ ଭାବରେ କେବଳ ଆପଣାର ଜୀବନଟିକୁ ଅର୍ଥାତ୍ ଆପଣାର ଲାଭ ଓ ସ୍ୱାର୍ଥଗୁଡ଼ିକୁ ବଞ୍ଚୁଥିଲେ ମଧ୍ୟ ଏଠାରେ ଉଦାରମାନେ ମଧ୍ୟ ରହିଛନ୍ତି । ଅନ୍ଧାର ପ୍ରବଳ ହୋଇ ରହିଥିଲେ ମଧ୍ୟ ତଥାପି ଆଲୋକ ରହିଛି । ଅଧିକାଂଶ ମନୁଷ୍ୟ ଭଗବାନଙ୍କୁ ମୁଖ୍ୟତଃ ଆପଣାର କାମରେ ଲଗାଇବାକୁ ଉଦ୍‌ଗ୍ରୀବ ହୋଇ ରହିଥିଲେ ମଧ୍ୟ ପୃଥିବୀରେ ଭଗବାନଙ୍କର କାର୍ଯ୍ୟ କରିବା ଲାଗି ମଧ୍ୟ କେହି ରହିଛନ୍ତି । ସେମାନେ ସବୁକାଳେ ରହିଥିଲେ, ଆମର ଏହି କାଳଟିରେ ମଧ୍ୟ ରହିଛନ୍ତି । ହୁଏତ ସେହିମାନଙ୍କ ସକାଶେ ହିଁ ପୃଥିବୀ ତିଷ୍ଠି ରହିଛି ।

 

ଭାରତବର୍ଷର ସାମାଜିକ ସଂସ୍କୃତିରେ ଦାନ, ଦୟା, ଅନୁକମ୍ପା ଓ ଅନୁଗ୍ରହକୁ ଚିରକାଳ ମନୁଷ୍ୟର ଏକ ମହାନ୍‌ ଗୁଣ ବୋଲି ସ୍ୱୀକାର କରାଯାଇଛି । ସେଗୁଡ଼ିକୁ ଆମ ଇହଜୀବନର ପରମ ଧର୍ମ ଏବଂ ପରମ ଭୂଷଣ ବୋଲି ଘୋଷଣା କରାଯାଇଛି । ଆମ ପୁରାଣମାନଙ୍କରେ ଦାନୀମାନଙ୍କର ଭୂୟସୀ ଗାଥା ଓ କଥାମାନ ରହିଛି; ଭଗବାନ କୁଆଡ଼େ ସ୍ୱୟଂ ଦାନୀମାନଙ୍କର ପରୀକ୍ଷା ନେବାକୁ ପୃଥିବୀରେ କେତେ କୌଶଳ ରଚନା କରିଛନ୍ତି ଏବଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କୁ ସିଧା ସ୍ୱର୍ଗକୁ ପଠାଇ ଦେଇଛନ୍ତି । ଆମ ତୀର୍ଥମାନଙ୍କରେ ଦାନ ହିଁ ଏକ ସର୍ବସ୍ୱୀକୃତ ବିଧି ହୋଇ ରହିଛି । କେବଳ ହିନ୍ଦୁଧର୍ମରେ ନୁହେଁ, ପୃଥିବୀର ଯାବତୀୟ ଧର୍ମରେ ରହିଛି । ଆଧୁନିକ ପୃଥିବୀରେ କେତେ କେତେ ବୃହତ୍ ସୌଧ, କେତେକେତେ ବଡ଼ ଅନୁଷ୍ଠାନ ପ୍ରଧାନତଃ ଦାନୀମାନଙ୍କର ଦାନଦ୍ୱାରା ହିଁ ନିର୍ମିତ ହୋଇଛି । ଆନ୍ତର୍ଜାତିକ ସ୍ତରରେ ଏହି ପ୍ରସଙ୍ଗରେ ଆମେ ରେଡ଼୍‌କ୍ରସ୍‌ ଏବଂ ରୋଟାରୀ ଅନୁଷ୍ଠାନର ଉଲ୍ଲେଖ କରି ପାରିବା । ଜଗତରେ କେତେଜଣ ଉଦାର ମଣିଷ ରହିଛନ୍ତି ବୋଲି ଜଗତରେ ଅନେକ ଅନେକ ଦୁଃଖର ନିରାକରଣ ଲାଗି ପ୍ରକୃତରେ କିଛି କରି ହେଉଛି । ରେଡ଼୍‌କ୍ରସ୍ ସଂସ୍ଥା ବିଗତ ପ୍ରାୟ ଏକ ଶତାବ୍ଦୀ ହେଲା ଯୁଦ୍ଧରେ ଆହତ ଲୋକମାନଙ୍କର ଶୁଶ୍ରୁଷା ଓ ସେବା କରି ଆସୁଛି । ସୁଇଜରଲାଣ୍ଡର ଜଣେ ଅତ୍ୟନ୍ତ ଉଦାରହୃଦୟ ଓ ବିଶ୍ୱଦୁଃଖରେ ଦୁଃଖୀ ଅଁରି ଡୁନାଁଙ୍କର ଅପାର ଅଧ୍ୟବସାୟ ଫଳରେ ଏହି ସଂସ୍ଥାଟି ଜନ୍ମଲାଭ କରିଥିଲା ଏବଂ ଏବେମଧ୍ୟ ତାହା ଅତ୍ୟନ୍ତ ପ୍ରଶଂସାଯୋଗ୍ୟ ଭାବରେ ପୃଥିବୀଯାକ ସକ୍ରିୟ ହୋଇ ରହିଛି । ଆର୍ତ୍ତ ମଣିଷର ସେବା କରୁଛି । ସେହି ସଂସ୍ଥାର ଏହି ସେବାକାର୍ଯ୍ୟ ଲାଗି ପୃଥିବୀ ମଧ୍ୟ ତାହା ପାଖରେ ସର୍ବଦା କୃତଜ୍ଞ ରହି ଆସିଛି । ଠିକ୍ ସେହିପରି ଆନ୍ତର୍ଜାତିକ ରୋଟାରୀ ପ୍ରତିଷ୍ଠାନ । କେତେକ ବ୍ୟକ୍ତି ଯଥାସାଧ୍ୟ ପୃଥିବୀର ଦୁର୍ଗତମାନଙ୍କ ଲାଗି କିଛି ନା କିଛି କରିବେ, ଭାଗ୍ୟହୀନମାନଙ୍କ ନିମନ୍ତେ ଭଗବାନଙ୍କ କୃପାରୁ ଭାଗ୍ୟବାନ୍ ହୋଇଥିବା ବ୍ୟକ୍ତିମାନେ ଅବଶ୍ୟ କିଛି କରିବେ, ରୋଟାରି ପ୍ରତିଷ୍ଠାନର ପ୍ରବକ୍ତାମାନେ ଅତ୍ୟନ୍ତ ଆନ୍ତରିକତା ସହିତ ପୃଥିବୀଦାଣ୍ଡରେ ସେହିକଥା କହି ଆସିଛନ୍ତି ।

 

ଯୁଦ୍ଧରେ ଯେଉଁମାନେ କ୍ଷତବିକ୍ଷତ ହେଉଛନ୍ତି, ବନ୍ଦୀ ହୋଇ ଶତ୍ରୁପକ୍ଷର ଦୟା ଉପରେ ନିର୍ଭର କରି ରହିବାକୁ ନ୍ୟାୟତଃ ବାଧ୍ୟ ହେଉଛନ୍ତି, ସେହିମାନଙ୍କ ଲାଗି କିଛି ପ୍ରତିକାର ଯୋଗାଇଦେବା ରେଡ଼କ୍ରସ୍‌ର କାର୍ଯ୍ୟ ହୋଇ ରହି ଆସିଛି । ଆପଣାକୁ ଏହି ନିର୍ଦ୍ଦିଷ୍ଟ କ୍ଷେତ୍ର ଲାଗି ଉତ୍ସର୍ଗୀକୃତ କରି ରଖିଥିବା ମହନୀୟ ସଂସ୍ଥାଟି ସତେଅବା ଏତିକି ଭିତରେ ଆପଣାର ସକଳ କାର୍ଯ୍ୟକ୍ରମକୁ ସୀମାବଦ୍ଧ କରି ରଖିଛି । ଯୁଦ୍ଧ କାହିଁକି ହେଉଛି, ମନୁଷ୍ୟମାନେ ବା ରାଷ୍ଟ୍ରମାନେ କାହିଁକି ସତେଅବା ଚିରାଭ୍ୟସ୍ତ ଭାବରେ ଏକ ନିର୍ବୋଧତାର ଶିକାର ହୋଇ ବାରବାର ବିନାଶକାରୀ ଯୁଦ୍ଧ ଭିତରେ ପ୍ରବିଷ୍ଟ ହେଉଛନ୍ତି, ସେହି ପ୍ରଶ୍ନଟିର ସମ୍ମୁଖୀନ ହେବାଲାଗି ରେଡ଼୍‌କ୍ରସ୍ ସଂସ୍ଥାର କୌଣସି କାର୍ଯ୍ୟକ୍ରମ ନାହିଁ । ପୃଥିବୀପୃଷ୍ଠରୁ ସମସ୍ତ ଯୁଦ୍ଧର ବିଲୋପ ଘଟିବା ବିଷୟରେ ଚିନ୍ତା କରି କିଛି ସମୀଚୀନ ପ୍ରତିକାର ବାହାର କରିବା ତ ଆହୁରି ଅଧିକ ଦୂରର କଥା । ତେଣୁ, ଯୁଦ୍ଧ ଲାଗି ରହିଛି, ତେଣୁ ସେବା ଲାଗି ରହିଛି । ସେବା ଲାଗି ରହିଛି, ଯୁଦ୍ଧ ଲାଗି ରହିଛି । ସତେଅବା ରେଡ଼୍‌କ୍ରସ୍ ନାମକ ମହାନ୍ ପ୍ରତିଷ୍ଠାନଟିର ସେବାକାର୍ଯ୍ୟ ଓ ଯାବତୀୟ ଔଦାର୍ଯ୍ୟ ଯେପରି ଲାଗି ରହିଥିବ, ଅନ୍ତତଃ ସେଇଥି ସକାଶେ ଯୁଦ୍ଧ ଲାଗି ରହିଛି କି ? ସେବାକାର୍ଯ୍ୟ, ତ୍ରାଣ କାର୍ଯ୍ୟରେ ଲାଗି ରହିଥିବା ସଂସ୍ଥାମାନେ ଯଦି କେବଳ ଅତ୍ୟନ୍ତ ନିଷ୍ଠାର ସହିତ ସେହି କାର୍ଯ୍ୟଟିକୁ ହିଁ କରୁଥିବେ ଏବଂ ଯୁଦ୍ଧ ଲାଗିବାର କାରଣଗୁଡ଼ିକୁ ଉଖାରି ଦେଖିବାକୁ ଭୟ କରୁଥିବେ, ତେବେ ସେହି ସଂସ୍ଥାମାନେ ଅବଶ୍ୟ ସ୍ଥାୟୀ ହୋଇ ରହିଥିବେ, ମାତ୍ର ତଦ୍ଦ୍ୱାରା ପୃଥିବୀରୁ ଯୁଦ୍ଧର ବିଲୋପ ହେବ କି ?

 

ଦାନଦ୍ୱାରା ମଣିଷ ମହାପୁଣ୍ୟ ଅର୍ଜନ କରେ, ଭାରତବର୍ଷରେ ଏହି ସାଧୁବାଣୀଟି ଚିରଦିନ ଉଚାରିତ ହୋଇ ଆସିଛି । ପ୍ରଧାନତଃ ପୁଣ୍ୟର ଲୋଭରେ ଆଉ ଅନେକ ମଣିଷ ଦାନରେ ପ୍ରବୃତ୍ତ ହୋଇ ନାହାନ୍ତି କି ? ଏହି ପୁଣ୍ୟ ପ୍ରକୃତରେ କ’ଣ ପାଇଁ ? ଏହି ପୁଣ୍ୟର ଅର୍ଜନ ସଂସାର ଦୁଃଖରୁ ମୋକ୍ଷ ପାଇଁ ବୋଲି ଅଧିକାଂଶ ଧର୍ମର ପବିତ୍ର ଶାସ୍ତ୍ରମାନେ ଘୋଷଣା କରି ଆସିଛନ୍ତି । ସଂସାର ଦୁଃଖମୟ, ଏହି ଦୁଃଖର ଅନ୍ତ ନାହିଁ,–ହୁଏତ ଅନ୍ୟ କୌଣସି ଜନ୍ମର କୃତ କୌଣସି ପାପ ସକାଶେ ମଣିଷ ଏହି ସଂସାରରେ ଶାସ୍ତି ପାଇବା ଲାଗି ଆସିଛି । ଯେଉଁ ମନୁଷ୍ୟମାନେ ନାନା ସଂସ୍କାରଗତ କାରଣରୁ ଏକ କୋପୀ ଭଗବାନଙ୍କର କଳ୍ପନା କରି ଆସିଛନ୍ତି ଏବଂ ସେହି ଭଗବାନଙ୍କର କୋପଦୃଷ୍ଟିରେ ପଡ଼ିଲେ ସ୍ୱର୍ଗରୁ ବହିଷ୍କୃତ ହୋଇ ସଂସାରରେ ଜନ୍ମ ଗ୍ରହଣ କରିବାକୁ ହୁଏ ଏବଂ ବିହିତ ଶାସ୍ତିଟିକୁ ଭୋଗିବାକୁ ହୁଏ ବୋଲି ଭାବିଛନ୍ତି, ସମ୍ଭବତଃ ସେହିମାନେ ହିଁ ମୋକ୍ଷ ଉପରେ ବିଶ୍ୱାସ କରିଛନ୍ତି, ଯଥାଶୀଘ୍ର ଏହି ସଂସାରରୁ ତରିଯିବା ପାଇଁ ଆତୁର ହୋଇଛନ୍ତି । ସେମାନଙ୍କର ବୈଦ୍ୟମାନେ ସେମାନଙ୍କୁ ପୁଣ୍ୟ ଅର୍ଜନ କରିବାର ବାଟଟିକୁ ବତାଇ ମଧ୍ୟ ଦେଇଛନ୍ତି-। ପୁଣ୍ୟ ପରୋପକାର ଦ୍ୱାରା ସମ୍ଭବ ବୋଲି କୁହାଯାଇଛି ।

 

ଆମ ପୃଥିବୀରେ ଯେ ଏତେ ଏତେ ଦାରିଦ୍ର୍ୟ ରହିଛି, କେବଳ ଦୟା ଓ ପରୋପକାରର ଅଭାବରୁ କ’ଣ ତାହା ହୋଇଛି କି ? ପୃଥିବୀର ଅଧିକ ସଂଖ୍ୟକ ମଣିଷ ଆଜି ଦାରିଦ୍ର୍ୟ ଭୋଗ କରୁଛନ୍ତି, ଜୀବନର ଏକାନ୍ତ ମୌଳିକ ଆବଶ୍ୟକତାଗୁଡ଼ିକରୁ ବଞ୍ଚିତ ହୋଇ ରହିଛନ୍ତି । ପୃଥିବୀରେ ପ୍ରାୟ ଅଧେ ମଣିଷଙ୍କର ପେଟପାଇଁ ଯଥେଷ୍ଟ ଅନ୍ନ ନାହିଁ, ଦେହକୁ ବସ୍ତ୍ର ନାହିଁ, ନିଜର ବାସଗୃହ ବୋଲି କିଛି ନାହିଁ । ନିଜର ଶ୍ରମ ବିନିମୟରେ ଉପାର୍ଜନକ୍ଷମ ଜୀବିକାଟିଏ ଅବଲମ୍ବନ କରି ପାରିବାକୁ ସେମାନଙ୍କର ରାଷ୍ଟ୍ରମାନେ ସେମାନଙ୍କୁ କାମ ଯୋଗାଇ ପାରୁ ନାହାନ୍ତି । ପୃଥିବୀର ଅଧେ ପିଲା କୌଣସି ସ୍କୁଲକୁ ଯାଉ ନାହାନ୍ତି । ରୋଗୀ ମଣିଷ ପାଇଁ ଔଷଧ ନାହିଁ, ଉପଯୁକ୍ତ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନାହିଁ । ସମାଜରେ ନାନା କିସମର ନାନା ସ୍ତରର ଅସମାନତାମାନ ରହିଛି । ଏସବୁ କ’ଣ ପୃଥିବୀରେ ଦୟାବାନ୍ ମନୁଷ୍ୟମାନେ ଯଥେଷ୍ଟ ସଂଖ୍ୟାରେ ନାହାନ୍ତି ବୋଲି ଘଟୁଛି ? ଏଣେ ବିଜ୍ଞାନ ଘୋଡ଼ା ଚଢ଼ି କୁଆଡ଼େ ମନ କୁଆଡ଼େ ଧାଇଁବାରେ ଲାଗିଛି, ଦିହରେ ଡେଣା ଲଗାଇ ବିଜ୍ଞାନ ଅନ୍ତରୀକ୍ଷ ଭିତରକୁ କେତେ କୁଆଡ଼େ ଉଡ଼ି ଗଲାଣି, କେତେ କୁଆଡ଼େ ହୁଡ଼ି ଗଲାଣି । ଥୋକେ ମଣିଷକୁ ଆବଶ୍ୟକତା ନାଆଁରେ, ନାନା ବିଳାସ ମଧ୍ୟରେ ଲଟରପଟର ହୋଇ ତାହାକୁ ହିଁ ଅସଲ ଜୀବନ ବୋଲି ଅନୁଭବ କରିବା ଲାଗି ଅପାର ସୁଯୋଗ ଛାଡ଼ି ଦିଆଯାଇଛି । ଏଣେ ଅଧିକାଂଶ ମଣିଷ ଭାଗ୍ୟବାଦୀ ହୋଇ ରହିଛନ୍ତି, ତଥାପି ଭାଗ୍ୟ ଫେରୁନାହିଁ ।

 

ଭଲମାନେ, ବଡ଼ମାନେ ଓ ଭାଗ୍ୟବାନ୍‌ମାନେ ପୃଥିବୀରେ ସୁଖରେ ଅଛନ୍ତି, କାରଣ ସେମାନଙ୍କର କାମ ଖଟିବା ନିମନ୍ତେ ସେମାନଙ୍କଠାରୁ ଅଧିକ ସଂଖ୍ୟାରେ ଭାଗ୍ୟହୀନ ଓ ବଞ୍ଚିତ ରହିଛନ୍ତି । ସତେଅବା ଥୋକେ ମଣିଷ ଦେବତାଙ୍କ ପରି ସଂସାରକୁ ଭୋଗ କରିବେ ବୋଲି ପୃଥିବୀରେ କୋଟି କୋଟି ମଣିଷଙ୍କୁ ପୋକ କରି ରଖାଯାଇଛି । ଅସମର୍ଥ ଓ ଅପରର କୃପା ଉପରେ ନିର୍ଭରଶୀଳ ଗଧ କରି ରଖାଯାଇଛି । ଗଣତନ୍ତ୍ରର ପ୍ରାଚୀନତମ ଜନନୀ ବୋଲି କୁହା ଯାଉଥିବା ଅଢ଼େଇ ହଜାର ବର୍ଷ ତଳର ଗ୍ରୀସ୍‌ରେ ନାଗରିକମାନଙ୍କର ସୁଖମୟ ଏବଂ ଜ୍ଞାନମୟ ଜୀବନକୁ ସମ୍ଭବ କରିବା ଲାଗି ପଲ ପଲ କ୍ରୀତଦାସ ରହିଥିଲେ । ଗୋଟିଏ ହିସାବ ଅନୁସାରେ ଜଣେ ନାଗରିକ ମୁକ୍ତ ସ୍ୱାଚ୍ଛନ୍ଦ୍ୟରେ ରହିପାରିବ ବୋଲି ଅନ୍ତତଃ ଚାରିଜଣ କ୍ରୀତଦାସଙ୍କୁ ନିଯୁକ୍ତ ହୋଇ ରହିବାକୁ ପଡ଼ୁଥିଲା । ଗ୍ରୀକ୍ ଭାଷାରେ ସେହି କ୍ରୀତଦାସମାନଙ୍କୁ Andropoda ବା ମନୁଷ୍ୟର ପାଦ ଥିବା ପ୍ରାଣୀ ବୋଲି କୁହାଯାଉଥିଲା । ପ୍ରାଚୀନ ଓ ସବ୍ୟ ରୋମ୍‌ରେ ମଧ୍ୟ ପ୍ରାୟ ସେହିପରି ଏକ ଦୃଷ୍ଟିଦ୍ୱାରା ପ୍ରେରିତ ହୋଇ ସେହି ଦାସମାନଙ୍କୁ Vocal Tools ବା କଥା କହି ପାରୁଥିବା ଆବଶ୍ୟକ ଯନ୍ତ୍ରଟିଏ ବୋଲି ଉପମା ଦିଆ ଯାଉଥିଲା । ସେହି ରୋମ୍‌ ସଭ୍ୟତାର ଅମଳରେ ଇଉରୋପକୁ ଖ୍ରୀଷ୍ଟିଆନ୍ ଧର୍ମ ଆସିଲା । ମାନବପ୍ରେମ ଓ ଭ୍ରାତୃଭାବନା ଉପରେ ପ୍ରତିଷ୍ଠିତ ଖ୍ରୀଷ୍ଟିଆନ୍ ଧର୍ମ ତଥାପି ସମାଜର ଅସମାନତା ଓ କ୍ରୂରତାଗୁଡ଼ିକୁ ବଦଳାଇ ପାରିଲା ନାହିଁ-। ପାଦ୍ରୀମାନେ କେଡ଼େ ଉତ୍ସାହିତ ହୋଇ ବାଇବେଲ୍‌ର ସୁସମାଚାରମାନ କହି ଲୋକମାନଙ୍କୁ ଉଦ୍‌ବୁଦ୍ଧ କରାଇବାରେ ଲାଗିଥିଲେ, ମାତ୍ର ସମାଜ ଯେଉଁଭଳି ଥିଲା, ଠିକ୍ ସେହିଭଳି ରହିଲା-। ସାଆନ୍ତମାନେ ସାଆନ୍ତ ହୋଇ ରହିଲେ, ପରିକରମାନେ ପରିକର ହୋଇ ରହିଲେ, ସେବା ଖଟିଲେ । ବାଧ୍ୟ ଭୃତ୍ୟପ୍ରତି ଜଣେ ସାମନ୍ତ ଅତ୍ୟନ୍ତ ଅନୁକମ୍ପାଶୀଳ ହୋଇ ରହିଥିଲା ସତ, ମାତ୍ର ଭୃତ୍ୟ ଅବାଧ୍ୟ ହେଲେ ତାକୁ ହତ୍ୟା କରି ପାରୁଥିଲା ବା ଆହୁରି ବହୁପ୍ରକାରେ ତାହାକୁ ଉତ୍ପୀଡ଼ିତ କରି ପାରୁଥିଲା । ଜଣେ ଜର୍ମାନ୍ ଇତିହାସକାରଙ୍କ ଭାଷାରେ, “କ୍ରୀତଦାସମାନଙ୍କ ପ୍ରତି ଲାଗୁ ହୋଇ ରହିଥିବା ନିୟମଗୁଡ଼ିକରେ ଖ୍ରୀଷ୍ଟିଆନ୍ ଧର୍ମ କୌଣସି ପରିବର୍ତ୍ତନ ଆଣି ନ ଥିଲା । ...ଖ୍ରୀଷ୍ଟିଆନ୍‌ମାନେ ସ୍ୱର୍ଗକୁ ଆଦର୍ଶରାଜ୍ୟ ବୋଲି ମାନୁଥିଲେ ଓ ପୃଥିବୀକୁ ବର୍ଜନ କରିବାର ସନ୍ଦେଶ ପ୍ରଚାର କରୁଥିଲେ, ମାତ୍ର ଏଣେ ସେହି ପୃଥିବୀ ସହିତ ସାଲିଶ୍‌ କରି ରହୁଥିଲେ ଏବଂ, ପ୍ରଚଳିତ ସମାଜ–ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଘଟାଇବା ସମ୍ଭବ ବୋଲି ସେମାନେ କୌଣସି କଳ୍ପନା କରୁ ନ ଥିଲେ, କଳ୍ପନା କରି ମଧ୍ୟ ପାରୁ ନ ଥିଲେ ।’’ ନୂଆ ସମାଜ ଓ ସମତାକୁ ସ୍ୱୀକାର କରି ଆଉ ଏକ ସମାଜର ପ୍ରତିଷ୍ଠା ହେଲେ ସେମାନଙ୍କର ସ୍ଥିତି ଯେ ସଂପୂର୍ଣ୍ଣ ଭାବରେ ଓଲଟପାଲଟ ହୋଇଯିବ, ସେକଥା ସେମାନେ ଭଲ କରି ଜାଣିଥିଲେ ।

 

କାରଣ, ସେମାନେ ବିଶ୍ୱାସ କରୁଥିଲେ ଯେ ଭଗବାନ୍ ସେମାନଙ୍କୁ ଭାଗ୍ୟବାନ୍ କରି ପୃଥିବୀକୁ ପଠାଇଛନ୍ତି ଏବଂ ଅନ୍ୟ ଭାଗ୍ୟହୀନ ମଣିଷମାନେ ସେହି ଭଗବାନଙ୍କର ନିର୍ଣ୍ଣୟ ଅନୁସାରେ ସେମାନଙ୍କର ସେବା ଖଟିବାଲାଗି ସଂସାରକୁ ଆସିଛନ୍ତି । ଦୟା ଅବଶ୍ୟ ରହୁ, ଦୟାର ଆହୁରି ଅଧିକ ଗୁଣଗାନ ହେଉ; ମାତ୍ର, ସମାଜବ୍ୟବସ୍ଥା ଯେମିତି ଅଛି ସେହିପରି ଥାଉ । ଇଉରୋପୀୟ ମଧ୍ୟ ଯୁଗରେ ଜମିମାଲିକମାନଙ୍କର କୃଷିକାର୍ଯ୍ୟ ମନୁଷ୍ୟର ହାତଦ୍ୱାରା ହେଉଥିଲା । ଗତ ଶତାବ୍ଦୀରେ ଯେତେବେଳେ ସେହି ମହାଦେଶରେ ଫସଲ ଅମଳ କରିବାର ନୂଆ ଯନ୍ତ୍ରଟିଏ ଉଦ୍‌ଭାବିତ ହେଲା, ସେତେବେଳେ କଥିତ ଅଛି ଯେ ଜଣେ ଭୂସ୍ୱାମୀ ସେହି ଯନ୍ତ୍ରଟିକୁ କାହିଁକି ମିଛଟାରେ କିଣିବ ବୋଲି ଏହିପରି ଭାବରେ ଯୁକ୍ତି କରିଥିଲା; “ଯଦି ମେସିନ୍ ଦ୍ୱାରା ଏଡ଼େ ଚଞ୍ଚଳ ଗହମହଳାଗୁଡ଼ାକରୁ ଗହମ ଅଲଗା ହୋଇଯାଇ ପାରିବ, ତେବେ ତ ଶରତଋତୁ ଶେଷ ହେବା ପୂର୍ବରୁ ହିଁ ଅମଳ କାମ ସରିଯିବ । ତେବେ ମୋ’ ମୂଲିଆ ଓ ତା’ର ସ୍ତ୍ରୀ ଶୀତଋତୁରେ ପୁଣି କ’ଣ କରିବେ ? ଫସଲ ଅମଳର ଯନ୍ତ୍ରଟିଏ ଖରିଦ କଲେ ତ ପଇସା ଲାଗିବ, ଯନ୍ତ୍ରଟିକୁ ମଝିରେ ମଝିରେ ମରାମତି କରିବାକୁ ପଡ଼ିବ, ଏବଂ ତାହାକୁ ଟାଣିବାଲାଗି ଘୋଡ଼ା ବି ଦରକାର ହେବେ । ମାତ୍ର ମୂଲିଆ ଦ୍ୱାରା ତ ଏହି ସବୁକିଛି କାମ ବର୍ତ୍ତମାନ ମାଗଣାରେ ହୋଇ ଯାଉଛି ।’’ ୧୮୪୮ ମସିହାରେ ଇଂଲଣ୍ଡରେ ଗୋଟିଏ ସମ୍ବାଦପତ୍ର କେଡ଼େ ବୁଝାଇ କହିଲା ପରି ଲେଖିଥିଲା; “ଦୁଃଖଭୋଗ ଏବଂ ଦୁର୍ଭାଗ୍ୟ ହେଉଛି ପ୍ରକୃତିର ବରାଦ, ପ୍ରକୃତିର ଇଙ୍ଗିତ ଅଥବା ଶାସ୍ତିବିଧାନ । ସେଗୁଡ଼ିକର ନିରାକରଣ ଆଦୌ ସମ୍ଭବ ହେବନାହିଁ । ସେସବୁକୁ ପୃଥିବୀରୁ ଦୂର କରିବା ନିମନ୍ତେ ଆଇନ୍ ଦ୍ୱାରା ଅତ୍ୟନ୍ତ ଅଧୀର ଭାବରେ ଯେଉଁସବୁ ଚେଷ୍ଟା କରାଯାଉଛି, ତଦ୍ଦ୍ୱାରା ଭଲ ଅପେକ୍ଷା ଅଧିକ ପରିମାଣରେ ମନ୍ଦ ହିଁ ହୋଇଛି ।’’

 

ସେତେବେଳେ ସେହି ଦେଶରେ ଦୟାଳୁ ଓ ପୁଣ୍ୟବାନ୍ ଲୋକ କଦାପି କମ୍ ନ ଥିବେ । ସେମାନେ ଦୟା କରିବାକୁ ହିଁ ହୁଏତ ସବୁଠାରୁ ବଡ଼ ଉଦାର ହୃଦୟତା ବୋଲି ମନେ କରୁଥିବେ । ତଥାପି ମଣିଷ ପ୍ରତି ପ୍ରଦର୍ଶିତ ହେଉଥିବା ଦୟା ଅପେକ୍ଷା ଇତର ପ୍ରାଣୀମାନଙ୍କ ପ୍ରତି ପ୍ରଦର୍ଶିତ ଦୟାକୁ ହିଁ ଉତ୍ତମ ଓ ଉଚ୍ଚସ୍ଥ ଲୋକମାନେ ଅଧିକ ନିରାପଦ ବୋଲି ଭାବୁଥିଲେ । ସମ୍ଭବତଃ ଗୋଟିଏ ଉଦାହରଣରୁ ତାହାର କିଞ୍ଚିତ୍‌ ସୂଚନା ମିଳିଯିବ । ୧୮୨୪ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରେ ଇତର ଜୀବମାନଙ୍କ ପ୍ରତି ନୃଶଂସତା ପ୍ରଦର୍ଶନ ବନ୍ଦ କରିବା ଲାଗି ଏକ royal society ପ୍ରତିଷ୍ଠିତ ହୋଇଥିଲା । ମାତ୍ର, ମନୁଷ୍ୟ–ଶିଶୁମାନଙ୍କ ପ୍ରତି ନୃଶଂସତା ପ୍ରଦର୍ଶନ ବନ୍ଦ କରିବା ନିମନ୍ତେ ତଦନୁରୂପ ସଂସ୍ଥାଟିଏ ଗଢ଼ିବାକୁ ତା’ପରେ ଆହୁରି ଷାଠିଏ ବର୍ଷ ଲାଗିଗଲା । ଇତର ଜୀବଙ୍କ ପ୍ରତି ଆନୁଷ୍ଠାନିକ ଭାବରେ ଅନୁକମ୍ପା ଦେଖାଇବା ସକାଶେ ସେତେବେଳେ ଇଂଲଣ୍ଡରେ କେତେ ଦୟାଳୁ ବ୍ୟକ୍ତି ବାହାରି ପଡ଼ିଥିବେ ଏବଂ ଗୋଟାଏ କେଡ଼େବଡ଼େ ପୁଣ୍ୟକାର୍ଯ୍ୟ କରିବାକୁ ଯାଉଥିବା ପରି ଅବଶ୍ୟ ଅନୁଭବ କରିଥିବେ । ଏଠାରେ ପ୍ରସଙ୍ଗକ୍ରମେ କୁହାଯାଇ ପାରେ ଯେ, ଇତର ଜୀବମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବାର ସଂସ୍ଥାଟି ଏବେ ଆନ୍ତର୍ଜାତିକ ସଂସ୍ଥାରେ ପରିଣତ ହେଲାଣି । ଭାରତବର୍ଷରେ ତାହାର ଏକ ଜାତୀୟ ଶାଖା ମଧ୍ୟ ରହିଛି । ମାତ୍ର, ଶିଶୁମାନଙ୍କର, ଶିଶୁମାତ୍ରକେ ସମସ୍ତଙ୍କର ସୁରକ୍ଷା ଏବଂ ସୁପରିପାଳନ ଲାଗି ସ୍ୱର ଉତ୍ତୋଳନ କରିବା ଲାଗି ଆମ ଦେଶରେ ଅନୁରୂପ ଶ୍ରଦ୍ଧାଳୁ ବ୍ୟକ୍ତିଙ୍କର ଏବେ ମଧ୍ୟ ଅଭାବ ରହିଛି ।

 

ମନୁଷ୍ୟର ଜୀବନରେ ଗୋଟିଏ ହେଉଛି ପ୍ରୟୋଜନର ସଂସାର, ଅତ୍ୟାବଶ୍ୟକତାଗୁଡ଼ିକୁ ପରିପୂରଣ କରିବାର ସଂସାର, ଆଉ ଗୋଟିଏ ହେଉଛି ଆପଣା ଭିତରେ ନିହିତ ହୋଇ ରହିଥିବା ସମ୍ଭାବନାଗୁଡ଼ିକୁ ଠାବ କରି ମୁକ୍ତ ଓ ପ୍ରତିବନ୍ଧକହୀନ ଭାବରେ ସେଗୁଡ଼ିକୁ ବିକଶିତ କରାଇ ଆଣିବାର ସଂସାର । ଯେଉଁଠି ସର୍ବନିମ୍ନ ପ୍ରୟୋଜନଗୁଡ଼ିକୁ ଦୂର କରାଯାଇନଥାଏ, ସେଠାରେ ସମ୍ଭାବନାଗୁଡ଼ିକ ବିକଶିତ ହେବାର କୌଣସି ପ୍ରଶ୍ନ ହିଁ ନଥାଏ । ତେଣୁ ପ୍ରୟୋଜନଗୁଡ଼ିକର, ଅତ୍ୟାବଶ୍ୟକତାଗୁଡ଼ିକର ପରିପୂରଣ, ମନୁଷ୍ୟଜୀବନର ଯାବତୀୟ ବିମୋଚନ ଓ ଉନ୍ମୋଚନ କ୍ଷେତ୍ରରେ ତାହାହିଁ ସର୍ବପ୍ରଥମେ ସମ୍ଭବ ହୋଇପାରିବା ଉଚିତ୍ । ତା’ ନହେଲେ ପୃଥିବୀରେ ଏମିତି ସାମ୍ୟ, ମୈତ୍ରୀ ଏବଂ ସ୍ୱାଧୀନତା ବିଷୟରେ ଧର୍ମପୁସ୍ତକମାନ ଲେଖା ହେଉଥିବ, ଦୟାବାନ୍‌ମାନେ ଦୁର୍ଗତ ମନୁଷ୍ୟ ପ୍ରତି ଦୟା ପ୍ରଦର୍ଶନ କରି ପୁଣ୍ୟ ଉପାର୍ଜନ କରୁଥିବେ, ତଥାପି ମଣିଷମାନେ ତିମିର ଭିତରେ ବୁଡ଼ି ରହିଥିବେ । ମନୁଷ୍ୟ ନିଜେ ନିଜ ଭାଗ୍ୟର ନିର୍ଦ୍ଧାରଣ କରିବ, ନିଜ ଭିତରେ ସମ୍ଭାବନା ରୂପେ ରହିଥିବା ଗୁଣ ଓ ସାମର୍ଥ୍ୟଗୁଡ଼ିକର ସର୍ବୋତ୍ତମ ବିକାଶ କରାଇ ସେ ସର୍ବୋତ୍ତମ ଭାବରେ ପୃଥିବୀର କାମରେ ଲାଗିପାରିବ, କେହି ବଂଚିତ ହୋଇ ରହିବେ ନାହିଁ ଅଥବା କେହି କାହାରିକୁ ବଂଚିତ କରି ରଖିବେ ନାହିଁ, ସେହି ସ୍ଥିତି ପୃଥିବୀରେ କେବେ ସମ୍ଭବ ହୋଇନାହିଁ, ଏବେ ମଧ୍ୟ ସମ୍ଭବ ହୋଇନାହିଁ । ପୃଥିବୀର ଧନାଢ଼୍ୟତମ ଦେଶ ଆମେରିକାରେ ମଧ୍ୟ ଅସମାନତା ରହିଛି, ଦୂରତା ରହିଛି, ଉଦାସୀନତା ଓ ଅବଜ୍ଞା ରହିଛି । ଯାବତୀୟ ଦୟା ଓ ଦାକ୍ଷିଣ୍ୟ ସତ୍ତ୍ୱେ ସମାଜର ବ୍ୟବସ୍ଥା ସବୁ ମଣିଷକୁ ବିଚାରକୁ ଆଣିନାହିଁ । ଗୋଟିଏ ତୁଳନାତ୍ମକ ହିସାବରୁ ଜଣାପଡ଼ୁଛି ଯେ, ୧୮୧୦ ଖ୍ରୀଷ୍ଟାବ୍ଦରେ ସେହି ଦେଶରେ ତଥ୍ୟଗଣନା ଆରମ୍ଭ ହେଉଥିବା ସମୟରେ ଶତକଡ଼ା ମାତ୍ର ଗୋଟିଏ ପରିବାର ଦେଶର ଶତକଡ଼ା ଏକୋଇଶି ଭାଗ ସମ୍ପତ୍ତିର ମାଲିକ ଥିଲେ । ଏବଂ ବର୍ତ୍ତମାନ ତାହାର ପ୍ରାୟ ଦୁଇଶହ ବର୍ଷପରେ ମଧ୍ୟ ପ୍ରାୟ ସେହି ସ୍ଥିତି ବଳବତ୍ତର ରହିଛି । ବର୍ତ୍ତମାନ ବହୁ ବୈଜ୍ଞାନିକ ବିଚକ୍ଷଣତାର ଏହି ଶତାବ୍ଦୀର ଶେଷ ଭାଗରେ ମଧ୍ୟ ଆମେରିକାରେ ଶତକଡ଼ା ମାତ୍ର ଦୁଇଟି ପରିବାର ଦେଶର ଶତକଡ଼ା ୩୫ ଭାଗ ସମ୍ପତ୍ତିର ଅଧିକାରୀ ହୋଇ ରହିଛନ୍ତି । ଏମାନଙ୍କୁ ଆମେ ଧନିକଶ୍ରେଣୀ ବୋଲି କହିବା, ତଥାକଥିତ ମଧ୍ୟଶ୍ରେଣୀ ହାତରେ ଶତକଡ଼ା ଆଉ ୩୫ ଭାଗ ରହିଛି । ସେହି ଦେଶରେ ମାତ୍ର ଶତକଡ଼ା ଗୋଟିଏ ଭାଗ ମୋଟ ବ୍ୟକ୍ତିଗତ ଅର୍ଥ ସମ୍ପଦର ଶତକଡ଼ା ୨୫ ଭାଗର ମାଲିକ ହୋଇ ରହିଛନ୍ତି, ନିମ୍ନରେ ଥିବା ଶତକଡ଼ା ୫୦ ଭାଗ ଲୋକଙ୍କର ତୁଳନାରେ ଏମାନେ ଆଠଗୁଣ ଅଧିକ ସମ୍ପତ୍ତି ଭୋଗ କରୁଛନ୍ତି ।

 

ସମ୍ଭବତଃ ପୃଥିବୀର ଅଧିକାଂଶ ଦେଶରେ ପ୍ରାୟ ସେହି ଅବସ୍ଥା ବଳବତ୍ତର ରହିଛି । ଏବଂ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭଗବାନ୍ ନିଜ ବରାଦରେ ଏହିପରି ଏକ ଦୂରବସ୍ଥାକୁ ମଣିଷମାନଙ୍କ ଉପରେ କଦାପି ଜାରି କରି ରଖି ନାହାନ୍ତି । ମଣିଷ ନିଜେ ଏହିପରି ଏକ ଅବସ୍ଥାକୁ ସମ୍ଭବ କରିଛି । ଆହୁରି ଅଧିକ ସ୍ପଷ୍ଟଭାବେ କହିଲେ, କେତେକ ମଣିଷ ବା କେତୋଟି ଶ୍ରେଣୀ ନିଜେ ଆପଣାର ମନମୁତାବକ ଜ୍ୟେଷ୍ଠଭାବଗୁଡ଼ିକୁ ଭୁଞ୍ଜିବେ ବୋଲି ସମାଜରେ ଅନ୍ୟ ଅନେକଙ୍କୁ ସେମାନଙ୍କର ଅତ୍ୟାବଶ୍ୟକତାଗୁଡ଼ିକରୁ ବଞ୍ଚିତ କରି ରଖିଛନ୍ତି । ଦେଶର ଶାସନକୁ ଓ ପାରମ୍ପରିକ ଧର୍ମକୁ ସେମାନେ ସେହି ଅନୁସାରେ ବ୍ୟବହାର କରି ଆସିଛନ୍ତି । ଧର୍ମଶାସ୍ତ୍ର ଯୁଗେ ଯୁଗେ ସେହି ବରାଦ ଅନୁସାରେ ଲେଖାଯାଇଛି । ସେହି ଦୁର୍ବୁଦ୍ଧିରୁ କର୍ମବାଦ ଏବଂ ଭାଗ୍ୟବାଦ ନାମକ ଖଳଦର୍ଶନ ଓ କ୍ରୂର ଦର୍ଶନଗୁଡ଼ିକ ନିଷ୍ପନ୍ନ ହୋଇଛି । ମନୁଷ୍ୟମାତ୍ରକେ ସମସ୍ତଙ୍କ ମଧ୍ୟରେ ଏକ ଆତ୍ମା ରହିଛି ବୋଲି ଗୋଟିଏ ପାଖରେ ଘୋଷଣା କରାଯାଇଛି ସତ, ମାତ୍ର ଚତୁର ସମାଜଭୋଗୀମାନେ ଆପଣାର ବରାଦ ଅନୁସାରେ ଆମ ସମାଜରୁ ସତେଅବା ଯାବତୀୟ ଆତ୍ମୀୟତାକୁ ଜୁର କରି ନେଇଛନ୍ତି । ଦୟାନାମକ ଏକ ଅନ୍ୟ ଧର୍ମର ପ୍ରଚାର କରାଯାଇଛି । ଅଧର୍ମ ଉପରେ ପ୍ରତିଷ୍ଠିତ ଏକ ସମାଜବ୍ୟବସ୍ଥାର ସଫଳ ପ୍ରବୀଣମାନେ ଦୟାଦ୍ୱାରା ତଳେ ଥିବା ଅକିଞ୍ଚନ ମନୁଷ୍ୟମାନଙ୍କର ସକଳ ଦୁଃଖକୁ ଦୂର କରାଯାଇ ପାରିବ ବୋଲି ଯୁଗେ ଯୁଗେ ମଣିଷମାନଙ୍କ ମନରେ ଏକ ପ୍ରତ୍ୟୟ ଦେବାକୁ ଚେଷ୍ଟା କରି ଆସିଛନ୍ତି । ହୁଏତ ସେହି କାରଣରୁ, ଏକାଧିକ ଦେଶର ଶାସନରେ ଗଣତନ୍ତ୍ରକୁ ହିଁ ଛାଞ୍ଚ ବୋଲି ମାନି ନିଆ ଯାଇଥିଲେ ମଧ୍ୟ ଆର୍ଥିକ ସୁଯୋଗଗୁଡ଼ିକର କ୍ଷେତ୍ରରେ ବହୁ ଅସମାନତା ଓ ଅନ୍ୟାୟ ମଣିଷମାନଙ୍କୁ ଅସମର୍ଥ କରି ରଖିଛି ।

 

ସେହି ଫିକରବାଟେ ମନୁଷ୍ୟର ସଂସ୍କୃତିରେ ମଧ୍ୟ କେତେ କପଟାଚାର ଆସି ପଶିଯାଇଛି । ଧନୀ ଧନୀ ହୋଇ ରହିଛି, ତଥାପି ଦରିଦ୍ରମାନଙ୍କ ଲାଗି ତାର ପ୍ରାଣ କାନ୍ଦିଛି ଓ କେତେପ୍ରକାରେ ଭାବପ୍ରବଣ ହେବାକୁ ଭଲ ପାଇଛି । ତେଣେ, ଯେଉଁ ଅବ୍ୟବସ୍ଥା କେତେଜଣଙ୍କୁ ସର୍ବସମର୍ଥ ଏବଂ ତାହାର ଅନେକଗୁଣ ଅଧିକ ମନୁଷ୍ୟମାନଙ୍କୁ ସଦା–ଅସମର୍ଥ କରି ରଖିଛି, ସେଥିରେ ହାତ ଦେବାକୁ କେହି ପ୍ରୟାସ କରିନାହିଁ । ସହରବାସୀ ତଥାକଥିତ ଗ୍ରାମାଞ୍ଚଳର ସରଳତା ଓ ପ୍ରାକୃତିକତା ଦ୍ୱାରା ମୁଗ୍ଧ ହୋଇ କେତେ କ’ଣ ଲେଖିଛି; ରୋମୀୟ ସହରସଭ୍ୟତାର କବି ଭର୍ଜିଲ୍ ସାମନ୍ତମାନଙ୍କର ଚିତ୍ତବିନୋଦନ ଲାଗି ଗ୍ରାମ୍ୟ ଜୀବନର ପ୍ରଶସ୍ତି ଗାନ କରୁଥିବା କେତେ କବିତା ଲେଖି ଶୁଣାଇଛନ୍ତି । ଅଶିକ୍ଷିତ ଦରିଦ୍ରମାନଙ୍କର ଚିତ୍ତ ଯେ ସହରଜୀବନର ସକଳ ଦୂଷିତତାରୁ କିପରି ମୁକ୍ତ ହୋଇ ରହିଛି, ଫରାସୀ ଦାର୍ଶନିକ ରୁଷୋ କେତେ କଲ୍ଲୋଳିତ ଭାବରେ ସେସବୁର ବର୍ଣ୍ଣନା କରି ପାରିସ୍ ସହରର ସମ୍ଭ୍ରାନ୍ତ ସଭାମାନଙ୍କରେ ବୟାନ କରିଛନ୍ତି । ଏବେ ଆମ ନୃତତ୍ତ୍ୱବିତ୍‌ମାନେ ପ୍ରାୟ ସେହି ଭୂମିକାଟିର ହିଁ ପୁନରାବୃତ୍ତି କରୁଛନ୍ତି । ଆଧୁନିକ ଜୀବନର ସମୃଦ୍ଧି ଏବଂ ସଂସ୍କୃତିରୁ ଯେଉଁମାନଙ୍କୁ ଜାଣିଶୁଣି ବଂଚିତ କରି ରଖାଯାଇଛି, ସେମାନଙ୍କ ବିଷୟରେ ଘୋର ଗବେଷଣାଲବ୍ଧ ତଥ୍ୟାବଳୀକୁ ଆଣି ସେମାନେ ବିଶ୍ୱବିଦ୍ୟାଳୟର ଶିକ୍ଷାକକ୍ଷମାନଙ୍କରେ କେତେ ପ୍ରଶଂସା ପାଉଛନ୍ତି, ମାତ୍ର ସ୍ୱୟଂ ଜଣେ ଆଦିବାସୀର ଜୀବନକୁ ବରଣ କରିନେବାକୁ କଦାପି ରାଜି ହେଉନାହାନ୍ତି । ଆପଣାର ପ୍ରଖର ମେଧାଗୁଡ଼ିକୁ ଖଟାଇ ଦୁର୍ଗତ ମନୁଷ୍ୟର ଜୀବନକୁ ଅଧ୍ୟୟନ କରିବାର କେତେ କେତେ ଶାଣିତ ପଦ୍ଧତିମାନ ବାହାରିବାରେ ଲାଗିଛି, ମାତ୍ର ଦୁର୍ଗତର ଦୁର୍ଗତି ଦୂର ହେଉନାହିଁ । ପ୍ରକୃତିର କବି ଗ୍ରାମାଞ୍ଚଳର ସୁନ୍ଦର ପ୍ରକୃତି ବିଷୟରେ, ହ୍ରଦଟିଏ, ଅରଣ୍ୟଟିଏ, ସମୁଦ୍ର ବେଳାଟିଏ ଅଥବା ପଲ୍ଲୀଗ୍ରାମଟିଏ ବିଷୟରେ କେତେ ଉପମା ଓ ଅଳଙ୍କାର ଦ୍ୱାରା ମଣ୍ଡିତ ହୋଇଥିବା କବିତାମାନ ଲେଖୁଛି, ଜଣେ ଶିଳ୍ପୀ ବିବିଧ ରଙ୍ଗମଣ୍ଡନରେ ସେଗୁଡ଼ିକର ଛବି ଆଙ୍କିଦେଉଛି ଏବଂ ମହାନଗରୀର ମହଜନମାନଙ୍କଠାରୁ ସେଥିଲାଗି କେତେ ପ୍ରଶଂସା ଲାଭ କରୁଛି-

 

ଆମ ଦେଶରେ ଏ ଯୁଗରେ ଅନେକ ଲୋକ ଯେପରି ଭାବୁଥିବେ, ସବୁ ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ଦେବାର କ୍ଷେତ୍ରରେ ଇଉରୋପରେ ଦେଢ଼ଶହ ବା ଦୁଇଶହ ବର୍ଷ ତଳେ ସମାଜର ଉତ୍ତମମାନେ ପ୍ରାୟ ସେହିପରି ଭାବୁଥିଲେ । ଊନ୍ନବିଂଶ ଶତାବ୍ଦୀର ଆରମ୍ଭରେ ଇଂଲଣ୍ଡର କେତେକ ଧର୍ମପ୍ରାଣ ସମାଜସଂସ୍କାରକ ଯେତେବେଳେ ମୁଖ୍ୟତଃ ଦରିଦ୍ରଘରର ପିଲାମାନଙ୍କୁ କିଞ୍ଚିତ୍‌ ପାଠ ପଢ଼ାଇବାର ଅଭିପ୍ରାୟରେ ରବିବାର–ସ୍କୁଲଗୁଡ଼ିକର ପ୍ରତିଷ୍ଠା କଲେ, ସେତେବେଳେ ସମ୍ଭ୍ରାନ୍ତ ବ୍ୟକ୍ତିମାନେ କମ୍ ବିରୋଧ କରିନଥିଲେ । ଉଚ୍ଚଘରର ପିଲାମାନେ ସପ୍ତାହ ତମାମ ଯେତେବେଳେ ସ୍କୁଲମାନଙ୍କରେ ପାଠ ପଢ଼ି ଯାଉଥିଲେ, ସେତେବେଳେ ଦରିଦ୍ରଘରର ପିଲାମାନେ କର୍ମକଷଣ ସହି କାମ କରୁଥିଲେ ଓ ନିଜ ପରିବାରର ଉପାର୍ଜନକ୍ଷମତା ବଢ଼ାଇବାରେ କିଞ୍ଚିତ୍‌ ସାହାଯ୍ୟ କରୁଥିଲେ । ତେଣୁ ରବିବାର ବ୍ୟତୀତ ସେମାନଙ୍କୁ ପାଠ ପଢ଼ାଇବା ଲାଗି ଏକାଠି କରିବା ଆଦୌ ସମ୍ଭବପର ନଥିଲା । ଏବଂ, ତାହାର ତୀବ୍ର ବିରୋଧ ହୋଇଥିଲା । ଗୋଟିଏ ଗୋଟିଏ ଅଞ୍ଚଳର ଶାସକ ମାଜିଷ୍ଟ୍ରେଟ୍‌ମାନେ ସେହି ରବିବାରିଆ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକୁ ଖୋଲିବା ନିଷିଦ୍ଧ ହେଉ ବୋଲି ଇଚ୍ଛା କରୁଥିଲେ । ସେହି ସମୟରେ ଜଣେ ଭୂସ୍ଵାମୀ ଏପରି କହିଥିବାର ଲିପିବଦ୍ଧ ହୋଇ ରହିଛି ଯେ, ଯେଉଁମାନେ ଜମିରେ ଭୃତ୍ୟର କାର୍ଯ୍ୟ କରୁଛନ୍ତି, ସେମାନେ ନିରକ୍ଷର ଓ ମୂର୍ଖ ହୋଇ ରହିବେ ବୋଲି ଈଶ୍ଵରଙ୍କ ତରଫରୁ ଆଗରୁ ବରାଦ ହୋଇ ରହିଛି । ତେଣୁ ସ୍ଵୟଂ ପରମେଶ୍ଵରଙ୍କର ଇଚ୍ଛାକୁ ଅମାନ୍ୟ କରିବାକୁ ସେ ଅତ୍ୟନ୍ତ ଲଜ୍ଜାକର ବିଷୟ ବୋଲି ବିଚାର କରୁଥିଲେ । ଦେଶର ପିଲାମାତ୍ରକେ ସମସ୍ତେ ପାଠ ପଢ଼ନ୍ତୁ ବୋଲି ଯେତେବେଳେ ବ୍ରିଟିଶ୍ ପାର୍ଲିଆମେଣ୍ଟରେ ଏକ ପ୍ରସ୍ତାବ ଆଲୋଚନା ପାଇଁ ଆସିଥିଲା, ସେତେବେଳେ ଯାହା ଅଛି ତାହାହିଁ ଠିକ୍ ବୋଲି ବିଶ୍ଵାସ କରୁଥିବା ଭଲଲୋକମାନେ ସେହି ପ୍ରସ୍ତାବର ବିରୋଧ କରିଥିଲେ । ଦରିଦ୍ର ଘରର ପିଲାମାନେ ପାଠ ପଢ଼ିବାକୁ ଇସ୍କୁଲ ଗଲେ ଆମ ଘରମାନଙ୍କରେ ଚାକରକାମ କରିବ କିଏ, ଆମ ପିଲାମାନଙ୍କୁ ଧରିବ କିଏ, ଏତେ ଅଳ୍ପ ମଜୁରିରେ ଆମକୁ ଆଉ ମୂଲିଆ କୋଉଠୁ ମିଳିବେ, ସେତେବେଳେ ଅନେକ ସମ୍ଭ୍ରାନ୍ତ ମଣିଷ ଏହିଭଳି ଆପତ୍ତିମାନ ଉଠାଇଥିଲେ ।

 

ଏଠାରେ ଉନବିଂଶ ଶତାବ୍ଦୀର ଆରମ୍ଭ ବେଳର ଇଂଲଣ୍ଡର କ୍ଲାଫମ୍ ସମ୍ପ୍ରଦାୟ (clapham sect)ର ଲୋକହିତୈଷୀ ନାନା କାର୍ଯ୍ୟକ୍ରମକୁ ଏଠାରେ ଆଉଗୋଟିଏ ଦୃଷ୍ଟାନ୍ତ ରୂପେ ଗ୍ରହଣ କରାଯାଇ ପାରେ । ଏହି ସମ୍ପ୍ରଦାୟ ସେତେବେଳେ ଲୋକମୁଖରେ saints ବା ସନ୍ଥଗୋଷ୍ଠୀ ନାମରେ ପରିଚିତ ଥିଲେ । ଏମାନଙ୍କ ଭିତରୁ ଜଣେ କେହି ସନ୍ଥ ନଥିଲେ । ଇଂଲଣ୍ଡରେ ନାନା ସମାଜିକ ସଂସ୍କାରର ଇତିହାସ ସହିତ ସଂପୃକ୍ତ ଶ୍ରୀଯୁକ୍ତ ଉଇଲିଅମ୍ ଉଇଲବର୍ ଫୋର୍ସ ଏହି ସମ୍ପ୍ରଦାୟରେ ପ୍ରମୁଖତମ ବ୍ୟକ୍ତି ଥିଲେ । ଗତ ଶତାବ୍ଦୀରେ ଭାରତବର୍ଷରେ ଇଂରାଜୀ ଶିକ୍ଷା ପ୍ରବର୍ତ୍ତନ ବିଷୟରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀକୁ ଆପଣାର ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଦେଇଥିବା ମ୍ୟାକଲେ ସାହେବଙ୍କର ବାପା ଶ୍ରୀ ଜାକାରି ମ୍ୟାକଲେ ସେହି ସଂପ୍ରଦାୟର ଜଣେ ଅନ୍ୟତମ ସଦସ୍ୟ ଥିଲେ । ଏହି ସମ୍ପ୍ରଦାୟର ଏକାଧିକ ସଦସ୍ୟ ତତ୍କାଳୀନ ପାର୍ଲିଆମେଣ୍ଟରେ ମଧ୍ୟ ସଦସ୍ୟ ଥିଲେ । ଆଫ୍ରିକାର କ୍ରୀତଦାସମାନଙ୍କୁ ନାନା ହୀନ କୌଶଳ ଓ ଉପାୟଦ୍ଵାରା ଧରିନେଇ ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜରେ ଗୋରା ମହାମାଲିକମାନଙ୍କୁ ବିକ୍ରୀ କରିବାରେ ଯେଉଁ ବୀଭତ୍ସ ବେପାର ସେତେବେଳେ ଚାଲିଥିଲା, ଇଂଲଣ୍ଡକୁ ସେଥିରେ ଓହରାଇ ଆଣିବାଲାଗି ମୂଖ୍ୟତଃ ଏହି ସମ୍ପ୍ରଦାୟର ବହୁମୂଖୀ ଉଦ୍ୟମ ଫଳରେ ପାର୍ଲିଆମେଣ୍ଟରେ ଆଇନ୍ ପାସ୍ ହୋଇଥିଲା । ଭାରତବର୍ଷରେ ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାର କରିବାଲାଗି ମିସନାରିମାନଙ୍କୁ ଅନୁମତି ଦେବା ନିମନ୍ତେ ଏଇମାନେ ହିଁ ଇଂରେଜ ସରକାରଙ୍କୁ ପ୍ରବର୍ତ୍ତାଇ ପାରିଥିଲେ । ଏହି ସମ୍ପ୍ରଦାୟ ବନ୍ଦୀଶାଳାର ବନ୍ଦୀମାନଙ୍କ ପ୍ରତି ମନୁଷ୍ୟୋଚିତ ବ୍ୟବହାର କରାଯିବାର ସପକ୍ଷରେ ତତ୍କାଳୀନ ଜନମତକୁ ଜାଗୃତ କରିଥିଲେ । ଦରିଦ୍ର ମନୁଷ୍ୟ, ଅତ୍ୟାଚାରିତ ମନୁଷ୍ୟ, ତଥା ଅନ୍ୟାୟର ପରିଣାମରେ ଦୁଃଖ ଭୋଗ କରୁଥିବା ମନୁଷ୍ୟମାନଙ୍କ ପ୍ରତି ଏହି ସମ୍ପ୍ରଦାୟର ଅଜସ୍ର ଅନୁକମ୍ପା ରହିଥିଲା ଏବଂ ଏହି ସ୍ଥିତିରେ ଏକ ପରିବର୍ତ୍ତନ ଆଣିବା ଦିଗରେ ତାହାର ସଦସ୍ୟମାନେ ଆପେ ଅନେକ ବାଧାର ସମ୍ମୁଖୀନ ହୋଇ ମଧ୍ୟ ଦେଶରେ ଏକ ଅନୁକୂଳ ଜନମତ କ୍ରମେ ସମ୍ଭବ କରି ଆଣିଥିଲେ । ତତ୍କାଳୀନ ସମାଜରେ ଜଣେ ଜଣେ ଉଚ୍ଚପ୍ରତିଷ୍ଠିତ ବ୍ୟକ୍ତି ହୋଇଥିଲେ ମଧ୍ୟ ସେମାନେ ନିଜର ବ୍ୟକ୍ତିଗତ ଜୀବନରେ ଅତ୍ୟନ୍ତ ସରଳ ଓ ବିଳାସଶୂନ୍ୟ ଭାବରେ ଚଳୁଥିଲେ, ଚରିତ୍ରର କ୍ଷେତ୍ରରେ ଅତ୍ୟନ୍ତ ସାଧୁ ତଥା ଆଦର୍ଶବାନ୍ ଥିଲେ । ନିଜେ ସେମାନେ ବିବିଧ ଲୋକହିତକର କାର୍ଯ୍ୟରେ ପ୍ରାୟ ମୁକ୍ତହସ୍ତ ହୋଇ ଦାନ କରୁଥିଲେ । ତଥାପି ସମାଜବ୍ୟବସ୍ଥା ଯେଉଁଭଳି ଅଛି ସେହିପରି ରହୁ ବୋଲି ଏଣେ ନିଷ୍ଠାପର ଭାବରେ ଇଚ୍ଛା କରୁଥିଲେ । ବ୍ୟବସ୍ଥା ବଦଳିଲେ ମଣିଷମାନଙ୍କର ଭାଗ୍ୟରେ ପରିବର୍ତ୍ତନ ଆସିବାପାଇଁ ଏକ ଅନୁକୂଳ ଯଥାର୍ଥ ପରିବେଶର ସୃଷ୍ଟି ହେବ ବୋଲି ସେମାନେ ବିଶ୍ଵାସ କରୁନଥିଲେ ।

 

ତାହା ହେଉଛି ଫରାସୀ ବିପ୍ଳବର ଠିକ୍ ପରବର୍ତ୍ତୀ ସମୟର କଥା । ଫରାସୀ ବିପ୍ଳବଫ୍ରାନସ ଦେଶରେ କେତେ ପାରମ୍ପାରିକ ଅସମ୍ଭବକୁ ସମ୍ଭବ କରି ଦେଇଥିଲା ଓ ପ୍ରାୟ ଦଶଦିନ ମଧ୍ୟରେ ସତେଅବା କେତେ କ’ଣ ପରିବର୍ତ୍ତନ ଘଟାଇଥିଲା । ମାତ୍ର, ଇଉରୋପର ଅନ୍ୟାନ୍ୟ ଦେଶରେ ବିଶେଷତଃ ଉଚ୍ଚବର୍ଗ ମଧ୍ୟରେ ତାହା ଆତଙ୍କ ଖେଳାଇ ଦେଇଥିଲା । ଯାହା ଫ୍ରାନସରେ ଘଟିଲା, ତାହା ନିଶ୍ଚୟ ଅନ୍ୟ ଦେଶଗୁଡ଼ିକୁ ସଂକ୍ରାମିତ ହୋଇଯିବ ଓ ତେଣୁ ପ୍ରତିଷ୍ଠିତ ବ୍ୟବସ୍ଥା ହୁଏତ ଓଲଟିଯିବ ଓ ପରିଣାମରେ ସେମାନଙ୍କର ଅବସ୍ଥା ପ୍ରକୃତରେ କ’ଣ ହେବ ବୋଲି ସେମାନେ ତ୍ରସ୍ତ ହୋଇ ପଡ଼ୁଥିଲେ । ଇଂଲଣ୍ଡରେ ଭୟଜୀବମାନେ ଭାବୁଥିଲେ ଯେ ଇଂଲିଶ୍ ପ୍ରଣାଳୀ ଅତିକ୍ରମ କରି ବିପ୍ଳବଟା ଯଦି ଏପାଖରେ ଆସି ପହଞ୍ଚିଯିବ, ତେବେ ସଭ୍ୟତା ବା ସଂସ୍କୃତି କିମ୍ବା ପରମ୍ପରା ବୋଲି ଆଉ କିଛି ରହିବ ନାହିଁ ଓ ଚତୁର୍ଦ୍ଦିଗରେ ବର୍ବରତା ଘୋଟିଯିବ । ବର୍ବରମାନେ ରଜା ହେବେ । ଧର୍ମପାଣ କ୍ଲାଫାମ୍ ସମ୍ପ୍ରଦାୟଟି ମଧ୍ୟ ସେହି ଆଶଙ୍କା କରୁଥିଲା । ତେଣୁ, ଦରିଦ୍ରମାନଙ୍କ ପ୍ରତି ସର୍ବବିଧ ଓ ପୂର୍ଣ୍ଣନିଷ୍ଠ ସହାନୁଭୂତି ରହିଥିଲେ ମଧ୍ୟ ଦରିଦ୍ରମାନେ ନିଜେ ନିଜର ବିମୋଚନ ନିମନ୍ତେ ସଙ୍ଘବଦ୍ଧ ହେଲେ ଓ ବିପ୍ଳବ ଆରମ୍ଭ କରିଦେଲେ ସବୁ ଅବଶ୍ୟ ସତ୍ୟାନାଶ ହୋଇଯିବ ବୋଲି ସେମାନେ ପ୍ରମାଦ ଗଣୁଥିଲେ । ଦ୍ଵିତୀୟତଃ, ଯେତେ ଯାହା ଉଦ୍ୟମ କଲେ ମଧ୍ୟ ଦାରିଦ୍ର୍ୟ ଅଲବତ ରହିବ ବୋଲି ଆଡ଼ାମ୍ ସ୍ମିଥ୍, ରିକାର୍ଡ଼ୋ ଓ ମାଲଥସ୍ ଆଦି ଅର୍ଥନୀତିଜ୍ଞମାନେ ଯେଉଁ ସୂତ୍ରଟିର ପ୍ରଚାର ସେତେବେଳେ କରୁଥିଲେ, ସମ୍ପ୍ରଦାୟଟି ସେଥିରେ ମଧ୍ୟ ବିଶ୍ଵାସ କରୁଥିଲା । ଲୋକସଂଖ୍ୟା ବଢ଼ୁଥିବ ଏବଂ ସେହି ଅନୁପାତରେ ବସ୍ତୁର ଉତ୍ପାଦନ ସମ୍ଭବ ହେବନାହିଁ, ତେଣୁ କେହି ନା କେହି ଅବଶ୍ୟ ବଞ୍ଚିତ ହୋଇ ରହିବେ । ଏବଂ ସେହିମାନେ ହିଁ ଦରିଦ୍ର ହୋଇ ରହିବେ । ଶ୍ରମିକମାନଙ୍କ ଲାଗି ଚାହିଦା ଅନୁପାତରେ ଶ୍ରମିକମାନଙ୍କର ସଂଖ୍ୟା ସବୁବେଳେ ଅଧିକ ରହିବ ଏବଂ ତେଣୁ ମଜୁରି କମ୍ ହେବାରେ ଲାଗିଥିବ ଏବଂ ତେଣୁ ସେମାନଙ୍କ ମଧ୍ୟରୁ ଗୋଟିଏ ଭାଗ ନିଶ୍ଚୟ ଦରିଦ୍ର, ଦୟନୀୟ ହୋଇ ରହିବ, ଯାବତୀୟ ଅପରାଧ ଏବଂ ପାପରେ ଲିପ୍ତ ରହିବାକୁ ବାଧ୍ୟ ହେବ ।

 

ସାମାଜିକ ଭବିଷ୍ୟବୁଦ୍ଧି ଏବଂ ବିଜ୍ଞାନର ବଳରେ ପୃଥିବୀରେ ପ୍ରକୃତରେ ସବୁ ମଣିଷଙ୍କ ପାଇଁ ସଂସ୍ଥାନ ସମ୍ଭବ ହୋଇପାରିବ, ସେକଥା ସେ ଯୁଗରେ କେହି ବିଶ୍ଵାସ କରୁନଥିଲେ । ଧର୍ମସ୍ଥ ପବିତ୍ରମାନେ ବି ସେହି ବିଶ୍ଵାସ ଅନୁସାରେ ସବୁ କଥାର ବିଚାର କରୁଥିଲେ । ସକଳ ନିଷ୍ଠାସତ୍ତ୍ଵେ ତଥାପି ମଣିଷଠାରୁ ଦୂରରେ ରହିଥିଲେ ଏବଂ ଦୂରତାଗୁଡ଼ିକ ସବାଆଗ କରିଥିବାରୁ ସେମାନଙ୍କର ଭାବନା ମଧ୍ୟ ଲୋକଭାଗ୍ୟର ବେଶୀ ଗଭୀରକୁ ଯିବାଲାଗି ଇଚ୍ଛା କରୁନଥିଲା । ଏହା ସହିତ ଗୋଟିଏ ତୃତୀୟ କଥା ମଧ୍ୟ ରହିଥିଲା । ଏହି ହିତୈଷୀମାନେ ମନୁଷ୍ୟର ଅନ୍ନମୟ ବାସ୍ତବ ସ୍ତରଠାରୁ ତାର ତଥାକଥିତ ଅଧ୍ୟାତ୍ମିକତା ସ୍ତରଟିକୁ ତା’ ଲାଗି ଅଧିକ ମହତ୍ତ୍ଵପୂର୍ଣ୍ଣ ବୋଲି ଅନୁଭବ କରୁଥିଲେ । ମଣିଷର ପେଟ ପୂରିବା ଆଗରୁ ତା’ର ଆଚରଣ ଉତ୍ତମ ହେଉ ବୋଲି ଇଚ୍ଛା କରୁଥିଲେ । ପୃଥିବୀରେ ପ୍ରାୟ ସବୁଯୁଗରେ ସଜ୍ଜନମାନେ ସେହି ଭ୍ରମରେ ପଡ଼ିଛନ୍ତି । ସଚରାଚର ସେହି ସଜ୍ଜନମାନଙ୍କୁ କେବେହେଲେ ଭୌତିକ କଷ୍ଟ ଭୋଗିବାକୁ ପଡ଼ିନାହିଁ; ତେଣୁ ସର୍ବନିମ୍ନ ଭୌତିକ ସଂସ୍ଥାନ ନଥିଲେ ମଧ୍ୟ ସେମାନେ ତଥାପି ଭଲ ହୁଅନ୍ତୁ, ଉତ୍ତମ ଆଚରଣ ଦେଖାଇ ପାରନ୍ତୁ ଏବଂ ଉତ୍ତମମାନଙ୍କର ଶ୍ରଦ୍ଧାଭଜନ ହୁଅନ୍ତୁ ବୋଲି ସର୍ବଦା ଆଶା କରି ଆସିଛନ୍ତି । ଯେଉଁ ସମାଜର ବ୍ୟବସ୍ଥା ସବୁ ମଣିଷଙ୍କ ସକାଶେ ସର୍ବନିମ୍ନ ଅତ୍ୟାବଶ୍ୟକତାଗୁଡ଼ିକର ଦୂରୀକରଣ ଲାଗି ଏକ ସମ୍ପୂର୍ଣ୍ଣ ଅବକାଶ ସୃଷ୍ଟି କରି ପାରିନାହିଁ, ଆଗ ସେହି ସମାଜର ଗଢ଼ଣକୁ ବଦଳାଇ ପାରିବା ଯେ ଯଥାର୍ଥ ହିତୈଷୀମାନଙ୍କର ସର୍ବପ୍ରଥମ କର୍ତ୍ତବ୍ୟ, ସେତେବେଳେ ସେହି କଥାଟିକୁ ବୁଝିବାଲାଗି ସମ୍ଭବତଃ ପୃଥିବୀରେ ଉପଯୁକ୍ତ ପୃଷ୍ଠଭୂମିଟିଏ ତିଆରି ହୋଇନଥିଲା । ଦୁଃଖ, କଷ୍ଟଭୋଗ, ଦାରିଦ୍ର୍ୟ ଓ ଅସମ୍ମାନକୁ ସେତେବେଳେ ଅନ୍ତତଃ କେତେ ମନୁଷ୍ୟଙ୍କ ଲାଗି ଅବଶ୍ୟମ୍ଭାବୀ ବୋଲି ଧରି ନିଆ ଯାଇଥିଲା । ଏବଂ, ଅନ୍ତତଃ ନିଜେ ଆମେ ଯେତେବେଳେ ସେସବୁ ଦୁର୍ଭାଗ୍ୟରୁ ବିଭୁଙ୍କ କୃପାରୁ ବାହାରେ ରହିଛୁ, ସେତେବେଳେ ଆମେ କାହିଁକି ସେହି ଅସମ୍ଭବ ଓ ଅଲଂଘ୍ୟଗୁଡ଼ାକ ଆଡ଼କୁ ମନ କରିବା, ଉଦାରମାନେ ସମ୍ଭବତଃ ସେହିପରି ଚିନ୍ତା କରୁଥିଲେ ଏବଂ ଅସଲ ଅଡ଼ୁଆଗୁଡ଼ିକୁ କୌଣସିମତେ ଉଖାରିବାଟାକୁ ଆଦୌ ବିଜ୍ଞ ବୋଲି ବିବଚନା କରୁନଥିଲେ ।

 

ଭାରତବର୍ଷରେ ଏବେ ମଧ୍ୟ ସେହି ଭାବନା ଅନେକ ହିତାକାଙ୍କ୍ଷୀ ସଜ୍ଜନଙ୍କୁ କାମୁଡ଼ି ଧରିଛି । ଗତ ଶତାବ୍ଦୀରେ ଯେଉଁ ଦଶନ୍ଧିଗୁଡ଼ିକୁ ଭାରତବର୍ଷର ନବଜାଗରଣ–ପର୍ବ ବୋଲି କୁହାଯାଏ, ସେତେବେଳେ ଦେଶର ବିଭିନ୍ନ ପ୍ରାନ୍ତରେ କେତେ କେତେ ସୁଧା, ସଜ୍ଜନ ଏବଂ ସଂସ୍କାରକଙ୍କର ଆବିର୍ଭାବ ହୋଇଥିଲା । ସେମାନେ ତଥାପି ପ୍ରଧାନତଃ ପୁରାତନ ବ୍ୟବସ୍ଥାଟିର ପଟେ ରହିଥିଲେ ଏବଂ ଆଦୌ ସବୁ ମଣିଷଙ୍କୁ ନିଜର ସେବା କ୍ଷେତ୍ରର ମାନଚିତ୍ରରେ ରଖିନଥିଲେ । ସେମାନେ ପ୍ରାୟ ସମସ୍ତେ ଜାତିଭେଦ ମାନୁଥିଲେ । ସେମାନଙ୍କ ମଧ୍ୟରେ ପ୍ରାୟ ଏକ ତୁଙ୍ଗ ସ୍ଥାନରେ ରହିଥିବା ରାଜା ରାମମୋହନ ମୃତ୍ୟୁପର୍ଯ୍ୟନ୍ତ ବ୍ରାହ୍ମଣର ବର୍ଣ୍ଣସନ୍ତକ ଯଜ୍ଞୋପବୀତକୁ ନିଷ୍ଠାର ସହିତ ଧାରଣ କରିଥିଲେ । ବ୍ୟକ୍ତିଗତ ଜୀବନରେ ସେ ଜାତିଭେଦ ପ୍ରଥାର ସଂସ୍କାରଗୁଡ଼ିକୁ ମାନି ଚଳୁଥିଲେ । ବ୍ରାହ୍ମଣ ଲାଗି ନିଷିଦ୍ଧ କୌଣସି ଖାଦ୍ୟ ସେ ଗ୍ରହଣ କରୁନଥିଲେ ଏବଂ ଅନ୍ୟ ଧର୍ମାବଲମ୍ବୀ ବା ଅନ୍ୟ ଜାତିଭୁକ୍ତ ଲୋକମାନଙ୍କ ସହିତ କଦାପି ଏକତ୍ର ଆହାର କରୁନଥିଲେ । ତେଣେ ସେ ଯେଉଁ ବ୍ରାହ୍ମ ସମାଜର ପ୍ରବର୍ତ୍ତନ କରିଥିଲେ, ସେଥିରେ ବ୍ରହ୍ମକୁ ହି ସର୍ବୋଚ୍ଚ ଓ ସର୍ବମୟ ସତ୍ୟ ବୋଲି ସ୍ଵୀକାର କରାଯାଇଥିଲା । ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଯଥାର୍ଥରେ ବିଦ୍ୟାର ସାଗର ଥିଲେ; ତଥାପି ରକ୍ଷଣଶୀଳ ହିନ୍ଦୁମାନଙ୍କୁ ସମ୍ମାନ ଦେଇ ସେ ତାଙ୍କ ସଂସ୍କୃତ କଲେଜରେ ସବୁ ବର୍ଣ୍ଣର ଛାତ୍ରଙ୍କୁ ଭର୍ତ୍ତି କରାଯାଉ ବୋଲି କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇନଥିଲେ । କେବଳ କାୟସ୍ଥ ବର୍ଣ୍ଣର ପିଲାଙ୍କ ପର୍ଯ୍ୟନ୍ତ ତାଙ୍କ କଲେଜର ଦ୍ଵାରା ଉନ୍ମୁକ୍ତ ରହିଥିଲା । ବିଦ୍ୟାସାଗର କଲିକତା ସହରରେ ବାଳିକାମାନଙ୍କ ପାଇଁ ଯେଉଁ ବିଦ୍ୟାଳୟର ସ୍ଥାପନା କରିଥିଲେ, ସେଥିରେ ତାଙ୍କ କଳ୍ପନାର ସ୍ତ୍ରୀ ଶିକ୍ଷା କେବଳ ଉଚ୍ଚ ଶ୍ରେଣୀର ଧନିକ ହିନ୍ଦୁ ପରିବାର ମଧ୍ୟରେ ହିଁ ସୀମାବଦ୍ଧ ହୋଇ ରହିଥିଲା ।

 

“ଜଗାଟା କଲ୍ୟାଣା ସନ୍ତାଞ୍ଚା ବିଭୂତି”,–ଜଗତର କଲ୍ୟାଣ କରିବା ହେଉଛି ସନ୍ଥମାନଙ୍କର ବିଭୂତି ବୋଲି ମଧ୍ୟଯୁଗୀନ ମହାରାଷ୍ଟ୍ରର ସନ୍ଥ ତୁକାରାମ ତାଙ୍କର ଗୋଟିଏ ଉକ୍ତିରେ କହି ଯାଇଛନ୍ତି । ଏହି କଲ୍ୟାଣର ସର୍ବଦା ବହୁ ଆୟାମ ବା ପ୍ରସ୍ଥ ରହିଛି । ସଂସାରରେ ଦୁଃଖଭୋଗ ଲାଗିଥିବ ଏବଂ ମୁଁ ସେହି ଦୁଃଖଗୁଡ଼ିକୁ ଦୂର କରିବାଲାଗି ଚେଷ୍ଟା କରୁଥିବି । ଦୁଃଖଗୁଡ଼ାକ କେବେହେଲେ ଦୂର ହେବନାହିଁ ବୋଲି ମୁଁ ନିଜ ଭିତରେ ବିଶ୍ଵାସ କରୁଥିବି ଅଥଚ ଲୋକହିତ କରୁଥିବି । ନିଜର ମୋକ୍ଷ ନିମନ୍ତେ ଜଣେ ମନୁଷ୍ୟ ଏହି ଆୟାମଟି ମଧ୍ୟରେ ଆପଣାକୁ ଅବଶ୍ୟ ଆବଦ୍ଧ କରି ରଖିପାରିବ । ମାତ୍ର, ଯିଏ ଜଗତର ମୋକ୍ଷ ଇଚ୍ଛା କରୁଥିବ, ଅର୍ଥାତ୍ ମନୁଷ୍ୟକୃତ ଦୁଃଖଗୁଡ଼ିକ ପୃଥିବୀରେ ନରହୁ ବୋଲି ଯିଏ ସତକୁ ସତ ଇଚ୍ଛା କରୁଥିବା, ସିଏ କଦାପି ଏତିକିରେ ଅଟକି ରହିଯିବ ନାହିଁ । ମନୁଷ୍ୟକୃତ ଦୁଃଖଗୁଡ଼ିକ ମନୁଷ୍ୟକୃତ ସମାଜ ବ୍ୟବସ୍ଥାରୁ ହିଁ ଉତ୍ପନ୍ନ ହୋଇଥାଏ । ଅନାହାର, ଅନାଟନ, ଆର୍ଥିକ ଅଭାବ, ଅଶିକ୍ଷା, ରୋଗ,–ଏସବୁ ଅଧିକାଂଶତଃ ଗୋଟିଏ ଗୋଟିଏ ମନୁଷ୍ୟକୃତ ବ୍ୟାଧି, ଯାହାକୁ କି କେତେକ ମନୁଷ୍ୟ ଅଧିକ ସୁଖ ପାଇବେ ବୋଲି ଆଉ କେତେକ ମନୁଷ୍ୟଙ୍କ ଉପରେ ଲଦି ଦିଆ ଯାଇଥାଏ । ନାନଭଳି ଅଫିମ ଖୁଆଇ ମନୁଷ୍ୟମାନଙ୍କୁ ସେଥିରେ ମିଶାଇ ଦିଆଯାଇଥାଏ । ସେହି ଅନୁସାରେ ନୀତି ଅନୀତିର ବରାଦ ହୋଇଥାଏ, ସଦାଚାର ଆଦିର ନିର୍ଣ୍ଣୟ କରାଯାଇଥାଏ, ପୁରାଣଶାସ୍ତ୍ରର ଭିଆଣ ହୋଇଥାଏ, ଏବଂ ଅନେକ ସମୟରେ ଠାକୁରମାନଙ୍କର ମୁଖରୁ ସେସବୁକୁ କହି ଦିଆ ଯାଇଥାଏ । ମଣିଷମାନେ ତୁଚ୍ଛା ଅବ୍ୟବସ୍ଥାଗୁଡ଼ାକୁ ବ୍ୟବସ୍ଥା ବୋଲି ମାନି ନେଇଥାନ୍ତି । ଅନ୍ଧାର ଘୋଟି ରହିଥାଏ, କାରଣ ଆଲୋକ ଲାଗି ଆକାଙ୍କ୍ଷା କରିବାର ମନୁଷ୍ୟର ପ୍ରାୟ ଏକ ସହଜାତ ପ୍ରବୃତ୍ତିରୁ ମନୁଷ୍ୟକୁ ବଞ୍ଚିତ କରି ରଖା ଯାଇଥାଏ । ପାରମ୍ପରିକ ପୃଥିବୀରେ ତାହାହିଁ ବାସ୍ତବ ସତ୍ୟରୂପେ ମଣିଷମାନଙ୍କ ଉପରେ ଜାରି ହୋଇ ରହିଥିଲା । ଦୟାଳୁ ମଣିଷମାନେ ଥିଲେ ସତ, ମାତ୍ର ସମଗ୍ର ଅବସ୍ଥାଟିକୁ ବଦଳାଇ ସବୁ ମଣିଷଙ୍କୁ ପ୍ରବେଶର ଅଧିକାର ଦେବା,–ଏହା ପ୍ରାୟ ଭାବନାତୀତ ଥିଲା ।

 

ତଥାପି ମନୁଷ୍ୟସଭ୍ୟତାର ଆରମ୍ଭରୁ ହିଁ ସମାଜରେ କେତେ ଲୋକ ସବୁବେଳେ ରହିଥିଲେ, ଯେଉଁମାନେ ପ୍ରତିବାଦ କରୁଥିଲେ, ସେଥିପାଇଁ ଶାସ୍ତି ପାଉଥିଲେ; ସେମାନେ ଏକ ମୂଳଭୂତ ପରିବର୍ତ୍ତନ ନିମନ୍ତେ ଅଡ଼ି ବସୁଥିଲେ । ଖ୍ରୀଷ୍ଟପୂର୍ବ ୩ୟ–୨ୟ ଶତାବ୍ଦୀ ରୋମ୍‍ର ଲେଖକ କାଟୋ ତାଙ୍କର ଲେଖାରେ ଏହି ପ୍ରଶ୍ନଗୁଡ଼ିକର ଉତ୍ଥାପନ କରିଥିଲେ । ସେ ପ୍ରଚଳିତ ବ୍ୟବସ୍ଥାରେ ରହିଥିବା ଅପୂର୍ଣ୍ଣତାଗୁଡ଼ିକୁ ଦେଖାଇ ଦେବାକୁ ଇଚ୍ଛା କରିଥିଲେ । “ସାନ ସାନ ଚୋରମାନଙ୍କୁ କାଠ ଖୁଣ୍ଟରେ ବାନ୍ଧି ବନ୍ଦୀଶାଳାରେ ରଖାଯାଇଛି, ତେଣେ ବଡ଼ ବଡ଼ ଚୋର ସୁନା ରୂପାରେ ମଣ୍ଡିତ ହୋଇ ବୁଲିବାରେ ଲାଗିଛନ୍ତି”–ତାଙ୍କର ଏହି ବାକ୍ୟଟି ଆମର ଏ ଯୁଗରେ ମଧ୍ୟ ଅନେକଙ୍କୁ ଅତ୍ୟନ୍ତ ଅସହନୀୟ ମନେହେବ । ଏହିପରି ଭାବରେ ଯେଉଁମାନେ ପ୍ରଚଳିତ ସମଗ୍ର ବ୍ୟବସ୍ଥାଟି ସମ୍ମୁଖରେ ଛିଡ଼ା ହୋଇ ତାହାକୁ ବଦଳାଇ ଦେବାକୁ ଆହ୍ଵାନ ଦେଇଛନ୍ତି, ଲେବାନନ୍‍ର କବି ଖଲିଲ୍ ଜିବ୍ରାଁଙ୍କ ଭାଷାରେ ସେମାନଙ୍କୁ ବିଦ୍ରୋହୀ ଆତ୍ମା (Spirits Rebellious) ବୋଲି କୁହାଯିବ । ପ୍ରଧାନତଃ ସେହିମାନଙ୍କ ସକାଶେ ଯୁଗେ ଯୁଗେ ବ୍ୟବସ୍ଥା ବଦଳିଛି, ମନୁଷ୍ୟସମାଜ ଏକ ଉତ୍ତରୋତ୍ତର ଚେତନାର ମାର୍ଗରେ ଆଗକୁ ଆଗକୁ ଯାଇଛି । ଦୟାଳୁମାନେ ହୁଏତ ରହି ଯାଇଛନ୍ତି, ସାହାସୀମାନେ ପାରିଛନ୍ତି । ସତ୍ୟର ସଂଜ୍ଞା ବଦଳି ଯାଇଛି । ବିଲାତରେ ଚାର୍ଟିଷ୍ଟ୍ ଆନ୍ଦୋଳନ (୧୯ଶ ଶତାବ୍ଦୀ )ର ଜଣେ କବି ପ୍ରାୟ ସେହିପରି ଏକ ସମଗ୍ର ଆହ୍ଵାନ ତଥା ସମଗ୍ର ଆଶାର ଅବତାରଣା କରି ଗୋଟିଏ କବିତାରେ ଲେଖିଥିଲେ :shall crime bring crime forever,/ strength aiding still the strong/ Is it thy Will, O Father/ That man shall toil for long ? / “No”, say the mountains, “No” Thy skies,/ “man’s clouded sun shall brightly rise,/and songs be heard instead of sighs.” । ଏହି କବିତାଟିକୁ କବି ‘ଜନଗଣର କବିତା’ ବୋଲି ନାମ ଦେଇଥିଲେ । ଏହିପରି ଭାବରେ ସବୁ ମଣିଷଙ୍କର ଚିନ୍ତା ମନୁଷ୍ୟର ମୁଣ୍ଡକୁ ଆସିଲା ଏବଂ ଆମ ଆଧୁନିକ କାଳରେ ମନୁଷ୍ୟମାନେ ବ୍ୟବସ୍ଥାଗୁଡ଼ିକୁ ବଦଳାଇବାକୁ ସାହସ କଲେ । ଆଧୁନିକ ବିଜ୍ଞାନ ଏହି ପ୍ରୟାସରେ ଏକ ସୁନିଶ୍ଚିତ ସଫଳତାର ପ୍ରତୀତି ଆଣି ଦେଇଥିଲା । ଇଟାଲୀର ଦାର୍ଶନିକ କ୍ରୋଚେ ସେହି ଦୃଷ୍ଟିରୁ ମନୁଷ୍ୟଜାତିର ଇତିହାସକୁ story of Liberty ବା ବିମୋଚନର ଇତିହାସ ବୋଲି କହିଛନ୍ତି ।

 

“My piece of bread only belongs to me when I know that everyone also has a share, and that none starves while I eat”:–ଆପଣାର ଶେଷ ଜୀବନରେ ଲିଖିତ ଗୋଟିଏ ପୁସ୍ତକରେ ରୁଷିଆର ମନୀଷା ଟଲ୍‍ଷ୍ଟୟ ଏହି ସତ୍ୟଟିକୁ ଘୋଷଣା କରିଛନ୍ତି । ସଜ୍ଜନତା ଭଲ, ଉଦାସୀନତା ଅପେକ୍ଷା ଉଦାରତା ଅବଶ୍ୟ ଅଧିକ ଭଲ, ସେବା କରୁଥିବା ମନୁଷ୍ୟ ସବୁବେଳେ ନମସ୍ୟ,–ମାତ୍ର ପାରସ୍ପରିକତା, ଯାହାକୁ ଟଲଷ୍ଟୟ sharing ବୋଲି କହିଛନ୍ତି, ତାହାହିଁ ଅସଲ ସମାଧାନ । ମାତ୍ର sharing ପାଇଁ ସମାଜବ୍ୟବସ୍ଥା ଅନ୍ୟପ୍ରକାରେ ହୋଇ ପାରିବା ଉଚିତ୍ । ଭାରତବର୍ଷରେ ମଣିଷମାନେ କ୍ଷୁଧାର୍ତ୍ତ ହୋଇ ରହିଥିବା ସମୟରେ ସେମାନଙ୍କ ମୁଖରେ ଆହାର ଯୋଗାଇବା ହେଉଛି ସନ୍ନ୍ୟାସୀ ସମେତ ଇତର ସବୁ ମଣିଷଙ୍କର କର୍ତ୍ତବ୍ୟ ବୋଲି ସ୍ଵାମୀ ବିବେକାନନ୍ଦ ଏକଦା କେତେ ଦୃଢ଼ତା ସହିତ କହି ଯାଇଛନ୍ତି । ମାତ୍ର ସେ ଦରିଦ୍ରନାରାୟଣଙ୍କ କଥା କହିଛନ୍ତି, ଦରିଦ୍ରମାନଙ୍କୁ ନାରାୟଣ ତୁଲ୍ୟ ଦେଖିବାକୁ ସମ୍ଭବତଃ ଅଦରିଦ୍ରମାନଙ୍କୁ ଉଦବୋଧନ ଦେଇଛନ୍ତି, ଦରିଦ୍ର ଜନଗଣଙ୍କ ପ୍ରତି ନିଜର କର୍ତ୍ତବ୍ୟ କରିବା ବିଷୟରେ ଅଦରିଦ୍ରମାନଙ୍କର ହୃଦବୋଧ ହେବା ଉଚିତ୍ ବୋଲି ସେ କେଡ଼େ ଆକୁଳ ଭାବରେ ବାରବାର କହିଛନ୍ତି ! ସ୍ଵାମିଜୀ ସତେଅବା ସେଇଯାଏ ଆସି ଅଟକି ଯାଇଛନ୍ତି । ଏକ ନିର୍ଦ୍ଦିଷ୍ଟ ସାମାଜିକ ବ୍ୟବସ୍ଥା ସକାଶେ ହିଁ ଭାରତରେ କ୍ଷୁଧା ରହିଛି, ଅକିଞ୍ଚନତା ଓ ଅସହାୟତା ରହିଛି ଓ ତେଣୁ ସେହି ବ୍ୟବସ୍ଥାକୁ ବଦଳାଇବାକୁ ହେବ ବୋଲି ସେ ସ୍ପଷ୍ଟ ଭାବରେ କିଛି କହିନାହାନ୍ତି । ବଦଳାଇବାର କାର୍ଯ୍ୟଟି ସଚରାଚର ଦରିଦ୍ରମାନେ କରି ଆସିଛନ୍ତି, ପ୍ରଚଳିତ ବ୍ୟବସ୍ଥାରେ ଉପକୃତ ହେଉଥିବା ଅନ୍ୟମାନେ କରିନାହାନ୍ତି । ସେହି ଅନ୍ୟମାନଙ୍କୁ ଦରିଦ୍ର ଭିତରେ ନାରାୟଣକୁ ଦେଖିବାର ପରାମର୍ଶ ଦେବା ବ୍ୟତୀତ ସ୍ଵାମୀଜୀ ଆଉ କିଛି କହିନାହାନ୍ତି । ତେଣୁ ଏବେ ମଧ୍ୟ ସେହି କଥାଗୁଡ଼ିକରୁ ପ୍ରେରଣା ନେଇ ଆମେ ଦରିଦ୍ର ନାରାୟଣଙ୍କର ସେବା କରୁଛୁ । ଆଉ ଅଧିକ କିଛି କରି ପାରୁନାହୁଁ । ଦରିଦ୍ରରୂପୀ ନାରାୟଣ କ’ଣ ପାଇଁ ଦରିଦ୍ର ହୋଇ ରହିବ, ସେହି ବିଷୟରେ ଆମ ଲାଗି ହୁଏତ କୌଣସି ପ୍ରଶ୍ନ ପଚାରିବାର ପ୍ରୟୋଜନ ହିଁ ପଡ଼ୁନାହିଁ !

 

ସ୍ଵାଧୀନ ଭାରତରେ ବହୁତକିଛି ବ୍ୟବସ୍ଥା ବଦଳିବାର ଥିଲା । ଭୂମିର ବ୍ୟବସ୍ଥା ବଦଳିବାର ଥିଲା, ଶିକ୍ଷାର ବ୍ୟବସ୍ଥା ବଦଳିବାର ଥିଲା, ଉତ୍ପାଦନର ବ୍ୟବସ୍ଥା ବଦଳିବାର ଥିଲା, ବିତରଣର ବ୍ୟବସ୍ଥା ମଧ୍ୟ ବଦଳିବାର ଥିଲା । ଏବଂ ସେହି ଅନୁସାରେ ଶାସନ ବଦଳିଥାନ୍ତା, ଅମଲାତନ୍ତ୍ର ବି ବଦଳିଥାନ୍ତା । ଏହିସବୁ ଯାବତୀୟ ବ୍ୟବସ୍ଥା ବଦଳିବ ବୋଲି ଭାରତବର୍ଷରେ ସ୍ୱାଧିନତାର ଦୀର୍ଘ ସଂଗ୍ରାମଟିଏ ଲଢ଼ା ହୋଇଥିଲା, ସ୍ଵାଧୀନତା ପ୍ରାପ୍ତହେବା ପରେ ସେହି ମୁତାବକ ସଂବିଧାନଟିଏ ମଧ୍ୟ ତିଆରି ହୋଇଥିଲା, ଏଠାରେ ଶୋଷଣ ରହିବ, ଦରିଦ୍ର ରହିବେ, ବଞ୍ଚିତମାନେ ରହିବେ, ଦୃଶ୍ୟ ଓ ଅଦୃଶ୍ୟ ଭାବରେ ଶୋଷିତ ହେବେ,–ଏବଂ ଦେଶରେ ତଥାପି ଧର୍ମ ରହିଛି ବୋଲି ଆମ ମନରେ ପ୍ରତୀତି ଦେବାକୁ କେତେଜଣ ମହାନ୍ ରହିଥିବେ, ବଦାନ୍ୟ ରହିଥିବେ, ସେବା କରୁଥିବେ,–ପରାଧୀନ ଭାରତରେ ସ୍ଵାଧୀନତାର ସମର ଚାଲିଥିବା ସମୟରେ ସେକଥା କେହି କଳ୍ପନା ମଧ୍ୟ କରିନଥିଲେ । ସଂଗ୍ରାମର ସେନାପତି ସ୍ୱୟଂ ମହାତ୍ମା ଗାନ୍ଧୀ ମଧ୍ୟ ଆର୍ଥିକ ସମାନତା କଥା କହିଥିଲେ, ଭାରତର ପ୍ରତ୍ୟେକ ନାଗରିକକୁ ସମାନ ସୁଯୋଗ ଓ ସୁବିଧାମାନ ଉପଲବ୍ଧ ହେବା ବିଷୟରେ କହିଥିଲେ । ଭାରତରେ ଏକ ନୂତନ ପାରସ୍ପରିକତାର ସୃଷ୍ଟି ହେବ ଓ ସେହି ପାରସ୍ପରିକତା ହିଁ ଯାବତୀୟ ଭାରତୀୟତାର ସର୍ବମୂଳ କଷଟି ହୋଇ ରହିବ ବୋଲି କଥା ଥିଲା । ଗତ ପଇଁଚାଳିଶି ବର୍ଷର ସ୍ଵାଧୀନ ରାଷ୍ଟ୍ରରେ ସେସବୁ କୁଆଡ଼େ ମାଡ଼ ଖାଇ ଗଲା, କାହିଁକି ବା ମାଡ଼ ଖାଇଗଲା ? କାହିଁକି ଆମ ନୂଆ ରାଜାମାନେ ଏପରି ମନମୋଟା ହେଲେ, କାହିଁକି ଦୁର୍ବଳ ଅଧିକ ଦୁର୍ବଳ ହେଲା ଓ ଅସହାୟମାନେ ଅଧିକ ଅସହାୟ ହେଲେ ? ଯେଉଁମାନେ ବ୍ୟବସ୍ଥାକୁ ବଦଳାଇବା ନିମନ୍ତେ ଆମ ପାଖରେ ରାଣ ପକାଇ ବଚନବଦ୍ଧ ହୋଇ କ୍ଷମତାକୁ ଆସିଥିଲେ, ସେମାନେ ଏଡ଼େ ଚମତ୍କାର ଭାବରେ ସେହି ବ୍ୟବସ୍ଥାଟି ଭିତରେ ଖାପ ଖାଇଗଲେ କିପରି ଓ ଏକାଥରକେ ମଥାନ ଉପରେ ଯାଇ ବସିଗଲେ ବା କିପରି ? ଦେଶରେ ଏବେ ମଧ୍ୟ ବଦାନ୍ୟ ଓ ଉଦାର ହୋଇ ରହିଥିବା ବ୍ୟକ୍ତିମାନେ ଏହିସବୁ ପ୍ରଶ୍ନର କି ଉତ୍ତର ଦେବେ ? ଦେଶକୁ ମାଡ଼ି ବସିଥିବା ବ୍ୟାଧିଗୁଡ଼ିକ ଲାଗି ସେମାନେ କି ଉପାୟ ବତାଇବେ ?

 

ସ୍ଵାଧୀନ ଭାରତବର୍ଷରେ ଗୁଣ ଓ ମୂଲ୍ୟଦୃଷ୍ଟିରୁ ଶିକ୍ଷାର କ୍ଷେତ୍ରରେ ଆବଶ୍ୟକ ପ୍ରାୟ କୌଣସି ପରିବର୍ତ୍ତନ ହୋଇ ନାହିଁ । ଭାରତବର୍ଷ ସ୍ଵାଧୀନ ହେବା ପରେ ଶିକ୍ଷାର ବ୍ୟବସ୍ଥାରେ ଆମୂଳ ପରିବର୍ତ୍ତନ ହେବ ଏବଂ ସେତେବେଳର ଶିକ୍ଷା ପିଲାମାନଙ୍କୁ ସାହସୀ, ସ୍ଵାଧୀନଚେତା ଏବଂ ସଂକଳ୍ପ ସଚେତନ କରି ଗଢ଼ିବାଲାଗି ଉର୍ଦ୍ଦିଷ୍ଟ ହୋଇ ରହିବ ବୋଲି ଲୋକମାନଙ୍କୁ କେତେ ଆଶ୍ଵାସନା ଦିଆ ଯାଇଥିଲା । ପରାଧୀନ ଭାରତର ଶିକ୍ଷା ଭାରତବାସୀଙ୍କୁ ନପୁଂସକ କରି ପକାଉଛି ବୋଲି ମହାତ୍ମା ଗାନ୍ଧୀ ସେତେବେଳେ ବାରମ୍ବାର କହୁଥିଲେ । ସ୍ଵାଧୀନତା ପାଇବାର ପଇଁଚାଳିଶି ବର୍ଷ ପରେ ଉପରୁ ତଳଯାଏ ଅଧିକାଂଶ ଶିକ୍ଷିତ ଭାରତୀୟ ଆଉ ଅଧିକ କ’ଣ ହୋଇ ପାରିଛନ୍ତି ? ସେମାନଙ୍କର ମନ ଅତ୍ୟନ୍ତ ସାଂଘାତିକ ଭାବରେ ଗୋଲାମ ହୋଇଯାଇଛି, ହୃଦୟ ସଂବେଦନାହୀନ ହୋଇଛି । ଯେକୌଣସି ପ୍ରକାରେ ଆପଣାର ସଫଳତା ହାସଲ କରିବା ସତେଅବା ସେମାନଙ୍କର ପରମଧର୍ମ ହୋଇ ରହିଛି । ସେମାନେ ଉପରୁ ବାବୁଙ୍କ ପରି ଦେଖା ଯାଉଛନ୍ତି ଓ ସେଥିଲାଗି ଆବଶ୍ୟକ ଯାବତୀୟ ପ୍ରସାଧନକୁ ଆୟତ୍ତ କରିବାରେ ଲାଗିଛନ୍ତି ସିନା, ଭିତରେ ପ୍ରାୟ ଗୋଟାସୁଦ୍ଧା ଭୀରୁ ହୋଇ ରହିଛନ୍ତି । ସଫଳତା କହିଲେ ବଡ଼ରୁ ଆହୁରି ବଡ଼ ପଦଟାଏ ଅଧିକାର କରିବା ଏବଂ ଘରକୁ ଯଥାସମ୍ଭବ ଅଧିକ ଅର୍ଥ ବୋହି ଆଣିବା ବ୍ୟତୀତ ସେମାନେ ଆଉ ଅଧିକ କିଛି ବୁଝିନାହାନ୍ତି-। ବିଚରା ଦେଶ ଶିକ୍ଷିତମାନଙ୍କ କବଳରେ ପଡ଼ି ଆର୍ତ୍ତନାଦ କରିବାରେ ଲାଗିଛି ।

 

ସ୍ଵାଧୀନ ଭାରତବର୍ଷରେ ଶିକ୍ଷା କେଉଁଧାରାରେ ବା କେଉଁସବୁ ମୂଳ ପ୍ରେରଣାକୁ ଆଧାର କରି ଗଠିତ ହେବ, ତାହାକୁ ଦୃଷ୍ଟି ଆଗରେ ରଖି ପରାଧୀନ ଭାରତରେ କେତେ କେତେ ସାହସୀ ପ୍ରୟୋଗସବୁ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କର ଏକ ସ୍ଵତନ୍ତ୍ର ଶିକ୍ଷାବିଚାର ଥିଲା ଓ ତାହାର କିଞ୍ଚିତ୍ ପ୍ରୟୋଗ ମଧ୍ୟ ହୋଇଥିଲା । କବି ରବୀନ୍ଦ୍ରନାଥ ଆଉ ଗୋଟିଏ ପ୍ରୟୋଗ ଶାନ୍ତିନିକେତନରେ କରିଥିଲେ । ସ୍ଵାଧୀନ ଭାରତରେ ଦୁଇଟିଯାକ ପ୍ରୟୋଗ ସତେଅବା ଅଜଗରର ପେଟକୁ ଚାଲିଗଲେ ଓ ଆପଣାର ପ୍ରତିଶ୍ରୂତିଗୁଡ଼ିକୁ ହରାଇ ବସିଲେ । ସେହି ପୁରୁଣାଗୁଡ଼ାକ ହିଁ ରହିଲା, ଅଧିକ ପ୍ରକୋପ ସହିତ ଜାରି ହୋଇ ରହିଲା । ବର୍ତ୍ତମାନ ଭାରତବର୍ଷରେ ତଥାକଥିତ ଶିକ୍ଷିତ ସମ୍ପ୍ରଦାୟକୁ ହିଁ ହୁଏତ ଦେଶରେ ସବୁଠାରୁ ଅଧିକ ରକ୍ଷଣଶୀଳ ସମ୍ପ୍ରଦାୟ ବୋଲି କୁହାଯିବ । ଶିକ୍ଷିତମାନେ ହିଁ ଦେଶକୁ ଓ ସମାଜକୁ ବଦଳାଇବାରେ ପ୍ରଧାନତମ ଯନ୍ତ୍ର ହୋଇଥାନ୍ତେ, ବର୍ତ୍ତମାନ ସତେଅବା ସେହିମାନେ ହିଁ ଏଦେଶର ଯାବତୀୟ ଉନ୍ନୟନ ଏବଂ ଅଗ୍ରଗତିର ପଥରେ ସର୍ବପ୍ରଧାନ ପ୍ରତିବନ୍ଧକ ହୋଇ ରହିଲେ । ଏମାନଙ୍କ ଦ୍ଵାରା ଦେଶରେ ଯେଉଁ ଅମଲାତନ୍ତ୍ରଟି ଗଢ଼ାହେଲା ଏବଂ ଶାସନ ଚଳାଇବାର ଦାୟିତ୍ଵରେ ରହିଲା, ତାହା ହୃଦୟହୀନ ହେଲା, ଦେଶ ଉପରେ ଘୋଡ଼ା ଚଢ଼ିଲା, ଆପଣାକୁ ଦେଶଠାରୁ ଅଲଗା ବୋଲି ଭବିଲା, ଅଗଯୁଗର ସାଆନ୍ତମାନଙ୍କ ପରି ଦେଶଠାରୁ ସେବା ଦାବୀ କଲା, ଯେତିକି ନେଲା, ସେହି ଅନୁସାରେ ଦେଲାନାହିଁ, ସତେଅବା ନିଜର ବ୍ୟକ୍ତିଗତ ମହତ୍ତ୍ଵକାଙକ୍ଷା ଏବଂ ବ୍ୟକ୍ତିଗତ ତୁଚ୍ଛା ମିଛ ସମ୍ମାନବୋଧଗୁଡ଼ାକ ପାଖରେ ଅତ୍ୟନ୍ତ ଶୋଚନୀୟ ଭାବରେ ପରାଧୀନ ହୋଇ ରହିଲା । ନେତୃତ୍ଵ, ଶିକ୍ଷିତ ନେତୃତ୍ଵ ଉଦାସୀନ ହେଲା, ଆତ୍ମକାମୀ ହେଲା, ଆତ୍ମରତି ହେଲା ସର୍ବୋପରି, ଯଥାର୍ଥ ଶିକ୍ଷା ତଥା ଯଥାର୍ଥ ସନ୍ଦୀପନ ଦ୍ଵାରା ଶିକ୍ଷିତ ଏବଂ ସନ୍ଦୀପିତ ହୋଇ ପାରିଲେ ଜଣେ ମନୁଷ୍ୟର ପ୍ରାୟ ସ୍ଵଭାବପ୍ରେରିତ ଭାବରେ ସତ୍ୟପ୍ରତି, ନ୍ୟାୟପ୍ରତି, ନ୍ୟାୟ ଆଚରଣ ପ୍ରତି ଯେଉଁ ଶ୍ରଦ୍ଧା ଆସେ ଏବଂ ସେହି କାରଣରୁ ଅସତ୍ୟ, ଅନ୍ୟାୟ ଏବଂ ହୀନଆଚାର ବିରୋଧରେ ତା’ ଭିତରେ ଯେଉଁ ପ୍ରତିରୋଧଶକ୍ତି ଏବଂ କ୍ରୋଧ ମଧ୍ୟ ଜାତହୁଏ, ଆମ ଶିକ୍ଷିତମାନଙ୍କ ପାଖରେ ତାହା ସତେଅବା ସ୍ଵପ୍ନ ହୋଇରହିଲା ।

 

ଶିକ୍ଷାର ଯାବତୀୟ କାର୍ଯ୍ୟକ୍ରମ ପ୍ରାୟ ଏକ ସ୍ପର୍ଶକାତର ପ୍ରାସାଦ ଭିତରେ ଗୃହବନ୍ଦୀ ହୋଇ ରହିଗଲା । ଶିକ୍ଷାପ୍ରାପ୍ତମାନେ କେଜାଣି କାହିଁକି ଅତ୍ୟନ୍ତ ଉଦ୍ଧତ ହେଲେ, ଗ୍ରହଣକାତର ହୋଇ ରହିଲେ । ଭାରତବର୍ଷର ଶିକ୍ଷା କ୍ରମେ ଅଧିକରୁ ଅଧିକ ସାର୍ବଜନୀନ ହୋଇ ପାରିଥିଲେ ଉଦ୍ଧତମାନଙ୍କର ଚୈତନ୍ୟୋଦୟ ହେବା ଦିଗରେ ତାହା ହୁଏତ ଅନେକ ସାହାଯ୍ୟ କରିଥାନ୍ତା । ଦେଶରେ ନୂଆ ସଂବିଧାନ ଗଢ଼ା ହୋଇ ଶିକ୍ଷାକୁ ସାର୍ବଜନୀନ କରାଯିବ ବୋଲି ଘୋଷଣା କରାଗଲା । ମାତ୍ର ସ୍ଵାଧୀନତାପ୍ରାପ୍ତିର ଦୀର୍ଘ ଏତେ ଦଶନ୍ଧି ପରେ ମଧ୍ୟ ଦେଶରେ ଇସ୍କୁଲ ଯିବା ବୟସର ସବୁ ପିଲା ଇସ୍କୁଲକୁ ଆସି ପାରିଲେ ନାହିଁ । ଯେତିକି ପିଲା ଆସିଲେ, ସେମାନେ ମଧ୍ୟ ଗୋଟିଏ ପ୍ରକାରର ଶିକ୍ଷା ପାଇ ପାରିଲେ ନାହିଁ । ପ୍ରାଥମିକ ସ୍ତରରେ ପଚିଶି ପ୍ରକାରର ଇସ୍କୁଲ ରହିଲା । ସାଆନ୍ତମାନଙ୍କର ପିଲାମାନେ ସାଆନ୍ତ ହେବାକୁ ପାଠ ପଢ଼ିଲେ, ଦେଶକୁ ଓ ଦେଶର ଭାଷାକୁ ଘୃଣା କରିବାକୁ ପାଠ ପଢ଼ିଲେ ଓ ସର୍ବୋପରି ଦେଶବାସୀଙ୍କୁ ଅବଜ୍ଞା ଚକ୍ଷୁରେ ଦେଖିବାର କୁମନ୍ତ୍ରଣା ପାଇଲେ । ସତେଅବା ଗୋଟିଏ ପ୍ରକାରର ନବ ଭାଗ୍ୟବାଦ ସେମାନଙ୍କର ବିବେକକୁ ଗ୍ରାସ କରି ରହିଲା । ଯେଉଁ ଅଳ୍ପ କେତେଜଣ ବିହିତ ଶିକ୍ଷା ପାଇଲେ, ସେମାନେ ବାଇବେଲର prodigal son ଟି ପରି ହୋଇଗଲେ । ବାଇବେଲର prodigal son ତ କାହାଣୀ ଅନୁସାରେ ଘରକୁ ଫେରିଆସିଲା । ଭାରତବର୍ଷରେ ଏମାନେ ଯେପରି କେବେହେଲେ ଘରକୁ ଫେରି ନଆସିବେ, ସେଥିଲାଗି ସାମୂହିକ ଜୀବନର ନାକରେ ରଜ୍ଜୁବାନ୍ଧି ତାହାକୁ ନଚାଉଥିବା ଦରବାରଗୁଡ଼ିକ ପକ୍ଷରୁ ଯାବତୀୟ ଉତ୍ତେଜକଗୁଡ଼ିକୁ ଯୋଗାଇ ଦିଆଗଲା । ଯେଉଁ ସର୍ବନିମ୍ନ ସଂହତି ରହିଥିଲେ କୌଣସି ଦେଶର ସଂସ୍କୃତି ସୁସ୍ଥ ରହିବା ପାଇଁ ବଳ ପାଏ, ସବାଆଗ ଆମର ଶିକ୍ଷାର ସିରସ୍ତାମାନେ ହିଁ ସେହି ସଂହତି ପରିମଳଟିକୁ ନଷ୍ଟ କରିଦେଲେ, ଭାଙ୍ଗିଦେଲେ । ବହୁ କୁତ୍ରିମତା ଏବଂ ବହୁ ଅହଙ୍କାରିତା ଭାରତବର୍ଷରେ ମଣିଷକୁ ମଣିଷଠାରୁ ଦୂର କରି ରଖିଲା, ଅତ୍ୟନ୍ତ ନିର୍ମମ ଭାବରେ ଅଲଗା କରି ରଖିଲା ।

 

ଏବଂ, ଯେତିକି ପିଲାଙ୍କୁ ପଥ ପଢ଼ାଯାଉଛି, ସେମାନଙ୍କର ବି ଯେତିକି ପଢ଼ା ହେବାର କଥା, ଏବେ ସେତିକି ପାଠ ବି କେଉଁଠି ପଢ଼ା ଯାଉଛି ? ଉଭୟ ପ୍ରାଥମିକ ଏବଂ ତଥାକଥିତ ଉଚ୍ଚସ୍ତରର ଶିକ୍ଷାସ୍ଥାନଗୁଡ଼ିକରେ ଆମ ପିଲାମାନେ ସତେ ଯେପରି ଛେଉଣ୍ଡ ହୋଇ ରହିଲେଣି ଏବଂ ଛେଉଣ୍ଡମାନଙ୍କ ପରି ଅଲକ୍ଷଣା ମଧ୍ୟ ହେଲେଣି । ସେମାନେ ଯେଉଁ ଗାଆଁରେ ଜନ୍ମ ହୋଇଥିଲେ, ସେହି ଗାଆଁ ସହିତ ବିଧାତା ଲଗାଇ ଦେଇଥିବା ସେମାନଙ୍କର ଭାବଗତ ଚେରଗୁଡ଼ିକକ୍ରମେ ଛିଣ୍ଡି ଯାଉଛି । ଶିକ୍ଷକ ଓ ଅଧ୍ୟାପକମାନେ ଅଲକ୍ଷଣା ହେଲେଣି ଓ ସେଭଳି ହେବାକୁ ସେମାନଙ୍କୁ ଆଉ ଆଦୌ ଲାଜ ଲାଗୁନାହିଁ । ଦେଶର ନାୟକ ଓ ଜନଭାଗ୍ୟର ବିଧାୟକମାନେ ଯେତେବେଳେ ଫୁଙ୍ଗୁଳା ହୋଇଗଲେ, ସେତେବେଳେ ସେମାନେ ବି କାହିଁକି ପଛରେ ରହିଯିବେ ଓ ଏହି ଚମତ୍କାର ଦୁଷ୍ଟ ହାଉଆରେ ଆପଣା ଦୁଷ୍ଟତାର ଗୁଡ଼ିଗୁଡ଼ିକୁ କାହିଁକି ନ ଉଡ଼ାଇବେ, ସେମାନେ ଏହିଭଳି ଏକ ପ୍ରଶ୍ନବାଣ ମାରି ନିଜର ବିବେକକୁ ପ୍ରାୟ ଥୋବରା କରି ସାରିଲେଣି । କେହି ଲୁଗା ପିନ୍ଧିନାହାନ୍ତି, ତଥାପି ସମସ୍ତେ ନିଜକୁ ବାସନାବୃତ୍ତ ବୋଲି ଭାବୁଛନ୍ତି; କାହାରି ଭିତରେ କୌଣସି ତୃଷା ନାହିଁ ଅଥଚ ସମସ୍ତେ ନିଶାଗ୍ରସ୍ତ ହୋଇ ରହିଛନ୍ତି । ଶିକ୍ଷାୟତନଗୁଡ଼ିକ ସତେଯେପରି ଶିକ୍ଷାର୍ଥୀ ବା ଶିକ୍ଷକ କାହାରି ନୁହେଁ ବୋଲି ପ୍ରତୀତ ହେଲାଣି । ବାହାରୁ ଦେଖିଲେ ସବୁ ଅଛି, ଦେହଯାକ ଖୋସି ହୋଇ ନାଚିବା ଲାଗି ମୟୂରପୁଚ୍ଛ ଗଦା ହୋଇ ରହିଛି, ମାତ୍ର ଅନ୍ତରଟିଏ କୋଉଠି ନାହିଁ । ଅନ୍ତର ଥିବା ମନୁଷ୍ୟମାନେ ଯେଉଁ ଘରେ ଥାଆନ୍ତି, ସେହିମାନଙ୍କର ପୁଣ୍ୟବଳରେ ନିର୍ଜୀବ ଘରଗୁଡ଼ାକ ମଧ୍ୟ ଅନ୍ତର ଥିବାପରି ଲାଗନ୍ତି । ଆମ ମାଳମାଳ ଶିକ୍ଷାଘର ଏବେ ଆଉ ଏକ ଘର ପରି ଲାଗୁନାହାନ୍ତି ।

 

ତେଣୁ ଯୋଉଗୁଡ଼ାକ ଯେତିକି ଅଛି, ବ୍ୟାଧିର କାରଣ ହୋଇ ରହିଛି, ସେହିଗୁଡ଼ାକରେ ସବୁ ସେମିତି ଆଉ ସଂଖ୍ୟା ବୃଦ୍ଧି କଲେ ଆମର ଶିକ୍ଷାଦୁଃଖମାନେ କଦାପି ଘୁଞ୍ଚିବ ନାହିଁ । ଆଗେ ଅଳପ କଲେଜ ଥିଲା, ଏବେ ଅନେକ କଲେଜ ବସିଲାଣି । ଆଗରେ ଇସ୍କୁଲମାନେ ଏବେ ପଚାଶଗୁଣ ହେଲେଣି । ସରକାରୀ ଅଥବା ବେସରକାରୀ ପ୍ରତ୍ୟେକ କଲେଜ ପଛରେ ନିଷ୍ଠାପର ଓ ଉଦାର ବ୍ୟକ୍ତିମାନଙ୍କର ବହୁଦ୍ୟମର କାହାଣୀ ରହିଛି । ସେମାନେ ଏକ ସ୍ଵାର୍ଥପର ଓ ଉଦାସୀନ ସମାଜରେ ତଥାପି ଅକୃପଣ ହୋଇ ପାରିଛନ୍ତି, ବହୁ ପ୍ରତିକୂଳତାକୁ ଅତିକ୍ରମ କରି ସେମାନେ ନୂଆ ଶିକ୍ଷାନୁଷ୍ଠାନଟି ଗଢ଼ିଉଠିବା ଲାଗି ପୁରୋଧା ହୋଇ ବାହାରିଛନ୍ତି, ଦାନ କରିଛନ୍ତି, ପାଞ୍ଚଜଣଙ୍କୁ ଏକତ୍ର କରି ଶିକ୍ଷାର ସଦନଟିଏ ସମ୍ଭବ କରିଛନ୍ତି । ମାତ୍ର, ସେହି ପୁରୁଣା ବ୍ୟାଧିଗୁଡ଼ାକୁ ନୂଆ ଫରଫର ଘରଗୁଡ଼ାକରେ ଆଣି ଭର୍ତ୍ତି କରିବାରେ ନୂଆ ନୂଆ ଯେଉଁ ସନ୍ତୋଷ ଅବଶ୍ୟ ମିଳିବ, ତଦ୍ଦ୍ଵାରା ଯଥାର୍ଥ ଶିକ୍ଷାର କଦାପି ପେଟ ପୂରିବନାହିଁ । ଶିକ୍ଷା ବଦଳିଯାଉ ବୋଲି ଆମେ ସମସ୍ତେ ନାନା ଆନୁଷ୍ଠାନିକତାର ସୃଷ୍ଟି କରି ଗର୍ଜନ କରିବାରେ ଲାଗିଥିବା ଓ ତେଣେ ସେହି ପୁରୁଣାଗୁଡ଼ାକୁ କାନ୍ଧରେ ବସାଇ ଫୁଲେଇ ହେଉଥିବା,–ଏଥିରେ ଶିକ୍ଷାଦେବୀଙ୍କର କଦାପି ସନ୍ତୋଷ ହେବନାହିଁ । ଶିକ୍ଷାଦେବୀ ସବାଆଗ କୋଠା ଚାହାନ୍ତିନାହିଁ, ଦରବାର ଚାହାନ୍ତିନାହିଁ, ସିଏ ସ୍ଵୟଂ ମଣିଷମାନଙ୍କୁ ଚାହାନ୍ତି । ମଣିଷମାନେ ନୂଆ ହେଲେ ସିଏ ବଳେ ବଳେ ହିମ୍ମତ ଦେବାକୁ, ଉତ୍ସାହ ଦେବାକୁ ଆସି ପହଞ୍ଚି ଯାଆନ୍ତି । ଶିକ୍ଷାଳୟରେ ସଂପୃକ୍ତ ହୋଇ ରହିଥିବା ମନୁଷ୍ୟମାନଙ୍କଠାରୁ ସିଏ ଏକ ପାରସ୍ପରିକତାର ଆକାଙ୍କ୍ଷା ରଖିଥାନ୍ତି, ଏକ ଯଥାର୍ଥ ସଖ୍ୟର ଅପେକ୍ଷା କରୁଥାନ୍ତି । ସର୍ବୋପରି ତାଙ୍କୁ ଲୋଡ଼ୁଥିବା ବ୍ୟକ୍ତିମାନଙ୍କଠାରୁ ସେ ନିର୍ଭୀକତା କାମନା କରୁଥାନ୍ତି,–ବ୍ୟାଧିଗୁଡ଼ିକୁ ବ୍ୟାଧି ବୋଲି କହିବାର ନିର୍ଭୀକତା, ପୁରୁଣା ବ୍ୟାଧିଗୁଡ଼ାକର ଗଣ୍ଠି ଯେତେ ଟାଣ ହୋଇ ପଡ଼ିଥିଲେ ମଧ୍ୟ ସେଗୁଡ଼ିକୁ କାଟି ବାହାରିଯାଇ ପାରିବାର ନିର୍ଭୀକତା, ଗୋଟିଏ କଥାରେ କହିଲେ, ନୂଆ ନୂଆ ପ୍ରୟୋଗ କରିବାର ନିର୍ଭୀକତା ।

 

ଶିକ୍ଷା ଭିତରକୁ ଆସିଲେ ଜଣେ ନିର୍ଭୀକ ମଣିଷ ନିରନ୍ତର ପ୍ରୟୋଗ କରିବାକୁ ହିଁ ଆପଣାର ଅସଲ ନିୟମ ବୋଲି ଗ୍ରହଣ କରିନିଏ । ଆମ ଇସ୍କୁଲମାନଙ୍କରେ ବା କଲେଜମାନଙ୍କରେ ଆଉ କୌଣସି ପ୍ରୟୋଗ ହେଉନାହିଁ । ଆଗେ ଗାଆଁର ଅବଧାନମାନେ ମଧ୍ୟ ଆପଣାର ଅଳ୍ପ ସୀମା ଭିତରେ ଯେତିକି ପ୍ରୟୋଗ କରୁଥିଲେ, ଏବର ବେଶପିନ୍ଧି ବାବୁଭଳି ଦିଶୁଥିବା ଅଧ୍ୟାପକମାନେ ମଧ୍ୟ ସେତିକି ପ୍ରୟୋଗ କରୁନାହାନ୍ତି । ସେତେବେଳେ ସେହି ଅବଧାନମାନଙ୍କର ଯେତିକି ସ୍ଵାଧୀନତା ବା ସ୍ଵାଧୀନଚିନ୍ତା ରହିଥିଲା, ଆମର ଏହି ଧୋବ ଧାଉଳିଆ ଆଜ୍ଞାମାନଙ୍କର ମଧ୍ୟ ସେତିକି ସ୍ଵାଧୀନତା ନାହିଁ । ପ୍ରଧାନତଃ ନିଜ ଦୁର୍ବୁଦ୍ଧିରୁ ଏବଂ ଅଂଶତଃ ଶିକ୍ଷାନାମକ କଚେରୀର ଦୁର୍ବୁଦ୍ଧିରୁ ସେମାନେ ଆପଣାର ସ୍ଵାଧୀନତାକୁ ବିକି ଦେଇ ସାରିଲେଣି; ପ୍ରୟୋଗ କରିବାର, ନୀତି ପ୍ରୟୋଗ କରି ନିତି ଅଗ୍ରସର ହେବାର ବୁଦ୍ଧିଟିକୁ ହରାଇ ସାରିଲେଣି । ଆମ ଦେଶରେ ପ୍ରତ୍ୟେକ ଅଧ୍ୟାପକ ପ୍ରକୃତରେ ଜଣେ ଶିକ୍ଷାବିତ୍ ହୋଇଥାନ୍ତା । ଅର୍ଥାତ୍, ସେ ସବଳ ହୋଇ ରହିଥାନ୍ତି, ଆପଣାର ପୁଂଜି ବଢ଼ାଉଥାନ୍ତା, ଆପଣାର ଛାତ୍ରମାନଙ୍କୁ ଓ ସେମାନଙ୍କ ଜରିଆରେ ନିଜକୁ ନୂଆ ନୂଆ ପ୍ରସାର ଏବଂ ପ୍ରସ୍ଥ ଦେଇ ଆବିଷ୍କାର କରି ପାରୁଥାନ୍ତା । ପୁନରାବୃତ୍ତି କରୁନଥାନ୍ତା, ସୃଷ୍ଟି କରି ପାରୁଥାନ୍ତା । ଏହିପରି ଭାବରେ ସିଏ ପ୍ରାୟ ପ୍ରତିଦିନ ନିଜକୁ ଅର୍ଥାତ୍ ନିଜର ଗାରଗୁଡ଼ିକୁ ଅତିକ୍ରମ କରି ଯାଉଥାନ୍ତା । ବର୍ତ୍ତମାନ ପୁରୁଣା ବ୍ୟବସ୍ଥାଟି ଭିତରେ ଶିକ୍ଷାବିତମାନେ ଶିକ୍ଷାଯନ୍ତ୍ରୀମାନଙ୍କ କବଳରେ ପଡ଼ିଛନ୍ତି । ଶିକ୍ଷାଯନ୍ତ୍ରୀମାନେ ଆପଣାର ବହୁ ଫାନ୍ଦ ପକାଇ ଶିକ୍ଷାନାମକ ଯନ୍ତ୍ରଟିକୁ ସତେଅବା ଗୋଟାଏ ରାକ୍ଷସରେ ପରିଣତ କରି ଦେଲେଣି । ଯିଏ ଯନ୍ତ୍ରଟି ସହିତ ଖାପ୍ ଖାଇଯାଇ ପାରୁଛି, ସେଇ ଶିକ୍ଷାଯନ୍ତ୍ରୀମାନଙ୍କୁ ଅଧିକ ଧୋକାଦେଇ ପାରୁଛି ଏବଂ ତଥାପି ସବୁଠାରୁ ଅଧିକ ଧୁରନ୍ଧର ବୋଲି ସ୍ଵୀକୃତି ପାଉଛି । ତେଣୁ, ଅଧିକ କିଛି ହେବାର ବା ଅଧିକ କିଛି କରିବାର ଯଥେଷ୍ଟ ସଂକଳ୍ପ ନଥାଇ ସେହି ପୁରୁଣା ଶିକ୍ଷାଘର ଗୁଡ଼ାକର ସଂଖ୍ୟା ବା ଆକୃତି ବଢ଼ାଇଲେ ଆମେ ଶିକ୍ଷାଦେବୀଙ୍କର ବିଶେଷ କିଛି ଉପକାର କରି ପାରିବା ନାହିଁ ।

 

ତେଣୁ, ଯଦି ଶିକ୍ଷା ପ୍ରଥମତଃ ପରିବର୍ତ୍ତନ ଲାଗି ଉଦ୍ଦିଷ୍ଟ ହେବ, ତେବେ ଆମର ଶିକ୍ଷାଳୟଗୁଡ଼ିକୁ ମଧ୍ୟ ଗୋଟିଏ ଗୋଟିଏ ଅନୁରୂପ ପ୍ରୟୋଗଶାଳାରୂପେ ତିଆରି ହେବାକୁ ପଡ଼ିବ । ଆଧୁନିକ ପୃଥିବୀରେ, ବିଜ୍ଞାନ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣକୁ ଆପଣା ରଥଚକରେ ପବନ କରି ଭରି ରଖିଥିବା ଏହି ପୃଥିବୀରେ ଶିକ୍ଷାର କ୍ଷେତ୍ରରେ, ସାମାଜିକ ପରିବର୍ତ୍ତନ ନିମନ୍ତେ, ନୂଆ ନୂଆ ବାଟ ଆବିଷ୍କାର କରିବାର କ୍ଷେତ୍ରରେ କେତେ କେତେ ଅଭିନବ ପ୍ରୟୋଗମାନ କରାଯାଉଛି । ମଣିଷ ଆଧୁନିକ ହେବ, ନାଗରିକ ଜୀବନର ସକଳ ସୁଯୋଗ ଏବଂ ସାମଗ୍ରୀକୁ ସିଏ ଭୋଗ କରିବ, ଅଥଚ ତା ନିଜ ମାଟିରେ ତା’ର ଚେରଗୁଡ଼ିକ ରହିଥିବ, ସେହିସବୁ କ୍ଷେତ୍ରରେ ମଧ୍ୟ ବିଗତ ଚାରି ପାଞ୍ଚ ଦଶକରେ କେତେ ପ୍ରୟୋଗ କରାଯାଇଛି, ଏବେ ମଧ୍ୟ କରାଯାଉଛି । ଭାରତବର୍ଷର ଶିକ୍ଷାଳୟଗୁଡ଼ିକ ତା’ର ହିସାବ ରଖିବେ । ସେଗୁଡ଼ିକର ଅନୁକରଣ କରି ସେଗୁଡ଼ିକୁ ନିଜର ଦେଶ ଉପରେ ଆଣି କଦାପି ଲଦି ଦେବେ ନାହିଁ । ସେମାନେ ସେଗୁଡ଼ିକୁ ଏହି ଦେଶର ସାସ୍କୃତିକ ମାଟି ଉପରେ ପରୀକ୍ଷା କରି ଦେଖିବେ ଏବଂ ସେହି ମାଟି ପାଇଁ ଅନୁରୂପ ମାର୍ଗ ଓ କୌଶଳମାନ ଖୋଜି ବାହାରିବେ । ଭାରତବର୍ଷ କେଉଁ ଆବହମାନ ଯୁଗରୁ ଏକ ସାମନ୍ତବାଦୀ ସମାଜ ହୋଇ ରହିଆସିଛି-। ମଣିଷ ମଣିଷ ମଧ୍ୟରେ ଏଠାରେ ବହୁ ଅସମାନତା ରହି ଆସିଛି ଏବଂ ସେହି ଅସମାନତାଗୁଡ଼ିକୁ ପ୍ରାୟ ଏକ ଇଶ୍ଵରଆଦିଷ୍ଟ ଧର୍ମପରି ମାନି ନିଆଯାଇଛି । ମଣିଷ ପ୍ରତି ମଣିଷ ଅତିରିକ୍ତ ପରିମାଣରେ ଉଦାସୀନ ହୋଇ ରହିଛି । ସତେଅବା ନିଜ ଭାଗ୍ୟଟିକୁ ଭୋଗ କରିବାପାଇଁ ମଣିଷମାନେ ଏହି ସଂସାରକୁ ଆସିଛନ୍ତି ଏବଂ ନିଜ ମୋକ୍ଷର ବିଧାନ କରିବାଲାଗି ହିଁ ଏଠାରେ ଯାହାକିଛି ପ୍ରୟାସ କରୁଛନ୍ତି । ଏକ ପାରସ୍ପରିକତା ଯେ ମଣିଷମାନଙ୍କୁ ଭଗବାନଙ୍କର ଉପସ୍ଥିତି ବିଷୟରେ ଅଧିକ ବାସ୍ତବ ଏବଂ କ୍ରିୟାଶୀଳ ଭାବରେ ଜାଗରୂକ କରି ରଖିପାରନ୍ତା, ଭାରତବର୍ଷରେ ଏକଥା କ୍ଵଚିତ୍ କୁହାଯାଇଛି ।

 

ଏବଂ, ଅତୀତରେ ସେହି ପୁରୁଣା ବହଳଗୁଡ଼ିକ ଆମ ସାମୂହିକ ଜୀବନର ଦେହଟା ଉପରେ ଲେସି ହୋଇ ରହିଛି ବୋଲି ଆଧୁନିକ ଜ୍ଞାନ ଓ ବିଜ୍ଞାନର ସକଳ ସଂକ୍ରମଣ ସତ୍ତ୍ୱେ ଭାରତବର୍ଷ ସେଗୁଡ଼ିକ ଦ୍ଵାରା ଯଥେଷ୍ଟ ଫଳପ୍ରଦ ଭାବରେ ଉପକୃତ ହୋଇ ପାରୁନାହିଁ । ନୂଆ ପାଠ ପଢ଼ି ଆମ ଦେଶରେ ନୂଆ ନୂଆ ସାଆନ୍ତ ବାହାରୁଛନ୍ତି । ରାଜନୀତି ଭିତରେ ସାଆନ୍ତିଆ ଶଇତାନପଣ ହିଁ ସବୁଠାରୁ ଅଧିକ ପରାକ୍ରମ ଦେଖାଯାଉଛି । ଗଣତନ୍ତ୍ର ଖତରା ହୋଇଯାଉଛି । ଏହି ଦେଶ ଏକ ସମନ୍ଵୟ ଏବଂ ସହାବସ୍ଥିତିର ଦେଶ ବୋଲି ସଭାମାନଙ୍କରେ ନିପଟ କପଟୀମାନେ ମୃଦଙ୍ଗ ବାଡ଼େଇ କହିବାରେ ଲାଗିଛନ୍ତି ଏବଂ ଏଣେ ଜାତି ଜାତିକୁ ଘୃଣା କରୁଛି, ଧର୍ମ ଧର୍ମ ଉପରକୁ କାଦୁଅ ଫୋପାଡ଼ୁଛି; ମସଜିଦ୍ ମନ୍ଦିରକୁ ସହି ପାରୁନାହିଁ ଅଥବା ମନ୍ଦିର ମସଜିଦ୍‍କୁ ସହି ପାରୁନାହିଁ । ଦୁଷ୍ଟ ନେତୃତ୍ଵ ଅଧିକ ଦୁଷ୍ଟ ଓ ଅଧିକ ସ୍ଵେଚ୍ଛାଚାରୀ ହେବାଲାଗି ପ୍ରଶୟ ପାଉଛି । ଆଧୁନିକତାର ଉପକରଣମାନ ଆସିବା ଫଳରେ ବାହ୍ୟ ଦୂରତାଗୁଡ଼ିକରେ ହ୍ରାସ ଘଟୁଛି ସତ, ମାତ୍ର ଆମ ଭିତରଟା ଅସଲ ଶିକ୍ଷା ପାଇ ନଥିବାରୁ ଏବଂ ଅସଲ ରୁଚିଗୁଡ଼ିକୁ ଅର୍ଜନ କରି ନଥିବାରୁ ଏ ଦେଶରେ ଘୃଣା ବଢ଼ୁଛି, ଅସହିଷ୍ଣୁତା ବଢ଼ୁଛି: ସାହସ କମିଯାଉଛି, ବିଶ୍ଵାସ ନିର୍ବାର୍ଯ୍ୟ ହୋଇଯାଉଛି । ଆମ ଠାକୁରମାନେ ଆମକୁ ଅଧିକ ସଂପ୍ରସାରିତ କରିପାରିବା ପରିବର୍ତ୍ତେ ଆମକୁ ଅଧିକ ସଂକୀର୍ଣ୍ଣ ଓ ଉଗ୍ର କରି ପକାଉଛନ୍ତି ।

 

ଏହି ସବୁକିଛି ଦୁଃପରିସ୍ଥିତିକୁ ସାମନା କରିବାପାଇଁ ଆମ ଶିକ୍ଷାକୁ ଅନୁରୂପ ଭାବରେ ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିବ । ଅର୍ଥାତ୍, ଏହି ଦେଶରେ ଶିକ୍ଷାବିତମାନେ ସାହସର ସହିତ ଏଭଳି ପ୍ରୟୋଗମାନ କରିବାକୁ ଆଗଭର ଏବଂ ଅନୁରାଗୀ ହେବେ, ଯାହାଦ୍ୱାରା କି ଦେଶ ତା’ ଆହ୍ଵାନଗୁଡ଼ିକର ବୃହତ୍ତା ଅନୁପାତରେ ଉପଯୁକ୍ତ ବୃହତ୍ତା ରହିଥିବା ଜବାବଟିଏ ମଧ୍ୟ ଦେଇପାରିବ । ଆମ ଶିକ୍ଷା ଭିତରୁ ଆଖି ନେଇ ଯେଉଁ ମନୁଷ୍ୟମାନେ ବାହାରିବେ, ସେମାନେ ଅମଭଳି ଏହି ମିଛଗାରଗୁଡ଼ାକ ପାଖରେ କଦାପି ଅଟକି ଯିବେନାହିଁ, ସେମାନେ ସମଗ୍ର ପୃଥିବୀ ଲାଗି ଗ୍ରହଣଶୀଳ ହୋଇ ରହିବେ, ଆପଣାର ଗୋଡ଼ତଳେ ରହିଥିବା ମାଟିଟି ପ୍ରତି ଅନୁରାଗ ରଖିବେ, କଦାପି କୃତଘ୍ନ ହେବେନାହିଁ । ସେମାନେ ସାଆନ୍ତ ହୋଇ ରହିବାକୁ ଘୃଣା କରିବେ, ଆଧୁନିକ ସାଆନ୍ତମାନଙ୍କୁ ଅସ୍ଵୀକାର କରିପାରିବେ; ଯେଉଁ ଅସଲ ସଂହତିଗୁଡ଼ିକ ଅନୁଭବ କରିବେ । ପ୍ରଥମେ ଆପଣା ଭିତରେ ଅନୁଭବ କରିବେ ଏବଂ ତା’ପରେ ବାହାରେ ସର୍ବବିଧ ସମ୍ବନ୍ଧ ଭିତରେ ତାହାକୁ ପ୍ରତ୍ୟକ୍ଷ; ସେଗୁଡ଼ିକୁ ସ୍ଵୀକାର କରିବେ । ଆମ କଲେଜ ଏବଂ ଆମ ସ୍କୁଲଗୁଡ଼ିକ ସେଥିଲାଗି ସେମାନଙ୍କୁ ଉପଯୁକ୍ତ ପୋଷଣ ଯୋଗାଇ ଦେବାକୁ ସମର୍ଥ ହେବ । ଶ୍ରୀଯୁକ୍ତ ନରେନ୍ଦ୍ର ପ୍ରସାଦ ଦାସ ଆମ ସାମୂହିକ ଜୀବନର କ୍ଷେତ୍ରରେ ସାଆନ୍ତାମାନଙ୍କର, ଅସମ୍ମତ ମାନଙ୍କର ଏବଂ ପଳାତକମାନଙ୍କର ସଂଖ୍ୟା ବଢ଼ାଇବା ନିମନ୍ତେ କଦାପି ଗୋଟିଏ ଗୋଟିଏ ନୂଆ କଲେଜ ସ୍ଥାପନ କରିବାକୁ ଇଚ୍ଛା କରିନଥିବେ । ଆମେ ଆମ ଶୁଭାକାଙ୍କ୍ଷୀମାନଙ୍କର ଯୋଗ୍ୟ ହେବା । ତାହାହିଁ ଆମ ପୂର୍ବଗାମୀମାନଙ୍କ ପ୍ରତି ଆମ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିବାରେ ସନ୍ତକ ହୋଇ ରହିବ । ସମଗ୍ର ପୃଥିବୀରେ ଆଜି ତରୁଣମାନେ ଏକ ନୂତନ ଜୀବନବ୍ୟବସ୍ଥାର ପ୍ରତିଷ୍ଠା ଲାଗି ସଂଘବଦ୍ଧ ହୋଇ ବାହାରିଛନ୍ତି । ତାହାହିଁ ବର୍ତ୍ତମାନ ପୃଥିବୀର ସବୁଠାରୁ ବଡ଼ ଘଟଣା ବୋଲି କ୍ରମେ ସ୍ଵୀକୃତ ହେଲାଣି-। ଆମେ ସେମାନଙ୍କ ସହିତ ସହଯୋଗ କରିବା ।

 

୧୭ । ୧୨ । ୧୯୯୨

(ଶ୍ରୀଯୁକ୍ତ ନରେନ୍ଦ୍ର ପ୍ରସାଦ ଦାସ ସ୍ମାରକୀ ବକ୍ତୃତା, ଭଦ୍ରକ କଲେଜ, ୧୯୯୩)

Image

 

ନାରୀଶକ୍ତିର ସ୍ୱରୂପ

 

କେବଳ ପ୍ରାଚୀନ ଭାରତରେ କାହିଁକି, ପ୍ରାଚୀନ ତଥାକଥିତ ସଭ୍ୟ ପୃଥିବୀରେ ମଧ୍ୟ ନାରୀକୁ ପୁରୁଷ ସହିତ ଏକ ସମକକ୍ଷ ବୋଲି କେବେ ସ୍ଵୀକାର କରାଯାଇ ନ ଥିଲା । ଗ୍ରୀକ୍ ପ୍ରାଚୀନ ଗଣତନ୍ତ୍ର–ବ୍ୟବସ୍ଥାରେ କ୍ରୀତଦାସ ଓ ନାରୀମାନେ ନାଗରିକତାର ଅଧିକାରଖାତାରୁ ବାହାରେ ବାହାରେ ରହିଥିଲେ । ସେତେବେଳର ରାଜାମାନଙ୍କର ଅଂସଖ୍ୟ ରାଣୀ ଥିଲେ, ଅର୍ଥାତ୍ ସମାଜର ବରିଷ୍ଠମାନେ ନାରୀକୁ ନ୍ୟାୟତଃ ଏକ ଉପଭୋଗର ସାମଗ୍ରୀ ବୋଲି ଦେଖୁଥିଲେ । ପ୍ରାଚୀନ ସାମାଜିକ ଓ ପାରିବାରିକ ଅର୍ଥନୀତିରେ ନାରୀ ପୁରୁଷର ସମ୍ପତ୍ତିପ୍ରାୟ ହୋଇ ରହିଥିଲା । ଶାସ୍ତ୍ର ଓ କାବ୍ୟମାନଙ୍କରେ ନାରୀକୁ ଶକ୍ତି, ଦେବୀ ଓ ଜନନୀ ବୋଲି କହି ପୁରୁଷ କବିମାନେ କେତେ ଉଲ୍ଲାସ ଅନୁଭବ କରୁଥିଲେ ସତ, ମାତ୍ର ବାସ୍ତବ ସମ୍ବନ୍ଧକ୍ଷେତ୍ରଗୁଡ଼ିକରେ ନାରୀର ସର୍ବତ୍ର ଓ ସର୍ବଦା କେବଳ ଏକ ଅଧସ୍ଥନ ସ୍ଥାନ ହିଁ ରହିଥିଲା ।

 

ଭାରବର୍ଷରେ ଆମେ ଏହାର ଖୁବ୍ ବେଶୀ ବ୍ୟତିକ୍ରମ ଆଦୌ ଦେଖିବାକୁ ପାଇବା ନାହିଁ-। ପ୍ରାଚୀନ ବେଦ, ଉପନିଷଦ ଓ ଅଧ୍ୟାତ୍ମିକତା ଅନ୍ୟାନ୍ୟ ଶାସ୍ତ୍ରରେ ଠାଏ ଠାଏ ନାରୀକୁ କେତେ କ’ଣ ମଞ୍ଜୁଳତା ଦେଇ ବର୍ଣ୍ଣନା କରାଯାଇଛି ଓ ସେହିସବୁ ବର୍ଣ୍ଣନାରୁ ଉଲ୍ଲସିତ ହେବାର ଅନେକ କାରଣ ରହିଛି ସତ, ମାତ୍ର ସାମାଜିକ ଜୀବନରେ ପୁରୁଷ ଯେ ସବୁବେଳେ ନାରୀଠାରୁ ଦଶହାତ ଅଧିକ ଉଚ୍ଚରେ ରହି ଆସିଥିଲା ଓ ନାରୀକୁ ପ୍ରଧାନତଃ ଏକ ସମ୍ପତ୍ତି ରୂପେ ବ୍ୟବହାର କରୁଥିଲା, ସେଥିରେ କୌଣସି ସନ୍ଦେହ ନାହିଁ । ଭାରତୀୟ ପୁରାଣମାନଙ୍କରେ ପାତ୍ରୀ ଓ ନାୟିକାମାନଙ୍କର ଭୂମିକାଗୁଡ଼ିକର ଯେଉଁଭଳି ଚିତ୍ରଣ କରାଯାଇଛି, ସେଥିରେ ନାରୀକୁ ଏକ ସମ୍ମାନିତ ସ୍ଥାନ ଦେବାର ଦୃଷ୍ଟିରୁ ହୃଷ୍ଟ ହେବାର ପ୍ରାୟ କୌଣସି କାରଣ ନାହିଁ । ରାମାୟଣ ଓ ମହାଭାରତରେ ନାରୀ ହେଉଛି ପ୍ରଧାନତଃ ପୁରୁଷର ଅନୁଗତା ଓ ଅନୁଗାମିନୀ । ଦ୍ୟୂତକ୍ରୀଡ଼ାରେ ନିଜର ନାରୀକୁ ପୁରୁଷ ବାଜି ରଖିବାର ବିଶେଷ ଅଧିକାର ମଧ୍ୟ ଲାଭ କରିଥିଲା । ସେହି ଅଧିକାରକୁ ଅନ୍ତତଃ ମାନବିକ ଦୃଷ୍ଟିରୁ ବାଧା ଦେବାର ସାହସ ସେକାଳରେ କୁଳବୃଦ୍ଧମାନଙ୍କର ମଧ୍ୟ ନ ଥିଲା ।

 

ଭାରତୀୟ ତନ୍ତ୍ରଶାସ୍ତ୍ରରେ ଦେବୀ ହିଁ ପରମା ଆରାଧ୍ୟାରୂପେ ପ୍ରତିଷ୍ଠିତ ହେଲେ । ନାରୀଶକ୍ତିର ବହୁ ବଖାଣ ହେଲା, ଦେବୀଙ୍କର ଷୋଡ଼ଶବିଧ ଅଥବା ଷୋଳସହସ୍ରବିଧ ରୂପରେ ସ୍ତୁତି କରାଗଲା ସତ, ମାତ୍ର ଯେଉଁ ନାରୀମାନେ ସେତେବେଳେ ଚର୍ମମାଂସର ଶରୀର ଧରି ସମାଜରେ ବିଚରଣ କରୁଥିଲେ, ସେମାନଙ୍କର ସ୍ଥିତିରେ ଏହାଦ୍ଵାରା ଖୁବ୍ ବେଶୀ ପରିବର୍ତ୍ତନ ଆସିବାର କୌଣସି ସମ୍ଭାବନା ହିଁ ନ ଥିଲା । ତାନ୍ତ୍ରିକ ବାମମାର୍ଗରେ ନାରୀମାନଙ୍କୁ ସାଧନାର ସହଚରୀରୂପେ ବ୍ୟବହାର କରା ଯାଉଥିଲା । ସେତେବେଳେ ତାହାକୁ ଭୈରବୀ ବୋଲି କୁହା ଯାଉଥିଲା । ବୌଦ୍ଧ ସିଦ୍ଧାଚାର୍ଯ୍ୟ ଓ କାୟାସାଧକମାନେ ମଧ୍ୟ ଏକ ନାରୀର ସାହଚର୍ଯ୍ୟକୁ ଯେ ସାଧନାରେ ଅପରିହାର୍ଯ୍ୟ ବୋଲି ମଣୁଥିଲେ, ବୌଦ୍ଧ ଚର୍ଯ୍ୟାପଦଗୁଡ଼ିକରୁ ତାହାର ସ୍ପଷ୍ଟ ପ୍ରମାଣ ମିଳୁଛି । ମାତ୍ର, ଏହି କ୍ଷେତ୍ରରେ ନାରୀର ଭୂମିକା ଏକ ଗୌଣ ଭୂମିକା ଥିଲା । ସାଧନାରୁ ନାରୀର କୌଣସି ସିଦ୍ଧି ବା ଉତ୍‍କ୍ରାନ୍ତି ଲାଭ କରିବାର କୌଣସି ଅବକାଶ ହିଁ ନ ଥିଲା । ପୁରୁଷ ହିଁ ସିଦ୍ଧି ଲାଭ କରୁଥିଲା, ପୁରୁଷର ସିଦ୍ଧି ଲାଭରେ ନାରୀ ଏକ ସାଧନ ରୂପେ କାର୍ଯ୍ୟ କରୁଥିଲା । ଏହି ସନ୍ଦର୍ଭରେ ନାରୀକୁ ପୁରୁଷାତ୍ମାର ଗାଭୀ ବୋଲି ସାଧନାର ସୂତ୍ରକାରମାନେ କହିଛନ୍ତି । ‘ଚଣ୍ଡୀ’ରେ ଦେବୀଙ୍କୁ ଧାନ, ରୂପ ଓ ଯଶଃ ସହିତ ମନୋରମା ଭାର୍ଯ୍ୟାଟିଏ ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଛି । ଅର୍ଥାତ୍, ଚଣ୍ଡୀପାଠ ଓ ତଦାନୁଷଙ୍ଗିକ ଫଳଲାଭରେ ଯେ କେବଳ ପୁରୁଷର ହିଁ ଅଧିକାର ରହିଥିଲା, ସେଥିରୁ ତାହାର ସୂଚନା ମିଳି ଯାଉଛି । ଗୌତମ ବୁଦ୍ଧ ଭାରତୀୟ ଧର୍ମାନୁଷ୍ଠାନରେ ଅନେକ ପରିବର୍ତ୍ତନର ଆହ୍ଵାନ ଦେଇଥିଲେ, ସାମାଜିକ ଅନେକ ପରମ୍ପରା ବିରୋଧରେ ନିଜର ପ୍ରତିବାଦ ଜଣାଇଥିଲେ ସତ, ମାତ୍ର ପୁରୁଷ ସହିତ ନାରୀର ତୁଳନାତ୍ମକ ଯୋଗ୍ୟତାଗୁଡ଼ିକର କ୍ଷେତ୍ରରେ ସେ ସତେଅବା ଆଦୌ କୌଣସି ହସ୍ତକ୍ଷେପ କରି ନ ଥିବା ପରି ମନେ ହୁଏ । ଭିକ୍ଷୁ–ସଂଘ ପରି ଭିକ୍ଷୁଣୀ–ସଂଘ ଲାଗି ସେ ପ୍ରଥମେ କୌଣସି ଅନୁମତି ଦେଉ ନ ଥିଲେ । ପରେ ଶିଷ୍ୟମାନଙ୍କର ବାରମ୍ବାର ଅନୁରୋଧରେ ସେ ଏଥିଲାଗି ଅନୁମତି ଦେଇଥିଲେ ସତ, ମାତ୍ର ତଥାପି ସତେଅବା କୌଣସି ଭୁଲ୍ କରି ପକାଇଥିଲା ପରି ଥରେ ନିଜର ପ୍ରିୟ ଶିଷ୍ୟ ଆନନ୍ଦଙ୍କୁ କହିଥିଲେ, “ଆନନ୍ଦ, ମୁଁ ଯେଉଁ ଧର୍ମର ପ୍ରବର୍ତ୍ତନ କରିଥିଲି, ତାହା ପାଞ୍ଚହଜାର ବର୍ଷ ବଞ୍ଚି ରହିଥାନ୍ତି । ମାତ୍ର, ତାହା କେବଳ ପାଞ୍ଚଶହ ବର୍ଷ ହିଁ ବଞ୍ଚିବ, କାରଣ ଆମେ ନାରୀମାନଙ୍କୁ ସଂଘ ମଧ୍ୟରେ ପ୍ରବେଶ କରିବାର ଅନୁମତି ପ୍ରଦାନ କଲୁ-।’’ ଏଠାରେ ଉଲ୍ଲେଖ କରି ରଖିବା ଉଚିତ ଯେ, ଗୌତମ ବୁଦ୍ଧଙ୍କ କାଳରେ ଭିକ୍ଷୁଣୀ–ସଂଘ ଭିକ୍ଷୁ–ସଂଘର ଅଧୀନ ହୋଇ ରହିଥିଲା, ରିକ୍ଷୁସଂଘ ବାନ୍ଧି ଦେଇଥିବା ଶୃଙ୍ଖଳା ଅନୁସାରେ ଚଳୁଥିଲା-

 

ଭାରତୀୟ ଇତିହାସର ବିଭିନ୍ନ ଯୁଗରେ ଜଣେ ଜଣେ ନାରୀ ରାଜନୀତିକ ତଥା ସାମାଜିକ ପ୍ରତିଷ୍ଠା ଲାଭ କରି ପାରୁଥିଲେ ଓ ଜ୍ଞାନାର୍ଜନର କ୍ଷେତ୍ରରେ ଆପଣାର ବ୍ୟୁତ୍ପତ୍ତି ଦେଖାଇଥିଲେ ସତ, ମାତ୍ର ବୃହତ୍ତର ନାରୀଜାତି ଅବହେଳିତ ହୋଇ ରହିଥିଲା । ନାରିଜନ୍ମକୁ ଅନେକ ସମୟରେ ଶୁଦ୍ରଜନ୍ମଠାରୁ ମଧ୍ୟ ଅଧିକ ହେୟ ବୋଲି ବିଚାର କରାଯାଉଥିଲା । ଗୁପ୍ତ କାଳରେ ଆମେ ଖନା ଓ ଅନ୍ୟ କେତେଜଣ ନାରୀଙ୍କର ପ୍ରତିଷ୍ଠା ବିଷୟ ବହିରେ ପଢ଼ିଛେଁ । ଓଡ଼ିଶାର ଦୁଇରାଣୀ ତ୍ରିଭୁବନ ମହାଦେବୀ ଓ ଦଣ୍ଡୀ ମହାଦେବୀଙ୍କର ନାମ ମଧ୍ୟ ଶୁଣିଛେଁ । ମାତ୍ର, ତାହାକୁ ଅନେକ ଯୁକ୍ତିଯୁକ୍ତତା ସହିତ ଯୁକ୍ତରାଜ୍ୟ ଆମେରିକାର ‘ଟୋକନ୍’ ରୀତିଦ୍ଵାରା କଳାଗୋରା ଭେଦର ସମସ୍ୟାଟିକୁ ଏକଟା ସମାଧାନ କରିଦେବାର ଉଦ୍ୟମଟି ସହିତ ସମତୁଲ କରି ଦେଖାଯାଇ ପାରିବ । କେତେଜଣ କୁଷ୍ଣକାୟଙ୍କୁ ସରକାର ଭିତରେ ଉଚ୍ଚପଦ ବା ଉଚ୍ଚସ୍ଥାନ ଦେଇ ନିଗ୍ରୋକୂଳରେ ଜନ୍ମ ହୋଇ ମଧ୍ୟ ସେମାନେ ଏଡ଼େ ଏଡ଼େ ଉଚ୍ଚ ଆସନକୁ ଯାଇ ପାରିଛନ୍ତି ଓ ତେଣୁ ଯୁକ୍ତରାଜ୍ୟରେ ଗୋରାକଳାର କୌଣସି ବାଛବିଚାର ନାହିଁ ବୋଲି କୈଫିୟତ୍ ଦିଆ ଯାଉଥିଲା । ଆମେରିକାରେ ସମ୍ଭବତଃ ଏବେ ମଧ୍ୟ କେତେକ ଗୋରାମଣିଷ ଥିବେ, ଯେଉଁମାନେ କି ଏହିଭଳି ଏକ ଯୁକ୍ତିରେ ବିଶ୍ଵାସ ରଖିଥିବେ । ସୁଙ୍ଗବଂଶର ରାଜା ପୁଷ୍ପମିତ୍ର ବ୍ରାହ୍ମଣ ଥିଲେ ଓ ମୌର୍ଯ୍ୟବଂଶର ଶେଷ ବୌଦ୍ଧରାଜାଙ୍କୁ ହତ୍ୟା କରି ସିଏ ସିଂହାସନ ଆରୋହଣ କରିଥିଲେ । ଗବେଷକମାନେ କହନ୍ତି ଯେ, ଏହି ପୁଷ୍ପମିତ୍ରଙ୍କ ସମୟରେ ସମାଜ–ଧର୍ମଶାସ୍ତ୍ର ‘ମନୁସଂହିତା’ର ପ୍ରଣୟନ ହୋଇଥିଲା-। ତତ୍କାଳୀନ ସମାଜର ରୀତିକୁ ସୁହାଇଲା ଭଳି ‘ମନୁସଂହିତା’ ଲେଖା ହୋଇଥିଲା । ନାରୀମାନଙ୍କୁ ସେଥିରେ ଯେଉଁଭଳି ନ୍ୟୁନ ଦୃଷ୍ଟିରେ ଦେଖା ଯାଇଛି, ସେଥିରେ ଆମ ଏ ଯୁଗର କେବଳ ଜଣେ ସମ୍ମାନବୋଧସମ୍ପନ୍ନା ନାରୀ ନୁହେଁ, ଯେକୌଣସି ସୁରୁଚିସମ୍ପନ୍ନ ପୁରୁଷ ମଧ୍ୟ ନ୍ୟାୟତଃ ଲଜ୍ଜାବୋଧ କରିବା ।

 

ଭାରତୀୟ କର୍ମବାଦ ଓ ଏପରିକି ମାୟାବାଦ ମଧ୍ୟ ନାରୀକୁ ଏକ ନ୍ୟୁନ ବର୍ଗ ଭାବରେ ଦେଖିବାର ଅପସଂସ୍କୃତିକୁ ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ଅନେକ ପ୍ରୋତ୍ସାହନ ଦେଇ ଆସିଛି । ସମାଜର ଉତ୍ପାଦନ ତଥା ଉପାର୍ଜନ–ପ୍ରକ୍ରିୟାରେ ଭାରତୀୟ ଉଚ୍ଚ ଓ ମଧ୍ୟମ ବର୍ଗର ନାରୀମାନେ କୌଣସି ଭାଗ ନେଉ ନଥିଲେ । ତେଣୁ ସେମାନେ ଉତ୍ପାଦକ ଓ ଉପାର୍ଜକ ପୁରୁଷ ପାଇଁ ପ୍ରଧାନତଃ ଏକ ଭୋଗସାମଗ୍ରୀ ହୋଇ ରହିଥିଲେ । ପାରମ୍ପରିକ ଭାରତୀୟ ସମାଜରେ ଏକ ପୁତ୍ରସନ୍ତାନର ଜନ୍ମକୁ ଅହୋଭାଗ୍ୟ ବୋଲି ଗଣା ଯାଉଥିଲା ଏବଂ ସେହି କାରଣରୁ ସଦ୍ୟଜାତା କନ୍ୟାମାନଙ୍କୁ ନଦୀରେ ଫିଙ୍ଗି ଦେଇ ଆସିବା ପ୍ରାୟ ଏକ ସାମାଜିକ ରୀତି ହୋଇ ରହିଥିଲା । ରାଜପୁତ ରମଣୀମାନଙ୍କର ଜୌହର ପ୍ରଥା ହୁଏତ ସୂଚନା ଦେଉଛି ଯେ, ପୁରୁଷ ପତି ବ୍ୟତୀତ କୁଳବଧୂମାନଙ୍କର ସଂସାରରେ ବୀର ରହିବା ନିମନ୍ତେ ସତେଅବା ଆଦୌ କୌଣସି ଔଚିତ୍ୟ ନ ଥିଲା । ଖୁବ୍ ସମ୍ଭବ ସେହି ରାଜପୁତ କୂଳରୁ ହିଁ ସତୀଦାହ–ପ୍ରଥାର ଉଦ୍‍ଭାବ ହୋଇଥିଲା । ଭାରତରେ ମୁସଲମାନ ରାଜତ୍ଵ ସମୟରେ ହିନ୍ଦୁ ସମାଜରେ ସତତ ରହି ଆସିଥିବା ରକ୍ଷଣଶୀଳତା ଆହୁରି ଅଧିକ ରକ୍ଷଣଶୀଳ ହୋଇ ପଡ଼ିଥିଲା । କତିପୟ ମାତୃପ୍ରଧାନ ସମାଜକୁ ଛାଡ଼ି ଦେଲେ ଭାରତୀୟ ପରିବାରର ଅନ୍ୟ ସବୁଠାରେ ପିତାର ହିଁ କର୍ତ୍ତୁତ୍ଵ ରହିଥିଲା । ଏବେ ମଧ୍ୟ ଭାରତବର୍ଷରେ ଶିକ୍ଷାର ବହୁତର ପ୍ରସାର ହେବା ପରେ ଓ ଦେଶ ରାଜନୀତିକ ସ୍ଵାଧୀନତା ଲାଭ କରିବାର ଏତେବର୍ଷ ପରେ ମଧ୍ୟ ଏଠି ପିତୃପ୍ରଧାନ ଓ ମାତୃପ୍ରଧାନ ପରିବାର ମଧ୍ୟରେ ଅତ୍ୟନ୍ତ ଦୃଶ୍ୟମାନ ଭାବରେ ଏହି ପ୍ରଭେଦଟି ପରିଲିକ୍ଷିତ ହୋଇଥାଏ ।

 

ଉନବିଂଶ ଶତାବ୍ଦୀର ମଧ୍ୟଭାଗଯାଏ ଆମେ ନାରୀ–ପୁରୁଷ ବ୍ୟବଧାନର କ୍ଷେତ୍ରରେ ପ୍ରାୟ ଏହି ରୀତିଟିକୁ ଦେଖିବାକୁ ପାଇବା । ଭାରତୀୟ ସମାଜରୂପୀ ଅଚଳାୟତନରେ ପ୍ରଥମ ଶକ୍ତିଶାଳୀ ଆଘାତ ଆସି ବାଜିଲା ଇଉରୋପୀୟ ଜୀବନଦୃଷ୍ଟି ସହିତ ଭାରତବର୍ଷର ଏକ ସମଗ୍ର ସଂସ୍ରବ ଘଟିବାଦ୍ଵାରା । ଭାରତୀୟ ପାରମ୍ପରିକ ସମାଜକୁ ଶ୍ରୀଅରବିନ୍ଦ ପ୍ରଧାନତଃ ଏକ typal ଏବଂ conventional ସମାଜ ରୂପେ ଅଭିହିତ କରିଛନ୍ତି । typal ଓ conventional ସମାଜରେ କେତେଟା ବିଧି, ପ୍ରରୂପ ବା typeକୁ ଅକାଟ୍ୟ ଓ ଏକମାତ୍ର ସମ୍ଭବ ସତ୍ୟ ବୋଲି ମାନି ନିଆଯାଇଥାଏ ଓ convention ଅର୍ଥାତ୍ ପରମ୍ପରାଗୁଡ଼ିକୁ ଧର୍ମୀୟତା ଦ୍ଵାରା ଶାଣ କରି ଅବଶ୍ୟପାଳନୀୟ ବୋଲି ସତର୍କ କରିଦିଆ ଯାଇଥାଏ । ଏଗୁଡ଼ିକୁ ମାନି ଚାଲିଲେ ଇହଧାମରେ ସୁଖଲାଭ ଏବଂ ପରଧାମରେ ସ୍ଵର୍ଗଲାଭ; ଅନ୍ୟ ପକ୍ଷରେ, ଏଗୁଡ଼ିକର ଲଙ୍ଘନ କଲେ ଇହ ଜୀବନରେ ସାମାଜିକ ବହିଷ୍କାର ଓ ତଜ୍ଜନିତ ଯାବତୀୟ ଗଞ୍ଜଣା, ଏବଂ ପରଧାମରେ ସୁନିଶ୍ଚିତ ନର୍କବାସ । ସମାଜବିତ୍ David Reismanଙ୍କ ବିଶ୍ଳେଷଣ ଅନୁସାରେ ଭାରତୀୟ ସମାଜକୁ ଏକ Tradition–directed ବା ପରମ୍ପରା ଦ୍ଵାରା ପରିଚାଳିତ ଓ ପ୍ରପୀଡ଼ିତ ସମାଜ ବୋଲି କୁହାଯାଇପାରିବା । ଏସବୁ ସମାଜ ସାଧାରଣତଃ ସହଜରେ ନିଜର ମାନି ଆସୁଥିବା ଗୁଳାଗୁଡ଼ିକୁ ଛାଡ଼ିପାରେ ନାହିଁ, ଅଭ୍ୟସ୍ତ ବିଧିଗୁଡ଼ିକ ମଧ୍ୟରୁ ବାହାରି ଆସି ପାରେ ନାହିଁ । ପଣ୍ଡିତମାନେ, ମାନ୍ୟଗଣ୍ୟମାନେ ବହିରେ ବହୁ ପ୍ରଗତିଶୀଳ କଥା କହୁଥାନ୍ତି ଓ ଆଲୋକନକାରୀ ବହୁ ପ୍ରତିଶ୍ରୁତିର ବୟାନ କରୁଥାନ୍ତି ସତ, ମାତ୍ର ଉପରେ ବାସ୍ତବ ଜୀବନରେ ସତକୁ ସତ କିଛି ବଦଳେ ନାହିଁ । ନୂଆ ଘଡ଼ାରେ ସେହି ପୁରୁଣା ସୁରା ପରଷା ହେବାରେ ଲାଗିଥାଏ । ନାରୀମାନଙ୍କ ପ୍ରତି ରହିଆସିଥିବା ଆମର ଦୃଷ୍ଟିର କ୍ଷେତ୍ରରେ ମଧ୍ୟ ଠିକ୍ ଏହି ନିୟମଟି ପ୍ରାୟ ଅମୋଘ ଭାବରେ କାମ କରିଆସିଛି ।

 

ଇଉରୋପୀୟମାନେ ଭାରତବର୍ଷରେ ଆସି ପହଞ୍ଚିବା ବେଳକୁ ଇଉରୋପ ପାରମ୍ପରିକ ପର୍ଯ୍ୟାୟର ଅତୀତଗୁଡ଼ାକୁ ଛାଡ଼ି ଏକ ଆଧୁନିକ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା । ଚତୁର୍ଦ୍ଦଶ ପଞ୍ଚଦଶ ଶତାବ୍ଦୀରୁ ଇଉରୋପୀୟ ରେନେସାଁସ୍ ବହୁ ବାଧା ଓ ପ୍ରତିରୋଧର ସମ୍ମୁଖୀନ ହୋଇ ମଧ୍ୟ ଆଧୁନିକ ବିଜ୍ଞାନ ତଥା ବୈଜ୍ଞାନିକ ଦୃଷ୍ଟିକୋଣର ଅଭ୍ୟୁଦୟ ଘଟିବାରେ ଲାଗିଥିଲା । ମାର୍ଟିନ୍ ଲୁଥର୍ ଓ ତାଙ୍କର ପ୍ରେରଣାନୁରାମୀମାନେ ପ୍ରାଚୀନ ଧର୍ମକର୍ତ୍ତୃତ୍ଵର କଠିନ ଶିଳାଟିକୁ ଚଳାଇ ଦେଇ ପାରିଥିଲେ । Age of Enlightenmentର ନୂତନ ସୂରୀମାନେ ବିଚାର ଓ ସତ୍ୟର କ୍ଷେତ୍ରରେ ମଧ୍ୟ ସଂପୂର୍ଣ୍ଣ ଏକ ନୂତନ ଦୃଷ୍ଟିକୋଣର ବାହକ ରୂପେ ଆସି ଆବିର୍ଭୂତ ହୋଇଥିଲେ । ପଞ୍ଚଦଶରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତବର୍ଷର ଯୁଗଟି ହେଉଛି ଏକ ନିର୍ମମ ସାମନ୍ତବାଦୀ ଆଦିମତାର ଯୁଗ । ମାତ୍ର ଇଉରୋପ ଲାଗି ସେହି ଅବଧିଟି ହେଉଛି ଏକ ସମ୍ଭବାନାମୟ ଓ ପ୍ରତ୍ୟୟଦାୟୀ ବହୁ ଉନ୍ମୋଚନର ଯୁଗ । ଇଉରୋପୀୟ ସାମ୍ରାଜ୍ୟ ବିସ୍ତାର ସହିତ ଏହି ଇଉରୋପୀୟ ନୂତନ ଦୃଷ୍ଟିଟି ମଧ୍ୟ ଭାରତବର୍ଷକୁ ଅତ୍ୟନ୍ତ ଅପ୍ରତିରୋଧ୍ୟ ଭାବରେ ସଂକ୍ରାମିତ ହୋଇ ଆସିଥିଲା । ରିଫର୍ମେଶନର ଆନୁଷଙ୍ଗିକ ପରିଣାମରୂପେ ଇଉରୋପୀୟ ଭୂଖଣ୍ଡରେ ଏକ ନୂତନ ସାମାଜିକ ଜାଗରଣ ମଧ୍ୟ ଦେଖା ଦେଇଥିଲା । ସାମନ୍ତବାଦ ଗଲା, ଏକ ନୂତନ ମୂଲ୍ୟବୋଧ ଦେଇ ମଣିଷକୁ ଦେଖିବାର ମଞ୍ଜି ପୋତାଗଲା । କୃଷକମାନେ ବିଦ୍ରୋହ କଲେ । ଶିଳ୍ପ–ବିପ୍ଳବ ସଙ୍ଗେ ସଙ୍ଗେ ଶ୍ରମଚେତନାରେ ମଧ୍ୟ ଏକ ନୂତନ ସଂଜ୍ଞା ଆସି ପହଞ୍ଚିଲା । ଶିକ୍ଷାର ନୂତନ ଆନ୍ଦୋଳନମାନ ପୁରାତନ ବହୁ ରକ୍ଷଣଶୀଳତାକୁ ପଛରେ ଛାଡ଼ି ଚାଲି ଆସିଲା । ମଣିଷ ରୂପେ ମଣିଷକୁ ଦେଖିବାର ଏକ ନୂତନ ଉଦବୋଧନ ଇଉରୋପୀୟ ଜୀବନକୁ ସତେଅବା ଏକ ନୂତନ ପ୍ରସ୍ଥକୁ ଉତ୍ତୋଳିତ କରି ନେଇଥିଲା । ଏହି ପରିବର୍ତ୍ତନଟିକୁ ଶ୍ରୀଅରବିନ୍ଦ ଏକ ବ୍ୟକ୍ତିସଚେତନତାର ଯୁଗ ବୋଲି କହିଛନ୍ତି । ମନୁଷ୍ୟ କହିଲେ ସମାଜରେ ପ୍ରତ୍ୟେକ ମନୁଷ୍ୟକୁ ବୁଝିବାକୁ ହେବ, ସାମାଜିକ ଯାବତୀୟ ନିର୍ଦ୍ଧାରଣରେ ପ୍ରତ୍ୟେକ ମନୁଷ୍ୟକୁ ଗଣା କରିବାକୁ ହେବ, ଇଉରୋପୀୟ ସମାଜଦର୍ଶନ ସମାଜବିଜ୍ଞାନର ପରବର୍ତ୍ତୀ ସ୍ତରଟିକୁ ଉନ୍ନୀତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ଏହି ସତ୍ୟଟିକୁ ଯାବତୀୟ ମାନବସମ୍ଭବ ଓ ମାନବ–ବ୍ୟବସ୍ଥାର ମୂଳସତ୍ୟ ବୋଲି ଗ୍ରହଣ କରି ନିଆଗଲା । ପ୍ରୟୋଗାତ୍ମକ ବିଜ୍ଞାନଗୁଡ଼ିକର କ୍ରମାଗ୍ରଗତି ସଙ୍ଗେ ସଙ୍ଗେ ପୁରାତନ ଅର୍ଥନୀତି ମଧ୍ୟ ବଦଳିଗଲା । ଉତ୍ପାଦନ–ସମ୍ବନ୍ଧଗୁଡ଼ିକ ବଦଳଯିବା ସଙ୍ଗେ ସଙ୍ଗେ ମଣିଷମାନଙ୍କ ଭିତରେ ଜଣେ ଜଣେ ମନୁଷ୍ୟ ହିସାବରେ ଏକ ନୂତନ ପ୍ରତ୍ୟୟ ଜନ୍ମଲାଭ କଲା । ଅଷ୍ଟାଦଶ ଶତାବ୍ଦୀର ଫରାସୀ ବିପ୍ଳବ, ଉନବିଂଶ ଶତାବ୍ଦୀର କାର୍ଲ ମାର୍କସ୍‍ଙ୍କର ସାମ୍ୟବାଦୀ ଭବିଷ୍ୟଦୃଷ୍ଟି ଏବଂ ଅନ୍ତଃବର୍ତ୍ତୀ ଶତାବ୍ଦୀଗୁଡ଼ିକର ନୈରାଜ୍ୟବାଦୀ ମାନବପ୍ରଧାନ ସମାଜକଳ୍ପନା ପ୍ରଭୃତିକୁ ମଧ୍ୟ ଆମେ ଏହି ମୁଖ୍ୟ ଆଲୋଡ଼ନଗୁଡ଼ିକ ସହିତ ଏକତ୍ର ସାମିଲ କରି ଦେଖିବା ।

 

ଇଉରୋପୀୟ ନାରୀମୁକ୍ତି–ଆନ୍ଦୋଳନର ବାସ୍ତବ ଉଦଭବମାନ ଏହି ସମଗ୍ର ଉନ୍ନୋଚନ ପର୍ବଟିରୁ ହିଁ ସଂଘଟିତ ହୋଇଥିଲା । ଉନବିଂଶ ଶତାବ୍ଦୀର ମଝି ବେଳକୁ ପଶ୍ଚିମ ଇଉରୋପରେ ସାର୍ବଜନୀନ ବାଧ୍ୟତାମୂଳକ ଶିକ୍ଷାର ପ୍ରବର୍ତ୍ତନ ହୋଇ ସାରିଥିଲା । ଇଉରୋପୀୟ ଜାତୀୟତାବାଦୀ ଆନ୍ଦୋଳନଗୁଡ଼ିକ ମଧ୍ୟ ନାରୀଲାଗି ଏକ ନୂତନ ସମ୍ମାନକର ଭୂମିକା ଆଣିଦେବାରେ ପ୍ରଭୂତ ପ୍ରୋତ୍ସାହନ ଯୋଗାଇ ଦେଉଥିଲେ । ତତ୍କାଳୀନ ଇଉରୋପୀୟ ସାହିତ୍ୟ ନାରୀମୁକ୍ତିର ଅନୁକୂଳ ପରିବେଶଟିଏ ସୃଷ୍ଟି କରିବାରେ ନିମିତ୍ତ ରୂପେ କାର୍ଯ୍ୟ କରିଥିଲା । ବିଜ୍ଞାନର ନୂତନ ଉଦଭାବନମାନ ଗୃହଜୀବନକୁ ମଧ୍ୟ ଅଧିକ ସହଜ କରି ଆଣିଲା, ଗୃହକରଣାର ନୀରସ ଶ୍ରମକ୍ଲେଶଗୁଡ଼ିକୁ କ୍ରମେ ଦୂର କରିବାକୁ ଆରମ୍ଭ କଲା, ନାରୀକୁ ଆପଣାର ମୂଳଭୂତ ମାନବପ୍ରତିଷ୍ଠା ବିଷୟରେ ଅଧିକ ସଚେତନ ସମୀକ୍ଷା ଏବଂ ଆତ୍ମମନ୍ଥନ ଲାଗି ପର୍ଯ୍ୟାପ୍ତ ଅବସର ଆଣିଦେଲା । ଆଧୁନିକ ନାରୀମୁକ୍ତ ଆନ୍ଦୋଳନ ଏକ ସ୍ଵତନ୍ତ୍ର ପ୍ରତିଷ୍ଠା ଲାଭ କଲା । ଆପଣାର ଚରମ ଉତ୍କଟତାର କେତକ ସ୍ତରରେ ତାହା Feminismର ଆନ୍ଦୋଳନ ରୂପେ ପରିଚିତ ହେଲା, ସ୍ଵୀକୃତି ମଧ୍ୟ ଲାଭ କଲା । ଶିକ୍ଷାର ନବୀକରଣ ସଙ୍ଗେ ସଙ୍ଗେ ମଣିଷର ଗୋଡ଼ରୁ ଧର୍ମର ଶାସ୍ତିବାଦୀ ଶୃଙ୍ଖଳଗୁଡ଼ିକ ମଧ୍ୟ ଖସି ପଡ଼ିଲା ଏବଂ ଇଉରୋପୀୟ ବାଣିଜ୍ୟ ଇଉରୋପର ସରହଦକୁ ଡେଇଁ ଆଫ୍ରିକା ଓ ଏସିଆକୁ ବିସ୍ତାରିତ ହୋଇ ଆସିବା ସଙ୍ଗେ ସଙ୍ଗେ ତତ୍କାଳୀନ ଇଉରୋପୀୟ ଚିନ୍ତାଧାରାଗୁଡ଼ିକ ମଧ୍ୟ ଏହି ପ୍ରାଚୀନ ଭୂଖଣ୍ଡଗୁଡ଼ିକୁ ସଂକ୍ରାମିତ ହୋଇ ଆସିଥିଲା । ତାହା ସଂପୃକ୍ତ ଉପନିବେଶଗୁଡ଼ିକରେ ମଧ୍ୟ ଏକ ନୂତନ ଆଲୋଡ଼ନ ସୃଷ୍ଟି କଲା । ସ୍ଵୀକୃତ ଗୁହାଗୁଡ଼ିକରେ ଭୀତିସଞ୍ଚାର କଲା, ସଂସ୍କୃତି ସଂସ୍କୃତି ମଧ୍ୟରେ ସଂସ୍ରବ ଓ ସଂଘାତ ଘଟିଲା । ସତେଅବା ଏକ ନୂତନ ପରିଚୟ ଓ ତଜ୍ଜନିତ ନୂତନ ପରିବର୍ତ୍ତନର ଆହ୍ଵାନମାନ ଆସି ପହଞ୍ଚିଲା । ଭାରତବର୍ଷରେ ମଧ୍ୟ ବିଶେଷ ଭାବରେ ତାହାହିଁ ହେଲା । ଉନବିଂଶ ଶତାବ୍ଦୀର ମଧ୍ୟଭାଗରୁ ସେହି ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଏହି ଅବଧିଟିକୁ ଭାରତୀୟ ଆଲୋଚକମାନେ ରେନେସାଁସ୍‍ର ଯୁଗ ବୋଲି କହନ୍ତି । ଏହି ସଂଘାତ ଯୁଗଟି କେତେକ ପୁନର୍ଜାଗରଣ କାରଣ ଅବଶ୍ୟ ହୋଇଥିଲା, ତଥାପି ଅଧିକତର ସଂଗତି ସହିତ ଭାରତୀୟ ପକ୍ଷରୁ ବିଚାର କରି ଏହାକୁ ଏକ ନବଜାଗରଣର ଯୁଗ ବୋଲି କୁହାଯାଇ ପାରିବ ।

 

ନବଜାଗରଣର ଏହି ଯୁଗରେ ଭାରତବର୍ଷରେ ବହୁ ମନୀଷୀଙ୍କର ଆବିର୍ଭାବ ହୋଇଥିଲା । ଊନବିଂଶ ଶତାବ୍ଦୀର ଶେଷ ପାଞ୍ଚୋଟି ଦଶକରେ ଏଠି ଯେତେ ସଂଖ୍ୟାରେ ମନୀଷୀ, ଦ୍ରଷ୍ଟା ଓ ଚିନ୍ତାନାୟକ ଜନ୍ମଗ୍ରହଣ କରିଛନ୍ତି, ପୃଥିବୀର ଇତିହାସରେ କୌଣସି ଯୁଗରେ ତାହାର ସମାନ୍ତର ନାହିଁ । ଏହି ମନୀଷୀମାନେ ବହୁ କ୍ଷେତ୍ରର ଥିଲେ, ତଥାପି ସେମାନେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତିର ସଂଘାତ ଓ ସମନ୍ୱୟରୁ ହିଁ ସମ୍ଭୁତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ରାଜା ରାମମୋହନ ରାୟଙ୍କ ପରି କେତେଜଣ ଇଂରେଜମାନଙ୍କ ମାଧ୍ୟମରେ ଇଉରୋପୀୟ ସଂସ୍କୃତିର ଏହି ସଂକ୍ରମଣକୁ ଭଗବାନଙ୍କର ଏକ ସଦୟ ବରଦାନ ବୋଲି ଗ୍ରହଣ କରିଥିଲେ ଏବଂ ସ୍ଵାମୀ ଦୟାନନ୍ଦଙ୍କ ପରି ଆଉ କେତେଜଣ ଏହି ସଂସ୍ରବଟିର ପ୍ରତିକ୍ରିୟା ସ୍ୱରୂପ ଭାରତ ସୁଦୂର ଅତୀତରେ ରହିଥିବା ଆପଣାର ଆର୍ଯ୍ୟ ମୂଳଭୂମିଟିକୁ ଫେରିଯାଉ ବୋଲି ଆହ୍ଵାନ ମଧ୍ୟ ଦେଇଥିଲେ । ଏହି ମନୀଷୀମାନେ ଧର୍ମର ନୂତନ ସମୀକ୍ଷା କରିଥିଲେ, ଶିକ୍ଷା କ୍ଷେତ୍ରରେ ନୂତନ ନେତୃତ୍ଵ ଦେଇଥିଲେ, ଏକ ରାଜନୈତିକ ନୂତନ ଚେତାନାକୁ ସଞ୍ଚାରି ଆଣିବାରେ ନିମିତ୍ତରୂପେ କାର୍ଯ୍ୟ କରିଥିଲେ । ଭାରତବର୍ଷରେ ମନୁଷ୍ୟ–ସ୍ଵୀକୃତିର ପାରମ୍ପରିକ ବ୍ୟାକରଣଗୁଡ଼ିକ ବଦଳିଗଲା । ଭାରତୀୟ ଚେତନା ତଥା ସମୀକ୍ଷାରେ ସଦନଟିରେ ବହୁ ନୂତନ ଗବାକ୍ଷ ଖୋଲିଗଲା ଏବଂ ସତେଅବା ଆଗାମୀ ଦଶକଗୁଡ଼ିକ ଲାଗି ଜାତୀୟ ଅଭିକ୍ରମଗୁଡ଼ିକର କ୍ଷେତ୍ରରେ ଏକ ନୂତନ ମୂଳଦୁଆ ପକାଇ ଦେଇଥିଲା । ବାହାରୁ ଆସୁଥିବା ସ୍ପର୍ଶଗୁଡ଼ିକୁ ଅନୁଭବ କରୁ କରୁ ଭାରତବର୍ଷ ବହୁ ଅଭୂତପୂର୍ବ ପ୍ରସ୍ଥ ଦେଇ ନିଜକୁ ମଧ୍ୟ ଅବଲୋକନ କରିବାକୁ ଆରମ୍ଭ କଲା । ଆପଣା ଘରେ ସାର ଅସାର ବାଛିବାକୁ ଆରମ୍ଭ କଲା ଓ ଏକ ନୂତନ ବିବେକ ଦ୍ଵାରା ପାଶ୍ଚାତ୍ୟରୁ କ’ଣ ସବୁ ଗ୍ରହଣୀୟ ବା ଗ୍ରହଣୀୟ ନୁହେଁ, ଗମ୍ଭୀର ଭାବରେ ସେକଥା ମଧ୍ୟ ଚିନ୍ତା କଲା । ଏହିପରି ଭାବରେ ସମନ୍ଵୟର ଏକ ଅଭିନବ ପ୍ରକ୍ରିୟା ଆରମ୍ଭ ହୋଇଗଲା ।

 

ଦୁଇ ସଂସ୍କୃତର ଏହି ସଂଘାତ ଓ ସମ୍ମିଳନ ହେତୁ ଭାରତବର୍ଷ ଯେଉଁ ଅଭ୍ୟୁଦୟ ଦ୍ଵାରା ସମୃଦ୍ଧ ହେଲା, କବି ରବୀନ୍ଦ୍ରନାଥ, ମହାତ୍ମା ଗାନ୍ଧୀ, ସ୍ଵାମୀ ବିବେକାନନ୍ଦ ଓ ଶ୍ରୀଅରବିନ୍ଦଙ୍କୁ ଆମେ ତାହାର ଗୋଟିଏ ଗୋଟିଏ ସର୍ବଶ୍ରେଷ୍ଠ ସଂଘଟନ ବୋଲି କହିବା । ଏମାନଙ୍କ ମଧ୍ୟରୁ କେହି ଜଣେ ହେଲେ କେବଳ ଗୋଟିଏ ପଟର ପ୍ରଭାବ ଦ୍ଵାରା ପ୍ରଭାବିତ ହୋଇ ନ ଥିଲେ । ରବୀନ୍ଦ୍ରନାଥ ଓ ଶ୍ରୀଅରବିନ୍ଦ ଅତି ଶୈଶବକାଳରୁ ଇଉରୋପ ଯାଇଥିଲେ ଓ ସେଠାରେ ଶିକ୍ଷାଲାଭ କରିଥିଲେ । ମହାତ୍ମା ଗାନ୍ଧୀ ପ୍ରଥମ ଯୌବନରେ ବିଲାତ ଗଲେ । ଏବଂ, ଭାରତୀୟ ସନ୍ନ୍ୟାସାମାର୍ଗରେ ଦୀକ୍ଷିତ ହୋଇ ସାରିବା ପରେ ସ୍ଵାମୀ ବିବେକାନନ୍ଦ ଆମେରିକା ଓ ଇଉରୋପ ଯାତ୍ରା କରିଥିଲେ । ଆପଣାର ଜୀବନ ଦୃଷ୍ଟିରେ କେହି ରକ୍ଷଣଶୀଳ ନ ଥିଲେ ଓ ଭାରତବର୍ଷରେ ବହୁ ନୂତନ ପ୍ରବର୍ତ୍ତନର ପୁରୋଧା ପରି କାର୍ଯ୍ୟ କରିଥିଲେ । କବିଙ୍କ ଦ୍ଵାରା ସ୍ଥାପିତ ନୂତନ ବିଦ୍ୟାଳୟଟିର ଛେରା ଭାରତୀୟ ମାଟିରେ ଥିଲା ଓ ବିଶ୍ଵଯାକର ବିପୁଳ ଆକାଶକୁ ଶାଖା ବିସ୍ତାର କରିଥିଲା । ପ୍ରାଚ୍ୟ ଅଥବା ପାଶ୍ଚାତ୍ୟ, କେଉଁଠି ତାଙ୍କୁ ପ୍ରକୃତରେ ଗଢ଼ିଛି, ସେକଥା କହିପାରିବା ତାଙ୍କ ପକ୍ଷରେ ଅତ୍ୟନ୍ତ କଷ୍ଟକର ବୋଲି ମହାତ୍ମାଗାନ୍ଧୀ ଏକଦା ସ୍ଵୟଂ ସ୍ଵୀକାର କରିଛନ୍ତି । ଅର୍ଥାତ୍, ସିଏ ଦୁଇଟି ଦ୍ଵାରା ପ୍ରଭାବିତ ହୋଇଥିଲେ । ଶ୍ରୀଅରବିନ୍ଦଙ୍କର ରାଜନୀତିକ ଓ ସମାଜସମ୍ବନ୍ଧୀ ବିଚାର, ଯୋଗସାଧନାର ଧାରା ଏବଂ ମାନବର ନିୟତି ସମ୍ବନ୍ଧରେ ତାଙ୍କର ଆଧ୍ୟାତ୍ମିକ ଭବିଷ୍ୟଦୃଷ୍ଟି,–ଏଥିରେ ପ୍ରାଚ୍ୟ ତଥା ପାଶ୍ଚାତ୍ୟ ଦୁଇଟିଯାକର ପ୍ରେରଣା ପରସ୍ପରକୁ ସମ୍ବଳିତ କଲା ପରି ଏକତ୍ର ଯୋଡ଼ି ହୋଇ ରହିଛନ୍ତି-। ସ୍ଵାମୀ ବିବେକାନନ୍ଦଙ୍କ ଦୃଷ୍ଟାନ୍ତଟିର ଏହି ସନ୍ଦର୍ଭରେ ଏକ ସ୍ଵତନ୍ତ୍ର ତାତ୍ପର୍ଯ୍ୟ ରହିଛି । ପାଶ୍ଚାତ୍ୟ ମାନସରେ ହିନ୍ଦୁଧର୍ମ ଲାଗି ଏକ ପ୍ରତିଷ୍ଠା ପ୍ରଦାନ କରିବାକୁ ସେ ଆମେରିକା ଯାଇଥିଲେ ବୋଲି ସାଧାରଣତଃ କୁହାଯାଇ ଥାଏ । ଇଉରୋପୀୟ ସମାଜ ଏବଂ ପ୍ରୟାସଗୁଡ଼ିକର ସମ୍ପର୍କରେ ଆସି ସିଏ ସତେ ଯେପରି ସେଠାରେ ନିଜେ ଦୀକ୍ଷିତ ହୋଇ ଯାଉଥିଲେ ଏବଂ ଏକ ସଂପୂର୍ଣ୍ଣ ନୂତନ ପରିଚୟରେ ଭାରତବର୍ଷକୁ ଫେରିଥିଲେ । ଭାରତୀୟ ଧର୍ମଭାବନାକୁ ସ୍ଵାମୀ ବିବେକାନନ୍ଦ ଏକ ଅଭାବନୀୟ ନୂତନ ଆୟାମ ପ୍ରଦାନ କରିଥିଲେ । ସ୍ଵାମୀ ବିବେକାନନ୍ଦଙ୍କର ଏହି ନୂତନ ଦୀକ୍ଷା ଗ୍ରହଣକୁ ଭାରତବର୍ଷର ଏକ ସୌଭାଗ୍ୟ ବୋଲି କହିବାକୁ ହେବ ଏବଂ ଏହି ଦୀକ୍ଷାଗ୍ରହଣ ତାଙ୍କର ଭାରତୀୟ ମୂଳଗୁଡ଼ିକୁ ଆଦୌ କୌଣସି ପ୍ରକାରେ କ୍ଷତିଗ୍ରସ୍ତ କରି ଦେଇ ନ ଥିଲା ।

 

ସମାଜକୁ ଏବଂ ସମାଜରେ ବାସ କରୁଥିବା ମନୁଷ୍ୟକୁ ଏକ ନୂତନ ଅଭିଧା ଦେଇ ଦେଖିବାର ଏହି ଯୁଗ–ଆଲୋଚନା ନାରୀ ପ୍ରତି ଭାରତବର୍ଷରେ ପୁରୁଷର ରହି ଆସିଥିବା ପାରମ୍ପରିକ ଦୃଷ୍ଟିରେ ମଧ୍ୟ ତୁମୁଳ ପରିବର୍ତ୍ତନମାନ ସମ୍ଭବ କରି ଆଣିଥିଲେ । ରାଜା ରାମମୋହନ ସତୀଦାହ ପ୍ରଥାର ଆଇନଗତ ନିଷେଧ ପ୍ରବର୍ତ୍ତନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ବିଧିବା–ବିବାହର ପ୍ରବର୍ତ୍ତନ ଲାଗି ପ୍ରାୟ ଏକ ଆନ୍ଦୋଳନର ପୁରୋଧା ହୋଇଥିଲେ । ମହାରାଷ୍ଟ୍ର ସମେତ ଆମ ଦେଶରେ ଅନ୍ୟାନ୍ୟ ଭାଗରେ ବାଲ୍ୟବିବାହ ବିରୋଧରେ ପ୍ରବଳ ଜନମତ ଜାଗୃତ କରାଯାଇଥିଲା । ନାରୀକୁ ଏକ ଶକ୍ତି ରୂପେ କଳ୍ପନା କରାଗଲା ଓ ତଦନୁଯାୟୀ ଏକ ନୂତନ ବୈଚାରିକ ଭୂମି ଉପରେ ଭାରତର ପାରମ୍ପରିକ ଭୂମିଟିକୁ ବଦଳାଇ ଦେବାଲାଗି ଉଦବୋଧନ ଦିଆ ଯାଇଥିଲା । ଭାରତୀୟ ଆଧ୍ୟାତ୍ମଶାସ୍ତ୍ରମାନଙ୍କରେ ନାରୀକୁ ଯେଉଁ ପ୍ରଭାସ୍ଵର ଚିତ୍ରରେ ଚିତ୍ରିତ କରା ଯାଇଥିଲା, ନବଜାଗରଣର ମନୀଷୀମାନେ ସେହି ଚିତ୍ରଗୁଡ଼ିକୁ ଉତ୍ତୋଳିତ କରି ଧରିଲେ ଏବଂ ବାସ୍ତବ ସମାଜରେ ମଧ୍ୟ ତାହାକୁ ରୂପାୟିତ କରି ଆଣିବାକୁ ଉଦବୋଧନ ଦେଲେ । ସର୍ବୋଚ୍ଚ ପରମ ସତ୍ୟ ପୁରୁଷ ନୁହନ୍ତି କି ନାରୀ ନୁହନ୍ତି, ତାଙ୍କର କୌଣସି ଲିଙ୍ଗ ନାହିଁ । ଅର୍ଥାତ୍ ସିଏ ପୁରୁଷ ଏବଂ ନାରୀ ଉଭୟ । ପୁରୁଷର ଜୀବନରେ ଯାହା ତାହାର ଶ୍ରେଷ୍ଠ ସମ୍ପଦ ଓ ଶ୍ରେଷ୍ଠ ସତ୍ୟ ରୂପେ ଅନ୍ତର୍ନିହିତ ହୋଇ ରହିଛନ୍ତି, ସେଇ ନାରୀ ଭିତରେ ମଧ୍ୟ ଅଛନ୍ତି । ଗୀତାରେ ଯେଉଁ ପୁରୁଷାର୍ଥର କଥା କୁହାଯାଇଛି, ତାହା ସାଂସାରିକ ଲିଙ୍ଗଗତ ତାତ୍ପର୍ଯ୍ୟ ଓ ପାର୍ଥକ୍ୟ ଅନୁସାରେ କେବଳ ପୁରୁଷକୁ ଉଦ୍ଦେଶ୍ୟ କରି କୁହା ଯାଇନାହିଁ । ନାରୀ ଓ ପୁରୁଷ ଉଭୟ ମଧ୍ୟରେ ଅନ୍ତର୍ନିହିତ ହୋଇ ରହିଥିବା ସାମର୍ଥ୍ୟ ତଥା ସମ୍ଭାବନାଗୁଡ଼ିକୁ ଉଦ୍‍ଘାଟିତ କରି ଆଣିବା ଓ ଆପଣାର ପରିପୂର୍ଣ୍ଣ ଶକ୍ତିର ପରିଚୟ ଲାଭ କରି ଈଶ୍ଵରଙ୍କ ପାଇଁ ଏକ ଈଶ୍ଵରାନୁକୂଳ ନୂତନ ଯୁଗର ସଂସ୍ଥାପନ ପାଇଁ ସେହି ସାମର୍ଥ୍ୟଗୁଡ଼ିକୁ କାମରେ ଲାଗାଇବା, ତାହାହିଁ ପୁରୁଷାର୍ଥ । ବେଦ ଓ ଉପନିଷଦ ଭାରତବର୍ଷରେ ବହୁପୂର୍ବରୁ ଲେଖିଥିଲେ । ମାତ୍ର ଉନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ସେଗୁଡ଼ିକ ଉପରେ ଏକ ନୂତନ ବ୍ୟଞ୍ଜନା ଏବଂ ନୂତନ ଶ୍ରଦ୍ଧା ଦେଇ ଅବଲୋକନ କରାଗଲା । ଅଧ୍ୟାତ୍ମ ଭୂଇଁ ଛୁଇଁଲା ପରି ଲାଗିଲା । ପୁରୁଷ ତଥା ନାରୀ ଉଭୟେ ସେଥିରୁ ଅଭୂତପୂର୍ବ ନୂତନ ଉଦବୋଧନମାନ ଲାଭ କଲେ । ଆଗକୁ ବାଟ କାଢ଼ିଲେ ।

 

କବିଗୁରୁ ରବୀନ୍ଦ୍ରନାଥ ଆପଣାର କବିତା ଓ ପ୍ରବନ୍ଧଗୁଡ଼ିକରେ ନାରୀର ଏକ ଉଜ୍ଜ୍ୱଳ ଉତ୍ସାହମୟ ଚିତ୍ର ଅଙ୍କନ କରିଛନ୍ତି । ‘ଅବଳା’ କବିତାରେ ସେ ସମାଜରେ ନାରୀର ହେୟ ଓ ଅବହେଳାପୂର୍ଣ୍ଣ ସ୍ଥିତିଟିର ବର୍ଣ୍ଣନା କରିଛନ୍ତି ଓ ସେଇଟି ଆଡ଼କୁ ତଥାକଥିତ ପୁରୁଷମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି କବିତାରେ ନାରୀ ନିର୍ଯ୍ୟାତିତା, ଭୁଲୁଣ୍ଠିତା, ଅସମର୍ଥା ଓ ଅସହାୟା । ନାରୀ ଯେ ଅନ୍ୟର ଆଶ୍ରୟ ବିନା ନିଜେ ନିଜ ବଳ ଉପରେ ନିର୍ଭର କରି କଦାପି ଛିଡ଼ା ହୋଇପାରିବ ନାହିଁ, ସମସାମୟିକ ସେହି ପୁରାତନ ବିଶ୍ଵାସଟିକୁ ରବୀନ୍ଦ୍ରନାଥ କବିତାର ଆବେଦନ ଦେଇ ଆମ ଆଗରେ ଉତ୍ତୋଳିତ କରି ଧରିଛନ୍ତି ଏବଂ ଭାରତୀୟ ପୁରୁଷାର୍ଥକୁ ସତେଅବା ଧିକକାର ଦେଇଛନ୍ତି । ଭାରତୀୟ ପାଠକମାନସକୁ ଏହି କବିତାଟି ଏକ ନିର୍ମମ ଆତ୍ମସମୀକ୍ଷା ଲାଗି ଉଦବୁଦ୍ଧ କରି ଆଣୁଛି । ଏହି କବିତାଟିର ଏକ ଶକ୍ତିମନ୍ତ ପରିପୂରକ ରୂପେ ରବୀନ୍ଦ୍ରନାଥ ‘ବିଜୟିନୀ’ ବୋଲି ଯେଉଁ ଅନ୍ୟ କବିତାଟି ଲେଖିଛନ୍ତି, ସେଥିରେ ସେ ନାରୀର ଅନ୍ତର୍ନିହିତ ଦୀପ୍ତିଗୁଡ଼ିକର ବର୍ଣ୍ଣନା କରିଛନ୍ତି । ନାରୀର ବଳ, ସେ ଏକ ଅନ୍ୟ ବଳ । ସେହି ବଳ ବିଶ୍ଵବିଜୟ କରିପାରେ । ପୁରୁଷର ସ୍ଵୀକୃତିପ୍ରାପ୍ତ ସବୁଯାକ ବଳ ଯେତେବେଳେ ନିରସ୍ତ ହୋଇ ହଟି ଆସେ, ସେତେବେଳ ନାରୀ ହିଁ ପୁରୁଷର ସ୍କଦ୍ଧ ଉପରେ ବସି ତା’ ଲାଗି ବିଜୟର ଟୀକା ବହନ କରିଆଣେ । ‘ଉର୍ବଶୀ’ ନାମକ ଏକ ଦୀର୍ଘ କବିତାରେ ରବୀନ୍ଦ୍ରନାଥ ନାରୀର ଯେଉଁ ଉପକଳ୍ପଟିର ଅବତାରଣା କରାଇଛନ୍ତି, ସେଠାରେ ସିଏ ବଧୁ ନୁହେଁ, କନ୍ୟା ବା ଭଗ୍ନୀ କିଛି ନୁହେଁ । ସେଠି ନାରୀ ହେଉଛି ଏକ ତତ୍ତ୍ଵ, ଏକ ଉତ୍ସ, ଏକ ପ୍ରଚୋଦାନୀ । ଜର୍ମାନ୍ ମହାକବି ଗୁଏଟେଙ୍କର Das ewige weibliche ସହିତ ଅନେକ ଗବେଷକ ଉର୍ବଶୀ–କଳ୍ପନାର ତୁଳନା କରିଛନ୍ତି । ଭାରତୀୟ ପ୍ରାଚୀନ ତତ୍ତ୍ଵକାର ଓ ସଂହିତାଲେଖକମାନେ ନାରୀକୁ ଅବଳା ବୋଲି କହିଥିଲେ, କେଡ଼େ ଅବଜ୍ଞାର ସହିତ ସେମାନେ ତାକୁ କାମିନୀଟିଏ କରି ଥୋଇ ଦେଇଥିଲେ । ରବୀନ୍ଦ୍ରନାଥଙ୍କର ନାରୀ ଅବଳା ନୁହେଁ, ନାରୀର କୋମଳତା ସେଠାରେ ଆଦୌ ଦୁର୍ବଳତାର ପରିଚୟ ନୁହେଁ । କବିଙ୍କର କେତୋଟି ନାଟକରେ ନାରୀତ୍ଵର ଯେଉଁ ଚିତ୍ରଣ କରାଯାଇଛି, ତାହାର ପରିଚୟ ପୁରୁଷମନରେ ମଧ୍ୟ ନାରୀପ୍ରତି ଏକ ସମ୍ମାନ ସମୃଦ୍ଧି ଦୃଷ୍ଟିକୁ ଜାଗୃତ କରାଇ ଆଣିଥାଏ ।

 

ରବୀନ୍ଦ୍ରନାଥଙ୍କର ଆଉ ଗୋଟିଏ ଚାକ୍ଷୁଷ ଓ ମୂର୍ତ୍ତିମନ୍ତ କାବ୍ୟ ହେଉଛି ତାଙ୍କର ଶାନ୍ତିନିକେତନ । ଏହି ବିଦ୍ୟାଳୟଟି ମନୁଷ୍ୟାତ୍ମାର ଯେଉଁ କଳ୍ପନାକୁ ନେଇ ଗଠିତ ହୋଇଥିଲା; ସେଥିରେ ନାରୀ ପୁରୁଷଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ । ପାରମ୍ପରିକ ବିଚାରବିଭାଜନଟି ଅନୁସାରେ ସୌନ୍ଦର୍ଯ୍ୟପିପାସା ସତେଅବା କେବଳ ପୁରୁଷର, ନାରୀ ହେଉଛି ସୌନ୍ଦର୍ଯ୍ୟଲାଳସାର ଉଦ୍ଦୀପନାକାରିଣୀ ଏକ ବସ୍ତୁ, ଯାହାକି ପୁରୁଷର ପ୍ରୀତ୍ୟର୍ଥେ ଭଗବାନଙ୍କ ଦ୍ଵାରା ସ୍ପଷ୍ଟ ହୋଇ ପୃଥିବୀକୁ ଆସିଛି । ଏହି ମୂଳ ଅଯୁକ୍ତିଟି ଅନୁସାରେ ଆବହମାନ କାଳରୁ ଭାରତର ସମାଜ ଚଳି ଆସୁଥିଲା, ସାହିତ୍ୟ ଚଳି ଆସୁଥିଲା, ଶିକ୍ଷା ମଧ୍ୟ ଚଳି ଆସୁଥିଲା । ଶାନ୍ତିନିକେତନର ଶିକ୍ଷା ସେହି ମିଛ ମିଥ୍‍ଟିକୁ ଏକାବେଳେକେ ଭାଙ୍ଗିଦେଲା । ଆଧୁନିକ ଭାରତରେ ସମ୍ଭବତଃ ସର୍ବପ୍ରଧାନ ଦୃଷ୍ଟାନ୍ତ ରୂପେ ଶାନ୍ତିନିକେତନରେ ପୁଅ ଓ ଝିଅ ଏକତ୍ର ପଡ଼ିଲେ । ସେମାନେ ଏକତ୍ର ଜ୍ଞାନାର୍ଜନ କଲେ, ଏକତ୍ର ନାଟକ ଅଭିନୟ କଲେ ଏବଂ ଏକତ୍ର ଚିତ୍ର ଆଙ୍କିଲେ । ବିଦ୍ୟାଳୟର ଯାବତୀୟ କାର୍ଯ୍ୟକ୍ରମ ଦୁହିଁଙ୍କୁ ଏକାଠି କରି ଚାଲିଲା । ସେତେବେଳେର ଦୋଷାଦର୍ଶୀମାନ ଏଗୁଡ଼ାକୁ ଦେଖି କେତେ ନାକ ଟେକିଲେ, କେତେ କାଦୁଆ ଫିଙ୍ଗିଲେ; ତଥାପି ଶାନ୍ତିନିକେତନ ତିଷ୍ଠି ରହିପାରିଲା । ଜୀବନର ଯାବତୀୟ ଅନୁଧାବନରେ ଏକତ୍ର ଯଥାର୍ଥ ଉତ୍ସାହ ଓ ଉଦ୍ୟମ ସହିତ ପ୍ରେରିତ ହୋଇ ରହିପାରିଲେ ନାରୀ ପୁରୁଷର ଆଖିରେ ଯେ କେବଳ କାମପିତୁଳାଟିଏ ପରି ଆଦୌ ଦିଶିବ ନାହିଁ ଓ ପୁରୁଷ ମଧ୍ୟ ନାରୀ ଆଖିକୁ ଭୟ ଉଦ୍ରେକକାରୀ ଆଦୌ କୌଣସି କାରଣ ହୋଇ ରହିବ ନାହିଁ, ଶାନ୍ତିନିକେତନର ବିଦ୍ୟାଳୟ ସେହି ସତ୍ୟକୁ ପ୍ରମାଣ କରି ଦେଖାଇ ଦେଲା । ଏହିପରି ଭାବରେ କବି ରବୀନ୍ଦ୍ରନାଥ ଭାରତବର୍ଷକୁ କାଳ କାଳ ଧରି କାବୁ କରି ରଖିଥିବା ସ୍ପର୍ଶକାତରତାକୁ ଦୂରକରି ଦେଇଥିଲେ ।

 

ସ୍ଵାମୀବିବେକାନନ୍ଦ ବେଦାନ୍ତୀ ଥିଲେ । ବେଦାନ୍ତକୁ ଏକଦର୍ଶୀ ଭାବରେ ମାୟାବାଦ ବୋଲି ଭାବିବା ଏକ କ୍ରମ; ଅବଶ୍ୟ ଏକଥା ସତ ଯେ ମିୟାବାଦୀମାନେ ଅନେକ ସମୟରେ ଆମକୁ ଏହିପରି ଏକ ଭ୍ରମରେ ପକାଇବାକୁ ଇଚ୍ଛା କରିଥାନ୍ତି । ବେଦାନ୍ତର ଏକ ଭାବପ୍ରସ୍ଥ ମଧ୍ୟ ରହିଛି, ଏକ ଶ୍ରଦ୍ଧାନୁଭବର ପ୍ରସ୍ଥ ରହିଛି । ରାମକୃଷ୍ଣ ପରମହଂସ ଭକ୍ତିର ମାର୍ଗ ଦେଇ ବେଦାନ୍ତକୁ ଓ ଜ୍ଞାନକୁ ଆସିଥିଲେ । ସ୍ଵାମୀ ବିବେକାନନ୍ଦ ଗୋଟିଏ ପ୍ରସଙ୍ଗରେ ତାଙ୍କର ଗୁରୁଙ୍କୁ ଭିତରେ ଜ୍ଞାନୀ ଓ ବାହାରେ ଭକ୍ତ ବୋଲି କହି ଆପଣାକୁ ଭିତରେ ଭକ୍ତ ଏବଂ ବାହାରେ ଜ୍ଞାନୀ ବୋଲି କହିଛନ୍ତି । ଜ୍ଞାନୀ ଶ୍ରଦ୍ଧାକୁ କାଟି ଆଗକୁ ଚାଲିଯାଏ ନାହିଁ, ଆପଣାର ଜ୍ଞାନୋପଲବଧି ବଳରେ ସେ ଏପରି ଏକ ଶ୍ରଦ୍ଧାରେ ଆସି ଉପନୀତ ହୁଏ, ଯାହାକି ତାକୁ ଏହି ସବୁଟି ସହିତ, ସବୁରି ସହିତ ବାନ୍ଧି ପକାଏ । ସବୁରି ଭିତରେ ସତ୍ୟକୁ ଦେଖେ, ସତ୍ୟ–ସମ୍ଭାବନାକୁ ଦେଖେ । ସ୍ଵାମୀ ବିବେକାନନ୍ଦ ଶୁଷ୍କ ବେଦାନ୍ତୀ ନଥିଲେ । ତାଙ୍କର ବ୍ରହ୍ମ ଜ୍ଞାନ ଅର୍ଥାତ୍ ବିଶ୍ଵଜ୍ଞାନ ତାଙ୍କୁ ପୃଥିବୀ ସହିତ ବାନ୍ଧି ପକାଇଥିଲା-। ତାଙ୍କ ସାନ୍ନ୍ୟାସୀ ଜୀବନର ନିରାସକ୍ତି ତାଙ୍କୁ ମନୁଷ୍ୟ ମଧ୍ୟରେ ରହିଥିବା ସର୍ବୋତ୍ତମଟି ପ୍ରତି ଆସକ୍ତ କରି ରଖିଥିଲା ଏବଂ ମନୁଷ୍ୟ ସହିତ ନିଜର ଯାବତୀୟ ପରିଚୟରେ ସେ ସେହି ସର୍ବୋତ୍ତମଟିକୁ ହିଁ ଠାବ କରି ବୁଲୁଥିଲେ । ତେଣୁ ନାରୀକୁ ସିଏ ସର୍ବପ୍ରଥମେ ସମାଜସ୍ଥ ଏକ ଅବସ୍ଥାବାଧ୍ୟ ଜୀବ ବୋଲି ନଦେଖି ଏକ ଅନନ୍ତ ସମ୍ଭାବନାମୟ ଆକାର ରୂପେ ଦେଖୁଥିଲେ । ନାରୀର ସ୍ଥାନ ସିଏ ଯେଉଁ ସମାଜରେ ଜନ୍ମ ହୋଇଛି ଓ ଯେଉଁ ସମାଜ ତାକୁ ବାଧ୍ୟ କରି ରଖିଛି, କେବଳ ତାହାରି ଦ୍ଵାରା ନିର୍ଣ୍ଣିତ ହେଉ ବୋଲି ସେ ଆଦୌ ଇଚ୍ଛା କରୁନଥିଲେ । ପୁରୁଷ ଭିତରେ ତା’ର ଅସଲ ଯାହା, ଜଣେ ନାରୀ ଭିତରେ ମଧ୍ୟ ତାହାହିଁ ଅସଲ । ତେଣୁ ନାରୀ କାହିଁକି ପୁରୁଷର ଦାସୀ କିମ୍ଭା କାମସାମଗ୍ରୀ ହୋଇ ରହିବ ବୋଲି ସ୍ଵାମୀ ବିବେକାନନ୍ଦ ସାହାସର ସହିତ ଘୋଷଣା କରିଥିଲେ !

 

ଆଗରୁ ସୂଚିତ ହୋଇଛି, ଆମେରିକା ଓ ଇଉରୋପରେ ଏକ ଅନ୍ୟ ପୃଥିବୀ ସହିତ ପରିଚିତ ହୋଇ ଭାରତବର୍ଷ ସମ୍ପର୍କରେ ସ୍ଵାମୀ ବିବେକାନନ୍ଦ ସତେଅବା ଏକ ଅନ୍ୟ ନୟନ ଲାଭ କରିଥିଲେ । ସେହି ସମୟରେ ସେ ଭାରତବର୍ଷକୁ ଯେଉଁସବୁ ପତ୍ର ଲେଖିଥିଲେ, ସେହିଗୁଡ଼ିକରୁ ହିଁ ଆମକୁ ତାହାର ସ୍ପଷ୍ଟ ପ୍ରମାଣ ମିଳି ପାରିବ । ପାଶ୍ଚାତ୍ୟ ସମାଜରେ ନାରୀକୁ ସେ ଶକ୍ତିମୟୀ ରୂପରେ ଦେଖିଥିଲେ । ପୁରୁଷର ଅନୁଗାମିନୀ ନୁହେଁ, ସହଗାମିନୀ ରୂପେ ଦେଖିଥିଲେ । ଭାରତୀୟ ନାରୀମାନଙ୍କର ଦୁର୍ଦ୍ଦଶା ତାହାର ଏକ ଦୟନୀୟ ସମାନ୍ତର ରୂପେ ତାଙ୍କୁ ପ୍ରାୟ ଅସହ୍ୟ ବୋଧ ହୋଇଥିଲା । ଭଗିନୀ ନିବେଦିତାଙ୍କ ସହିତ ତାଙ୍କ ଯାବତୀୟ କାଥୋପକଥନରୁ ଆମର ତାହାହିଁ ହୃଦବୋଧ ହୋଇଯିବ । ଭାରତୀୟ ଜାୟା, ଜନନୀ ଓ ଭଗିନୀମାନଙ୍କର ଏକ ସମ୍ମାନିତ ଅନ୍ୟ ପରିଚୟ ସେ ସତେଅବା ସେହି ପାଶ୍ଚାତ୍ୟ ଭୂଖଣ୍ଡରୁ ହିଁ କଳ୍ପନା କରିବାକୁ ଆରମ୍ଭ କରିଥିଲେ ଓ ଭାରତବର୍ଷକୁ ଫେରି ଆସିବା ପରେ ଆପଣାର ଏକାଧିକ ବକ୍ତୃକ୍ତାରେ ଓ ଲେଖାରେ ସେହି ବିଚାରଟିକୁ ପ୍ରକାଶ କରିଥିଲେ । ନାନା କାରଣରୁ ସ୍ଵାମୀ ବିବେକାନନ୍ଦଙ୍କ ପରେ ରାମକୃଷ୍ଣ ମିଶନର କାର୍ଯ୍ୟ ଅବଶ୍ୟ ପ୍ରଧାନତଃ ଶିଷ୍ଟବର୍ଗଙ୍କ ମଧ୍ୟରେ ସୀମିତ ହୋଇ ରହିଗଲା, ଜାଗୃତିର କାର୍ଯ୍ୟକ୍ରମଟି ମୁଖ୍ୟତଃ ଏକ ସେବାକାର୍ଯ୍ୟକୁ ସଂକୁଚିତ ହୋଇ ଆସିଲା । ସ୍ଵାମୀ ବିବେକାନନ୍ଦଙ୍କର ସ୍ଵତନ୍ତ୍ର ଐତିହ୍ୟଟି ଯେପରି ଏକ ଗୌଣ ସ୍ଥାନ ଆଦରି ରହିଲା ଏବଂ ସମ୍ଭବତଃ ସେହି କାରଣରୁ ଅଧ୍ୟାତ୍ମର ମାର୍ଗରେ ଏକ ସାମାଜିକ ବିପ୍ଳବର ସନ୍ଦେଶ ମୁଖ୍ୟତଃ ଲୋକହିତୈଷିତା ମଧ୍ୟରେ ଶୀତଳ ହୋଇ ରହିଗଲା । ତଥାପି, ସ୍ଵାମିଜୀଙ୍କର ଅଗ୍ନିମୟୀ କଥା ଏବଂ ମନୁଷ୍ୟ–ଜୀବନକୁ ସଂସ୍କାରଗତ ବହୁ ପ୍ରସୀମନର ଗୁହା ଭିତରୁ ବିମୁକ୍ତ କରି ଆଣିବାଲାଗି ତାଙ୍କର ସଚଳ ସ୍ଵପ୍ନଗୁଡ଼ିକର ମହତ୍ତ୍ଵ ଏବେ ମଧ୍ୟ ପ୍ରାସଙ୍ଗିକ ହୋଇ ରହିଛି ।

 

ପୁରାତନ ବିଭିନ୍ନ ସଭ୍ୟତା ଓ ସମାଜରେ ନାରୀର ସ୍ଥାନ ନିରୂପଣ କରିବାକୁ ଯାଇ ଶ୍ରୀଅରବିନ୍ଦ ଇଉରୋପୀୟ ମଧ୍ୟଯୁଗର ସଂସାରତ୍ୟାଗୀମାନେ ନାରୀକୁ ସତେଅବା ଏକ ଅବସ୍ତୁ ବୋଲି ଘୃଣା କରୁଥିଲେ ବୋଲି କହିଛନ୍ତି । ସେହି ସଂସାରବିରକ୍ତମାନେ ଭାବୁଥିଲେ ଯେ ବାବାଜୀମାନଙ୍କୁ ପ୍ରଲୋଭନରେ ପକାଇବା ଉଦ୍ଦେଶ୍ୟରେ ହିଁ ଭଗବାନ ନାରୀମାନଙ୍କୁ ସୃଷ୍ଟି କରି ପୃଥିବୀକୁ ପଠାଇଥିଲେ । ଭାଗବାନ ତଥା ନାରୀମାନଙ୍କ ବିଷୟରେ ଏହାଦ୍ଵାରା କେଡ଼େ ନିକୃଷ୍ଟ ଧାରଣା ପୋଷଣ କରାଯାଇଛି ବୋଲି ଶ୍ରୀଅରବିନ୍ଦ ବିସ୍ମିତ ହୋଇଛନ୍ତି । ହୁଏତ କୁହାଯାଇ ପାରିବ ଯେ ମଣିଷମାନେ, ବିଶେଷ କରି ବିଭକ୍ତିମାନେ ନିଜକୁ ଅତ୍ୟନ୍ତ ନିକୃଷ୍ଟ ଦୃଷ୍ଟିରେ ବିଚାର କରିଥାନ୍ତି ବୋଲି ଭଗବାନଙ୍କୁ ମଧ୍ୟ ଏକ ଅନୁରୂପ ଆରୋପ ଦ୍ଵାରା ନିନ୍ଦିତ କରାଇ କିଞ୍ଚିତ୍ ସାନ୍ତ୍ଵନା ଅନୁଭବ କରିଥାନ୍ତି । ଶ୍ରୀଅରବିନ୍ଦଙ୍କର ଅନୁମାନ ଅନୁସାରେ, ଜଣେ ପୁରୁଷ ଭିତରେ ଯେତେବେଳେ ମନୁଷ୍ୟ–ଅଂଶ ଅପେକ୍ଷା ପଶୁଅଂଶଟି ଅପେକ୍ଷାକୃତ ଅଧିକ ପରିମାଣରେ ରହିଥାଏ, ସେତିକିବେଳେ ପୁରୁଷ ନାରୀ ପାଖରେ ପ୍ରଚଣ୍ଡତା ଦେଖାଏ, ନାରୀକୁ ନିଜର ଅଧୀନ କରି ରଖେ, ନାରୀ ଉପରେ ଅଧିପତି ହୋଇ ରହିଥାଏ । ପରମ୍ପରା ଅର୍ଥାତ୍ ଏକ ଉପଦ୍ରବୀ ସମାଜରେ ଯୁଗେ ଯୁଗେ ନାରୀକୁ ପୁରୁଷ ନିଜର ସମ୍ପତ୍ତି ପରି ଦେଖି ଆସିଛି । ମିଲଟନଙ୍କର କାବ୍ୟରୁ “He for God in him” ପଂକ୍ତିଟିର ଉଦ୍ଧାର କରି ଶ୍ରୀଅରବିନ୍ଦ କହିଛନ୍ତି ଯେ ପୂର୍ବବର୍ତ୍ତୀ ଯୁଗମାନଙ୍କରେ ଧର୍ମ ଓ ଦର୍ଶନଗୁଡ଼ିକ ମଧ୍ୟ ଏହି ବିବେକାନନ୍ଦ ଯୁକ୍ତିଟିକୁ ଆପଣାର ସମର୍ଥନ ଜଣାଇ ଆସିଛନ୍ତି । ଏଠାରେ ମଧ୍ୟ କୁହାଯାଇ ପାରିବ ଯେ, ମୂଳତଃ ଜଣେ ନାସ୍ତିକ ହିଁ ଏପରି ଏକ ବିଚାର ଉପରେ ଆସ୍ଥା ରଖିବାକୁ ଇଚ୍ଛା କରିବା । ଭଗବାନ ସମଗ୍ର ପୃଥିବୀକୁ ସୃଷ୍ଟି କରିଛନ୍ତି ଓ ପୃଥିବୀକୁ ପୂର୍ଣ୍ଣତା ଅଭିମୁଖରେ ଅଗ୍ରସର କରାଇ ନେବାକୁ ଏହାରି ମଧ୍ୟରେ ହିଁ ପ୍ରଚ୍ଛନ୍ନ ହୋଇ ରହିଛନ୍ତି, ଏହି ମୂଳ ଅଧ୍ୟାତ୍ମସତ୍ୟଟିକୁ ଅସ୍ଵୀକାର କଲେ ଯାଇ ଜଣେ ମନୁଷ୍ୟ ଆପଣାକୁ କେବଳ ପୁରୁଷ ବୋଲି ଦେଖିବ, ଏକଆଖିଆ ଭାବରେ କେବଳ ନିଜ ଭିତରେ ହିଁ ଇଶ୍ଵର ରହିଛନ୍ତି ଓ ନାରୀ ସେହି ଈଶ୍ଵରଙ୍କୁ ନିଜ ଭିତରେ ବହନ କରିବାକୁ ସମର୍ଥ ହୋଇନାହିଁ ବୋଲି ଏକ ଚିନ୍ତାକୁ ନିଜ ଭିତରେ ପ୍ରଶ୍ରୟ ଦେବ ।

 

ଶ୍ରୀଅରବିନ୍ଦଙ୍କର ଅନୁମାନ ଯେ, ଭାରତବର୍ଷରେ ସାଂଖ୍ୟଦର୍ଶନର ବ୍ୟାଖ୍ୟା ଫଳରେ ସମ୍ଭବତଃ ପ୍ରଥମ କରି ନାରୀକୁ ପୁରୁଷପ୍ରଧାନ ସମାଜ ସତେଅବା ଏକ ନ୍ୟୁନତର ଜୀବ ବୋଲି ଦେଖିବାକୁ ଆରମ୍ଭ କଲା । ସାଂଖ୍ୟଶାସ୍ତ୍ରରେ ପୁରୁଷ ଓ ପ୍ରକୃତିର ବିଚାର କରାଯାଇଛି । ପୁରୁଷ ଆଗ, ତା’ପରେ ତାହାରିଠାରୁ ନିଷ୍ପନ୍ନ ତତ୍ତ୍ଵଟି ହେଉଛି ପ୍ରକୃତି । ପ୍ରକୃତି ଯେତେବେଳେ ଜ୍ଞାନଲାଭଦ୍ଵାରା ପୁରୁଷ ମଧ୍ୟରେ ଲୀନ ହୋଇଯିବ, ତାହାକୁ ଯଥାର୍ଥ ଉପଲବଧି ବୋଲି କୁହାଯିବ । ପରମତତ୍ତ୍ଵରୂପୀ ପୁରୁଷ ଏବଂ ତାହାର ଗତିଶୀଳ ପରିଣାମରୂପୀ ପ୍ରକୃତିକୁ ହୁଏତ କୌଣସି ଅବକ୍ଷୟର ଯୁଗରେ ସମାଜରେ ପୁରୁଷ ଓ ନାରୀ ସହିତ ସମତୁଲ କରି ଦିଆଯାଇଛି ଓ ସେଇଥିରୁ କ୍ରମେ ନାରୀକୁ ଅବର ଓ ନ୍ୟୁନ ବୋଲି ଦେଖିବାର ଦୁଷ୍ଟ ପରମ୍ପରାଟି ଆରମ୍ଭ ହୋଇଛି । ପ୍ରାଚୀନ ଭାରତରେ ଅନ୍ତତଃ ସାମାଜିକ ବିଧାନ ତଥା ସିଦ୍ଧାନ୍ତର କ୍ଷେତ୍ରରେ (in law and theory at least) ପୁରୁଷ ଓ ନାରୀକୁ ସମାନ ସ୍ଥାନ ଦିଆଯାଇଛି ବୋଲି ଶ୍ରୀଅରବିନ୍ଦଙ୍କର ମତ । ମାତ୍ର ଏହି ସିଦ୍ଧାନ୍ତ ଓ ଏହି ବିଧାନଟି ହୁଏତ କେବେହେଲେ ବାସ୍ତବ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ କାର୍ଯ୍ୟକାରୀ ହେଉନଥିଲା । କେତେକ ବ୍ୟତିକ୍ରମକୁ ଛାଡ଼ିଦେଲେ ସମାଜରେ ନାରୀର ସ୍ଥାନ ପୁରୁଷଠାରୁ ଅଧସ୍ତନ ହୋଇ ରହିଥିଲା । ନାରୀର ଜୀବନ ପ୍ରଧାନତଃ ଗୃହ ଭିତରେ ବାନ୍ଧି ହୋଇ ରହୁଥିଲା । ବିବର୍ତ୍ତନର ପରବର୍ତ୍ତୀ ସୋପାନରେ ଶ୍ରୀଅରବିନ୍ଦ ଏପରି ଏକ ଆଧ୍ୟାତ୍ମିକ ସମାଜରେ ନକ୍‍ସା ଆଣି ଆମ ଆଗରେ ଉପସ୍ଥାପିତ କରିଛନ୍ତି, ଯେତେବେଳେ କି ମଣିଷର ଚେତନା ପରସ୍ପର ଭିତରେ ଦିବ୍ୟତାର ପ୍ରତ୍ୟକ୍ଷ କରିବ । ତେଣୁ, କେହି କାହାରିକୁ ଗିଳି ପକାଇବ ନାହିଁ ଅଥବା ଅଧସ୍ତନ କରି ରଖିବ ନାହିଁ । ମନର ଫିସାଦଗୁଡ଼ାକୁ ଅତିକ୍ରମ କରିଗଲେ ମନୁଷ୍ୟ ଏହି ସୋପାନରେ ଯାଇ ପହଞ୍ଚି ପାରିବ । ଆପଣାର ଦେହ, ମନ ଓ ପ୍ରାଣ ସେତେବେଳେ ଚୈତ୍ୟ ଦ୍ଵାରା ପରିଚାଳିତ ହେବ । ଚୈତ୍ୟ ହିଁ ପୁରୋଭାଗରେ ରହିବ ଏବଂ ତେଣୁ ଆଉଜଣକୁ ଅନାଇବା ମାତ୍ରକେ ସେହି ଚୈତ୍ୟ ହିଁ ଦୃଷ୍ଟିଗୋଚର ହେବ । ଏହି ଅତିକ୍ରମଣ ଫଳରେ ପ୍ରଚଳିତ ଅର୍ଥନୀତି, ରାଜନୀତି, ଶୋଷଣଧର୍ମୀ ପାରିବାରିକ ବ୍ୟବସ୍ଥା ସବୁକିଛି ବଦଳିଯିବ । ପରବର୍ତ୍ତୀ ତଥା ପୃଥିବୀ ଲାଗି ଅବଶ୍ୟମ୍ଭାବୀ ହୋଇ ରହିଥିବା ଏହି ପ୍ରକ୍ରିୟାଟିକୁ ଶ୍ରୀଅରବିନ୍ଦ ଜୀବନର ଏବଂ ସମାଜର ଆଧ୍ୟାତ୍ମିକୀକରଣ ବୋଲି କହିଛନ୍ତି । ଏକ ସଚେତନ ସତ୍ତା ହିସାବରେ ଆମେ ପୁରୁଷ ଓ ନାରୀ ସମସ୍ତେ ଯେତିକି କ୍ରିୟାଶୀଳ ଭାବରେ ସହଯୋଗ କରିପାରିବା, ପୃଥିବୀରେ ସେହି ନୂତନ ସମ୍ଭାବନାଟି ସେତିକି ଶୀଘ୍ର ଅବତରି ଆସିବା ।

 

ସବଳ ବା ବୀରର ଅହିଂସା ହେଉଛି ମହାତ୍ମା ଗାନ୍ଧୀଙ୍କ ଦ୍ଵାରା ଆବିଷ୍କୃତ ଅସ୍ତ୍ର ସତ୍ୟାଗ୍ରହ-। ଏହି ଅସ୍ତ୍ରକୁ ସେ ଏକ ଦୁର୍ଦ୍ଦର୍ଷ ସାମ୍ରାଜ୍ୟ ବିରୁଦ୍ଧରେ ପ୍ରୟୋଗ କରିଥିଲେ ଓ ସମଗ୍ର ବିଶ୍ଵର ସବୁକାଳ ଓ ସବୁ ଦେଶ ପାଇଁ ସକଳ ସଙ୍ଗଠିତ ଅନ୍ୟାୟ ବିରୋଧରେ ପ୍ରତିବାଦ ତଥା ପ୍ରତିରୋଧ କରିବା ଲାଗି ମନୁଷ୍ୟଜାତି ହାତରେ ଏକ ଅଭିନବ ଅସ୍ତ୍ର ଆଣି ଦେଇଥିଲେ । ଭାରତବର୍ଷର ବହୁ ଅସମର୍ଥତାକୁ ଗାନ୍ଧିଜୀଙ୍କର ଜାଗୃତି ଆଣି ଦେଇଥିଲା । ସତ୍ୟାଗ୍ରହ ହେଉଛି ମୂଳତଃ ସହିବା ଗୁଣ; ମାନିଯିବାର ଗୁଣ ନୁହେଁ, ସହିବାର ଗୁଣ, ଉତ୍ପାଦନକୁ ନମାନି ତାହାର ପରିମାଣ ସ୍ୱରୂପ ଆସୁଥିବା କଷ୍ଟ ଓ ଦୁଃଖକୁ ବରଣ କରିନେବାର ଗୁଣ । ଏଥିଲାଗି ପ୍ରଧାନତଃ ଏକ ଆତ୍ମ ପରିଚୟ ଲୋଡ଼ା; ଅସଲ ବଳ ଓ ଅସଲ ମନ୍ୟୁ (ଅନ୍ୟାୟଦ୍ରୋହୀ) ଯେ ନିଜ ଭିତରେ ରହିଛି, ସେହି ସତ୍ୟଟିର ଆବିଷ୍କାର କରିବା ଲୋଡ଼ା । ମହାତ୍ମା ଗାନ୍ଧୀଙ୍କର ସତ୍ୟାଗ୍ରହ ଆନ୍ଦୋଳନ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଭାରତୀୟ ନାରୀକୁ ହିଁ ସତେଅବା ଏକ ମୁଖ୍ୟ ଭୂମିକାରେ ଅବରତୀର୍ଣ୍ଣ କରାଇ ଆଣିଥିଲା । ଆଗେ ତ ରାଜନୀତିକ ସଂଗ୍ରାମରେ ବିଦ୍ଵାନ ଦରକାର ହେଉଥିଲେ, ମାତ୍ର ସତ୍ୟଲାଗି, ସ୍ଵତନ୍ତ୍ରତା ଲାଗି କଷ୍ଟ ବରଣ କରିବାଲାଗି ପୁଣି ବୁଦ୍ଦି, ବିଦ୍ୟା ବା ଧନାଢ଼୍ୟତାର କି ଆବଶ୍ୟକତା ରହିଛି ? ଆପଣା ଭିତରେ କେବଳ ଏକ ଈଶ୍ଵରୀୟ ସାହସ ରହିଥିଲେ ହେଲା । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ନାରୀମାନେ ଯେତେ ସଂଖ୍ୟାରେ ତଥା ଯେଉଁ ବିସ୍ମୟକାରୀ ପ୍ରତ୍ୟୟ ଓ ଉତ୍ସର୍ଗଭାବନା ସହିତ ଯୋଗ ଦେବାକୁ ଘର ଛାଡ଼ି ବାହାରି ଆସିଥିଲେ, ପୃଥିବୀରେ ତାହାର ତୁଳନା ନାହିଁ । ଜଣେ ସାଧାରଣ ନାରୀ ଭିତରେ ଯେ ସତକୁ ସତ ଏତେ ଶକ୍ତି ରହିଛି ଓ ଉପଯୁକ୍ତ ଆହ୍ଵାନ ପାଇ ପାରିଲେ ସେମାନେ ଯେ ଅତ୍ୟନ୍ତ ଅବିଶ୍ଵସନୀୟ ଭାବରେ ସେହି ଶକ୍ତିର ପରିଚୟ ଦେଇ ପାରିବେ, ମହାତ୍ମାଗାନ୍ଧୀଙ୍କର ନେତୃତ୍ଵଦ୍ଵାରା ପରିଚାଳିତ ଆମ ସ୍ଵାଧୀନତା ସଂଗ୍ରାମ ସେହି ସତ୍ୟଟିର ଉଦଘାଟନ କରି ଦେଇଥିଲା, ବଡ଼ମାନଙ୍କୁ ଅବାକ୍ କରି ଦେଇଥିଲା ।

 

ସ୍ଵାଧୀନତା ଆନ୍ଦୋଳନକୁ ବଡ଼ ଘରମାନଙ୍କରୁ କେବଳ ସରୋଜିନୀ ନାଇଡ଼ୁଙ୍କ ପରି ଉଚ୍ଚଶିକ୍ଷିତା ନାରୀମାନେ ବାହାରି ଆସିନଥିଲେ, ରମାଦେବୀଙ୍କ ପରି ନିପଟ ପରଦାନସୀନ ବୋହୁମାନେ ମଧ୍ୟ ଆସିଥିଲେ ଏବଂ ନିଜ ନିଜ ଜୀବନରେ ଆହୁରି ଆଗକୁ ଯାଇ ଜଣେ ଜଣେ ସାହସିନୀ ରୂପେ ନିଜର ପରିଚୟ ଦେଇଥିଲେ । ମେଦିନୀପୁରର ମାତଙ୍ଗିନୀ ହାଜରା ଜାତୀୟ ସଂଗ୍ରାମରେ ଏପରି ଏକ ବିଦାୟିନୀର ଭୂମିକା ଗ୍ରହଣ କରିପାରିବେ ବୋଲି କେଉଁ ଶିଷ୍ଟମାନେ କଳ୍ପନା କରିଥିଲେ ? ଘରେ ଗେହ୍ଲା ହୋଇ ବଢ଼ୁଥିବା ନାରୀ ଯେତେବେଳେ ମହାତ୍ମାଗାନ୍ଧୀଙ୍କର ଆହ୍ଵାନ ଶୁଣି ନିଜ ଦେହର ଅଳଙ୍କାରଗୁଡ଼ିକୁ କାଢ଼ି ଦେଶ କାମରେ ଲାଗିବ ବୋଲି ତାଙ୍କ ଆଗରେ ନେଇ ରଖି ଦେଉଥିଲା ଓ ତା’ ପରେ ନିଜର ଏକାନ୍ତ ବ୍ୟକ୍ତିଗତ ସୁଖୀ ଜୀବନଟିକୁ ଛାଡ଼ି ସତ୍ୟାଗ୍ରହ ସମରରେ ବାହାରି ପଡ଼ୁଥିଲା, ସେତେବେଳେ ସତେଅବା କୌଣସି ଅସମ୍ଭବ ସମ୍ଭବ ହୋଇ ଯାଉଥିଲା । ଭାରତୀୟ ନାରୀମାନଙ୍କର କ୍ଷେତ୍ରରେ ମହାତ୍ମାଗାନ୍ଧୀଙ୍କର ଆନ୍ଦୋଳନ ଏହିପରି ବହୁ ଅସମ୍ଭବକୁ ସତକୁ ସତ ସମ୍ଭବ କରିଛି । ଗାନ୍ଧିଜୀଙ୍କର ରଚନାତ୍ମକ ସମାଜ–ପରିବର୍ତ୍ତନମୂଳକ ଯାବତୀୟ କାର୍ଯ୍ୟକ୍ରମରେ ମଧ୍ୟ ନାରୀମାନେ ମୁଖ୍ୟ ଅଂଶ ଗ୍ରହଣ କରିଛନ୍ତି, ଏବେ ମଧ୍ୟ କରୁଛନ୍ତି । ଗାନ୍ଧୀ ଅନେକ ସମୟରେ କହୁଥିଲେ ଯେ ତାଙ୍କ ଭିତରେ ନାରୀଟିଏ ରହିଛି, ଯିଏ କି ତାଙ୍କୁ ଅହିଂସା ସଂଗ୍ରାମର ମାର୍ଗରେ ବିଶେଷ ଭାବରେ ଉଦବୁଦ୍ଧ କରିଛି, ମାର୍ଗ ଦେଖାଇଛି ଏବଂ ପୃଥିବୀର ନିୟତି ବିଷୟରେ ସାହସିକ କଳ୍ପନାମାନ କରିବାକୁ ବିଶ୍ଵାସ ଯୋଗାଇ ଦେଇଛି ।

 

ମହାତ୍ମାଗାନ୍ଧୀଙ୍କର ତପସ୍ୟା ତଳୁ ଆରମ୍ଭ ହେଉଥିଲା । ସେଇଥିଲାଗି ପ୍ରକୃତରେ ଅନେକ ଉପରକୁ ସ୍ପର୍ଦ୍ଧା କରିପାରୁଥିଲେ । ରାଜନୀତି, ଅର୍ଥନୀତି, ଶିକ୍ଷା, ସେବା, ଧର୍ମ, ଓ ଆଧ୍ୟାତ୍ମିକତା ପ୍ରଭୃତି ଯାବତୀୟ କ୍ଷେତ୍ରରେ ଗାନ୍ଧିଜୀ ସତେଅବା ଆମର ମାନବିକ ଆକୃତିଗୁଡ଼ିକ ଭୂଇଁ ଛୁଆଁଇ ଆଣିଥିଲେ । ନାରୀ କହିଲେ ସବୁ ନାରୀଙ୍କୁ ବୁଝାଏ, ତେଣୁ ନାରୀ–ଆନ୍ଦୋଳନ ବା ନାରୀକୂଳର ଜାଗୃତି କହିଲେ ଅଧିକାଂଶତଃ ଶୁଭାକାଙକ୍ଷା ପୁରୁଷମାନଙ୍କ ଦ୍ଵାରା ପ୍ରଚୋଦିତ ଏବଂ ପରିଚାଳିତ ଓ ସଭା ତଥା ବକ୍ତୃତା ମଧ୍ୟରେ ସୀମିତ ପ୍ରାୟ ଏକ ଅବସରବିନୋଦୀ ଉତ୍ସାହକୁ ଯେ ଆଦୌ ବୁଝାଇବା ଉଚିତ ନୁହେଁ, ଅନ୍ୟ ସମସ୍ତଙ୍କଠାରୁ ସମ୍ଭବତଃ ମହାତ୍ମାଗାନ୍ଧୀ ହିଁ ଆମକୁ ସେହି ସତ୍ୟଟି ବିଷୟରେ ସାବଧାନ କରି ଦେଇଛନ୍ତି । ପୁରୁଷ ଭିତରେ ନାରୀଟିଏ ରହିଛି; ସେହିପରି ନାରୀ ଭିତରେ ମଧ୍ୟ ପୁରୁଷଟିଏ ରହିଥିବ । ତେଣୁ, ନାରୀ–ଆନ୍ଦୋଳନ ବା ନାରୀ–ଜାଗରଣର ରଣପା ଉପରେ ଚଢ଼ି ନାରୀ ପୁରୁଷକୁ ଅନୁକରଣ କରିବାକୁ କାହିଁକି ଆପଣା ମୁକ୍ତିର ଧର୍ମ ବୋଲି ଗ୍ରହଣ କରିବ ? ପୃଥିବୀର ନାରୀମୁକ୍ତି–ଆନ୍ଦୋଳନ ବହୁ ପ୍ରାରମ୍ଭିକ ସୋପାନର ଉତ୍ତେଜନାକୁ ଅତିକ୍ରମ କରି ଏବେ ଏହି ପ୍ରଶ୍ନଟିକୁ ଗମ୍ଭୀର ଭାବରେ ପଚାରିବାକୁ ଆରମ୍ଭ କଲାଣି । ଭାରତର ଯେଉଁ ଚାରି ମନୀଷୀଙ୍କ କଥା ଆମେ ଏହି ପ୍ରବନ୍ଧରେ ଆଲୋଚନା କଲୁ, ସେମାନେ ମଧ୍ୟ କେବେହେଲେ ନାରୀ ପୁରୁଷର ଅନୁକରଣ କରି ଆପଣାର ମୁକ୍ତି ବିଧାନ କରୁ ବୋଲି ପ୍ରସ୍ତାବ ବା ପରାମର୍ଶ ଦେଇନାହାନ୍ତି । ନାରୀ ଓ ପୁରୁଷ ଉଭୟ ଭିତରେ ସବାଆଗ ମଣିଷଟିଏ ରହିଛି । ସେହି ମଣିଷଟି କାହାରି ଭୃତ୍ୟ ହୋଇ ରହିବାକୁ ଚାହେ ନାହିଁ ଅଥବା କାହା ଉପରେ ପ୍ରଭୁତ୍ଵ ବିସ୍ତାର କରିବାକୁ ବି ଇଚ୍ଛା କରେ ନାହିଁ । ସିଏ ନିଜର ପରିପୂର୍ଣ୍ଣ ପ୍ରସ୍ଫୁଟନ ଚାହେଁ, ନିଜକୁ ପରିପୂର୍ଣ୍ଣ ଭାବରେ ଦେଖିବାକୁ ଚାହେଁ । ନାରୀ ଓ ପୁରୁଷ ପ୍ରତ୍ୟେକ ଭିତରେ ଅନନ୍ତ ସମ୍ଭାବନାପୂର୍ଣ୍ଣ ଏହି ମଣିଷଟି ହେଉଛି ତା ଭିତରେ ଦେବତା । ଦେବତା କାହିଁକି ଦେବତା ଲାଗି ବାଟ ଓଗାଳି ରହିବା ? ତେଣୁ ବାଟ ଚାଲିବା ଦ୍ଵାରା ହିଁ ନାରୀ ଓ ପୁରୁଷ ଉଭୟେ ଆପଣାର ଶୃଙ୍ଖଳଗୁଡ଼ିକୁ ଛିନ୍ନ କରି ବାହାରି ଆସି ପାରିବେ, ଜୀବନତୀର୍ଥରେ ପରସ୍ପରକୁ ଯଥାର୍ଥ ଭାବରେ ଭେଟି ପାରିବେ ।

 

‘କୋଣାର୍କ’,

୭୮ତମ ସଂଖ୍ୟା,୧୯୯୦

Image

 

କିଛି ଦିଶୁନାହିଁ

 

ବର୍ତ୍ତମାନ ଦେଶଟାକୁ ନେଇ ଆମେ ସତେଅବା ଏପରି କିପରି କିଭଳି ଗୋଟାଏ ଜାଗାରେ ଆସି ପହଞ୍ଚି ଯାଇଛୁ କେଜାଣି, ଯେଉଁଠି କି ଆଗକୁ ଆଉ କୌଣସି ବାଟ ଦେଖାଯାଉ ନାହିଁ । ବଡ଼ମାନଙ୍କୁ ଦେଖାଯାଉ ନାହିଁ କି ସାନମାନଙ୍କୁ ଦେଖାଯାଉ ନାହିଁ । ପ୍ରବୀଣମାନଙ୍କୁ ଦେଖାଯାଉ ନାହିଁ କି ନବୀନମାନଙ୍କୁ ମଧ୍ୟ ଦେଖାଯାଉ ନାହିଁ । ବୃଦ୍ଧମାନେ ମରି ନଥିଲେ ମଧ୍ୟ ମଲାଙ୍କ ପରି ଆପଣା ଆପଣାର ସୁଦୃଶ୍ୟ ଘରଟିଏ ତିଆରି କରି ତାହାରି ଭିତରେ ଶୋଇ ପଡ଼ିଲେଣି ଏବଂ ତରୁଣମାନେ ବୃଦ୍ଧମାନଙ୍କ ପରି ହେଲେଣି । ବୁଢ଼ାଙ୍କ ପରି କଥା କହିଲେଣି, ବୁଢ଼ାଙ୍କ ପରି ପ୍ରଧାନତଃ ନିଜ ଘରଟି କଥା ଅର୍ଥାତ୍ ନିଜର ସଂସ୍ଥାନଟିର କଥା ଭାବିଲେଣି ।

 

କବି କହୁଛି, ତାକୁ ଆଉ ମୋଟେ କିଛି ଦେଖାଯାଉନାହିଁ । ତେଣୁ ଏଣିକି ଏଣିକି ଆଗକୁ ଅନାଇବାକୁ ମଧ୍ୟ ସାହସ କରୁନାହିଁ । ସମ୍ଭବତଃ ଇଚ୍ଛା ମଧ୍ୟ କରୁନାହିଁ । ଇଚ୍ଛା କଲେ ହୁଏତ ସାହସ ମଧ୍ୟ ଆସନ୍ତା । କବି ଆଗକୁ ଅନାଉ ନାହିଁ ବୋଲି ତୁଚ୍ଛ ନିଃସଙ୍ଗ ହୋଇଗଲାଣି । ନିଃସଙ୍ଗତାକୁ ଫେଣେଇ କେତେ ଅଳଙ୍କାର ଖଞ୍ଜି କବିତା ଲେଖିଲାଣି । ଆସର ତମାର ସାଙ୍ଗମାନଙ୍କ ସହିତ ବସି ନିଃସଙ୍ଗତାର ମଧୁ ଚାଖିବାରେ ଲାଗିଛି । ଦେଶର ଶିକ୍ଷାବିତମାନଙ୍କୁ ମଧ୍ୟ ଆଗକୁ ଆଉ କିଛି ଦିଶୁ ନାହିଁ । ସେମାନେ ବି ଆଉ ଆଗକୁ ଅନାଇବା ଲାଗି ସାହସ କରୁନାହାନ୍ତି । ଏହି ଖରାପ କାଳଟା ଭିତରେ ଯେକୌଣସି ପ୍ରକାରେ ତିଷ୍ଠି ରହିବାକୁ ହିଁ ଜୀବନର ପରମ ସାଧନ ଓ ସର୍ବଶ୍ରେଷ୍ଠ ଚତୁରତା ବୋଲି ମାନି ନେଇ ସାରିଲେଣି । ସେମାନେ ଆଉ ମୋଟେ ଶିକ୍ଷାର କଥା ଭାବୁନାହାନ୍ତି । ସେମାନେ ସଂଘ କଥା ଭାବୁଛନ୍ତି, ସଂଘ ମାଧ୍ୟମରେ ଅଧିକରୁ ଅଧିକ ସୁଖ ପାଇବା କଥା ଭାବୁଛନ୍ତି-। ଦେଶର ଶେଠ୍ ଓ ବଡ଼ଲୋକମାନଙ୍କୁ ଭାରି ଈର୍ଷା କରୁଛନ୍ତି । ସେମାନେ ହୁଏତ ସେମାନଙ୍କ ଭଳି ହେବାକୁ ମନ କରୁଛନ୍ତି । ଶିକ୍ଷା ବିଷୟରେ ଯାହା କିଛି ଭାବିବାର ଦାୟିତ୍ଵଟିକୁ ସେମାନେ ଶିକ୍ଷାଯନ୍ତ୍ରୀମାନଙ୍କ ଉପରେ ଛାଡ଼ି ଦେଇଛନ୍ତି ।

 

ଶିକ୍ଷାଯନ୍ତ୍ରୀମାନେ ହିଁ ଶିକ୍ଷା ନାମକ ଯନ୍ତ୍ରଟିକୁ ଚଳାଉଛନ୍ତି । ସେମାନେ ତ କେବେ ଶିକ୍ଷା ପାଇଁ ମଣ ହୋଇନାହାନ୍ତି, ସେମାନେ ଯନ୍ତ୍ର ପାଇଁ ମଣ ହୋଇଛନ୍ତି । ଗୋଟିଏ ଯନ୍ତ୍ରକୁ ଚଳାଇବା ନିମନ୍ତେ ତାଲିମ୍ ପାଇଛନ୍ତି । ତେଣୁ ପ୍ରାୟ ଏକ ଯନ୍ତ୍ର ବିବେକରେ ଶିକ୍ଷାକୁ ଚଳାଇବାରେ ଲାଗିଛନ୍ତି । ଯନ୍ତ୍ର ବଢ଼ିଆ ଚାଲିଛି । ମାତ୍ର ଶିକ୍ଷାର ଗହୀରରେ ଆଗକୁ ଅନାଇଲେ ଆଉ ମୋତେ କିଛି ହେଲେ ଦେଖା ଯାଉ ନାହିଁ । ଗୁହାଳରେ ଗାଈମାନେ ନିର୍ମୂଳ ହୋଇଗଲେଣି, ମାତ୍ର କଚ୍ଚା ଗୁହାଳକୁ ପକ୍‍କା କରିବାର ବ୍ୟବସ୍ତା ହେଉଛି । ଆଗାମୀ ଯୋଜନାକୁ ସେହି ଗୁହାଳରେ କମ୍ପ୍ୟୁଟର୍ ବସାଇବାକୁ ମଧ୍ୟ ଚିନ୍ତା କରାଯାଉଛି ।

 

ରାଜନୀତିବାଲାଙ୍କୁ ମଧ୍ୟ ଆଗରେ ଆଉ ସତକୁ ସତ କିଛି ରହିଛି ବୋଲି ଦେଖାଯାଉ ନାହିଁ । କେବଳ ନିଜର ଭାଗ୍ୟ ବ୍ୟତୀତ ଆଉ କିଛିହେଲେ ଦେଖାଯାଉ ନାହିଁ । ଏକ ଦୟନୀୟ ତ୍ରାସ ଭିତରେ ରହି ଭଲ ସମୟରେ ସେମାନେ ଆଗକୁ ଅନାଇ ଆପଣାକୁ ସତେଅବା ସିଂହାସନରେ ବସିଥିବା ପରି ପ୍ରତ୍ୟକ୍ଷ କରୁଅଛି ଓ ଖରାପ ସମୟମାନଙ୍କରେ ଆପଣାର କଟାମୁଣ୍ଡାଟାକୁ ଦେଖୁଛନ୍ତି । ସେମାନଙ୍କୁ ପ୍ରକୃତରେ କିଏ ସିଂହାସନରେ ବସାଉଛି ଅଥବା ସେମାନଙ୍କର ମୁଣ୍ଡଟାକୁ କାଟି କିଏ ଏପରି ଶୂନ୍ୟରେ ନଚାଇବାରେ ଲାଗିଛି, ସେମାନଙ୍କୁ ସେହି ବିଷୟରେ ଆଦୌ କିଛିହେଲେ ମାଲୁମ ନାହିଁ । ଅନ୍ତତଃ ରାଜନୀତି କଦାପି ତାହା କରାଉନାହିଁ । ରାଜନୀତିବାଲାଙ୍କ ଭିତରେ ଆଦୌ କୌଣସି ରାଜନୈତିକ ପ୍ରତ୍ୟୟ ନାହିଁ । ହୁଏତ ଆଉ ଏପରି କିଛି ରହିଛି, ଯାହାକି ସେମାନଙ୍କର ଉପରେ ପଶି ସେମାନଙ୍କୁ ଭାରି ଉତ୍ତେଜିତ କରି ରଖିଛି । ଉତ୍ତେଜିତ ମଣିଷକୁ କସ୍ମିନକାଳେ କିଛି ହେଲେ ଦେଖାଯାଏ ନାହିଁ । ବାହାରେ ଦେଖାଯାଏ ନାହିଁ । ନିଜ ଭିତରେ କିଛି ଦେଖାଯିବା ତ ଆହୁରି ଦୂରର କଥା ।

 

କିଛି ଦେଖା ନ ଯିବାର ଏହି ବ୍ୟାଧି କ୍ରମେ ତରୁଣମାନଙ୍କୁ, ନବନୀମାନଙ୍କୁ ମଧ୍ୟ ଗ୍ରାସ କଲାଣି । ପ୍ରବୀଣ ଓ ବୃଦ୍ଧମାନଙ୍କଠାରୁ ଏହି କିଛି ଦେଖା ନଯିବାର ଗଞ୍ଜେଇଟିକୁ ମାଗି ନିଜେ ସେବନ କରିବାକୁ ଆରମ୍ଭ କଲେଣି । ନିଜ ସମାନାକୁ ଆନୟ ସେମାନେ ମୋଟେ କିଛି ଦେଖିପାରୁ ନାହାନ୍ତି । ନିଜକୁ ଦେଖିପାରୁ ନାହାନ୍ତି, ନିଜ ଭିତରେ କୌଣସି ସ୍ଵପ୍ନ ଅଛି ବୋଲି ଦେଖିପାରୁନାହାନ୍ତି ବା କିଛି ସ୍ଵପ୍ନ ଥିଲେ ମଧ୍ୟ ଅଛି ବୋଲି ଦେଖିବାକୁ ସାହସ କରୁନାହାନ୍ତି । ସମାନାକୁ ଆନାଇ ନିଜର ଦେଶଟାକୁ ଓ ଏପରିକି ପୃଥିବୀଟାକୁ ଦେଖିବା ତ ଆହୁରି ଦୂରର କଥା । ସେମାନଙ୍କୁ କିଛି ଦିଶୁନାହିଁ, କେବଳ କ୍ରିକେଟ ଦିଶୁଛି, କେବଳ ଦୂରଦର୍ଶନରୁ ଝୁଲୁଥିବା ମାଂସର ବେଲୁନଗୁଡ଼ାକ ଦେଖା ଯାଉଛନ୍ତି । ଦୂରଦର୍ଶନରେ ଦୂରର କୌଣସି ଗନ୍ଧ ନାହିଁ, ଦର୍ଶନକୁ ବାସନ୍ଦ କରି ରଖାଯାଇଛି-। ଆମ ଅସନାଗୁଡ଼ାକ ତ ଭିତରେ ସତକୁ ସତ କେଡ଼େ ମନ ଲୋଭା ହୋଇ ଦିଶୁଛି । ସେହି ମନଲୋଭାମାନେ ଆମକୁ ଆଗକୁ ମୋଟେ କିଛି ନଦେଖି ପୃଥିବୀର ନଶ୍ଵର ଜୀବନଟାକୁ ତୁଚ୍ଛା ବେହେଲ ହୋଇ, ବେହେଲ ଦେଖି ନିଷ୍ପେସିତ କରି ଦେବାଲାଗି କେତେ ପ୍ରୋତ୍ସାହନ ଦେଉଛନ୍ତି, ଆମକୁ କେତେ ସାଉଁଳେଇବାରେ ଲାଗିଛନ୍ତି ।

 

ଭାରତବର୍ଷ ଯେତେବେଳେ ସ୍ଵାଧୀନତା ହାସଲ କରିବାଲାଗି ସଂଗ୍ରାମ କରୁଥିଲା, ସେତେବେଳେ ଭାରତବାସୀ ଆଗରେ କେତେ କଣ ଦିଶୁଥିଲେ । ସ୍ଵପ୍ନମାନେ ରହିଥିଲେ, ସଂକଳ୍ପମାନେ ରହିଥିଲେ, ଈଶ୍ଵରୀୟ ଅସନ୍ତୋଷମାନେ ରହିଥିଲେ । ପରସ୍ପରର ମୁହଁକୁ ଅନାଇ ସେତେବେଳେ ବନ୍ଧୁ ଚିହ୍ନି ହେଉଥିଲା, ଏକା ବାଟର ସାଥୀ ବାଟୋଇ ପରି ମନେ ହେଉଥିଲା । ସେତେବେଳେ ପରସ୍ପରକୁ ଦେଖିଲେ କେଡ଼େ ଭଲ ଲାଗୁଥିଲା । ପରସ୍ପରକୁ ଅନାଇ ସାମନାରେ ବାଟଟି ଦିଶି ଯାଉଥିଲେ ଏବଂ ସମାନାରେ ପଡ଼ିଥିବା ବାଟଟିକୁ ଅନାଇ ପରସ୍ପରକୁ କେଡ଼େ ଖୁସି ହୋଇ ଦେଖି ହେଉଥିଲା । ଭାରତବର୍ଷ ସ୍ଵାଧୀନତା ପାଇଲା ପରେ ସେସବୁ ଅଦୃଶ୍ୟ ହୋଇଗଲା କାହିଁକି ? ଘର ଭିତରେ ଆସି ପଶିବା ମାତ୍ରକେ ଆମକୁ ଆମ ଘରଟା ଏପରି ଗନ୍ଧାଇବାକୁ ଆରମ୍ଭ କଲା କାହିଁକି ? ଏକଥା କ’ଣ ଦିନକରେ ହୋଇଗଲା ? କୌଣସି ଦ୍ଵେଷୀ ଦେବତାର ଅଭିଶାପ ହେତୁ ହେଲା ? ସବୁ ଦିଶିବାର; ସେଇ ସ୍ଥିତିଟିରୁ ଆମେ ଆଦୌ କିଛି ଦେଖା ନଯିବାର ଏହି ଅନ୍ୟ ସ୍ଥିତିଟି ମଧ୍ୟରେ ଆସି ପଶିଗଲୁ କାହିଁକି ? ଏହି କଥାଟିର ବିଚାର ହେବା ଉଚିତ୍ । ସମସ୍ତେ ଏକାଠି ବସି ବିଚାର କରାଯିବା ଉଚିତ ।

 

ପୂର୍ବାଶା, ଡିସେମ୍ବର,୧୯୮୯

Image

 

ଅନାବନା ରଚନା

ଅକ୍ରିୟ ସ୍ମରଣ

 

ଅକ୍ରିୟ ସ୍ମରଣ ସ୍ମରଣ ନୁହେଁ, ଏହା ଏକ ଅକ୍ରିୟତା । ଏକ ଅସମ୍ମତି । ଯେଉଁମାନେ ଭିତରେ ଅସମ୍ମତ ହୋଇ ବସିଥାନ୍ତି, ସେମାନେ ବାହାରେ ଅଧିକ କୋଳାହଳ ସହିତ ସ୍ମରଣ କରନ୍ତି-। ଆପଣାକୁ ଭାରି ବୁଦ୍ଧିଆ ବୋଲି ଭାବନ୍ତି । ମାତ୍ର ସେମାନଙ୍କର ଅସଲ ବୁଦ୍ଧି ଓ ଅସଲ ବିବେକଗୁଡ଼ିକ ନଷ୍ଟ ହୋଇ ଯାଇଥାଏ ବୋଲି ସେମାନେ ବାହାରେ ଏପରି ଉଗ୍ରତା ସହିତ ବୁଦ୍ଧିଆ ହୁଅନ୍ତି ।

 

ସ୍ଵାଧୀନ ଭାରତବର୍ଷରେ ଗାନ୍ଧୀଙ୍କୁ ସ୍ମରଣ କରିବା ପ୍ରାୟ ଏହିପରି ଏକ ଅକ୍ରିୟ ସ୍ମରଣରେ ପରିଣତ ହେବାକୁ ବସିଲାଣି । ଏହି ଅକ୍ରିୟ ସ୍ମରଣର ସର୍ବପ୍ରଥମ ପୁରୋଧା ହେଉଛନ୍ତି ଆମ ଦେଶର କ୍ଷମତାସୀନ ଜ୍ୟେଷ୍ଠମାନେ । ସ୍ଵାଧୀନତା ପରେ ଯେଉଁ ଜ୍ୟେଷ୍ଠମାନେ କ୍ଷମତା ଭିତରେ ପଶିଲେ ଓ କ୍ଷମତାରେ ବସିଲେ, ସ୍ଵାଧୀନତା ପୂର୍ବରୁ ସେମାନେ ସମସ୍ତେ ଏକ ସଂଗ୍ରାମରେ ସୈନିକ ଥିଲେ । ଗାନ୍ଧୀଙ୍କର ସେନାପତିତ୍ଵରେ ସେହି ସଂଗ୍ରାମ ଚାଲିଥିଲା । ସେହି ସଂଗ୍ରାମ କେବଳ ରାଜନୈତିକ ସଂଗ୍ରାମ ନଥିଲେ । ସେଥିରେ ଏକ ସାମାଜିକ ସଂଗ୍ରାମ ମଧ୍ୟ ଅନ୍ତର୍ଗତ ହୋଇ ରହିଥିଲା । ଭାରତବର୍ଷକୁ ବହିର୍ଶାସକମାନଙ୍କ ହାତରେ ମୁକ୍ତ କରି ଆଣିବା ରାଜନୈତିକ ସଂଗ୍ରାମର ଉଦ୍ଦେଶ୍ୟ ଥିଲା । ଭାରତବର୍ଷରେ ଏକ ନୂତନ ସମାଜର ଗଠନ ସାମାଜିକ ସଂଗ୍ରାମର ଧ୍ୟେୟ ହୋଇ ରହିଥିଲା ।

 

ପୃଥିବୀର ଅଧିକାଂଶ ଦେଶରେ ରାଜନୈତିକ କ୍ଷମତାଧାରୀମାନେ ହିଁ ସାମାଜିକ ସଂଗ୍ରାମ କରିଛନ୍ତି । ସେମାନେ ଆଦେଶ ଦେଇ ସମାଜକୁ ବଦଳାଇଛନ୍ତି । ସେମାନେ ଯେପରି ସବୁଦିନ ପାଇଁ କ୍ଷମତାରେ ରହିବେ, ସେହି ଅନୁସାରେ ତଥାକଥିତ ସାମାଜିକ ପରିବର୍ତ୍ତନର ଯୋଜନା କରିଛନ୍ତି । ମଣିଷମାନଙ୍କୁ ସୁନା ମେଣ୍ଢା କରି ତିଆରି କରିଛନ୍ତି । ଯିଏ ସୁନା ମେଣ୍ଢା ନହେଲା ଅର୍ଥାତ୍ କଥା ନ ମାନିଲା, ସେମାନଙ୍କୁ ବନ୍ଦୀ ରଖିଛନ୍ତି, ନିର୍ବାସିତ କରିଛନ୍ତି, ବନ୍ଧୁକ ଦେଖାଇ ଡରାଇଛନ୍ତି ଓ ବନ୍ଧୁକରେ ମାରିଛନ୍ତି । ଗାନ୍ଧୀ ଭାରତବର୍ଷରେ ଯେଉଁ ସାମାଜିକ ସଂଗ୍ରାମ ଚାହୁଁଥିଲେ, ତାହା ଏକ ଅନ୍ୟ ପ୍ରକାରର ସଂଗ୍ରାମ ଥିଲା । ସମାଜ ବଦଳିବ, ମାତ୍ର ବିବେକ ଦ୍ଵାରା ବଦଳିବ । ଏଥିରେ କ୍ଷମତା ସବା ପଛରେ ରହିବ । ନେତା କ୍ଷମତା ଉପରେ ନିର୍ଭର କରିବ ନାହିଁ । ଏକ ସାମାଜିକ ବିବେକ ଏବଂ ସମ୍ମାନବୋଧର ଜାଗରଣ ସକାଶେ ନେତା ନିମିତ୍ତରୂପେ କାର୍ଯ୍ୟ କରିବ । ଏହି ସାର୍ବଜନୀନ ଜାଗରଣରୁ ହିଁ ସଂଗ୍ରାମର ଅସଲ ଶକ୍ତି ଜନ୍ମ ନେବ । ମଣିଷ ସେହି ଜାଗରଣର କେନ୍ଦ୍ର ହେବ । ସେହି କେନ୍ଦ୍ରଟିକୁ ପ୍ରସ୍ତୁତ କରିବା ସକାଶେ ଗାନ୍ଧୀ ଯେଉଁ କାର୍ଯ୍ୟକ୍ରମ ତିଆରି କରିଥିଲେ, ତାହାକୁ ସିଏ ରଚନାତ୍ମକ କାର୍ଯ୍ୟକ୍ରମ ବୋଲି କହିଥିଲେ । ରଚନାତ୍ମକ କାର୍ଯ୍ୟକ୍ରମ ଅର୍ଥାତ୍ ଏକ ପୁନର୍ରଚନାର କାର୍ଯ୍ୟକ୍ରମ, ନୂତନ ରଚନାର କାର୍ଯ୍ୟକ୍ରମ । ଏଥିରେ ଯାବତୀୟ କାର୍ଯ୍ୟକ୍ରମ ସତ୍ତ୍ୱେ କାର୍ଯ୍ୟକ୍ରମ ଗୌଣ, ମଣିଷ ମୁଖ୍ୟ । ମଣିଷ ଅର୍ଥାତ୍ ପ୍ରତ୍ୟେକ ମଣିଷ-। ମଣିଷ, ନୂତନ ଦୃଷ୍ଟି ସମ୍ପନ୍ନ ଓ ନୂତନ ମହାନୁଭବଯୁକ୍ତ ସାହସୀ ମଣିଷ ହେଉଛି ମୁଖ୍ୟ-। ଯାବତୀୟ କାର୍ଯ୍ୟକ୍ରମ ସେଥିରେ ସହାୟତା କରିବ ।

 

ରଚନାତ୍ମକ କାର୍ଯ୍ୟକ୍ରମକୁ ଏକ ସମଗ୍ର ବୈପ୍ଳବିକ ସ୍ୱରୂପ ଯୋଗାଇ ଦେବାଲାଗି ଗାନ୍ଧିଜୀ ସେତେବେଳେ ସତ୍ୟାଗ୍ରହ କଥା କହିଥିଲେ । ମଣିଷ ଯେତେବେଳେ ପ୍ରସ୍ତୁତ ହେବ ସେତେବେଳେ ସିଏ ତାହାର ସମ୍ମିଳିତ ଏବଂ ସଂଗଠିତ ସତ୍ୟଶକ୍ତି ଦ୍ଵାରା ପୁରୁଣାକୁ ଭାଙ୍ଗିବ । ଅର୍ଥାତ୍ ସିଏ ପୁରୁଣାକୁ ମୋଟେ ବାଟ ଛାଡ଼ିଦେବ ନାହିଁ, ପୁରୁଣାକୁ ଅନାବଶ୍ୟକ ବୋଲି ସାବ୍ୟସ୍ତ କରିବ । ସତ୍ୟାଗ୍ରହ ପୁରୁଣା କ୍ଷମତା ଅର୍ଥାତ୍ ଅପ୍ରତିଷ୍ଠାଗୁଡ଼ାକର ପ୍ରତିବାଦ କରିବ, ପ୍ରତିରୋଧ କରିବ, ପ୍ରତ୍ୟାଖ୍ୟାନ କରିବ । ନୂତନକୁ ବଞ୍ଚି ସତ୍ୟାଗ୍ରହୀ ପୁରୁଣାକୁ ପ୍ରତ୍ୟାଖ୍ୟାନ କରିବ । ଗାନ୍ଧୀ ସତ୍ୟାଗ୍ରହକୁ ରାଜନୀତିକ ସ୍ଵାଧୀନତାର ସଂଗ୍ରାମରେ ଏକ ଅସ୍ତ୍ରରୂପେ ବ୍ୟବାହାର କରିଥିଲେ । ସେତେବେଳେ ସିଏ ରାଜନୀତିକ ପରାଧୀନତାର ଆଶ୍ରୟ ତଳେ ରହିଥିବା ସାମାଜିକ ରକ୍ଷଣଶୀଳତା ଓ କ୍ରୂରତାଗୁଡ଼ାକର ବିରୁଦ୍ଧରେ ମଧ୍ୟ ସତ୍ୟାଗ୍ରହର ସମାଧାନ ଦେଇଥିଲେ । ସମାଜର ପରିବର୍ତ୍ତନରେ ଭାରତବର୍ଷ ରାଜନୀତିକ ସ୍ଵାଧୀନତା ଲାଭକରି ସାରିବା ପରେ ମଧ୍ୟ ଯେ ସତ୍ୟାଗ୍ରହକୁ ଏକ ଅସ୍ତ୍ରରୂପେ ଗ୍ରହଣ କରାଯାଇପାରିବ, ଅତ୍ୟନ୍ତ ସ୍ପଷ୍ଟ ଭାବରେ ଗାନ୍ଧୀ ସେକଥା ମଧ୍ୟ କହିଥିଲେ । ଭାରତ ରାଜନୀତିକ ସ୍ଵାଧୀନତା ହାସଲ କରିବା ପରେ ସିଏ ଖୁବ୍ ସମ୍ଭବ ଏକ ଦ୍ଵିତୀୟ ବିପ୍ଳବର ସୈନିକମାନଙ୍କୁ ଏକତ୍ର କରି ଲୋକସେବକ ସଂଘ ନାମରେ ଗୋଟିଏ ନୂତନ ସତ୍ୟାଗ୍ରହ ବାହିନୀ ଗଠନ କରିବାର କଳ୍ପନା ବି କରିଥିଲେ ।

 

ଗାନ୍ଧୀଙ୍କ ପରେ ଗାନ୍ଧୀଙ୍କ ଘର ଦୁଇ ଭାଗରେ ବିଭକ୍ତ ହୋଇଗଲା । ପ୍ରଥମ ଦଳଟି କ୍ଷମତା ଭିତରେ ଯାଇ ପଶିଲେ । ରାଜନୀତିକ ସ୍ଵାଧୀନତା କହିଲେ ସେମାନେ ଏହି କ୍ଷମତା ହାସଲ କରିବାର ଅଧିକାରକୁ ହିଁ ସବାଆଗ ବୁଝୁଥିଲେ । କ୍ଷମତାର ପ୍ରଧାନତର ଅଭିଳାଷକୁ ମତଲବରେ ରଖି ହିଁ ସେମାନେ ସ୍ଵାଧୀନତା ସଂଗ୍ରାମରେ ପଶିଥିଲେ ଓ ତାତ୍କାଳିକ ପ୍ରୟୋଜନ ଦୃଷ୍ଟିରୁ ହିଁ ଗାନ୍ଧୀଙ୍କର ନେତୃତ୍ଵକୁ ଗ୍ରହଣ କରିଥିଲେ । ଗାନ୍ଧିଜୀଙ୍କର ଏକ ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ଥିଲା । ସେହି ବ୍ୟକ୍ତିତ୍ଵର ଆକର୍ଷଣରେ ମଧ୍ୟ ସେମାନେ ରାଜାନୀତିକ ସଂଗ୍ରାମ ସମୟରେ ଗାନ୍ଧୀଙ୍କର ଅନୁଗାମୀ ପରି ଦିଶିବାକୁ ଚେଷ୍ଟା କରୁଥିଲେ । ଗାନ୍ଧୀ ସାହସର ଉଦବୋଧନ ଦେଇଥିଲେ, ଉତ୍ସର୍ଗର ଉଦବୋଧନ ଦେଇଥିଲେ । ଅନେକାଂଶତଃ ସେହି ଉଦ୍‍ବୋଧନର ଯାଦୁ ଦ୍ଵାରା ଆକର୍ଷିତ ହୋଇ ଓ ଅଂଶତଃ ସେହି ମୁହୂର୍ତ୍ତଟିର ଆହ୍ଵାନ ଦ୍ଵାରା ବାଧ୍ୟ ହୋଇ ସେମାନେ ବି ସେତେବେଳେ ତ୍ୟାଗୀ ପରି ଦିଶୁଥିଲେ, ସାହସୀ ପରି ବି ଦେଖା ଯାଉଥିଲେ । ମାତ୍ର ଆପଣାର ଅନ୍ତଃନାଡ଼ୀରେ ସେମାନେ ସେଇ ପୁରୁଣା ହୋଇ ରହିଥିଲେ, ଭୋଗର ଲୋଭରେ ହିଁ ତ୍ୟାଗ କରୁଥିଲେ । ସେମାନଙ୍କର ଅସଲ ଚେରଗୁଡ଼ାକ ସାମନ୍ତବାଦୀ ଲାଳସା ଓ ଭୀରୁତାଗୁଡ଼ାକର ଭିତରେ ଯାଇ ରହିଥିଲା । ବେଳେ ବେଳେ ସେମାନେ ମନ ଖୋଲି କହି ବି ଦେଇଥିଲେ ଯେ ଦେଶପାଇଁ ରାଜନୀତିକ କ୍ଷମତାର ପ୍ରାପ୍ତି ସକାଶେ ହିଁ ସେମାନେ ଗାନ୍ଧୀମାର୍ଗ ଅର୍ଥାତ୍ ଗାନ୍ଧୀନେତୃତ୍ଵକୁ ଏକ କାର୍ଯ୍ୟସାଧକ ଉପାୟରୂପେ ଗ୍ରହଣ କରିଛନ୍ତି, ଜୀବନଧର୍ମ ଅର୍ଥାତ୍ ମାର୍ଗପ୍ରଦର୍ଶନକାରୀ ବିବେକ ରୂପେ ମୋଟେ ଗ୍ରହଣ କରିନାହାନ୍ତି । ସେମାନେ ଯେ ସତ କହୁଥିଲେ, ଭାରତବର୍ଷ ରାଜନୀତିକ ସ୍ଵାଧୀନତା ହାସଲ କଲାପରେ ତାହାକୁ ସତ ବୋଲି ପ୍ରମାଣ କରି ଦେଇଛନ୍ତି । ସେତେବେଳର ତ୍ୟାଗୀମାନେ ବର୍ତ୍ତମାନ ଗୋଟାସୁଦ୍ଧା ଭୋଗ ଭିତରେ ମାତିଛନ୍ତି, ଗୋଟାସୁଦ୍ଧା ତାଂକ ଭିତରେ ଯାଇ ପଶିଛନ୍ତି । ସେତେବେଳର ପରିବର୍ତ୍ତନବାଦୀମାନେ ବର୍ତ୍ତମାନ ସିଂହାସନଗୁଡ଼ାକୁ ବାଡ଼ ପରି ବ୍ୟବାହାର କରି ଏହି ଦେଶରେ ଯାବତୀୟ ପରିବର୍ତ୍ତନକୁ ଅଟକାଇ ରଖିଛନ୍ତି । ଆଇନ ବଳରେ ବିବେକର ଶ୍ଵାସକୁ ରୁଦ୍ଧ କରି ରଖିଛନ୍ତି ।

 

ଦ୍ଵିତୀୟ ଭାଗଟି ଭାରତର ରାଜନୀତିକ ସଂଗ୍ରାମରେ ରହିଥିଲେ ସତ, ମାତ୍ର ଗାନ୍ଧୀଯୋଜନାର ଅସଲ କାର୍ଯ୍ୟଟିକୁ କରୁଥିଲେ । ସେମାନେ ରଚନାତ୍ମକ କାର୍ଯ୍ୟକ୍ରମରେ ଥିଲେ । ସତ୍ୟର ଆଗ୍ରହ ନେଇ ସତ୍ୟାଗ୍ରହୀ ହୋଇଥିଲେ । ବିବେକର ପଟରେ ଥିଲେ, ମଣିଷର ପଟରେ ଥିଲେ । ଗାନ୍ଧୀ–ରାଜନୀତି ଭିତରେ ଭବିଷ୍ୟ ନୂତନ ରଚନାର ଯେଉଁ ସ୍ଵତନ୍ତ୍ର ଉଦବୋଧନଟି ରହିଥିଲା, ସେମାନେ ସେହି ଉଦବୋଧନଟିର ପଟରେ ରହିଥିଲେ । ଭାରତକୁ ରାଜନୀତିକ ସ୍ଵାଧୀନତା ଆସିବା ପରେ ମଧ୍ୟ ଏମାନେ କ୍ଷମତା ବାହାରେ ରହିଲେ । ପରବର୍ତ୍ତୀ ସାମାଜିକ ସଂଗ୍ରାମ ଓ ସାମାଜିକ ବିପ୍ଳବର ପଟରେ ରହିଲେ । ଗାନ୍ଧୀ ଯେଉଁ ଲୋକସେବକବାହିନୀର କଳ୍ପନା କରିଥିଲେ ତାହାରି ମଡ଼େଲ୍ ହୋଇ ରହିଲେ । ସେମାନେ ଲୋକଶକ୍ତିର ଚର୍ଚ୍ଚା କଲେ, ଲୋକନୀତିର ଚର୍ଚ୍ଚା କଲେ । ରଚନାତ୍ମକ କାର୍ଯ୍ୟକ୍ରମର ପରାମ୍ପରାଟିକୁ ଦେଶରେ ବଞ୍ଚାଇ ରଖିଲେ ।

 

କ୍ଷମତାସୀନ ପଟଟି ସ୍ଵାଧୀନ ଭାରତରେ ଯେତିକି ଅଧିକ ପରାକ୍ରମୀ ହେଲା, ତାହା ସେତିକି ଅଧିକରୁ ଅଧିକ ପରିମାଣରେ ଜାତୀୟ ନିର୍ମାଣର କ୍ଷେତ୍ରଗୁଡ଼ିକୁ ମଧ୍ୟ ଆତ୍ମସାତ୍ କରିନେବାକୁ ଆରମ୍ଭ କଲା । ରାଷ୍ଟ୍ର ଆପଣାକୁ ଏକ ଜନମଙ୍ଗଳ ରାଷ୍ଟ୍ର ବୋଲି ଘୋଷଣା କଲା । ପଇସାଗୁଡ଼ାକ ରାଷ୍ଟ୍ର ପାଖରେ ଥିଲା, ତେଣୁ ବୁଦ୍ଧିଗୁଡ଼ାକ ମଧ୍ୟ ସବୁଠାରୁ ଅଧିକ ପରିମାଣରେ ତାହାରି ପାଖରେ ରହିଛି ବୋଲି ଏକ ଅନିଷ୍ଟକାରୀ ବିଶ୍ୱାସକୁ ହାଉଆ ଭିତରେ ଖେଳାଇ ଦିଆଗଲା-। ହାଉଆଗୁଡ଼ାକୁ ଦୂଷିତ କରିଦିଆଗଲା । ନେତାମାନେ କ୍ଷମତା ଆଦରି ରହିଲେ । ଅମଲାମାନଂକ ହାତରେ ଶାସନର ଦଉଡ଼ିଗୁଡ଼ାକୁ ଛାଡ଼ି ଦେଲେ । ବ୍ରିଟିଶ ଅମଳରୁ ଅପସଂସ୍କାରଗୁଡ଼ାକୁ ପୋଖତ ଭାବରେ ଆୟତ କରିଥିବା ଅମଲାମାନେ ରାଜା ହେଲେ । ଅସଲ ରାଜାମାନେ କ୍ଷମତାର ଅଣସର ଘରେ ପୂଜା ପାଇଲେ । ଅମଲାବୁଦ୍ଧିକୁ ହିଁ ଶ୍ରେଷ୍ଠ ବୁଦ୍ଧି ମଣିଲେ । ସେହି ଅମଲା ବୁଦ୍ଧିରେ ଦେଶରେ ଚାରିଆଡ଼େ ଗାନ୍ଧୀମୂର୍ତ୍ତି ଗଢ଼ାଗଲା, ଗାନ୍ଧୀଙ୍କୁ ଆମ ମିଉଜିୟମ୍ ଭିତରେ ସାଇତା ହୋଇ ରହିଥିବା ଏକ ଗର୍ବ କରି ରଖାଗଲା । ପ୍ରଚାର ବିଭାଗରେ ବୀରମାନେ ରହିଲେ । ଗାନ୍ଧୀକାମ ଲାଗି ଗଉଣୀ ଗଉଣୀ ଧାନ ମାପି ଦିଆଗଲା । ଯାହା ଏକଦା ରଚନାତ୍ମକ କାର୍ଯ୍ୟକ୍ରମ ଥିଲା ଏବେ ତାହା କାର୍ଯ୍ୟକ୍ରମର ବାନା ଧରି ଡିବି ଡିବି ହୋଇ ବାଜିଲା । ରଚନାତ୍ମକ କାର୍ଯ୍ୟକ୍ରମ ଭିତରେ ଯେଉଁ ସାମାଜିକ ନବରଚନାର ସ୍ଵପ୍ନ ଥିଲା, ତାହାକୁ ଏକ ଅନ୍ୟ ବ୍ୟବସ୍ଥା ଜାରି କରି ଏକାବେଳେକେ ନିକାଲି ଦିଆଗଲା । ଅସତ୍ୟଗୁଡ଼ାକ ସତ୍ୟକୁ ଗିଳି ପକାଇଲେ, ଆଗ୍ରହଗୁଡ଼ିକ ଅନ୍ୟ ଭର୍ତ୍ତାମାନଙ୍କୁ ଆଦରି ଅକର୍ମଣ୍ୟ ହେଲେ ।

 

ରଚାନାତ୍ମକ କାର୍ଯ୍ୟକ୍ରମର ମାଧ୍ୟମରେ ଯେଉଁମାନେ ଲୋକଶକ୍ତି ଅର୍ଥାତ୍ ସତ୍ୟାଗ୍ରହଶକ୍ତିକୁ ଜାଗୃତ କରିଥାନ୍ତେ, ସେମାନେ ତୁଚ୍ଛା କେତେଟା କାର୍ଯ୍ୟକ୍ରମର ଫାନ୍ଦରେ ପଡ଼ିଗଲେ । ଏଣିକି ଅଧିକ ପଇସା ଅଧିକ ସହଜରେ ମିଳିବାରୁ କାର୍ଯ୍ୟକ୍ରମର ପରିମାଣ ବି ହୁ ହୁ ହୋଇ ବଢ଼ିଲା । କାର୍ଯ୍ୟକ୍ରମକୁ ଚଳାଇବା ଲାଗି ସରକାରୀ ଅଫିସମାନଙ୍କର ଛାଞ୍ଚରେ ହିସାବ ଘରଗୁଡ଼ାକ ଖୋଲିଲା । ଅଧିକ ମଗଜ ଥିବା ଲୋକମାନେ ଶକ୍ତି ଉଦବୋଧନର ସ୍ଥାନୀୟ କେନ୍ଦ୍ରଗୁଡ଼ିକୁ ଛାଡ଼ି ଖାଲି ପଣ୍ଡିତଙ୍କ ପରି ବିଚାର ଗାଇଲେ, ବକ୍ତୃତା ଦେଲେ, ବହି ଲେଖିଲେ । ସଦର ମହକୁମାଗୁଡ଼ାକ ଏଣିକି ଦିଲ୍ଲୀକୁ ଉଠିଗଲା, ବାରଣାସୀରେ ବସିଲା । ତେଣୁ ଶକ୍ତି ହ୍ରାସ ହେଲା । ସୋପନାଗୁଡ଼ିକର ସୃଷ୍ଟି ହେଲା, ଶିବିର ଭିତରେ ଦୂରତା ବଢ଼ିଲା । ବିପ୍ଳବୀମାନେ ଯେତେବେଳେ କାର୍ଯ୍ୟକ୍ରମସର୍ବସ୍ଵ ହୁଅନ୍ତି ଓ ବୁଦ୍ଧିସାର ହୋଇ ବସିଯିବାକୁ ମନ କରନ୍ତି, ସେତେବେଳେ ଏହାହିଁ ହୁଏ । ଶକ୍ତିର ଅସଲ ଉତ୍ସଗୁଡ଼ିକ ହାତଛଡ଼ା ହୋଇଯାଏ । ତା’ ପରେ ଆଉ କେହି ସଂଗ୍ରାମର କଥା କହନ୍ତି ନାହିଁ । ସଂଗ୍ରାମର ବୌଦ୍ଧିକ ଆଲୋଚନା କରାଯାଏ, ଅସଲ ସଂଗ୍ରାମକୁ ଏଡ଼ାଇବା ସକାଶେ ହୁଏତ ସାନ ସାନ କେତେ ମିଛ ସଂଗ୍ରାମର ବି ଭିଆଣ ହୁଏ, ମାତ୍ର ସଂଗ୍ରାମକୁ ବଣା କରି ଦିଆଯାଏ । ସତ୍ୟାଗ୍ରହକୁ ଡର ମାଡ଼େ । ନିଜ ଶକ୍ତି ଉପରେ ମୋଟେ ବିଶ୍ଵାସ ହୁଏ ନାହିଁ । ତେଣୁ ଲୋକଶକ୍ତିର ବି ଅନ୍ଦାଜ କରି ହୁଏ ନାହିଁ । ଆକାଶଗୁଡ଼ାକ ପ୍ରବଞ୍ଚିତ ହୋଇ ରହନ୍ତି ।

 

ସ୍ଵାଧୀନଭାରତରେ ବହୁତକିଛି ବଢ଼ିଛି, ମାତ୍ର ଶକ୍ତି କମିଛି । ତେଣୁ ଶକ୍ତିଗୁଡ଼ିକ ଦୁର୍ବଳ ହୋଇଛି । ଭୀରୁତା ବଢ଼ିଛି, ଆତ୍ମୀୟତା କମିଛି । ଭୟ ବଢ଼ିଛି, ସହାନୁଭବ କମି ଯାଇଛି । କର୍ମଗୁଡ଼ାକର ପ୍ରେରଣା ଚୁଲି ଭିତରେ ଲୁଚିଛି, ଅଭିନୟ ବୃଦ୍ଧି ପାଇଛି । ସେଇଥିଲାଗି ଆମର ଯାବତୀୟ ସ୍ମରଣ ଭାରି ଅକ୍ରିୟ ହୋଇ ପଡ଼ିଛି । ଯେଉଁମାନେ ଗୋଟିଏ ଘରେ ରହି ଗୋଟିଏ ଆଗ୍ରହରେ ସେହି ଗୋଟିଏ ସତ୍ୟକୁ ହିଁ ବଞ୍ଚୁଥାନ୍ତି, ସେମାନେ ସତେଅବା ସାତ ଭାଗ ହୋଇ ଯାଇଛନ୍ତି, ଭାରି ହତଶ୍ରୀ ହୋଇ ରହିଛନ୍ତି । ବାଦଗୁଡ଼ାକ ପ୍ରବଳରୁ ପ୍ରବଳତର ହେଉଛି ଏବଂ ବ୍ୟକ୍ତିଗତ ବାଦଗୁଡ଼ାକର ଦୂରତା ବିବେକକୁ ବିଦାୟ ଦେବାକୁ ହିଁ ସତେଅବା ଏକମାତ୍ର ନିୟତି ବୋଲି ଗ୍ରହଣ କରି ନେଇଛି । ଗାନ୍ଧୀର ଆବଶ୍ୟକତା ନୂତନ ସାହସ, ନୂତନ ବିଶ୍ଵାସ ଏବଂ ନୂତନ ସଂକଳ୍ପ ରୂପେ ଯେତେବେଳେ ବିଶ୍ଵବ୍ୟାପୀ ହେବାକୁ ଯାଉଛି ଓ ପରବର୍ତ୍ତୀ ବିଶ୍ଵ ବିକଳ୍ପରେ ଏକମାତ୍ର ସଂଗତ ମୂଳସୂତ୍ର ରୂପେ ଅନୁଭୂତ ହେବାକୁ ଆରମ୍ଭ କଲାଣି, ସେତେବେଳେ ଗାନ୍ଧୀର ନିଜ ଘର ଭାରତବର୍ଷରେ ସୈନିକମାନେ ତଥାପି ସତେଅବା ଗୋଟିଏ ଗୋଟିଏ ଚଉରା ହୋଇ ଅଲଗା ଅଲଗା ଅଗଣାରେ ଶୋଭା ପାଇବା ବ୍ୟତୀତ ଆଉ ଅଧିକ କିଛି କରିପାରୁ ନାହାନ୍ତି, ତାହା ଏକ ବିଡ଼ମ୍ବନା ।

 

ସ୍ମରଣ ସକ୍ରିୟ ସ୍ମରଣ ହେବା ଉଚିତ । ସ୍ମରଣ ସତ୍ୟର ସ୍ମରଣ ଓ ଭବିଷ୍ୟର ସ୍ମରଣ ହୋଇପାରିବା ଉଚିତ । ଆମେ ଯେଉଁଭଳି ଏକ ଭବିଷ୍ୟତ ଲାଗି ଅପେକ୍ଷା କରି ରହିଛୁ, ଆମର ଯାବତୀୟ ସଂହତି ଓ ସମିତି ଠିକ୍ ତାହାରି ଅନୁସାରେ ଗଢ଼ା ହୋଇ ପାରିଥିବା ଉଚିତ । ପରବର୍ତ୍ତୀ ସମାଜରେ ଦୂରତା ରହିବ ନାହିଁ; ପରବର୍ତ୍ତୀ ରଚନାର ସୈନିକ ରୂପେ ଆମ ଭିତରେ ମଧ୍ୟ ସକଳ ପ୍ରକାର ଦୂରତାର ମୂଳୋତ୍ପାଟନ ହୋଇ ପାରିବା ଉଚିତ । ଆଗାମୀ ମନୁଷ୍ୟ–ସଂସାର ଯଦି ରହିବ, ତେବେ ଶ୍ରଦ୍ଧାର ବାଟରେ ରହିବ, ପାରସ୍ପାରିକତାର ବାଟରେ ରହିବ, ସମତାର ବାଟରେ ରହିବ । ସୈନିକମାନଙ୍କର ଶିବିରରେ ଆଜି ଏହିଗୁଡ଼ିକ ହିଁ ଏକମାତ୍ର ଚଳନ୍ତି ମୁଦ୍ରା ହୋଇ ରହିପାରିବା ଉଚିତ । ଆଗାମୀ ଯୁଦ୍ଧ ସତ୍ୟାଗ୍ରହର ଯୁଦ୍ଧ । ସେହି ସତ୍ୟାଗ୍ରହର ଶକ୍ତିର ଉଦବୋଧନ ଲାଗି ଆମର ସକଳ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ହୋଇ ରହିବା ଉଚିତ୍ । ଆମର ସ୍ମରଣ ଆମକୁ ସେହି ଯଥାର୍ଥ ଆଗ୍ରହର ଯୋଗ୍ୟ କରୁ । ଆମ ଭିତରୁ ସେହି ଯଥାର୍ଥ ଆଗ୍ରହଟିକୁ ଉଦବୋଧିତ କରାଇ ଆଣୁ । ପରସ୍ପରର ନିକଟବର୍ତ୍ତୀ କରାଉ, ଗାନ୍ଧୀର ନିକଟବର୍ତ୍ତୀ କରାଉ ।

 

ସର୍ବୋଦୟ, ୧୩ ଜାନୁଆରୀ, ୧୯୮୩

Image

 

ଯୁଗକୁ ଯୁଗ ଏହିମତେ

 

ଯୁଗ ଅନୁସାରେ ମଣିଷ; ଯୁଗ ଅନୁସାରେ ଆଚାର,–ଏହି ଉତ୍ସାହରେ ଅନେକ ଭଲ ମଣିଷ ଅନେକ ସମୟରେ ‘ଯୁଗ ଅନୁସାରେ ଶିକ୍ଷା’ ବୋଲି କହିବାକୁ ସତେଅବା ଭାରି ଭଲ ପାଆନ୍ତି । ସବୁ ଯଦି ଯୁଗ ଅନୁସାରେ ହେଉଛି; ତେବେ ସେହି ଯୁଗଟା ପୁଣି କାହା ଅନୁସାରେ ତିଆରି ହୋଇଛି ବା କାହା ବରାଦରେ ଚାଲିଛି ? ଯୁଗ କହିଲେ ଆମେ ପ୍ରକୃତରେ କୋଉ ଯୁଗକୁ ବୁଝିବା ? ଯୋଉ ଯୁଗ ଥିଲା ବା ଯୋଉ ଯୁଗ ଅଛି ନା ଯୋଉ ଯୁଗ ଆସୁଛି ? ଏବଂ; ଯଦି ସେହି ଯୁଗଟା ଅନୁସାରେ ହିଁ ଧର୍ମ ଓ ମଣିଷ ସମସ୍ତେ ଆତଯାତ ହୋଇ ଆସୁଛନ୍ତି, ବା ଆସିଛନ୍ତି, ଯଦି ଯୁଗ ବଦଳିବା ସଂଗେ ସଂଗେ ମଣିଷ ଓ ତା’ର ଧର୍ମ ବଦଳି ବଦଳି ଯାଉଛନ୍ତି, ତେବେ ଏହି ଯୁଗଟାକୁ ପୁଣି କିଏ ବଦାଳାଉଛି ? ଆମ ଭିତରୁ କିଏ କହିବେ, ଯୁଗକୁ ବିଧାତା ବଦାଳାଉଛି । ସେହି ବିଧାତା ପୁଣି କେଉଁଠାରେ ଅଛନ୍ତି ? ସିଏ ଏହି ମଣିଷର ଭିତରେ ଅଛନ୍ତି ନା ଆଉ କୋଉଠି ବାହାରେ ରହିଛନ୍ତି ଓ ତାଙ୍କର ଖିଆଇ ଅର୍ଥାତ୍ ଖୁସି ଅନୁସାରେ ମଣିଷକୁ ବଦଳାଇବାରେ ଲାଗିଛନ୍ତି-? ତାକୁ କେତେବେଳେ ଛେଳି କରି ରଖୁଛନ୍ତି ତ ଆଉ କେତେବେଳେ ବାଘ କରି ଦେଇଛନ୍ତି ? ଅଥବା, କେତେ ମଣିଷଙ୍କୁ ବାଘ କରି ରଖିବେ ବୋଲି ମନ କରୁଛନ୍ତି ତ ସେହିମାନଙ୍କର ଜୀବନବିଧାନ ସକାଶେ ଆଉ କେତେ କେତେ ମଣିଷକୁ ଛେଳି କରି ରଖିବାକୁ ବାଧ୍ୟ ହେଉଛନ୍ତି-?

 

ଆମର ଶାସ୍ତ୍ରଗୁଡ଼ାକ ବି କ’ଣ ଯୁଗ ଅନୁସାରେ ଲେଖା ହୋଇଛି କି ? ଆମ ଗୁରୁମାନେ ବି କ’ଣ ସେହି ଯୁଗ ଅନୁସାରେ ଆମକୁ ଶିକ୍ଷା ଦେଇ ଆସିଛନ୍ତି କି ? ଯୁଗ ଅନୁସାରେ ଯିଏ ଶିକ୍ଷା ଦିଏ, ସିଏ ନିରାପଦ ରହିବାକୁ ହିଁ ଜୀବନର ସର୍ବୋଚ୍ଚ ଅଭୀଷ୍ଟ ବୋଲି ଧରି ନେଇଥାଏ । ଯାହାଠାରୁ ଆପଦ ଆସିବାର ଭୟମାନ ରହିଥାଏ, ସିଏ ତାହାକୁ ହିଁ ସୁହାଇଲା ଭଳି ଶିକ୍ଷାର ବିଚାର ଓ ମାର୍ଗଗୁଡ଼ିକୁ ଅନୁକୂଳିତ କରି ରଖିଥାଏ । ଗୋଟିଏ ସାମାଜରେ ଯିଏ ଶାସନ କରୁଥାଏ, ଯିଏ ଦଣ୍ଡ ଧରି ବସିଥାଏ, ସରୋବର ସମସ୍ତେ ତାହାକୁ ଭୟ କରି ତାହାକୁ ହିଁ ସୁହାଇଲା ଭଳି ଚଳିବାକୁ ସଜ୍ଜନତା ବୋଲି ମନେ କରନ୍ତି । ସଜ୍ଜନମାନେ ଲେଖି ଆସିଥିବା ନୀତିଶତକମାନଙ୍କରେ ଆମେ ଯୁଗେ ଯୁଗେ ସେହିଭଳି ଏକ ପ୍ରବୃତ୍ତ ଦେଖିବାକୁ ପାଇଥାଉ । ଯୋଉ ଦେଶରେ ଗୁରୁମାନେ, ପଣ୍ଡିତମାନେ, ରାଜସଭାର ବିସ୍ପୁଶର୍ମାମାନେ ରାଜାଙ୍କୁ ହିଁ ସର୍ବନିୟାମକ ବୋଲି ମାନି ନେଇଥାନ୍ତି, ସେହି ଦେଶରେ ସେହି ଗୁରୁମାନେ ଦେଉଥିବା ଶିକ୍ଷାଦ୍ଵାରା ରାଜଦରବାରମାନଙ୍କରେ ଚାକିରି ମିଳେ ସତ, ମାତ୍ର ଶିକ୍ଷା ଚୁଲିକୁ ଯାଏ । ଏବଂ ଶିକ୍ଷା ଚୁଲିକୁ ଗଲେ ମଣିଷମାନେ ବି ଚୁଲିକୁ ଯାଆନ୍ତି । କିଏ ବାଘ ହେଉ ହେଉ ଚୁଲିକୁ ଯାଏ, ଆଉ କିଏ ଛେଳି ହୋଇ ରହିବାକୁ ଭାଗ୍ୟ ବୋଲି ମାନିନେଇ ସିଧା ଭିତରେ ଯାଇ ପଶିଥାଏ । ଅଥବା, କ୍ଷେତ୍ର ଜାଣି ସେହି ଏକା ମଣିଷମାନେ କେତେବେଳେ ବ୍ୟାଘ୍ର ହୁଅନ୍ତି ତ ଆଉ କେତେବେଳେ ଛାଗଳ ହୁଅନ୍ତି । ସଫଳ ହୁଅନ୍ତି ସତ, ମାତ୍ର ଆତ୍ମଘାତୀ ହୁଅନ୍ତି । ସ୍ଵାଧୀନ ଭାରତରେ ଆମର ଶିକ୍ଷା ଆମକୁ ଏହିପରି ଭାବରେ ଆତ୍ମଘାତୀ ହେବାରେ ହିଁ ସର୍ବାଧିକ ପରିମାଣରେ ଏବଂ ସର୍ବାଧିକ ପରିପାଟୀରେ ସାହାଯ୍ୟ କରିଛି । ସ୍ଵାଧୀନ ଭାରତବର୍ଷରେ ଗତ ଚାଳିଶି ବର୍ଷ ଭିତରେ ସଫଳ ଓ ଚତୁରମାନଙ୍କର ସଂଖ୍ୟା ଓ ପଲ ଅଭୂତପୂର୍ବ ଭାବରେ ବୃଦ୍ଧି ପାଇଛି ସତ, ମାତ୍ର ସାହସ ମରି ଯାଇଛି । ମଣିଷ ଭିତରର ଯେଉଁ ଯେଉଁ ମହିମାସବୁ ମଣିଷକୁ ସବାଆଗ ମଣିଷ ବୋଲି ଚିହ୍ନଟ କରିଦିଅନ୍ତି, ସେହି ମହିମାଗୁଡ଼ିକ ଅତ୍ୟନ୍ତ ଶୋଚନୀୟ ଭାବରେ ମରି ଯାଇଛନ୍ତି । ମୁଣ୍ଡରେ ମୁକୁଟ ଓ ଦିହରେ ପାଟ ପିନ୍ଧିଥିଲେ ମଧ୍ୟ ଉଚ୍ଚରୁ ଉଚ୍ଚ ଆସନରେ ବସିଥିବା ମଣିଷମାନେ ମହିମାହୀନ ହୋଇ କେଡ଼େ ଅସୁନ୍ଦର ଦିଶୁଛନ୍ତି ।

 

ଭୀରୁ ମଣିଷମାନେ ସତକୁ ସତ ଭାରି ଅବର୍ଜିଆ ହୁଅନ୍ତି । ଭିତରେ ଭୀରୁଟାଏ ଛପି ରହିଥିଲେ ଆମର ତଥାକଥିତ ଆଦର୍ଶଗୁଡ଼ିକ ସତ୍ତ୍ୱେ ଆମେ ତଥାପି ଅବର୍ଜିଆ ହୋଇ ରହିଥାଉ, ଭାରି ଅପାରଗ ହୋଇ ରହିଥାଉ । ଆଦର୍ଶ ଥାଏ, ବିଶ୍ଵାସ ନଥାଏ; ଆଦର୍ଶ ଥାଏ, ଶ୍ରଦ୍ଧା ନଥାଏ । ପରସ୍ପର ଉପରେ ଶ୍ରଦ୍ଧା ନଥାଏ, ପରସ୍ପର ଉପରେ ବିଶ୍ଵାସ ନଥାଏ । ନିଜ ଭିତରେ ଥିବା ସାହାସଘର ସହିତ ସତେ ଯେପରି କୌଣସି ଖିଅ ଲାଗିକରି ରହିନଥାଏ । ଭିତରେ ଭୀରୁଟିଏ କେଡ଼େ ପ୍ରଚଣ୍ଡ ହୋଇ ରହିଥାଏ, ବାହାରର ଏହି ପବନକୁ ଦୂଷିତ କରିବାରେ ଲାଗିଥାଏ । ଗତ ଚାଳିଶି ବର୍ଷର ତଥାକଥିତ ସ୍ଵାଧୀନଭାରତରେ ଆମ ପ୍ରଚଣ୍ଡ ମଣିଷମାନେ ଦେଶଟାକୁ ସତେ କେଡ଼େ ଦୂଷିତ କରି ନପକାଇଲେ ! ସେମାନେ ଆମ ସ୍ଵପ୍ନର ମନ୍ଦିରଗୁଡ଼ିକ ଭିତରେ ବିଲୁଆ ଆଣି ପୂରାଇ ଦେଲେ । ସଂପୂର୍ଣ୍ଣ ସଦିଚ୍ଛାର ସହିତ ବିଲୁଆମାନଙ୍କୁ ଆଣି ପୂରାଇ ଦେଲେ । ଶିକ୍ଷା ନାମରେ କୋଟି କୋଟି ଟଙ୍କା ଖରଚ ହେଲା ସତ; ମାତ୍ର ତୁଚ୍ଛା ଦୈତ୍ୟମାନେ ଅଶିକ୍ଷା ସହିତ ପରିଣୟ–ସୂତ୍ରରେ ଆବଦ୍ଧ ହୋଇ ଆମ ସମସ୍ତଙ୍କୁ ଆଖିବୁଜି ଭୋଗ କରିବା ପାଇଁ ତାଲିମ ପାଇ ଆସିଲେ । ଆମ ସଜ୍ଜନମାନେ ସେମାନଙ୍କୁ ଅଟକାଇବା ଲାଗି ଆଦୌ କିଛି କରି ପାରିଲେ ନାହିଁ ।

 

ଭାରତବର୍ଷ ରାଜନୀତିକ ସ୍ଵାଧୀନତା ଲାଭ କଲାପରେ ଏଠାରେ ଅସଲ ଦ୍ଵିତୀୟ ବିପ୍ଳବଟି ହୋଇଥାନ୍ତା ବୋଲି ମହାତ୍ମାଗାନ୍ଧୀ ଆମକୁ କହିଥିଲେ । ଗାନ୍ଧୀ ସେକଥା କହୁ କହୁ ଆମେ ତାଙ୍କୁ ସ୍ଵର୍ଗରେ ନିର୍ବାସିତ କରି ରଖିଲୁ । ତାଙ୍କ ଛାଉଣୀର କାରପଟଦାରମାନେ ଥୋକେ ସିଂହାସନରେ ବସିଲେ, କ୍ଷମତାଘରେ ଟିଙ୍କ ହୋଇ ଦଉଡ଼ିଲେ । ଆଉ ଥୋକେ ସନ୍ନ୍ୟାସ ଗ୍ରହଣ କଲେ । ସେମାନେ ଅସଲ ଗାନ୍ଧୀଙ୍କୁ ଲୁଚାଇ ରଖିଲେ । ବିପ୍ଳବୀ ଗାନ୍ଧୀକୁ ଲୁଚାଇ ରଖିଲେ । ସତ୍ୟାଗ୍ରହକୁ ଲୁଚାଇ ରଖିଲେ । ଯେଉଁ ବିପ୍ଳବ ହେବାର ଥିଲା, ତାହା ହୋଇ ପାରିଲାନାହିଁ । ଆମରି ସହିତ ପୁରୁଣାର ଶୃଙ୍ଖଳାଗୁଡ଼ିକୁ ଛିଡ଼ାଇ ବାହାରି ଆସିଥିବା ଚୀନ୍ ଦେଶରେ ଯାହା ହେଲା, ଭାରତବର୍ଷରେ ତାହା ହୋଇ ପାରିଲାନାହିଁ । ଶିକ୍ଷାର କ୍ଷେତ୍ରଟା ମଧ୍ୟ ବାବୁମାନଙ୍କ ଘରେ ପୋଇଲୀହୋଇ ରହିଲା । ଶିକ୍ଷା ମନ କଲେ ଏବେ ମଧ୍ୟ ସେହି ବିପ୍ଳବ ନିମନ୍ତେ ଭୂମି ତିଆରି କରି ପାରିବ । ଆଜି ସମସ୍ତ ପୃଥିବୀ ଯେଉଁ ବିପ୍ଳବସକାଶେ ପ୍ରସ୍ତୁତ ହେଉଛି, ଶିକ୍ଷା ମନ କଲେ ସେହି ବିପ୍ଳବରେ ଅବଶ୍ୟ ଭାଗ ନେଇ ପାରିବ । ମଣିଷକୁ, ପ୍ରତ୍ୟେକ ମଣିଷକୁ ସ୍ଵୀକାର କରି ତାହାରି ଉଦୟକୁ ହିଁ ଆଗାମୀ ସିଂହାସନର ଅସଲ ରାଜା ବୋଲି ମାନିବା, ପୃଥିବୀଯାକ ଏହାକୁ ହିଁ ଆମର ପରବର୍ତ୍ତୀ ଭବିଷ୍ୟତ ବୋଲି କୁହାଯାଉଛି । ସେହି ଭବିଷ୍ୟତର ଥାପନା ଲାଗି ଏକ ଅଭିନୟ ବିପ୍ଳବ ଜନ୍ମଲାଭ କରି ସାରିଲାଣି । ଏହି ବିପ୍ଳବ ଭୀରୁମାନଙ୍କର ନୁହେଁ, ସାହାସୀମାନଙ୍କର । ଯାବତୀୟ ଶିକ୍ଷାର ମାଧ୍ୟମରେ ଆମେ ମଣିଷ ଭିତରେ ସେହି ସାହାସୀକୁ ହିଁ ଜନ୍ମ ଦେବା । ତା’ ଭିତରେ ରହିଥିବା ମହିମାମୟ ସାହସଘରଟି ସହିତ ତା’ର ପରିଚୟ କରାଇଦେବା, ତା’ ଚାରିପାଖରେ ତା’ଲାଗି ଅପେକ୍ଷା କରି ରହିଥିବା ଆହ୍ଵାନଗୁଡ଼ିକ ସହିତ ଆମେ ତା’ର ପରିଚୟ କରାଇଦେବା । ଶିକ୍ଷା ନାମରେ ଆମେ ମଣିଷକୁ ଦୟା ଦେଖାଇବାର କୌଣସି ପାଷଣ୍ଡତା କରିବା ନାହିଁ । ମଣିଷ ଭିତରର ଦୀପଟିକୁ ତେଜିଦେଇ ପାରୁଥିବା, ସବଳ ଆଖିଟିକୁ ଖୋଲି ଦେଇ ପାରୁଥିବା ।

 

‘ବିକାଶ’, ଜୀବନ ବିଦ୍ୟାଳୟ, ଚମ୍ପତିମୁଣ୍ଡା, ଅନୁଗଳ, ଏପ୍ରିଲ, ୧୯୮୯

Image

 

ଜାଗରଣର ପ୍ରକ୍ରିୟା

 

ଅନେକ ମଣିଷ ବିଶ୍ଵାସ କରନ୍ତି ଯେ, ଉପରୁ ହୃଦୟ ତରଳିଲେ ତାହାରି ପ୍ରକ୍ରିୟା ତଥା ପରିଣତି ବଳରେ ହିଁ ତଳେ ଭାଗ୍ୟ ବଦଳି ଯାଇଥାଏ । ଜାଗରଣ କହିଲେ ସାଧାରଣତଃ ଯେଉଁ ପ୍ରାୟ ସାମୟିକ ଉତ୍ସାହଟିକୁ ବୁଝାଇଥାଏ ତଦ୍ଵାରା ଉପର ସ୍ତରରେ ହିଁ କିଛି ଆଲୋଡ଼ନ ବା କିଛି ଅନୁପ୍ରେରଣା ସୃଷ୍ଟି କରିବାକୁ ବୁଝାଏ । ଯେଉଁମାନଙ୍କର ଧନ ଅଛି, ସେମାନେ ଅଧିକ ସଦୟ ହେଲେ ସମାଜରେ ସବାତଳେ ରହିଥିବା ଦରିଦ୍ର ଓ ଅତିଦରିଦ୍ରମାନଙ୍କର ଅବସ୍ଥା ସୁଧୁରିଯିବ ବୋଲି ବିଚାର କରାଯାଇଥାଏ । ଉପରେ ପାଠୁଆମାନଙ୍କର ମନରେ ଅଧିକ ସମବେଦନା ଭାବର ସଞ୍ଚାର କରାଯାଇ ପାରିଲେ ତଦ୍ଵାରା ଅପାଠୁଆମାନେ ମଧ୍ୟ ଡରିଯିବେ ବୋଲି ଅନେକ ମଣିଷ ପ୍ରକୃତରେ ବିଶ୍ଵାସ ମଧ୍ୟ କରିଥାନ୍ତି । ଉତ୍ତମମାନେ ଉଦାର ହେଲେ ସେହିମାନଙ୍କର ଉଦାରତା ଦ୍ଵାରା ହିଁ ଅଧମମାନଙ୍କର ଉଦ୍ଧାର ହୋଇଯିବ ବୋଲି ଅନେକ ସଦିଚ୍ଛାସମ୍ପନ୍ନ ବ୍ୟକ୍ତି ଅନୁମାନ କରିଥାନ୍ତି । ମହାପୁରୁଷ ଓ ମହାନ୍ ଆତ୍ମାମାନେ ସଚରାଚର ଦୟା, କ୍ଷମା, ଦାକ୍ଷିଣ୍ୟ ଓ ବଦାନ୍ୟତା ପ୍ରଭୃତିର ପ୍ରଚାର କରିଥାଆନ୍ତି । ସେମାନେ ଏଗୁଡ଼ିକୁ ଗୋଟିଏ ଗୋଟିଏ ଈଶ୍ଵରୀୟ ଗୁଣ ବୋଲି କହିଥାଆନ୍ତି-। ଶାସ୍ତ୍ରରେ ସେହିସବୁ ଗୁଣର ସ୍ତୁତିଗାନ କରାଯାଇଥାଏ । ଏହି ସବୁକିଛି ଗୁଣ ସଂସାରର ବା ସମାଜର ପ୍ରଧାନତଃ ଉପରେ ରହିଥିବା ବର୍ତ୍ତମାନଙ୍କ ଲାଗି ଅଭିପ୍ରେତ ଏବଂ ନିର୍ଦ୍ଦେଶିତ ହୋଇ ରହିଥାଏ ।

 

ସବୁ ସମାଜରେ ତଳେ ହିଁ ଅଧିକାଂଶ ମଣିଷ ବାସ କରୁଥାନ୍ତି । ଉପରର ଜାଗରଣଗୁଡ଼ିକ ସେମାନଂକ ପାଖରେ ପହଞ୍ଚି ପାରେନାହିଁ । ସେମାନଙ୍କ ଭିତରେ ସତକୁ ସତ ଏକ ଜାଗରଣ ଘଟିଲେ ସମାଜ ଅର୍ଥାତ୍ ଆମ ଯାବତୀୟ ବ୍ୟବସ୍ଥା ଭୁଷୁଡ଼ି ପଡ଼ିବ ଓ ତେଣୁ ସେଥିରୁ ଯାବତୀୟ ବିପତ୍ତିର ସୃଷ୍ଟି ହେବ ବୋଲି ଜାଗରଣଗୁଡ଼ିକୁ ଜାଗରଣର ପୁରୋଧା ଓ ପଣ୍ଡିତମାନେ ସତେଅବା ସୁଚିନ୍ତିତ ଭାବରେ ତଳ ପର୍ଯ୍ୟନ୍ତ ଭେଦାଇ ନେବାଲାଗି ସେତେବେଶୀ ମନ କରନ୍ତି ନାହିଁ-। ଜାଗରଣମାନ ଆସୁଥାଏ, ଚାଲି ଯାଉଥାଏ । ହୁଏତ କେତେ ସମୟ ସକାଶେ ଉପରେ ଗୋଟାଏ ପ୍ରକାରର ଭାବପ୍ରବଣତାର ସୃଷ୍ଟି ହୁଏ; ତାହା ଆସେ, କ୍ଷଣକ ପାଇଁ ଚକିତ କରେ, ଉଲ୍ଲସିତ କରିଦିଏ, ହୁଏତ କେତେକ୍ଷଣ ପାଇଁ ଝରକାଗୁଡ଼ିକ ଖୋଲି ଯିବାପରି ମନେହୁଏ, କାର୍ପଣ୍ୟମାନେ ବିଦା ହୋଇ ଯାଉଥିବା ପରି ଲାଗନ୍ତି । ମାତ୍ର ତାପରେ ସବୁ ତୁନି ପଡ଼ିଯାଏ; କୋଉଠି କିଛି ବଦଳେ ନାହିଁ ଏବଂ ମହାବାକ୍ୟଗୁଡ଼ିକ ବହିର ଧନ ହୋଇ ରହିଯାଏ ।

 

ଉନବିଂଶ ଶତାବ୍ଦୀର ଶେଷଭାଗରେ ଆମ ଦେଶରେ ଉପର ସ୍ତରରେ ଯେଉଁ ଉତ୍ସାହ ଦେଖାଯାଇଥିଲା, ତାହାକୁ ଆମ ଇତିହାସକାରମାନେ ‘ରେନେସାନସ୍’ ବା ଏକ ନବଜାଗରଣ ବୋଲି କହିଥାଆନ୍ତି । ପ୍ରଧାନତଃ ପାଶ୍ଚାତ୍ୟର ସଂସ୍ପର୍ଶରେ ଆସି ଉପର ସ୍ତରରେ କେତେ ବ୍ୟକ୍ତିଙ୍କ ମଧ୍ୟରେ ଆପଣା ଦେଶରେ ତଥା ଆପଣା ନିୟତିର ପୁନରାବିଷ୍କାର କରିବାର ଏକ ଉଦବେଳନ ସୃଷ୍ଟି ହୋଇଥିଲା । ଏହି ଉଦବେଳନ ଆମ ଧର୍ମରେ ହେଲା, ଶିକ୍ଷାସ୍ଥାନମାନଂକରେ ହୋଇଥିଲା, ସମାଜ ସଂସ୍କାରର ଏକାଧିକ କ୍ଷେତ୍ରରେ ମଧ୍ୟ ହୋଇଥିଲା । ନାନାବିଧ ବ୍ୟହ୍ୟିକତାକୁ ଛାଡ଼ି ଉପସତ୍ୟଗୁଡ଼ିକୁ ଆବିଷ୍କାର କରିବା ସକାଶେ କେଡ଼େ ସମାରୋହରେ ଏକ ଆହ୍ଵାନ ମଧ୍ୟ ଦିଆଯାଇଥିଲା । ଏସବୁ ସଂପୂର୍ଣ୍ଣ ସଦିଚ୍ଛା ସହିତ ଅବଶ୍ୟ ହୋଇଥିଲା, ମାତ୍ର ପ୍ରଧାନତଃ ସହରମାନଂକରେ ହୋଇଥିଲା । ସେତେବେଳେ ମଧ୍ୟ ଭାରତର ତଥାକଥିତ ସହରଗୁଡ଼ିକ ଅପେକ୍ଷା ଗ୍ରାମରେ ଅଧିକ ମଣିଷ ବାସ କରୁଥିଲେ । ସେହି ଅଧିକ ସଂଖ୍ୟକ ମଣିଷଙ୍କୁ ନୂତନ ଉତ୍ସାହର ତରଙ୍ଗଗୁଡ଼ିକ ହୁଏତ ଆଦୌ ଖୁବବେଶୀ ସ୍ପର୍ଶ କରିନଥିଲେ । ତେଣୁ ସମାଜର ପୁରୁଣା ଖୁଣ୍ଟମାନେ ଯେଉଁପରି ଥିଲେ ସେହିପରି ରହିଲେ, ଜାଗରଣ କ୍ରମେ ଇତିହାସରେ ପରିଣତ ହେଲା-। ତାହାର ପୁନରାଗାମୀ ପୁରୁଷମାନେ ହୁଏତ ମହାପୁରୁଷ ହୋଇରହିଲେ, ଆମ ଭାବପ୍ରବଣତା ଲାଗି ଅନେକ ପ୍ରେରଣାର ଉତ୍ସ ହୋଇ ରହିଲେ । ସମ୍ଭବତଃ କେବଳ ଇଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କୁ ଛାଡ଼ିଦେଲେ ସେହି ଜାଗରଣ ପର୍ବରେ ଆଉ ଜଣେ କେହିହେଲେ ନଥିଲେ ଯିଏକି ଭାରତବର୍ଷ ବିଷୟରେ ସେମାନଙ୍କର କଳ୍ପିତ ନକସାଟି ଭିତରେ ପ୍ରକୃତରେ ସବୁ ମଣିଷଙ୍କୁ ସ୍ଥାନ ଦେବାକୁ ସାହସ କରିଥିଲେ । ସେହି ପର୍ଯ୍ୟାୟଟିର ଉତ୍ସାହ ମଧ୍ୟରୁ ଦେଶରେ ଯେଉଁ ଜାତୀୟତାବାଦର ଉନ୍ମେଷ ଘଟିଲା, ସେଇଟି ମଧ୍ୟ ଉପର ସ୍ତରର ପ୍ରାୟ ଏକ ଭାବବିଳାସ ଭିତରେ ବାନ୍ଧି ହୋଇ ରହିଗଲା । ମହାତ୍ମା ଗାନ୍ଧୀ ତାହାକୁ ସବାତଳ ଯାଏ ନେବାକୁ ବହୁ ଉଦ୍ୟମ କରିଥିଲେ-। ତଥାପି ମେଘମାନେ ପ୍ରାୟ ତଳି ଛାଡ଼ି ରହିଗଲେ ଏବଂ, ସେହି ଜାତୀୟତା ଆନ୍ଦୋଳନ ଓ ସେଥିରୁ ସମ୍ଭୂତ ସ୍ଵାଧୀନତା ସଂଗ୍ରାମ ଫଳରେ ଭାରତବର୍ଷ ଯେଉଁ ରାଜନୀତିକ ସ୍ଵାଧୀନତା ହାସଲ କଲା, ତାହାର ତଳି ଲାଗିବାଟା ଏବେମଧ୍ୟ ବହୁ ସଂଶୟ ଏବଂ ବହୁ ଅନିଚ୍ଛା ଦ୍ଵାରା ଆଚ୍ଛନ୍ନ ହୋଇରହିଛି-

 

ଭାରତବର୍ଷର ସେହି ସମୟଟିରେ ଆମକୁ ଯେଉଁ ଦୁଇଟି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ, ସେମାନେ ହେଉଛନ୍ତି ଓଡ଼ିଶାର ଭୀମଭୋଇ ଓ କେରଳର ଶ୍ରୀ ନାରାୟଣ ଗୁରୁ । ଏମାନେ ସମାଜର ଅତି ତଳ ସ୍ତରରେ ଜନ୍ମଗ୍ରହଣ କରିଥିଲେ–ଯାବତୀୟ ଜାଗରଣକୁ ସେହି ତଳୁ ପାହାଚ ପାହାଚ କରି ଗଢ଼ି ଆଣିବାଲାଗି ସେମାନେ ଆପଣା ଆପଣା ମାର୍ଗରେ କେତେ ଶକ୍ତିଶାଳୀ ଉଦ୍ୟମ କରିଥିଲେ । ଯଦି ପ୍ରତ୍ୟେକ ମଣିଷ ଭିତରେ ବ୍ରହ୍ମ ରହିଛି, ସତ୍ୟ ରହିଛି; ତେବେ ସିଏ କ’ଣ କେବଳ ଭଦ୍ର ଲୋକ ଓ କେବଳ ଶିକ୍ଷିତ ଓ ସୁଚତୁର ସହରବାସୀ ଭିତରେ ରହିଛି ? ସିଏ ସବାତଳ ମଣିଷ ଭିତରେ ମଧ୍ୟ ରହିଛି । ତେଣୁ ସେହି ବ୍ରହ୍ମ ଚେତନା ଓ ସମ୍ମାନବୋଧକୁ ସବାତଳୁ ଗଢ଼ିହୋଇ ଆସିବାକୁ ପଡ଼ିବ । ତେବେଯାଇ ତାହା ସ୍ଥାୟୀ ହୋଇପାରିବ, ସାର୍ବଜନୀନ ଜୀବନ କ୍ଷେତ୍ରରେ ମଧ୍ୟ କ୍ରିୟାଶୀଳ ହେବ ଓ ସମାଜର ସମ୍ବନ୍ଧ ତଥା ଚେହେରାଗୁଡ଼ିକୁ ବଦଳାଇ ଦେଇ ପାରିବ । ଭୀମଭୋଇ ଓ ନାରାୟଣ ଗୁରୁ ମଣିଷକୁ ଏକାବେଳେକେ ସେହି ତଳୁ ଉଦବୋଧନ ଦେଇ ପ୍ରତିଷ୍ଠିତ କରାଇଆଣିବାର ପ୍ରୟାସ କରିଥିଲେ । ତାହା ଏକ ଅନ୍ୟ ପ୍ରକାରର ଜାଗରଣ ଲାଗି ନିମିତ୍ତ ରୂପେ କାର୍ଯ୍ୟ କରିଥିଲା । ପ୍ରଧାନତଃ ଗ୍ରାମବାସୀ ଅଧମ, ଅସ୍ପୃଶ୍ୟ ଓ ଅତିସାଧାରଣମାନେ ସେହି ଜାଗରଣଦ୍ଵାରା ଉଦବୁଦ୍ଧ ହୋଇଥିଲେ, ଆପଣା ଭିତରେ ମଣିଷକୁ ଚିହ୍ନିବାଲାଗି ସାହସ କଲେ । ଏବେ ସହରବାସୀ ଭଦ୍ର ଓ ଅସାଧାରଣମାନେ ସେହି ଦୁଇଟିଯାକ ଆନ୍ଦୋଳନକୁ ପ୍ରାୟ ଏକ ସାଆନ୍ତିଆ ରୂପ ଦେବାଲାଗି ବହୁ କରୁଛନ୍ତି ସତ, ମାତ୍ର ସେଗୁଡ଼ିକର ଅସଲ ଆବେଦନଟି ତଥାପି ଆମ ସାମୂହିକ ଜୀବନର କୋଉ ତଳକୁ ସ୍ପର୍ଶ କରି ରହିଛି ।

 

ତେଣୁ ଜାଗରଣର ଚେରଗୁଡ଼ିକ ସେହି ସବାତଳରୁ ଭେଦ କରି ରହିପାରିବା ଉଚିତ । ତଳେ ଚେର ନଥାଇ ଯଦି ତାହା ଉପରେ ବର୍ଣ୍ଣାଢ଼୍ୟ ଶାଖାପ୍ରଶାଖା ମେଲାଇ ସୁନ୍ଦର ଦିଶିବାକୁ ମନ କରୁଥାଏ, ଯଦି ତାହା ପ୍ରଧାନତଃ ଏକ ବାହ୍ୟ ଉତ୍ସାହ ମଧ୍ୟରେ ସୀମାବଦ୍ଧ ହୋଇରହେ, ତେବେ ତାହା ଆମକୁ ବୁଢ଼ା କରିଦେବ ଏବଂ ତଦ୍ଵାରା କୋଉଠି କିଛି ମୋଟେ ବଦଳିବ ନାହିଁ । ଆମ ଜାଗରଣ ଏହି ସମାଜର ତଳୁ ଯାବତୀୟ ପ୍ରତିବନ୍ଧକକୁ ଦୂର କରି ମଣିଷକୁ ସେହିଠାରୁ ହିଁ ଉଠାଇ ଆଣିବାକୁ ମନ କରୁଥିଲେ ଯାଇ ତାହା ପ୍ରକୃତରେ ଆମଲାଗି ମଧ୍ୟ ଅନେକ ବିମୋଚନ ଏବଂ ଅନେକ ଉତ୍ତରଣର କାର୍ଯ୍ୟ କରିପାରିବ । ତଦ୍ୱାରା ଆମେ ମଧ୍ୟ ଏହି ଦେଶରେ ଅପେକ୍ଷିତ ବହୁ ପରିବର୍ତ୍ତନର ପ୍ରକ୍ରିୟାରେ ନିମିତ୍ତରୂପେ ବ୍ୟବହୃତ ହେବାର ଏକ ସୌଭାଗ୍ୟ ଲାଭ କରି ପାରିବା ।

 

‘ନବଜାଗରଣ’, ୨/୧ (୧୯୮୭)

Image

 

ଆଗାମୀ ବିପ୍ଳବ

 

ଫରାସୀ ବିପ୍ଳବର ସ୍ଵାଧୀନତା, ସମାନତା ଏବଂ ଭ୍ରାତୃତ୍ଵଭାବନାକୁ ବିପ୍ଳବର ମୂଳ ତିନୋଟି ଆଦର୍ଶ ରୂପେ ଗ୍ରହଣ କରାଯାଇଥିଲା । ଏହା ଠିକ୍ ଦୁଇଶହ ବର୍ଷ ତଳର କଥା । ସେତେବେଳେ ସାରା ପୃଥିବୀ ପରି ଇଉରୋପ ମହାଦେଶରେ ମଣିଷ ପ୍ରଧାନତଃ ଦାସତ୍ଵ ଭିତରେ ଜଡ଼ିତ ହୋଇ ରହିଥିଲା । ଅସମାନତା ହିଁ ଆଚରିତ ଧର୍ମ ହୋଇ ରହିଥିଲା । ସମାଜସ୍ଥ ମଣିଷମାନେ ପରସ୍ପରଠାରୁ ଏତେ ଅଧିକ ଦୂରବର୍ତ୍ତୀ ହୋଇ ରହିଥିଲେ ଯେ, ମଣିଷ ମଣିଷ ଭିତରେ କେବେ ଏକ ଭ୍ରାତୃତ୍ଵ ପ୍ରତିଷ୍ଠିତ ହୋଇପାରିବ ବୋଲି କେହି କଳ୍ପନା କରିପାରୁନଥିଲେ । ଏହିପରି ଏକ ପୃଷ୍ଠଭୂମି ଉପରେ ଫରାସୀ ବିପ୍ଳବ ଏକ ସତକୁ ସତ ପ୍ରେରଣା ନେଇ ଆବିର୍ଭୂତ ହୋଇଥିଲା ଏବଂ ପୃଥିବୀରେ ସ୍ଵାଧୀନତା, ସମାନତା ଏବଂ ଭ୍ରାତୃଭାବନାର ପ୍ରତିଷ୍ଠା କରାଇବା ଲାଗି ମନ ବଳାଇଥିଲା । ଏଥିପୂର୍ବରୁ କେତେକ ବିଚାର ଓ କେତେକ ଧର୍ମରେ ସ୍ଵାଧୀନତା, ସମାନତା ତଥା ଭ୍ରାତୃତ୍ଵ ବିଷୟରେ ଚିନ୍ତା କରଯାଇଥିଲା ସତ, ମାତ୍ର ସେହି ଆଦର୍ଶଗୁଡ଼ିକୁ ସତକୁ ସତ ସମାଜ ଓ ରାଷ୍ଟ୍ରବ୍ୟବସ୍ଥା ମଧ୍ୟରେ ଏକ ମୂର୍ତ୍ତିମନ୍ତ ରୂପ ଦେବାର ଯେଉଁ ସଂକଳ୍ପ, ଫରାସୀ ବିପ୍ଳବକୁ ହିଁ ଆମେ ତାହାର ସର୍ବପ୍ରଥମ ଦୃଷ୍ଟାନ୍ତ ବୋଲି କହିପାରିବା ।

 

ସେହି ଫରାସୀ ବିପ୍ଳବ ସମ୍ବନ୍ଧରେ ଆପଣାର ଲିଖିତ ଏକ ପ୍ରବନ୍ଧରେ ଶ୍ରୀରବିନ୍ଦ ସମୀକ୍ଷାତ୍ମକ ଭାବରେ ପୃଥିବୀ–ଇତିହାସର ସେହି ମହାନ୍ ଘଟଣାଟି ବିଷୟରେ ଏକ ଆଲୋଚନା କରିଛନ୍ତି । ଫରାସୀ ବିପ୍ଳବର ମାଧ୍ୟମରେ ସେହି ବିପ୍ଳବର ପୁରୋଧାମାନେ ଦେଖିଥିବା ସ୍ଵପ୍ନଗୁଡ଼ିକ ଆମ ଜାଗତିକ ଜୀବନର କ୍ଷେତ୍ରରେ କେତେଦୂର ଫଳିଲା ବା ନ ଫଳିଲା, ଶ୍ରୀଅରବିନ୍ଦ ସେହି ପ୍ରବନ୍ଧରେ ସେହି କଥାଟିର ବିଚାର କରିଛନ୍ତି । ଶ୍ରୀଅରବିନ୍ଦ ରଚନାବଳୀ, ଶତବାର୍ଷିକୀ ସଂସ୍କରଣ (ଇଂରାଜୀ) ସପ୍ତଦଶ ଖଣ୍ଡ, ୧୯୭୧, ପୃଷ୍ଠା–୩୭୭] ଫରାସୀ ବିପ୍ଳବର ଅସଲ ଓ ମୂଳ ଆବେଦନଗୁଡ଼ିକ ଯେ ପରବର୍ତ୍ତୀ ପୃଥିବୀରେ ମନୁଷ୍ୟଭାଗ୍ୟର ନିର୍ମାଣରେ ସ୍ଥାୟୀ ଦିଗଦର୍ଶକ ରୂପେ ସମଗ୍ରତଃ କାର୍ଯ୍ୟ କରିପାରିଲା ନାହିଁ, ଶ୍ରୀଅରବିନ୍ଦ ତାହାର ଏକ କାରଣର ସନ୍ଧାନ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି । ତାଙ୍କ ମତରେ, ସେହି ବିପ୍ଳବର ତିନୋଟି ଆଦର୍ଶ ମଧ୍ୟରୁ ତୃତୀୟଟି, ଅର୍ଥାତ୍ ଭ୍ରାତୃଭାବନା ହିଁ ସର୍ବମୂଳ ଭୂମି ହୋଇ ରହିଥାନ୍ତା ଏବଂ ସେହି ସର୍ବପ୍ରଥମ ଭୂମି ଉପରେ ସ୍ଵାଧୀନତା ଓ ସମାନତାର ପ୍ରତିଷ୍ଠା କରା ଯାଇଥାନ୍ତା । ମାତ୍ର ପ୍ରକୃତ କ୍ଷେତ୍ରରେ ସେକଥା ଘଟିନଥିଲା । ସ୍ଵାଧୀନତା ଏବଂ ସମାନତାକୁ ହିଁ ସବାଆଗ ଏବଂ ସବାମୂଳ ବୋଲି ବିଚାର କରାଗଲା ଓ ଭ୍ରାତୃଭାବନାକୁ ସତେଅବା ପ୍ରସ୍ତୁତ କାର୍ଯ୍ୟକ୍ରମଟିର ସବାଶେଷରେ ରହିଥିବା ଏକ କାମ୍ୟ ଆଦର୍ଶ ବୋଲି ଥାପନା କରି ଦିଆଗଲା । ତାତ୍କାଳିକ ବିପ୍ଳବର ଯାବତୀୟ ଉତ୍ସାହ ଓ ଉତ୍ତେଜନା ପ୍ରଥମ ଦୁଇଟି ମଧ୍ୟରେ ହିଁ ସୀମାବଦ୍ଧ ହୋଇ ରହିଲା ଏବଂ ଫଳରେ ତୃତୀୟଟିକୁ ସତେଅବା ଗୌଣ ବୋଲି ଛାଡ଼ି ଦିଆଗଲା । ସ୍ଵୀକାର କରାଯାଇଥିଲା ସତ, ମାତ୍ର ତଥାପି ଛାଡ଼ି ଦିଆଯାଇଥିଲା । ସେ କଥାଟି ପରେ ବୁଝାଯିବ ବୋଲି ଅଗ୍ରଗାମୀମାନେ ସତେଅବା ଗୋଟାସୁଦ୍ଧା ପ୍ରଥମ ଦୁଇଟି ମଧ୍ୟରେ ହିଁ ମାତି ରହିବାକୁ ଅଧିକ ଉଚିତ ବୋଲି ମନେ କରି ନେଉଥିଲେ ।

 

ସ୍ଵାଧୀନତା, ସମାନତା ଏବଂ ଭ୍ରାତୃଭାବନା–ଏହି ତିନୋଟିଯାକ କଥାକୁ ଶ୍ରୀଅରବିନ୍ଦ ଗୋଟିଏ ତ୍ରିଭୁଜର ଆକାର ମଧ୍ୟରେ କଳ୍ପନା କରିଛନ୍ତି । ତାଙ୍କ ମତରେ ଫରାସୀ ବିପ୍ଳବର ଆବେଦନଗତ ଯୋଜନାର ଭୂମିରେ ସ୍ଵାଧୀନତା ଓ ସମାନତା ସ୍ଲୋଗାନ୍ ପରି ହୋଇ ରହିଥିଲା ଏବଂ ଭ୍ରାତୃଭାବନା ସେହି ତିଭୁଜର ତୁଳି ଉପରେ ଯାଇ ରହିଥିଲା । ଅର୍ଥାତ୍, ଏକ ଯଥାର୍ଥ ବିପ୍ଳବର ଔଚିତ୍ୟ ଦୃଷ୍ଟିରୁ ବିଚାର କରି ଦେଖିଲେ, ତ୍ରିଭୁଜର ମୁନିଆ ପାଖଟି ତଳେ ରହିଥିଲା ଓ ଭୂମିଟି ଉପରକୁ ହୋଇ ରହିଥିଲା । ଏପରି ସ୍ଥିତିରେ ତ୍ରିଭୁଜଟି ଟଳ ଟଳ ହେବା ବ୍ୟତୀତ ଅନ୍ୟ କୌଣସି ଗତି ନଥିଲା । ଏକ ଓଲଟା ତ୍ରିଭୁଜ ପରି ଫରାସୀ ବିପ୍ଳବମଧ୍ୟ ଆପଣାର ଶକ୍ତି ହରାଇ ବସିଲା ଓ ତେଣୁ ଆକାଙକ୍ଷିତ ଫଳଗୁଡ଼ିକୁ ଆଣି ଦେଇ ପାରିଲାନାହିଁ । ଶ୍ରୀଅରବିନ୍ଦ କହିଛନ୍ତି ଯେ ସେତେବେଳେ କାଳସ୍ଥ ଚେତନାଗତ ପୃଷ୍ଠଭୂମିଟି ଅନୁରୂପ ଭାବରେ ତିଆରି ହୋଇ ନଥିଲା ବୋଲି ଏପରି ହେଲା । ମାତ୍ର ଏବେ ଯଥାର୍ଥ ସମୟରେ ମନୁଷ୍ୟଜାତିର ଯେଉଁ ଆବଶ୍ୟକ ଆଗାମୀ ବିପ୍ଳବଟି ହେବ, ସେଥିରେ ଭ୍ରାତୃଭାବନା ହିଁ ଭୂମିରେ ରହିବ ଏବଂ ସେହି ଭ୍ରାତୃଭାବନାର ଭୂମିଟି ଉପରେ ସମାନତା ତଥା ସ୍ୱାଧୀନତାର ଅନ୍ୟ ଦୁଇଟିଯାକ ତତ୍ତ୍ଵର ଆନୁଶୀଳନ କରାଯିବ । ଅର୍ଥାତ୍ ତ୍ରିଭୁଜର ବର୍ତ୍ତମାନର ଓଲଟା ସ୍ଥିତିକୁ ଓଲଟାଇ ଦେଲେ ଯାଇ ତାହା ହେବ । ଯାହା ସବାଆଗ, ତାହାକୁ ସବାଆଗ ବୋଲି ମାନିବାକୁ ହିଁ ପଡ଼ିବ । ନହେଲେ ଆମର ତଥାକଥିତ ନୂଆ ବିପ୍ଳବଗୁଡ଼ିକ ମଧ୍ୟ ପୁରୁଣାଗୁଡ଼ିକ ପରି ଅନ୍ୟ ବାଟରେ ମୁହାଁଇଯିବ ଏବଂ ମଣିଷକୁ ବୋକା ବନାଇ ରଖିଥିବ ।

 

ଭ୍ରାତୃଭାବନାକୁ ଯାବତୀୟ ପରିବର୍ତ୍ତନ ଏବଂ ଉତ୍‍କ୍ରାନ୍ତିରେ ସବାମୂଳ ପ୍ରସ୍ଥ ରୂପେ ସ୍ଵୀକାର କରିବା, ଏହାକୁ ଆମେ କଦାପି କେବଳ ଏକ ରାଜନୀତିକ କାର୍ଯ୍ୟକ୍ରମ ବୋଲି କହି ପାରିବା ନାହିଁ । ଅନ୍ତତଃ ଆମର ସାଂପ୍ରତିକ ଜଗତରେ ଅଧିକାଂଶ ମଣିଷ ଓ ସେମାନଙ୍କର ଅଧିକାଂଶ ନେତା ରାଜନୀତି କହିଲେ ଯେଉଁ ମାନ ଓ ପରିମାନଗୁଡ଼ିକୁ ବୁଝୁଛନ୍ତି, ତାହା ଭିତରେ ଭ୍ରାତୃଭାବନା ନିମନ୍ତେ ଆଦୌ କୌଣସି ସ୍ଥାନ ରଖାଯାଇନାହିଁ । ଭ୍ରାତୃଭାବନାକୁ ଏକ ଅନ୍ୟତମ ମାନବିକ ମୂଲ୍ୟବୋଧ ବୋଲି ମୁହଁରେ କୁହାଯାଉଛି ସତ, ମାତ୍ର ରାଜନୀତିକ ଯାବତୀୟ ଆଚରଣ ଓ କର୍ମାନୁଷ୍ଠାନରେ ତାହାକୁ ସତେଅବା ଅନାବଶ୍ୟକ ବୋଲି ବହିଷ୍କୃତ କରି ରଖାଯାଇଛି । ବର୍ତ୍ତମାନ ରାଜନୀତିରେ କ୍ଷମତା ହିଁ ସବାବଡ଼ ନିର୍ଣ୍ଣାୟକ ହୋଇ ଆମ ଭାଗ୍ୟର ଛାତି ଉପରେ ବସି ରହିଛି । ଗତ ଷାଠିଏ ବା ସତୁରୀ ବର୍ଷର ଇତିହାସ ଆମ ସମ୍ମୁଖରେ ଯେଉଁ ଦୃଶ୍ୟ ପାଟଟିକୁ ପ୍ରସାରିତ କରି ରଖିଛି, ସେଥିରେ କୂଟନୀତି ହିଁ ସମଗ୍ର ଭୂମିଟିକୁ ମାଡ଼ି ବସିଛି । କ୍ଷମତାମତ୍ତମାନେ ହିଁ ପ୍ରତ୍ୟେକ ଦେଶରେ ମନୁଷ୍ୟ ସମ୍ଭାବନାର ଯାବତୀୟ ଦ୍ଵାରକୁ ଓଗାଳି ବସିଛନ୍ତି । ଏକ ଉଗ୍ର ଜାତୀୟତାବାଦ ମଣିଷମାନଙ୍କର ମନ ଭିତରେ ନାନା ମିଛ ଭାବପ୍ରବଣତାର ସୃଷ୍ଟି କରି କ୍ରମେ ଅଧିକରୁ ଅଧିକ ଉଗ୍ର ହେବାରେ ଲାଗିଛି ଏବଂ ସେହି ଆଳରେ ପ୍ରାୟ ପ୍ରତ୍ୟେକ ଦେଶରେ ବଡ଼ ମାଛମାନେ ସାନ ମାଛମାନଙ୍କୁ ଖାଇଯାଉଛନ୍ତି । ମଣିଷ ହିସାବରେ ମଣିଷର କେଉଁଠି ହେଲେ ସୁମାରି ହେଉନାହିଁ । ମଣିଷ ଘୋଡ଼ା ହୋଇଛି, ରାଷ୍ଟ୍ର ତା’ ଉପରେ ସଇସ ହୋଇ ବସିଛି । ରାଷ୍ଟ୍ରର ଆଦୌ କୌଣସି ମୂଳଭୂତ ଆଦର୍ଶ ନାହିଁ, ଯେଉଁମାନେ ଯେତେବେଳେ ରାଜନୀତିକ କ୍ଷମତା ହାସଲ କରୁଛନ୍ତି ଓ ସିଂହାସନରେ ବସୁଛନ୍ତି, ସେହିମାନଂକର ନାନା ଖିଆଲ ଏବଂ ଅପକର୍ମକୁ ହିଁ ରାଷ୍ଟ୍ର ବୋଲି କୁହାଯାଉଛି । ସେହି ମତ୍ତମାନଂକର ବରାଦ ଅନୁସାରେ ପଇସା ଖର୍ଚ୍ଚ ହେଉଛି, ବିଦ୍ୟା ଓ ବିଜ୍ଞାନ ସେହି ବେଭାର ଅନୁସାରେ ନିୟୋଜିତ ହେଉଛନ୍ତି । ଭ୍ରାତୃଭାବନା ପାଇଁ ସତେଅବା କାହାରି ବେଳ ନାହିଁ ।

 

ଏହି ଦୃଷ୍ଟିରୁ ଆଗାମୀ ବିପ୍ଳବକୁ ଆମେ ଏକ ତୁଚ୍ଛା ରାଜନୀତିକ ବିପ୍ଳବବୋଲି ମୋଟେ କହିପାରିବା ନାହିଁ । ଗତ ଗୋଟାଏ ବା ଦୁଇଟା ଶତାବ୍ଦୀ ଧରି ପୃଥିବୀର ଭାଗ୍ୟନିୟନ୍ତ୍ରଣ କରି ଆସିଥିବା ରାଜନୀତି ଭିତରେ ଯେ ଆହୁରି ଆଗକୁ ଆଦୌ କୌଣସି ଅକଲ ନାହିଁ, ସେକଥା ବର୍ତ୍ତମାନ ପୃଥିବୀରେ କ୍ରମେ ଅଧିକରୁ ଅଧିକ ମଣିଷ ବୁଝିବାକୁ ଆରମ୍ଭ କଲେଣି । ସେମାନେ ଏବେ ଆଉକିଛି ଖୋଜୁଛନ୍ତି । ସେହି ଆଉକିଛି ହିଁ ଆଗାମୀ ବିପ୍ଳବର ଯଥାର୍ଥ ଭୂମିଟିକୁ ତିଆରି କରିବ । ନୂଆ ହୋଇ ସ୍ଵାଧୀନତା ଲାଭ କରିଥିବା ତଥାକଥିତ ତୃତୀୟ ପୃଥିବୀର ରାଜନୀତିକ ନେତାମାନେ ସମ୍ଭବତଃ ସମସ୍ତ ପୃଥିବୀକୁ ସେହି ଆଉକିଛିଟିର ପ୍ରେରଣା ଯୋଗାଇଦେବେ ବୋଲି ଏକଥା ଯେଉଁ ଅପେକ୍ଷା ରହିଥିଲା, ତାହା ମଧ୍ୟ ମିଥ୍ୟା ବୋଲି ପ୍ରମାଣିତ ହେଲାଣି । ପୁରୁଣା ଜରାସନ୍ଧାମାନଂକୁ ଅନୁକରଣ କରି ଓ ସେହିମାନଂକଠାରୁ ଆଖିଗୁଡ଼ାକୁ ଉଧାର ନେଇ ଏସବୁ ଦେଶରେ ଏବେ ନୂଆ ଜରାସନ୍ଧମାନେ ବି ବାହାରିବାକୁ ଆରମ୍ଭ କଲେଣି । ଏମାନଂକର ନେତୃତ୍ଵ ଆମର ଆଉ କୌଣସି କାମରେ ଲାଗିବ ନାହିଁ । ଏମାନେ ବି ପ୍ରଧାନତଃ ଭୋଗ କରିବାକୁ ହିଁ ରାଷ୍ଟ୍ରଶକ୍ତିର ଅପବ୍ୟବହାର କରିବେ । ପ୍ରାୟ ଯୁଗେ ଯୁଗେ ଯେପରି ଅଳପ ମଣିଷ ଅଧିକ କ୍ଷମତା ଓ ସମ୍ପନ୍ନତା ବଳରେ ଅଧିକ ମଣିଷଙ୍କୁ ଭୋଗ କରି ଆସିଛନ୍ତି, ଏମାନେ ବି ଠି୍କ ସେହି ବାଟରେ ଯିବେ । ବାଟ ଓଗାଳି ବସିଥିବେ । ଦେଶ ଓ ଜାତିର ମିଛ ଉଲୁଗୁଣମାନ ଦେଇ ଆମକୁ ଭୁଲାଇ ରଖିବେ ସିନା, ମନୁଷ୍ୟ ସମାଜର ଆଗାମୀ ଉଦୟ ଲାଗି ଏମାନେ କୌଣସି କାମରେ ଲାଗିବେ ନାହିଁ । ତେଣୁ ଏମାନଂକୁ ଅତିକ୍ରମ କରି ଆହୁରି ଆଗକୁ ଯିବାକୁ ପଡ଼ିବ ।

 

ଭାରତବର୍ଷର ସ୍ଵାଧୀନତା ଆନ୍ଦୋଳନକୁ କଦାପି କେବଳ ଏକ ରାଜନୀତିସର୍ବସ୍ଵ ଆନ୍ଦୋଳନ ବୋଲି କୁହାଯାଇ ପାରିବ ନାହିଁ । ଉନବିଂଶ ଶତାବ୍ଦୀର ମଧ୍ୟଭାଗକୁ ଭାରତର ଯେଉଁ ନେତାମାନେ ଏହି ଦେଶକୁ ଏକ ନୂତନ ଲୋଚନ ଏବଂ ନୂତନ ପିପାସା ଯୋଗାଇ ଦେବାରେ ସବୁଠାରୁ ଅଧିକ କାର୍ଯ୍ୟ କରିଥିଲେ, ସେମାନେ କେବଳ ରାଜନୀତିରେ କେବେହେଲେ ନଥିଲେ । ସେମାନେ ଏକ ନୂତନ ଭାରତର ସ୍ଵପ୍ନ ଦେଖୁଥିଲେ, ନୂତନ ସମାଜ ଅର୍ଥାତ୍ ମଣିଷ ମଣିଷ ଭିତରେ ନୂତନ ସମ୍ବନ୍ଧର ସ୍ଵପ୍ନ ଦେଖୁଥିଲେ । ରାଜନୀତିକ ସ୍ଵାଧୀନତା ସଂଗ୍ରାମରେ ସେନାପତିତ୍ଵ କଲାବେଳେ ମହାତ୍ମା ଗାନ୍ଧୀ ଭାରତୀୟ ଜନମନ ଓ ଜନଚେତନାକୁ ସତେଅବା ଏକାବେଳେକେ ତଳୁ ତିଆରି କରି ଆଣିବା ନିମନ୍ତେ କେତୋଟି ରଚନାତ୍ମକ କାର୍ଯ୍ୟକ୍ରମର ଯୋଜନା ରଖିଥିଲେ । ସମଗ୍ର ଦେଶର ଯାବତୀୟ ଭବିଷ୍ୟତ ନିର୍ମାଣ ଏକ ଆଧାରଭୂତ ଭ୍ରାତୃଭାବନା ଉପରେ ଯେପରି ପ୍ରତିଷ୍ଠିତ ହୋଇ ରହିପାରିବ, ରଚନାତ୍ମକ କାର୍ଯ୍ୟକ୍ରମଗୁଡ଼ିକ ସେଇଥି ସକାଶେ ହିଁ ଉଦ୍ଦିଷ୍ଟ ହୋଇ ରହିଥିଲେ । ମହାତ୍ମାଗାନ୍ଧୀ ଯାହାକୁ ଭାରତବର୍ଷର ଅସଲ ବିପ୍ଳବବୋଲି କହୁଥିଲେ, ତାହା ଭାରତବର୍ଷର ରାଜନୀତିକ ସ୍ଵାଧୀନତା ହାସଲ କରିବା ପରେ ଆରମ୍ଭ କରାଯାଇଥାନ୍ତା । ମାତ୍ର, ସ୍ଵାଧୀନ ଭାରତରେ ସରକାର ବନି ଯେଉଁ କ୍ଳାନ୍ତମାନେ କ୍ଷମତାକୁ ଆସିଲେ, ସେମାନେ ବହୁ କାରଣରୁ ପରବର୍ତ୍ତୀ ବିପ୍ଳବଟିର ନେତୃତ୍ଵ ଦେବାର ଯୋଗ୍ୟ ହୋଇ ପାରିଲେ ନାହିଁ । ସେମାନେ ଉପରୁ ଅନୁଗ୍ରହ ଦେଖାଇ, ଅଧିକରୁ ଅଧିକ ପଇସା ଅଜାଡ଼ି ଦେଇ ଏହି ଦେଶକୁ ଗଢ଼ାଯାଇ ପାରିବ ବୋଲି ହୁଙ୍କାର ଦେଲେ । ଏବେ ମଧ୍ୟ ସେମାନେ ସେହିପରି ଉପରୁ ହୁଙ୍କାର ଦେଉଛନ୍ତି ଏବଂ ଉପରୁ ଦୟା ଦେଖାଉଛନ୍ତି । ଅସଲ ମୂଳଦୁଆଗୁଡ଼ିକୁ କ୍ରମେ ଅଧିକରୁ ଅଧିକ ଦୁର୍ବଳ କରି ପକାଉଛନ୍ତି, ଚେତନା ଓ ସାମୁଦାୟିକ ଶକ୍ତିର ବାଟକୁ ଓଗାଳି ବସିଛନ୍ତି । ସେମାନେ ବାହାରୁ ଭିକ ମାଗି ଦେଶକୁ ଟଙ୍କା ଆଣୁଛନ୍ତି ଓ ଦେଶରେ ବାବୁ ହୋଇ ଶାସନ କରୁଛନ୍ତି । ଖାଇଗୁଡ଼ାକ ବୃଦ୍ଧି ପାଇବାରେ ଲାଗିଛି । ଉପରେ ଅହଂକାର ବଢ଼ୁଛି, ତଳେ ଅସହାୟତା ବଢ଼ିବାରେ ଲାଗିଛି । ଭ୍ରାତୃଭାବନା କୁଆଡ଼େ ମାଡ଼ ଖାଇ ଯାଉଛି । ରାଷ୍ଟ୍ରଶକ୍ତି ଲୋକଶକ୍ତିକୁ ଦାସ କରି ରଖିବାର ପ୍ରୟାସ କରୁଛି । ରାଜଧର୍ମ ଲୋକଧର୍ମକୁ ଗିଳିପକାଉଛି । ଦେଶର ଶିକ୍ଷା, ଶାସନ, ଅର୍ଥନୈତିକ ନାନାବିଧ ନିର୍ମାଣ ତଥା ପ୍ରଦର୍ଶନ–ସବୁକିଛି ସତେଅବା ଧର୍ମତଃ ଲୋକଜୀବନରେ ବ୍ୟବଧାନଗୁଡ଼ାକ ବୃଦ୍ଧି ପାଇବାରେ ହିଁ ସବୁଠାରୁ ଅଧିକ ସାହାଯ୍ୟ କରୁଛି । ପାରସ୍ପରିକତା ମାଡ଼ଖାଇ ଯାଉଛି । ଉପରେ କ୍ରୂର ଦୟାବନ୍ତମାନଂକର ଉପଦ୍ରବ ଯେତିକି ଯେତିକି ବହୁଶାଖାଯୁକ୍ତ ହେବାରେ ଲାଗିଛି, ଦେଶଯାକ ମଣିଷମାନଂକଠାରୁ ସେମାନଂକର ଅସଲ ସମ୍ମାନ ଓ ଅସଲ ବିଶ୍ଵାସଗୁଡ଼ିକୁ ଅପହରଣ କରି ନେବାରେ ତାହା ସେତିକି କାର୍ଯ୍ୟ କରୁଛି ।

 

ଗାନ୍ଧୀଙ୍କ ପରେ ସ୍ଵାଧୀନ ଭାରତରେ ଗାନ୍ଧୀଙ୍କର ଅନୁଗାମୀମାନେ ପ୍ରାଧାନତଃ ଦୁଇଭାଗରେ ବିଭାଜିତ ହୋଇଗଲେ । ଭାଗେ ଶାସନରେ ରହିଲେ । ସେମାନେ ଶାସନ କଲେ; ଦେଶକୁ ଦୃଢ଼ କରି ଗଢ଼ିବାକୁ ଶାସନ ନିଜର ଦାୟିତ୍ଵ ବୋଲି ଘୋଷଣା କଲା ସତ, ମାତ୍ର ଶାସକମାନେ ସ୍ଥିତାବସ୍ଥାଗୁଡ଼ିକୁ ଯଥାସମ୍ଭବ ଅଧିକ ସ୍ଥାୟୀ କରି ରଖିବାଲାଗି ହିଁ ଶାସନ ଭିତରେ ନାନାବିଧ ଫିସାଦ ଆଣି ଭର୍ତ୍ତିକରି ପକାଇଲେ । ଅନ୍ୟ ଭାଗଟି ସର୍ବୋଦୟ–ଆନ୍ଦୋଳନ ଭିତରେ ରହିଲା ଓ ତେଣୁ ଶାସନର ବାହାରେ ରହିଲା । ତଥାପି ତାହା ଆପଣାର ମୂଳଭୂତ ଆଭିମୁଖ୍ୟଗୁଡ଼ିକ ସମ୍ବନ୍ଧରେ ଯଥେଷ୍ଟ ପରିମାଣରେ ଏକ ସ୍ପଷ୍ଟ ନିଷ୍ପତ୍ତି ନେଇପାରିଲା ନାହିଁ କି କ’ଣ କେଜାଣି, ଲୋକମାନଙ୍କ ଚକ୍ଷୁରେ ଅନେକ ସମୟରେ ସର୍ବୋଦୟବାଦୀମାନେ ଶାସକମାନଂକଠାରୁ ତତ୍ତ୍ଵତଃ ଏକ ଅନ୍ୟ ଶିବିରରେ ଅଛନ୍ତି ବୋଲି ମୋଟେ ବାରି ହେଲା ନାହିଁ । ବେଳେ ବେଳେ ଏକା ଲୋକ ଏପାଖରେ ଶାସନରେ ରହିଲେ ଓ ତେଣେ ସର୍ବୋଦୟର କଥା କହିଲେ । ଫଳରେ, ଶାସନ ଯହୁଁ ଯହୁଁ ଅଧିକରୁ ଅଧିକ ପ୍ରତିକ୍ରିୟାଶୀଳ ହେଲା ଓ ରାଜନୀତିକ ନେତୃତ୍ଵର ସର୍ବନିମ୍ନ ଶାଳୀନାତାଗୁଡ଼ିକୁ ମଧ୍ୟ ହରାଇବାକୁ ଆରମ୍ଭ କଲା, ଏଣେ ସର୍ବୋଦୟ ଆନ୍ଦୋଳନ ସତେଅବା ନିଜ ଭିତରୁ ହିଁ ଅଧିକରୁ ଅଧିକ ଦୁର୍ବଳ ହୋଇ ପଡ଼ିଲା । ଏହି ଆନ୍ଦୋଳନ ଭିତରେ ରହିଥିବା ବ୍ୟକ୍ତିମାନେ ଦିଲ୍ଲୀରୁ ଜରୁରୀ ଅବସ୍ଥା ଜାରି କରାଯିବାବେଳେ ଦୁଇଭାଗ ହୋଇଗଲେ । ଏହି ଦୁଇଭାଗ ହେବାରେ ପ୍ରାୟ ଏକ ନିମିତ୍ତ ଭଳି କାର୍ଯ୍ୟ କରିଥିବା ଶାସନସ୍ଥମାନେ ଉପରୁ ଥାଇ ସୁକୁଟ ଦେଖିଲେ ଏବଂ ଖୁସୀ ହେଲେ । ଏହି ଭାଗ ଦୁଇଟି ପୁନର୍ବାର ଏକତ୍ର ହେବା ଏବେ ମଧ୍ୟ ସମ୍ଭବ ହୋଇନାହିଁ । ତେଣେ ଦେଶରେ ସାମୂହିକ କ୍ଷେତ୍ରରେ ଉପେକ୍ଷାଗୁଡ଼ିକ ହିଁ ବଢ଼ିବାରେ ଲାଗିଛି; ସମର୍ଥମାନେ କଳେବଳେ କୌଶଳେ ସାମନ୍ତପଣ ଆଚରଣ କରିବାକୁ ହିଁ ଯୁଗୋପଯୋଗୀ ଆଚାର ରୂପେ ଗ୍ରହଣ କରି ନେଉଛନ୍ତି ଏବଂ ସେମାନେ ଯେଉଁ କୋଟି କୋଟି ମଣିଷଙ୍କୁ ଅସମର୍ଥ ହୋଇ ରହିବାରେ ନିମିତ୍ତରୂପେ କାର୍ଯ୍ୟ କରୁଛନ୍ତି, ସେମାନେ ଅଧିକ ଅସହାୟ ହେବାରେ ଲାଗିଛନ୍ତି । ଅସହାୟ ରୁଷ୍ଟ ହେଲେ ଉଗ୍ର ହୁଏ ସିନା, ମାତ୍ର ବିପ୍ଳବ କରିପାରେ ନାହିଁ । ଆମ ଦେଶରେ ବର୍ତ୍ତମାନ ହେଉଥିବା ଅଧିକାଂଶ ତଥାକଥିତ ଆନ୍ଦୋଳନ ସେହି ରୁଷ୍ଟତା ଏବଂ ଉଗ୍ରତାର ପରିଚାୟକ ହୋଇଛି । ଅସଲ ବିପ୍ଳବ ଲାଜରା ହୋଇ ରହିଛି ।

ଭାରତୀୟ ଶାସ୍ତ୍ରରେ ‘ସଂଗଚ୍ଛଧ୍ଵଂ’ ଓ ‘ସମ୍ବଦଧ୍ଵଂ’ ବିଷୟାରେ ଯେତେ ଯାହା କୁହା ଯାଇଥାଉ ପଛେକେ, ଭାରତୀୟ ସାମାଜରେ ଭ୍ରାତୃଭାବନା ଲାଗି ପ୍ରାୟ କୌଣସି ସ୍ଥାନ ନଥିଲା । ସାମୁଦାୟିକ ଜୀବନରେ ଗୋଟାଏ ପ୍ରକାରର ଗୋଷ୍ଠୀଭାବ ଅବଶ୍ୟ ଥିଲା, ମାତ୍ର ପାହାଚଗୁଡ଼ାକ ଅତ୍ୟନ୍ତ ନିର୍ମମ ଭାବରେ ବଳବତ୍ତର ହୋଇ ରହିଥିଲେ ଓ ବହୁ କର୍ମବାଦୀ ଯୁକ୍ତିଦ୍ଵାରା ତାହାକୁ ଦୋରସ୍ତ କରି ରଖା ଯାଇଥିଲା । ଏହିପରି ଏକ ଗଠନଗତ ପୃଷ୍ଠଭୂମି ଉପରେ ସର୍ବୋଦୟ ଆନ୍ଦୋଳନ ଆପଣାର ଆଭିମୁଖ୍ୟଗୁଡ଼ିକୁ ସ୍ପଷ୍ଟଭାବରେ ଘୋଷଣା କରି ତଦନୁରୂପେ ଏକ ଶୃଙ୍ଖଳାରେ ନିଜକୁ ପରିଚାଳିତ କରିବା ମୋଟେ ସହଜ ନୁହେଁ । ସର୍ବୋଦୟ ଭିତରେ ଯେଉଁମାନେ ନେତୃତ୍ଵ–ସ୍ଥାନମାନଙ୍କରେ ରହିଥିଲେ, ସେମାନେ ଅଧିକାଂଶତଃ ଉପର ପାହାଚଗୁଡ଼ିକରୁ ଆସିଥିଲେ ଓ ସେଗୁଡ଼ିକର ସଂସ୍କାରଗୁଡ଼ାକରୁ ନିଜକୁ ତଥାପି ନିର୍ମଳ ଭାବରେ ମୁକ୍ତ କରି ପାରିନଥିଲେ । ତେଣୁ ଉତ୍ତମ ଓ ପ୍ରବରମାନେ ଅଧିକାଂଶ କ୍ଷେତ୍ରରେ ଅବର ଓ ଅନୁତ୍ତମମାନଂକଠାରୁ ବାରି ହୋଇ ପଡ଼ୁଥିଲେ, ଭାରି ଦୂରଛଡ଼ା ଦିଶୁଥିଲେ । ଚେତନାରେ, ଶକ୍ତିରେ, ବିଶ୍ଵାସରେ ଏବଂ ସାହାସରେ ତଳୁ ଶିବିରର ସମ୍ପୃକ୍ତ ସମସ୍ତଙ୍କୁ ଗୋଟିଏ ପାରସ୍ପରିକତାରେ ଗଢ଼ି ଆଣିବାର କୌଣସି କାର୍ଯ୍ୟକ୍ରମ ସେହି ଆନ୍ଦୋଳନରେ ନଥିଲା । ଏହିସବୁ କାରଣରୁ ନେତୃତ୍ଵ କର୍ତ୍ତୁତ୍ଵ–ପ୍ରଧାନ ଥିଲା, ଉଦୟ–ପ୍ରଧାନ ହେବାକୁ ବେଳ ପାଉ ନ ଥିଲା । ସମସ୍ତେ କଥାରେ କହିଲାବେଳେ ଶକ୍ତି, ସମତା ଓ ଭ୍ରାତୃତ୍ଵର କଥା କହୁଥିଲେ ସତ, ମାତ୍ର ଅନ୍ତର୍ଗତ ଗଠନଗୁଡ଼ାକରେ ସେହି ପୁରୁଣାଗୁଡ଼ାକ ସହିତ ଭାରି ବାନ୍ଧି ହୋଇ ରହିଥିଲେ ।

 

ଆଗାମୀ ଅସଲ ବିପ୍ଳବଟି ଭ୍ରାତୃତ୍ଵବନା ଉପରେ ପ୍ରତିଷ୍ଠିତ ହେବ । ପାରସ୍ପାରିକତା ହିଁ ସେହି ବିପ୍ଳବର ଅସଲ ସଂକଳ୍ପ ହୋଇ ରହିବ । ସେହି ବିପ୍ଳବରେ ଯେଉଁମାନେ ସୈନିକ ହୋଇ ବାହାରି ଥିବେ, ସେମାନଂକର ନିଜ ଶିବିରଟି ଭିତରେ ଭ୍ରାତୃଭାବନା ଏବଂ ପାରସ୍ପରିକତା ସର୍ବପ୍ରଧାନ ସନ୍ତକ ହୋଇ ରହିବ । ସେମାନଂକର ପରିମଳରୁ ହିଁ ଭବିଷ୍ୟତ ପାଇଁ କଳ୍ପନା କରାଯାଉଥିବା ଆଦର୍ଶ ସମାଜ ଓ ସେଥିଲାଗି ବିଚାର କରାଯାଇଥିବା ଆବଶ୍ୟକ ବିପ୍ଳବଟି ବିଷୟରେ ମଧ୍ୟ ସାଧାରଣ ସମସ୍ତଙ୍କୁ ଏକ ପ୍ରକୃତ ପ୍ରତ୍ୟୟ ମିଳି ଯାଉଥିବ । ସେମାନେ ପୁରାତନ ଅସମ୍ବନ୍ଧଗୁଡ଼ାକ ଭିତରେ ବାନ୍ଧି ହୋଇ ରହିଥିବେ, ପୁରୁଣା ବ୍ୟବସ୍ଥାଗୁଡ଼ାକ ମଧ୍ୟରେ ସଫଳ ହେବାଲାଗି ତଥାପି ଚେଷ୍ଟା କରୁଥିବେ ଏବଂ ଏଣେ ନୂତନର ପରିବର୍ତ୍ତନର କଥା କହୁଥିବେ, ସେକଥା ଆଦୌ ହୋଇପାରିବ ନାହିଁ । ସେମାନେ ପରସ୍ପରକୁ ସମ୍ମାନ ଦେବେ, ଆତ୍ମବିଶ୍ଵାସ ଦେବେ; ପରସ୍ପରର ଶକ୍ତି ବଢ଼ାଇବେ । ତେବେ ଯାଇ ସେମାନଂକୁ ମାଧ୍ୟମ କରି ସତ୍ୟାଗ୍ରହର ଯଥାର୍ଥ ଶକ୍ତିଟି ଦୃଶ୍ୟମାନ ହେବାକୁ ଆରମ୍ଭ କରିବ ଏବଂ ବହୁ ଅପେକ୍ଷିତ ଯଥାର୍ଥ ବିପ୍ଳବଟି ମଧ୍ୟକୁ ବାଟ ଦିଶିଯିବ । ଏକଥା ଯେ କାଲି ସମ୍ଭବ ହୋଇଯିବ, ସେକଥା ଆଦୌ ସମ୍ଭବ ନୁହେଁ । ସେଥିଲାଗି କ୍ରମଶଃ ପାକଳ ହେବାକୁ ପଡ଼ିବ । ପୁରୁଣା ପଦ୍ଧତିର ତଥାକଥିତ ଆନ୍ଦୋଳନାତ୍ମକ ଉଗ୍ରତା ଓ ଭାବପ୍ରବଣତାଗୁଡ଼ାକ ଯେତିକି ଯେତିକି ମୋଟେ କାମରେ ଆସିବେ ନାହିଁ ବୋଲି ସଂସାରରେ ଧରାପଡ଼ି ଯାଉଥିବେ ଏବଂ ସେଗୁଡ଼ିକର ସମ୍ମୁଖୀନ ହେବା ଲାଗି ଏକ ବିକଳ୍ପ ଶିବିର ଯେତିକି ଦୃଢ଼ମୂଳ ହୋଇ ଗଢ଼ି ଉଠୁଥିବ, ଆଗାମୀ ବିପ୍ଳବଟି ନିମନ୍ତେ ସେତିକି କ୍ଷେତ୍ର ପ୍ରସ୍ତୁତ ହେବାରେ ଲାଗିଥିବ । ଆୟୁଧ ପରେ ଆୟୁଧ ବଢ଼ାଇ ତାହାକୁ ହିଁ ଶକ୍ତି ବୋଲି ମଣି ରାଜନୀତିରେ ଢମ କରୁଥିବା ଓ ଅସଲ ମଣିଷର ଯାବତୀୟ ଅନୁରାଗକୁ ନାନା କୌଶଳରେ ଦାବି ରଖିବାକୁ ଇଚ୍ଛା କରୁଥିବା ଶାସକ ଓ ସାମନ୍ତମାନଂକ ବିରୁଦ୍ଧରେ ସେତିକିବେଳେ ଯାଇ ପୃଥିବୀର ଆଗାମୀ ବିପ୍ଳବଟି ଆରମ୍ଭ ହେବ । ବର୍ତ୍ତମାନର ଭୂମିରେ ଛିଡ଼ା ହୋଇଥିଲେ ମଧ୍ୟ ଯିଏ ଏକ ଯଥାର୍ଥ ବ୍ୟାକୁଳତା ସହିତ ସେହି ସାହସିକ ଅଭିକ୍ରମରେ ସାଥିମାନଂକୁ ଖୋଜି ବାହାରିଥିବ, ଆଗାମୀ ବିପ୍ଳବର ସେଇ ପୁରୋଗାମୀ ହୋଇ ବାହାରିବ । ସିଏ ମନ କଲେ ତାର ଉଦ୍ୟମ ଏବଂ ଅନ୍ଵେଷଣ ଆଜିଠାରୁ, ଏହି ମୁହୂର୍ତ୍ତଠାରୁ ଆରମ୍ଭ ହୋଇଯାଇ ପାରିବ । ଏଭଳି ଜଣେ ବ୍ୟକ୍ତିତ୍ଵ ଅନୁରୂପ ସାଥି ଅବଶ୍ୟ ମିଳିଯିବେ ।

‘ସର୍ବୋଦୟ’, ମଇ ୧, ୧୯୮୭

Image

 

ଗଣତାନ୍ତ୍ରିକ ନିର୍ବାଚନର ଗତି

 

ସ୍ଵାଧୀନ ଭାରତରେ ଗତ ସାତ ଆଠୋଟି ସାଧାରଣ ନିର୍ବାଚନରେ ଅନ୍ତତଃ ଏତିକି କଥା ସିଦ୍ଧ ହୋଇଗଲା ଯେ ଆମର ଏହି ମାଟିରେ ଗଣତନ୍ତ୍ର ବ୍ୟତୀତ ଆଉ କିଛିହେଲେ ଉଧେଇବ ନାହିଁ-। ଭାରତବର୍ଷରେ ଚିରକାଳ ରାଜାମାନେ ରହି ଆସିଛନ୍ତି ଏବଂ ସେହି ରାଜାମାନଂକର ବଦାନ୍ୟତା ବିଷୟରେ ଆମର ଏଠି କେତେ ପ୍ରଶସ୍ତିମୂଳକ ପୁରାଣ ଲେଖା ଯାଇଛି ସତ, ମାତ୍ର ଏହି କଥାଟି ତଥାପି ଆହୁରି ଅଧିକ ସତ ଯେ ଏହି ଘରଟିକୁ ସତକୁ ସତ ଗଣତନ୍ତ୍ର ହିଁ ସବୁଠାରୁ ଅଧିକ ସୁନ୍ଦର ଦିଶିବ । ଗଣତନ୍ତ୍ର ଗୋଟିଏ ଆଗରୁ ତିଆରି ହୋଇ ରହିଥିବା ଛାଞ୍ଚ ନୁହେଁ, ଏହା ଏକ ସାହାସ, ଏକ ଆକାଙ୍‍କ୍ଷା ଗଣତନ୍ତ୍ର ଲାଗି ଆମେ ଯେତିକି ଅଧିକ ସାହସ କରିବା, ଆମ ଦେଶରେ ତାହାକୁ ଆପଣାର କାର୍ଯ୍ୟ କରିବା ଲାଗି ଯେତିକି ବାଟ ଛାଡ଼ିଦେବା, ଆମେ ତାହାଦ୍ୱାରା ସେତିକି ଅଧିକ ପରିମାଣରେ ଉପକୃତ ତଥା ଐଶ୍ଵର୍ଯ୍ୟଯୁକ୍ତ ହୋଇପାରିବା । ସିଏ ଏକ ସ୍ଵତନ୍ତ୍ର ବିଷୟ ଏବଂ ସେହି ବିଷୟଟିର ଏକ ସ୍ଵତନ୍ତ୍ର ଆଲୋଚନା ଅବଶ୍ୟ ହୋଇପାରିବ । ମାତ୍ର ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ଏହି ଦେଶରେ ଗଣତନ୍ତ୍ର ହିଁ ସବୁଠାରୁ ଅଧିକ ଆଗେଇବ ଏବଂ ଏକ ଦେଶ ହିସାବରେ ଆମ ସମସ୍ତଙ୍କର ଭାଗ୍ୟ ସେହି ଗଣତନ୍ତ୍ର ସହିତ ହିଁ ଗଅଁଠା ହୋଇ ରହିଛି ।

 

ଗଣତନ୍ତ୍ରରେ ଭୋଟ ହୁଏ, ଦେଶରେ ପ୍ରତିନିଧିମୂଳକ ରାଜନୀତିକ ମତର ନିରୂପଣ କରାଯାଏ । ଆମ ଦେଶରେ ପ୍ରତି ପାଞ୍ଚବର୍ଷରେ ଏହି ନିରୂପଣ କରାଯିବ ଓ ତାହାରି ଅନୁସାରେ ବିଧାୟକମାନଂକୁ ନିର୍ବାଚନ କରାଯାଉଥିବ ବୋଲି ଆମ ସମ୍ବିଧାନରେ ସ୍ଥିରୀକୃତ ହୋଇ ରହିଛି । ତାହାରି ଅନୁସାରେ ଆମ ଦେଶରେ ନିର୍ବାଚନ ହୁଏ । କେନ୍ଦ୍ର ପାଇଁ ହୁଏ । ରାଜ୍ୟଗୁଡ଼ିକ ପାଇଁ ହୁଏ । ଏଥର ମଧ୍ୟ ମାତ୍ର ଅଳ୍ପ କେତେ ମାସ ଅନ୍ତରରେ ସେହି ଦୁଇଟିଯାକ ନିର୍ବାଚନ କରାଗଲା । ପ୍ରଧାନତଃ ଏକ ନିରକ୍ଷର ଦେଶରେ ଗଣତନ୍ତ୍ରଗତ ନିର୍ବାଚନକୁ କାର୍ଯ୍ୟକାରୀ କରିବାଲାଗି ବିସ୍ତାରିତ ବ୍ୟବସ୍ଥାମାନ କରିବାକୁ ପଡ଼େ ଏବଂ ସହିବାକୁ ପଡ଼େ; ସବୁଥର ପରି ଏଥର ମଧ୍ୟ ସେଗୁଡ଼ିକୁ କରଗଲା । ଯାବତୀୟ ପ୍ରକାରର ସାମନ୍ତବାଦୀ ବରାଦ ଅନୁସାରେ ମତବାନର ଅଧିକାର ପାଇଥିବା ମଣିଷମାନଂକୁ ଯଥାସମ୍ଭବ ଅଧିକ ଆକର୍ଷଣ ଦେଖାଇ ନିଜ ପଟକୁ ଆଉଜାଇ ଆଣିବାଲାଗି ତାମସିକ କ୍ଷମତାଭିଳାଷୀମାନେ କେତେପ୍ରକାର ରାଜସିକ ହୋଇ ଜିଣିବାକୁ ଚେଷ୍ଟାମାନ କଲେ । ଦରିଦ୍ର ଦେଶରେ ମୁଠା ମୁଠା ପଇସା ବିଞ୍ଚି ଦିଆଗଲା । ତଥାପି ଗଣତନ୍ତ୍ରର ଚଉବେଢ଼ ଭିତରେ ଅବଶ୍ୟ ରହିଛନ୍ତି ବୋଲି ସମସ୍ତଙ୍କୁ ଯଥାଶକ୍ତି ଦେଖାଇ ସଂପୃକ୍ତ ପ୍ରତ୍ୟାଶୀମାନେ ତାହା କଲେ ଓ ଗଣତନ୍ତ୍ରକୁ ମାନୁଛନ୍ତି ବୋଲି ପ୍ରମାଣ ଦେବାକୁ ସବୁମତେ ଚେଷ୍ଟା କରିଥିଲେ ।

 

ଦେଖାଗଲା, ଆମ ଗୁଣ୍ଡାମାନେ ମଧ୍ୟ କ୍ରମେ ଗଣତନ୍ତ୍ରରେ ବିଶ୍ଵାସ କରିବାକୁ ଆରମ୍ଭ କଲେଣି । ସେମାନେ ଆପାଣାର ଗୁଣ୍ଡାମିଗୁଡ଼ାକୁ କଦାପି ଛାଡ଼ିନାହାନ୍ତି ସତ ତଥାପି ବାହରେ ଗଣତନ୍ତ୍ରର ସ୍ଵୀକୃତି ବାଡ଼ଗୁଡ଼ାକୁ ନିଜର ଚାରିପାଖରେ ଯଥାସମ୍ଭବ ଘେରାଇ ରଖି ତାହାରି ଭିତରେ ହିଁ ଆପଣାର ପୁରାତନ ତଥା ଅଭିନବ ଗୁଣ୍ଡାମିମାନ କରିବାକୁ ବାଧ୍ୟ ହେଉଛନ୍ତି । ଏମାନେ ଆପଣାର ସକଳ ପଟୁତା ସତ୍ତ୍ୱେ ତଥାପି ଯେପରି ଧରା ପଡ଼ି ଯାଉଛନ୍ତି, ସେଥିରୁ ମନେ ହେଉଛି, ଏମାନେ ସମସ୍ତେ କ୍ରମେ ହଟିଯିବେ । ଏହି ଗୁଣ୍ଡାମିଗୁଡ଼ାକ କଦାପି ସବୁଦିନ ପାଇଁ ରହିବ ନାହିଁ । ଏହି ଦେଶ ଅବଶ୍ୟ ରହିବ ଓ ଦେଶ ଯେ ରହିଛି ତାହାର ପ୍ରାମାଣିକ ସନ୍ତକ ରୂପେ ଗଣତନ୍ତ୍ର ମଧ୍ୟ ରହିବ ।

 

ଏଥର ଏକ ଅଭିନବ ପରିବେଶରେ ଆମ ଦେଶରେ ନିର୍ବାଚନ ହେଲା । କେବଳ ଏକ ରାଜନୀତିକ ଓ ତାତ୍କାଳିକ କେତେକ ଘଟଣା ଦୃଷ୍ଟିରୁ ଏହାକୁ ଅଭିନବ ବୋଲି କୁହାଯିବ ନାହିଁ, ଅପେକ୍ଷାକୃତ ଅଧିକ ପରିଧିଯୁକ୍ତ ଆହୁରି ଅନେକ ଦୃଷ୍ଟିରୁ ମଧ୍ୟ ଅଭିନବ ବୋଲି କୁହାଯିବ । ଏହି ନିର୍ବାଚନରେ ସତେଅବା ପୁରୁଣାମାନେ ବିଦା ହୋଇଗଲେ, ନୂଆମାନେ ଆସିଲେ । ଏକାବେଳେକେ ନିପଟ ଭାବରେ ନୂଆ,–ଯେଉଁମାନେ ହୁଏତ କେବେ ରାଜନୀତି ଭିତରକୁ ଆସିବେ ବୋଲି ଚିନ୍ତା କରିନଥିଲେ । ଅନ୍ୟ ନାନା ତୁଠରେ ଥିଲେ, ହଠାତ୍ ହାତୀମାନେ ସୁନା କଳସ ଧରି ସେମାନଙ୍କ ଦୁଆରେ ଆସି ପହଞ୍ଚି ଯାଇଥିବା ପରି ସେମାନେ ଦାଣ୍ଡକୁ ବାହାରି ଆସିଲେ ଏବଂ ଲୋକମାନେ ସେମାନଙ୍କୁ ବିନା ଦ୍ଵିଧାରେ ସତେଅବା ଶଙ୍ଖଚିଲପରି ବାଛିନେଲେ । ଗତ ପ୍ରାୟ ପଚିଶ ତିରିଶବର୍ଷ ହେଲା ଯେଉଁମାନେ ଆମ ନେତା ହିସାବରେ ଆମ ଦୁଆରମାନଙ୍କୁ ଭୋଗ ଖାଇବା ସକାଶେ ଆସୁଥିଲେ, ଏଥର ସେମାନେ ଗଣମାନଙ୍କର ପଂକ୍ତି ଭିତରକୁ ମଧ୍ୟ ଆସି ପାରିଲେ ନାହିଁ । ଏହି ପୁରୁଣା ରଜାମାନଂକ ଦ୍ଵାରା ଆଉ କାମ ଚଳିବ ନାହିଁ,—ସତେ ଯେପରି ଏହିପରି ଏକ ନ୍ୟାୟରେ ପ୍ରତ୍ୟାଶା–ମଣ୍ଡପକୁ ପ୍ରତ୍ୟାଶୀମାନଂକୁ ଡାକି ଅଣାଗଲା । ପୁରୁଣା ସଂଗାଗୁଡ଼ାକର ଶେଷ ଖୁଣ୍ଟାଗୁଡ଼ାକ ଗଳ୍ ଗାଳ୍ ହୋଇ ଭୁଷୁଡ଼ି ପଡ଼ିଲେ ।

 

ଆଗେ ଯେଉଁମାନେ ଦେଶରେ ଓ ଦଳମାନଂକରେ ନେତା ଥିଲେ ଏବଂ ନେତା ହିସାବରେ ନିର୍ବାଚନ କରୁଥିଲେ ଓ ଲଢ଼ାଉଥିଲେ, ସେମାନେ କେବଳ ରାଜନୀତି କରୁଥିଲେ । ରାଜନୀତି ଭୁଞ୍ଜି କେବଳ ରାଜନୀତି କରୁଥିଲେ । ଆପଣାର ଅଥବା ଦଳର ଏକ ଆଦର୍ଶ ଅଥବା ଲକ୍ଷ ରହିଛି ବୋଲି ସେମାନେ ସଂସ୍କାରବଶତଃ କହି ଆସୁଥିଲେ ସତ, ମାତ୍ର କ୍ରମେ ତାଂକ ଭିତରେ ପହଁରି ଅଧିକରୁ ଅଧିକ ଫୁଲିବା ସଂଗେ ସଂଗେ ସେମାନେ ତାହାକୁ ଆଖର କେବଳ ତୁଣ୍ଡର ବାନାରୂପେ ହିଁ ବଞ୍ଚାଇ ରଖିଥିଲେ । ସେମାନେ ମୂଳତଃ କ୍ଷମତାର ପ୍ରତ୍ୟାଶୀ ଥିଲେ । ଭାରତବର୍ଷର ସ୍ଵାଧୀନ ରାଷ୍ଟ୍ରକୁ ଯେଉଁ ଦଳ ପ୍ରଥମେ ଲଗାଏତ ବେଶ୍ କେତେ ବର୍ଷ ପାଇଁ ଭୁଞ୍ଜି ଆସିଲା, ସ୍ଵାଧୀନତା ପ୍ରାପ୍ତି ପରେ ମହାତ୍ମା ଗାନ୍ଧୀ ସେହି ଦଳ ଭାଂଗି ଯାଉ ବୋଲି ପରାମର୍ଶ ଦେଇଥିଲେ । ମାତ୍ର କ୍ଳାନ୍ତ ହାବିଲଦାରମାନେ ଅନ୍ତତଃ ବାନପ୍ରସ୍ଥାଶ୍ରମରେ କିଞ୍ଚିତ୍ ରମଣସୁଖ ଲାଭ କରିବାପାଇଁ ଇଚ୍ଛା କରୁଥିବାରୁ ସେନାପତିଙ୍କ କଥାକୁ ମାନିଲେ ନାହିଁ ଏବଂ, ସେନାପତି ଅନ୍ତର ହୋଇଗଲା ପରେ ଏମାନେ ଆହୁରି ଅଧିକ ସ୍ଵଚ୍ଛନ୍ଦ ଭାବରେ ଆପଣାର ସ୍ଵପ୍ନଗୁଡ଼ାକୁ ଦେଖିଲେ ଓ ସେହିଗୁଡ଼ାକ ଅନୁସାରେ ଏକାବେଳେକେ ନିଜସ୍ଵ ଶୈଳୀରେ ଦେଶଟାକୁ ଶାସନ କଲେ । ଅସଲ ସଂସ୍କାରଗୁଡ଼ାକ ମାଡ଼ ଖାଇଗଲା, ଅସଲ କାମଗୁଡ଼ାକୁ ପଛମୁହାଁ କରି ରଖି ଦିଆଗଲା । ବିପ୍ଳବକଥା ପୁଣି କିଏ ପଚାରେ ? ଦେଶ ସ୍ଵାଧୀନତା ପାଉ ପାଉ ଆମ ନେତାମାନଂକୁ ଯେଉଁ ଅସୁସ୍ଥତା ଗ୍ରାସ କରିଥିଲା, ସତେଅବା ତାହାହିଁ ଆମ ଦେଶର ରାଜନୀତିକୁ ଅଧିକରୁ ଅଧିକ ଗିଳି ପକାଇବାରେ ଲାଗିଲା । କ୍ଷମତାକୁ ଭୋଗର ହିଁ ଏକ ମାଧ୍ୟମ ରୂପେ ଗ୍ରହଣ କରିଥିବା ଏହି ପ୍ରବରମାନଂକର ଦଳଟି ସେହି ପ୍ରକୋପରେ ଅନେକ ଦଳ ହେଲା, ନାନା ନାମ ଧରି ନାନା ନାମାବଳୀ ପରିଧାନ କଲା । ସେହିମାନଂକ ମଧ୍ୟରୁ ଗୋଟାଏ ମହୁଡ଼ ମନ୍ତ୍ରୀସଭା ଗଢ଼ି ଶାସନ ଚଲାଉଥିବା ସମୟରେ ଆଉ କେତେଟା ମହୁଡ଼ ଅଲଗା ହୋଇ ନିଜକୁ ବିରୋଧୀ ଦଳ ବୋଲାଇଲେ । ସେମାନେ ଧର୍ମତଃ ପରସ୍ପରଠାରୁ ଆଦୌ ପୃଥକ୍ ନଥିଲେ । ସେମାନେ ଯେ ଆଦୌ ପୃଥକ୍ ନୁହନ୍ତି, ଥରେ ତଥାକଥିତ ବିରୋଧୀମାନେ ହିଁ ଶାସନର ମହୁଡ଼ ଭିତରେ ରହିଥିବା ସମୟରେ ସେକଥା ଜଳଜଳ ହୋଇ ପ୍ରମାଣିତ ହୋଇଗଲା ।

 

ତେଣୁ, ଗଣତନ୍ତ୍ରର ପଦ୍ଧତିଟି ମଧ୍ୟରେ ରାଜନୀତିକ ବିରୋଧକୁ ନିୟମିତଃ ଏକ ସୁସ୍ଥ ପରମ୍ପରା ବୋଲି ଗ୍ରହଣ କରାଯାଉଥିଲେ ମଧ୍ୟ ଆମ ଦେଶରେ ଏହି ପର୍ଯ୍ୟାୟଟିରେ ଯାବତୀୟ ବିରୋଧ ପ୍ରଧାନତଃ ନାନା ବ୍ୟକ୍ତିଗତ ଅଥବା ଯୂଥଗତ କଳହରେ ପର୍ଯ୍ୟବସତି ହୋଇ ରହିଗଲା । ଏକା ସ୍ଵାର୍ଥ ରହିଥିବା କ୍ଷମତାଶକ୍ତିମାନେ କ୍ଷମତାକୁ ପରସ୍ପରଠାରୁ ଛଡ଼ାଇ ନେବାକୁ ଇଚ୍ଛା କରୁଥିବା ବେଳେ ସମ୍ଭବତଃ ଠିକ୍ ଏହିପରି କଳହ କରନ୍ତି । ମାତ୍ର ଏଥରର ନିର୍ବାଚନ ବେଳେ ଟିକିଏ ଭିନ୍ନ ପ୍ରକାରର ଘଟଣା ଘଟିଲା । ସଫଳତା ଓ ସମର୍ଥତାକୁ ଭଗବାନ ବୋଲି ମାନି ବିଭିନ୍ନ କ୍ଷେତ୍ରରେ ରହି ଜୀବିକା ଅର୍ଜନ କରି ଆସିଥିବା ବ୍ୟକ୍ତି ଏଥର ରାଜନୀତି ଭିତରକୁ ଆସିଲେ, ଅର୍ଥାତ୍ ନିର୍ବାଚନ ପଡ଼ିଆରେ ଆସି ରୁଣ୍ଡ ହେଲେ । ରାଜନୀତି କରିବାକୁ ଯେ, ଆଜି ମଧ୍ୟ ଏମାନଂକର ଆଦୌ କୌଣସି ଅଭିଳାଷ ନାହିଁ, ସେକଥା ଅତ୍ୟନ୍ତ ଜଣାଶୁଣା କଥା । ଏମାନେ ଆପଣାର ପୂର୍ବଭୂମିକାର କ୍ଷେତ୍ରଗୁଡ଼ିକ ପରି ଏଠାରେ ମଧ୍ୟ ହିରୋ ବନିବାକୁ ଆସିଛନ୍ତି । ପୁରୁଣା କ୍ଷେତ୍ରରେ ଉପାର୍ଜିତ ଲୋକପ୍ରିୟତାକୁ ବିକି ରାଜନୀତିରେ ମଧ୍ୟ ଖଣ୍ଡେ ନୂଆ ଜମି କିଣିବାଲାଗି ଆସି ପହଞ୍ଚିଛନ୍ତି । କୌଣସି ରାଜନୀତିକ ଆଦର୍ଶର ପ୍ରେରଣାରେ ଯେ ଏମାନେ ରାଜନୀତି ଭିତରକୁ ଆସିଛନ୍ତି, ସେକଥା ସେମାନେ ନିଜେ ମଧ୍ୟ କଦାପି ସାହାସ କରି କହିବାକୁ ମନ କରିବେ ନାହିଁ । ଏମାନଂକ ଦ୍ଵାରା କିମ୍ବା ଏମାନଙ୍କୁ ବରଣ କରି ଆଣିଥିବା ନେତୃତ୍ଵଟି ଦ୍ଵାରା ଯେ ଦେଶର ଭାଗ୍ୟର ସ୍ମରଣୀୟ ଅଥବା ଉଲ୍ଲେଖଯୋଗ୍ୟ ଭାବରେ ଗୁଡ଼ାଏ କିଛି ଘଟିବ, ସେ କଥା ମଧ୍ୟ ଆଦୌ ନୁହେଁ । ତଥାପି ଏହାକୁ ଏକ ଅଭିନବ ପର୍ଯ୍ୟାୟ ବୋଲି ମାନି ନେବାକୁ ହେବ । ଏମାନେ ବି ପର୍ଯ୍ୟାୟକ୍ରମେ ଅପସରି ଯିବେ, ଭୁଲି ହୋଇଯିବେ; ତଥାପି ଦେଶର ଗଣତନ୍ତ୍ର ଅବଶ୍ୟ ରହିବ । ଏମାନେ ମଧ୍ୟ ଯେ ନିମିତ୍ତ ହୋଇ ପାରିଲେ, ଏହାହିଁ ଏମାନଂକର ଭାଗ୍ୟ ।

 

ଅବଶ୍ୟ ଏହି ସମଗ୍ର ନବନାଟକଟି ମଧ୍ୟରେ ଏକ ସଂକଟ ମଧ୍ୟ ନିହିତ ହୋଇ ରହିଥିବା ପରି ଭାରି ମନେ ହେଉଛି । ଏକ ସୁସ୍ଥ ଗଣତାନ୍ତ୍ରିକ ଶିଷ୍ଟାଚାର ରୂପେ ପ୍ରତିନିଧି ନିର୍ବାଚନର ଯାବତୀୟ ବିଧିବିବର୍ତ୍ତନ ତଳୁ ଉପର ଆଡ଼କୁ ହୋଇ ରହିଥିବା ଆବଶ୍ୟକ । ଅର୍ଥାତ୍ ଏଙ୍କ ନିର୍ଦ୍ଦିଷ୍ଟ ଅଞ୍ଚଳରୁ କେଉଁମାନେ ପ୍ରତିନିଧି ବଛାଯିବାର କ୍ଷେତ୍ରରେ ପ୍ରତ୍ୟାଶୀ ହୋଇ ଠିଆ ହେବେ, ତାହାର ନିଷ୍ପତ୍ତି ଯଦି ସ୍ଥାନୀୟ ସ୍ତରରେ ହେଉଥାଆନ୍ତା ତେବେ ତାହାକୁ ହିଁ ସର୍ବୋତ୍ତମ ଗଣତାନ୍ତ୍ରିକ ପଦ୍ଧତି ବୋଲି କୁହାଯାଇ ପାରୁଥାନ୍ତା । ଅର୍ଥାତ୍, ପ୍ରତ୍ୟାଶୀ ବିଭିନ୍ନ ରାଜନୀତିକ ଦଳର ସ୍ଥାନୀୟ ସ୍ତରମାନଂକରେ ଯେଉଁ ସକ୍ରିୟ କର୍ମୀ–ଗୋଷ୍ଠୀ ରହିଥାନ୍ତେ, ସେହିମାନେ ହିଁ ବିଭିନ୍ନ ପ୍ରତିନିଧି ସଭାର ପ୍ରତ୍ୟାଶୀମାନଂକୁ ମନୋନୀତ କରୁଥାଆନ୍ତେ ଏବଂ ଉପର ସେହି ମନୋନୟନଗୁଡ଼ିକୁ ଯଥାର୍ଥ ବୋଲି ସ୍ଵୀକାର କରି ନିଆଯାଉଥାଆନ୍ତା । ଅନ୍ତତଃ ଜିଲ୍ଲାସ୍ତରୀୟ କିମ୍ଭା ରାଜ୍ୟସ୍ତରୀୟ ସୋପାନରେ ତାହା ହୋଇ ପାରୁଥିଲେ ବି ତାହାକୁ ତଥାପି ଏକ ସୁସ୍ଥ ବିଧି ବୋଲି କୁହାଯାଉଥାଆନ୍ତା । ଏବେ ଭାରତବର୍ଷରେ ନିର୍ବାଚନର ଜଙ୍ଗଲମାନଂକରେ ତାହାକୁ ଆଉ ନୀତି ବୋଲି ସ୍ଵୀକାର କରାଯାଉନାହିଁ । ସାରା ଭାରତର ପ୍ରତ୍ୟାଶୀ ତାଲିକାମାନ ଦିଲ୍ଲୀରୁ ସ୍ଵୀକୃତି ପାଇଲେ ଯାଇ ଯଥାର୍ଥ ତାଲିକା ବୋଲି ଗଣ୍ୟ ହେଉଛି । ସେହି ଶେଷ ତାଲିକାରେ ସବା ଉପର ବାବୁମାନଂକ ଦ୍ଵାରା ମନୋନୀତ ହେବାଲାଗି ବିଚାର ସମସ୍ତେ ଦିଲ୍ଲୀ ଦୌଡ଼ୁଛନ୍ତି ସେଠାରେ ଭାରି ଡହଳବିକଳ ହୋଇ ଆପଣାର ଗୁହାରି ଜଣାଉଛନ୍ତି ଓ ଭାଗ୍ୟ ପରୀକ୍ଷା କରୁଛନ୍ତି । ଭାରତୀୟ ସ୍ତରରେ ସ୍ଵୀକୃତିପ୍ରାପ୍ତ ପ୍ରାୟ ପ୍ରତ୍ୟେକ ଦଳ ସେକଥା କରୁଛି । ତେଣୁ ଯଥାସମ୍ଭବ ଅଧିକ ବାସ୍ତବବୁଦ୍ଧିସମ୍ପନ୍ନ ହେବାକୁ ଯାଇ ପ୍ରତ୍ୟାଶୀମାନେ ଆପଣା ଆପଣା ଅଞ୍ଚଳ ସହିତ ଲାଗିଥିବା ଅସଲ ଚେରଗୁଡ଼ିକ ଉପରେ ଆଉ ବିଶେଷ ନିର୍ଭର କରିପାରୁ ନାହାନ୍ତି । ସେହି ଚେରଗୁଡ଼ିକ ଉପରେ ନିର୍ଭର କରିବାକୁ ଆଉ ଅସଲ ଭରସା ବୋଲି ବି ମୋଟେ ମାନି ପାରୁନାହାନ୍ତି । ଆହୁରି ଅଧିକ ବିପଜ୍ଜନକ କଥା ହେଉଛି ଯେ, ଦିଲ୍ଲୀସ୍ତରୀୟ ମାମଲତକାରମାନେ ପ୍ରତ୍ୟାଶୀମାନଙ୍କ ବିଷୟରେ ତଥ୍ୟାଦି ପ୍ରାୟ କିଛି ଜାଣି ନଥିବାରୁ ରାଜ୍ୟ ସ୍ତରୀୟ ମୁଖ୍ୟ କାରିନ୍ଦାମାନଙ୍କର ମତାମତ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଏହି କାରିନ୍ଦାମାନଂକୁ କେନ୍ଦ୍ର କରି ରାଜ୍ୟ ସ୍ତରରେ ଦଳମାନଂକରେ ନାନା କ୍ଷୁଦ୍ର ଉପାଗୋଷ୍ଠୀମାନ ସୃଷ୍ଟି ହେଉଛି । କୌଣସି ରାଜନୀତିକୁ ଆଦର୍ଶଗତ ମତପାର୍ଥକ୍ୟ ହେତୁ ନୁହେଁ, ତୁଚ୍ଛା ବ୍ୟକ୍ତିଗତ ସ୍ଵାର୍ଥସଂପର୍କଗୁଡ଼ାକୁ ଭିତ୍ତିକରି ଏଗୁଡ଼ିକର ସୃଷ୍ଟି ହେଉଛି । ରାଜନୀତି ପଛରେ ପଡ଼ିରହୁଛି, ସ୍ଵାର୍ଥଗୁଡ଼ାକ ହିଁ ଅଧିକରୁ ଅଧିକ ଅଠାଳିଆ ହୋଇ ଉପଗୋଷ୍ଠୀଗୁଡ଼ିକର ଉଦ୍ଭବ କରାଉଛନ୍ତି ଏବଂ ଯେଉଁ ଦଳରେ ଦିଲ୍ଲୀ ସ୍ତରରେ ଜଣେ ମଣିଷକୁ ହିଁ ଏକାଧାରରେ ଦଳର ସଭାପତି ତଥ୍ୟ ସରକାରୀ କ୍ଷମତାମଣ୍ଡଳରେ ମହାମୁଖ୍ୟ ରୂପେ ମାନି ନେଇ ଅଧିକ ଅଡ଼ୁଆରୁ ରକ୍ଷା ପାଇବାକୁ କ୍ରମେ ଏକ ପରମ୍ପରା ବୋଲି ମାନି ନିଆଗଲାଣି, ସେଠାରେ ଦରବାରଟିର ଯାବତୀୟ ମଣ୍ଡଳ ଅନୁସାରେ ଏହି ଉପଚାରଟି ଅତ୍ୟନ୍ତ ପ୍ରବଳ ଓ ମୀମାଂସକ ହେଉଛି । ରାଜନୀତିକ ବିବେକଗୁଡ଼ିକ ଚୁଲିକୁ ଯାଉଛି । ହନୁମାନ ହିଁ ପିଠା ବାଣ୍ଟୁଛନ୍ତି, ରାଜ୍ୟ ଚଳାଉଛନ୍ତି । ଗଣତନ୍ତ୍ର କ୍ରମେ ଏକ ନବ୍ୟ ରାଜତନ୍ତ୍ର ଭିତରେ ବିକିହୋଇ ଯାଉଛି ।

 

ଏଥର ନିର୍ବାଚନର ଯେଉଁ ନୂଆ ବୀରମାନେ ରାଜନୀତିର ଲଙ୍କାଗଡ଼ ଭିତରେ ପଶିଲେ ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ନାବାଳକ । ଭାରତବର୍ଷରେ ଦଳୀୟ ରାଜନୀତି ବର୍ତ୍ତମାନ ଯେଉଁ ମଠନ୍ୟାୟଟି ଅନୁସାରେ ଚଳୁଛି, ସେଥିରେ ସେମାନେ ସାବାଳକ ହେବା ପାଇଁ ପ୍ରାୟ ଆଦୌ କୌଣସି ସୁବିଧା ପାଇବେ ନାହିଁ । ଦିଲ୍ଲୀରୁ ଯେଉଁସବୁ ଚକାଡ଼ୁଆ ଭୁବନେଶ୍ଵର ଅଥବା ଭୋପାଳ ଯାଏ ପରୀକ୍ଷା ହେବାକୁ ଆସିବ, ସେମାନେ ସେଇଥିରେ ହାତଟେକି ଦେବାକୁ ହିଁ ସଫଳ ସୁନାପିଲାମାନଂକର ସର୍ବୋତ୍ତମ କାର୍ଯ୍ୟ ରୂପେ ଗ୍ରହଣ କରିନେବେ ଏବଂ ବାଧ୍ୟମାନଙ୍କ ପାଇଁ ବରାଦ ହୋଇ ରହିଥିବେ ବିଶେଷ ଅର୍ଥକରି ପଦଗୁଡ଼ିକରେ ଯଥାସମ୍ଭବ ଅଧିକ ତତ୍ପର ରହିବାକୁ ହିଁ ବିଜ୍ଞତା ବୋଲି ଜାଣିବେ । ଏହି ଦୃଷ୍ଟିରୁ ହୁଏତ ପଛକୁ ଅନାଇ ଦେଖିଲେ ଆମକୁ ରାଜ୍ୟମାନଂକର ଏକାଧିକ ଏପରି ଦୃଷ୍ଟାନ୍ତ ଅବଶ୍ୟ ମିଳିଯାଇପାରିବ ଯେ ଆମ ପ୍ରତିନିଧି ସଭାମାନକୁ ନିର୍ବାଚିତ ହୋଇ ଆସିଥିବା ପ୍ରତିନିଧିମାନେ ଏଥିମଧ୍ୟକୁ ଆସିଥିବା ସମୟରେ ଯେତିକି ନାବାଳକ ଥିଲେ ଗୋଟାଏ ବା ଦୁଇଟା ସଭା ଭୋଗିବା ପରେ ମଧ୍ୟ ରାଜନୀତିକ ସଚେତନତା ଦୃଷ୍ଟିରୁ ସେମାନେ ପ୍ରାୟ ସେତିକି ନାବାଳକ ହୋଇ ରହିଛନ୍ତି । ଅଧିକ ଅର୍ଥ କମାଇଛନ୍ତି, ନାନାବିଧ ଅରାଜନୀତିକ ବ୍ୟାପାରରେ ଅଧିକ ପାରଙ୍ଗମତା ହାସଲ କରିଛନ୍ତି ଓ ଅତ୍ୟଧିକ କୁଶଳତା ସହିତ ଗୋଟାଏ ଗୋଟାଏ ଗୁଣ୍ଡା ହୋଇଛନ୍ତି ସତ, ମାତ୍ର ଭିତରେ ଗୋଟାସୁଦ୍ଧା ଆପୋଗଣ୍ଡ ହୋଇ ରହିଯାଇଛନ୍ତି । ଦେଶର ରାଜନୀତି ଏବଂ ଲୋକାବଚରଣ ନୀତିକୁ ତାହା ଫଳରେ ଭାରି ଦୁର୍ଗତି ସହ୍ୟ କରିବାକୁ ପଡ଼ିଛି ।

 

ଯଦି ତଳେ ପ୍ରଧାନତଃ ହାତ ଟେକିବାରେ ଓ ହଁ ମାରିବାର ଲୋକମାନେ ରହନ୍ତି, ଯଦି ଆପଣାର ପ୍ରତିନିଧିତ୍ଵ ଯଥୋଚିତ କର୍ତ୍ତବ୍ୟ କରିବା ଅପେକ୍ଷା ବ୍ୟକ୍ତିଗତ ଭାବରେ ଲାଭବାନ ହେବାକୁ ହିଁ ସେମାନେ ଅଧିକ ଉଦ୍ଦେଶ୍ୟସାଧକ ବୋଲି ଧରିନିଅନ୍ତି ଏବଂ ତଦନୁସାରେ ବିବିଧ ଅତିଚାର ତଥା ଅନୁଗ୍ରହର ପରିସରମାନ ସୃଷ୍ଟି କରାଯାଇ ସେମାନଙ୍କୁ ସେହି ଦିଗରେ ଅଧିକତର ପ୍ରଶ୍ରୟ ମଧ୍ୟ ଦିଆଯାଏ, ତେବେ ଉପରେ ନେତା ହୋଇ, କର୍ତ୍ତା ହୋଇ ଏବଂ ବୃହଦାସନ ହୋଇ ରହିଥିବା ଜଡ଼ମାନେ ସ୍ଵେଚ୍ଛାଚାରୀ ହେବାକୁ ନିଶ୍ଚୟ ଅଧିକ ପ୍ରୋତ୍ସାହନ ପାଇଯିବେ । କ୍ଷମତାଗୁଡ଼ାକ ଅଧିକରୁ ଅଧିକ ସଂକେନ୍ଦ୍ରିତ ହୋଇ ରହିବା ନିମନ୍ତେ ମଉକା ପାଇବେ ଏବଂ ତାହା ଯାବତୀୟ ଗଣତାନ୍ତ୍ରିକ ଆଲୋଚନା ଏବଂ ନିଷ୍ପତ୍ତି ଗ୍ରହଣ ଲାଗି ପ୍ରମାଦ ସୃଷ୍ଟି କରିବାରେ ଲାଗିବ । ତଳ ଚୌକିର ପ୍ରତିନିଧିମାନେ ଅଧିକରୁ ଅଧିକ ମୁଖର ହେବେ, ଅଧିକ ହୁଣ୍ଡା ହେବେ, ଆପଣାର ସ୍ଥାନୀୟ ପ୍ରାଙ୍ଗଣଗୁଡ଼ିକରେ ଅଧିକ ହୁଣ୍ଡାମି କରିବେ । ଏବଂ ଉପରେ ବସିଥିବା ନେତାଏ ଯେତେ ଅପଯଶକର ହେଉଥିଲେ ମଧ୍ୟ ଆପଣାକୁ କ୍ରମେ ଗୋଟାଏ ଗୋଟାଏ ପୁଙ୍ଗବପ୍ରାୟ ଜ୍ଞାନ କରିବେ, ଆପଣାର ଯୁଆଳିଗୁଡ଼ାକ ମନଇଚ୍ଛା ମଡ଼ାଇ ନେବାକୁ ବାହାରିବେ । ପ୍ରତିନିଧି ସଭାଗୁଡ଼ିକ ଆଉ ଆଲୋଚନାର ସ୍ଥାନ ହୋଇ ରହିବ ନାହିଁ, ସେଠାରେ ପ୍ରାୟ ଆଉ କୌଣସି ଆଲୋଚନାର ଅବକାଶ ହିଁ ରହିବ ନାହିଁ । ଦଳୀୟ ବୈଠକମାନଂକରେ ମଧ୍ୟ ମତାମତର କୌଣସି ଆଦାନ ପ୍ରଦାନ ହେବ ନାହିଁ, ତାହା ଅଧିକରୁ ଅଧିକ ଲକ୍ଷହୀନ ହୋଇ ବଡ଼ ଠିକାଦାର ଓ ସାନ ଠିକାଦାରମାନଂକର ପ୍ରାୟ ଏକ ଆନୁଷ୍ଠାନିକ ଅଥଚ ଅନାବଶ୍ୟକ ମେଳାରେ ପରିଣତ ହୋଇଯିବ-। ଅଜ୍ଞମାନେ, ଷଣ୍ଢମାନେ ବେଶ ପିନ୍ଧିଥିବେ ଓ ଆପଣାକୁ ତଥାପି ଗୋଟାଏ ଗୋଟାଏ ଷଣ୍ଢ ପରି ମନେ କରି ଉଲ୍ଲସିତ ହେଉଥିବେ ସତ, ମାତ୍ର ଧୂର୍ତ୍ତମାନେ ହିଁ ସେମାନଂକର ନାକରେ ଫାଶ ଚଳାଇ ସେମାନଂକୁ ନଚାଇବାରେ ଲାଗିଥିବେ । କେବଳ ହାତ ଟେକିବାରେ ହିଁ ସେମାନଂକର ଯାବତୀୟ ଷଣ୍ଢପଣକୁ ସୀମାବଦ୍ଧ କରି ରଖାଯାଇ ଥିବ । ଏହା ପ୍ରକୃତରେ ବୃହତ୍ତର ଜୀବନବେଢ଼ାଗୁଡ଼ିକର କ୍ଷେତ୍ରରେ ଅନେକ ପ୍ରମାଦ ସୃଷ୍ଟି କରିବ । ଗଣତନ୍ତ୍ରର ଗଛରେ ଫଳିଥିବା ଏହି ଆମ୍ବଡ଼ାମାନଂକୁ ଅବଲୋକନ କରି ଲୋକେ ତାଟକା ହେଉଥିବେ ଓ ଏହି ଦେଶର ଭାଗ୍ୟକୁ ହସିବାରେ ଲାଗିଥିବେ-

 

ତଥାପି ଭାରତବର୍ଷରେ ଗଣତନ୍ତ୍ର ପାକଳ ରହିବ । ଗଣତନ୍ତ୍ର ହେବାର ଦୀର୍ଘ ପ୍ରକ୍ରିୟାଟି ମଧ୍ୟରେ କେତେ ଆସିବେ, କେତେ ଯିବେ । ମାତ୍ର ଏମାନେ କେହି ରହିବେ ନାହିଁ । ଗଣତନ୍ତ୍ର ରହିବ, ଭାରତବର୍ଷ ରହିବ । ଗତ ଚାଳିଶି ବର୍ଷ ଏହିପରି କେତେ ଆସିଲେଣି ଓ ଗଲେଣି, କାଲିର ରାଜାମାନେ ଆଜି ପାକୁଆ ହୋଇ କୁଆଡ଼େ ପାସୋରି ଗଲେଣି, ତଥାପି ଦେଶ ରହିଛି ଏବଂ ଏହି ଯାବତୀୟ ବ୍ୟଭିଚାରୀ ଅଘଟଣାଗୁଡ଼ିକ ସତ୍ତ୍ୱେ ଏହି ଦେଶର ଗଣତନ୍ତ୍ରର ଚେରାଗୁଡ଼ିକ ଯେ ଅଧିକରୁ ଅଧିକ ତଳକୁ ଯିବାରେ ଲାଗିଛି, ସେକଥା ପୃଥିବୀଯାକର ତଦ୍‍ବିଦ୍‍ମାନେ ସ୍ଵୀକାର କରୁଛନ୍ତି । ବର୍ତ୍ତମାନର ବଡ଼ମାଛମାନେ ମଧ୍ୟ ସେହିପରି ଦିନେ ବିଦାହୋଇ ଚାଲିଯିବେ, ଏହି ଅବର୍ଜିଆ ଦରବାରଗୁଡ଼ାକ କାଳର ପ୍ରକ୍ରିୟା କ୍ରମରେ ଅଲୋଡ଼ା ବୋଲି ଘୋଷିତ ହେବ । ଏବଂ ଯିଏ ଅପେକ୍ଷା କରି ରହିଛି, ଥରକୁ ଥର ପରୀକ୍ଷା କରି କୁଳାଙ୍ଗାରମାନଙ୍କୁ ପଦାରେ ପକାଇ ଦେବାରେ ଲାଗିଛି, ଶେଷକୁ ସେଇ ରହିବ, ସେଇ ଜିତିବ । ଯେଉଁମାନେ ସାମୟିକ ଭାବରେ ଚଉକୀକୁ ଆସି କାଳଟୀକୁ ଭୁତେଇଦେଲେ ଓ ଏଣିକି ସେହିମାନେ ହିଁ ଆମ ସମସ୍ତଙ୍କ ଭାଗ୍ୟ ଉପରେ ମାଲିକ ହୋଇ ରହିଲେ ବୋଲି ଭାବୁଛନ୍ତି, ସେମାନେ ମଧ୍ୟ ଯିବେ । ଏହି ଋତୁଟି ଅନ୍ତ ହୋଇଯିବେ ସଂଗେ ସଂଗେ ଏହି ଋତୁର ଋତୁରାଜମାନେ ମଧ୍ୟ ଅନ୍ତ ହୋଇଯିବେ । ଏହି ଯାବତୀୟ ସାମୟିକତାର ତରଙ୍ଗଦର୍ପ ପଛରେ ଯେଉଁ ସାଗରଶକ୍ତି ସବୁଦିନେ ଅବଶ୍ୟ ରହିବ, ତାହାରି ଯଥାର୍ଥ ପ୍ରତିଷ୍ଠା ନିମନ୍ତେ ହିଁ ଏହି ପ୍ରସ୍ତୁତିକାଳୀନ ପ୍ରାୟ ପ୍ରହସନମାନ ଅଭିନୀତ ହେବାରେ ଲାଗିଛି । ଆମ ଭିତରୁ ଯେଉଁମାନେ ସେଇଟି ଉପରେ ବିଶ୍ଵାସ ରଖିଛନ୍ତି ଏବଂ ତଦନୁରୂପ ସାହସ, ସାଧୁତା କଥା ପରିପକ୍ଵତାକୁ ନିଜର ଅସଲ ପୁଞ୍ଜି ରୂପେ ଅର୍ଜନ କରିବାକୁ ହିଁ ଅସଲ ଲୋକଧର୍ମ ବୋଲି ଗ୍ରହଣ କରିଛନ୍ତି, ସେଇ ଅସଲ ବେଳେ ସେମାନଂକ ଲାଗି ଅବଶ୍ୟ ଖୋଜା ପଡ଼ିବ । ବାହାରୁ ବଳଦମାନଂକର ଶିଙ୍ଗ ଗଣି କାଳଶକ୍ତିର ହିସାବ କରୁଥିବା ସଭାଗଣମାନଂକର ଗଣନା ଅନୁସାରେ ସେହି ଅସଲମାଂନକର ସଂଖ୍ୟା ଭାରି ଅଳପ ବୋଲି ଦେଖା ଯାଉଛି ସତ, ମାତ୍ର ପ୍ରକୃତରେ ସେଇମାନଙ୍କର ଦିନ ହିଁ ଆସୁଛି । ତେଣୁ କିଏ କେଉଁ ପଟରେ ରହିବ, ବର୍ତ୍ତମାନ ମୁଖ୍ୟତଃ ତାହାରି ମୀମାଂସା ହେବାରେ ଲାଗିଛି । କୋଳାହଳର କାନକୁ ତାହା ଶୁଣା ଯାଉ ନ ଥିଲେ ମଧ୍ୟ ହେଉଛି ।

 

‘ପ୍ରଗତିବାଦୀ’, ଜନ୍ମଦିବସ ବିଶେଷାଙ୍କ, ୧୯୮୫, ୧/୫/୮୫

Image

 

ଅସଲ ବିରୋଧୀମାନେ କେବେ ବାହାରିବେ ?

 

ଗଣତନ୍ତ୍ରର ବ୍ୟବସ୍ଥାରେ ବିରୋଧକୁ ଏହି ବ୍ୟବସ୍ଥାର ଏକ ଅବିଚ୍ଛିନ୍ନ ଅଙ୍ଗ ରୂପେ ସ୍ଵୀକାର କରି ନିଆଯାଇଥାଏ । ଯେଉଁଠାରେ ଏକଛତ୍ର ଶାସନ ଚାଲେ, ସେଠାରେ ଜଣେ ମଣିଷର ବା ଗୋଟାଏ ନିର୍ଦ୍ଦିଷ୍ଟ ଦଳର ଶାସନ ଚାଲେ । ଗୋଟାଏ ନିର୍ଦ୍ଦିଷ୍ଟ କ୍ଷମତାସୀନ ଦଳର ଶାସନ ଚାଲେ, ଦଳ ବାହାରେ ଆଉ କାହାରି ମୁହଁକୁ ସେତେବେଳେ ଖୋଲିବାକୁ ଦିଆଯାଏ ନାହିଁ । ମାତ୍ର, ଗଣତନ୍ତ୍ରର ହିସାବ ମୋଟେ ଏପରି ନୁହେଁ । ଗଣତନ୍ତ୍ର ଶାସନରେ ଗୋଟିଏ ଦଳ ଶାସନ କ୍ଷମତାରେ ରହିଥାନ୍ତି ସତ, ମାତ୍ର, ତଥାପି ଅନ୍ୟ ଏକାଧିକ ଦଳ ମଧ୍ୟ ରହିଥାଆନ୍ତି । ଶାସନ ଓ ନିୟମର ଅପରିହାର୍ଯ୍ୟ ଅଙ୍ଗରୂପେ ସେମାନଂକୁ ସ୍ଵୀକାର ମଧ୍ୟ କରାଯାଏ । ସତ୍ୟ କେବଳ ଗୋଟାଏ ବାଦରେ କିମ୍ବା ଆଦର୍ଶରେ ନାହିଁ, ତେଣୁ କୌଣସି ଗୋଟିଏ ଦଳ କଦାପି ସମ୍ପୂର୍ଣ୍ଣ ସତ୍ୟର ପ୍ରତିନିଧିତ୍ଵ କରିପାରିବ ନାହିଁ । ତାକୁ ଅନ୍ୟମାନଙ୍କର କଥା ଶୁଣିବାକୁ ହିଁ ପଡ଼ିବ ଏବଂ ବିବିଧ ମତର ଏକତ୍ର ସଂଘାତ ଅଥବା ସନ୍ତୁଳନରେ ଯାଇ ଅସଲ ସତ୍ୟଟି ସମ୍ଭବ ହୋଇପାରିବ, ଏହିପରି ଏକ ମୂଳଭୂତ ବିଚାର ଓ ବିବେକ ଉପରେ ଗଣତନ୍ତ୍ର ଆଧାରିତ ହୋଇ ରହିଥାଏ । ତେଣୁ ଏଥିରେ ବିବିଧତାକୁ ସମ୍ମାନ ଦିଆଯାଏ, ଅପର ଆଉଜଣକୁ ସମ୍ମାନ ଦିଆଯାଏ; କ୍ଷମତାର ଆସନରେ ବସିଥିବା ମଣିଷମାନେ ଯେ ସଂପୂର୍ଣ୍ଣ ସତ୍ୟର ମୋଟେ ଅଧିକାରୀ ନୁହନ୍ତି, ସେହି କଥାଟିକୁ ସଂପୃକ୍ତ ସମସ୍ତେ ଏକ ମହତ୍ତ୍ଵପୂର୍ଣ୍ଣ ମୂଳ କଥା ବୋଲି ସ୍ଵୀକାର କରି ନେଇଥାନ୍ତି । ଯିଏ ସବୁଠାରୁ ଅଧିକ ବଳୁଆ ହୋଇ ନିର୍ବାଚନର ଋଣରେ ବିଜୟୀ ହୋଇ ଶାସନରେ ବସିଛି, କେବଳ ସେଇ ଏକମାତ୍ର ସର୍ବେସର୍ବା ନୁହେଁ,–ଅନ୍ୟ ତଥାକଥିତ ଅଳ୍ପବନମାନଂକର ମଧ୍ୟ କିଛି କହିବାକୁ ରହିଛି, ସେହି କଥାକୁ ଅଲବତ୍ ସମ୍ମାନ ଓ ସ୍ଵୀକୃତି ଦେବାକୁ ପଡ଼ିବ, ଗଣତନ୍ତ୍ରରେ ଏହାକୁ ହିଁ ସର୍ବପ୍ରଥମେ ଔଚିତ୍ୟ ଓ ଭଦ୍ରତା ବୋଲି ସ୍ଵୀକାର କରାଯାଇଥାଏ ।

 

ଗଣତନ୍ତ୍ର ଏବର ବିଚାର, ଆଗେ ଜଙ୍ଗଲରେ ସିଂହମାନେ ହିଁ ରାଜତ୍ଵ କରୁଥିଲେ । ସେମାନେ ଅସ୍ତ୍ରବଳରେ ରାଜତ୍ଵ କରୁଥିଲେ । ଆଉ କାହାରି କଥା ଶୁଣିବାଲାଗି ସିଂହମାନଂକର କୌଣସି ବେଳ ନଥିଲା । ମଣିଷମାତ୍ରକେ ସମସ୍ତଙ୍କର ଏକ ବିବେକ ରହିଛି, ବଞ୍ଚିବାର ଅଧିକାର ରହିଛି,–ସେତେବେଳେ ସେହି କଥାଟିକୁ କେହି ସ୍ଵୀକାର କରୁନଥିଲେ । ସିଂହମାନେ ଦୁର୍ଦ୍ଦାନ୍ତ ହୋଇ ରହିଥିଲେ ଏବଂ ଶାସିତ ଅଧସ୍ତନମାନେ ଭାଗ୍ୟକୁ ଆଦରି ବାଧ୍ୟ ପ୍ରଜାରୂପେ ଜୀବନ ବଞ୍ଚୁଥିଲେ । ପ୍ରାଚୀନ କାଳରେ ସେହି ଅନ୍ଧବିଶ୍ଵାସଟି ଯାଇ ମଣିଷ, ସବୁ ମଣିଷ ଯେତିକି ଅଧିକରୁ ଅଧିକ ପରିମାଣରେ ଜଣେ ଜଣେ ମଣିଷ ହିସାବରେ ସଚେତନ ହେଲେ, ସଂସାରର ଦୃଷ୍ଟି କ୍ରମେ ସେତିକି ସେତିକି ବଦଳିବାକୁ ଲାଗିଲା । ଆଧୁନିକ ବିଜ୍ଞାନ ମଧ୍ୟ ସେହି ପ୍ରକ୍ରିୟାରେ ନାନାପ୍ରକାରେ ସହାୟକ ହୋଇଥିଲା । ସବୁ ମଣିଷକୁ ସମ୍ମାନର ଆସନରେ ଆଣି ବସାଇବାକୁ ସେତେବେଳେ ଇଉରୋପରେ ବହୁ କ୍ଷେତ୍ରରେ ବିପ୍ଳବମାନ ସଂଘଟିତ ହୋଇଥିଲା । ରାଜାମାନେ ଅସ୍ତମିତ ହୋଇଗଲେ, ସାମୂହିକ ଜୀବନର ସ୍ଵେଚ୍ଛାଚାରୀ ସାମନ୍ତମାନେ ବି ଗଲେ । ଅଧିକରୁ ଅଧିକ ମଣିଷ ଅନ୍ୟପ୍ରକାରରେ ଭାବିବାକୁ ଆରମ୍ଭ କଲେ, ନୂଆ ଶାସ୍ତ୍ରଗୁଡ଼ିକ ଅନୁସାରେ ଜୀବନ ଚାଲିଲା, ଭାଗ୍ୟବାଦ ହଟି ପଛରେ ରହିଗଲା । ଏହାକୁ ଆମେ ଆଧୁନିକ କାଳର ଏକ ସର୍ବପ୍ରଧାନ ଉପଲବ୍ଧି ବୋଲି କହିପାରିବା ଏବଂ ତାହାରି ପରିଣାମ ରୂପେ ହିଁ ଗଣତନ୍ତ୍ରର ଉଦ୍‍ଭବ ହୋଇ ଆସିଲା । ଅଧିକରୁ ଅଧିକ ମଣିଷ ଦେଶ ଅର୍ଥାତ୍ ଆପଣାର ସାମୂହିକ ଭାଗ୍ୟର ଶାସନ ନିର୍ମାଣରେ ଅଧିକରୁ ଅଧିକ ଭାଗ ନେଇପାରିଲେ । ଏକଥା ସର୍ବପ୍ରଥମେ ପାଶ୍ଚାତ୍ୟ ଜଗତରେ ହେଲା । ପ୍ରାଚ୍ୟ ଜଗତ ସେତେବେଳେ ତଥାପି ରାଜାନୁଗ୍ରହ ଓ ରାଜପ୍ରକୋପଦ୍ଵାରା ହିଁ ଶାସିତ ହେଉଥିଲା । ସବୁ ମଣିଷ ମୋଟେ ବିଚାରକୁ ଆସି ନ ଥିଲେ ।

 

ଏବେ ଇଉରୋପ ଓ ଆମେରିକାର ଯେଉଁସବୁ ଦେଶରେ ଗଣତନ୍ତ୍ର ଶାସନ ଚାଲିଛି, ସେଠାରେ ସାମୂହିକ ଲୋକଜୀବନର ଅତ୍ୟାବଶ୍ୟକ ପ୍ରାଥମିକ ବିପ୍ଳବଗୁଡ଼ିକ ବହୁଦିନରୁ ସଂଗଠିତ ହୋଇସାରିଛି । ସାର୍ବଜନୀନ ଶିକ୍ଷାର ପ୍ରଚଳନ ହୋଇ ସାରିଛି, ସାର୍ବଜନୀନ କର୍ମସଂସ୍ଥାନ ଓ ଅନ୍ନସଂସ୍ଥାନ କ୍ଷେତ୍ରରେ ବହୁ ପରିମାଣରେ ଅଗ୍ରଗତି ହୋଇଛି; ଆଗରୁ ସାଧାରଣ ମଣିଷ ମନୁଷ୍ୟକୃତ ଯେଉଁସବୁ ଅସହାୟତାରେ ବାଧ୍ୟ ହୋଇ ଏକ ଅକିଞ୍ଚନ ଜୀବନଯାପନ କରିଆସୁଥିଲା, କ୍ରମେ ସେହି ଅସହାୟତାଗୁଡ଼ିକର ଅପସାରଣ ହୋଇ ପାରିଛି । ସେଠାରେ ସାଧାରଣ ପ୍ରତ୍ୟେକ ମଣିଷର ଏକ ମତ ରହିଛି ଓ ସେହି ମତକୁ ସଂପୃକ୍ତ ସମସ୍ତେ ସ୍ଵୀକୃତି ମଧ୍ୟ ଦେଉଛନ୍ତି; ମଣିଷ ମଣିଷ ଭିତରେ ପୂର୍ବରୁ ରହିଆସିଥିବା ବ୍ୟବଧାନଗୁଡ଼ିକ ଯଥାସମ୍ଭବ ଅଧିକ ପରିମାଣରେ ହ୍ରାସ ହୋଇଆସୁଛି । ଏସବୁ ଦେଶରେ ଶାସନାସୀନ ବଳ ସହିତ ଆଉ ଗୋଟିଏ ଅଥବା ଏକାଧିକ ବିରୋଧୀ ଦଳମାନ ରହିଛନ୍ତି ସତ, ମାତ୍ର ବିରୋଧର ସେତେବେଶୀ ଉତ୍କଟତା ନାହିଁ; କାରଣ ସବୁ ମଣିଷଙ୍କ ପାଇଁ ସେହି ସବୁ ଦେଶରେ ସର୍ବନିମ୍ନ ଲକ୍ଷଗୁଡ଼ିକ ହାସଲ ହୋଇ ସାରିଛି । ସେସବୁ ଦେଶରେ କେହି ଅନାହାରରେ ମରୁ ନାହାନ୍ତି, ସବୁ ପିଲା ସ୍କୁଲକୁ ଯାଉଛନ୍ତି, ସମସ୍ତଙ୍କର ବାସ ରହିଛି, ଭବିଷ୍ୟତ ନିମନ୍ତେ ନାନା ଭଳି ଭରସା ଏବଂ ପ୍ରତିଶ୍ରୁତିମାନ ମହଜୁଦ ହୋଇ ରହିଛି । ସେସବୁ ଦେଶରେ କେହି କାହାରିକୁ ଗିଳି ପକାଉନାହିଁ, ରକ୍ଷକକୁ ଭକ୍ଷକ ହେବାଲାଗି ସେଠାରେ କୌଣସି ପ୍ରଶୟ ନାହିଁ,– ଏହିସବୁ କାରଣରୁ ବିଧାନସଭାମାନଂକରେ ଶାସକଦଳ ଏବଂ ବିରୋଧୀଦଳଗୁଡ଼ିକ ମଧ୍ୟରେ ରହିଥିବା ସମ୍ପର୍କ ମଧ୍ୟ କୌଣସି ପ୍ରକାରେ ଉତ୍କଟ ହେବାର କୌଣସି ଅବକାଶ ନାହିଁ । ଦେଶରେ ସାମୂହିକ ଜୀବନରେ ସବୁ ମଣିଷଙ୍କ ଲାଗି ସର୍ବନିମ୍ନ ସମାଧାନଗୁଡ଼ିକ ହୋଇ ସାରିଥିବାରୁ ସେଠାରେ ଲଢ଼ିବାଲାଗି କୌଣସି ବିଶେଷ ଯୁଦ୍ଧ ହିଁ ନାହିଁ । ଅଧିକାଂଶ କ୍ଷେତ୍ରରେ ଉଭୟ ମଧ୍ୟରେ ଏକ ସର୍ବସମ୍ମତି ସ୍ଥାପିତ ହୋଇ ରହିଛି ଏବଂ ତେଣୁ ବିବାଦଗୁଡ଼ିକ ମଧ୍ୟ ମୋଟେ ତୀକ୍ଷ୍ମ ହେବାରେ ଅବକାଶ ପାଉନାହାନ୍ତି । ବିଧାନସଭା ଜନସାଧାରଣଙ୍କ ଅଧୀନ ହୋଇ ରହିଛି । ମହତ୍ତ୍ଵପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ନିଷ୍ପତ୍ତି ବେଳେ ସ୍ଵତନ୍ତ୍ର ଜନମତ ଲୋଡ଼ାଯାଉଛି ଓ ତାହା ଅତ୍ୟନ୍ତ ସ୍ଵାଭାବିକ ଭାବରେ ସମ୍ପାଦିତ ହୋଇପାରୁଛି ।

 

ଭାରତବର୍ଷରେ ମଧ୍ୟ ଆମେ ଗଣତନ୍ତ୍ରକୁ ଶାସନର ଛାଞ୍ଚ ହିସାବରେ ଗ୍ରହଣ କରିଛୁ । ମନୁଷ୍ୟ ଜୀବନର ବହୁ ସର୍ବନିମ୍ନ ମୌଳିକ ସମସ୍ୟା ଏକ ସମୀଚୀନ ସମାଧାନର ବହୁ ଦୂରରେ ରହିଥିଲେ ମଧ୍ୟ ତଥାପି ଭାରତବର୍ଷ ଯେ ଗଣତନ୍ତ୍ରକୁ ହିଁ ଆପଣା ସାମୂହିକ ନିଷ୍ପତ୍ତି ଗୁଡ଼ିକର ମଞ୍ଚରୂପେ ଗ୍ରହଣ କରିଛି, ତାହା ଏହି ଦେଶରେ ଆତଯାତ ହେଉଥିବା ଆମ ସମସ୍ତଙ୍କ ସକାଶେ ଏକ ଗୌରବର କଥା । ନୂଆ ହୋଇ ରାଜନୀତିକ ସ୍ଵାଧୀନତା ଲାଭ କରିଥିବା ପୃଥିବୀର ବହୁ ଦେଶରେ ଯାହା ସମ୍ଭବ ନ ହୋଇଛି, ଭାରତବର୍ଷରେ ତାହା ଯେ ସମ୍ଭବ ହୋଇଛି ଏବଂ ବିଗତ ଚାଳିଶି ବର୍ଷ ଭିତରେ ତାହାର ଚେରଗୁଡ଼ିକ ମାଟି ଭିତରକୁ ଭେଦ କରିପାରିଛି, ଏହି ଦେଶରେ ଦୃଷ୍ଟି ତଥା ଚରିତ୍ରଗତ ଏକାଧିକ ସ୍ଵାତନ୍ତ୍ର୍ୟ ମଧ୍ୟରେ ହିଁ ତାହାର କାରଣଗୁଡ଼ିକ ନିହିତ ହୋଇ ରହିଛି । ଭାରତୀୟ ସ୍ଵାଧୀନତା ସଂଗ୍ରାମ ଯେଉଁ ବିଶେଷ ବଳ ଉପରେ ଆଧାର କରି ଯେଉଁ ବିଶେଷ ବିବେକ ଦ୍ଵାରା ଲଢ଼ା ହୋଇ ଆସିଛି, ସ୍ଵାଧୀନ ଭାରତ ଯେ ଗଣତନ୍ତ୍ରକୁ ଆପଣାର ଶାସନପ୍ରରୂପ ରୂପେ ଗ୍ରହଣ କରି ପାରିଲା, ସେଥିରେ ମଧ୍ୟ ଆମେ ଏହି କଥାଟିର ଉତ୍ସ–ନିରୂପଣ କରିପାରିବା । ଭାରତବର୍ଷ ଯେତେବେଳେ ସ୍ଵାଧୀନ ହେଲା, ସେତେବେଳେ ଭାରତ ବର୍ଷରେ ବହୁ ମୌଳିକ ସମସ୍ୟାର ସମାଧାନ ହେବାକୁ ବାକି ରହିଥିଲା । ଭାରତବର୍ଷରେ ଯେଉଁ ନେତାମାନେ ଦେଶର ରାଜନୀତିକ ସ୍ଵାଧୀନତା ନିମନ୍ତେ ଲଢ଼ୁଥିଲେ, ଦେଶକୁ ନୂତନ ଭାବରେ ଗଢ଼ିବା ଲାଗି ସେମାନଂକର ସର୍ବଦା ଏକ ସ୍ଵପ୍ନ ମଧ୍ୟ ରହିଥିଲା । ସେହି ଲଢ଼ାଇରେ ସେନାପତିତ୍ଵ କରୁଥିବା ମହାତ୍ମାଗାନ୍ଧୀ ଦେଶରେ ରାଜନୀତି ସ୍ଵାଧୀନତା ହାସଲ ହୋଇ ସାରିବା ପରେ ପରବର୍ତ୍ତୀ ସାମାଜିକ ପରିବର୍ତ୍ତନଗୁଡ଼ିକ ଲାଗି ଏକ ସ୍ପଷ୍ଟ ଚିଠା ମଧ୍ୟ ପ୍ରସ୍ତୁତ କରି ରଖିଥିଲେ । କାଗଜରୁ ଦାରିଦ୍ର୍ୟ ଯିବ, ଅଶିକ୍ଷା ଯିବ, ଶୋଷଣ ଯିବ, ସାମନ୍ତବାଦ ଯିବ ଏବଂ ଭାରତବର୍ଷ ନିଜସ୍ଵ ମୂଳଗୁଡ଼ିକୁ ଆବିଷ୍କାର କରି ଆଧୁନିକ ପୃଥିବୀରେ ତଥାପି ଦୃଢ଼ ଏବଂ ପୁରୋଦୃଷ୍ଟିସମ୍ପନ ଭାବରେ ମୁଣ୍ଡଟେକି ଛିଡ଼ା ହୋଇ ପାରିବ ଏବଂ ଅଗ୍ରଗତି କରିପାରିବ, ଗାନ୍ଧିଜୀ ଭାରତୀୟମାନଙ୍କୁ ସର୍ବଦା ସେହି ବିଷୟରେ ସଚେତନ କରି ଦେଇଥିଲେ । ରାଜନୀତିକ ସ୍ଵାଧୀନତା ଆସିବା ପରେ ଆର୍ଥିକ ଓ ସାମାଜିକ ସ୍ଵାଧୀନତା ତଥା ସଂହତିର ସ୍ଥାପନା ହିଁ ଏଥର ଭାରତୀୟ ନେତୃତ୍ଵରେ ସର୍ବପ୍ରଧାନ ଉଦ୍ୟମ ହୋଇ ରହିବ ବୋଲି ସେ ସମ୍ପୃକ୍ତ ସମସ୍ତଙ୍କୁ ସତର୍କ କରି ଦେଉଥିଲେ । ରାଜନୀତିକ ସ୍ଵାଧୀନତା ପରେ ଭାରତବର୍ଷରେ ସ୍ଵାଧୀନ ସରକାର ଗଢ଼ାହେଲା । ଯେଉଁମାନେ ରାଜନୀତିକ ସ୍ଵାଧୀନତା ସଂଗ୍ରାମରେ ନେତୃତ୍ଵ ନେଇଥିଲେ, ସ୍ଵାଧୀନ ଭାରତରେ ସେହିମାନେ ହିଁ ନିର୍ବାଚିତ ହୋଇ କ୍ଷମତାକୁ ଆସିଲେ, ସରକାର ରୂପେ ପ୍ରତିଷ୍ଠିତ ହେଲେ । ଦେଶରେ ପରବର୍ତ୍ତୀ ମୌଳିକ ପରିବର୍ତ୍ତନଗୁଡ଼ିକର ପ୍ରବର୍ତ୍ତନ କରିବା ପ୍ରକୃତ୍ତରେ ସେହି ସରକାର ହିଁ କାର୍ଯ୍ୟ ହୋଇଥାନ୍ତା । ମହାତ୍ମା ଗାନ୍ଧୀ ବଞ୍ଚିଥିବା ପର୍ଯ୍ୟନ୍ତ ଦେଶରେ ଏହିସବୁ ପରିବର୍ତ୍ତନ ଅବଶ୍ୟ ହେବ ବୋଲି ଭାରି ଶୁଣାଯାଉଥିଲା । ଶାସନକାରୀ ସରକାରଙ୍କ ଉପରେ ମଧ୍ୟ ଜନସାଧାରଣଙ୍କ ଅପାର ବିଶ୍ଵାସ ରହିଥିଲା ।

 

ଗାନ୍ଧିଜୀଙ୍କର ତିରୋଧାନ ହେଲା; ଶାସନାସୀନ ନେତାମାନେ ତେଣିକି ନିଜ ବୁଦ୍ଧିରେ ଠିଆ ହେବାକୁ ମନା କଲେ ଓ କ୍ରମେ ସେମାନଙ୍କର ଅସଲ ରୂପଗୁଡ଼ିକ ପ୍ରକାଶ ପାଇବାକୁ ଆରମ୍ଭ କଲା । ନେତୃତ୍ଵ ତଳି ଛାଡ଼ିଗଲା, ତଳେ ଥିବା ବହୁସଂଖ୍ୟକ ମଣିଷମାନଙ୍କ ସହିତ ପ୍ରାୟ ଆଉ କୌଣସି ସମ୍ପର୍କ ରହିଲା ନାହିଁ । ସ୍ଵାଧୀନ ଭାରତରେ ଯେଉଁ ସମସ୍ୟାଗୁଡ଼ିକ ସବାଆଗ ସମାଧାନର ଅପେକ୍ଷା କରି ରହିଥିଲା, ସେଗୁଡ଼ିକୁ ନାନାବିଧ ଅନ୍ୟ ଆଳରେ ଟାଳି ଦିଆଗଲା ଓ ଅନାବଶ୍ୟକ ଅନ୍ୟ ନାନା ଆଡ଼କୁ ରାଜନୀତିକ ଦୃଷ୍ଟିଗୁଡ଼ିକୁ ବିଭ୍ରାନ୍ତ କରି ନିଆଗଲା । ନେତାମାନେ କ୍ରମେ ପୂରା ବାବୁପରି ଦିଶୁ ଦିଶୁ କ୍ରମେ ରାଜା ହୋଇ ଦେଖା ଗଲେ । ସେମାନେ କ୍ଷମତା ଭିତରେ ଦୂରରେ ବାନ୍ଧିହୋଇ ରହିଲେ ଓ ଶାସନ କହିଲେ ସତେଅବା ଏହି ନୂତନ ସାମନ୍ତମାନଙ୍କର ତୁଚ୍ଛା ଆତ୍ମକାମୀ ରାଜତ୍ଵଗୁଡ଼ାକୁ ହିଁ ବୁଝଗଲା । କ୍ଷମତାସୀନ ସାମନ୍ତମାନେ ଉପରୁ ଦୟା ଓ ଅନୁଗ୍ରହ ଦେଖାଇ ଟଙ୍କା ଖରଚ କରି ଯେ ଏହି ଦେଶର ସର୍ବମୂଳ ସମସ୍ୟାଗୁଡ଼ିକର ସମାଧାନ କରିପାରିବେ, ସରକାର ଦେଶଯାକ ସତେଅବା ସେହିପରି ଏକ ଭୁରୁଡ଼ ସୃଷ୍ଟି କରି ରଖିବାକୁ ଅଧିକରୁ ଅଧିକ ମନ କଲେ । ଯାବତୀୟ ଯଥାର୍ଥ ପରିବର୍ତ୍ତନ ଯେ ତଳୁ ହିଁ ହେବା ଉଚିତ, ବହୁଜନଙ୍କର ମୂଳଭୂତ ଅସହାୟତାକୁ ଦୂର କରି ରାଜନୈତିକ ତଥା ସାମାଜିକ ସଚେତନାର ଦୃଢ଼ ମୂଳଧୁଆଟିଏ ତିଆରି କରିପାରିଲେ ଯେ ସ୍ଵାଧୀନ ଭାରତରେ ଗଣତନ୍ତ୍ର ମଧ୍ୟ ଦୃଢ଼ ହୋଇ ପାରିବ, ସେକଥା କ୍ରମଶଃ ପାସୋର ହୋଇ ଯିବାକୁ ଆରମ୍ଭ କଲା । ରାଜନୀତିକ ନେତୃତ୍ଵ ସାମନ୍ତବାଦୀ ହେଲେ ଶାସନ ବଳକୁ ଚଳାଉଥିବା ଅମଲାମାନେ ଅଧିକରୁ ଅଧିକ ଅମରମତା ହେବାକୁ ପ୍ରଶ୍ରୟ ପାଇଥାଆନ୍ତି । ଏହି ଅମଲାମାନେ ମଧ୍ୟ ଉପରୁ ପ୍ରେରଣା ପାଇ ବାବୁ ହେଲେ, କ୍ରମେ କୁଜି ସାମନ୍ତଙ୍କ ପରି ଦିଶିଲେ ଏବଂ ଏହିସବୁ କଥାକୁ ଅତ୍ୟନ୍ତ ଚତୁର ଭାବରେ କରି ପାରୁଛନ୍ତି ବୋଲି ବାହାଦୁରି ଦେଖାଉ ଦେଖାଉ ଉର୍ବର ହେଲେ । ଏକ ନିର୍ମମ ଉପେକ୍ଷାରେ ହିଁ ରାଜ୍ୟ ଚାଲିଲା । ଉପରେ ରହିଥିବା ଅଳପ ମଣିଷ ଅଧିକ ବଳୁଆ ହେଲେ । ତଳେଥିବା ଅଧିକ ସଂଖ୍ୟକ ଅଧିକ ଅସହାୟ ହେଲେ । ଲୋକ ସମ୍ବନ୍ଧର କ୍ଷେତ୍ରରୁ ସତେଅବା ଲକ୍ଷ୍ମୀ ଛାଡ଼ିଗଲେ । ତନ୍ତ୍ରଗୁଡ଼ିକ ଅଧିକରୁ ଅଧିକ ଜବର ହେଲେ, ବର୍ବର ବି ହେଲେ । ଗଣ ପ୍ରତ୍ୟାଖାତ ହୋଇ ରହିଲା । ଏକ ନୂତନ ପ୍ରକାରର ଭାଗ୍ୟବାନ ବଳବାନ୍‍ ହୋଇ ରହିଲା ।

 

ଏସବୁ ଫଳରେ ଆମେ ଗଣତନ୍ତ୍ର କେବଳ ତଥାକଥିତ ବିଧାନ ସଭାମାନଙ୍କରେ ସୀମିତ ହୋଇ ରହିଲା । ସେଠାରେ ସରକାରୀ ଓ ବିରୋଧୀ ଦଳ ଭିତରେ ଅଧିକରୁ ଅଧିକ ତାମସାମାନ ଦେଖିବାକୁ ମିଳିଲା । ସରକାରକୁ ମଝିରେ ଥିବା ଗଣ୍ଠିପରି ମନେ କରି ଥୋକେ ବିରୋଧୀ ଆପଣାକୁ ବାମପନ୍ଥା କୁହାଇଲେ, ଆଉ ଥୋକେ ଦକ୍ଷିଣପନ୍ଥୀ ବୋଲାଇଲେ । ଭାରତୀୟ ବାମପନ୍ଥୀଙ୍କର ଏକ ସ୍ଵତନ୍ତ୍ର ଇତିହାସ ରହିଛି । ସେମାନଙ୍କର ସଂପୂର୍ଣ୍ଣ ଅଣଆୟତ୍ତ ହୋଇ ରହିଥିବା କେତେକ କାରଣରୁ ସେମାନେ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ପ୍ରାୟ କୌଣସି ସକ୍ରିୟ ଭୂମିକା ଗ୍ରହଣ କରିନଥିଲେ; ସତେଅବା ଦୂରଛଡ଼ା ହୋଇ ବନ୍ଦ ରହି ଯାଇଥିଲା । ବେଳେବେଳେ ଅସଲ କଥାମାନ କହୁଥିଲେ ସତ, ତଥାପି ଆମ ଗାଆଁ ବାହାରର ସତେଅବା କୌଣସି କୁଣିଆ ପରି ଦେଖାଯାଉଥିଲେ । ଦେଶର ଶ୍ରମିକ ଏବଂ କୃଷକମାନଙ୍କ ମଧ୍ୟରେ ଏକ ସାମାଜିକ ବିପ୍ଳବର ପ୍ରଥମ ବୀଜଗୁଡ଼ିକୁ ବୁଣିବାରେ ସେମାନେ କେତେ କ୍ଷେତ୍ରରେ ଏକ ନିମିତ୍ତ ରୂପେ କାର୍ଯ୍ୟ କରିଥିଲେ ସତ, ମାତ୍ର ସ୍ଵାଧୀନ ଭାରତରେ ସେମାନଙ୍କର ସବୁଯାକ ରୋଷ ଓ ବିରୋଧ ସତେଅବା ସେହି ବିଧାନସଭା ଭିତରେ ହିଁ କିଳି ହୋଇ ରହିଲା । ନିଜର ଦଳଟି ପୂର୍ଣ୍ଣ ଶାସନ କ୍ଷମତାକୁ ନଆସିବା ପର୍ଯ୍ୟନ୍ତ ସାମାଜିକ ବିପ୍ଳବଦିଗରେ ଆଦୌ କିଛି ହେଲେ କରାଯାଇପାରିବ ନାହିଁ, ସେମାନେ ସତେଅବା ସେହିପରି ଏକ ସିଦ୍ଧାନ୍ତରେ ବଶବର୍ତ୍ତୀ ହୋଇ କ୍ରମେ ଥଣ୍ଡା ରହିଲେ ଓ ବିଧାନ ସଭାର ତାମସା ଭିତରେ ମିଛ ହିରୋମାନଙ୍କର ଅଭିନୟ କଲେ । ସ୍ଵାଧୀନତା–ପୂର୍ବ ଭାରତବର୍ଷରେ ଗାନ୍ଧୀନେତୃତ୍ଵର ଆବିର୍ଭାବ ପରେ ଯେଉଁ ରକ୍ଷଣଶୀଳ ଆଦର୍ଶବାଦୀମାନେ ପ୍ରାୟ କୌଣସି କ୍ଷେତ୍ର ନପାଇ ହୀନପ୍ରଭ ହୋଇରହିଥିଲେ, ସ୍ଵାଧୀନ ଭାରତର ରାଜନୀତିରେ ସେମାନେ ଦକ୍ଷିଣପନ୍ଥୀ ହେଲେ । ସେମାନେ ଆମକୁ ପୁଣି ପଛକୁ ଫେରିଯିବାର ମିଛ ଉଦବୋଧନମାନ ଦେବାକୁ ଲାଗିଲେ-। ଭାରତବର୍ଷ କହିଲେ ଯେଉଁମାନେ ଅତ୍ୟନ୍ତ ଭାବପ୍ରବଣ ଭାବରେ ନିଜର ଧର୍ମ, ନିଜର ସଂପ୍ରଦାୟ ଓ ନିଜର ଅତୀତ ଶିରୀ ବ୍ୟତୀତ ପ୍ରାୟ ଆଉ କିଛିହେଲେ କଳ୍ପନା କରିପାରିଲେ ନାହିଁ, ଭବିଷ୍ୟ ଲାଗି ସାମାଜିକ ଓ ମାନବିକ ନାନାବିଧ କ୍ଷେତ୍ରରେ ଯେଉଁମାନଙ୍କ ପାଖରେ ପରିବର୍ତ୍ତନର ପ୍ରାୟ କୌଣସି ସ୍ପଷ୍ଟ ନକ୍‍ସା ନଥିଲା, ସେମାନେ ଦକ୍ଷିଣ ପାର୍ଶ୍ଵରେ ରହିଲେ । ବିରୋଧ ନାମରେ କିଛି ନା କିଛି ଅବଶ୍ୟ ଲାଗିରହିଲା ସତ, ମାତ୍ର ମଝି ସାମନ୍ତମାନଙ୍କର ବିରୋଧ କରୁ କରୁ ଏମାନେ ମଧ୍ୟ କ୍ରମଶଃ ସାଆନ୍ତିଆ ହୋଇଗଲେ,–ଅଲଗା ବୋଲି ସତେଅବା ମୋଟେ ବାରି ହୋଇ ପାରିଲେ ନାହିଁ ।

 

ମହାତ୍ମାଗାନ୍ଧୀଙ୍କର ଅନୁଗାମୀମାନଙ୍କର ମଧ୍ୟରୁ ଥୋକେ ସରକାର ଭିତରେ ଉଞ୍ଚ ହୋଇରହିଲେ, ଆଉ ଥୋକେ ନିରୋଳା ଗାନ୍ଧୀ କାମ କରିବେ ବୋଲି ସରକାର ବାହାରେ ରହିଲେ-। ଏମାନେ ରଚନାତ୍ମକ ବିପ୍ଳବକରିବାର ମାଧ୍ୟମରେ ଏକ ନୂତନ ସମାଜକୁ ତଳୁ ଗଢ଼ି ଆଣିବେ ବୋଲି କହିଲେ । ମାତ୍ର ସରକାରଙ୍କ ଉପରେ ନିର୍ଭର କଲେ, ସରକାର ମଧ୍ୟ ଅର୍ଥସହାୟତାର ନାନା ଥୋପ ପକାଇ ଏହି ବିପ୍ଳବୀମାନଙ୍କର ମୁହଁ ବାନ୍ଧିଦେଲେ, ସେମାନଙ୍କର ଗୋଡ଼କୁ ଛନ୍ଦି କରି ରଖିଦେଲେ । ଗାନ୍ଧୀ–ପର୍ବ ଏକ ସରକାରୀ ପର୍ବରେ ପରିଣତ ହେଲା । ତୁଚ୍ଛା ଅଗାନ୍ଧୀଆମାନେ ପ୍ରାୟ ଏକ ସାମନ୍ତତୁଲ୍ୟ ଆଡ଼ମ୍ବରରେ ଗାନ୍ଧୀକଥା କହିଲେ । ଏବଂ ବାହାରେ ରହି ଗାନ୍ଧୀକାମ କରୁଥିବା ବୈରାଗୀମାନେ ଶୀତଳ ହୋଇ ରହିଲେ । ସତ୍ୟାଗ୍ରହ ହେଉଛି ଯାବତୀୟ ଅହିଂସ ବିପ୍ଳବର ସର୍ବପ୍ରଥମ ଆୟୁଧ । ସେହି ଆୟୁଧଟିକୁ ଗାନ୍ଧୀଶିବିରର ଯୋଦ୍ଧାମାନେ ସତେଅବା ଜାଣିଶୁଣି ହାତଛଡ଼ା ଅନ୍ୟାୟ ବୋଲି କହିପାରିଲେ ନାହିଁ । ଦୁର୍ବଳ ହେଲେ, ଅନ୍ୟାୟୀମାନଙ୍କ ପାଖରେ ବଡ଼ ଅସରଣ ଭାବରେ ଯାଇ ଗୋଡ଼ଭାଙ୍ଗି ଠିଆ ହେଲେ । ତା’ପରେ ତୁଚ୍ଛା ରାଜନୈତିକ କ୍ଷମତାକାମୀମାନେ ସତ୍ୟାଗ୍ରହ ରୂପୀ ଅସ୍ତ୍ରଟିକୁ ସେମାନଙ୍କଠାରୁ ଛଡ଼ାଇ ନେଇଗଲେ ଓ ବହୁ ଅବାଞ୍ଛିତ ସ୍ଥାନରେ ତାହାର ପ୍ରୟୋଗ କଲେ । ଅସଲ ସତ୍ୟାଗ୍ରହ ଓ ଅସଲ ବିରୋଧ ଯେଉଁମାନେ କରିଥାନ୍ତେ, ସେମାନେ ସଜ୍ଜନ ଓ ସାଧୁ ହୋଇ ରହିଲେ । ଦରିଦ୍ରସେବା କଲେ, ଲୋକନାଗରୀ ପ୍ରଚାର କଲେ, ଗୋହତ୍ୟା–ନିରୋଧ ନିମନ୍ତେ ଆନ୍ଦୋଳନ କଲେ; ଏବେ ପରିବେଶକୁ ନିର୍ମଳ କରିବା ପାଇଁ ଆନ୍ଦୋଳନ କରୁଛନ୍ତି । ଅସଲ ପରିବର୍ତ୍ତନଗୁଡ଼ିକ ସମ୍ଭବ କରିବା ଲାଗି ଗାନ୍ଧିଜୀ ଏକଦା ଯେଉଁ ସାମାଜିକ ବିପ୍ଳବର ସୂଚନା ଦେଇଥିଲେ, ସାଧୁମାନେ ସତେଅବା ସେ କଥାଟିକୁ ଜାଣିଜାଣି ଭୁଲି ଯାଇଛନ୍ତି । ଏମାନେ ଆଉ କି ବିରୋଧ କରିଥାନ୍ତେ ? ସପ୍ତମ ଦଶକରେ ଦେଶରେ ଜରୁରୀକାଳୀନ ଅବସ୍ଥା ଜାରି ହୋଇଥିବା ସମୟରେ ସରକାରୀଙ୍କୁ ଗଣ୍ଠି କରି ସେମାନଙ୍କ ଭିତରେ ଯେଉଁ ଗୃହବିବାଦ ଆରମ୍ଭ ହୋଇଥିଲା, ସେମାନେ ଏବେ ମଧ୍ୟ ସେହି ବିବାଦ ଭିତରେ ବାନ୍ଧି ହୋଇ ପଡ଼ିଛନ୍ତି । ସରକାର ସୁକୁଟ ଦେଖୁଛନ୍ତି ।

 

ଏହିସବୁ ଏକାଧିକ କାରଣରୁ ଭାରତବର୍ଷରେ ଅସଲ ରାଜନୀତିକ ବିରୋଧରେ ସାନ ସାନ ସ୍ଵାର୍ଥଗୁଡ଼ିକର ରକ୍ଷା ଅଥବା ସୁବିଧାଗୁଡ଼ିକର ହାସଲ ନିମନ୍ତେ ବିରୋଧ ନାମରେ ବେଳେବେଳେ ଯାହା କହୁଛନ୍ତି, ତାହା ଅନେକ ସମୟରେ ଦେଶରେ ଲୋକଚେତନା ତଥା ବିପ୍ଳବଚେତନାକୁ ଅଗ୍ରସର କରାଇନେବା ପରିବର୍ତ୍ତେ ହୁଏତ ଏକ ପ୍ରତିକ୍ରିୟାଶୀଳ ପ୍ରତିବନ୍ଧକ ପରି କାର୍ଯ୍ୟ କରୁଛି । ଯଥାର୍ଥ ପରିବର୍ତ୍ତନଗୁଡ଼ିକୁ ଅତ୍ୟନ୍ତ ଶୋଚନୀୟ ଭାବରେ ମାଡ଼ ଖାଇ ଯାଉଛନ୍ତି । ଦେଶରେ ଶ୍ରମିକମାନେ ଆନ୍ଦୋଳନ କରୁଛନ୍ତି, ସ୍ଥିତାବସ୍ଥାରେ ବିରୋଧ କରୁଛନ୍ତି ଓ ଅଶ୍ରମିକ ନେତାମାନେ ସେମାନଙ୍କର ଏହିସବୁ ଅଭିଯାନରେ ଆସି ନେତୃତ୍ଵ ଦେଉଛନ୍ତି ସତ, ମାତ୍ର ମୁଖ୍ୟତଃ ଶ୍ରମିକମାନଙ୍କର ବେତନ ବଢ଼ାଇବା ଏବଂ ସେମାନଙ୍କ ଲାଗି କେତୋଟି ତାତ୍କାଳିକ ଅଧିକ ସୁବିଧା ହାସଲ କରାଇବା ବ୍ୟତୀତ ଏସବୁ ଦ୍ଵାରା ଅଧିକ କିଛି ମୋଟେ ସମ୍ଭବ ହୋଇ ପାରୁନାହିଁ । ଦେଶର ଶ୍ରମିକ ଏକ ଯଥାର୍ଥ ପରିବର୍ତ୍ତନକାମୀ ବୈପ୍ଳବିକ ଶକ୍ତିରେ ପରିଣତ ହେବାର ପଥରେ ଦେଶର ତଥାକଥିତ ଶ୍ରମିକ–ଆନ୍ଦୋଳନମାନ ଅଧିକତର ପରିମାଣରେ ହୁଏତ ବାଧା ସଦୃଶ କାର୍ଯ୍ୟ କରୁଛି-। ତେଣେ କୃଷକମାନଙ୍କର କ୍ଷେତ୍ରରେ ମଧ୍ୟ ସେହି ଦୃଷ୍ଟିରୁ ମୋଟେ କିଛି ଘଟିନାହିଁ । ଭୂମିସଂସ୍କାରର ଯାବତୀୟ ପ୍ରସ୍ତାବ ପ୍ରାୟ ଡୋରବନ୍ଧା ହୋଇ ରହିଛି । ଭୂମି ଚଷୁଥିବା ଅସଲ ଚାଷୀଙ୍କୁ ବାଦଦେଇ ଭୂମି ମାଲିକ ଅଣଚାଷୀମାନେ କୃଷକ ବୋଲାଉଛନ୍ତି ଓ ଆପଣା ସ୍ଵାର୍ଥଗୁଡ଼ିକର ରକ୍ଷା ପାଇଁ ଆନ୍ଦୋଳନ କରୁଛନ୍ତି । ସେମାନଙ୍କୁ ସେମାନଙ୍କର ଅନୁରୂପ ନେତାମାନେ ବି ମିଳି ଯାଉଛନ୍ତି-। ଆମ ଦେଶରେ ଶିକ୍ଷକମାନେ ମଧ୍ୟ କମ୍ ଆନ୍ଦୋଳନ କରୁନାହାନ୍ତି । ଆନ୍ଦୋଳନ ପାଇଁ ସେମାନେ ସଂଘ ଓ ମହାସଙ୍ଘମାନ ଗଢ଼ୁଛନ୍ତି । ଏହି ଆନ୍ଦୋଳନ ଦ୍ଵାରା ସେମାନଙ୍କର ଦରମା ବଢ଼ୁଛି–କାମ କମ୍ କଲେ ମଧ୍ୟ ଦରମା ବଢ଼ୁଛି । ଦେଶର ପ୍ରାୟ ସବୁଯାକ ଶିକ୍ଷାଖର୍ଚ୍ଚ ସେହିମାନଙ୍କୁ ହିଁ ଦରମା ଦେବାରେ ସରିଯାଉଛି, ମାତ୍ର ସେମାନଙ୍କର ଆନ୍ଦୋଳନ ଫଳରେ ଶିକ୍ଷାରେ କେଉଁଠି କଣ ବିପ୍ଳବହୋଇଛି ବା ହେଉଛି, ସେକଥା ଆମ ମନ୍ତ୍ରୀ ଓ ବଡ଼ ଅମଲାମାନଙ୍କର ପରିମଳରୁ ହିଁ ଧରା ପଡ଼ିଯାଉଛି । ଆମର ତଥାକଥିତ ଶିକ୍ଷିତମାନେ ହିଁ ହୁଏତ ସବୁଠାରୁ ଅଧିକ ପ୍ରତିକ୍ରିୟାଶୀଳ ଓ ପରିବର୍ତ୍ତନ–ବିରୋଧୀ ହୋଇ ଆମ ପ୍ରଚଳିତ ଶିକ୍ଷାର ଅପସଂସ୍କୃତି ଭିତରୁ ବାହାରୁଛି । ସେହିପରି, ଛାତ୍ର ଆନ୍ଦୋଳନର ପ୍ରତିପତ୍ତି ବୃଦ୍ଧି ପାଇଛି ସତ, ମାତ୍ର ସେଇଟି ମଧ୍ୟ ବହୁ ତାତ୍କାଳିକ ଉଦ୍ଦେଶ୍ୟସିଦ୍ଧି ମଧ୍ୟରେ ବାନ୍ଧି ହୋଇ ରହିଛି । ରାଜନୀତିରେ ନଳିତାଚାଷ କରୁଥିବା ବଡ଼–ପାଷାଣ୍ଡମାନଙ୍କର ହାତରେ ଛାତ୍ରନେତାମାନେ ହାତବାରିସି ହୋଇ ରହିଛନ୍ତି, ଭବିଷ୍ୟତରେ ପାଷାଣ୍ଡମାନଙ୍କର ହାତରେ ଛାତ୍ରନେତାମାନେ ହାତବାରିସି ହୋଇ ରହିଛନ୍ତି, ଭବିଷ୍ୟତରେ ପାଷାଣ୍ଡ ହେବାକୁ ତିଆରି ହେଉଛନ୍ତି । ଦେଶର ଅସଲ ପରିବର୍ତ୍ତନଗୁଡ଼ିକ ହେଉ ବୋଲି ଦାବି ଓ ବିରୋଧ କରିବାକୁ ସେମାନଙ୍କର ବେଳ କାହିଁ ? ସ୍ଵାଧୀନ ଭାରତର ସାହିତ୍ୟ ଓ କଳା ପ୍ରଧାନତଃ ପ୍ରତିବାଦଧର୍ମୀ ହୋଇଥାନ୍ତି । ମାତ୍ର, ବହୁ କାରଣରୁ ସାମନ୍ତମାନେ ସେଗୁଡ଼ିକୁ ଦଖଲ କରିନେବାରେ ଲାଗିଛନ୍ତି, ସୃଜନଶୀଳତା ନାମରେ ଏକ କ୍ଷୟିଷ୍ଣୁତାର ପ୍ରଦର୍ଶନ କରୁଛନ୍ତି । ସେମାନେ ନିଃସଙ୍ଗତା ଭିତରେ ଆତ୍ମରମଣ କରୁଛନ୍ତି । ଅଧିକ ଦେଖିବାକୁ ଅଥବା ହେବାକୁ କୌଣସି ବେଳ ନାହିଁ, ସାହସ ମଧ୍ୟ ନାହିଁ । କେତେ ଗେହ୍ଲା ହୋଇ ସେମାନେ ମାଲିକମାନଙ୍କର ଶ୍ରଦ୍ଧାଭାଜନ ହେବାକୁ ଦଉଡ଼ୁଛନ୍ତି, ସଭାରେ ବସି ମହତ ସାରୁଛନ୍ତି ।

 

ଆମ ଦେଶର କ୍ଷମତା–ରାଜନୀତିରେ କେତେ କେତେ ଦଳ ଅଛନ୍ତି, ସିଦ୍ଧାନ୍ତଗତ କୌଣସି କାରଣ ନଥାଇ ମଧ୍ୟ ଗୋଟାସୁଦ୍ଧା ବ୍ୟକ୍ତିକଳହଗତ ବହୁ ଆଳରେ ଗୋଟାଏ ଦଳ ପାଞ୍ଚଟା ଦଳରେ ବିଭକ୍ତ ହୋଇଯାଇଛି । ଦକ୍ଷିଣପନ୍ଥୀ ତଥା ବାମପନ୍ଥୀ ଉଭୟେ ସେହି ଅହଙ୍କାରୀ ନିର୍ଲଜ ତାମସାରେ ମାତିଛନ୍ତି । ସେମାନଙ୍କର ମଞ୍ଚ ଭିତରକୁ ଅନାଇଲେ ମନେ ହେଉଛି, ସତେଯେପରି ଏମାନେ ପ୍ରକୃତରେ ଗୋଟିଏ ଗୋଟିଏ ମାତ୍ର ଦଳ, ବହୁ ଦଳ ଆଦୌ ନୁହନ୍ତି । ଏମାନଙ୍କର ଲାଳସା ଗୋଟିଏ ପ୍ରକାରର, କୋପନ–ପ୍ରବୃତ୍ତି ମଧ୍ୟ ସେହି ଗୋଟିଏ ପ୍ରକାରର । ଏମାନେ ସମସ୍ତେ ପ୍ରକୃତରେ ଗୋଟିଏ ଖାତର ହିଁ ଗୋବର । ସେମାନେ ପରିବର୍ତ୍ତନ ଚାହାନ୍ତି ନାହିଁ, କ୍ଷମତା ଚାହାନ୍ତି । ସେମାନଙ୍କର ଯାବତୀୟ ସ୍ଵପ୍ନ ହେଉଛି କେବଳ ନିଜକୁ ନେଇ ସ୍ଵପ୍ନ । ବିଧାନସଭାରେ କ’ଣ ଏମାନେ ପରସ୍ପରର କମ୍ ବିରୋଧ କରୁଛନ୍ତି ? ମାତ୍ର, ସେହି ବିରୋଧ କୌଣସି ସିଦ୍ଧାନ୍ତ ଅଥବା ଆଦର୍ଶକୁ ନେଇ ଆଦୌ ନୁହେଁ । ମ୍ଳେଚ୍ଛମାନେ ସ୍ଵୟଂ ସିହାଂସନରେ ଯାଇ ବସିବେ ବୋଲି ପରସ୍ପର ଭିତରେ ଯେଉଁ ଟଣାଟଣି ଓ ଧସ୍ତାଧସ୍ତି ଲଗାଇଥାନ୍ତି, ଇଏ ହେଉଛି ସେହି କାଟର ଏକ ବିରୋଧ । ସେହି ବିରୋଧର ନକ୍‍ସା ଭିତରେ ହୁଏତ ଆଦୌ କୌଣସି ରାଜନୀତି ନାହିଁ । ଯେଉଁ ରାଜନୀତି ସମୂହର ଉଦୟ ନିମନ୍ତେ ଉତ୍ସର୍ଗୀକୃତ ହୋଇ ରହିଥାଏ, ଆମ ବର୍ତ୍ତମାନର ରାଜନୀତି ଅତିକାୟମାନେ ତାହାକୁ କୋଉଦିନ ପଛରେ ପକାଇ ଦେଇ ଆସିଲେଣି । ଏମାନେ ମୋଟେ ପାରିବେ ନାହିଁ । ଏମାନେ ପରସ୍ପରର ସଂହାରରେ ହିଁ ନିମିତ୍ତ ରୂପେ କାର୍ଯ୍ୟ କରିବେ, ଓ ଅନ୍ତତଃ ସେହି ଦୃଷ୍ଟିରୁ ଅପେକ୍ଷିତ ଯଥାର୍ଥ ପରିବର୍ତ୍ତନଟି ଆଡ଼କୁ ଅନ୍ୟମାନଙ୍କ ଲାଗି ବାଟ ଫିଟାଇଦେବେ । ଭାରତବର୍ଷ ବର୍ତ୍ତମାନ ସେହି ବିକଳ୍ପମାନଙ୍କ ଲାଗି ଅପେକ୍ଷା କରି ରହିଛି । ମଧ୍ୟବର୍ତ୍ତୀକାଳୀନ ଏହି ଯାବତୀୟ ବିଡ଼ମ୍ବନାକୁ ସତକୁ ସତ ମଧ୍ୟବର୍ତ୍ତୀକାଳୀନ ବୋଲି ଅନୁଭବ କରିପାରିଲେ ଆମେ ଆପଣ ଭିତରେ ମଧ୍ୟ ସେହି ବିକଳ୍ପ ଗୁଡ଼ିକର ଉପଲବ୍ଧି କରିପାରିବା । ତା’ପରେ ଆମେ ଆଉ କଦାପି ଶଠ ହୋଇପାରିବା ନାହିଁ, ଭୀରୁ ପରି ମାନି ନେବାକୁ କଦାପି ମନ କରିବାନାହିଁ । ଆମେ ଏହି ଗାରଗୁଡ଼ାକର ସେପାଖକୁ ମଧ୍ୟ ଦେଖିବାକୁ ସମର୍ଥ ହେବା । ବର୍ତ୍ତମାନର ବାବୁମାନଙ୍କୁ, ଦର୍ପୀମାନଙ୍କୁ ଅତିକ୍ରମ କରିଯାଇପାରିବା ।

 

ତେବେ ଆମକୁ ହିଁ ନିମିତ୍ତ କରି ଭାରତବର୍ଷରେ ଯଥାର୍ଥ ବିରୋଧଟି ଜନ୍ମଲାଭ କରିବା ଏବଂ ବହୁ ଆକାଂକ୍ଷିତ ପରିବର୍ତ୍ତନଗୁଡ଼ିକ ଆଡ଼କୁ ଆମର ବାଟ କଢ଼ାଇ ନେଇଯିବ । ଶିକ୍ଷା, ରାଜନୀତି କିମ୍ବା କୃଷି ଓ ଶିଳ୍ପ, ଆମେ ଯିଏ ଯେଉଁଠାରେ ରହିଥିବା ପଛକେ, ତା’ପରେ ଆମେ ଦେଶର ଭବିଷ୍ୟଟିକୁ ଏକ ଅନ୍ୟ ଆଖିରେ ଦେଖିବାକୁ ପାଇବା ଓ ବର୍ତ୍ତମାନର ଯାବତୀୟ ଗ୍ରନ୍ଥିଳତାକୁ କାଟି ଆଗକୁ ଏକ ନୂଆ ପ୍ରକାରର ବାଟ ବାହାର କରି ପାରିବା । ଦେଶରେ ଏକ ନୂତନ ସ୍ତରର ସମର୍ପଣ–ବୁଦ୍ଧି ଜନ୍ମଲାଭ କରିବ; ଏକ ନୂତନ ବିବେକ ଜନ୍ମଲାଭ କରିବ, ଯାହା ଦେଶର ସବୁ ମଣିଷକୁ ସୁମାରି ଭିତରକୁ ନେଇ ପାରୁଥିବ; ପ୍ରତ୍ୟକ ମଣିଷ ଯେପରି ମଣିଷର ସମ୍ମାନ ଦେଇ ଆପଣାକୁ ଓ ପରସ୍ପରକୁ ଦେଖି ପାରିବେ, ସେଥିଲାଗି ଦେଶରେ ଏକ ଅନୁରୂପ ଭୂମି ତିଆରି କରିବା ନିମନ୍ତେ ସାହସର ସହିତ ଆବଶ୍ୟକ ପଦକ୍ଷପଗୁଡ଼ିକୁ ଗ୍ରହଣ କରିବାକୁ ମୋଟେ ପଶ୍ଚାତ୍‍ପଦ ହେଉ ନ ଥିବ ।

 

ଆଜି ଭାରତବର୍ଷରେ ବହୁତ ବାଟ ଯିବା ପାଇଁ ବାକି ରହିଛି । ଏକାଧିକ କାରଣରୁ ସ୍ଵାଧୀନତା–ପରବର୍ତ୍ତୀ ଭାରତବର୍ଷର ନେତୃତ୍ଵ ଦେଶର ଉତ୍ସାହ ଏବଂ ଉଦ୍ୟମଗୁଡ଼ିକ ସେହି ଦିଗରେ ପରିଚାଳିତ କରିବାକୁ ସମ୍ମତ ହୋଇ ପାରିଲାନାହିଁ । ବର୍ତ୍ତମାନ ନେତୃତ୍ଵର ଅସମର୍ଥ ସାହିଗୁଡ଼ାକରେ ଯେଉଁମାନେ ହାଟରୋଳ କରୁଛନ୍ତି, ସେମାନଙ୍କୁ ଆମେ ସେହି ଅସମ୍ମତମାନଙ୍କ ମଧ୍ୟରେ ହିଁ ସାମିଲ କରି ବିଚାର କରିପାରିବା । ସେମାନେ ପରସ୍ପର ମଧ୍ୟରେ ଆମ୍ପୁଡ଼ାକାମୁଡ଼ା ହେଉଛନ୍ତି; ବାହାରେ ଯେତେ ଦର୍ପଦେଖାଇଲେ ମଧ୍ୟ ଏମାନଙ୍କ ଭିତରେ ଆଉ ମୋଟେ ବାରୁଦ ନାହିଁ । ଏମାନେ ଆଉ ମୋଟେ ପାରିବେ ନାହିଁ । ଏମାନେ ସବୁଯାକ ଭୋଗ କରିବେ ଓ ପରିବର୍ତ୍ତନଗୁଡ଼ାକୁ ନାନାପ୍ରକାରେ ଭଣ୍ଡାଇ ରଖିବେ ବୋଲି ବାହାରିଛନ୍ତି । ଏମାନେ ଏପାଖେ ସେପାଖେ ଉଭୟ ଶିବିରରେ ଭର୍ତ୍ତି ହୋଇ ରହିଛନ୍ତି ତଥାକଥିତ କ୍ଷମତା ଭିତରେ ଅଛନ୍ତି ଏବଂ କ୍ଷମତା ବାହାରେ ମଧ୍ୟ ଅଛନ୍ତି । ବାହାରକୁ ଯେତେ ଭିନ୍ନେ ହୋଇ ଦିଶୁଥିଲେ ମଧ୍ୟ ଏମାନଙ୍କୁ ସେହି ଗୋଟିଏ ଲାଳସା ହିଁ କାବୁ କରି ରଖିଛି । ସେହି ଲାଳସା ସେମାନଙ୍କୁ ବୁଢ଼ା କରି ପକାଇଲାଣି । ଅସଲ ବିରୋଧ ନିମନ୍ତେ ଦେଶ ଅପେକ୍ଷା କରି ରହିଛି । ଯିଏ ଅସଲ ବିରୋଧ କରିବାକୁ ସମର୍ଥ ହେବ, ତା’ଭିତରେ ଏହି ଦେଶକୁ ତଥା ଦେଶର ଲୋକଭାଗ୍ୟକୁ ନେଇ ଏକ ସ୍ପଷ୍ଟ ଭବିଷ୍ୟଚିତ୍ର ରହିଥିବା ଉଚିତ ଏବଂ ସେହି ଚିତ୍ରର ପ୍ରେରଣାରେ ହିଁ ସିଏ ନିଜକୁ ଅନୁରୂପ ଭାବରେ ନିର୍ଦ୍ଦେଶିତ କରି ରଖିବ ବୋଲି ତା’ଭିତରେ ସ୍ୱଭାବତଃ ଏକ ସାଧୁତା ମଧ୍ୟ ରହିଥିବା ଉଚିତ୍‍ । ଭାରତବର୍ଷରେ ସ୍ଵାଧୀନତା–ପ୍ରାପ୍ତିର ସଂଗ୍ରାମ ଲଢ଼ା ହେଉଥିବା ସମୟରେ ନେତୃତ୍ଵ ଦେବାଲାଗି ଯେଉଁମାନେ ପୁରୋଭାଗରେ ଥିଲେ, ସେମାନେ ହୁଏତ ବର୍ତ୍ତମାନର ଏମାନଙ୍କ ପରି ଆଦୌ ଚାଲାଖ ନଥିଲେ ଓ ଏତେବେଶୀ ଅଭିନୟ କରି ଜାଣି ନଥିଲେ ସତ, ମାତ୍ର ସେମାନଙ୍କ ମଧ୍ୟରେ ଏକ ସ୍ଵାଭାବିକ ସାଧୁତା ଅବଶ୍ୟ ରହିଥିଲା । ସେମାନେ ଯାହାକିଛି କରୁଥିଲେ ବା କହୁଥିଲେ, ତାହା ପଛରେ ସେମାନଙ୍କର ସତକୁ ସତ ଏକ ବିଶ୍ଵାସ ରହିଥିଲା । ଆଗାମୀ ନେତୃତ୍ଵ ଭିତରେ ମଧ୍ୟ ସେହି ବିଶ୍ଵାସଟି ଅତ୍ୟନ୍ତ ସହଜ ଭାବରେ ରହିଥିବା ଉଚିତ ।

 

ପରିବର୍ତ୍ତନ ନିମନ୍ତେ ଏକ ବଳିଷ୍ଠ ବିଶ୍ଵାସ,–ତାହାହିଁ ବର୍ତ୍ତମାନ ପରିସ୍ଥିତିରେ ଏକ ବିକଳ୍ପ ନେତୃତ୍ଵ ଯୋଗାଇ ଦେଇ ପାରିବ । ଶିକ୍ଷାରେ, ରାଜନୀତିରେ ତଥା ମନୁଷ୍ୟ–ସମ୍ବନ୍ଧରେ ଅଭିବୃଦ୍ଧିର ଯାବତୀୟ କ୍ଷେତ୍ରରେ ଯେଉଁମାନେ ଏହି ବିଶ୍ଵାସ ତଥା ତଜ୍ଜନିତ ସାହସ ଏବଂ ସାଧୁତାର ପ୍ରତିନିଧି ହୋଇ ବାହାରି ପାରିବେ, ସେହିମାନେ ହିଁ ବିକଳ୍ପ ହେବେ । ସେମାନେ ସତକୁ ସତ ତରୁଣ ହୋଇଥିବେ, ସତକୁ ସତ ଭବିଷ୍ୟତ ଭିତରକୁ ଦୁଆରଟିଏ ଫିଟାଇ ଦେବାଲାଗି ନିମିତ୍ତ ହୋଇ ବାହାରିଥିବେ । ସେମାନଙ୍କ ମଧ୍ୟରେ ଏକ ଅନମନୀୟ ସଂକଳ୍ପ–ଶକ୍ତି ରହିଥିବ ଓ ସେହି ସଂକଳ୍ପ ହିଁ ସେମାନଙ୍କୁ ବାଟ ଚଳାଇ ନେଉଥିବ । ଏକ ବୃହତ୍ତର ଆଦର୍ଶ ଲାଗି ନିଜକୁ ସତକୁ ସତ ସମର୍ପିତ କରି ରଖିବାଲାଗି ସେମାନେ ରାଜା ହୋଇଥିବେ । ସେହିମାନେ ହିଁ ବର୍ତ୍ତମାନର ବିଷ ହାଉଆକୁ ବଦଳାଇ ଦେଇପାରିବେ, ମଣିଷ ଭିତରେ ଏକ ନୂଆ ଆକାଙ୍‍କ୍ଷା ଆଣି ଦେଇପାରିବେ । ସେତେବେଳେ ଉପରୁ ଅନୁଗ୍ରହ ଦେଖାଇ ଉପର ତଳ ଉଭୟଟାକୁ ଭୀରୁ କରି ରଖିବାର ଆଦୌ କୌଣସି ଆବଶ୍ୟକତା ରହିବ ନାହିଁ । ଏହି ବିକଳ୍ପମାନେ ହିଁ ଅସଲ ବିରୋଧ କରିପାରିବେ । ସେମାନେ ପୁରାତନର ବିରୋଧ କରିପାରିବେ, ବୃଦ୍ଧତ୍ଵଗୁଡ଼ାକର ଯଥାର୍ଥ ବିରୋଧ କରିପାରିବେ । ଦେଶର ରାଜନୀତି ତେବେ ଯାଇ ତା’ର ଯଥାର୍ଥ ଧର୍ମର ଆୟତନ ମଧ୍ୟକୁ ଫେରିଆସି ପାରିବ ଏବଂ ତେଣୁ ସମ୍ମୁଖସ୍ଥ ଯଥାର୍ଥ ଆହ୍ଵାନଗୁଡ଼ିକୁ ଶୁଣି ପାରିବ । ଯଥାର୍ଥ ବିରୋଧୀ କେବଳ ସଭାଗୃହରେ ହିଁ ଆପଣାର ଯାବତୀୟ ବିରୋଧକୁ ସୀମାବଦ୍ଧ କରି ରଖିବନାହିଁ; ସିଏ ବାହାରେ ଏହି ବୃହତ୍ତର ଲୋକଜୀବନ ମଧ୍ୟରେ ବି ପୁରାତନ କପଟତା ଏବଂ ଶଠତାଗୁଡ଼ାକର ବିରୋଧ କରୁଥିବାର ପ୍ରତୀକ ହୋଇ ରହିବ । ସିଏ ଏକ ଅନ୍ୟ ଲାଳସାଗୁଡ଼ିକ ଦ୍ଵାରା ପ୍ରତାରିତ ହେବାକୁ ସିଏ କଦାପି ବାଟ ଛାଡ଼ି ଦେଉନଥିବା । ସେଇ ମଣିଷ ଆମ ଦେଶରେ ଏକ ନୂତନ ଅଭିକ୍ରମକୁ ସମ୍ଭବ କରି ପାରିବ, ବର୍ତ୍ତମାନର ଅବିଶ୍ଵାସ ଓ ଅବିବେକିତାଗୁଡ଼ିକୁ କେବଳ ସେହି ଅତିକ୍ରମ କରିଯାଇ ପାରିବ । ଚାଲ, ଆମେ ନିଜ ଭିତରେ ଏବଂ ପରସ୍ପର ମଧ୍ୟରେ ସେଇ ମଣିଷଟିକୁ ସତକୁ ସତ ଖୋଜି ବାହାରିବା ।

 

ପ୍ରଗତିବାଦୀ, ପ୍ରତିଷ୍ଠାଦିବସ ବିଶେଷାଙ୍କ,୧୯୮୭

Image

 

ଗାନ୍ଧୀ ଓ ବିନୋବା

 

ଗାନ୍ଧୀ ଏହି ଦେଶକୁ ଏକତାବଦ୍ଧ କରାଇଥିଲେ । ଇଂରେଜ–ଶାସନ ଭାରତବର୍ଷକୁ ଗୋଟିଏ ଶାସନର ଅଧୀନକୁ ଆଣିଥିଲା ସତ, ମାତ୍ର ମହାତ୍ମାଗାନ୍ଧୀ ହିଁ ପ୍ରଥମେ ଏଦେଶରେ ଏକତାର ଅନୁଭୂତି ଆଣିଦେଲେ । ସେ ଏ ଦେଶର ମଣିଷଙ୍କୁ ଏକାଠି ବାଟ ଚାଲିବାଲାଗି ମାର୍ଗ ଆଣିଦେଲେ । ମଣିଷ ପରି ସ୍ଵପ୍ନ ଦେଖିବାର ସାହସ ଆଣି ଦେଲେ । ଏ ଦେଶର ଆକୃତିକୁ ଏକ କରାଇଲେ । ପ୍ରାନ୍ତ, ଭାଷା ଓ ଆଚାରଗତ ସକଳ ଦୂରତା ସତ୍ତ୍ୱେ ଗାନ୍ଧିଜୀଙ୍କର ନେତୃତ୍ଵରେ ଭାରତବର୍ଷର ମଣିଷ ଏକତ୍ର ହୋଇ ଶିଖିଲା, ସ୍ଵତନ୍ତ୍ର ହେବାର ଆକାଙ୍‍କ୍ଷା ପୋଷଣ କଲା ଏବଂ ସେହି ଆକାଙ୍‍କ୍ଷାର ଆହ୍ଵାନ ମାନି ଆଗକୁ ଚାଲିଲା । ଗାନ୍ଧିଜୀଙ୍କର ନେତୃତ୍ଵରେ ଭାତରତବର୍ଷ ସ୍ଵାଧୀନ ହେଲା । ରାଜନୀତିକ ଶୃଙ୍ଖଳରୁ ମୁକ୍ତ ହେଲା । ଇତିହାସରେ ପ୍ରଥମ ଥରପାଇଁ ଭାରତବର୍ଷ ଗୋଟିଏ ଦେଶ ହିସାବରେ ଆତ୍ମନିର୍ମାଣ ଆଡ଼କୁ ପ୍ରଥମ ପାଦଟି ପକାଇଲା ।

 

ଭାରତବର୍ଷ ସ୍ଵାଧୀନ ହେଲା । କାଳକାଳର ଭୟ ଭାଙ୍ଗିଗଲା । ଭାଗ୍ୟବାଦୀ ଭାରତୀୟର ଭୟ ଭାଙ୍ଗିଗଲା । ଯାହା ଯେପରି ଅଛି, ତାହାକୁ ହିଁ ଅବଶ୍ୟମ୍ଭାବୀ ବୋଲି ମାନିନେବାର ଏକ ନିର୍ମମ ଭାଗ୍ୟବାଦୀ ବହୁବର୍ଷରୁ ଭାରତବର୍ଷକୁ ବଡ଼ କରି ରଖିଥିଲେ । ଯାହା ଅଛି, ସେଗୁଡ଼ାକୁ ଭଗବାନଙ୍କର ବରାଦ ବୋଲି ମାନିନେଇ ଭାରତବର୍ଷର ମଣିଷ ବଡ଼ କାକୁସ୍ଥଭାବେ ପଡ଼ି ରହିଥିଲା । ସମ୍ପନ୍ନ ପଡ଼ି ରହିଥିଲା, ଅସମ୍ପନ୍ନ ଓ ଅକିଞ୍ଚନ ମଧ୍ୟ ପଡ଼ିରହିଥିଲା । ଗାନ୍ଧୀ ଏ ଦେଶର ଅଶକ୍ତ ମଣିଷକୁ ଶକ୍ତିମାନ୍‍ କରାଇବାକୁ ଆସିଥିଲେ, ଅର୍ଥାତ୍ ତାକୁ ତାର ଆପଣ ଶକ୍ତିର ଅନୁଭୂତି ଦେବାକୁ ଆସିଥିଲେ । ଆପଣା ଶକ୍ତିର ପରିଚୟ ପାରିଲେ ମଣିଷ ଅଭୟ ଲାଭ କରେ । ସେ ଆପଣା ଭିତରେ ଭଗବାନଙ୍କର ଶକ୍ତିକୁ ଅନୁଭବ କରି ଶିଖେ । ଆପଣାକୁ ଓ ଆପଣାର ପରିବେଶକୁ ନୂତନ ପ୍ରକାରେ ଗଢ଼ିବା ଲାଗି ସେ ଆପଣାର ଭଗବଦ୍ ଭକ୍ତିରୁ ନୂଆ ପ୍ରେରଣା ପାଏ । ତାହାରି ଦ୍ଵାରା ପରିବର୍ତ୍ତନ ହୁଏ । ସେ ନିଜେ ବଦଳିଯାଏ, ତା’ର ସମାଜ ବଦଳିଯାଏ, ତା’ର ଯୁଗ ବଦଳିଯାଏ । ଏକ ଦେଶ ହିସାବରେ ଭାରତବର୍ଷ ଗାନ୍ଧୀଙ୍କଠାରୁ ହିଁ ପ୍ରଥମେ ଏହି ପାଠଟିକୁ ଶିଖିଲା । ଏକ ନୂତନ ଅଭୟର ଅନୁଭୂତି ପାଇଲା । ନୂତନ ବିଶ୍ୱାସରେ ନବଜନ୍ମ ଲାଭ କଲା ।

 

ରାଜନୀତିକ ସ୍ଵାଧୀନତା ଆସିଗଲେ ଯେ ସବୁକିଛି ଆସି ଯାଏ ନାହିଁ, ସ୍ଵାଧୀନତା ଆସିବା ପୂର୍ବରୁ ମଧ୍ୟ ଗାନ୍ଧୀ ଆମକୁ ଏ କଥା କହୁଥିଲେ । କେବଳ ଏକ ଶାସନଗତ ଗାଦି–ବଦଳ ଲାଗି ଯେଉଁମାନେ ଗାନ୍ଧୀ–ନେତୃତ୍ଵକୁ ଗୋଟିଏ ଉପଯୋଗୀ ଅସ୍ତ୍ରରୂପେ ଗ୍ରହଣ କରିଥିଲେ, ସ୍ଵାଧୀନ ଭାରତରେ କ୍ଷମତାରେ ବସିବା ପରେ ସେମାନେ ଆଗକୁ ଆଉକିଛି କରିବାକୁ ଅଛି ବୋଲି ଅନୁଭବ କଲେନାହିଁ । କେବଳ ରାଜନୀତିକ ବିପ୍ଳବରେ ହିଁ ଏମାନେ ବୁଢ଼ା ହୋଇଗଲେ । ସାମାଜିକ ଓ ଆର୍ଥିକ ବିପ୍ଳବଲାଗି ଆଉ ଏମାନଙ୍କର ସାହସ ହେଲନାହିଁ, ଆଖି ପାଇଲା ନାହିଁ । ଏମାନେ ମଣିଷକୁ ଛାଡ଼ି ଜାତିକୁ ଆଦର୍ଶ କରି ଧରିଲେ । ଭବିଷ୍ୟତ ଆଡ଼କୁ ଅନାଇବାର ଆହ୍ଵାନମାନ ଏଡ଼ିବା ପାଇଁ ଏମାନେ ଅତୀତକୁ ମୋଟ କରି ଦେଖାଇଲେ । ସେମାନେ ଏହାକୁ ହିଁ ଶାନ୍ତି ଓ ସୁରକ୍ଷା ବୋଲି କହିଲେ । କିନ୍ତୁ ଯେଉଁମାନେ ଏତିକିରେ ବୁଝିଲେ ନାହିଁ, ସେମାନେ ଏଗୁଡ଼ାକୁ ଆପ୍ତବାକ୍ୟ ବୋଲି ମାନିନେଲେ ନାହିଁ । ଜାତି କହିଲେ ସେମାନେ ମଣିଷକୁ ବୁଝିଲେ । ଦେଶ କହିଲେ କେବଳ ଦିଲ୍ଲୀକୁ ନ ବୁଝି କୋଟି କୋଟି ଦେଶବାସୀଙ୍କର ଭାଗ୍ୟକୁ ବୁଝିଲେ । ଏହି ଭାଗ୍ୟକୁ ସେମାନେ ମଣିଷର ଭାଗ୍ୟରୂପେ ଗଢ଼ିବାଲାଗି ମନ ବଳାଇଲେ । ଏଇଥିରୁ ନୂତନ ବାସନାର ଜନ୍ମ ହେଲା । ନୂତନ ଅସନ୍ତୋଷର ଜନ୍ମ ହେଲା । ନୂତନ ବିପ୍ଳବର ଜନ୍ମ ହେଲା । ବିନୋଦ ହେଉଛନ୍ତି ସେହି ନୂତନ ବାସନାର ପ୍ରତୀକ, ସେହି ନୂତନ ଅସନ୍ତୋଷର ପ୍ରତୀକ, ନୂତନ ବିପ୍ଳବର ପ୍ରତୀକ । ଏକାଧିକ ଦୃଷ୍ଟିରୁ ବିଚାର କଲେ ସିଏ ହେଉଛନ୍ତି ଏ ସବୁର ବଳିଷ୍ଠତମ ପ୍ରତୀକ-

 

ଏବର୍ଷ ଗାନ୍ଧୀଜନ୍ମର ଶହେବର୍ଷ ପୂରିଗଲା, ବିନୋବାଜୀଙ୍କୁ ପଞ୍ଚସ୍ତରି ବର୍ଷ ପଶିଲା । ଗାନ୍ଧୀ ଓ ବିନୋବୋ ଉଭୟଙ୍କର ବୟସ ମଧ୍ୟରେ ଏହିପରି ପଚିଶିବର୍ଷର ତଫାତ୍ ରହିଚି । ଭାରତ ସ୍ଵାଧୀନ ହେବା ପୂର୍ବରୁ ଗାନ୍ଧୀ ଶହେ କୋଡ଼ିଏ ବର୍ଷ ବଞ୍ଚି ରହିବାର ବାସନା ରଖିଥିଲେ । ସ୍ଵାଧୀନତା ପରେ ସେ ଆପଣାର ଏହି ବାସନାଟି ପରିତ୍ୟାଗ କରିଥିଲେ । ସ୍ଵାଧୀନତା ନାମରେ ଦେଶକୁ ଯାହା ଆସିଲା ଓ ସ୍ଵାଧୀନ ଭାରତର ରାଜନୈତିକ ନେତୃତ୍ଵରେ ମୂଳରୁ ଯେଉଁ ଦୁର୍ଲକ୍ଷଣମାନ ପ୍ରକାଶ ପାଇଲା, ଗାନ୍ଧୀ ସେଇଥିରେ ନିରାଶ ହୋଇ ପଡ଼ିଥିଲେ । ଦେଶ ଦୁଇବାଣ୍ଟ ହେଲା । ଗାନ୍ଧୀଙ୍କୁ ହତ୍ୟା କରାଗଲା । ତା’ପରେ ତାଙ୍କୁ ପୂଜା କରାଗଲା । ମହାତ୍ମାମାନଙ୍କୁ ନେଇ ମୂଢ଼ କ୍ଷମତାଧୀଶମାନେ ସଚରାଚର ଯେପରି କରିଛନ୍ତି, ଏ ଦେଶରେ ଅନେକାଂଶରେ ତାହାରି ପୁନରାବୃତ୍ତି ହେଲା । ଗାନ୍ଧୀ–ପ୍ରେରଣାରେ ନୂତନ ବ୍ୟଞ୍ଜନା ଓ ନୂତନ ଆବଶ୍ୟକତାବୋଧ ଦେଇ ବିନୋବା ଆମକୁ ଅସମାପ୍ତ କର୍ତ୍ତବ୍ୟକୁ ସଂପୂର୍ଣ୍ଣ କରିବାଲାଗି ଆହ୍ଵାନ ଦେଲେ । ଏଠି ଅସମାପ୍ତ ରହି ଯାଇଥିବା ବିପ୍ଳବଗୁଡ଼ିକୁ ସମ୍ଭବ କରିବା ଲାଗି ସେ ଆମର ସହଯୋଗ ମାଗିଲେ । ଦେଶରେ ନୂତନ ଶ୍ରେୟର ଯୋଜନା ହେଲା, ନୂତନ ଅଭିକ୍ରମର ବାତ୍ୟା ବୋହିଲା ।

 

ଆଜି ସ୍ଵାଧୀନ ଭାରତରେ ଏକାଧିକ ରାଜନୀତିକ ଦଳ ଅଛନ୍ତି, ଯେଉଁମାନେ କି ସାମାଜିକ ଓ ଆର୍ଥିକ ବିପ୍ଳବ ଚାହୁଁଛନ୍ତି । ଆପଣ ଆପଣାର ସ୍ଵକୀୟ ଆଦର୍ଶ ଅନୁସାରେ ଓ ସ୍ଵକୀୟ ବାଟରେ ସେମାନେ ଏହା ଚାହୁଁଛନ୍ତି । ଏହି ବିପ୍ଳବମାନ ସମ୍ଭବ କରାଇବାକୁ ସେମାନେ ଆଗ ଆପଣା ଲାଗି କ୍ଷମତା ଚାହୁଁଛନ୍ତି । ନିଜ ଦଳ ହାତକୁ କ୍ଷମତା ଆସିଲେ ହିଁ ବିପ୍ଳବ ଆସିଯିବ ବୋଲି ସେମାନେ ବିଶ୍ଵାସ କରୁଛନ୍ତି । ବିନୋବାଜୀଙ୍କର ନୂତନ କାର୍ଯ୍ୟକ୍ରମରେ କ୍ଷମତା ହାସଲ କରିବାର କୌଣସି ପରିସ୍ପର୍ଦ୍ଧା ନାହିଁ । କୌଣସି ଗୋଟାଏ ଦଳ ହାତକୁ କ୍ଷମତା ଆସିଲେ ଆମର ଇପ୍‍ସିତ ବିପ୍ଳବ ସମ୍ଭବ ହୋଇଯିବ ବୋଲି ଏହି କାର୍ଯ୍ୟକ୍ରମ ମୋତେ ବିଶ୍ଵାସ କରେ ନାହିଁ । ଲୋକାଜୀବନର ଉଦୟ ଲାଗି ଏହା ଲୋକଶକ୍ତି ଜାଗୃତ କରାଇବାକୁ ହିଁ ଯଥାର୍ଥତମ ସାଧନ ବୋଲି ମାନେ । ସର୍ବୋଦୟ କହିଲେ ଆଧୁନିକ ଜୀବନ କ୍ଷେତ୍ରରୁ ପଳାଇ ଯିବାକୁ ଚାହୁଁଥିବା ଏକ ପ୍ରାକ୍ ଐତିହାସିକ ଝୁଙ୍କକୁ ବୁଝାଏ ନାହିଁ । ସମାଜର ପ୍ରତ୍ୟେକ ମଣିଷ ଲାଗି ମଣିଷର ଅଧିକାର ଦାବୀ କରିବାକୁ ଓ ସେଥିଲାଗି ସଂଗ୍ରାମ କରିବାକୁ ବୁଝାଏ ।

 

କ୍ରାନ୍ତଦର୍ଶନରେ ତିନୋଟି ଲକ୍ଷଣ ଭିତରୁ ବିନୋବା ଅନ୍ୟାୟର ପ୍ରତିକାର କରିବାର ବ୍ରତ ନେବାକୁ ମଧ୍ୟ ଗୋଟିଏ ବୋଲି ମାନିଚନ୍ତି । ରାଜନୀତିକ, ସାମାଜିକ, ଓ ଆର୍ଥିକ ନାନାବିଧ ଅନ୍ୟାୟ ଆଜି ମଣିଷର ବାଟ ଓଗାଳି ରହିଛି । ଅନ୍ୟାନ୍ୟ କେତେ ଖଣ୍ଡ-ଅନୁରକ୍ତିର ବଶବର୍ତ୍ତୀ ହୋଇ ଆମେ ମଣିଷ ମଣିଷ ଭିତରେ ରହିଥିବା ଭେଦଗୁଡ଼ିକୁ ବେଶ୍‍ ସହିଯାଉଚୁ । ମଣିଷକୁ ଗୌଣ କରି ରଖୁଚୁ । ଏହି ଭେଦଗୁଡ଼ାକର ସହନ ହେବା ଉଚିତ ନୁହେଁ ବୋଲି ବିନୋବା ଆମକୁ ଉଦବୋଧନ ଦେଉଛନ୍ତି-। ଏହି ପ୍ରସଙ୍ଗରେ ସେ ଆମ ପାରମ୍ପାରିକ ଧର୍ମ-ସଂଜ୍ଞାରେ ଏକ ବୈପ୍ଳବିକ ଆଲୋଡ଼ନ ଆଣି ଦେଇଛନ୍ତି । ଆଗେ ଧର୍ମ କହିଲେ କେବଳ କେତେକ ସମ୍ପନ୍ନ ମଣିଷଙ୍କର ପୁଣ୍ୟଫଳ ଭୋଗିବାର ଏକ ବ୍ୟକ୍ତିଗତ ଅବସରକୁ ବୁଝାଉଥିଲା । ସମାଧି ବୋଇଲେ ଏକ ବ୍ୟକ୍ତିଗତ ଉପଲବ୍‍ଧିକୁ ବୁଝାଉଥିଲେ । ବିନୋବା ଏବେ ‘ସାମାଜିକ ସମାଧି’ର ଚର୍ଚ୍ଚା କରି ବସିଲେଣି । ଆଜି ବ୍ୟକ୍ତିଗତ ସମାଧିରେ କାମ ଚଳିବ ନାହିଁ । ସମସ୍ତ ସମାଜ ବିକାରରୁ ମୁକ୍ତ ହେବ, ଅହନ୍ତା-ମମତାକୁ ମୁକ୍ତ ହେବ, ସକଳ ସକିର୍ଣ୍ଣତାରୁ ମୁକ୍ତ ହେବ । ନହିଲେ ଏହି ବିଜ୍ଞାନ-ଯୁଗରେ ଆମେ କଦାପି ତିଷ୍ଠି ପାରିବା ନାହିଁ ବୋଲି ବିନୋବା କହୁଛନ୍ତି । ସମଗ୍ର ମାନବସମାଜରେ ହିଁ ସେ ଭଗବାନଙ୍କର ମୂର୍ତ୍ତିକୁ ଅନୁଭବ କରିବା ଲାଗି ଆହ୍ଵାନ ଦେଇଛନ୍ତି । ତାଂକ ମତରେ ‘ଏହି ମାନବ-ଦେବତାକୁ ଭୋଗ ମିଳୁଚି କି ନାହିଁ; ସେକଥା ଦେଖିବାକୁ ପଡ଼ିବ । ସର୍ବୋଦୟରେ ଭକ୍ତିର ରୂପାନ୍ତରିତ ହେବ-।’

 

ଆସନ୍ତା ବର୍ଷ ଲେନିନ୍-ଜନ୍ମର ଶହେବର୍ଷ ପୂରିବ । ଗତ ଶତାବ୍ଦୀରେ ପୁଞ୍ଜିବାଦୀ ଶୋଷଣଧର୍ମୀ ସଭ୍ୟତାର ସର୍ବହରା ମଣିଷକୁ କାର୍ଲ ମାର୍କସ୍ ଯେଉଁ ନୂତନ ବିଚାର ସଞ୍ଜିବନୀ ଶୁଣାଇଥିଲେ, ଲେନିନ୍ ଗୋଟିଏ ଦେଶରେ ତାହାକୁ ହିଁ କାର୍ଯ୍ୟରେ ପରିଣତ କରିବାଲାଗି ନେତୃତ୍ଵ ଦେଇଥିଲେ । ପରାଧୀନ ଭାରତରେ ମହାତ୍ମାଗାନ୍ଧୀ ଯେଉଁ ଜୀବନସ୍ୟଗୁଡ଼ିକର ପ୍ରୟୋଗ କରିଥିଲେ, ଆଜି ଜାତୀୟ ବିପ୍ଳବର ଦ୍ଵିତୀୟ ସୋପାନରେ ବିନୋବା ସେହି ସତ୍ୟଗୁଡ଼ିକୁ ହିଁ ଆମଲାଗି ଉତ୍ତୋଳିତ କରି ଧରି ରଖିଚନ୍ତି । ବିଜ୍ଞାନର ଶକ୍ତି ବଳରେ କ୍ରମେ କ୍ଷୁଦ୍ର ହୋଇ ଆସୁଥିବା ପୃଥିବୀର ସିଏ ଏକ ଆହ୍ଵାନ ହୋଇ ରହିବାକୁ ଯାଉଛନ୍ତି । ବିନୋବାଜୀଙ୍କର ନେତୃତ୍ଵ ଗାନ୍ଧୀପ୍ରେରଣାକୁ ଏକ ବିଶ୍ଵପ୍ରେରଣାରେ ପରିଣତ କରିଛି ।

 

ଗାନ୍ଧିଜୀଙ୍କର ସମ୍ପର୍କରେ ଆସି ନଥିଲେ ବିନୋବା ହୁଏତ ସନ୍ନ୍ୟାସୀ ହୋଇଥାନ୍ତେ । ମହାପଣ୍ଡିତ ବୋଲାଇଥାନ୍ତେ ଏବଂ ବିନୋବା ନଥିଲେ ସ୍ଵାଧୀନତା ପରେ ଗାନ୍ଧୀ-ବିଚାର ଓ ଗାନ୍ଧୀ-ଆଗ୍ରହ ପେଡ଼ିଲୁଗା ହୋଇ ରହିଥାନ୍ତା । ସ୍ଵୟଂ ଗାନ୍ଧୀ ପିତୁଳା ଭିତରେ ବେଡ଼ୀ ପଡ଼ି ରହିଥାନ୍ତେ । ଅତୀତର ଇତିହାସରେ କେବଳ ଜଣେ ଆଲୌକିକ ଅତିରେକ ହୋଇ ରହି ଯାଇଥାନ୍ତେ ।

 

ଗ୍ରାମସେବକ, ୩୦/୯/୬୯

Image

 

ଅନାବନା ରଚନା

ସତ୍ୟାଗ୍ରହ ଏକମାତ୍ର ରାଜନୀତି

 

ରାଜନୀତି ଭାରତବର୍ଷରେ କୁଳଚ୍ୟୁତମାନଂକ ହାତରେ ପଡ଼ି କାଳକ୍ରମେ ଯେପରି ଆମ ସମସ୍ତଙ୍କ ଲାଗି ପ୍ରାୟ ଏକ କାଳ ଏବଂ କଳଙ୍କ ହେବାକୁ ବସିଲାଣି, ଏହିପରି ଏକ ପରିସ୍ଥିତି ସମୟରେ ସତ୍ୟାଗ୍ରହକୁ ହିଁ ସକଳ ରାଜନୀତିର ଅସଲ ପରଖପଥର ରୂପେ ଗ୍ରହଣ କରି ନିଆଯାଇ ପାରିବା ଉଚିତ । ଏକଦା ମହାତ୍ମାଗାନ୍ଧୀ ସତ୍ୟାଗ୍ରହକୁ ହିଁ ରାଜନୀତିକ ପ୍ରେରଣାର ସର୍ବମୂଳ ଭୂମିରୂପେ ଗ୍ରହଣ କରି କେବଳ ଭାରତବର୍ଷରେ ନୁହେଁ, ସମଗ୍ର ପୃଥିବୀରେ ରାଜନୀତିରେ ଏକ ଅଭିନବ ପରମ୍ପରା ସୃଷ୍ଟି କରିଥିଲେ । ଯେଉଁ ମିଥ୍ୟାଚାରୀ ଏବଂ ମିଥ୍ୟାକାମୀମାନେ ଆଜି ଭାରତବର୍ଷରେ ରାଜନୀତିର ସ୍ଵୟଂବରସଭାରେ ବାଣାସୁର ଓ ବିରୁପାକ୍ଷମାନଂକର ଭୂମିକା ପିନ୍ଧି ବସିଛନ୍ତି, ସତ୍ୟାଗ୍ରହ ସେମାନଂକ ପାଇଁ ମୋଟେ ନୁହେଁ । ସତ୍ୟାଗ୍ରହ ଭୀରୁମାନଂକ ପାଇଁ ମୋଟେ ନୁହେଁ । ଯେଉଁ କଂସାସୁରମାନେ ମହାତ୍ମା ଗାନ୍ଧୀଙ୍କୁ ଜାତିର ଜନକ ବୋଲି କହି ତାଂକରି କର୍ମଭୂମି ଏହି ଭାରତବର୍ଷଟାକୁ ଗୋଟାଏ ତୁଚ୍ଛା ଖଣ୍ଟକଟକରେ ପରିଣତ କରି ସାରିଲେଣି, ସତ୍ୟାଗ୍ରହ କହିଲେ ସେମାନେ ହୁଏତ କୌଣସି ଏକ ଭୂତକୁ ବୁଝୁଥିବେ । ଯେଉଁ ତଥାକଥିତ ଗାନ୍ଧୀବାଦୀମାନେ ନାନା ତାତ୍କାଳିକ ଭୀରୁତାର ବଶବର୍ତ୍ତୀ ହୋଇ ସ୍ଵାଧୀନ ଭାରତରେ ବହୁ ଉପସ୍ଥିତ ଆହ୍ଵାନକୁ କେବଳ ଟାଳିଦେଇ ଆସିଲେ ଏବଂ ଏକ ନିରାମିଷ ନିଷ୍କ୍ରିୟ ନୈତିକତାକୁ ହିଁ ଏହି ଦେଶରେ ଗାନ୍ଧୀବାଟ ବୋଲି ଚଳାଇନେଲେ, ସେମାନଂକର ଭଣ୍ଡାର ଭିତରେ ମଧ୍ୟ ଆମେ ସତ୍ୟାଗ୍ରହକୁ ଖୋଜି ପାଇବାନାହିଁ । ଏବଂ, ଯେଉଁ ସଂଗ୍ରାମୀମାନେ, ସଂଗ୍ରାମ ନସରିଥିଲେ ମଧ୍ୟ ସିଆଣିଆ ରାଷ୍ଟ୍ରଶାସକମାନଂକର ପ୍ରବର୍ତ୍ତନାରେ ପଡ଼ି ସଂଗ୍ରାମ ସରିଗଲା ବୋଲି ଦେଶଟାଯାକ ହୁଲିଆ କରିଦେଲେ ଓ ମାସିକ ସଲାମୀ ପାଇଁ ମୁହଁ ବାନ୍ଧି ରହିଗଲେ, ସେମାନଂକ ବସ୍ତାନୀ ଭିତରେ କେତେ ଅନ୍ୟ କାମନା ଓ ଅନ୍ୟ ଅସମର୍ଥତାର ଅସରପାମାନେ ପଶି ସତ୍ୟାଗ୍ରହ ନାମକ ଶବ୍ଦଟିକୁ ସୌଭାଗ୍ୟବଶତଃ ଖାଇ ଉଡ଼ାଇ ଦେଇ ସାରିଲେଣି ।

 

ଆଜି ଆମ ଦେଶରେ ରାଜନୀତି ପଛରେ ସତକୁ ସତ କୌଣସି ରାଜନୀତି ହିଁ ନାହିଁ । ରାଜନୀତି ପଛରେ କୌଣସି ରାଜନୀତି ଅଥବା ସାମାଜିକ ଆଦର୍ଶ ଥିବା ତ ଦୂରର କଥା, କୌଣସି ରାଜନୀତିକ ପ୍ରତ୍ୟୟ ମଧ୍ୟ ନାହିଁ । ସେମାନଂକର ନାହିଁ କିମ୍ବା ନୀତମାନଂକର ବି ନାହିଁ । ଯେଉଁମାନେ କ୍ଷମତା ଭିତରେ ଅଛନ୍ତି, ସେମାନଙ୍କ ଭିତରେ ନାହିଁ ବା, ଯେଉଁମାନେ କ୍ଷମତାର ବାହାରେ ଅଛନ୍ତି, ସେମାନଂକ ଭିତରେ ମଧ୍ୟ ନାହିଁ । ସେମାନଂକ ପାଖରେ ପଇସା ଅଛି,–ମାମଲତକାରମାନେ ଅଛନ୍ତି । କେନ୍ଦ୍ରୀୟଠାରୁ ଆରମ୍ଭ କରି ସ୍ଥାନୀୟ ସ୍ତରଯାଏ ପେଣ୍ଠଗୁଡ଼ାକ ରହିଛି-। ସ୍ଵାଧୀନ ଭାରତରେ ପଇସା ଏତେ ବୃଦ୍ଧି ପାଇଛି ଓ ଏପରି ଶସ୍ତା ହୋଇ ଯାଇଛି ଯେ, ବଡ଼ ଗୁଣ୍ଡାମାନେ ସାନ ଓ ଅବର ଯେକୌଣସି ମଣିଷକୁ ପଇସା ଦେଇ କିଣି ଆଣିପାରିବେ ବୋଲି କୋଉଦିନୁ ଆରମ୍ଭ କଲେଣି । ରାଜନୀତିକ ସଭାମାନଂକରେ ଆଉ ରାଜନୀତିକୁ ନେଇ ବିତର୍କ କିମ୍ବା ବିବାଦ ହେଉନାହିଁ । ସେମାନଙ୍କ ଭିତରୁ ପାଠ କାହାର ମନେ ଅଛି ଯେ ବିତର୍କ ସକାଶେ ବିବେକ କହିବ କିମ୍ବା ବୁଦ୍ଧି ଜୁଟିବ ? ଏପରିକି ବିଧାନସଭାମାନଂକରେ, ଯୋଉଠି ଆମ ପ୍ରତିନିଧୀମାନେ କେଡ଼େ ଗରୁ ହୋଇ ବସିଛନ୍ତି, ସେଠାରେ ମଧ୍ୟ ଆଉ ରାଜନୀତିରେ ମୋଟେ କଥାବାର୍ତ୍ତା ହେଉନାହିଁ । ଅପର ପକ୍ଷକୁ ନିଜ ପକ୍ଷର ମତଟିକୁ ବୁଝାଇ ପାରିବାର ସାମର୍ଥ୍ୟ ମଧ୍ୟ କାହାରିହେଲେ ନାହିଁ । ତେଣୁ ଧସ୍ତାଧସ୍ତି ଚାଲିଛି, ମରାମରି ଚାଲିଛି, ଏକ ଆରେକକୁ ଗାଳି ଦେଉଛି, ଇଏ ତା’ର କୂଅଗୁଡ଼ାକୁ ଉଝୁଳାଇ ଦେଉଛି,–ରସିକପଣ ଦେଖାଇ ଏବେ ଏହି କଥାଗୁଡ଼ାକୁ କବିତାରେ ମଧ୍ୟ କୁହାହେଲାଣି । ଗଣତନ୍ତ୍ରକୁ ଆମର ସାଆନ୍ତ ଛୁଆମାନେ ନୀତି ଧର୍ଷଣ କରୁଛନ୍ତି ।

 

ଆଗେ ରାଜନୀତିରେ ସତକୁ ସତ ପଶିବା ପାଇଁ ଜୀବନରେ ଏକ ନିଷ୍ପତ୍ତି ନେବାକୁ ହେଉଥିଲା । ସେଇଥିଲାଗି, କୌଣସି ନିର୍ଦ୍ଦିଷ୍ଟ ଏକ ରାଜନୀତିକ ଦଳରେ ଯୋଗ ଦେଉଥିବା ପଛରେ ପ୍ରତ୍ୟେକ ବ୍ୟକ୍ତିର ଏକ ପ୍ରତ୍ୟୟ ରହିଥିଲା । ସିଏ ଯଥା ଶକ୍ତି ସେହି ପ୍ରତ୍ୟୟ ଅନୁସାରେ ବଞ୍ଚିବାକୁ ଚେଷ୍ଟା ମଧ୍ୟ କରୁଥିଲା । ପ୍ରତ୍ୟୟଗୁଡ଼ିକର ସମ୍ମୁଖରେ ଏକ ସ୍ଵପ୍ନ ମଧ୍ୟ ରହିଥିଲା । ଏବଂ ସବୁଠାରୁ ବଡ଼ କଥାଟି ହେଉଛି, ସେହି ସ୍ଵପ୍ନ କେବଳ ଏକ ବ୍ୟକ୍ତିଗତ ଲାଳସ୍ୟ ବା ଲୋଲୁପତା ଦ୍ଵାରା କେବେ ପ୍ରେରିତ ଅର୍ଥାତ୍ ପ୍ରଚାରିତ ହେଉନଥିଲା । ସ୍ଵପ୍ନ ଦେଶପାଇଁ ଥିଲା, ଚାରିପାଖରେ ମଣିଷମାନଂକୁ ନେଇ ସେହି ସ୍ଵପ୍ନ ଏକ ନିର୍ଦ୍ଦିଷ୍ଟ ସାକରତା ଲାଭ କରୁଥିଲା ଏବଂ ସମ୍ମୁଖରେ ରହି ଆଗକୁ ଆଗକୁ ବାଟ କଢ଼ାଇ ନେଉଥିଲା । ସେତେବେଳେ ମଧ୍ୟ ନେତାମାନେ ଥିଲେ, ନୀତମାନେ ରହିଥିଲେ । ମାତ୍ର ଭାଣ୍ଡ ବୋଲି କେହି ନଥିଲେ । ତେଣୁ କେବେ ଜଦପା କୌଣସି ଭାଣ୍ଡ ଅଥବା ଦୁଷ୍ଟ ଅନ୍ୟ କୌଣସି ମତଲବ ନେଇ ଘର ଭିତରେ ପଶିବା ମାତ୍ରକେ ତାହା ଭାରି ଧରା ପଡ଼ି ଯାଉଥିଲା । ପକ୍ଷ ଥିଲେ, ବିପକ୍ଷ ଥିଲେ; ଡାହାଣ ଥିଲେ, ବାମ ମଧ୍ୟ ଥିଲେ । ତଥାପି ଭଦ୍ର ଥିଲେ; ଅର୍ଥାତ୍ ଆପଣାର ସ୍ଵପ୍ନ ତଥା ପ୍ରତ୍ୟୟଗୁଡ଼ିକ ସହିତ ବାଟ ଚାଲୁଥିଲେ, ଏକ ପ୍ରତ୍ୟୟ ଅନୁସାରେ ବଞ୍ଚିବାକୁ ଇଜ୍ଜତ ବୋଲି ଅନୁଭବ କରୁଥିଲେ । ସେତେବେଳେ ଆମ ରାଜନୀତି ଭିତରେ ସେହି ପ୍ରତ୍ୟୟ ଏବଂ ଇଜ୍ଜତ ଅଧିକାଂଶ ସ୍ଥଳରେ ପ୍ରାୟ ଦୃଶ୍ୟମାନ ହୋଇ ରହିଥିଲେ ବୋଲି ନେତାଙ୍କ ଭିତରୁ ଆଉ ଜଣଙ୍କଠାରୁ ଅଲଗା କରି ବାଛି ହେଉଥିଲା, ବୁଝି ମଧ୍ୟ ହେଉଥିଲେ । ରାଜନୀତି ଭିତରେ ପ୍ରବେଶ କରିବାର ନିଷ୍ପତ୍ତି ଆପଣାର ଜୀବନରେ କୌଣସି ନିର୍ଦ୍ଦିଷ୍ଟ ବାଟଟିଏ ବାଛିନେବାର ସମବାଚୀ ହୋଇ ରହିଥିଲା ।

 

ଏବେ ରାଜନୀତିକ ଦଳମାନେ କେଡ଼େ କେଡ଼େ ଦିଶିଲେଣି । ସେମାନଂକର ତହବିଲଗୁଡ଼ାକ ମଧ୍ୟ କେତେ ଗୁଣ ହୋଇ କେତେ ବଡ଼ ଦିଶିଲାଣି । ମାମଲତମାନେ ସମ୍ଭାଳିବାକୁ ଏକାବେଳେକେ ପାଞ୍ଚ ପାଞ୍ଚ ଜଣ ଗୁମାସ୍ତା ରହିଲେଣି । ଦଳଗୁଡ଼ାକରେ ମହିଳା ଶାଖା ହେଲାଣି । ଛାତ୍ରମାନଂକ ଲାଗି ଏକ ସ୍ଵତନ୍ତ୍ର ଶାଖା ରହିଲାଣି । ଆଉ ଏକ ଅଲଗା ମହଲାକୁ ଯୁବଶାଖା ବୋଲି କୁହାଯାଇଛି । ତା’ ବାହାରେ ଶ୍ରମିକ ଶାଖା ଓ କୃଷକ ଶାଖା ଆଦି ଆହୁରି କେତେ କ’ଣ ରହିଛି । ଏହି ପ୍ରତ୍ୟେକ ଶାଖାରେ ହିରୋ ଓ ହିରୋଇନମାନେ ରହିଛନ୍ତି । ସ୍ଥାନୀୟ ବରକନ୍ଦାଜମାନେ ଅଛନ୍ତି, ଏକାବେଳେକେ ସର୍ବ ଭାରତୀୟ ବରକନ୍ଦାଜମାନେ ଅଛନ୍ତି । କିନ୍ତୁ କାହାରି ପାଖରେ ରାଜନୀତିକ ପ୍ରତ୍ୟୟ ବୋଲି ପଦେ ପଦାର୍ଥ ମଧ୍ୟ ନାହିଁ । ସ୍ଵପ୍ନ ରହିଛି, ମାତ୍ର ତାହାକୁ ଦେଶ ବିଷୟରେ, ଆଦୌ କୌଣସି ସ୍ଵପ୍ନ ବୋଲି କହିବ ନାହିଁ । ଆପଣା ଆପଣାର ଫୁଲେଇ ସ୍ଵାର୍ଥ ଓ ମତଲବଗୁଡ଼ାକୁ ନେଇ ଏଗୁଡ଼ାକ ଭିତରେ କେତେ କିଏ ଆସି ରୁଣ୍ଡ ହୋଇଛନ୍ତି । ଭୀଷ୍ମମାନଙ୍କୁ ବଞ୍ଚିତ କରି ସାନ୍ତନୁମାନେ ବସୁନ୍ଧରାର ସକଳ ସମ୍ଭୋଗକୁ ଆପେ ଭୁଞ୍ଜିବାର ସ୍ଵପ୍ନ ଦେଖୁଛନ୍ତି । ଆପଣା ଭିତରୁ ଆପେ ଚିତ୍ରବୀର୍ଯ୍ୟ ଓ ବିଚିତ୍ରବୀର୍ଯ୍ୟ ହୋଇ ବାହାରିବାର କାମୁଳ ଭାରଣ୍ଡ ସ୍ଵପ୍ନମାନ ଦେଖିବାରେ ଲାଗିଛନ୍ତି । ସେମାନେ ସମସ୍ତେ ସେଥିଲାଗି ପଇସା ପାଉଛନ୍ତି । ଉପରୁ ବହୁ ଅଦୃଶ୍ୟ ବଦାନ୍ୟ ଅସୁର ହସ୍ତରୁ ପଇସାଗୁଡ଼ାକ ଅଜାଡ଼ି ହୋଇ ପଡ଼ୁଛି । ପଇସାକୁ ଯେ ଉପାର୍ଜନ କରାଯାଏ, ଉପାର୍ଜନ ପାଇଁ ଯେ ଯୋଗ୍ୟ ହେବାକୁ ହୁଏ ଓ ଆୟାସ କରିବାକୁ ପଡ଼େ, ଆମ ରାଜନୀତି ଆମକୁ ସେହି ପୁରାତନ ଓଲମା ବିଶ୍ଵାସ ଭିତରୁ କେଉଁଦିନୁ ମୁକ୍ତ କରି ଆଣି ସାରିଲାଣି । ଯଦି ତୁମେ ଭିତରୁ ତୁମେ ବିବେକର ଯାବତୀୟ ମନକୁ ଦୂର କରି ଉପରୁ ଆସୁଥିବା ଛୋକାରିଆ ବୋଲଗୁଡ଼ାକୁ ପ୍ରଭୁଭକ୍ତ ଚଣ୍ଡ ଓ ମୁଣ୍ଡଙ୍କ ପରି ମାନିପାରିବ, ତେବେ ପଇସା ତୁମ ପାଖକୁ ଆପେ ଆସିବ । ପଇସା ଅନେକ ରହିଛି, ତୁମେ ଖାଲି କ୍ରୀଡ଼ାନକ ହେବାକୁ ଅର୍ଥାତ୍ ଇଜ୍ଜତ ବିକିବାକୁ ରାଜୀ ଥିଲେ ହେଲା । ଆମ କଲେଜମାନଂକରେ ଏହିପରି ମଙ୍ଗିଯାଇ ପାରିଲେ ଗୁଣ୍ଡା ହେବାକୁ ଏବେ ସେହିପରି କେତେ ପଇସା ମିଳିଲାଣି । ଏହି ଦେଶରେ ଭବିଷ୍ୟତର ଜଣେ ଚେତନାଯୁକ୍ତ ମଣିଷ ହେବା ନିମନ୍ତେ ଆପଣାର ନିର୍ମୀୟମାଣ ବୟସରେ ଯେଉଁ ରାଜନୀତିକ ତଥା ସଂବେଦନାଗତ ମୂଳଦୁଆଟି ଅବଶ୍ୟ ପଡ଼ି ପାରିବା ଉଚିତ୍‍, ପଇସା ରୂପକ ପାଷାଣ୍ଡ ସେହି ରୀତିଟିକୁ, ସେହି ସ୍ୱାସ୍ଥ୍ୟଟିକୁ କୋଉଦିନୁ ନଷ୍ଟ କରିଦେଇ ସାରିଲାଣି । ଆମ କଲେଜମାନଂକରେ ଅଧ୍ୟକ୍ଷ ଓ ଅଧ୍ୟାପକମାନଂକ ପରି ପିଲାଏ ମଧ୍ୟ କୋଉକାଳୁ ଲଟାରେ ଯାଇ ପଶିଲେଣି । ସାଆନ୍ତମାନଙ୍କର କାମ ଘରେ ଆପଣାର ଇଜ୍ଜତକୁ ଗୋତିକରି ରଖି ସାରିଲେଣି । କେଡ଼େ ସଫଳ ପରି ଦିଶିଲେଣି ।

 

ସତ୍ୟାଗ୍ରହ କହିଲେ କେବଳ ଅସନ୍ତୋଷର ଏକ ପ୍ରଦର୍ଶନଧର୍ମୀ କସରତକୁ ମୋଟେ ବୁଝାଏ ନାହିଁ, କେବଳ ଏକ ନକାରାତ୍ମକ ପ୍ରତିବାଦକୁ ମଧ୍ୟ ବୁଝାଏନାହିଁ । ତାହା ଏପରି ଏକ ମୂଳଭୂତ ଆଗ୍ରହକୁ ବୁଝାଏ, ଯାହାକି ସତକୁ ସତ ଏକ ପ୍ରତ୍ୟୟ ଉପରେ ଛିଡ଼ା ହୋଇ ରହିଥାଏ, ସତକୁ ସତ ଏକ ସ୍ଵପ୍ନକୁ ସମ୍ମୁଖରେ ରଖି ବାଟ ଚାଲୁଥାଏ । ଏକ ଅନ୍ୟ ପରିମଳର ସ୍ଵପ୍ନ, ଅନ୍ୟ ପାରସ୍ପରିକତାର ସ୍ଵପ୍ନ, ଏକ ଅନ୍ୟ ସମ୍ଭାବନାର ସ୍ଵପ୍ନ । ଏହି ସ୍ଵପ୍ନ ଦେଖିବାକୁ ହେଲେ ସବାଆଗ ଆପଣା ଭିତରେ ଭୀରୁହୋଇ ରହିବାର ଯାବତୀୟ ଆକର୍ଷଣ ତଥା ପ୍ରଲୋଭନକୁ ପରିହାର କରିବାକୁ ହୁଏ । ବାଧ୍ୟ ହୋଇ ନୁହେଁ, ଭାବପ୍ରବଣ ହୋଇ ନୁହେଁ, କୌଣସି ବ୍ୟକ୍ତିଗତ ଆତୁରତା ଅଥବା ଆର୍ତ୍ତତାର ଭଣ୍ଡାମିଦ୍ଵାରା ପ୍ରେରିତ ହୋଇ ନୁହେଁ, ସଂପୂର୍ଣ୍ଣ ସ୍ଵେଚ୍ଛାକୃତ ଭାବରେ ପରିହାର କରିବାକୁ ପଡ଼େ । ଆପଣା ଭିତରେ ଏପରି ଏକ ଦୃଢ଼ ବିଶ୍ଵାସ ରହିଥାଏ, ଯାହାକି ଏହି ପରିହାରର ପ୍ରକ୍ରିୟାଟିକୁ ଭାରି ସହଜ କରି ଦେଉଥାଏ, ଅତ୍ୟନ୍ତ ସ୍ଵାଭାବିକ ଭାବରେ ଆବଶ୍ୟକ ବଳ ଓ ଆଗ୍ରହଟିକୁ ଆଣି ଦେଇ ଯାଉଥାଏ । ଅସତ୍ୟର ପ୍ରତିବାଦ କରିବା ସତ୍ୟାଗ୍ରହୀର ଅସଲ ସ୍ଵଭାବ ନୁହେଁ, ଏକ ନିର୍ବାଚିତ ଓ ଅନୁଭୂତ ସତ୍ୟ ଅନୁସାରେ ଜୀବନ ବଞ୍ଚିବା,–ଯାବତୀୟ ପ୍ରତିକୂଳତା ଏବଂ ପ୍ରତିବନ୍ଧକ ସତ୍ତ୍ୱେ ସେହି ଜୀବନଟିକୁ ବଞ୍ଚିବାଲାଗି ସତତ ଚେଷ୍ଟା କରିବା ହେଉଛି ଅସଲ ସତ୍ୟାଗ୍ରାହୀର ସନ୍ତକ । ପାଦତଳର ଯେଉଁ ଅସଲ ଭୂଇଁଟି ଉପରେ ଜଣେ ସତ୍ୟାଗ୍ରହୀ ସବୁଠାରୁ ଅଧିକ ନିର୍ଭର କରି ବାଟ ଚାଲୁଥାଏ, ତାହାର ନାମ ହେଉଛି ଶ୍ରଦ୍ଧା । ଜଣେ ଶ୍ରଦ୍ଧାଳୁ ମଣିଷ ହିଁ ଯଥାର୍ଥରେ ସାହସୀ ହୋଇପାରେ ।

 

ସେହି ସାହସୀ ମଣିଷମାନେ ଆଜି କାହାନ୍ତି । ସାହସୀ ମଣିଷମାନେ ଅବଶ୍ୟ ଅଛନ୍ତି, ମାତ୍ର ସେମାନେ ପରସ୍ପରର ଆଖିକୁ ସତେଅବା ମୋଟେ ଦିଶୁନାହାନ୍ତି, ସତେଅବା ସେମାନେ ପରସ୍ପରକୁ ମୋଟେ ଲୋଡ଼ୁନାହାନ୍ତି । ଯେଝାର ଯିଏ ଲୁଚିକରି ବସିଛନ୍ତି, ଏକ କମ୍ ପ୍ରତିକୂଳ ସମୟକୁ ଅପେକ୍ଷା କରି ରହିଛନ୍ତି । ଅଥବା, ଯୁଗଟା ଏକାବେଳକେ ମାରା ହୋଇ ଗଲାଣି ଏବଂ ତେଣୁ ସବୁକିଛି ଏହିପରି ମାରା ହୋଇ ରହିଥିବା ପର୍ଯ୍ୟନ୍ତ ଆଉ ମୋଟେ କିଛି କରି ହେବେନାହିଁ ବୋଲି ସତେଅବା ଭାରି ଅଭିମାନରେ ଏକ ବିଷାଦ ବା ଅବସାଦଯୋଗ ଭିତରେ ଦଗ୍‍ଧ ହୋଇ ବସିଛନ୍ତି । ଆଗେ କ’ଣ ସବୁ ହେଉଥିଲା, କିପରି ମଣିଷମାନେ ଥିଲେ ଓ କିପରି ନେତାମାନେ ଥିଲେ, ପ୍ରାୟ ଏକ ଆତ୍ମପୀଡ଼ନପ୍ରିୟ ଭିତରେ ସେହି କଥାଗୁଡ଼ାକ ଭିତରେ ଘାରି ହୋଇ ରହିଛନ୍ତି ଏବଂ ଭାବପ୍ରବଣ ସଂସ୍କରଣମାନ ଲେଖୁଛନ୍ତି । କଂସ ନମରିବା ପର୍ଯ୍ୟନ୍ତ ମଥୁରାକଟକରେ ଆଉ ମୋଟେ କିଛି କରି ହେବନାହିଁ ବୋଲି ରହି ନିଜକୁ ସାନ୍ତ୍ଵନା ଦେଉଛନ୍ତି । ଆପଣାର ଗୋଟିଏ ଗୋଟିଏ ଗୁମ୍ଫା ବା କନ୍ଦରା ଆବୋରି ନେଇ ତାହାରି ଭିତରେ ବୁଢ଼ା ହେଉଛନ୍ତି । ସୁଆଙ୍ଗ ଓ ଗୁଣ୍ଡାମିଗୁଡ଼ାକ ଦେଖୁଛନ୍ତି ଓ ଜାଣୁଛନ୍ତି ସତ, ମାତ୍ର କେଜାଣି କାହିଁକି ଶରଶଯ୍ୟାରେ ଆସୀନ ଅଛନ୍ତି-। ମନ୍ୟୁରୂପୀ ଭଗବାନ ତେଣୁ କୋଉଠୁ ବାହାରୁ ଆସନ୍ତି ଓ ଅମୁକକୁ ସଂହାର କରି ଓ ଅମୁକର ପରିତ୍ରାଣ କରାଇ ଯୁଗେ ଯୁଗେ ଧର୍ମର ସଂସ୍ଥାପନା କରନ୍ତି ବୋଲି ଭାରତୀୟ ଧର୍ମାଳସ୍ୟ–ବିଚାରରେ ଯେଉଁ ସଂସ୍କାରଟି ରହିଛି, ସେମାନେ ଭାରି ସହଜରେ ତାହାରି ଜାଲଟି ଭିତରେ ଯାଇ ପଡ଼ିଯାଆନ୍ତି । ମନ୍ୟୁ ଯେ ନିଜ ଭିତରେ ରହିଛି, ଏକ ପାରସ୍ପରିକ ଶକ୍ତି ତଥା ପାରସ୍ପରିକ ସଂକଳ୍ପ ଭିତରେ ରହିଛି,–ଫାଶରେ ପଡ଼ି, ସେହି କଥାଟିକୁ ଭୁଲି ଯାଇଥାନ୍ତି । ଏକ ମୂଳଭୂତ ନିଷ୍କ୍ରିୟତା ଭିତରେ ବହୁ ଦୌର୍ବଲ୍ୟର ଅପସମର୍ଥନର କବଳରେ ପଡ଼ି, ସେମାନେ ପରସ୍ପର ଭିତରେ ଆଗାମୀ ପଥର ସାଥୀଟିକୁ ଦେଖିବାର ଶ୍ରଦ୍ଧାଟିକୁ ମଧ୍ୟ ହରାଇ ବସିଥାନ୍ତି । ତେଣୁ ଅବଶ ହୋଇ ରହିଥାନ୍ତି । କ’ଣ ଗୋଟାଏ ହେଉ ବୋଲି ଅବଶ୍ୟ ଇଚ୍ଛା କରୁଥାନ୍ତି, ମାତ୍ର ସର୍ବପ୍ରଥମେ ପଦକ୍ଷେପଟି ସତେଅବା ଆଉକିଏ ପକାଉ ବୋଲି ଅପେକ୍ଷା କରିଥାନ୍ତି ।

 

ଅସଲ ସତ୍ୟାଗ୍ରାହୀ ସତ୍ୟକୁ ସବାଆଗ ନିଜ ଭିତରେ ଦେଖେ,–ସବାଆଗ ନିଜ ଭିତରର ସେହି ସତ୍ୟଟି ପାଖରେ ଶପଥବଦ୍ଧ ହୁଏ । ସେହି ସତ୍ୟଟିକୁ ବଞ୍ଚିବାକୁ ମନ କରେ, ଅର୍ଥାତ୍ ସେହି ସତ୍ୟଟିକୁ ପ୍ରକଟ କରିବା ଲାଗି ପଣ ନିଏ । ପ୍ରତିକୂଳତାଗୁଡ଼ାକ ଅନୁକୂଳତାରେ ପରିଣତ ହେଲେ ଯାଇ ସିଏ ମଧ୍ୟ ସତ୍ୟର ପକ୍ଷରେ ଆପଣାକୁ ପ୍ରକଟ ଭାବରେ ଅବଶ୍ୟ ସାମିଲ କରିନେବ, ଅସଲ ସତ୍ୟାଗ୍ରହର ଅଭିଧାନରେ ଏହାକୁ କେବଳ ଏକ ଅବସରବାଦୀ ଅପ୍ରଜ୍ଞା ବୋଲି ହିଁ କୁହାଯିବ । ଯୋଉଠି ଅନ୍ଧାର ରଜା ହୋଇ ଆସିଥାଏ, ଆଲୋକର ଆହ୍ଵାନ ଲାଗି ସେହିଠାରେ ହିଁ ସବୁଠାରୁ ଅଧିକ ଆବଶ୍ୟକତା ରହିଥାଏ । ସତ୍ୟାଗ୍ରହୀ ପ୍ରତିକୂଳ ଅବସ୍ଥାଗୁଡ଼ିକୁ ଦେଖି ତଥାକଥିତ ସୁଧୀର ଓ ଭଲ ମଣିଷଟିଏ ହୋଇ ବସିଯିବାକୁ କଦାପି ମନ କରେ ନାହିଁ । ଭାରତବର୍ଷରେ ବର୍ତ୍ତମାନ ଏପରି ବହୁସଂଖ୍ୟକ ଭଲ ମଣିଷ ଅଛନ୍ତି, ଯେଉଁମାନେ କି ଇଚ୍ଛା କରିଥିଲେ ସତ୍ୟାଗ୍ରହୀ ହୋଇପାରିଥାନ୍ତେ । ସେମାନେ ଆଗାମୀର ପ୍ରତିନିଧିତ୍ଵ କରି ସ୍ଥିତାବସ୍ଥା ବିରୁଦ୍ଧରେ ଯୁଦ୍ଧଘୋଷଣା କରି ପାରିଥାନ୍ତେ । ମାତ୍ର, ମୁଖ୍ୟତଃ ଗୋଟିଏ ଗୋଟିଏ ତୁଚ୍ଛା ଭଲ ମଣିଷ ହୋଇ ରହିବାକୁ ମନ କରିବାକୁ ସେମାନେ ତାହା କରି ପାରିଲେ ନାହିଁ । ନିରୁପଦ୍ରବ ହୋଇ ରହିବାକୁ ସେମାନେ ପରିବେଶ କଥା କହିଲେ, ଗଛକୁ ମଣିଷଠାରୁ ଅଧିକ ପ୍ରାସଙ୍ଗିକ ବୋଲି ଭାବିଲେ ଏବଂ ସେହିଗୁଡ଼ାକୁ ହିଁ ସତେଅବା ସବାବଡ଼ ସତ୍ୟ ବୋଲି ଦେଖାଇ କଂସକଟକରେ ପଦଯାତ୍ରା ଓ ଶାନ୍ତିଯାତ୍ରା କରି ବାହାରିଲେ । ଯୋଉ ପୁରୁଣା ପୃଥିବୀଟାକୁ ବଦଳାଇ ଦେବା ହିଁ ସତ୍ୟାଗ୍ରହୀ ସବାବଡ଼ ମନ୍ତ୍ର ରୂପେ ଗ୍ରହଣ କରି ଆପଣାର ସଂଗ୍ରାମ ଘୋଷଣା କରିଥାନ୍ତେ, ସେହି ପୃଥିବୀର ଉଗ୍ରସେନାମାନଙ୍କଠାରୁ ପୁରସ୍କାର ଓ ପଦକମାନ ଲାଭକଲେ । ସତେଅବା ଭାରି କୃତକୃତ୍ୟ ହେଲେ । ଯୋଉଠି ସେଇଠି ରହିଗଲେ । ଆମ ପୃଥିବୀଟା ମଧ୍ୟ ତଦନୁସାରେ ଯୋଉଠି ସେଇଠି ରହିଗଲା । ମନ୍ଦର ଦରବାରରୁ ଭଲମାନଙ୍କୁ ତାମ୍ରଫଳକ ଦିଆଗଲା । ସତ୍ୟଗୁଡ଼ାକୁ କେଡ଼େ ବାଗରେ ଲୁଚାଇ ଦିଆଗଲା । ସଜ୍ଜନମାନେ କୃତଘ୍ନ ହେବାକୁ ମୋଟେ ମନ କଲେ ନାହିଁ । ସତ୍ୟକୁ ବଞ୍ଚିବା ଦ୍ଵାରା ହିଁ ସତ୍ୟ ପ୍ରମାଣିତ ହୁଏ, ପରିପୃଷ୍ଟ ହୁଏ । ସତ୍ୟକୁ ବଞ୍ଚିବାର ଅସଲ ଆଗ୍ରହ ନିଜ ଭିତରକୁ ଆସେ, ନିଜ ବିଶ୍ଵାସରୁ ଆସେ । ଏକ ଅନୁକୂଳ ପରିସ୍ଥିତି ସତ୍ୟ ପ୍ରତି ଆମର ଆଗ୍ରହକୁ ଶୀତଳ କରି ପକାଇବାରେ ଯେତିକି ଆଶଙ୍କା ରହିଥାଏ, ଏକ ପ୍ରତିକୂଳ ପରିସ୍ଥିତି ସତେଅବା ଆମ ସମ୍ମୁଖରେ ଏକ ଅକାଟ୍ୟ ଆହ୍ଵାନ ରୂପେ ଅବତୀର୍ଣ୍ଣ ହୋଇ ଆମ ଭିତରେ ସତ୍ୟକୁ ସେତିକି ଅଧିକ ପ୍ରଜ୍ଵଳିତ କରିଦେବାର ଦୃଢ଼ ସମ୍ଭାବନାଟି ମଧ୍ୟ ରହିଥାଏ । ଯେତିକି ଅଧିକ ଇଷ୍ନା ସହିତ ଯୁଗେ ଯୁଗେ ସତ୍ୟ ବିଷୟରେ ବହୁବିଧ ଓ ବହୁବର୍ଣ୍ଣ ବ୍ୟାଖ୍ୟା କରାଯାଇ ଆସିଛି, ଏକାଧିକ କାରଣରୁ ସତ୍ୟକୁ ବଞ୍ଚିବା ନିମନ୍ତେ ସେତେ ସାକାର ଶ୍ରଦ୍ଧା ପ୍ରକଟ କରାଯାଇ ନାହିଁ । ଖାଲି ସାଧାରଣମାନେ ନୁହନ୍ତି, ଆମ ଅସାଧାରଣମାନେ ମଧ୍ୟ ଆପଣାକୁ ସେହି ପ୍ରମାଦଟି ଭିତରେ ଅତ୍ୟନ୍ତ ଦୟନୀୟ ଭାବରେ ବାନ୍ଧି ରଖିଛନ୍ତି । ଅନେକ ମହାପୁରୁଷ ସତ୍ୟ ଅପେକ୍ଷା ସତ୍ୟକୁ ଆଳକରି ଗଢ଼ାଯାଉଥିବା ସମ୍ପ୍ରଦାୟଗୁଡ଼ିକ ଉପରେ ହିଁ ଅଧିକ ଗୁରୁତ୍ଵ ଦେଇଛନ୍ତି, ଅଧିକ ପରିଶ୍ରମ ସାରିଛନ୍ତି । ସତ୍ୟ କ’ଣ ଓ କ’ଣ ନୁହେଁ ବୋଲି ଭାରତବର୍ଷରେ ଯେତେ ବିଚାରମୈଥୁନ କରାଯାଇଛି ଓ ଦାର୍ଶନିକ ମନ୍ତବ୍ୟମାନଙ୍କୁ ବାଢ଼ି ଦିଆଯାଇଛି, ସତ୍ୟଟି ବାଛିନେଇ ତାହାକୁ ବଞ୍ଚିବାର ସପକ୍ଷରେ ସେତିକି ବ୍ୟଗ୍ରତା ଓ ଶକ୍ତିମତ୍ତା ଆଦୌ ପ୍ରକାଶ ପାଇନାହିଁ । ଏବେ ଯେମିତି ଆମ ରାଜନୀତିରେ ସତକୁ ସତ ଏକ ବଳିଷ୍ଠ ରାଜନୀତିକ ବିଶ୍ଵାସ ଅନୁସାରେ ଜୀବନ ବଞ୍ଚିବା ଏବଂ ସୋପାନ ପରେ ସୋପାନ ଉଠିଯିବା ଅପେକ୍ଷା କୌଣସି ଏକ ରାଜନୀତିକ ସଂପ୍ରଦାୟ ମଧ୍ୟରେ ସାମିଲ ହୋଇ ରହିବା ଏବଂ ଅତ୍ୟୁତ୍ସାହୀ ଦାନବଗଣଙ୍କ ପରି ସେହି ସଂପ୍ରଦାୟଟିର ବପୁ ଓ ବଳ ବୃଦ୍ଧି କରିବା ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି, ଏକଥାଟି ହୁଏତ ଅବିକଳ ସେହିପରି ।

 

ସତ୍ୟର ଆବିଷ୍କାର କରିବା ପାଇଁ ସବାଆଗ ଶାସ୍ତ୍ରପାଖକୁ ଯିବାକୁ ପଡ଼େ ନାହିଁ । ଶାସ୍ତ୍ରର ଆଖ୍ୟାନ ଓ ଉପାଖ୍ୟାନମାନେ ସତ୍ୟର ଆବିଷ୍କାରରେ ସହାୟତା କରନ୍ତି ସତ, ମାତ୍ର କେବଳ ସେହିମାନେ ହିଁ କଦାପି ସତ୍ୟକୁ ଆଣି ଆମ ହାତ ପାପୁଲି ଉପରେ ରଖିଦେଇ ପାରନ୍ତିନାହିଁ । ସତ୍ୟକୁ ଚାହିଁବାକୁ ହେବ, ଇଚ୍ଛା କରିବାକୁ ହେବ, ଆପଣାର ବ୍ୟକ୍ତିଗତ ଯାବତୀୟ ତାତ୍କାଳିକ ପ୍ରୟୋଜନ ତଥା ଫଳଲାଭ ଅପେକ୍ଷା ଆପେ ଅନୁସନ୍ଧାନ କରୁଥିବା ସତ୍ୟଟିକୁ ସତକୁ ସତ ଅଧିକ ବୃହତ୍ ବୋଲି ଅନୁଭବ କରିବାକୁ ହେବ । ତେବେଯାଇ ଏଇ ମନ୍ଦମୁକ୍ତ ଶ୍ରଦ୍ଧା ସହିତ ଆକାଂକ୍ଷିତ ଏକ ସତ୍ୟର ଅନୁଧାବନ କରିବା ସମ୍ଭବ ହେବ; ନିଜ ଜୀବନରେ ଅତ୍ୟନ୍ତ ନାଟକଶୂନ୍ୟ ଅଥଚ ସୁନିଶ୍ଚିତ ଭାବରେ ସତ୍ୟଟି ବଞ୍ଚିବା ଅତ୍ୟନ୍ତ ସ୍ଵାଭାବିକ ଓ ତେଣୁ ସହଜ ହୋଇଯିବ । ଏହି ଉକ୍ତିଟି ରାଜନୀତି ଭିତରେ ମଧ୍ୟ ଲାଗୁ କରାଯାଇ ପାରିବ । ଆମ ଦେଶରେ ମନୁଷ୍ୟକୁ ଓ ତାର ସାମୂହିକ ଉତ୍ତୋଳନକୁ ହିଁ ରାଜନୀତିର ସର୍ବୋଚ୍ଚ କାମ୍ୟ ବୋଲି ଘୋଷଣା କରିଥିବା ମହାତ୍ମାଗାନ୍ଧୀ ଓ ଶ୍ରୀଅରବିନ୍ଦ ଦିନେ ଭାରତବର୍ଷରେ ଠିକ୍ ସେହିକଥା କହିଥିଲେ ଓ ଭାରତବର୍ଷକୁ ରାଜନୀତିରେ ଉପନୟନ କରାଇଥିଲେ । ସତ୍ୟାଗ୍ରହକୁ ହିଁ ଗାନ୍ଧୀ ସେହି ଉପନୟନର ସବାବଡ଼ ସନ୍ତକ ବୋଲି ଗ୍ରହଣ କରିଥିଲେ । ଅର୍ଥାତ୍, ସଂକ୍ଷେପରେ କହିଲେ, ଯାହାର ଆନୁଶୀଳନ କରି ମୁଁ କେବଳ ନିଜର ସ୍ଵାର୍ଥସିଦ୍ଧି ଚାହୁଁନାହିଁ, କେବଳ ଆପଣା ଲାଗି ଅଧିକ କ୍ଷମତା ଅଥବା ଅଧିକ ବଡ଼େଇ ଇଚ୍ଛା କରୁନାହିଁ ଅଥଚ ମୁଁ ଯାହାକୁ ତଥାପି ଚାହୁଁଛି, ଯାହାପାଇଁ ମୋର ଶ୍ରେଷ୍ଠତମ ସାମର୍ଥ୍ୟ ଓ ଅର୍ଜନକୁ ସମର୍ପଣ କରିଦେବାକୁ ପ୍ରସ୍ତୁତ ଅଛି, ତାହାହିଁ ହେଉଛି ମୋର ସତ୍ୟ । ଯାହା ସଂପୃକ୍ତ ସମସ୍ତଙ୍କର କଲ୍ୟାଣବିଧାନ କରିବ ବୋଲି ମୋ’ ଲାଗି ମଧ୍ୟ କେବଳ କଲ୍ୟାଣ ହିଁ ବହନ କରି ଆଣିବ, ତାହାରି ଅନୁଶୀଳନ ହେଉଛି ସତ୍ୟର ଅନୁଶୀଳନ । ରାଜନୀତି ସମେତ ଜୀବନର ଯାବତୀୟ କ୍ଷେତ୍ରରେ ସେହି ଅନୁଶୀଳନ ଅବଶ୍ୟ ସମ୍ଭବ ହେବ । ମୁଁ ଇଚ୍ଛାକଲେ ହେବ । ମୁଁ କ୍ଷମତାକୁ ମନ ନ କରୁଥିଲେ ହେବ । ମୁଁ କଂସ ହେବାକୁ ମନ ନକରୁଥିଲେ ହେବ । ମୁଁ କାମୁକଟିଏ ଅଥବା ଭୀରୁଟିଏ ନହୋଇ ଥିଲେ ତାହା ଅବଶ୍ୟ ହେବ ।

 

ତେଣୁ, ଆଗ ଜଣେ ନେତା ବାହାରିବେ ଅଥବା ଆଗ କୌଣସି ଏକ ଦଳର ମଣ୍ଡପ ଉପରୁ ଯାବତୀୟ ଔପଚାରିକ ମହାସମାରୋହ ସହିତ ହୁଙ୍କାର ଦିଆଯିବ ଓ ତେବେଯାଇ ଦେଶରେ ସତ୍ୟାଗ୍ରହ ଆରମ୍ଭ ହେବ ଏକଥା ନିତାନ୍ତ ଗଧମାନେ କହନ୍ତି, ଅଥବା ନିତାନ୍ତ କ୍ଷମତାଲିପ୍‍ସୁମାନେ କହନ୍ତି । ଏମାନେ ସକଳ ରାଜନୀତିକୁ ଚୁଲି ଭିତରେ ପୂରାଇ ନିଆଁ ଜାଳି ସେହି ନିଆଁରେ କେବଳ ନିଜର ଗୋଡ଼ ହାତକୁ ଉଷୁମ କରିବେ ବୋଲି ମନ କରୁଥାନ୍ତି । ସେମାନେ ରାଜନୀତି ରୂପକ ରମଣୀଙ୍କୁ ଭୋଗ କରିବାକୁ ଇଚ୍ଛା କରୁଥାନ୍ତି । ସେମାନଙ୍କ ନିକଟରେ କୌଣସି ସ୍ଵପ୍ନ ନଥାଏ, ଯାହାପାଇଁ କି ସେମାନେ ଜୀବନ ବଞ୍ଚନ୍ତି । ଯେଉଁଠାରେ ଚେତନାରେ କାରବାର ହେଉଥାନ୍ତା, ସେଠାରେ ଆପଣା ଲାଗି ଅଧିକରୁ ଅଧିକ ମାରି ଆଣିବାର ତାମସା ଲାଗି ରହିଥାଏ । ସେଠି ମଣିଷମାନେ ଯେଉଁଟିର କଥା କହୁଥାନ୍ତି, ସେଠାରେ ସେମାନେ ମୋଟେ ନଥାନ୍ତି । ଅର୍ଥାତ୍ ସେଗୁଡ଼ିକ ଉପରେ ସେମାନଙ୍କର ଆଦୌ କୌଣସି ବିଶ୍ଵାସ ନଥାଏ । ସେମାନେ ଅସତ୍ୟ ବିରୁଦ୍ଧରେ ଲଢ଼ୁ ନଥାନ୍ତି, ସତ୍ୟ ପାଇଁ ଲଢ଼ିବା ତ ଆହୁରି ଅଧିକ ଦୂରର କଥା । ଆଉ ଯେଉଁମାନେ ଅଧିକ ଚାଲାଖ ହୋଇ ଅଥବା ଅଧିକ ମଉକା ପାଇ ଅସତ୍ୟର ଯନ୍ତ୍ରଗୁଡ଼ାକ ମାଡ଼ି ବସିଛନ୍ତି ଓ ପ୍ରାୟ ସବୁକିଛି ଭୋଗ କରିବାରେ ଲାଗିଛନ୍ତି, ସକଳ ଉତ୍ତେଜନା ସହିତ ସେମାନେ ସେଇମାନଙ୍କ ସହିତ ସଂଗ୍ରାମ କରୁଥାନ୍ତି । ସେମାନଙ୍କୁ ହଟାଇ ସ୍ଵୟଂ ଯନ୍ତ୍ରଗୁଡ଼ାକର ମାଲିକ ହେବେ ଏବଂ ମନଇଚ୍ଛା ଭୋଗକରିବେ ବୋଲି ରାଜନୀତିର ଦାଣ୍ଡକୁ ବାହାରିଥାନ୍ତି । ଭାରତବର୍ଷର ରାଜନୀତିରେ ଏହି ଅଭିନୟ ଘମାଘୋଟ ହୋଇ ଚାଲିଛି । ସତ୍ୟାଗ୍ରହ ନାଆଁରେ କେତେ ହାଣ୍ଡିପିଟା ହେଉଛି ଓ ତୁଚ୍ଛା ଆତ୍ମକାମୀ ଅରସିକମାନେ ରାଜନୀତିରେ ରାହୁ ଓ କେତୁ ହୋଇ ବାହାରିଛନ୍ତି । ଦେଶାଟାଯାକ ଆମ ସମସ୍ତଙ୍କର ଭାଗ୍ୟଟାକୁ ବାହାହୋଇ ପଡ଼ିବେ ବୋଲି ବାହାରିଛନ୍ତି ।

 

ଆମେ ଯିଏ ଯେଉଁଠି ରହିଛେ, ତଥାକଥିତ ରାଜନୀତିର ବାହାରେ ରହିଛେ ଅଥବା ଭିତରେ ରହିଛେ,–ଆମ ଯେଉଁମାନଙ୍କ ଲାଗି ଉପସ୍ଥିତ ପରିସ୍ଥିତିମାନ ଅସମ୍ଭାଳ ଅନୁଭୂତ ହେଲାଣି, ଏହି ଦେଶରେ ପ୍ରକୃତରେ ଏକ ଭାଗ୍ୟ ରହିଛି ଓ ସେହି ଭାଗ୍ୟ ସମ୍ମତ ବହୁ ଜନଙ୍କର ନିଷ୍ପତ୍ତି ଲାଗି ଅପେକ୍ଷା କରି ରହିଛି ବୋଲି ଆମେ ଅନୁଭବ କରୁଛେ, ଆଗକୁ ଏକ ତୁମୁଳ ପରିବର୍ତ୍ତନର ସମୟ ଆସୁଛି ବୋଲି ସତକୁ ସତ ବିଶ୍ଵାସ କରୁଛେ, ଆପଣାଠାରୁ ବୃହତ୍ତର କୌଣସି ଏକ ମୂଲ୍ୟସିଦ୍ଧି ନିମନ୍ତେ ଆପଣାର ଜୀବନଟିକୁ ବଞ୍ଚିବାରେ ହିଁ ଆମର ପରମ କଲ୍ୟାଣ ନିହିତ ରହିଛି ବୋଲି ଆମେ ଯେଉଁମାନେ ଭାବୁଛେ, ଯଦି ଆମେ ଭୀରୁ ନ ହୋଇଥିବା, ଅନ୍ତତଃ ନିଜ ପାଖରେ, ନିଜ ଜୀବନରେ ଲବ୍‍ଧ ସତ୍ୟଗୁଡ଼ିକ ପାଖରେ ଆମେ ସଂକଳ୍ପବଦ୍ଧ ହୋଇଥିବା, ତେବେ ଆମେ ସାନ ଓ ବଡ଼ ଯାବତୀୟ କ୍ଷେତ୍ରରେ ଯାହା କିଛି କରିବା, ତାହା ହିଁ ଆଗାମୀ ସତ୍ୟାଗ୍ରହଟି ଲାଗି ଦ୍ଵାର ଉନ୍ମୋଚନ କରିଦେଇ ପାରିବ । ଆମ ନିଜ ନିଜ କ୍ଷେତ୍ରରେ ଆମେ ସତ୍ୟର ପଟ ହୋଇ ଜୀବନ ବଞ୍ଚିବା,–ତେଣୁ ବହୁ ଅସତ୍ୟ ସହିତ ଟକ୍‍କର ଖାଇବାକୁ ବାଧ୍ୟ ହେବା । ତଥାପି ସାଲିଶ୍ କରିବା ନାହିଁ । ବିଟମାନଙ୍କୁ ବିଟ ବୋଲି କହିବା, ମୂଳତଃ କୌଣସି ଘୃଣା ଅଥବା ଉତ୍ତେଜନା ଦ୍ଵାରା ନୁହେଁ, ଏକ ଆକାଂକ୍ଷିତ ସତ୍ୟ ଦ୍ଵାରା ଅର୍ଥାତ୍ ମୂଲ୍ୟବୋଧ ଦ୍ଵାରା ପ୍ରେରିତ ହୋଇ ହିଁ ଜୀବନ ବଞ୍ଚିବା । ଖାଲି ବ୍ୟକ୍ତିଗତ ନିରାପଦ ଜୀବନସ୍ତରରେ ନୁହେଁ, ସାମୂହିକ ସ୍ତରରେ ମଧ୍ୟ ସେହି ପ୍ରେରଣାଟି ଦ୍ଵାରା ବଞ୍ଚିବା । ସତକୁ ସତ ଏକ ଅନୁରାଗକୁ ସ୍ଵୀକାର କରି ନେଇଥିଲେ ମନୁଷ୍ୟ ଯେଉଁ ସାହାସଟିକୁ ଅସଲ ଅବଲମ୍ବନ କରି ଜୀବନ ବଞ୍ଚିପାରେ, ସେହି ସାହସ ହିଁ ଆମର ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ସାଧନ ହୋଇ ରହିଥିବା ଯେଉଁ ସାହସ ମଣିଷକୁ ନିଜ ପାଖରେ ଅସାଧୁ ହେବାର ପ୍ରମାଦରୁ ସତତ ବଞ୍ଚାଇ ରଖୁଥାଏ, ଆମେ ସବାଆଗ ସେହି ସାହସର ଭାଜନ ହେବା । ତା’ ପରେ, ଆମକୁ ନିମିତ୍ତ କରି ଆଗାମୀ ପରିବର୍ତ୍ତନର ପ୍ରକ୍ରିୟାଟି ଆରମ୍ଭ ହୋଇଯିବ । ଅତ୍ୟନ୍ତ କୋଳାହଳଶୂନ୍ୟ ଭାବରେ ଆରମ୍ଭ ହୋଇଯିବ, ମାତ୍ର ଏହି ଯାବତୀୟ ଅସନା ବିରୁଦ୍ଧରେ ଅସଲ ଷଡ଼ଯନ୍ତ୍ରଟିର ସୂତ୍ରପାତ ତାହାରି ଦ୍ଵାରା ହେବ ।

 

ଏତିକି ସଚେତନତା ଏବଂ ସକ୍ରିୟତା ନିମନ୍ତେ ଆମକୁ ଆଦୌ କୌଣସି ରାଜନୀତିକ ଦଳରେ ସାମିଲ୍ ହେବାକୁ ପଡ଼ିବନାହିଁ । ଏଣିକି ଆମେ ଜାଗ୍ରତ ହେଲୁ ବୋଲି ମୋଟେ ଖବରକାଗଜରେ ଡିଣ୍ଡିମ ବଜାଇବାକୁ ପଡ଼ିବନାହିଁ । ଏତିକି ଜଣେ ଶିକ୍ଷକ କରିପାରିବ, ଜଣେ ଛାତ୍ର କରିପାରିବ, ଜଣେ ଓକିଲ କରିପାରିବ, ଜଣେ ସାହିତ୍ୟିକ କରିପାରିବ, ଏପରିକି ଜଣେ ପୋଲିସ୍ ମଧ୍ୟ କରିପାରିବ । ବହୁ ମିଛମୈଥୁନକୁ ଛାଡ଼ି ଆସି ପାରିଲେ ଏମାନେ ସମସ୍ତେ ସତ୍ୟାଗ୍ରହର ପଟ ହୋଇ ବାହାରି ପାରିବେ । ଏକ ନୂତନ ସମ୍ଭାବନାର ପ୍ରତ୍ୟୟ ଲାଗି ବାଟ ଫିଟାଇଦେବେ । ଏବଂ ଦାଣ୍ଡକୁ ଆସି ଏମାନେ ପରସ୍ପରକୁ ଅବଶ୍ୟ ଆବିଷ୍କାର କରି ନେଇ ପାରିବେ । ଜଣେ ସମଧର୍ମୀକୁ ଆବିଷ୍କାର କରିନେବାରେ ସଂସାରରେ ପ୍ରକୃତରେ କେତେ ଅଳ୍ପ ସମୟ ନ ଲାଗେ ! ଜଣେ ସାହସୀ ହାତ ବୁଲାଇବା ମାତ୍ରକେ ହିଁ ଆଉ ଅନେକ ସାହାସୀଙ୍କର ସନ୍ଧାନ ପାଇଯାଏ । ଏହିପରି ଭାବରେ ଏକ ନୂତନ ସଂଘ ଜନ୍ମଲାଭ କରେ । ଏକ ନୂତନ ଏକସୂତ୍ରତାର ଅନୁଭୂତି ମିଳେ । ତାହାହିଁ ନୂତନ ଆନ୍ଦୋଳନଟି ଲାଗି ବାଟ ଫିଟାଇଦିଏ । ରାଜନୀତି ହେଉଛି ମୁଖ୍ୟତଃ ଏକ ରାଜନୀତିକ ଚେତନା । ଆମ ଦେଶ ସ୍ଵାଧୀନତା ଲାଗି ସଂଗ୍ରାମ କରୁଥିବା ସମୟରେ ଏହି ଚେତନାଟି ଦେଶର ଭାବଗତ ବାତାବରଣରେ ସତେଅବା ଏକ ଜଳବାୟୁ ପରି ଭରି ରହିଥିଲା । ଜନମନ ନ୍ୟାୟର ପକ୍ଷରେ ଥିଲା, ସାହସର ପକ୍ଷରେ ଥିଲା, ପୁରୁଷାର୍ଥ ପକ୍ଷରେ ରହିଥିଲା,–ଗୋଟିଏ କଥାରେ କହିଲେ, ଜନପ୍ରତ୍ୟୟ ଧର୍ମର ପକ୍ଷରେ ରହିଥିଲା । ସେହି ପ୍ରତ୍ୟୟର ସର୍ବୋତ୍ତମ କ୍ରିୟାଶୀଳତା ସତ୍ୟାଗ୍ରହ ହୋଇ ଆତ୍ମପ୍ରକାଶ କରୁଥିଲା । ସେତେବେଳେ ଗୋଡ଼ ଖସାଇବାକୁ ସାଧାରଣତଃ ଲାଜ ମାଡ଼ୁଥିଲା,–ପାପିଷ୍ଠ ଓ ପାଷାଣ୍ଡ ହେବାଟା ବହୁଜନଙ୍କ ଦ୍ଵାରା ଶ୍ଲାଘ୍ୟବୋଲି ଅନୁମୋଦିତ ହେଉନଥିଲା । ଅଧର୍ମୀମାନଙ୍କର ମୁହଁ ଆଦୌ ଏତେବେଶୀ ଟାଣ ନଥିଲା । ଏକ ସାହସୀ ସମାଜରେ ହିଁ ସତ୍ୟଲାଗି ଅଧିକ ଔଚୈତ୍ୟ ଓ ଅଧିକ ଆଗ୍ରହ ରହିଥାଏ । ଟଙ୍କା ଓ କ୍ଷମତାରେ ବଶ ହୋଇ ଆମ ଦେଶରେ ଯେଉଁମାନେ ଗତ ଚାଳିଶିବର୍ଷ ହେଲା ବିବେକ ହରାଇଛନ୍ତି ଓ ତେଣୁ ପ୍ରଚଣ୍ଡ ହୋଇଛନ୍ତି, ସେମାନେ ହେଉଛନ୍ତି ମୂଳତଃ ଭୀରୁ । ଭୀରୁମାନେ ବସ୍ତୁତଃ ନିଜ ପାଖରେ ମଧ୍ୟ ଅସତ୍ୟ ହୋଇ ରହିଯାଆନ୍ତି । ବାହାରର ପ୍ରଚଣ୍ଡତା ଦ୍ଵାରା ସେମାନେ ସତେଅବା ନିଜ ଭିତରେ କେଉଁ ଅତିଦୟନୀୟ ଶୂନ୍ୟତାର କ୍ଷତିପୂରଣ କରିବାରେ ଲାଗିଥାଆନ୍ତି । ଦେଶରେ ସତ୍ୟାଗ୍ରହୀର ସଂକଳ୍ପ ବଢ଼ିଲେ ଯାଇ ସେହି ଭୀରୁତାର ଅବସାନ ହେବ, ଏବଂ ଯାବତୀୟ ପରିସ୍ଥିତିରେ ବ୍ୟକ୍ତି ହିଁ ସତ୍ୟାଗ୍ରହର ପକ୍ଷରେ ସବାଆଗ ନିଷ୍ପତ୍ତି ନେବା । ସବାଆଗ ବ୍ୟକ୍ତି ବାହାରିବ । ମଣିଷ ଭିତରେ ଯେ ମୁଣ୍ଡ ନ ନୂଆଁଇବାର ଏକ ଦୁର୍ବାର ଶ୍ରଦ୍ଧାଶକ୍ତି ଅବଶ୍ୟ ରହିଛି, ସିଏ ସେହି କଥାଟିର ପ୍ରମାଣ ଦେବ । ତାହାରି ମୁଣ୍ଡରେ ସବାଆଗ ପାହାରଗୁଡ଼ିକ ବସିବ । ଯୁଗେ ଯୁଗେ ତାହାହିଁ ହୋଇ ଆସିଛି-। ତଥାପି ମିଥ୍ୟାର ବଜାରକୁ ଅସ୍ଵୀକାର କରି ଚିରକାଳ ସତ୍ୟ ଆପଣାର ପ୍ରତିବାଦଟିକୁ ଘୋଷଣା କରି ଆସିଛି, ପରିବର୍ତ୍ତନ ଲାଗି ପ୍ରଥମ ବାଟଟିକୁ କାଢ଼ିଛି ।

 

ସତ୍ୟଲାଗି ଆଗ୍ରହକୁ ଜୀବନର ଅସଲ ମହତ ଓ ଅସଲ ସନ୍ତକ ବୋଲି ସ୍ଵୀକାର କରୁଥିବା ମଣିଷମାନେ କ୍ରମେ ପରରସ୍ପରକୁ ଭେଟିବେ । ସେମାନେ କେବେ ଏକାକୀ ନଥିଲେ ବୋଲି ପ୍ରମାଣ ପାଇବେ । ସେମାନଙ୍କୁ ନେଇ ସାନସାନ ଗୋଷ୍ଠୀମାନେ ଗଢ଼ିଉଠିବେ ଏବଂ ଅସଲ ସଂକଳ୍ପଗୁଡ଼ିକ କ୍ରମେ ସମୂହ ହେବାକୁ ଆରମ୍ଭ କରିବେ । ସାହାସୀମାନେ, ନିମିତ୍ତମାନେ ଓ ଚେତନାଯୁକ୍ତମାନେ ସେମାନଙ୍କର ସମଧର୍ମୀମାନଙ୍କୁ ଆବିଷ୍କାର କରିନେବେ । ତା'ପରେ ସେମାନେ ଏକାଠି ବସିବେ, ଏକାଠି ବାଟ ଚାଲିବେ, ପୃଥିବୀରେ ଏକ ନୂତନ ବିତର୍କ ଆରମ୍ଭ ହେବ । ଭାରତବର୍ଷରେ ମଧ୍ୟ ହେବ । ମଣିଷକୁ ସବା ଆଗରେ ରଖି । ସାହସକୁ ହିଁ ସବାବଡ଼ ବିବେକ ବୋଲି ମାନି ସେହି ବିତର୍କ କ୍ରମସଂକ୍ରାମିତ ହେବ । ଆଗାମୀ ଯୁଗଟି ପ୍ରଧାନତଃ ସେହିପରି ଏକ ନବସଂକ୍ରମଣର ସଚେତନ ଓ ସକ୍ରିୟ ଯୁଗରୂପେ ଆତ୍ମପ୍ରକାଶ କରିବାକୁ ଯାଉଛି । ଭବିଷ୍ୟ ପୃଥିବୀର ରାଜନୀତି ମଧ୍ୟ ଧର୍ମତଃ ସେହି ସଂକ୍ରମଣର ଦ୍ୟୋତକ ଓ ବାହକ ହେବ । ବର୍ତ୍ତମାନର ଅସନା ଛାଞ୍ଚଗୁଡ଼ାକରୁ ବାହାରିଯିବାର ବେଳ ସେତିକିବେଳେ ଆସିବ ।

 

ଭାରତବର୍ଷରେ ସତ୍ୟାଗ୍ରହର ରାଜନୀତିକୁ ବହୁ କୌଶଳରେ ଚପାଇ ଦିଆଯାଇ ଆସିଛି-। ରାଜନୀତିକୁ ଏକ ସଚେତନ ଆଗ୍ରହ ଅପେକ୍ଷା ଏକ କାମନାଚଣ୍ଡ ବ୍ୟବସାୟରେ ପରିଣତ କରି ରଖିବାର ବହୁ ଚକ୍ରାନ୍ତ ଦାନବମାନେ କରି ଆସିଛନ୍ତି, ଏବେ ମଧ୍ୟ କରୁଛନ୍ତି । ତଥାପି ଅସଲ ରାଜନୀତିକ ସତ୍ୟଗୁଡ଼ିକ ସତ୍ୟାଗ୍ରହୀମାନଙ୍କ ଲାଗି ଅପେକ୍ଷା କରି ରଖିଛନ୍ତି । ବର୍ତ୍ତମାନ ରାଜନୀତିକ ଦଳ, ରାଜନୀତିକ କ୍ଷମତା ଓ ଦଳୀୟ ସ୍ଵାର୍ଥ କହିଲେ ଭ୍ରଷ୍ଟ ବଜାରର ମାପକାଠିଗୁଡ଼ିକ ଅନୁସାରେ ଯାହାସବୁକୁ ବୁଝାଉଛି ସତ୍ୟାଗ୍ରହୀମାନେ ପରସ୍ପରକୁ ଭେଟି ବାହାରିଲେ ସେସବୁ ସଂଜ୍ଞାଥାନରେ ମଧ୍ୟ ବହୁ ଓଲଟପାଲଟ ହୋଇଯିବ । କାମଗୁଞ୍ଜରମାନେ ଭାରି ପଦାରେ ପଡ଼ିଯିବେ-। ନେତୃତ୍ଵ କହିଲେ ଏବପରି ଗୋଟାଏ ଲଗୁଡ଼କୁ ନବୁଝାଇ ସବାଆଗ ଏକ ବିବେକକୁ ବୁଝାଇବା,–ବ୍ୟକ୍ତିର ସଂଘ ସହିତ ରହିଥିବା ଏକ ପରିମଳଗତ ସମ୍ପର୍କକୁ ବୁଝାଇବା । ଅନୁରାଗ ସାହସୀ ହେବ, ଅନୁରାଗ ପ୍ରତିବାଦ କରିପାରିବ । ଅନ୍ୟକୀମୀମାନେ ଭାରି ସହଜରେ ଧରା ପଡ଼ିଯିବେ-। ସତ୍ୟାଗ୍ରହର ବଳ ହିଁ ଦିନେ ଭାରତବର୍ଷରୁ ବ୍ରିଟିଶ୍ ଶାସନକୁ ହଟାଇ ଦେଇଥିଲା-। ତା'ପରେ ପୃଥିବୀର ଅଧିକରୁ ଅଧିକ ଦେଶରେ ଅନ୍ଧାରର ଶିକୁଳିମାନ ଛିଣ୍ଡିବାକୁ ଆରମ୍ଭ କରିଥିଲା-। ସେହି ବଳର ପ୍ରାସଙ୍ଗିକତା ଏବେମଧ୍ୟ ଭୀରୁ ସନ୍ଥମାନେ ଅଣସରଘରେ ସାଧୁଙ୍କ ପରି ମୌନ ହୋଇ ବସିଥିଲେ ମଧ୍ୟ ଅବଶ୍ୟ ରହିଛି । ସତ୍ୟାଗ୍ରହର ଦିନ ସରି ଯାଇନାହିଁ, ସତ୍ୟାଗ୍ରହର ଦିନ ଆସୁଛି-

 

‘ପ୍ରଗତିବାଦୀ’

ପ୍ରତିଷ୍ଠାଦିବସ ବିଶେଷାଙ୍କ, ୧୯୮୮

Image

 

ଅନାସକ୍ତି ଓ ଅନାଗ୍ରହ

 

ଉତ୍ତର ପ୍ରଦେଶର ହିମାଳୟ ଅଞ୍ଚଳରେ କୈସାନୀ ଆଶ୍ରମ, ଅର୍ଥାତ୍ କର୍ମକେନ୍ଦ୍ର । ଆଗରେ ପ୍ରାୟ ଦୁଇଶହ ମାଇଲ ବ୍ୟାପି ଶୁଭ୍ର ପର୍ବତଶୃଙ୍ଗଗୁଡ଼ିକର ଶ୍ରେଣୀ । ଗାନ୍ଧିଜୀ ଏଇଠି ପ୍ରାୟ ଅର୍ଦ୍ଧଶତାବ୍ଦୀ ତଳେ କେତେଦିନ ରହିଥିଲେ ଓ ସେହି ସମୟରେ ତାଙ୍କର 'ଅନାସକ୍ତି ଯୋଗ' ପୁସ୍ତକଟିକୁ ଲେଖିଥିଲେ । ଠିକ୍ ବର୍ଷକତଳେ ହିମାଳୟ ଆଡ଼କୁ ମୁହଁ କରି ଠିଆ ହୋଇ ସେଠାରେ ମୁଁ ସେହି କଥା ଭାବୁଥିଲି ।

 

ଅନାସକ୍ତି ଆବଶ୍ୟକ ଆମ ଜୀବନର ଯଥାର୍ଥ ଆସକ୍ତିଗୁଡ଼ିକୁ ଯଥାସମ୍ଭବ ଅଧିକ ପରିପୂର୍ଣ୍ଣତା ଯୋଗାଇ ଦେବାପାଇଁ । ବୃହତ୍ତର ଆଉ ଏକ ବୃତ୍ତ ସହିତ ଆପଣାର ଶ୍ରଦ୍ଧା ଓ ଆଗ୍ରହଗୁଡ଼ିକୁ ଯୁକ୍ତ କରି ରଖିବା ସକାଶେ କ୍ଷୁଦ୍ରତର ଅଭ୍ୟସ୍ତ ବୃତ୍ତଗୁଡ଼ିକୁ ଅତିକ୍ରମ କରାଯିବା,–ତାହାହିଁ ଅନାସକ୍ତି । ଯିଏ ଏହି ଅଭ୍ୟସ୍ତ ବୃତ୍ତଗୁଡ଼ିକ ଭିତରେ ବାନ୍ଧି ହୋଇ ରହିଯାଏ, ପରିଚିତ ଅହଂଗୁଡ଼ାକର ସୀମା କାମୁଡ଼ି ରହିଯାଏ, ସିଏ ନିଜ ଜୀବନରେ କୌଣସି ଅତିକ୍ରମଣ ସମ୍ଭବ କରି ପାରେନାହିଁ, ସିଏ ଆପଣାର କାନ୍ଥଗୁଡ଼ାକୁ ହିଁ ସଂସାର ବୋଲି ଭାବେ । ସିଏ କାହାରିଲାଗି ଯୋଗ୍ୟ ହୋଇପାରେ ନାହିଁ । ଅତିକ୍ରମଣର ସାହସ ହିଁ ମଣିଷକୁ ବୃହତ୍ତର ନାନାବିଧ କ୍ଷେତ୍ରରେ ଆପଣାକୁ ସମର୍ପିତ କରିଦେଇ ପାରିବାର ଯୋଗ୍ୟତା ଆଣିଦିଏ ।

 

ଅନାସକ୍ତି ଅନାଗ୍ରହ ନୁହେଁ । ଭାରତୀୟ ସଂସ୍କୃତି ଭିତରୁ ଆମେ ଯେତେଗୁଡ଼ିଏ ମୂଲ୍ୟକଳ୍ପନାର ବିକୃତ ସଂଜ୍ଞା କରି ପ୍ରାୟ ଏକାବେଳେକେ ଓଲଟା ବାଟରେ ଯିବାକୁ ମନ କରିଛୁ, ତାହା ଭିତରୁ ଅନାସକ୍ତି ଗୋଟିଏ । ନିଷ୍କାମ ହେବାକୁ ଯାଇ ଆମ ଦେଶରେ ଯେମିତି କେତେ ଲୋକ ଅକର୍ମା ହୋଇଛନ୍ତି, ଭଗବାନଙ୍କୁ ପାଇବେ ବୋଲି ଯେମିତି କେତେ ମଣିଷ ସଂସାର ଛାଡ଼ିଛନ୍ତି ଓ ସଂସାରର ମଣିଷଙ୍କ ଲାଗି ପ୍ରାୟ ଏକ ସମଗ୍ର ନିସ୍ପୃହତାର ପ୍ରଚାର କରିଛନ୍ତି, ଠିକ୍ ସେହିପରି ।

 

ଗାନ୍ଧିଜୀ ସତ୍ୟାଗ୍ରହ କଥା କହିଥିଲେ, ତେଣୁ ସିଏ ଅନାସକ୍ତି କଥା ମଧ୍ୟ କହଥିଲେ । ସତ୍ୟାଗ୍ରହ ହେଉଛି ଏକ ଭାବାତ୍ମକ ଜୀବନ ବଞ୍ଚିବାର ଆହ୍ଵାନ, ଅନାସକ୍ତି ହେଉଛି ସେଥିଲାଗି ପ୍ରସ୍ତୁତି । ଏବେ ସ୍ଵାଧୀନତାର ପଇଁତିରିଶି ବର୍ଷ ପରେ ଆମ ଦେଶରେ ସତ୍ୟାଗ୍ରହର ବିଚାରଟି ସତେ ଯେପରି ଏକ ଅନାଗ୍ରହରେ ପରିଣତ ହୋଇଛି । ଯେଉଁମାନେ ସତ୍ୟାଗ୍ରହର ପଥରେ ଯାଇଥାନ୍ତେ, ସତ୍ୟାଗ୍ରହ ଲାଗି ନେତୃତ୍ଵ ଦେଇଥାନ୍ତେ, ସେମାନେ ସତେଅବା ଅନାଗ୍ରହର ଏକ ଆର୍ତ୍ତ ନିଷ୍କ୍ରିୟତା ଭିତରେ ବୁଡ଼ିକରି ରହିଛନ୍ତି । ସତ୍ୟାଗ୍ରହ ହେଉଛି ସତ୍ୟର ଆଗ୍ରହ, ସତ୍ୟର ଉତ୍ତରୋତ୍ତର ପ୍ରତିଷ୍ଠା ଲାଗି ଆବଶ୍ୟକ ପରିବର୍ତ୍ତନ ଦିଗରେ ଆପଣାକୁ ଓ ଆପଣାର ସମାଜକୁ ପ୍ରସ୍ତୁତ କରାଇ ନେବାର ଆଗ୍ରହ । ସେହି ଆଗ୍ରହ ବର୍ତ୍ତମାନ ସତେଅବା ପାଣିହାଣ୍ଡି ଭିତରେ ଆପଣାକୁ ଲୁଚାଇ ରଖିଛି । ସତ୍ୟାଗ୍ରହୀ ସତ୍ୟର ଇଚ୍ଛା କରେ, କ୍ଷମତାର ପ୍ରତ୍ୟାଖ୍ୟାନ କରେ । ସତ୍ୟାଗ୍ରହୀ କ୍ଷମତାକୁ ଇଚ୍ଛା କରେ ନାହିଁ । ବର୍ତ୍ତମାନ ଆମ ଦେଶରେ ଯେଉଁମାନେ କ୍ଷମତା ଇଚ୍ଛା କରୁଛନ୍ତି, ପ୍ରଧାନତଃ ସେହିମାନେ ହିଁ ସତ୍ୟାଗ୍ରହକୁ ଏକ ଆୟୁଧ ରୂପେ ବ୍ୟବହାର କରୁଛନ୍ତି । ଆହୁରି ସ୍ପଷ୍ଟ ଭାବରେ କହିଲେ, ସେମାନେ ଯେଉଁସବୁ ଆୟୁଧକୁ ବ୍ୟବହାର କରୁଛନ୍ତି, ସେହିଗୁଡ଼ାକୁ ହିଁ ସତ୍ୟାଗ୍ରହ ବୋଲି କହିଛନ୍ତି । ଅଣାୟତ୍ତମାନେ ହିଁ ସତ୍ୟାଗ୍ରହକୁ ଆୟତ୍ତ କରି ରଖିଛନ୍ତି ।

 

ସ୍ଵାଧୀନ ଭାରତବର୍ଷରେ ମହାତ୍ମା ଗାନ୍ଧୀ ହରିଜନମାନଙ୍କର ହାତରେ ସବୁକିଛି ନ୍ୟସ୍ତ ହୋଇ ରହୁ ବୋଲି ଇଚ୍ଛା କରିଥିଲେ । ସରକାରୀ ଖାତାରେ ଏବେ ବଜାରର ଚଳଣିରେ ଯେଉଁ ଅର୍ଥରେ ‘ହରିଜନ’ ଶବ୍ଦଟିକୁ ବ୍ୟବହାର କରାଯାଉଛି, ଏଠାରେ ସେହି ଅର୍ଥରେ ମୋଟେ କିଛି କୁହାଯାଉନାହିଁ । ହରିଜନ ଅର୍ଥାତ୍ ହରିଙ୍କର କାର୍ଯ୍ୟରେ ସମର୍ପିତ ହୋଇଥିବା ଜନ । ଏହି ଦେଶରେ ତାହାରି ନେତୃତ୍ଵ ପ୍ରତିଷ୍ଠିତ ହେଉ ବୋଲି ଗାନ୍ଧିଜୀ ଆମକୁ କେତେ ପ୍ରକାରେ କେତେ ପ୍ରେରଣା ଦେଇଥିଲେ । ଗାନ୍ଧିଜୀଙ୍କ ପରେ ସମ୍ଭବତଃ ଗୋଟାଏ ପ୍ରକାରର କାତରତା ଅନାଗ୍ରହର ବିରକ୍ତ ରୂପ ଧରି ଆମକୁ ଏପରି ଭାବରେ କାବୁ କରି ରଖିଲା ଯେ ଆମେ ସ୍ଵାଧୀନ ଭାରତରେ ଅଧିକ ଭୀରୁ ହେଲୁ, ଏବଂ ତେଣୁ ଅଧିକ ଉଗ୍ର ମଧ୍ୟ ହେଲୁ । ଆମ ଭିତରୁ ଅନେକେ ବଡ଼ ମାଛ ହୋଇ ସାନ ମାଛଙ୍କୁ ଖାଇଲୁ । ନେତା ହୋଇ କର୍ମୀମାନଙ୍କୁ ଖାଇଲୁ । ଚଲାଖମାନେ ସମସ୍ତେ ସହରକୁ ଆସିଲେ ଓ ସହରରେ ମାମଲତ କରି ଗାଆଁମାନଙ୍କୁ ଖାଇଲେ । ଦିଲ୍ଲୀରୁ ବିଷଗୁଡ଼ାକ କେତେଭଳି କର୍ତ୍ତୃତ୍ଵର ମୁକାମ ନେଇ ଦେଶଟାଯାକ ଚରିଗଲା । ଆମ ସମସ୍ତଙ୍କୁ ଅତିରିକ୍ତ ପରିମାଣରେ ସହିଷ୍ଣୁ କଲା । ଆମେ ବିବେକ ହରାଇଲୁ, ସାହସ ହରାଇଲୁ, ହୃଦୟଗୁଡ଼ାକୁ ହରାଇ ବସିଲୁ, ତଥାପି ସହିଲୁ । ମଣିଷମାନଙ୍କ ବିଷୟରେ ଶାସ୍ତ୍ର ଲେଖିଲୁ ଏବଂ ମଣିଷମାନଙ୍କୁ ଠକିଲୁ । ମଣିଷମାନଙ୍କ ଲାଗି ପୁରୁଣା ଧର୍ମକଥାଗୁଡ଼ାକୁ କେତେ ପ୍ରକାରେ ଜରିମଡ଼ା କରି ଦେଖାଇଲୁ । ଜୀବନର ଅସଲ ଧର୍ମଗୁଡ଼ାକୁ ବେଜିତ୍ କଲୁ, ଜୀବନର ଅସଲ ସମ୍ପର୍କ ଓ ସମ୍ମାନଗୁଡ଼ାକୁ ପାଶୋରି ପକାଇଲୁ । ତଥାପି ସହିଲୁ । ତଥାପି ଭଲ ଲୋକ ହୋଇ ରହିଲୁ ।

 

ବର୍ତ୍ତମାନ ଭାରତବର୍ଷରେ ଏପରି ଏକ ସମୟ ପଡ଼ିଛି, ଯେତେବେଳେ ଗାନ୍ଧୀଙ୍କର କହିଥିବା କଥାଗୁଡ଼ାକୁ ହିଁ ଲୋକମାନେ ସବୁଠାରୁ ଅଧିକ ପ୍ରତ୍ୟୟର ସହିତ ଶୁଣୁଥାନ୍ତେ । ଦାଣ୍ଡଯାକ ଯେତେବେଳେ ସମସ୍ତେ ଏକାବେଳେ ଭୀରୁ ଓ ଉଗ୍ର ହୋଇ ସମସ୍ତଙ୍କୁ ଭଣ୍ଡିବାରେ ଲାଗିଛନ୍ତି, ସେତେବେଳେ ଗାନ୍ଧୀଙ୍କର ଶିବିରରୁ ହିଁ ଅସଲ ଗଢ଼ିବାର କଥାଗୁଡ଼ାକ ଶୁଣିବାକୁ ମିଳିପାରୁଥାନ୍ତା । ଅବିଶ୍ଵାସ ଭିତରେ ଯେଉଁମାନେ ତଥାପି ବିଶ୍ଵାସର କଥା କହି ପାରିଥାନ୍ତେ, ସେମାନଙ୍କୁ ପ୍ରକୃତରେ ଗାନ୍ଧୀଙ୍କର ଶିବିରରେ ହିଁ ଠାବ କରି ହେଉଥାନ୍ତା । ଯେତେବେଳେ ଅସଲ ସତ୍ୟାଗ୍ରହୀମାନଙ୍କର ସବୁଠାରୁ ଅଧିକ ଆବଶ୍ୟକତା ରହିଛି, ଯେତେବେଳେ ସେମାନଙ୍କ ଲାଗି ସବୁଠାରୁ ଅଧିକ ଲୋଡ଼ା ପଡ଼ିଛି, ସେତେବେଳେ ସେମାନେ କେଉଁ ଅନାଗ୍ରହର ନିକାଞ୍ଚନ ଭିତରେ କାହିଁକି ଯାଇ ଲୁଚି ରହିଲେ ? ସେମାନେ ଗାନ୍ଧୀଙ୍କୁ ନେଇ କୁଆଡ଼େ ଲୁଚି ରହିଲେ ? ଏବେ ଏହିସବୁ କଥା ଅଧିକରୁ ଅଧିକ ଆଲୋଚିତ ହେଉ । ଏକ ସମୀକ୍ଷାତ୍ମକ ଦୃଷ୍ଟିକୁ ସବା ଆଗରେ ରଖି ଆଲୋଚିତ ହେଉ । ଯାବତୀୟ ପ୍ରକାର ଅସୂୟା ଏବଂ ଭାବପ୍ରବଣତାରୁ ମୁକ୍ତ ରହି ବର୍ତ୍ତମାନ ସବା ଆଗ ସେଇ କଥାଟିର ଆଲୋଚନା ହେଉ ।

 

ରାଜନୀତିକ ସ୍ଵାଧୀନତା ହାସଲ ହେବା ପରେ ଗାନ୍ଧୀ ଦେଖୁଥିଲେ ସ୍ଵପ୍ନଗୁଡ଼ିକର ମାର୍ଗରଚନା ଏହି ଦେଶର ଯଥାର୍ଥ ହିଁ ଆରମ୍ଭ ହୋଇଥାନ୍ତା । ସତ୍ୟାଗ୍ରହର ଏକ ସମଗ୍ର ପ୍ରେରଣା ଦ୍ଵାରା ତାହା ଆରମ୍ଭ ହୋଇଥାନ୍ତା । କୌଣସି ସରକାର, ତାହା ଯେତେବେଶୀ ଆଦର୍ଶସ୍ଥାନୀୟ ହୋଇଥାଉ ପଛେକେ, କେବେହେଲେ ସେହି କାର୍ଯ୍ୟଟିକୁ କରି ନଥା’ନ୍ତା ସରକାର ସେହି କାର୍ଯ୍ୟଟିରେ ଯଥେଷ୍ଟ ଅନୁକୂଳତା ସୃଷ୍ଟି କରିଥିଲେ । ସତ୍ୟାଗ୍ରହୀମାନେ ତାହାକୁ ଏକ ବିଶେଷ ଆଶୀର୍ବାଦ ବୋଲି ମନେ କରିଥାନ୍ତେ ସିନା, ମାତ୍ର ସେହି ଅନୁକୂଳତା ଆଦୌ ମିଳି ନ ଥିଲେ ମଧ୍ୟ ସେମାନେ ତଥାପି ସେହି କାର୍ଯ୍ୟଟିକୁ କରିଥାନ୍ତେ । ଭାରତବର୍ଷରେ ଠିକ୍ ଓଲଟାଟା ଫଳିଲା । ଯେଉଁମାନେ ସତ୍ୟାଗ୍ରହୀ ଭାବରେ ବିକଳ୍ପ ନେତୃତ୍ଵଟିକୁ ଦେଇ ପାରିଥାନ୍ତେ, ନାନା କାରଣରୁ ସେମାନେ ଭଲଲୋକ ରହିଲେ, ଭଲଲୋକଙ୍କ ସଭାରେ ଯାଇ ବସିବାଲାଗି ଆପଣାର ଅସଲ ଆଗ୍ରହ ଓ ଅସଲ ପରିଚୟଟିକୁ ସତେଅବା ଲାଜରେ ଲୁଚାଇ ରଖିବାକୁ ହିଁ କାଳୋପଯୋଗୀ ବିବେକ ବୋଲି ଗ୍ରହଣ କରିନେଲେ । ଯୁବକମାନେ ଦେଖୁଁ ଦେଖୁଁ ବୁଢ଼ା ହୋଇଗଲେ; ଜଳନ୍ତା ଅଙ୍ଗାରମାନେ ଦେଖୁଁ ଦେଖୁଁ ଶୀତଳ ହୋଇଗଲେ ।

 

ଗତ ତିନି ଦଶନ୍ଧିର ଏକ ପୁର୍ନମୂଲାୟାନ ହେବା ଉଚିତ୍ । ସତ୍ୟାଗ୍ରହର ପୁନଃସମୀକ୍ଷଣ ହେବା ଉଚିତ୍ । ମାତ୍ର ସତ୍ୟାଗ୍ରହକୁ ସର୍ବପ୍ରଥମେ ଏକ ଶକ୍ତିରୂପେ ଅନୁଭବ କରି ତା’ପରେ ଏସବୁ ହେବା ଉଚିତ୍ । ଆମ ପୃଥିବୀରେ ରାଜନୀତି ଓ ରାଷ୍ଟ୍ରୀୟ କର୍ତ୍ତୃତ୍ଵର ପ୍ରଚଣ୍ଡତାଗୁଡ଼ାକ ଯେତିକି ଅଧିକ ହେବାରେ ଲାଗିଛି ମଣିଷ ହିସାବରେ ଅଧିକରୁ ଅଧିକ ସଂଖ୍ୟକ ମଣିଷ ଆପଣାକୁ ନିତାନ୍ତ ଅସହାୟ ବୋଲି ମନେ କରୁଛନ୍ତି । ଭାବଗୁଡ଼ାକ ମରି ମରି ଯାଉଛି, ଅଭାବଗୁଡ଼ାକ ହିଁ ଅଧିକରୁ ଅଧିକ ବଡ଼ ଆଁ କରି ଆମର ଯାବତୀୟ ଶୁଭ ବାସନାକୁ ଗ୍ରାସ କରି ପକାଇବାକୁ ଆସୁଛନ୍ତି । ଶିବିରଗୁଡ଼ାକ ଭାଗ ଭାଗ ହୋଇ ଯାଉଛନ୍ତି, ସାଙ୍ଗମାନେ ସାଙ୍ଗ ଛାଡ଼ି ପରସ୍ପରଠାରୁ ଅଧିକରୁ ଅଧିକ ଦୂରଛଡ଼ା ହୋଇଯିବାରେ ଲାଗିଛନ୍ତି । ଏହିସବୁ ଦରିଦ୍ରତାର ସମୀକ୍ଷା ହେବା ଉଚିତ୍ । ଶଙ୍କରଚାର୍ଯ୍ୟଙ୍କର ଭାଷାରେ ଏକ ‘ପରସ୍ପରାନୁକଥନ’ ହେବା ଉଚିତ୍ ।

 

ସମଗ୍ର ଭାରତବର୍ଷ ଯେଉଁ ସୁସ୍ଥତର ବିକଳ୍ପ ନେତୃତ୍ୱ ଲାଗି ଅପେକ୍ଷା କରି ରହିଛି, ତାହା ସତ୍ୟାଗ୍ରହ ଶକ୍ତିକୁ ଛାଡ଼ି କଦାପି ସମ୍ଭବ ହୋଇ ପାରିବ ନାହିଁ । ଅଣାୟତ୍ତମାନେ କଦାପି ସେହି ନେତୃତ୍ୱ ଦେଇ ପାରିବେ ନାହିଁ । କ୍ଷମତା ଇଚ୍ଛା କରୁଥିବା ଚତୁରମାନେ ବି ତାହାର ଯୋଗ୍ୟ ହେବେନାହିଁ । ଅନାଗ୍ରହୀମାନେ ଏଥିଲାଗି ସବୁବେଳେ ଅପାରଗ ହୋଇ ରହିଥିବେ । ଭଲଲୋକ ପରି ଦିଶିବାକୁ ଚେଷ୍ଟା କରୁଥିବା ନିରାପତ୍ତାଲୋଭୀମାନେ ବି କଦାପି ତାହାର ସମର୍ଥ ହେବେ ନାହିଁ-। ସତ୍ୟକୁ ଆଗ୍ରହ କଲେ ଅସତ୍ୟ ଆଗରେ ଅବଶ୍ୟ ନାହିଁ ବୋଲି କହିବାକୁ ହେବ । ଅନ୍ୟାୟକୁ ଅନ୍ୟାୟ ବୋଲି କହିଲେ ଯାଇ ନ୍ୟାୟର ପକ୍ଷଗ୍ରହଣ କରିବା ସମ୍ଭବ ହେବ । ମଣିଷ ଭିତରେ ଯଥାର୍ଥ ମିତ୍ରତାଟିକୁ ଆବିଷ୍କାର କରି ପାରୁଥିଲେ କ୍ଷମତାଗୁଡ଼ାକୁ ଏକ ଲଜ୍ଜାକର ଅଳ୍ପତା ବୋଲି ଘୋଷଣା କରି ପାରିବାର ସାହସ ଆସିବ; ତେଣୁ ସତ୍ୟାଗ୍ରହୀମାନେ ପୁଣି ଏକାଠି ହୁଅନ୍ତୁ, ପରସ୍ପର ମଧ୍ୟରେ ଅନାଗ୍ରହଗୁଡ଼ାକ ସହିତ ଯୁଦ୍ଧ କରନ୍ତୁ, ତେବେ ଯାଇ ବିକଳ୍ପ ବାହାରିବ ।

 

‘ସର୍ବୋଦୟ’ ୬/୫/୮୨

Image

 

ଗାନ୍ଧୀ-ବିପ୍ଳବର ବିଚାର

 

ଆମେ ଯେଉଁମାନେ ଦିନେ ଗାନ୍ଧୀଙ୍କର ସାଙ୍ଗରେ ଥିଲେ ବୋଲି ଭାବୁଥିଲୁ ଓ ନାନା କାରଣରୁ ପରେ ତାଙ୍କ ବାଟରୁ ତଳକୁ ଓହରି ଆସିଲୁ ଅଥବା ଓହ୍ଲାଇ ଆସିଲୁ ଅଥବା ଓହ୍ଳାଇ ଆସିଲୁ, ଏବେ ସେମାନେ ଅଧିକାଂଶତଃ ଗାନ୍ଧୀମାର୍ଗରେ ବୁଦ୍ଧିବାଦୀ ଆଲୋଚନାମାନ କରିବାକୁ ଅଧିକ ପସନ୍ଦ କରୁଛୁ । ଗାନ୍ଧୀ ମାର୍ଗକୁ ଆମେ ଗାନ୍ଧୀବାଦର ଗଡ଼ିଆ ଭିତରେ ଆଣି ଥୋଇଲୁଣି । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଗାନ୍ଧୀକୁ ଆମେ ନେତାରୂପେ ଗ୍ରହଣ କରିଥିଲୁ । ତାଙ୍କର ନେତୃତ୍ଵରେ ଆମର ପ୍ରକୃତରେ କୌଣସି ବିଶ୍ଵାସ ରହିଥିଲା ବୋଲି ସମ୍ଭବତଃ ନୁହେଁ, ମାତ୍ର ତତ୍‍କାଳୀନ ପରିସ୍ଥିତିରେ ଗାନ୍ଧୀ–ନେତୃତ୍ଵ ହିଁ ସବୁଠାରୁ ଅଧିକ ଫଳଦାୟକ ନେତୃତ୍ଵ ବୋଲି ଆମକୁ ପ୍ରତୀତ ହେଉଥିଲା ବୋଲି ଆମେ ସେହି ନେତୃତ୍ଵକୁ ବ୍ୟବହାର କରିବାଲାଗି ଅଧିକ ଉତ୍ସାହ ଦେଖାଉଥିଲୁ ବୋଲି ପ୍ରାୟ ଜାଣିଶୁଣି ସେହି ନେତୃତର କେବଳ ଅର୍ଦ୍ଧାଂଶକୁ ହିଁ ଦେଖିଥିଲୁ, କେବଳ ତାହାର ତାତ୍କାଳିକ ଅଂଶଟିକୁ ଦେଖିଥିଲୁ । ଗାନ୍ଧୀ ଭାରତବର୍ଷର ସ୍ଵାଧୀନତା ଚାହୁଁଥିଲେ, ମାତ୍ର ତାଙ୍କର ତଥାକଥିତ ରାଜନୀତକ କାର୍ଯ୍ୟକ୍ରମଗୁଡ଼ାକ ମଧ୍ୟ କେବେହେଲେ କେବଳ ରାଜନୀତି ମଧ୍ୟରେ ସୀମାବଦ୍ଧ ହୋଇ ରହିନଥିଲା । ତୁଚ୍ଛା ରାଜନୀତିକ ନେତୃତ୍ୱ ନିଜପାଇଁ ରାଜନୀତକ କ୍ଷମତା ହାସଲ କରିବାକୁ ଇଚ୍ଛା କରୁଥାଏ । ଆପଣାର ସେହି କ୍ଷମତା ହାସଲ କରିବାର ମୂଳ ମତଲବଟିକୁ ଯଥାସମ୍ଭବ ଘୋଡ଼ାଇ ରଖିବ ବୋଲି ସେ ତାହା ଉପରେ ଏକ ବିପ୍ଳବର ପଟୁ ଦିଆ ହୋଇଥିବା ଶବ୍ଦମୟ ଉତ୍ତେଜନାର ଫାଶୀ ବସାଇ ଦେଇଥାଏ । କ୍ଷମତା ଇଚ୍ଛା କରୁଥିବା ନେତୃତ୍ୱ ପ୍ରକୃତରେ ବିପଦ ଚାହେଁ; ଆପଣାକୁ ଚାହେଁ । ଆପେ କ୍ଷମତା ଆସିବା ପର୍ଯ୍ୟନ୍ତ ପ୍ରଚଣ୍ଡ ଉତ୍ସାହରେ ନିଜକୁ ବିପ୍ଳବୀ ବୋଲି କହୁଥାଏ, ଗାଦି ହାତକୁ ଆସିଲେ ସେଇଠି ମୁହଁମାଡ଼ି ରହିଯାଏ, ପ୍ରଚଣ୍ଡ ଲାଳସାରେ ପ୍ରତିକ୍ରିୟାଶୀଳ ବନେ; ଆଉ କାହାରିକୁ ଆଗକୁ ଯିବାକୁ ଦିଏନାହିଁ ।

ଗାନ୍ଧୀ କ୍ଷମତା ପାଇଁ ବିପ୍ଳବ ଚାହୁଁ ନଥିଲେ, ନିଜେ ଗାଦିରେ ବସିବେ ବୋଲି ଦେଶପାଇଁ ରାଜନୀତିକ ସ୍ଵାଧୀନତା ଚାହୁଁନଥିଲେ । ସିଏ ଭାରତବର୍ଷର ସମାଜକୁ ଏକ ଅନ୍ୟ ଭିତ୍ତି ଉପରେ ଗଢ଼ିବାକୁ ଇଚ୍ଛା କରୁଥିଲେ । ନୂଆ ମୁକୁଟ ପିନ୍ଧିବା ଯେଡ଼େ ସହଜ, ନୂଆ ମଣିଷଟିଏ ହେବା ପ୍ରାୟ ସେତିକି କଷ୍ଟକର; ନୂତନ କେତେକ ସୁସ୍ଥତର ମୂଲ୍ୟ ଉପରେ ବିଶ୍ଵାସ ସ୍ଥାପନ କରି ଉକ୍ତ ନୂଆ ମଣିଷର ଅନୁକୂଳ ଏକ ନୂଆ ସମାଜ ଗଢ଼ିବା; ପୁଣି, ଉପରୁ କୌଣସି ରାଜନୀତିକ କ୍ଷମତାର ପ୍ରୟୋଗ କରି ନୁହେଁ, ସ୍ଵୀକୃତ ମୂଲ୍ୟଗୁଡ଼ିକ ସହିତ ଆତ୍ମିକ ସଂଗତି ରକ୍ଷା କରି ତାହାକୁ ତଳୁ ପାହାଚ ପାହାଚ କରି ଗଢ଼ିବା,–ଏହା ଆହୁରି ଅଧିକ କଷ୍ଟକର । ଭାରତବର୍ଷ ରାଜନୀତିକ ସ୍ଵାଧୀନତା ହାସଲ କରିବା ପୂର୍ବରୁ ମଧ୍ୟ ଗାନ୍ଧୀ ନିଜର ସେହି ଦ୍ଵିତୀୟ ସ୍ଵପ୍ନଟି ବିଷୟରେ ସଂପୃକ୍ତ ସମସ୍ତଙ୍କୁ ଅଧିକାଂଶ ସମୟରେ ସଚେତ କରାଇ ଦେଉଥିଲେ । ସେହି ଦିଗରେ ସକ୍ରିୟ ଭାବରେ ଅନେକ କିଛି ଆରମ୍ଭ ମଧ୍ୟ କରି ଦେଇଥିଲେ । ସମ୍ଭବତଃ ରାଜନୀତିକ ସଂଗ୍ରାମଟି ବିଷୟରେ ଯେତିକି କହୁଥିଲେ ବା ଲେଖୁଥିଲେ, ଅଧିକ କଷ୍ଟକର ଦ୍ଵିତୀୟ ରଚନାଟି ସମ୍ବନ୍ଧରେ ତାହାରି ଅନେକଗୁଣ ଅଧିକ କହୁଥିଲେ ଓ ଲେଖୁଥିଲେ । ରାଜନୀତିକ ସ୍ଵାଧୀନତା ହାସଲ ହୋଇଯିବା ପରେ ଆମେ ଯେଉଁମାନେ ଆମର ଇପ୍‍ସିତ ସବୁ ପାଇଗଲୁ ବୋଲି ବିଚାର କଲୁ, ସେମାନେ ଗାନ୍ଧୀ ଆମର ଆଉ ବେଶୀକିଛି କାମରେ ଲାଗିବେ ନାହିଁ ବୋଲି ଭାବିବାକୁ ଲାଗିଲୁ । ତେଣୁ ଆମେ ତାଙ୍କର ମୂର୍ତ୍ତି ତିଆରି କଲୁ, ତାଙ୍କ ନାମରେ ପୁରାଣ ଲେଖିଲୁ । ରାଜନୀତିକ ସ୍ଵାଧୀନତା ପରେ ଗାନ୍ଧୀ ଭାରତବର୍ଷରେ ଯାହାସବୁ କଲେ ବା କହିଲେ, ଅନେକ ସମୟରେ ଆମକୁ ସେସବୁ ସତେଅବା ଭାରି ଅବୋଧ୍ୟ ପରି ମନେହେଲା । ସେ ଇହଧାମ ତ୍ୟାଗ କରିବାପରେ ଯାଇ ଆମକୁ ଗାନ୍ଧୀବାଦ ନାମକ ଏକ ଅନ୍ୟ ଅଧିକ ନିରାପଦ ପ୍ରକୋଷ୍ଠ ନିର୍ମାଣ କରି ତାହାରି ଭିତରେ ଗାନ୍ଧୀମାର୍ଗକୁ କିଳି ରଖିବା ଲାଗି ଏକ ଅବସର ମିଳିଗଲା । ତେଣିକି ଆମେ ନିଜ ମାର୍ଗରେ ତାଙ୍କ କଥା କହିଲୁ, ତାଙ୍କ ନାମରେ କିଆରୀମାନ ବୁଣି ଫସଲଗୁଡ଼ାକୁ ଗୋଟାସୁଦ୍ଧା ନିଜ ଖଳାରେ ନିଜ ବାଗରେ ଅମଳ କରିବାରେ ଲାଗିଥିଲୁ । ଆମ ଅସମ୍ମତମାନଙ୍କର ତାମସା ଭିତରେ ଗାନ୍ଧୀ ଆହ୍ୱାନର ସମଗ୍ର ପରିଧିଟି ଏକାବେଳକେ ଅନ୍ୟ ପ୍ରକାରେ ଦେଖାଗଲା । ହୁଏତ ଏକ ମାର୍ଗଭଳି ଆଦୌ ଦେଖାଗଲାନାହିଁ ।

ଗାନ୍ଧୀଙ୍କର ଦ୍ଵିତୀୟ ସ୍ଵପ୍ନଟି ପାଇଁ ଆମ୍ଭେମାନେ ଅସମ୍ମତି ପ୍ରକାଶ କଲୁ । ସାମାଜିକ ବିପ୍ଳବ ଫଳରେ ଯେଉଁ ପରିବର୍ତ୍ତନମାନ ଅବଶ୍ୟମ୍ଭାବୀ ହୋଇପଡ଼ିବ, ତଦ୍ଦ୍ଵାରା ଆମେ ସ୍ଵୟଂ କ୍ଷତିଗ୍ରସ୍ତ ହେବୁ ବୋଲି ହୁଏତ ଅସମ୍ମତ ହୋଇ ରହିବାକୁ ସ୍ଥିର କଲୁ । ଭାରତର ସାମାଜରେ ଆବହମାନ କାଳରୁ ସବୁ ମଣିଷଙ୍କୁ କଦାପି ସ୍ଵୀକାର କରାଯାଇନାହିଁ । ଗାନ୍ଧୀଙ୍କର ଦ୍ଵିତୀୟ ସ୍ଵପ୍ନ ଆମଠାରୁ ପ୍ରାୟ ସେହିପରି ଏକ ଅସମ୍ଭବ କଥାକୁ ଦାବୀ କରୁଥିଲା । ଆମେ ତାହାକୁ ପ୍ରତ୍ୟାଖ୍ୟାନ କଲୁ; ଏବଂ ବୈରାଗ୍ୟ ଅବଲମ୍ବନ କରି ରହିଲୁ । ପୁରୁଣା ମୂଳଗୁଡ଼ିକୁ ଭାଙ୍ଗି ବ୍ୟାଧିର ଅସଲ ନିଦାନଗୁଡ଼ିକୁ କୌଣସି ପ୍ରକାରେ ଉଖାଇବାକୁ ଭୟ କଲୁ । ତେଣୁ ଶୀତଳ ହୋଇ ଆମେ ଯାହାକୁ ଗାନ୍ଧୀକାମ ବୋଲି ଭାବିଲୁ, ସେଥିରେ ନିଜକୁ ଗୁରାଇ ତୁରାଇ କରି ରଖିଲୁ । ଖଦୀକାମ କଲୁ, ନିଶାନିବାରଣ ଓ ଗ୍ରାମୋଦ୍ୟୋଗ ଆଡ଼େ ମନ ଦେଲୁ; ଗୋହତ୍ୟା ନିରୋଧ, ଲିପିସଂସ୍କାର, କୁଷ୍ଠସେବା, ପ୍ରାକୃତିକ ଚିକିତ୍ସା,–ଏଗୁଡ଼ିକୁ ବିପ୍ଳବର ସମଗ୍ର ଚିତ୍ରଟିଠାରୁ ଖଣ୍ଡିଆ କରି ଦେଖିବାରୁ ସେଗୁଡ଼ିକ ବେଶ୍ ନିରାପଦ ମନେହେଲା ଓ ଆମେ ପ୍ରେମର ସହିତ ସେହିଗୁଡ଼ିକୁ ଆଦରି ନେଲୁ । ଅତି ପରିମାଣରେ କେନ୍ଦ୍ରୀଭୂତ ହୋଇ ରହିବାର ଏକ ରାଷ୍ଟ୍ରଠାରୁ ଅର୍ଥ ମାଗି ବିକେନ୍ଦ୍ରୀକରଣର ଯାବତୀୟ ଧନ୍ଦା ସଫଳ ଭାବରେ କରାଯାଇ ପାରିବ ବୋଲି ବିଶ୍ଵାସ କଲୁ । ତା’ପରେ ନିଧିମାନ ଗଢ଼ାହେଲା, ଆମ ଭିତରୁ ଅନେକେ ସେଥିରେ ଶ୍ରେଷ୍ଠୀର ପଦମାନଙ୍କରେ ଯାଇ ବସିଲେ । ଗବେଷଣା ହେଲା, ସମ୍ପାନ ଓ ସେମିନାରମାନଙ୍କରେ ଧୂଳି ଉଡ଼ିଲା । ମାତ୍ର ତେଣେ ମୂଳ ଛାଡ଼ିଗଲା, ଗାଦି ସହିତ ଲଢ଼େଇ ଇତି ହୋଇ ରହିଲା । ଏବେ ପରିବେଶର ଶୋଧନ, ବନୀକରଣ ପ୍ରଭୃତି ପାଶ୍ଚାତ୍ୟ ରୀତିର ଅନୁକରଣରେ ଭାରତବର୍ଷରେ ଯେଉଁ ଧୂଆଁ ଉଠିଛି, ସେଇଟି ମଧ୍ୟ ଆମ ଭିତରୁ ଅନେକଙ୍କୁ ଅସଲ ଆହ୍ୱାନଗୁଡ଼ିକୁ ଛାଡ଼ି ପରୋକ୍ଷ ସନ୍ନ୍ୟାସ ଗ୍ରହଣ କରିବାରେ କେତେ ସାହାଯ୍ୟ କରୁଛି । ଏବଂ, ଆମର ଯାବତୀୟ ଅନୁଧାବନ ସତ୍ତ୍ୱେ, ଭାରତବର୍ଷରେ ବଳବାନ୍‍ମାନେ ହୁ’ ହୁ’ ହୋଇ ଅଧିକ ବଳବାନ୍ ହେବାରେ ଲାଗିଛନ୍ତି ଓ ଦୁର୍ବଳକୁ ଆହୁରି ଅଧିକ ଦୁର୍ବଳ କରି ଦିଆଯାଉଛି-। କ୍ଷମତା ଆଗରେ ସାମାନ୍ୟ ସାମାଜିକ ନୈତିକତା ମଧ୍ୟ ମୁହଁ ଦେଖାଇବାକୁ ଭୟ କରୁଛି । ଗାନ୍ଧୀ–ନେତୃତ୍ଵର ଅସଲ ପରିଚୟ କେତୋଟି କାର୍ଯ୍ୟକ୍ରମର ଏକତ୍ର ସଂଯୋଜନ ନୁହେଁ, ଗାନ୍ଧୀ–ନେତୃତ୍ଵର ଅସଲ ସନ୍ତକ ହେଉଛି ନିର୍ଭୟତା, ନିଶ୍ଚଳତା, ମାନବୀୟ ସମ୍ମାନ–ବୋଧ । ଭାରତବର୍ଷରେ ଏହିଗୁଡ଼ିକର ହିଁ ସବୁଠାରୁ ଅଧିକ ଅଭାବ ରହିଛି । କାମୁକମାନେ ଅଧିକ ନୃଶଂସ ହେବାରେ ଲାଗିଛନ୍ତି । ପ୍ରତିରୋଧ କରିବାକୁ କେହି ନାହିଁ । ଅସଲ ଦାନ୍ତଗୁଡ଼ିକ ଯେଉଁମାନଙ୍କର ରହିଥାଆନ୍ତା ବୋଲି ଦେଶବାସୀ ପ୍ରତ୍ୟାଶା କରୁଛନ୍ତି, ସେମାନେ ଆପଣାକୁ ସତେ ଯେପରି ପାକୁଆ ବୋଲି ଅନୁଭବ କରୁଛନ୍ତି । ସଂସ୍ଥା ବଢ଼ୁଛି, ସିରସ୍ତା ବଢ଼ୁଛି, ବୁଦ୍ଧିବାଦୀମାନଙ୍କୁ ଏକାଠି ବସାଇ ଆଲୋଚନାମାନ କରାଯାଉଛି, ମାତ୍ର କାହାରି ପାଟିରେ ଗୋଟିଏ ହେଲେ ଦାନ୍ତ ନାହିଁ ।

ଗାନ୍ଧୀନେତୃତ୍ଵତର ଗୋଟିଏ ପାଖ ଅହିଂସା, ଆଉ ଗୋଟିଏ ପାଖ ସତ୍ୟାଗ୍ରହ । ଗାନ୍ଧୀବାଦୀ ଶିବିରରେ ସ୍ଵାଧୀନ ଭାରତରେ ସତ୍ୟାଗ୍ରହକୁ ହିଁ ସତେଅବା ବୟକଟ୍ କରି ରଖାଯାଇଛି-। ସତ୍ୟର ପ୍ରତିଷ୍ଠା ଲାଗି ସାଧନ ହେଉଛି ଅହିଂସା, ଏବଂ ସତ୍ୟାଗ୍ରହ ହେଉଛି ଅହିଂସାକୁ କ୍ରିୟାତ୍ମକ ଅର୍ଥାତ୍ ସତତ ଜାଗରୂକ କରି ରଖିବାର ଏକ ଆଭିମୁଖ୍ୟ । ଏବେ ଭାରତବର୍ଷ ବାହାରେ ଯେଉଁଠିସବୁ ଗାନ୍ଧୀନେତୃତ୍ଵର ଆକର୍ଷଣ ଅନୁଭୂତ ହେଉଛି, ସେଠାରେ ଏହି ସତ୍ୟାଗ୍ରହ ହିଁ ଏହି ଜଗତର ସାମ୍ପ୍ରତିକ ପରିପ୍ରେକ୍ଷୀରେ ସବୁଠାରୁ ଅଧିକ ପ୍ରାସଙ୍ଗିକ ବୋଲି ଦେଖାଯାଉଛି-। ଆଉ ଯେପରି ଅନ୍ୟ କୌଣସି ବିକଳ୍ପ ବାଟ ନାହିଁ; ସ୍ଥାନୀୟ ରାଜନୀତିର ଜାଲ ଭିତରୁ ବାହାରି ଜଗତ ବିଷୟରେ ଚିନ୍ତା କରୁଥିବା ଓ ଏକ ପରିବର୍ତ୍ତନର କାମନା କରୁଥିବା ବ୍ୟକ୍ତିମାନେ ସତ୍ୟାଗ୍ରହକୁ ହିଁ ସଂସାରର ପରବର୍ତ୍ତୀ ଭବିଷ୍ୟତଟିକୁ ସମ୍ଭବ କରିବାର ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ବାଟ ବୋଲି ବିଶ୍ଵାସ କରୁଛନ୍ତି । ନାନା ଅନ୍ୟ ଆଗ୍ରହ ମଧ୍ୟରେ ପଡ଼ି ଭାରତବର୍ଷର ନେତୃତ୍ଵ ଆଜି ସତ୍ୟାଗ୍ରହଠାରୁ ଯଥାସମ୍ଭବ ଅଧିକ ଦୂରରେ ରହିବାକୁ ହିଁ ଉଚିତ ମନେ କରୁଛି । ଭାରତବର୍ଷରେ ଯେଉଁମାନେ ଏବେ ସତ୍ୟାଗ୍ରହର ନାମକୁ ବ୍ୟବହାର କରି ଆପଣାର କୋଳାହଳଗୁଡ଼ାକୁ ଜାରି ରଖିବାରେ ଲାଗିଛନ୍ତି, ସେମାନେ ସମସ୍ତେ ହେଉଛନ୍ତି ରାଜନୀତିକ ମହାତ୍ତ୍ଵାକାଂକ୍ଷାରେ ରହିଥିବା ବ୍ୟକ୍ତି-। ଏମାନେ କେହି ଅସଲ ବିପ୍ଳବଟିକୁ ଇଚ୍ଛା କରୁ ନାହାନ୍ତି, ଆପେ କ୍ଷମତାକୁ ଆସିବାକୁ ହିଁ ଏକମାତ୍ର ବିପ୍ଳବ ବୋଲି ଗ୍ରହଣ କରି ନେଇଛନ୍ତି । ପୃଥିବୀର କ୍ଷମତାକାମୀମାନେ ଆଗରୁ ମଧ୍ୟ ଏହିପରି ଅନେକ ବିପ୍ଳବ କରିଛନ୍ତି, ଅସଲ ବିପ୍ଳବକୁ ଅବରୁଦ୍ଧ କରି ରଖିଛନ୍ତି, ମନୁଷ୍ୟର ଅସଲ ଉଦୟଗୁଡ଼ିକୁ ଅଟକାଇ ରଖିଛନ୍ତି । କ୍ଷମତାଲିପ୍‍ସା ତାହା ବ୍ୟକ୍ତିଗତ ହୋଇଥାଉ ଅଥବା ରାଷ୍ଟ୍ରଗତ ହୋଇଥାଉ–ତାହାର ଅସଲ ଗଣ୍ଠିଗୁଡ଼ାକ ଫାଟିଲେ ଯାଇ ମନୁଷ୍ୟର ଅସଲ ଉଦୟଲାଗି ଯଥାର୍ଥ ଭିତ୍ତିଟିଏ ତିଆରି ହୋଇ ପାରିବ । ପୃଥିବୀର ଅଧିକରୁ ଅଧିକ ସଚେତନ ମନୁଷ୍ୟ ଏବେ ଏହି କଥାଟିକୁ ଉପଲବଧି କରିବାକୁ ଆରମ୍ଭ କଲେଣି । ବିଶେଷ କରି, ପୃଥିବୀର ଯେଉଁ ଦେଶଗୁଡ଼ିକୁ ଏକତ୍ର ଗୋଟିଏ ନାମ ଦେଇ ତୃତୀୟ ପୃଥିବୀ ବୋଲି କୁହାଯାଇଛି, ସେହିସବୁ ଦେଶର ସର୍ବପ୍ରଧାନ ସମସ୍ୟା ଆଦୌ ପ୍ରତିରକ୍ଷା ସମସ୍ୟା ନୁହେଁ, ତାହାହେଉଛି କ୍ଷୁଧା ଓ ଦାରିଦ୍ର୍ୟର ସମସ୍ୟା, ଅଶିକ୍ଷାର ସମସ୍ୟା, ଏକ ବର୍ବର ସମାଜରେ ଅଳପ ମଣିଷ ସବୁପ୍ରକାରେ ଲକ୍ଷ୍ମୀମନ୍ତ ହୋଇ ଅନେକ ସଂଖ୍ୟକଙ୍କୁ ଅଫିମ ଖୁଆଇ ହୀନ କରି ରଖିଥିବାର ସମସ୍ୟା । ଗୋଟିଏ କଥାରେ କହିଲେ ଏହା ହେଉଛି ପ୍ରତ୍ୟେକ ମନୁଷ୍ୟ ଲାଗି ତାର ସମ୍ମାନବୋଧକୁ ଫେରାଇ ଆଣିବାର ସମସ୍ୟା । ପୃଥିବୀର ଆଗାମୀ ଉଦବେଳନଟି ଏହି ସମସ୍ୟାକୁ ଭୂମିରୂପେ ବ୍ୟବହାର କରି କ୍ରମେ ଦାନା ବାନ୍ଧିବାକୁ ଆରମ୍ଭ କଲାଣି । ଦେଶ, ରାଷ୍ଟ୍ର ଏବଂ ବାଦର ଯାବତୀୟ ସୀମାକୁ ଅତିକ୍ରମ କରି ରହିଥିବା ଅଥଚ ଆପଣାର ଏକ ପ୍ରତ୍ୟକ୍ଷ ଭୂମିରୁ ହିଁ ସକ୍ରିୟ ଭାବରେ କିଛି କରିବାର ଉଦବୋଧନ ଦେଇ ଆସିଥିବା ଗାନ୍ଧୀନେତୃତ୍ଵର ହିଁ ଏହି କ୍ଷେତ୍ରରେ ସର୍ବାଧିକ ପ୍ରାସଙ୍ଗିକତା ରହିଛି । ସେହି ଉଦବୋଧନର ଏବେ ମଧ୍ୟ ଆବଶ୍ୟକତା ରହିଛି-। ପାରମ୍ପାରିକ ଭାବରେ ମନୁଷ୍ୟର ପୁରୁଣା ସଂଗ୍ରାମଗୁଡ଼ିକରେ ବ୍ୟବହୃତ ହୋଇ ଆସିଥିବା ଅସ୍ତ୍ରଗୁଡ଼ିକ ଉପରୁ ମଣିଷର ବିଶ୍ଵାସ ଯେତିକି ଅଧିକ ପରିମାଣରେ ତୁଟି ତୁଟି ଯାଉଛି, ସେ ଏକ ବିକଳ୍ପ ଖୋଜି ସେତିକି ଅଧିକ ଆଶ୍ଵାନିତ ଭାବରେ ଭାରତବର୍ଷର ଏକଦା ଏକ ଅସାଧାରଣ ଚମତ୍କାର ଦେଖାଇଥିବା ଗାନ୍ଧୀନେତୃତ୍ଵ ଆଡ଼କୁ ଅନାଉଛି । ଅନ୍ୟ ଯାବତୀୟ ବିପ୍ଳବ କେବଳ ସେହି ବିପ୍ଳବର ନେତାମାନଙ୍କୁ ଘୋଡ଼ା ଉପରେ ବସିବାରେ ହିଁ ସାହାଯ୍ୟ କରିଛି; ତେଣେ ଅଧିକରୁ ଅଧିକ ମଣିଷ ଅଧିକ ଅସହାୟ ଅନୁଭବ କରିଛନ୍ତି । ମଣିଷମାନେ ଦାସ ହୋଇ ସମ୍ପନ୍ନତା କିଣିଛନ୍ତି, ସୁଖ ଭୋଗ କରିଛନ୍ତି । ଏବେ ସେମାନଙ୍କର ମୋହଭଙ୍ଗ ହେବାକୁ ଆରମ୍ଭ କଲାଣି । ଯେଉଁ ସଂଗ୍ରାମରେ ଅସଲ ବଳଗୁଡ଼ିକ ମଣିଷ ହାତରେ ହିଁ ରହିପାରିବ, ପୃଥିବୀ ସେହିପରି ଏକ ସଂଗ୍ରାମର ପଥ ଖୋଜିବାରେ ଲାଗିଛି । ଏହି କ୍ଷେତ୍ରରେ ତା’ ଆଗରେ କେବଳ ଗୋଟିଏ ନଜିର ରହିଛି, ତାହା ହେଉଛି ସତ୍ୟାଗ୍ରହର ନଜିର । ଏହି ଦୃଷ୍ଟିରୁ ନାନା କାରଣବଶତଃ ପ୍ରାୟ ଗୋଟିଏ ସଂଗ୍ରାମ କ୍ଷେତ୍ରରେ ପରିଣତ ହୋଇ ଆସୁଥିବା ସାଂପ୍ରତିକ ଏହି ପୃଥିବୀ ଗାନ୍ଧୀ ନେତୃତ୍ଵର ମୂଳଭୂତ ଆବେଦନଗୁଡ଼ିକୁ ହିଁ ସବୁଠାରୁ ଅଧିକ ପ୍ରାସଙ୍ଗିକ ବୋଲି ବିଚାର କରୁଛି ।

ଗାନ୍ଧୀ–ବିପ୍ଳବର ସମଗ୍ର ମାନଚିତ୍ରଟି ମଧ୍ୟରେ ମନୁଷ୍ୟ, ତାର ଜୀବନ, ସେହି ଜୀବନର ଯାବତୀୟ ଶ୍ରେୟଃ ତଥା ଲକ୍ଷ୍ୟ, ତା’ର ସମାଜ ଏବଂ ସାମୂହିକ ଯାବତୀୟ ଆହ୍ଵାନ ବିଷୟରେ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ରହିଛି । ଏକ ଅନ୍ୟାୟପୂର୍ଣ୍ଣ ବର୍ତ୍ତମାନର ପ୍ରତିରୋଧ କରି ଏକ କାମ୍ୟତର ଭବିଷ୍ୟତର ନିର୍ମାଣକୁ ସମ୍ଭବ କରିବା ବିଷୟରେ ମଧ୍ୟ ତାହାର ଏକ ନିର୍ଦ୍ଦିଷ୍ଟ ଏବଂ ଅତିସକ୍ରିୟ ଆଭିମୁଖ୍ୟ ରହିଛି । ଭାରତବର୍ଷରେ ଯେଉଁମାନେ ଏବେ ଗାନ୍ଧୀପଥର ପ୍ରାସଙ୍ଗିକତା ବିଷୟରେ ପ୍ରଶ୍ନ ଉଠାଇଛନ୍ତି, ସେମାନେ ସେହି ଆଭିମୁଖ୍ୟ ବିଷୟରେ ଯେ ଅନବଗତ ରହିଛନ୍ତି, ସେକଥା ଆଦୌ ନୁହେଁ । ସେମାନେ ସେହି ଆଭିମୁଖ୍ୟଟିକୁ ଗ୍ରହଣ କରିବା ପାଇଁ ଅସମ୍ମତି ପ୍ରକାଶ କରୁଛନ୍ତି; ନାନା କାରଣରୁ ଅସମ୍ମତି ପ୍ରକାଶ କରୁଛନ୍ତି । ସେମାନେ ଗତ କେତୋଟି ଦଶନ୍ଧିର ଘଟଣା ଜାଲ ଭିତରେ ଛନ୍ଦି ହୋଇପଡ଼ି କାଳକ୍ରମେ ଏପରି ଅସମର୍ଥ ହୋଇ ପଡ଼ିଛନ୍ତି ଯେ, ବାଟଗୁଡ଼ାକ ଜଳ ଜଳ ହୋଇ ଦିଶୁଥିଲେ ମଧ୍ୟ ସେମାନେ ଜାଲ ଭିତରୁ ବାହାରି ପାରୁନାହାନ୍ତି । ପରିସ୍ଥିତି ଭିତରେ ରହି ଛଟପଟ ହେଉଥିଲେ ମଧ୍ୟ ପରିସ୍ଥିତିର ପ୍ରତିରୋଧ କରି ପାରୁନାହାନ୍ତି, ବର୍ବରମାନଙ୍କୁ ବର୍ବର ବୋଲି କହି ପାରୁନାହାନ୍ତି । ସେମାନେ ଏପରି ଏକ ଭୂମିକା ଗ୍ରହଣ କରିଛନ୍ତି, କାରଣ ସେମାନେ ସ୍ଥୂଳତଃ ଏହି ପରିସ୍ଥିତିରୁ ହୁଏତ କିଞ୍ଚିତ୍ ଲାଭ ପାଉଛନ୍ତି ଅଥବା ନିଜ ଭିତରେ ବିଶ୍ଵାସହୀନ ଅର୍ଥାତ୍ ଭୀରୁ ହୋଇ ପଡ଼ିଛନ୍ତି ଅଥବା, ଗାନ୍ଧୀବିବେକର ରୁଦ୍ରଶାନ୍ତ ସମଗ୍ର ଭୂମିଟିକୁ ଦେଖି ପାରୁନାହାନ୍ତି ବା କେବଳ ଖଣ୍ଡିଆ କରି ଦେଖି ପାରୁଛନ୍ତି ବୋଲି ଏପରି ହେଉଛି । ଗାନ୍ଧୀ ବଞ୍ଚିଥିବାବେଳେ ବିବେକ ଦେଶର ରାଜନୀତିକୁ ମଧ୍ୟ ନିୟନ୍ତ୍ରଣ କରି ପାରୁଥିଲା; ସ୍ଵାଧୀନ ଭାରତରେ କାଳକ୍ରମେ ରାଜନୀତି ହିଁ ବିବେକମାନଙ୍କୁ ଗିଳି ପକାଇବାରେ ଲାଗିଛି; ଅଧିକାଂଶ ସ୍ଥଳରେ ବିବେକୀମାନେ ସଜ୍ଜନ ହୋଇ ରହିବାକୁ ହିଁ ସବୁଠାରୁ ଅଧିକ ନିରାପଦ ବୋଲି ମଣୁଛନ୍ତି । ସଜ୍ଜନମାନେ କେବଳ ସଜ୍ଜନ ହୋଇ ରହିବାର ଉତ୍ସାହରେ ପଡ଼ି ଅନେକ ସମୟରେ ଅକ୍ରିୟ ଏବଂ ଅସମ୍ମତ ହୋଇ ରହିଯାଆନ୍ତି; କାଳର ଅବଶ୍ୟମ୍ଭାବୀ ଅଗ୍ରଗତିକୁ ବିଳମ୍ବିତ କରି ରଖିବାରେ ସର୍ବତ୍ର ସେମାନଙ୍କର ମଧ୍ୟ ଏକ ଅବଦାନ ରହିଥାଏ ।

ମଣିଷ ବୃଦ୍ଧ ହୋଇ ଆସିଲେ ବାଦକୁ ଖୋଜେ, ବାଦରେ ଶ୍ରଦ୍ଧା ଦେଖାଏ; ତରୁଣ ମାର୍ଗୀ ହୋଇ ବାହାରିବାକୁ ହିଁ ଯାବତୀୟ ବାଦର ମୂଳଭୂତ ସାର୍ଥକତା ବୋଲି ଧରି ନେଇଥାଏ । ଏହିପରି ଭାବରେ ମାର୍ଗୀ ଓ ବାଦୀ ପରସ୍ପରଠାରୁ ଦୂରରେ ରହଥାନ୍ତି । ବୃଦ୍ଧମାନେ ଅସଲ ବେଳଗୁଡ଼ାକୁ ଗଡ଼ାଇ ଦେବାରେ ଲାଗିଥାନ୍ତି, ତେଣୁ ମାର୍ଗୀମାନଙ୍କୁ ନିରାଶ ହୋଇ ଅନେକ ସମୟରେ ଭୂମିଟିଏ ପାଇବା ନିମନ୍ତେ ଅନ୍ୟତ୍ର ବି ଖୋଜିବାକୁ ପଡ଼େ । ଗାନ୍ଧୀ–ବିଚାର ଓ ଗାନ୍ଧୀ–ଯୋଜନା ତରୁଣମାନଙ୍କ ଲାଗି, ମାର୍ଗୀମାନଙ୍କ ଲାଗି । ଭାରତବର୍ଷର ଇତିହାସରେ ପ୍ରାୟ ଏକ ପରମ୍ପରା ରକ୍ଷା କଲାପରି ବୃଦ୍ଧମାନେ ଅସଲ ସନ୍ଧିକ୍ଷଣଗୁଡ଼ିକରେ ଫାଟକର ଚାବିଗୁଡ଼ିକୁ ଆପଣା ହାତରେ ହିଁ ରଖିଛନ୍ତି, ତରୁଣମାନଙ୍କୁ ମଧ୍ୟ ନାନା ଭାବରେ ବୃଦ୍ଧ ହୋଇ ବସିଯିବାକୁ ଫୁସଲାଇଛନ୍ତି, ଆକଟ କରି ରଖିଛନ୍ତି । ଏଠି ଗୁରୁଜନମାନେ ଅଭୀପ୍‍ସାଗୁଡ଼ାକ ଉପରେ ଭାରି ଗୁରୁ ହୋଇ ବସିବାକୁ ମନ କରିଛନ୍ତି । ତେଣୁ ଭାରତର ତରୁଣଶକ୍ତି ସେମାନଙ୍କୁ କ୍ରମେ ଅବିଶ୍ଵାସ କରିଛି ଓ ଅନେକ ସମୟରେ ଅନ୍ୟତ୍ର ହୁଡ଼ି ବି ଯାଇଛି । ଉନବିଂଶ ଶତାଦ୍ଦୀର ଶେଷାର୍ଦ୍ଧରେ ଭାରତବର୍ଷରେ ରବୀନ୍ଦ୍ରନାଥ, ଗାନ୍ଧୀ, ଶ୍ରୀଅରବିନ୍ଦ, ବିଦ୍ୟାସାଗର, ବିବେକାନନ୍ଦ ଏବଂ ଶ୍ରୀରାମକୃଷ୍ଣ ଜୀବନକୁ ଯେଉଁ ନୂତନ ଉନ୍ମୋଚନଗୁଡ଼ିକର ବାଣୀ ଶୁଣାଇଥିଲେ ଏବଂ ତଦନୁସାରେ ନିଜ ଭିତରେ ଓ ବାହାରେ ଯେଉଁସବୁ ନୂତନ ଆହ୍ୱାନର ସମ୍ମୁଖୀନ ହେବାକୁ ଡାକ ଦେଇଥିଲେ, ନାନା କାରଣରୁ ସେସବୁ ପାରମ୍ପରିକ ବୃଦ୍ଧମାନଙ୍କର ଘଡ଼ି ଭିତରେ ଯାଇ ପଡ଼ିଯାଇଛି; ବାଦୀମାନେ ସେଗୁଡ଼ିକୁ ନେଇ ପରାକ୍ରମୀ ଗ୍ରନ୍ଥମାନ ଲେଖିଛନ୍ତି । ମାତ୍ର, ଏହି ପ୍ରକ୍ରିୟାରେ ଉକ୍ତ ମହାପୁରୁଷମାନଙ୍କୁ କେନ୍ଦ୍ର କରି ଗଢ଼ା ହୋଇଥିବା ଅନୁଷ୍ଠାନ ଏବଂ ତାହାର ଦଣ୍ଡଧାରୀମାନେ ଏହା ଭିତରୁ ମାର୍ଗୀମାନଙ୍କୁ ଯଥାସମ୍ଭବ ଅଧିକ ପରିମାଣରେ ବାହାରେ ରଖିବାକୁ ମନ କରିଛନ୍ତି, ତରୁଣମାନଙ୍କୁ ତଡ଼ି ଦେଇଛନ୍ତି । ଗାନ୍ଧୀ–ବିଚାର ତାରୁଣ୍ୟର ବିଚାର, ବୃଦ୍ଧର ବିଚାର ନୁହେଁ । ଏହା ସର୍ବପ୍ରଥମେ ତରୁଣମାନଙ୍କୁ ଆକୃଷ୍ଟ କରିପାରନ୍ତା; ଭାରତବର୍ଷ ବାହାରେ ଯେପରି ପ୍ରଧାନତଃ ତରୁଣମାନେ ହିଁ ଏହି ବିଚିତ୍ର ଅଥଚ ଉଚିତ ବାଟଟିକୁ ଚିହ୍ନିବାଲାଗି ମନ କରୁଛନ୍ତି, ଗାନ୍ଧୀ ଦେଶ ଭାରତବର୍ଷରେ ମଧ୍ୟ ସେକଥା ହୋଇ ପାରୁଥାନ୍ତା । ମାତ୍ର ସାମନ୍ତମାନେ ଝରକା ଖୋଲିବାକୁ ସାହସ କଲେ ଯାଇ ହୁଏତ ତାହା ହୋଇପାରନ୍ତା ।

ଆପଣା ଭିତରେ ରହିଥିବା ତାରୁଣ୍ୟକୁ ଭୟ କଲେ ମଣିଷ ବୃଦ୍ଧ ହେବାକୁ ଆରମ୍ଭ କରେ । ଗାନ୍ଧୀ–ବିଚାର ବର୍ତ୍ତମାନର ପରିପ୍ରେକ୍ଷୀରେ ଆମ ଲାଗି ପ୍ରାସଙ୍ଗିକ କି ନୁହେଁ, ଏପରି ପ୍ରଶ୍ନ ପଚରା ନ ଯାଇ ଆମେ ଗାନ୍ଧୀ ବିଚାର ଲାଗି ପ୍ରାସଙ୍ଗିକ କି ନୋହୁ, ତାହାରି ଏକ ନିଷ୍କପଟ ଆଲୋଚନା ହୋଇ ପାରିଲେ ହୁଏତ ବୃଦ୍ଧମାନେ ମଧ୍ୟ ସେମାନଙ୍କ ଭିତରେ ପ୍ରାୟ ଉପେକ୍ଷିତ ହୋଇ ପଡ଼ିଥିବା ଅଥଚ ଅପେକ୍ଷା କରି ରହିଥିବା ତରୁଣଟିର ଆବିଷ୍କାର କରି ପାରନ୍ତେ । ତା’ପରେ ସେମାନଙ୍କ ଆଖିକୁ ସବୁକିଛି ଅଲଗା ଦିଶନ୍ତା । ଆଉ ମୋଟେ ଡର ମାଡ଼ନ୍ତା ନାହିଁ; ଅସମ୍ମତି ସବୁ ସମ୍ମତିରେ ପରିଣତ ହୁଅନ୍ତେ । ଏବଂ, ତାପରେ ସେମାନେ ଝରକାଗୁଡ଼ିକୁ ମଧ୍ୟ ଖୋଲିଦେଇ ପାରନ୍ତେ; ଭାରତବର୍ଷର ତରୁଣମାନଙ୍କୁ ଗାନ୍ଧୀ ବିଚାରର ନିକଟବର୍ତ୍ତୀ କରି ଆଣିବାର ବାଟଗୁଡ଼ିକୁ ମଧ୍ୟ ସେମାନେ ପାଇଯାଆନ୍ତେ । ତା’ପରେ ଏହି ଦେଶର ନେତୃତ୍ଵ ବଦଳିଯାଆନ୍ତା, ଗାନ୍ଧୀବେଳର ଉତ୍ସର୍ଗ ଯୁଗଟି ପୁନର୍ବାର ଆସି ପହଞ୍ଚି ଗଲାପରି ଲାଗନ୍ତା । କିନ୍ତୁ, ଆମେ ଇଚ୍ଛା କଲେ ତାହା ହୁଅନ୍ତା; ଦୃଷ୍ଟିର ସଂପ୍ରସାରଣ ଦ୍ଵାରା ଭୀରୁତାଗୁଡ଼ାକୁ ଜୟ କରିପାରିଲେ ଯାଇ ତାହା ହୁଅନ୍ତା । ଏବଂ ସର୍ବୋପରି, ବର୍ତ୍ତମାନର ବର୍ବରତା ଏବଂ ଅମାନୁଷିକତାଗୁଡ଼ାକ ଆମକୁ ଏକାବେଳେକେ ଅସହ୍ୟ ଲାଗିଲେ ଯାଇ ତାହା ହୁଅନ୍ତା । ସତ୍ୟାଗ୍ରହୀ ସାଲିସ କରେ ନାହିଁ, ସତ୍ୟକୁ ବଜାରରେ ବିକି ସଜ୍ଜନ ସାଜି ମୋଟେ ରହି ଯାଏନାହିଁ, ଭାରତବର୍ଷରେ ଆଉ ଥରେ ସେହି କଥାର ପ୍ରମାଣ ମିଳି ଯାଆନ୍ତା ।

ସର୍ବୋଦୟ, ୪/୧୦/୮୪

Image

 

ଗାଆଁ ଭୂଇଁ କାହା ପାଇଁ ?

 

ଆମେ ଯେଉଁମାନେ ଗାଆଁରେ ସତକୁ ସତ ବାସ କରୁଛୁ, ଆମ ଗାଆଁ ସେଇ ଆମମାନଙ୍କର ଭୂଇଁ । ଆମ ଗାଆଁରେ ଜନ୍ମ ହୋଇଥିବା ଅନେକ ମଣିଷ କୋଉକାଳୁ ଗାଆଁ ଛାଡ଼ି ଚାଲିଗଲେଣି । ସେମାନେ ସହରକୁ ଚାଲିଗଲେଣି ବୋଲି କୁହାଯାଉଛି । ମାତ୍ର ସେମାନଙ୍କର କେବଳ ଗୋଟିଏ ଗୋଡ଼ ସହରରେ, ମୂଳ ଗୋଡ଼ଟି ଗାଆଁରେ । ସେମାନେ ସହରରେ ଚାକିରି କରିଛନ୍ତି । ସେମାନଙ୍କର ପିଲାମାନେ ସହରରେ ପାଠ ପଢ଼ୁଛନ୍ତି । ଏଣେ ଗାଁରେ ନିଜ ନାଁରେ ପୈତୃକ ଜମିଗୁଡ଼ିକୁ ରଖିଛନ୍ତି । ମଝିରେ ମଝିରେ ଗାଆଁକୁ ଆସି ଗାଆଁରେ ରହୁଥିବା ସେମାନଙ୍କର ଭାଇଟି ଅଥବା ନିଜର ଆଦୌ କୌଣସି ଜମି ନଥିବା ଭାଗ ଚାଷୀଟି ଅମଳ କରୁଥିବା ଧାନ, ମୁଗ, ବିରି ଓ ନଡ଼ିଆକୁ ନେଇ ଯାଉଛନ୍ତି । ସେମାନଙ୍କର ନୂଆ ନାହୁଡ଼ଟି ସିନା ସହର ଭିତରେ ଉଚ୍ଚ ସ୍ଵପ୍ନମାନ ଦେଖୁଛି, ମାତ୍ର ପୁରୁଣା ଲୋଭଟି ଗାଆଁକୁ ମୋଟେ ଛାଡ଼ି ପାରୁନାହିଁ ।

 

ଯେଉଁମାନେ ସହରକୁ ବରି ଓ ଆଦରି ନେଇଛନ୍ତି, ସେମାନେ ଗାଆଁ ଓ ଗ୍ରାମଜୀବନର ସରଳତା, ସହଜତା ଏବଂ ସୌନ୍ଦର୍ଯ୍ୟ ବିଷୟରେ ଭାବ ପ୍ରବଣ ହୋଇ କବିତା ଲେଖନ୍ତି । ଓଡ଼ିଶାର ଭକ୍ତକବି ମଧୁସୂଦନ ପ୍ରାୟ ଶହେ ବର୍ଷ ତଳେ ଏହି ରୀତିଟିକୁ ଆରମ୍ଭ କରିଥିଲେ । ଗାଆଁର ପର୍ବ ପର୍ବାଣି, ଗାଆଁର ଗୀତ ଓ ଗାଆଁର ଢଗଢମାଳିକୁ ଭାରି ଲୋଭସକ୍ତ ଭାବରେ ସଂଗ୍ରହ କରି ନିଜ ଗାଆଁ ଛାଡ଼ି, ସହରରେ ନୂଆ ଘର ତୋଳିଥିବା ମଣିଷମାନେ କେଡ଼େ ଲୋସଡ଼ି, ଲୋସଡ଼ି ପଡ଼ୁଥିବା ପରି କଥା କହନ୍ତି ଓ ସହରର ସଭାମାନଙ୍କରେ ଆନନ୍ଦିତ ରତ୍ନଟିଏ ଭଳି ଝଟକିବାର ଉଚ୍ଚ ଆଶା ରଖିଥାନ୍ତି । ଭାରତବର୍ଷ ସ୍ଵାଧୀନତା ହାସଲ କରିବା ପୂର୍ବରୁ ଅସଲ ଭାରତବର୍ଷ ତା’ର ସାତଲକ୍ଷ ଗାଆଁରେ ଅଛି ବୋଲି ଆମକୁ କେତେ କେତେ କଥା କୁହାଯାଉଥିଲା । ଏବେ ମଧ୍ୟ ସହରର ଚାଲାଖମାନେ ଗାଆଁକୁ ନେଇ କୋଟି କୋଟି ଟଙ୍କାର କେତେ ଯୋଜନା କରୁଛନ୍ତି । ଏମାନେ ସମସ୍ତ ଜାଣତରେ ହେଉ ବା ଅଜାଣତରେ ହେଉ, ଗାଆଁକୁ କଦାପି ଆସିବେ ନାହିଁ ବୋଲି ନିଜର ଅନୁରାଗଗୁଡ଼ିକ ପାଖରେ ଶପଥ ନେଇଛନ୍ତି । ଆମ ଗାଆଁଗୁଡ଼ିକ ଯେପରି ହୋଇପାରନ୍ତା, ମୂଳତଃ ଏହିମାନଙ୍କର ଭେଳିକି ହେତୁ ତାହା ହୋଇ ପାରୁନାହିଁ ।

 

ଗାଆଁର ଭୂଇଁଟି ଯଦି ସତକୁ ସତ ଏକ ଭୂଇଁ ହୋଇ ରହିବ, ତେବେ ଗାଆଁର ସେହି ପୁରୁଣା ଛାଞ୍ଚଗୁଡ଼ାକୁ ମଧ୍ୟ ବିଦା ହୋଇ ଯିବାକୁ ପଡ଼ିବ । ଗାଆଁର ଠାକୁର ଘରକୁ ଗାଆଁରେ ବାସ କରୁଥିବା ସମସ୍ତେ ଯାଇ ପାରିବେ ନାହିଁ, ଗାଆଁର ଠାକୁର ଗାଆଁର ସମସ୍ତଙ୍କ ଘରକୁ ଭୋଗ ଖାଇ ଯିବେନାହିଁ, ଆହୁରି ଆଗକୁ ଆସୁଥିବା ପୃଥିବୀରେ ଏଗୁଡ଼ାକ ମୋଟେ ରହିବନାହିଁ । ଗାଆଁରେ ଯେଉଁମାନେ ପ୍ରକୃତରେ ଜମିରେ ହଳ କରନ୍ତି ଓ ଫଳ ଫଳାନ୍ତି, ସେମାନେ ସବୁଦିନ ତଥାକଥିତ ଭାଗଚାଷୀ ହୋଇ ରହିଥିବେ ଓ ଅଣଚାଷୀ ଜମିମାଲିକମାନେ ଗାଆଁକୁ ସବାଆଗ ନିଜ ଗାଆଁ ବୋଲି କହି ଫୁଲାଇ ହେଉଥିବେ, ଏହି ରୀତିଟି ଗ୍ରାମର ସକଳ ସମ୍ବନ୍ଧକୁ ଭାରି ଅସନା କରି ରଖିଥିବ । ଭାରତବର୍ଷର ଗାଆଁରେ ମଣିଷକୁ ନ୍ୟୁନ ଓ ପରସ୍ପରଠାରୁ ଅତ୍ୟନ୍ତ ଆମାନବିକ ଭାବରେ ଦୂରକରି ରଖିଥିବାର ବ୍ୟବସ୍ଥାଗୁଡ଼ିକ ବହୁ ପୁରାତନ କାଳରୁ ରହି ଆସିଛି । ଏବେ ମଧ୍ୟ କମ୍ ଜବର ହୋଇ ଆମ ବାଟକୁ ଓଗାଳି ବସିନାହିଁ । ଗାଆଁରେ ମଙ୍ଗରାଜ ମଙ୍ଗରାଜ ହୋଇ ରହିଥିବେ ଓ ମଳିକ ମଳିକ ହୋଇ ରହିଥିବ, ଏହିପରି ଏକ ଅସନା ବ୍ୟବସ୍ଥା ନେଇ ଗାଆଁଭୂଇଁ ଆଉ କେତେ ଦିନ ମିଛଗର୍ବ କରିବାରେ ଲାଗିଥିବ ? ତେଣୁ ଗାଆଁ ବଦଳି ଯାଉ । ଗାଆଁର ତଥାକଥିତ ଭୂଇଁଟି ମଧ୍ୟ ବଦଳୁ । ସହରରୁ ଗାଆଁକୁ ଶ୍ରଦ୍ଧାର ବାଣମାନ ମାରୁଥିବା ଚାଲାଖ ମଣିଷମାନେ ନୁହେଁ, ଯେଉଁମାନେ ଗାଆଁରେ ସତକୁ ସତ ନିଜର ଭୂଇଁଟିକୁ ବଞ୍ଚୁଛନ୍ତି, ସେହିମାନେ ହିଁ ନିଜ ଭିତରେ ଏସବୁ କଥା ପକାନ୍ତୁ ଏବଂ ବଦଳି ଯାଆନ୍ତୁ ।

 

ଗାଆଁକୁ ହତମାନ କରି ସାରା ପୃଥିବୀରେ ଯେଉଁ ସହରଗୁଡ଼ିକ ଅତିକାୟ ଅସୁର ପରି ଫୁଲି ଫୁଲି ଚାଲିଛନ୍ତି, ସେମାନେ ଭିତରେ କ୍ରମେ ପୋଲା ହୋଇ ଯାଉଛନ୍ତି । ଯେଉଁମାନେ ଗାଆଁରେ ଅଛନ୍ତି, ସେମାନେ ସତେଅବା ନିଜର ହୃଦୟଟି ଉପରେ ଆଉ ଆଦୌ ଭରସା ରଖିପାରୁ ନାହାଁନ୍ତି । ତେଣୁ, ସହର ଓ ଗାଆଁ ଦୁହେଁ ଲକ୍ଷ୍ମୀଛଡ଼ା ପରି ଦେଖା ଗଲେଣି । ଉଭୟ ସହର ଓ ଗାଆଁରେ ବାସ କରୁଥିବା ଯଥାର୍ଥ ଆଖିଥିବା ମଣିଷମାନେ ହିଁ ଏହି ବିନାଶକାରୀ ପବନକୁ ରୋକି ପାରିବେ । ମଣିଷକୁ ଜଣେ ପ୍ରକୃତ ମଣିଷର ଅନୁଭବ ଆଣି ଦେବାକୁ ବାହ୍ୟ ଜୀବନଧାରଣର ଯେତେ ଯେତେ ପ୍ରତିଷ୍ଠା ଆବଶ୍ୟକ, ତାହା ଆମକୁ ଗାଆଁରେ ମଧ୍ୟ ମିଳିବ, ଅଲବତ ମିଳିବ । ପୃଥବୀର ଆଖି ଥିବା ସବୁ ଦେଶରେ ଯାହା ହୋଇଛି, ଭାରତବର୍ଷରେ ମଧ୍ୟ ତାହାହିଁ ହେବ । ମାତ୍ର, ସାମୂହିକ ଜୀବନରେ ଆମ ଗାଆଁ ବଡ଼ ସାନ, ବଡ଼ ଜାତି ଓ ଛୋଟ ଜାତି, ବାବୁ ଓ ମୂଲିଆ, ଭାଗ୍ୟବନ୍ତ ଓ ଭାଗ୍ୟହୀନରେ ଯାବତ୍ ହାସ୍ୟାସ୍ପଦ ଭାବରେ ବିଭକ୍ତ ହୋଇ ରହିଥିବା ଯାଏ ତାହା କଦାପି ହୋଇ ପାରିବନାହିଁ । ସେପର୍ଯ୍ୟନ୍ତ ବାଦ ଲାଗିଥିବ, ଈର୍ଷା ରହିଥିବ, ଚତୁରମାନେ ହିଁ ଗାଆଁ ଭୂଇଁକୁ ଭୂଇଁଟିଏ ରୂପେ ଗଢ଼ିବାର ଯାବତୀୟ ସ୍ଵପ୍ନକୁ ପଣ୍ଡ କରି ଦେଉଥିବେ । ତେଣୁ, ଗାଆଁ ପାଇଁ ମଧ୍ୟ ଏକ ନୂତନ ନେତୃତ୍ଵର ଆବଶ୍ୟକତା ରହିଚି । ଏହି ନେତୃତ୍ଵ ବାହାରର ଟାଉଟର ବା ପଳାତକମାନେ ଦେବେ ନାହିଁ; ଗାଆଁର ଭୂଇଁ ଯେଉଁମାନଙ୍କର, ସେହିମାନେ ହିଁ ଦେବେ ।

 

ଗାଁ ଭୂଇଁ, ୪୫/୧

Image

 

ସ ମେ ଭକ୍ତଃ ସ ମେ ପ୍ରିୟଃ

 

ସେଦିନର ଘଟଣା ଠିକ୍ କାଲିପରି ମନେ ହେଉଛି, ଆଖି ବଢ଼ାଇଦେଲେ ଜଳ ଜଳ ଦିଶିଯାଉଛି, ସତେଅବା କାହାକୁ ଛୁଇଁ ଆସିଲାପରି ମନେ ହେଉଛି । ସେମାନେ ଆଚାର୍ଯ୍ୟ ମହାଶୟଙ୍କୁ ବାରଣ୍ଡାରେ ଗୋଟିଏ ଉଚ୍ଚ ଆସ୍ଥାନ ଉପରେ ଆଣି ଶୁଆଇ ଦେଇଥାନ୍ତି, ଧଳା ଚଦରରେ ତାଙ୍କର ଶରୀରକୁ ଘୋଡ଼ାଇ ଦିଆଯାଇଥାଏ । ତା’ ଉପରେ ଫୁଲ ବିଞ୍ଚା ହୋଇଥାଏ । ପାଖରେ ତୁଳସୀ କୋଡ଼ୁଆ, ଦୀପଟିଏ ନିର୍ବାତ ହୋଇ ଜଳୁଥାଏ । ଜଣେ କିଏ ଗୀତା ପଢ଼ୁଥାନ୍ତି । ଉକ୍ତ, ଅନୁରକ୍ତ, ଅନୁଗତ ତଥା ଶୋକସନ୍ତପ୍ତମାନେ ଚାରିପାଖରେ ଘେରି କରି ବସିଥାନ୍ତି ।

 

କ୍ରମେ କୋଳାହଳ ବଢ଼ିଲା । ଗୋଟାଏ ମୃତ୍ୟୁକୁ କେନ୍ଦ୍ର କରି ଜନସମାଗମ ଲାଗିଗଲା । କିଏ ପାଦରେ ଆସି ପହଞ୍ଚିଲେ, କିଏ ସାଇକେଲରେ, କିଏ ରିକ୍ସାରେ ଓ ପୁଣି ଆଉକିଏ କାରରେ । କିଏ ଏକୁଟିଆ, କିଏ ସପରିବାର । ନିର୍ମଳ ସଫାଲୁଗା ପିନ୍ଧି ନେତାମାନେ ପହଞ୍ଚିଲେ, ବାୟୋଜ୍ୟେଷ୍ଠମାନେ ବି ଆସି ପହଞ୍ଚିଲେ । ଆଉ ବାରଣ୍ଡା ଉପରେ ଥାନ ହେଲାନାହିଁ । ତେଣୁ ମଣିଷଙ୍କ ମେଳା ଦୁଆର ମଝିକୁ ମଧ୍ୟ ପ୍ରସାରିତ ହୋଇଗଲା । ସଂଖ୍ୟା ବଢ଼ିବାରୁ କଥାବାର୍ତ୍ତାର ଚହଳ ବି ଆରମ୍ଭ ହେଲା । କିଏ କିପରି ସମ୍ବାଦ ପାଇ କିପରି ଆସି ପହଞ୍ଚିଲେ, ହୁଏତ ଆଗ ସେଇକଥା ପଡ଼ିଲା । ତା’ ପରେ ଆଚାର୍ଯ୍ୟ ମହାଶୟଙ୍କ କଥା ପଡ଼ିଲା । ସିଏ କଣ ଥିଲେ, କେଡ଼େଭଳି ଲୋକ ଥିଲେ ଏବଂ ଆଜି ସମସ୍ତଙ୍କୁ ଛାଡ଼ି ଚାଲିଗଲେ,–ସେହିସବୁ କଥାର ଚର୍ଚ୍ଚା ହେଲା । ଫଟୋବାଲା ଫଟୋ ନେଲେ । ସଦ୍ୟ ଘଟି ଯାଇଥିବା ଏକ ଦୁଃସମ୍ବାଦକୁ ବ୍ୟକ୍ତିଗତ ଖେଦର ଏକ ଅନୁରଞ୍ଜନ ଦେବା ସକାଶେ ସାମ୍ବାଦିକମାନେ ବିବୃତ୍ତିମାନ ବି ନେଲେ । ଆପଣା ଆପଣାର ସ୍ଵକୀୟ ଚାହାଣିରେ ଦେଖି ଓ ଗୋଟାଏ ମୃତ୍ୟୁ ଏବଂ ତଜ୍ଜନିତ ଦୁଃଖକୁ ଅନୁଭବ କରିବାର ଆପଣା ଆପଣା ଠାଣି ଦେଇ କିଏ କହିଲେ, ଅତୀତର ଗୋଟାଏ ଫୁଲ ଝରି ପଡ଼ିଲା । କିଏ କହିଲେ, ଗୋଟାଏ ଯୁଗ ଶେଷ ହୋଇଗଲା । ସମସ୍ତଙ୍କର ବିବୃତ୍ତିରୁ ନେଇ ଏକାଠି ମୁଣ୍ଡି ମାରିଲା ପରି ସେଦିନ ସଞ୍ଜକୁ ସମ୍ବାଦପତ୍ରରେ ଏଡ଼େ ଏଡ଼େ କଳା ଅକ୍ଷରରେ ବାହାରିଲା ଯେ “ଉତ୍କଳର ଭୀଷ୍ମଦେବ, ସର୍ବୋଦୟର ସୂର୍ଯ୍ୟମୂର୍ତ୍ତି ଏବଂ ବକୁଳବନର ଋଷି ଆଚାର୍ଯ୍ୟ ହରିହରଙ୍କର ମହାପ୍ରୟାଣ ଘଟିଲା ।’’

 

ଆଚାର୍ଯ୍ୟ ମହାଶୟ ସକାଳେ ଗଲେ, ଖବର କାଗଜ ସଞ୍ଜକୁ ବାହାରିଲା । ଏବଂ ସକାଳୁ ସଞ୍ଜଯାଏ ମଝିରେ ଏହି ବାର କିମ୍ବା ଚଉଦଘଣ୍ଟା କାଳ କେଡ଼େ ଆଡ଼ମ୍ବରରେ ଆମର ଶୋକ ଶୋଭାଯାତ୍ରା ଚାଲିଲା । କେଡ଼େ ସୁଚିନ୍ତିତ, ସଂଗଠିତ ଓ ସନ୍ତର୍ପିତ ଭାବରେ ଚାଲିଥିଲା । ଆଚାର୍ଯ୍ୟ ମହାଶୟଙ୍କର ସାନ ଆବାସସ୍ଥାନଟିରୁ କଟକର ବଡ଼ରାସ୍ତାମାନ ପରିକ୍ରମା କରି କାଠଯୋଡ଼ୀ ପାର ହୋଇ ପୁରୀ ବାଟ ଦେଇ ଶେଷକୁ ସାକ୍ଷୀଗୋପାଳରେ ଆସି ପହଞ୍ଚିଲା । ଏବଂ ସେଇଠି ସଖାମାନଙ୍କର ମେଳରେ ତାଙ୍କୁ ଚିତା ଉପରେ ବସାଇ ଦିଆଗଲା । ସବୁ ସରିବାପରେ ଆମେ ସମସ୍ତେ ଭସ୍ମ ନେଇ ଘରକୁ ଆସିଲୁ, କୃତକୃତ୍ୟ ହେଲୁ । ଅର୍ଥାତ୍ ଆମର କାମ ସାରିଦେଲୁ । ନଶ୍ଵର କ୍ଷୀଣଶକ୍ତି ମଣିଷ ଏହାଠାରୁ ଆଉ ଅଧିକ କ’ଣ କରିପାରନ୍ତା ? ଯୋଉ ବାଟରେ ଯାଉଥିବା ମଣିଷକୁ କେହି କେବେହେଲେ ଅଟକାଇ ରଖି ପାରିନାହିଁ, ଏବଂ ସେଥିଲାଗି ଆପଣାର ପ୍ରିୟଜନମାନଙ୍କୁ ସେଇଠାରୁ ବିଦା ଦେଇ କେବଳ କାନ୍ଦି କାନ୍ଦି ଫେରିବାକୁ ହିଁ ହୋଇଛି, ସେହି ବାଟରେ ଆଉ ଅନ୍ୟ କିଛି କରି ପାରିବାଲାଗି କାହାରି କୌଣସି ବଳ ନାହିଁ । ତେଣୁ, ଏହି ସଂସାରକୁ ଗୋଟାଏ ଖେଳଘର ବୋଲି ମାନିନେବା ବ୍ୟତୀତ ଆଉ ଅନ୍ୟ ଉପାୟ ନାହିଁ; ସାନ ଓ ଅନାମଧେୟମାନଙ୍କ ପାଇଁ ଅଳପ କାନ୍ଦିବା ଏବଂ ବଡ଼ମାନଙ୍କ ପାଇଁ ଟିକିଏ ଅଧିକ ଆଡ଼ମ୍ବର ସହିତ ଗୋଷ୍ଠୀରେ ବସି ଓ ସଭା ମଣ୍ଡାଇ କାନ୍ଦିବା,–ଆମର କରିବା ଭିତରେ କ୍ଷେତ୍ର ଓ କ୍ଷେତ୍ର ମଧ୍ୟରେ ଯାହା କେବଳ ଏତିକିମାତ୍ର ସ୍ଵାଧୀନତା ହିଁ ରହିବ ।

 

ସେଦିନ, ଅର୍ଥାତ୍ ତାଙ୍କର ସେହି ପ୍ରୟାଣଦିବସରେ ଆଚାର୍ଯ୍ୟ ମହାଶୟଙ୍କର ଶରୀର ଆଡ଼କୁ ଅନାଇ ତାକୁ ନଶ୍ଵର ବୋଲି କହିବାକୁ ଆଦୌ ମନ ହୋଇ ନଥିଲା । ଏବଂ, ସେହିଭଳି ଏକ ବାଉଳା ଆଖିରେ ସେତେବେଳେ ଆପଣାର ଶରୀରଟାକୁ ମଧ୍ୟ ମୁଁ କାହିଁକି ଆଦୌ ଏକ ନଶ୍ଵର ଶରୀର ବୋଲି ଅନୁଭବ କରିପାରୁନଥିଲି । ସେତେବେଳେ ତାଙ୍କରି ଶରୀରର ଦର୍ପଣ ଉପରେ ମୁଁ ଯେପରି ଆପଣାର ଶରୀରକୁ ଦେଖିବାରେ ଲାଗିଥିଲି । ଏଇଟା ମୋଟେ ଅହଂକାର ନୁହେଁ, ଏହା ଏକ ଅଭିମାନ; ଆପଣାର ଏକ ଐଶ୍ଵର୍ଯ୍ୟକୁ ଯଥାର୍ଥରେ ଏକ ଐଶ୍ଵର୍ଯ୍ୟରୂପେ ଅନୁଭବ କରି ପାରିବାର ଏକ ଅଭିମାନ । ଆମେ ଶରୀର କହିଲେ ସାଧାରଣତଃ ଗୋଟାଏ ଆଦ୍ୟ ଓ ଗୋଟାଏ ଅନ୍ତ ଭିତରେ ବାନ୍ଧି ଦିଆହୋଇ ରହିଥିବା ଯେଉଁ ପର୍ଯ୍ୟାୟବାଚିତାର କଳ୍ପନା କରିଥାଉ, ତାହା ପ୍ରଥମେ ପିଲା ହୋଇ ଏହି ସଂସାରକୁ ଆସେ, ଏହି ସଂସାରର ଦାଣ୍ଡରେ ସିଏ କେତେ ଅଝଟ ଲଗାଏ, କେତେ ଧୂଳି ଧୂସର ହୁଏ । କେତେ ଖେଳେ ଓ ପିଲାବୟସ କାଟି ଆସିଥିବା ଅନ୍ୟ କେତେ କେତେ ଲୋକଙ୍କୁ କେତେ ଆନନ୍ଦ ଦିଏ; ତା’ପରେ ସେହି ଶରୀର ଯୁବା ହୁଏ, ଯୌବନରେ ବଳି ହୋଇ କେଡ଼େ ସୁନ୍ଦର ଦିଶେ, କେତେ ମହକ ଚହଟାଏ । ସେଇ ଶରୀର କେତେ ଦମ୍ଭ ଦେଖାଏ, କେତେ ଦର୍ପ ଭାଙ୍ଗେ ଓ ପୁଣି କେତେ ଦର୍ପ ଅରଜେ । କେତେ ସାଉଁଟେ, କେତେ ଜମା କରେ, ନିଜକୁ କେଡ଼େ କେଡ଼େ ଗଦି ଉପରେ ନେଇ ବସାଇଦିଏ । ମୁଣ୍ଡ ଉପରର ସୂର୍ଯ୍ୟ ପରି ଖାଲି ତଳକୁ ଅନାଇ ସେ ସଂସାରର ଆଉ ସମସ୍ତଙ୍କୁ ଦେଖୁଥାଏ ଓ ସମସ୍ତଙ୍କୁ ସତେଅବା ଜଳକା ପରି ଅନୁଭବ କରୁଥାଏ । ସିଏ ସନ୍ତାନର ବାପାମାଆ ହୁଏ, ଭବିଷ୍ୟତକୁ ଜନ୍ମ ଦେଇ ବର୍ତ୍ତମାନକୁ ବୀର୍ଯ୍ୟଶାଳୀ କରାଏ, ଆପଣ ରଥରେ କେତେ କେତେ ପାରଙ୍ଗମତାର ପତାକା ବାନ୍ଧି ସିଏ ଆପେ ଆପଣାର ସାରଥି ହୋଇ ଜୀବନ ବାହୁଥାଏ । ତା’ପରେ ଖରା ନଇଁ ଆସେ, ସବୁ କ୍ରମେ ମଉଳନ ପଡ଼ିଯାଏ, ମୁଁହର କ୍ରାନ୍ତିଗୁଡ଼ାକ ବୟସର କ୍ଳେଦରେଖା ପାଖରେ ଲାଜରା ହୋଇ ଲୁଚି ଯାଆନ୍ତି । ଡେମ୍ଫ ଦୁର୍ବଳ ହୋଇ ଆସେ । ତା’ପରେ ନାନା ଯଷ୍ଟିକୁ ଆଶ୍ରେ କରି ବାଟ ଚାଲୁ ଚାଲୁ ଶରୀର ଅଚଳ ହୋଇ ପଡ଼ିରହେ, ଆପଣାର ନଶ୍ଵରତାକୁ ପ୍ରମାଣ କରିଦିଏ; ମୃତ୍ୟୁ ଭିତରେ ଜୀବନର ବିଲୟ ହୋଇଯାଏ । ମନେ ହୁଏ, ସତେ ଯେପରି ସେହି ଶରୀର ଭିତରେ ଆଉକିଛି ଶରୀରକୁ ଆଶ୍ରା ଦେଇଥିଲା, ଶରୀରକୁ ଚଳାଉଥିଲା ଏବଂ ଶେଷରେ ତାକୁ ଛାଡ଼ି ବାହାରି ଯିବାରୁ ଶରୀର ତିରସ୍କୃତ ହୋଇ ରହିଲା । ମାତ୍ର, ଆଚାର୍ଯ୍ୟ ମହାଶୟଙ୍କର ଶରୀରକୁ ସେଦିନ ଆଖି ପୂରାଇ ଦେଖୁ ଦେଖୁ ସେଇଟା ଯେ ଗୋଟାଏ ତିରସ୍କୃତ ଶରୀର, ସେକଥା ଆଦୌ ମନେ ହେଉନଥାଏ । ପକ୍ଷୀ ଉଡ଼ି ଚାଲିଗଲାଣି, ଖାଲି ପିଞ୍ଜରାଟା ମାତ୍ର ପଡ଼ିରହିଛି ବୋଲି କହିବାକୁ ଜିଭ ଲେଉଟୁ ନଥାଏ । ଯେଉଁ ଶରୀର ଆଚାର୍ଯ୍ୟ ମହାଶୟଙ୍କର ସେହି ବିରାଟ ସଂକଳ୍ପ, ବିରାଟ ଅନୁରାଗ ଓ ବିରାଟ ସାହସିକତାକୁ ଧରି ରଖିଥିଲା, ଗୋଟିଏ କଥାରେ କହିଲେ, ଯିଏ ସେହି ବିରାଟ ଆତ୍ମାକୁ ଧରି ରଖିଥିଲା, ତାକୁ ମୁଁ ତିରସ୍କୃତ ବା ନଶ୍ଵର ବୋଲି କିପରି କହିବି ? ତାଙ୍କ ଜୀବନର ତି’ନିରୁ ତେୟାନବେ ପର୍ଯ୍ୟନ୍ତ ସେହି ଶରୀର ଭିତରେ ମୁଁ ସତେଅବା ଗୋଟିଏ ସିଡ଼ି ଦେଖିବାକୁ ପାଇଲି, ଗୋଟିଏ ସେତୁ ପଡ଼ିଥିବାର ଅନୁଭବ କରି ପାରିଲି । ଏହି ସିଡ଼ି କେବଳ ଜଣକ ପାଇଁ ନୁହେଁ, ଏହା ଆମ ସଭିଙ୍କ ପାଇଁ,–ସେତେବେଳେ ମୁଁ ସେହିଭଳି ଅନୁଭବ କରୁଥିଲି ।

 

ଏହି ସଂସାରରେ ଆମେ ଅନେକେ ମଣିଷର ଜୀବନକୁ ସତେଅବା ଥାକ ଥାକ କରି ବିଚାର କରିଥାଉ । ଏହି ବିଚାର ଅନୁସାରେ ସବୁବେଳେ କେବଳ ଗୋଟିଏ ଥାକ ଯାଇ ଆଉଗୋଟିଏ ଥାକ ଆସି ପହଞ୍ଚେ । ବାଳୁତକାଳ ପରେ ଯୁବାକାଳ ଆସେ, ଯୁବାକାଳ ପରେ ପୌଢ଼ତ୍ଵ ଓ ବାର୍ଦ୍ଧକ୍ୟ ଆସି ଗ୍ରାସ କରି ପକାଏ ଓ ସବା ଶେଷରେ ଝଡ଼ିପଡ଼ିବାର ବେଳ ଆସି ପହଞ୍ଚେ । ଘଡ଼ିକଲାଗି ଖେଳ ଲାଗେ, ପୁଣି ଘଡ଼ିକ ପରେ ସବୁ ଶେଷ ହୋଇଯାଏ । ଏବଂ, ଯେଉଁମାନେ ପଛରେ ରହିଯାଆନ୍ତି, ଝଡ଼ି ପଡ଼ିଥିବା ଶରୀରଟା ଲାଗି ସେମାନେ କେତେ ଲୁହ ଗଡ଼ାନ୍ତି ଏବଂ ସମ୍ଭବତଃ ତାହାରିଦ୍ଵାରା ଆପଣାର ଅନାଗତ ନିଦାନକାଳର ସମ୍ମୁଖୀନ ହେବାଲାଗି କିଞ୍ଚିତ୍ ସାହସ ବି ସଂଗ୍ରହ କରି ନିଅନ୍ତି । ଏହି କୀଟର ଆମ ଅନେକଙ୍କୁ ଛାଡ଼ିଦେଲେ ଏହି ସଂସାରକୁ ଆଉ ଥୋକେ ମଣିଷ ବି ଆସନ୍ତି, ଯେଉଁମାନେ କି ଜୀବନକୁ ମୋଟେ ଥାକ ଥାକ କରି ଦେଖନ୍ତି ନାହିଁ । ସେମାନେ ଆପଣାକୁ ଧର୍ମତଃ ଏକ ଯାତ୍ରାପଥର ଯାତ୍ରୀ ପରି ଅନୁଭବ କରନ୍ତି । ସେମାନେ ନିଜ ଭିତରେ ସତେଅବା ଏକ ମୂଳ ବାସନା ଦ୍ଵାରା ପ୍ରେରିତ ହୋଇଥିବା ପରି ଯାତ୍ରୀ ହୋଇ ବାହାରି ଥାଆନ୍ତି । ଏବଂ, ସେହି ଅନ୍ତର୍ଯାତ୍ରାର ଆଖିରେ ସଂସାରର ବହିର୍ଯାତ୍ରାଟାକୁ ମଧ୍ୟ କେବଳ ସେହିଭଳି ଏକ ଯାତ୍ରା ବୋଲି ଅନୁଭବ କରୁଥାନ୍ତି । ସେମାନେ ପାହାଚ ପରେ ପାହାଚ ଉଠିଯାଆନ୍ତି । ଗୋଟିଏ ପାହାଚକୁ ଆଉଗୋଟିଏ ପାହାଚର ପରିପୂରକ ରୂପେ ଗ୍ରହଣ କରନ୍ତି ଏବଂ ମୃତ୍ୟୁକୁ ଜୀବନର ପରିପୂରକ ରୂପେ ଗ୍ରହଣ କରନ୍ତି । ତେଣୁ ଏମାନେ ବୁଢ଼ା ହୁଅନ୍ତି ନାହିଁ, ଏମାନେ ମରନ୍ତି ନାହିଁ । ଏମାନଙ୍କର ଦେହ ତଥାକଥିତ ଦେହଗତ ମରଣର ସଂତ୍ରସ୍ତ ପ୍ରତୀକ୍ଷାରେ କେବେହେଲେ ଶୀର୍ଣ୍ଣ ଅଥବା ମ୍ରିୟମାଣ ହୋଇ ପଡେନାହିଁ, ଏମାନଙ୍କର ମୁମୂର୍ଷୁ ହୃଦୟ କେତେବେଳେ ହେଲେ ମୁମୂର୍ଷୁ ହୁଏନାହିଁ । ଏମାନଙ୍କର ଜୀବନ ବଣିଜ ସର୍ବଦା ଏକ ଅଭୀପ୍ସାମୂଳ ବଣିଜହୋଇ ରହିଥାଏ । ଏହି ପୋତର ଅଚଳନ୍ତି ମୁଦ୍ରାଗୁଡ଼ିକୁ ନେଇ ସେହି ପୋତରେ କିମ୍ବା ପୋତାଶ୍ରୟରେ ଚଳାଇବାର କୌଣସି ଅପବଣିଜରେ ସେମାନଙ୍କର ଏତେ ଟିକିଏ ହେଲେ ଆଗ୍ରହ ନଥାଏ । ଆଚାର୍ଯ୍ୟ ହରିହର ପ୍ରକୃତରେ କ’ଣ ଏହିଭଳି ଜଣେ ମଣିଷ ଥିଲେ କି ? –ଆପଣାର ଆଗ୍ରହକୁ ତାଙ୍କଯାଏ ପ୍ରସାରିତ କରିନେଲେ ତାଙ୍କୁ କଳନା କରିବାର ସାହସ କଲାବେଳେ ଏହିପରି ଏକ ସମ୍ବଳିତ ପ୍ରଶ୍ନ ଆପଣାକୁ ସତେଅବା ଉଦବୋଧିତ କରିଦେଉଥିବା ପରି ମନେ ହୁଏ । ‘ଐତରେୟ ବ୍ରାହ୍ମଣ’ରେ (୭/୧୫) ଠିକ୍ ଏହିପରି ଏକ ସତତ ଚାଲିବାର ଉଦବୋଧନ ଦିଆଯାଇଛି । “ପୁଷ୍ପିଣ୍ୟୋ ଚରତୋ ଜଙ୍ଘେ ଭୂଷ୍ଣୁରାତ୍ମା ଫଳଗ୍ରାହିଃ” ବୋଲି କୁହାଯାଇଛି । ଅର୍ଥାତ୍, ଯିଏ ଚାଲିଛି ଫୁଲ ଫୁଟିବା ପରି ତା’ ଦେହରେ ଅପୂର୍ବ ଶୋଭା ପ୍ରସ୍ଫୁଟିତ ହୋଇଉଠେ ବୋଲି ବର୍ଣ୍ଣନା କରାଯାଇଛି । ସତତ ଚାଲୁଥିବା ମଣିଷର ଦେହ ଝାଉଁଳେ ନାହିଁ, ମୁଖ କୁଞ୍ଚିତ କିମ୍ବା ଭୂରୁ କୁଟିଳ ହୋଇ ଆସେନାହିଁ । ତା’ର ଡେମ୍ଫ କେବେହେଲେ ଶୁଷ୍କ ହୁଏନାହିଁ, କୌଣସି ନୈରାଶ୍ୟର ଭାରରେ ତା’ର ଆଖି କଦାପି ଭାରାକ୍ରାନ୍ତ ହୋଇ ଉଠେ ନାହିଁ । ମଲାବେଳେ ମଧ୍ୟ ସେ ଫୁଲ ଫୁଟିଲାପରି ଦିଶୁଥାଏ, ମରିକରି ଶୋଇଥିଲାବେଳେ ମଧ୍ୟ ସିଏ ସମସ୍ତଙ୍କର ଆଖି ଆଗରେ ସତେଅବା କେଉଁ ସରିତପ୍ରବାହର ଉପରେ ଗୋଟିଏ ପଦ୍ମଫୁଲ ହୋଇ ଭାସି ଭାସି ଚାଲି ଯାଉଥାଏ-। ଆମ ସମସ୍ତଙ୍କୁ କେବଳ ବାଟ ଚାଲିବାର ଉଦବୋଧନ ଦେଇ ଯାଉଥାଏ, ଅର୍ଥାତ୍ ପ୍ରସନ୍ନ ହୋଇ ପଥ ଉଠିବାର ଉଦବୋଧନ ଦେଇ ଯାଊଥାଏ ।

 

ବଞ୍ଚି ଥିଲାବେଳେ ଆଚାର୍ଯ୍ୟ ମହାଶୟ ଆପଣାର ଉତ୍ସାହରେ ଟୋକାମାନଂଙ୍କୁ ଲାଜରା କରି ଦେଉଥିଲେ । ବିନମ୍ରତାରେ ବୟୋଜ୍ୟଷ୍ଠ ଅନେକଙ୍କୁ ଲାଜରା କରି ଦେଉଥିଲେ ଓ ଆପଣାର ସଙ୍କଳ୍ପରେ କ୍ରୋଧୀମାଂନକୁ ବି ଲାଜର କରି ଦେଉଥିଲେ । ସେ କେବେହେଲେ ବଡ଼ପାଟିରେ କଥା କହୁନଥିଲେ, କିନ୍ତୁ କୁହାଳିଆମାନଂକଠାରୁ ଦଶଗୁଣ ଅଧିକ କରି ଦେଖାଇ ଦେଉଥିଲେ । ଓଡ଼ିଶାର ବାଟଘାଟରେ ସେ କେତେ ପଥ ଚାଲିଲେ; କେତେ କ୍ଷେତ୍ରରେ ଚାଲିଲେ, କେତେ ପାହାଡ଼ ଡେଇଁଲେ, କେତେ ବର୍ଷାରେ ତିନ୍ତିଲେ ଓ କେତେ ନଈ ପାରହେଲେ । ତଥାପି ତାଂକର ଚାଲିବା ବନ୍ଦ ହେଲାନାହିଁ । କାରଣ, କେଉଁଠି କେଉଁ ଉଚ୍ଚ ଖାଳେଇରେ ଯାଇ ପଶିଯିବା ପାଇଁ କିମ୍ବା ବସିଯିବା ପାଇଁ ସେ ବାଟ ଚାଲୁନଥିଲେ । ବାଟ ଚାଲିବାକୁ ଧର୍ମ ମନେ କରି ବାଟ ଚାଲୁଥିଲେ ଏବଂ ଏହି ଚାଲିବା ସଂଗେ ସଂଗେ ସିଏ ଦେଖା ଓ ଚିହ୍ନା ଏହି ସଂସାରଟାକୁ ସତେଅବା ସାଂଗରେ ନେଇ ଚାଲିବାରେ ଲାଗିଥିଲେ । ଏମିତି ବାଟ ଚାଲୁ ଚାଲୁ ତାଙ୍କର ଆଖିଦୁଇଟା ଅନ୍ଧ ହୋଇଗଲା, ତଥାପି ତାଙ୍କର ବାଟ ଚାଲିବା ବାଟ ଚାଲିବା ବନ୍ଦ ହେଲାନାହିଁ । ତାଂକ ଭିତରେ ଉତ୍ସାହ ସତେଅବା ଆଖି ହୋଇ ତାଂକୁ ବାଟ ଚଲାଇ ନେଇଗଲା । ଆମର ଏହି ଆୟତନଟି ଭିତରେ ଆମେ ଯାହାକୁ ଆଖି ବୋଲି କହୁ, ସେହି ଦୁଇଟା ନଥାଇ ମଧ୍ୟ ସେଇଥିରେ ସାରା ଓଡ଼ିଶା ବୁଲି ଆସିଲେ ଅର୍ଥାତ୍ ପାଦରେ ଚାଲି ପରିକ୍ରମା କରି ଆସିଲେ । ଭିତରେ ଯୋଉ ଆଖିର ବଳରେ ମଣିଷ ଏକଥା ସାଧ୍ୟ କରିପାରେ ,କେବଳ ତାହାରି ଅନୁମାନ କରି ପାରିଲେ ଯାଇ ଆମେ ଆଚାର୍ଯ୍ୟ ମହାଶୟଙ୍କର କିଞ୍ଚିତ୍ କଳନା କରିପାରିବା । ଏଠୁ ଯିବା ଆଗରୁ ସିଏ ପ୍ରାୟ ଦୁଇବର୍ଷ କାଳରେ କଷ୍ଟ ପାଇଲେ, ବିଛଣାରୁ ଉଠି ପାରିଲେନାହିଁ । ରୋଗରେ ପଡ଼ିବା କହିଲେ ସାଧାରଣତଃ ରୋଗକଷ୍ଟରେ ଘାଣ୍ଟିହେବାକୁ ବୁଝାଏ, ନାନା ଯନ୍ତ୍ରଣାରେ ଘାଣ୍ଟିହେବାକୁ ବୁଝାଏ, ନାନା ବିଷୟବ୍ୟଥା ରୋଗ କରିବାକୁ ବୁଝାଏ । ଆଚାର୍ଯ୍ୟ ହରିହରଙ୍କର ଶରୀରକୁ ମଧ୍ୟ ଶେଷ କାଳରେ ଅନେକ ଯନ୍ତ୍ରଣା ଅଙ୍ଗେ ନିଭାଇବାକୁ ପଡ଼ିଛି । ମାତ୍ର ,ସିଏ ଯେ କେବେ ସେଥିରେ ଘାଣ୍ଟି ହୋଇଛନ୍ତି, କୌଣସି ପ୍ରକାର ଆତୁର ଅସହିଷ୍ଣୁତା ଦେଖାଇ କଲବଲ ହୋଇଛନ୍ତି, ସେକଥା କେହି କହିବେନାହିଁ । ଏତେ ଦୁଃଖ ଓ ଏତେ ଯନ୍ତ୍ରଣାକୁ ଜୀର୍ଣ୍ଣ ଓ ସମାହିତ କରିନେବା ଲାଗି ତାଂକ ଦେହରେ ଏତେ ଶକ୍ତି କୁଆଡ଼ୁ ଆସିଲା ବୋଲି ତାଂକର ଅତି ପାଖରେ ରହିଥିବା ଲୋକମାନେ ଅନେକ ସମୟରେ ବିସ୍ମିତ ହୋଇ ପଡ଼ିଛନ୍ତି-। ସେହି ପ୍ରସନ୍ନ ଓ ବିକାରମୁକ୍ତ ଦେହ ,ସେହି ପ୍ରସନ୍ନ ଓ ବିକାରମୁକ୍ତ ମୁଖମୁଦ୍ରା, –ନ ଶୋଚିତ, ନ କାଙ୍‍କ୍ଷତି । ସେ ଯେପରି କେବଳ ଅପେକ୍ଷା କରି ରହିଛନ୍ତି ,ଆଉଏକ ଯାତ୍ରାଲାଗି ପ୍ରସ୍ତୁତ ହେଉଛନ୍ତି-। ତାଂକ ଆଗରେ ସତେ ଯେପରି କୌଣସି ଅନ୍ଧାର ନାହିଁ, କୌଣସି ଅନିଶ୍ଚୟତା ନାହିଁ, ଏଠି ଆହୁରି ଅନେକ କିଛି ବାକି ରହି ଯାଇଥିଲେ ମଧ୍ୟ ତଥାପି ଅଗତ୍ୟା ଯିବାକୁ ପଡ଼ିଲା ବୋଲି ଶୋଚନା କରୁଥିବା ପରି କୌଣସି ଉଛନ୍ନତା ବି ନାହିଁ । ଏସବୁ ଦେଖି ଦେହକୁ ଖିନ୍ ଭିନ୍ କରି ଦେଖି ରୋଗକୁ ବାହାର କରୁଥିବା ଡାକ୍ତରମାନେ ବି ଅନେକ ସମୟରେ ଅବାକ୍ ହୋଇ ଯାଇଛନ୍ତି-। ଏପରିକି, କୌଣସି ଔଷଧ ଦେଇ ତାଂକୁ କୌଣସି ପ୍ରକାରେ ବିଚଳିତ କରିବାକୁ ମଧ୍ୟ ଇଚ୍ଛା କରିନାହାନ୍ତି । କେବଳ ଧାର୍ମିକ ହେଲେ ଅର୍ଥାତ୍ କୌଣସି ଏକ ବିଶେଷ ଧର୍ମଧାରଣାକୁ ଆବୋରି ରହିଲେ ଏକଥା ହୁଏନାହିଁ; ଖାଲି ତ୍ୟାଗୀ ବା ବୈରାଗୀ ହେଲେ ଏକଥା ହୁଏ ନାହିଁ, ଗୋଟାଏ ବିଶେଷ ଜାତି ବା ବିଶେଷ ଦେଶ ଲାଗି ଜୀବନକୁ ଉତ୍ସର୍ଗ କରି ସଂଗ୍ରାମ ଲଢ଼ିଲେ ଏକଥା କଦାପି ହୁଏନାହିଁ । କେବଳ ଆଦର୍ଶବାଦୀ କିମ୍ବା ଆଦର୍ଶବେପାରୀ ସକାଶେ ତାହା ବହୁଦୂର ହୋଇ ରହିଥାଏ । ଆପଣାର ଭିତରେ ତଥା ବାହାରେ ସୂର୍ଯ୍ୟକୁ ସାଥି କରି ସୂର୍ଯ୍ୟମୁହାଁ ହୋଇ ବାଟ ଚାଲିପାରିଲେ ଯାଇ ତାହା ସମ୍ଭବ ହୁଏ, ଆପଣାର ଭିତରେ ତଥା ବାହାରେ ଜୀବନ ପ୍ରତି ଅଜସ୍ର ଶ୍ରଦ୍ଧା ରଖିବାର ଅଧିକାରୀ ହୋଇପାରିଲେ ଯାଇ ସେକଥା ହୁଏ, ଉତ୍‍କ୍ରାନ୍ତିକୁ ହିଁ ଆପଣାର ସର୍ବମୂଳ ଅଭିକ୍ରମରେ ପରିଣତ କରିପାରିଲେ ତାହା ହୁଏ । ସେଇ ‘ଐଂରେୟ ବ୍ରାହ୍ମଣ’ରେ ରହିଛି ଯେ, ମଣିଷର ବାଟ ଚାଲିବା ବନ୍ଦ ହୋଇଗଲେ ଅର୍ଥାତ୍ ସିଏ କେଉଁଠି କ୍ଳାନ୍ତ ହୋଇ ଅଟକିଗଲେ କିମ୍ବା ଶୋଇପଡ଼ିଲେ ହିଁ ତାକୁ ସେଇଠୁ କଳି ଆସି ଘୋଟିଯାଏ, ଏବଂ ଆଗକୁ ବାଟ ଚାଲିବା ଆରମ୍ଭ ହେଲେ ହିଁ ସତ୍ୟଯୁଗ ଆରମ୍ଭ ହୁଏ । କଳିଃ ଶୟାନୋ ଭବତି.....କୃତଂ ସମ୍ପଦ୍ୟତେ ଚରନ୍-। ଆମ ସମସ୍ତଙ୍କ ଲାଗି ଆଚାର୍ଯ୍ୟ ମହାଶୟ ସେଇ ସତ୍ୟଯୁଗର ହିଁ ପରିଚାୟକ ହୋଇ ରହିଥିଲେ । ଆମେ ଯେଉଁମାନେ ନାନା ଛଳରେ ଓ ନାନା କଳରେ କେତେ ପ୍ରକାରେ ଅଟକି ରହିଯାଇଛୁ, ସେମାନଂକ ସକାଶେ ସିଏ ଗଣ୍ଠିକୁ ଛିଡ଼ାଇ ବାହାରି ଯିବାର ପ୍ରେରକ ହୋଇ ରହିଥିଲେ-। ଆପେ ସତତ ବାଟ ଚାଲି ସେ ଆମ ସମସ୍ତଙ୍କୁ ବାଟ ଚାଲିବାର ଉଦବୋଧନ ଦେଇ ଯାଉଥିଲେ-

 

ଆଚାର୍ଯ୍ୟ ମହାଶୟ ଆମ ଭିତରୁ ଚାଲିଯିବା ପରେ ସେ ଛାଡ଼ି ଚାଲିଗଲେ ବୋଲି ଶୋକ ପ୍ରକାଶ କରି ଯେଉଁସବୁ ବିବୃତ୍ତି ଦିଆ ଯାଇଥିଲା ବା ଭାଷଣମାନ ହୋଇଥିଲା, ସେଥିରେ ଅନେକ ଆଚାର୍ଯ୍ୟ ମହାଶୟ ଚାଲିଯିବା ଦ୍ଵାରା ସତ୍ୟବାଦୀ–ଯୁଗର ଅବସାନ ହେଲା ବୋଲି ଖେଦ ବ୍ୟକ୍ତ କରି କହିଥିଲେ । ଆମେ ଯେଉଁମାନେ ଏଭଳି କହୁଥିଲୁ ବା ଭାବୁଥିଲୁ, ସେମାନେ ସତ୍ୟବାଦୀ–ଯୁଗ କହିଲେ ସ୍ଥୂଳତଃ ପାଞ୍ଚଜଣ ବ୍ୟକ୍ତିଙ୍କୁ ହିଁ ଭାବୁଥିଲୁ । ଉତ୍କଳମଣି ଗୋପବନ୍ଧୁ ତଥା ତାଂକୁ କେନ୍ଦ୍ର କରି ସତ୍ୟବାଦୀଠାରେ ଏକତ୍ର ହୋଇଥିବା ଅର୍ଥାତ୍ ସିଏ ଟାଣି ଆଣି ସତ୍ୟବାଦୀଠାରେ ଏକତ୍ର କରାଇଥିବା ପଣ୍ଡିତ କୃପାସିନ୍ଧୁ, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ ଏବଂ ଆଚାର୍ଯ୍ୟ ହରିହରଙ୍କୁ ଭାବୁଥିଲୁ । ଭାବପରବଶ ହୋଇ ଆମେ କେତେଥର ସେମାନଂକୁ ଉତ୍କଳର ପଞ୍ଚସଖା ବୋଲି କହୁଥିଲୁ । ମାତ୍ର, ଟିକିଏ ଅଧିକ ଗଭୀର ଭାବରେ ବିଚାର କାଲେ ସତ୍ୟବାଦୀ–ଯୁଗର ତ ହୁଏତ ସେଇଦିନୁ ଅବସାନ ଘଟିଥିଲା, ଯେଉଁଦିନ ଏହି ପାଞ୍ଚଜଣ ସତ୍ୟବାଦୀ ଛାଡ଼ି ଆପଣା ଆପଣାର ପଥରେ ଅନ୍ୟତ୍ର ବାହାରି ଯାଇଥିଲେ; କିଏ ଅନ୍ୟତ୍ର ଆହ୍ଵାନ ପାଇ ବାହାରିଗଲେ ଓ ଆଉକିଏ ଅନ୍ୟତ୍ର ଆପଣାର ଭାଗ୍ୟ ଖୋଜିବାକୁ ଓ ଭାଗ୍ୟ ଗଢ଼ିବାକୁ ବାହାରିଗଲେ । ପଣ୍ଡିତ ଗୋପବନ୍ଧୁ ଭାରତର ସ୍ଵାଧୀନତା ଆନ୍ଦୋଳନରେ ଝାସ ଦେଲେ, ଅର୍ଥାତ ଆମ ଓଡ଼ିଶାରେ ସେ ଜାତୀୟ ସ୍ଵାଧୀନତାର ଆନ୍ଦୋଳନରେ ପୁରୋଧା ହେଲେ ଏବଂ ସେହି ନୂତନ ଉତ୍ସାହର ପ୍ରବାହ ଭିତରେ ଆପଣାକୁ ଗୋଟାସୁଦ୍ଧା ମିଶାଇଦେବା ବ୍ୟତୀତ ସତ୍ୟବାଦୀର ଆଉ କିଛିହେଲେ କରିବାକୁ ନାହିଁ ବୋଲି ସେ ହୁଏତ ଅନୁଭବ ବି କରିଥିଲେ । ସତ୍ୟବାଦୀର ପିଲାଏ ଯାହା କରନ୍ତୁ ବା ନକରନ୍ତୁ ପଛକେ, ଅନ୍ତତଃ ସତ୍ୟବାଦୀର ଶିକ୍ଷକମାନେ ସତ୍ୟବାଦୀର ଆୟତନ ଭିତରୁ ବାହାରି ଆସି ଆନ୍ଦୋଳନରେ ଝାସ ଦିଅନ୍ତୁ, ନୂତନ ଭାବଟି ଦ୍ଵାରା ଉଦ୍‍ବୁଦ୍ଧ ଉତ୍କଳମଣି ବୋଧହୁଏ ସେହିପରି ବିଚାରିଥିଲେ । ତାହାରି ଫଳରେ ବକୁଳବନର ଜୀବନ–ଘରଟି ଭାଙ୍ଗିଲା, ବକୁଳବନର ମାୟା ତୁଟିଲା, ଶିକ୍ଷାର ପ୍ରୟୋଗ ସେତିକିରେ ରହିଲା । ସେତେବେଳେ ସେଠି ଯେଉଁ ପିଲାମାନେ ପାଠ ପଢ଼ି ଆସିଥିଲେ, ନୂଆ ଆଖି ଲାଭ କରିବାଲାଗି ଏକାଠି ହୋଇଥିଲେ ଓ ସ୍ଵୟଂ ଉତ୍କଳମଣିଙ୍କର ଭାଷାରେ କହିବାକୁ ଗଲେ, ପୁରାତନ ସଂସ୍କାର ଓ ସମାଜକୁ ଫଟାଇବା ଲାଗି ବୋମା ପରି ତିଆରି ହେଉଥିଲେ, ସେମାନେ ସତ୍ୟବାଦୀ ଛାଡ଼ି କିଏ କେତେମନ୍ତେ କୁଆଡ଼େ ମୁହାଁଇଗଲେ, କେତେ କେତେ ସୂତ୍ରରେ ପୁରୁଣା ସମାଜଟା ସହିତ ମିଶିଗଲେ । ସେମାନେ ବଡ଼ ହୋଇ ପୁରୁଣା ସମାଜକୁ ଭାଙ୍ଗିବା ପରିବର୍ତ୍ତେ ସେହି ସମାଜରେ ନେତା ହେଲେ, ଅର୍ଥାତ୍ ଭାରି କୁଶଳ ଭାବରେ ସେହି ସମାଜଟି ସହିତ ଖାପ ଖାଇଗଲେ, ତାହାରି ଭିତରେ ଚମତ୍କାର ସଫଳତା ଅର୍ଜନ କଲେ । ସେମାନେ ତାହାରି ଭିତରେ ଓକିଲ ହେଲେ, ତାହାରି ଭିତରେ ବଢ଼ି ବଡ଼ ଚାକିରିଆ ହେଲେ ଓ ତାହାରି ଭିତରେ ଶିକ୍ଷାବିତ୍ ଅର୍ଥାତ୍ ଶିକ୍ଷାହାକିମ ହୋଇ ଅଶିକ୍ଷାର ଅସ୍ଥାନଗୁଡ଼ିକୁ ଅଧିକ ମଜବୁତ କରି ରଖିବାରେ ଜୀବନ ଉତ୍ସର୍ଗ କଲେ । ସତ୍ୟବାଦୀ କହିଲେ ସେମାନେ ପ୍ରଧାନତଃ ପଛକୁ ଚାହିଁବାକୁ ହିଁ ବୁଝିଲେ, ଅର୍ଥାତ ଔପଚାରିକ ଯାବତୀୟ ଉପଲକ୍ଷରେ ଉତ୍କଳମଣି ଏବଂ ସତ୍ୟବାଦୀ ବିଦ୍ୟାଳୟ ସଂପର୍କରେ ଲେଖିଲାବେଳେ ସେମାନେ କେବଳ ଆପେ ସେଠାରେ ରହିଥିବା ବେଳର ସ୍ମୃତିଗୁଡ଼ାକର ଉଦ୍‍ଗାର କଲେ, କେବଳ ସ୍ମୃତି ବାହୁନିଲେ । ତେଣୁ ସତ୍ୟବାଦୀ କାଳକ୍ରମେ ପ୍ରଧାନତଃ ଏକ ସ୍ମୃତିପୀଠ ହୋଇ ରହିଲା, ପ୍ରେରଣାକୁ ଏକ ଉତ୍ସ ହୋଇ ରହି ପାରିଲାନାହିଁ । ଉତ୍କଳମଣି ଗୋପବନ୍ଧୁ ଓ ପଣ୍ଡିତ କୃପାସିନ୍ଧୁ ପ୍ରାୟ ଅକାଳରେ ସଂସାର ଛାଡ଼ିଲେ । ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ତା’ପରେ ଓଡ଼ିଶାର ରାଜନୀତିରେ କେତେପ୍ରକାର ଡଂଗାରେ ଯାଇ ବସିଲେ, କେତେପ୍ରକାରେ ମଙ୍ଗୁଆଳ ହେଲେ । ସେମାନେ ସାହିତ୍ୟ କଲେ, ସଂସ୍କୃତି ବି କଲେ । ଓଡ଼ିଶାକୁ ତା’ର ପଡ଼ୋଶୀମାନଙ୍କ ଆଗରେ ଏକ ସ୍ଵତନ୍ତ୍ର ଅସ୍ତିତ୍ଵ ରୂପେ ଠିଆ କରାଇ ଧରିବାକୁ ସେମାନେ କେତେ କ’ଣ କଲେ । ଳସେମାନେ ସାଧାରଣ ଜୀବନର କେତେ କ୍ଷେତ୍ରକୁ ଯାଇ ପରଖିଲେ ଅର୍ଥାତ୍ କେତେ କେତେ କ୍ଷେତ୍ରରେ ଯାଇ ନିଜକୁ ପରଖିଲେ । ଓଡ଼ିଶାରେ ନୂଆ ବିଶ୍ୱବିଦ୍ୟାଳୟ ଗଢ଼ାହେଲା, ଶିକ୍ଷାର ପ୍ରସାର ହେଲା; ଅର୍ଥାତ୍, ପୁରୁଣା ଓ ପୋଚରା ଯାହା ଥିଲା, ତାହାରି ପ୍ରସାର ହେଲା, ଗୁଣକ ଦଶଗୁଣ ହେଲା । ପୂର୍ଣ୍ଣଭୋଳ ଉତ୍ସାହରେ ନୂଆ ବୋଲି କହି ସେହି ପୁରୁଣାଗୁଡ଼ାକ ପରଷା ହେଲା । ସ୍କୁଲ ବଢ଼ିଲା, କଲେଜ ବଢ଼ିଲା,–ମାତ୍ର ଏଗୁଡ଼ାକର ଜରିଆରେ ଆମ ଜାତୀୟ ଜୀବନରେ ପ୍ରକୃତରେ କ’ଣ ବଢ଼ିଲା ବା ଛିଡ଼ିଲା, ତାହାର ବିଚାର କରି ପାରିବାଲାଗି ଆଉ କାହାରି ଫୁରସତ ହିଁ ରହିଲା ନାହିଁ । ସବୁଠିଁ ଅଗ୍ରଗତିର ଧୂଆଁବାଣ ମରାଗଲା, ପୁରୁଣାଗୁଡ଼ାକୁ ପଚାଶଗୁଣ କରିବାକୁ ହିଁ ଅଗ୍ରଗତି ବୋଲି କୁହାଗଲା, ଏକ ସମଗ୍ର ସଂକଟର କୋଳିମଞ୍ଜିକୁ ପୋତି ଦିଆଗଲା । କୋଳି ଖାଉଥିବା ଅନୁପ୍ରାଣିତ ମହତ୍‍ଜନମାନେ ସେତେବେଳେ ସେକଥା ଆଦୌ ଠଉରାଇ ପାରିଲେ ନାହିଁ ।

 

ସତ୍ୟବାଦୀ ବିଦ୍ୟାଳୟର ଅନେକ ସ୍ମୃତିକୁ ବର୍ଣ୍ଣନା କରି ଲେଖା ଯାଇଥିବା ଗୋଟିଏ ପୁସ୍ତକରେ ମୁଖବନ୍ଧ ଲେଖିବାକୁ ଯାଇ ପଣ୍ଡିତ ଗୋଦାବରୀଶ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଏକଥାଟି ମଧ୍ୟ ଲେଖି ପକାଇଛନ୍ତି : “ମୋ’ର ମନେ ହୁଏ, ନିମ୍ନ କ୍ଷେତ୍ରରେ ରହି ସେବା କରିବା ନିମନ୍ତେ ବିଧାତା ମୋତେ ଶକ୍ତି ଦେଇଥିଲା । ସେ ଶକ୍ତି ଉପରେ ଉଡ଼ିବାକୁ ବସିବା ମୋ’ ପକ୍ଷରେ ଭୁଲହୋଇଛି ।’’ ତାଂକ ଜୀବନରେ ପରିପକ୍ଵତମ ବୟସରେ ପଣ୍ଡିତ ଗୋଦାବରୀଶ ଏକଥା ଲେଖିଛନ୍ତି । ଅର୍ଥାତ୍, ଆପଣାର କୀର୍ତ୍ତି ତଥା ଖ୍ୟାତିର ତୁଙ୍ଗତମ ଶିଖରରେ ଯାଇ ବସିସାରିବା ବେଳକୁ ସିଏ ସତେଅବା ଆପଣା ଭିତରକୁ ଅନାଇ ଏହି ଅବସାଦଟିକୁ ଅନୁଭବ କରିଛନ୍ତି । କୋଉ କ୍ଷେତ୍ର ନିମ୍ନରେ ଏବଂ କୋଉ କ୍ଷେତ୍ର ଉଚ୍ଚରେ କେବଳ ଆପଣାର ଅନୁରକ୍ତି ଅନୁସାରେ ହିଁ ବ୍ୟକ୍ତି ତାହାର ମୀମାଂସା କରିଥାଏ । ଆପଣାର ସମର୍ପଣବୃତ୍ତି ଓ ତାହାର ନିର୍ଦ୍ଦେଶକୁ ମାନି ବାଟ ଚାଲିବାର ସାହସ ହିଁ ମଣିଷର ଜୀବନକ୍ଷେତ୍ରକୁ ବଡ଼ କରିଥାଏ । ବାହାର ତଉଲରେ ଯେତେ ସାନ ବୋଲି ଦେଖା ଯାଉଥିଲେ ମଧ୍ୟ ତଥାପି ସେତେବେଳେ ଆପଣାର ଅସ୍ଥାନଟି ହିଁ ଆପଣାର ବିଶ୍ଵଟିକୁ ପ୍ରତ୍ୟକ୍ଷ କରିବାର ଧ୍ରୁବପଥ ପରି ଅନୁଭୂତ ହେଉଥାଏ । ମାତ୍ର, ବାହାର ତଉଲିବାର ନାନା ସମ୍ମୋହନରେ ପଡ଼ି ଅନେକସରାଗୀ ହୋଇ ଏଣେତେଣେ ଉଡ଼ିବାର ସଉକଟା ଆସି ଗ୍ରାସ କରିଦେବା ମାତ୍ରକେ ମଣିଷର ଆପଣା କ୍ଷେତ୍ରଟା ତାକୁ ଭାରି ସାନ ହୋଇ ଦିଶେ; ଫଳରେ ଅସଲ ଚେରଟି ଛିଡ଼ିଯାଏ, ଅସଲ ମୂଳଦୁଆଟି ହଲିଯାଏ ଓ ଏକାବେଳେକେ ସାତଟା ବନସୀ ଧରି ସାତଟା ଗଣ୍ଡରୁ ମାଛ ଧରିବାର ମନ ନେଇ ବୁଲିଲେ ମଧ୍ୟ ତଥାପି ଘରକୁ ଫେରିବାବେଳକୁ ସତେଅବା ଏକ ଅବସାଦକୁ ହିଁ ଆପଣାର ସ୍ଥାୟୀ ଜୀବନଭାବ ରୂପେ ଗ୍ରହଣ କରିବାକୁ ହୁଏ ।

 

ଆପଣାର କୌଣସି ରଚନାର ପଣ୍ଡିତ ନୀଳକଣ୍ଠ ଅବଶ୍ୟ ଆପଣା ଭିତରେ ରହିଥିବା ଏଭଳି ଏକ ଅତୃପ୍ତିକୁ କେଉଁଠି ଭାଷା ଦେଇନାହାନ୍ତି ସତ, ମାତ୍ର ବନ୍ଧୁମେଳରେ କଥୋପକଥନରେ ତାଂକ ଅନ୍ତର୍ମନର ଦର୍ପଣଟା ଉପରେ ବେଳେ ବେଳେ ତାଂକର ଠିକ୍ ଏହି ଭାବଟି ହିଁ ଭାରି ଉକୁଟି ଉଠିଛି । ନିଜ ପ୍ରତାପରେ ଇଉରୋପର ସମଗ୍ର ଭୂଖଣ୍ଡଟାକୁ ଟଳମଳ କରିଦେବାପରେ ଯେତେବେଳେ ବୀର ନେପୋଲିଅନ୍ ଆଫ୍ରିକା ଉପକୂଳସ୍ଥ କୌଣସି ଏକ ଦ୍ଵୀପରେ ନିର୍ବାସିତର ଜୀବନ ଜାପାନ କରୁଥିଲେ, ସେତେବେଳେ ସିଏ ବି କୁଆଡ଼େ ଏହିପରି ଏକ ଅବସାଦର ସମ୍ମୁଖୀନ ହୋଇଥିଲେ ଏବଂ ତରବାରୀରେ ଶକ୍ତି ଯେ ସଂସାରରେ ସବୁଠାରୁ ବଡ଼ ଶକ୍ତି ନୁହେଁ ଓ ବିଚାର ତଥା ବିବେକର ଶକ୍ତି ପାଖରେ ତାହାକୁ ଅବଶ୍ୟ ପରାଜୟ ସ୍ଵୀକାର କରିବାକୁ ହୁଏ ବୋଲି ଦୁଃଖୋକ୍ତି କରିଥିଲେ । ଆପଣାର ଅସଲ ମନ ଓ ଅସଲ ଅଭିଳାଷକୁ ଆପଣା ଭିତରେ ନିର୍ବାସିତ କରି ରଖି ଯେତେବେଳେ ମଣିଷ ବାହାରର ଅନ୍ୟ ପରାକ୍ରମ ଓ ଅନ୍ୟ ବିକ୍ରମଗୁଡ଼ାକରେ ଖଣ୍ଡିଆଦଣ୍ଡିଆ ହେବାକୁ ବାହାରେ, ସେତେବେଳେ ଅସ୍ତଦିଗନ୍ତରେ ପହଞ୍ଚିଲାବେଳକୁ ଆପଣାର ଉଦୟଦିଗନ୍ତ ଆଡ଼କୁ ଅନାଇ ତାକୁ ହୁଏତ ଏହିପରି ଏକ ଅବସାଦ ହିଁ ଭୋଗିବାକୁ ହୋଇଥାଏ । ପଣ୍ଡିତ ଗୋଦାବରୀଶ ଓ ପଣ୍ଡିତ ନୀଳକଣ୍ଠ ପ୍ରକୃତରେ ଠିକ୍ ଏହିପରି ଏକ ଅବସାଦ ଭୋଗିଥିଲେ କି ନାହିଁ, ସେହି ଅନୁମାନଟି ବିଷୟରେ ହୁଏତ ଦ୍ଵିମତ ରହିପାରେ; ମାତ୍ର, ଆଚାର୍ଯ୍ୟ ହରିହର ଯେ ସେହି ଅବସାଦର ଅନେକ ଦୂରରେ ରହିଥିଲେ, ସେଥିରେ କାହାରି କଦାପି ଦ୍ଵିରୁକ୍ତ ରହିବ ନାହିଁ । ସିଏ ଆପଣାର ବାଟ ଚାଲୁଥିଲେ, ସତ୍ୟବାଦୀର ଆସ୍ଥାନଟି ଭାଙ୍ଗିଯିବା ପରେ ମଧ୍ୟ ସେ ସେହି ଗୋପବନ୍ଧୁଙ୍କର ସ୍ଵପ୍ନକୁ ହିଁ ଆପଣାର ଆଖିଭିତରେ ଭରାଇ ରଖି ବାଟ ଚାଲୁଥିଲେ; ସେହି ଆଖିରେ ହିଁ ସଂସାରକୁ ଦେଖୁଥିଲେ, ସକଳ ଅଗ୍ରଗତି ଓ ପ୍ରଗତିକୁ ସେ ମୂଳତଃ ଏକ ଆରୋହଣ ବୋଲି ବୁଝୁଥିଲେ ।

 

ତେଣୁ, ଆଧୁନିକ ଓଡ଼ିଶାର ପଞ୍ଚସଖା–ଯୁଗ କହ ଅଥବା ସତ୍ୟବାଦୀ ଯୁଗ କହ, ଉତ୍କଳମଣି ଗୋପବନ୍ଧୁଙ୍କର ଦୃଷ୍ଟି ଓ କୃତି ଭିତରେ ହିଁ ତାହା ବିଧୃତ ହୋଇ ରହିଥିଲା ଏବଂ ତାଂକର ତିରୋଧାନ ସଂଗେ ସଂଗେ ସେହି ଯୁଗଟିର ମଧ୍ୟ ଇତି ଘଟିଲା । ଉତ୍କଳମଣି ପ୍ରତ୍ୟେକ ଓଡ଼ିଆକୁ ପ୍ରଥମେ ମଣିଷ ବୋଲି ଅନୁଭବ କରୁଥିଲେ, ତା’ପରେ ଭାରତୀୟ ବୋଲି ଅନୁଭବ କରୁଥିଲେ ଓ ସବାଶେଷରେ ଓଡ଼ିଆ ବୋଲି ଅନୁଭବ କରୁଥିଲେ ଏବଂ ଓଡ଼ିଆ ବୋଲି ଦେଖୁଥିଲେ । ଅର୍ଥାତ୍, ସେ ପ୍ରତ୍ୟେକ ଓଡ଼ିଆକୁ ମଣିଷର ଆସ୍ଥାନରେ ମଣିଷରୂପେ ପ୍ରତିଷ୍ଠିତ କରିବାଲାଗି ସ୍ଵପ୍ନ ଦେଖୁଥିଲେ । ଜଣେ ମଣିଷ ହିସାବରେ ମଣିଷର ଜୀବନଭୂମିଟି ଯେଉଁଭଳି ହେବା ଉଚିତ୍, ଯେଉଁଭଳି ବିଶ୍ଵାସ, ବଳିଷ୍ଠତା ତଥା ସାମର୍ଥ୍ୟଗୁଡ଼ିକ ଦ୍ଵାରା ତାହା ମଣ୍ଡିତ ହୋଇ ରହିବା ଉଚିତ୍, ଗୋପବନ୍ଧୁ ଏଠି ପ୍ରତ୍ୟେକ ମଣିଷ ଲାଗି ସେହିଭଳି ଏକ ସମ୍ପନ୍ନତା କାମନା କରୁଥିଲେ । ସେଇଥିଲାଗି କାନ୍ଦୁଥିଲେ, ସେଇଥିରେ ବିହ୍ଵଳ ହୋଇ ରହିଥିଲେ ଓ ତାହାକୁ ସମ୍ଭବ କରିବାର ଏକ ଅନ୍ତର୍ଗତ ସଂକଳ୍ପରୁ ହିଁ ସେ ଆପଣାର ବଳ ପାଉଥିଲେ । ଏଠି ସେ ବହୁତକିଛି ବଦଳାଇବାକୁ କହୁଥିଲେ, ଦାରିଦ୍ର୍ୟର ଲୋପ କରିବାକୁ ହିଁ ସେ ଦରିଦ୍ରବନ୍ଧୁ ହୋଇ ବାହାରିଥିଲେ; ଏଠି ଅନେକ ପୁରୁଣାକୁ ଭାଙ୍ଗି ନୂଆର ସଂସ୍ଥାପନା ସକାଶେ ସିଏ ସାରା ଓଡ଼ିଶାକୁ ଆଲୋଡ଼ିତ କରିଥିଲେ । ଭାରତବର୍ଷର ସ୍ଵାଧୀନତା ଆନ୍ଦୋଳନରେ ସେ ମୁଖ୍ୟତଃ ଏଇଥିଲାଗି ଯୋଗ ଦେଇଥିଲେ ଏବଂ ଆଖି ଆଗରେ ଏତେ ନେତା ଥାଉ ଥାଉ ସିଏ ଗାନ୍ଧୀଙ୍କୁ ହିଁ ନିଜର ନେତାରୂପେ ନିର୍ବାଚିତ କରି ନେଇଥିଲେ । ଯଦି ଗୋପବନ୍ଧୁ ଆହୁରି ପଚାଶଟା ବର୍ଷ ବଞ୍ଚି ରହିଥାନ୍ତେ, ତେବେ ୧୯୪୭ ମସିହା ପରେ ତାଂକର ବିପ୍ଳବ କଦାପି ସାଂଗ ହୋଇ ଯାଉନଥାନ୍ତା, ଓଡ଼ିଆଙ୍କ ସକାଶେ ଚରମ ତ୍ୟାଗ କରିଥିବାରୁ ଓଡ଼ିଆଙ୍କ ଘରେ ସେ କଦାପି ପରମ ବ୍ୟାଘ୍ର ହୋଇ ବସିବା ଲାଗି ମନ ବଳାଇ ନଥାନ୍ତେ । ସିଏ ତଥାପି ବିପ୍ଳବର ଚାହିଥାନ୍ତେ, ଆମ ସମସ୍ତଙ୍କୁ ତଥାପି ଆହୁରି ଅନେକ ସାମାଜିକ ତଥା ମାନବିକ ଉପଲବ୍ଧି ଲାଗି ଏକ ସାଧନାରୂପେ ବ୍ୟବହାର କରି ମେରୁଦଣ୍ଡ ସିଧା କରି ଓ ଆଖି ଦୁଇଟାକୁ ଆଗକୁ ରଖି ବାଟ ଚାଲିବାର କେତେ ଦ୍ଵାରର ଉଦ୍‍ଘାଟନ କରି ଦେଇଥାନ୍ତେ । ବୁଢ଼ା ବୟସରେ ଗାଡ଼ି ମାଡ଼ି ନବସି ଏଠାରେ ସେ ଆମ ସମସ୍ତଙ୍କୁ ତାରୁଣ୍ୟର ପ୍ରେରଣା ଦେଉଥାନ୍ତେ, ତାରୁଣ୍ୟର ପ୍ରତୀକ ହୋଇ ରହିଥାନ୍ତେ । ୧୯୪୭ ପରେ ବଞ୍ଚି ରହିଥିଲେ ଉତ୍କଳମଣି ଗୋପବନ୍ଧୁ ଯାହା କରିଥାନ୍ତେ ବା ଯେଉଁ ସନ୍ଦେଶରେ ପ୍ରତିନିଧି ହୋଇ ରହିଥାନ୍ତେ, ଆଚାର୍ଯ୍ୟ ହରିହର ଆପଣାର ଜୀବନ ଶେଷଯାଏ କେବଳ ତାହାହିଁ କଲେ । ସ୍ଵାଧୀନତାକୁ ଭୁଞ୍ଜିବାର ଆମର ଏହି ନେତୃତ୍ଵପ୍ରେମର ଯୁଗରେ ସିଏ ପୂର୍ଣ୍ଣତଃ ଗୋଟିଏ ବ୍ୟତିକ୍ରମ ହୋଇ ରହିଥିଲେ, ସଂଖ୍ୟାଲଘିଷ୍ଠ ହୋଇ ରହିଲେ । ଆମ ଜାତିୟତା, ଆମ ଭୋଗଖିଆ ଓ ଆମ ମଣିଷ ଭୁଲାଇବାର ଦରବାରଗୁଡ଼ାକ ଲାଗି ସେ ଏକ ପ୍ରତିବାଦ ହୋଇ ରହିଲେ । ଏହି ଦୃଷ୍ଟିରୁ ବିଚାର କରି ଦେଖିଲେ, ସତ୍ୟବାଦୀରେ କୁସୁମିତ ହୋଇଥିବା ଏକମାତ୍ର ସେଇ ଗୋପବନ୍ଧୁଙ୍କ ପରେ ସତ୍ୟବାଦୀ–ଯୁଗକୁ ଓ ସତ୍ୟବାଦୀର ଜୀବନଗତ ଆହ୍ଵାନଟିକୁ ଉତ୍ତୋଳିତ କରି ରଖିଲେ, ତାହାରିଦ୍ଵାରା ପ୍ରେରିତ ହୋଇ ବାଟ ଚାଲିଲେ । ଅନ୍ୟ ସଖାମାନେ କେତେ କୁଆଡ଼େ ବୁଡ଼ିଗଲେ । କେତେ କୁଆଡ଼େ ମାଡ଼ିଗଲେ, ହୁଏତ କେତେ କୁଆଡ଼େ ବୁଡ଼ିଗଲେ । ସେମାନେ କେତେ ପ୍ରକାରରେ ଲୋସଡ଼ି ପଡ଼ିଲେ, ମାତ୍ର ଏକମାତ୍ର ସେଇ ଶେଷଯାଏ ଗୋପବନ୍ଧୁଙ୍କୁ ଆପଣାର ସଖା କରି ରଖିଲେ । କେବଳ ଏହି ଗୋଟାଏ ଓଡ଼ିଶାର ନୁହେଁ, ଆଧୁନିକ ଭାରତର ଏକ ବ୍ୟାପକତର ବୈପ୍ଳବିକ ବିଚାର ଦୃଷ୍ଟିକୁ ଏଠି ବଞ୍ଚାଇ ରଖିବାରେ ସେ ନିମିତ ହୋଇ ରହିଲେ । ସେ ମଣିଷର ହୋଇ ରହିଲେ, ତରୁଣର ହୋଇ ରହିଲେ, ଆଚାର୍ଯ୍ୟ ହୋଇ ରହିଲେ ।

 

ଆଚାର୍ଯ୍ୟପଦ ପାଇ କେବଳ ହରିହର ଯେ ସାର୍ଥକ ହେଲେ ତାହା ନୁହେଁ, ହରିହରଙ୍କୁ ପାଇ ଆଚାର୍ଯ୍ୟପଦ ତା’ର ଅନେକଗୁଣ ଅଧିକ ସାର୍ଥକ ହେଲା । ଯିଏ ପାଠ ପଢ଼ାନ୍ତି, ଆମର ଚଳନ୍ତି ଭାଷାରେ ଆମେ ତାହାଙ୍କୁ ହିଁ ଆଚାର୍ଯ୍ୟ ବୋଲି କହୁ । ଯିଏ ଚାଟ ଧରି ବସନ୍ତି ଓ ଛାଟ ଅର୍ଥାତ୍ କ୍ଷମତା ଧରି ଅଧିକ ବିଦ୍ୟାକୁ ଧରି ରଖିଥିବାର ହାକିମା ଦେଖନ୍ତି, ଆମେ ତାଂଙ୍କୁ ଆଚାର୍ଯ୍ୟ ବୋଲି କହୁ । ଆଚାର୍ଯ୍ୟକୁଳ କହିଲେ ଏହି ଶିକ୍ଷକକୁଳ ବା ମାଷ୍ଟରକୁଳଙ୍କୁ ବୁଝୁ । ଆଚାର୍ଯ୍ୟ ଶଦ୍ଦଟି ସଂସ୍କୃତ ‘ଚର’ ଧାତୁରୁ ନିଷ୍ପନ୍ନ ହୋଇ ଆସିଛି । ‘ଚର’ ଅର୍ଥାତ୍ ଚାଲିବ; ତେଣୁ ଆଚାର୍ଯ୍ୟ ଅର୍ଥାତ୍ ଯିଏ ବାଟ ଚାଲୁଛି, ନିଜେ ବାଟ ଚଳିବାର ପ୍ରେରଣା ଦଉଛି । ଖାଲି ଶାସ୍ତ୍ରୀୟ ବ୍ୟୁତ୍ପତ୍ତିଗତ ବ୍ୟାଖ୍ୟା ଅନୁସାରେ ନୁହେଁ, ଆଧୁନିକ ଶିକ୍ଷାବିଜ୍ଞାନ ଏବଂ ବିଚାରସଂକ୍ରମଣର ମନୋବିଜ୍ଞାନ ଅନୁସାରେ ମଧ୍ୟ ଶିକ୍ଷକ ବା ଆଚାର୍ଯ୍ୟ କହିଲେ ମୂଳତଃ ଆପେ ସତତ ଶିଖିବାରେ ଲାଗିଥିବା ଅର୍ଥାତ୍ ଆପେ ସତତ ବାଟ ଚାଲିବାରେ ଲାଗିଥିବା ଜଣେ ବ୍ୟକ୍ତିଙ୍କୁ ହିଁ ବୁଝାଏ । ସ୍ୱଭାବତଃ ଗ୍ରହଣଶୀଳ ମଣିଷ ଅପର ଅନେକଂକୁ ଗ୍ରହଣଶୀଳ ହେବାର ବାସନା ଦେଇଥାଏ, ଜିଜ୍ଞାସୁ ମଣିଷ ଜିଜ୍ଞାସାର ସଂକ୍ରମଣ କରାଏ-। ଭକ୍ତ ହିଁ ଭକ୍ତିର ସଂକ୍ରମଣ କରାଏ, ଶ୍ରଦ୍ଧାଶୀଳ ମଣିଷ ହିଁ ଶ୍ରଦ୍ଧାର ସେଚନ ଓ ବପନ କରାଏ-। ଯିଏ ସତତ ଶିଖିବାର ପ୍ରବୃତ୍ତି ରଖିଥାଏ, କେବଳ ସେଇ ଅପର ଅନେକଂକର ମନରେ ଶିଖିବାର ପ୍ରବୃତ୍ତିକୁ ଜାଗୃତ କରି ରଖିପାରେ । ଏ ଦେଶରେ ଗତି ପଚିଶିବର୍ଷ ହେଲା ଯେଉଁମାନେ ଖାଲି ଉପଦେଶ ଦେବାରେ ବାଇ ହୋଇ ରହିଛନ୍ତି, ସେମାନେ ଆପେ କୌଣସି ପ୍ରକାରେ ହଲଚଲ ହେଉନାହାନ୍ତି; ଯେଉଁଠି ଅଛନ୍ତି, ଠିକ୍ ସେହିଠାରେ ଜବର ହୋଇ ବସିଛନ୍ତି । ସେମାନେ ଆପେ କିଛିହେଲେ ହେଉନାହାନ୍ତି, ମାତ୍ର ଅନ୍ୟକୁ କେତେ କ’ଣ ହେବାଲାଗି ଓ କେତେ କ’ଣ କରି ଦେଖାଇ ଦେବାଲାଗି ଖାଲି ଉପଦେଶ ଦେବାରେ ଲାଗିଛନ୍ତି । ସେମାନେ ଖାଲି ଅନ୍ୟକୁ ମନ କରି ବା ବଶ କରି ରଖିବାର ମନ କରୁଛନ୍ତି । ଆମର ଅଧ୍ୟାପକ ନିଜେ ଅଧ୍ୟୟନ କରୁନାହିଁ; ଅଧ୍ୟୟନର ସବୁଯାକ ଭୋକକୁ ଭାରି ସୂଚତୁରତାର ସହିତ ମାରିଦେଇ ସିଏ ଏତେବଡ଼ ଅଧ୍ୟାପକ ହୋଇ ବସିଛି, ଅଧ୍ୟାପନା କରିବାରେ ଲାଗିଛି । ସିଏ ଯୁଗଟାକୁ ଅନ୍ଧାର କରି ରଖିଛି; ମଣିଷଠାରୁ ମଣିଷକୁ ଦୂରଛଡ଼ା କରି ରଖିଛି, ସକଳ ପ୍ରକାର ଡିଣ୍ଡିମ ବଜାଇବା ସତ୍ତ୍ୱେ ସିଏ ଅସଲ ସଂକ୍ରମଣ ଓ ଅସଲ ଅଭିଳାଷଗୁଡ଼ିକୁ ବାରିତ କରି ରଖିଛି,–ଆମ ସମସ୍ତଙ୍କର ଚାଲିବା ବାଟରେ ଏକ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି ।

 

ସଂସାରକୁ ବଦଳାଇବାକୁ ହେବ, ସମାଜକୁ ବଦଳାଇବାକୁ ହେବ, ଓ ଜାତି ବା ଦେଶର ଭାଗ୍ୟକୁ ବଦଳାଇବାକୁ ହେବ ବୋଲି ଏବେ ଆମର ଏଠି ଅନେକ କହୁଛନ୍ତି; ମାତ୍ର ସେମାନଙ୍କ ଭିତରୁ ପ୍ରକୃତରେ କେତେଜଣ ବଦଳିବାକୁ ଚାହୁଁଛନ୍ତି ? ନିରାପଦ ଭାବରେ ଏହି ସଂସାରରେ ରହି ସଫଳ ହେବା ଲାଗି ଭଗବାନଙ୍କ ପାଖରେ ବର ମାଗୁଥିବା ବ୍ୟକ୍ତି ଏହି ସଂସାରକୁ କେଉଦିନ କିପରି ବଦଳାଇ ପାରିବ ? ଏହିସବୁ ଚଳନ୍ତି ରୀତି ଅର୍ଥାତ ଜୀବନବିରୋଧୀ ଅରୀତିଗୁଡ଼ାକୁ ସିଧା ଆସ୍ଫାଳନ କଲାପରି ଆମରି ଭିତରେ ଗୋଟାଏ ବୈଭବମୟ ଉଜ୍ଵଳ ବ୍ୟତିକ୍ରମ ହୋଇ ବିଚରଣ କରୁଥିଲେ ଆଚାର୍ଯ୍ୟ ହରିହର । ସିଏ ଅନ୍ୟମାନଙ୍କୁ ଚାଲିବାଲାଗି ଉପଦେଶ ଦେଉ ନ ଥିଲେ, ନିଜେ ବାଟ ଚାଲୁଥିଲେ । ଏବଂ ତାହାରିଦ୍ଵାରା ହିଁ ଆହୁରି ଅନେକଙ୍କୁ ବାଟ ଚାଲିବାଲାଗି ପ୍ରେରଣା ଦେଉଥିଲେ । ସିଏ ଆପଣା ଭିତରେ ଭଲକୁ ଚିହ୍ନୁଥିଲେ, ଭଲକୁ ଅନୁଭବ କରୁଥିଲେ ଓ ଭଲ ଉପରେ ନିର୍ଭର କରି ପାରୁଥିଲେ । ତେଣୁ, ଅନ୍ୟ ଅନେକଙ୍କ ଭିତରେ ମଧ୍ୟ ସେ ଭଲର ଆହ୍ଵାନ ଦେଇ ପାରୁଥିଲେ, ଭଲର ଭଦ୍ରେକ କରାଉଥିଲେ । ଆମକୁ ଆମ ଭିତରର ଭଲଟାକୁ ହିଁ ଛୁଆଁଇ ଦେଇ ଯାଉଥିଲେ । ଏହିଭଳି ଏକ ବ୍ୟତିକ୍ରମ ହୋଇ ପାରିଲେ ହିଁ ଯୁଗନ୍ଦର ବା ଯୁଗପ୍ରବର୍ତ୍ତକ ହେବାର ଅଧିକାର ମିଳିଥାଏ । ଏହିଭଳି ଏକ ବ୍ୟତିକ୍ରମ ହୋଇ ପାରିବାକୁ ହେଲେ ମଣିଷ ଲାଗି ଅର୍ଥାତ୍‍ ମଣିଷ ମାତ୍ରକେ ପ୍ରତ୍ୟକଙ୍କ ଲାଗି ନିଜ ଭିତରେ ଅନେକ ଅନୁରାଗ, ଅନେକ ବିଶ୍ଵାସ ଓ ଅନେକ ସମ୍ବେଦନଶୀଳତା ରହିଥିବା ଦରକାର । ମଣିଷର ଦୁଖଃ, ମଣିଷର ଆଶା ଦୁରାଶା ଓ ମଣିଷର ସ୍ଵପ୍ନକାଙ୍‍କ୍ଷାକୁ ନିଜର ବୋଲି ଅନୁଭବ କରିପାରିବା ଦରକାର ; ଏପରିକି, ଆପଣାର ଶରୀରରେ ମଧ୍ୟ ସେଗୁଡ଼ିକୁ ଅନୁଭବ କରିପାରିବା ଦରକାର ; ଓଡ଼ିଶାର ଆଧୁନିକ ଇତିହାସରେ ଏହି ସମ୍ବେଦନଶୀଳତାର ଏକ ପ୍ରତୀକ ଖୋଜି ବାହାରିଲେ ଉତ୍କଳମଣିଙ୍କର ଜୀବନବାଟଟୀ ସବାଆଗ ବଡ଼ ଜଳ ଜଳ ହୋଇ ଦିଶିଯାଏ । ଏବଂ ଉତ୍କଳମଣିଙ୍କ ପରେ ଆମେ କେବଳ ଆଚାର୍ଯ୍ୟ ହରିହରଙ୍କୁ ହିଁ ବୋଧ ହୁଏ ଆମ ଏ ଯୁଗରେ ସେହି ସମ୍ବେଦନଶୀଳତାର ସର୍ବଶ୍ରେଷ୍ଟ ପ୍ରତୀକ ବୋଲି ଅବଶ୍ୟ କହି ପାରିବା । ସେଇଥିଲାଗି ଆଚାର୍ଯ୍ୟ ମହାଶୟଙ୍କ ପାଖରେ ବସିଥିଲେ ସତେ ଅବା ଆପଣାର ଜଣେ ଅତି ଅନୁରାଗୀ କାହା ପାଖରେ ରହିଥିଲା ପରି ସର୍ବଦା ଅନୁଭୂତ ହୋଇଥିଲା-। ତାଙ୍କୁ ଅନାଇଦେଲେ ନିଜ ଭିତରଟା ସତେ ଯେପରି କେଡ଼େ ଉଶ୍ଵାସ ଲାଗୁଥିଲା, ସଂସାରର କେତେ ସନ୍ତାପ ସତେଅବା ଖୁସିରେ ରୂପାନ୍ତରିତ ହୋଇ ଯାଉଥିଲା, ସମ୍ପତ୍ତି ବୋଲି ଗଣ୍ଠି କରି ଧରିଥିବା ଅନେକ କାର୍ପଣ୍ୟ ଓ କାଠିନ୍ୟ ସତେଅବା କୁଆଡ଼େ ମିଳାଇ ଯାଉଥିଲେ, ଆପଣାକୁ କେଉଁ ପରମ କାମ୍ୟର ଉଦ୍ଦେଶ୍ୟରେ ସମର୍ପି ଦେବାକୁ ମନ ହେଉଥିଲା । ଗୋଟାଏ ପାଖରେ ଆମେ ଯାହାକୁ ସମର୍ପଣ ବୋଲି କହିବା, ଅନ୍ୟ ପାଖରୁ ବିଚାର କରି ଠିକ୍‍ ତାହାକୁ ହିଁ ଉପନୟନ ବୋଲି କୁହାଯାଇ ପାରିବ । ଆଚାର୍ଯ୍ୟ ମହାଶୟ ତାଙ୍କର ଜୀବନକାଳରେ ଏବଂ ତାଙ୍କର ଅତି ଅଜାଣତରେ କେତେ କେତେ କ୍ଷେତ୍ରରେ କେତେ କେତେ ବ୍ୟକ୍ତିଙ୍କର ଉପନୟନରେ ପୁରୋଧା ହୋଇଥିବେ; ଏବଂ ସେହି କାରଣରୁ ସେ କେତେ କେତେ ବ୍ୟକ୍ତିଙ୍କର ଜୀବନରେ ଆଚାର୍ଯ୍ୟ ହୋଇ ରହିଥିବେ-

 

ସମାଜକୁ ବଦଳାଇବାର ବାଟ ଅନେକ ରହିଛି । ଏବଂ, ସେହି ସବୁ ବାଟକୁ ଅବଲମ୍ବନ କରି ଧରି ଆମ ସଂସାରରେ ନାନା ଆଦର୍ଶବାଦର ସୃଷ୍ଟି ହୋଇଛି । ସେହି ଆଦର୍ଶବାଦକୁ ବନ କରି ଉଡ଼ାଇ ଆମର ଏଠି କେତେ କେତେ ପ୍ରକାରର ବିପ୍ଳବ ହୋଇଛି । କିନ୍ତୁ, ସଚରାଚର ଏକ ବିଚାରକୁ ମୂଳ କରି ବିପ୍ଳବଟିଏ ଆରମ୍ଭ ହେଉଛି ଏବଂ ପରିଶେଷରେ କ୍ଷମତା ଭିତରେ ହିଁ ସେହି ବିପ୍ଳବର ସମାଧି ହୋଇ ଯାଉଛି । ନୂଆ ବିଚାରରୁ ବିପ୍ଳବ ଆରମ୍ଭ ହେଉଛି, ମାତ୍ର କ୍ଷମତାର ଯନ୍ତା ଭିତରେ ପଶି ତାହା ପ୍ରାୟ ସବୁଠାରେ ସେହି ପୁରୁଣା ନାନାଭେକୀ ଉତ୍ପୀଡ଼ନ ଓ ବଳାତ୍କାର ଭିତରେ ହିଁ କୁଆଡ଼େ ଧର୍ଷିତ ହୋଇ ରହିଯାଉଛି । ଯିଏ ବିପ୍ଳବ ଚାହିବ, ଯିଏ ସବୁ ମଣିଷଙ୍କର ଉଦୟ ହେଲା ଭଳି ଗୋଟାଏ ସମାଜର ସ୍ଥାପନା ଚାହିଥିବ, ସିଏ କାହିଁକି କ୍ଷମତା ଉପରେ ଏତେବେଶୀ ନିର୍ଭର କରିବ ? କେବଳ କ୍ଷମତା ଆତ୍ମସାତ କରିପାରିଲେ ଯେ ବିପ୍ଳବ ହେବ, ଏପରି ଗୋଟାଏ ବୁଦ୍ଧିଗତ ଭ୍ରମ ଭିତରେ ସିଏ କାହିଁକି ବାଟ ହୁଡ଼ି ବସିବ ? ଏହିଭଳି ଏକ ସଂଶୟ ଅର୍ଥାତ୍‍ ମୌଳିକ ଜିଜ୍ଞାସାରୁ ଭାରତବର୍ଷରେ ଗାନ୍ଧୀ–ବିଚାରକୁ ନେଇ ଯେଉଁ ଅଭିନବ ପରୀକ୍ଷା ଏବେ ମଧ୍ୟ ଚାଲିଛି, ଆଚାର୍ଯ୍ୟ ହରିହର ସାମାଜିକ ବିପ୍ଳବ ଅର୍ଥାତ୍‍ ମଣିଷ ପରି ମଣିଷ ହୋଇ ବଞ୍ଚିବାଲାଗି ଏକ ସୁନ୍ଦର ସମାଜର ଥାପନା କହିଲେ ପ୍ରଧାନତଃ ସେହି ପରିକ୍ଷାକୁ ହିଁ ବୁଝୁଥିଲେ ଓ ଆପଣାକୁ ଶେଷଯାଏ ସେହି ପରୀକ୍ଷାରେ ସମର୍ପିତ କରି ରଖିଥିଲେ । ସଂସାର ଭିତରେ ଆଉ କେଉଁଠି ଯେତେବେଳେ ବିପ୍ଳବ ହୋଇଛି ବା ହେଉଛି, ସେଠାରେ ଏକ ସଫଳତା ମିଳିବା ସଙ୍ଗେ ସଙ୍ଗେ ଖୋଦ ବିପ୍ଳବକାରୀମାନେ ହିଁ କ୍ଷମତାଗୁଡ଼ାକୁ ମାଡ଼ି ବସିଛନ୍ତି ଓ ବିପ୍ଳବଦ୍ଵାରା ଯାହାକିଛି ହାସଲ କରିବାର ଥିଲା, ତାହା ହାସଲ ହୋଇଗଲା ବୋଲି ଘୋଷଣା କରି ଦେଇଛନ୍ତି ଏବଂ ଶାସନ–ବଳରେ ଡରାଣ ଦେଖାଇ ସମସ୍ତଙ୍କର ତୁଣ୍ଡରୁ ତାହାହିଁ କୁହାଇବାରେ ବୈରାତ୍ମ୍ୟମାନ କରିଛନ୍ତି । ଆମର ଏଠାରେ ଆଚାର୍ଯ୍ୟ ହରିହର ଯେଉଁ ବିପ୍ଳବଟି ମଧ୍ୟରେ ଆପଣାକୁ ସମ୍ମିଳିତ କରି ରଖିଥିଲେ, ସେଥିରେ କ୍ଷମତା ହସ୍ତଗତ କରିବାର କୌଣସି କାର୍ଯ୍ୟକ୍ରମ ନଥିଲା କି ଏବେ ମଧ୍ୟ ନାହିଁ ; ମାତ୍ର, ଯେତେଦୂର ନିର୍ଭୟ ଓ ବିଶ୍ଵାସ–ବଳିଷ୍ଟ ହୋଇ ପାରିଲେ ବିପ୍ଳବରେ ସମ୍ମିଳିତ ହେବା ସଙ୍ଗେ ସଙ୍ଗେ ତଥାପି କ୍ଷମତାଜନିତ ଯାବତୀୟ ମୁଗ୍ଧତାରୁ ଆପଣାକୁ ମୁକ୍ତ କରି ରଖିବା ସମ୍ଭବ ହୋଇ ପାରିବ,ଆମ ଅନେକଙ୍କ ଭିତରେ ହୁଏତ ସେହି ନିର୍ଭୟତା ନ ଥିଲା କିମ୍ବା ସେହି ବିଶ୍ଵାସ ମଧ୍ୟ ନ ଥିଲା । ତେଣୁ ଆମେ ଆଚାର୍ଯ୍ୟ ମହାଶୟଙ୍କୁ ଭକ୍ତି କରୁଥିଲୁ, ତାଙ୍କୁ ବାଦ ବୋଲି କହୁଥିଲୁ, ତାଙ୍କୁ ତାଙ୍କୁ ପୀଢ଼ା ଉପରେ ବସାଇ ସଭାକୁ ପବିତ୍ର କରୁଥିଲୁ, ମାତ୍ର ତାଙ୍କର ବିପ୍ଳବକୁ ଡରୁଥିଲୁ । ସେହି ବିପ୍ଳବଲାଗି ଅର୍ଥାତ୍‍ ସେହି ଭୟମୁକ୍ତ ବିଶ୍ଵାସ ଲାଗି ଆମେ ପ୍ରସ୍ତୁତ ନ ଥିଲୁ । ଆମେ ତାଙ୍କୁ ଓଡ଼ିଶାର ଭୀଷ୍ମଦେବ ବୋଲି କହୁଥିଲୁ, ଅଥଚ ଏଣେ କୌରବଗଣରେ ଅନ୍ତର୍ଭୁକ୍ତ ରହି ତାଙ୍କୁ ଆମର ନାନାବିଧି ଧନ୍ଦାରେ ଲଗାଇବାର ଫନ୍ଦି କରୁଥିଲେ । ତାଙ୍କୁ ଆମ ଜାତିର ଗୌରବ ବୋଲି କହୁଥିଲୁ । ଅଥଚ ତାଙ୍କ ସହିତ ଅନ୍ତରଙ୍ଗ ହୋଇ ବସି ପାରୁ ନଥିଲୁ ଅର୍ଥାତ ତାଙ୍କୁ ଆମେ ମେଳରୁ ଅଜାତିଆ କରି ରଖିଥିଲୁ, ଆମର ବିଚାର ଭିତରୁ ତାଙ୍କୁ ବହିଷ୍କୃତ କରି ରଖିଥିଲୁ । ବର୍ତ୍ତମାନ ସିଏ ଆମ ଭିତରୁ ଚାଲିଯିବା ପରେ ଆମେ ଡରୁଆମାନେ ଦୂରରୁ ଥାଇ ସାବଧାନ ସାଧୁ ପରି ତାଙ୍କର ପୂଜା କରିବୁ ସତ, ମାତ୍ର ଆପଣା ଜୀବନର ମଣ୍ଡଳ ଉପରକୁ ତାଙ୍କୁ ଆବାହନ କରି ଆଣିବାକୁ ହୁଏତ ନୀତି ଭୟ କରୁଥିବେ, ତାଙ୍କୁ ‘ଅତ୍ରାଗଚ୍ଛ’ ଓ ‘ ଇହତିଷ୍ଠ’ ବୋଲି କହିବାର ନୈକଟ୍ୟକୁ ହୁଏତ କେବେହେଲେ ଅର୍ଜନ କରି ପାରିବୁ ନାହିଁ । କିନ୍ତୁ ତା’ ବୋଲି ଯେ ଆଚାର୍ଯ୍ୟ ମହାଶୟ ଅଲୋଡ଼ା ହୋଇ ରହିଯିବେ, ତାହା କଦାପି ନୁହେଁ । ହୁଏତ ଆମେ ଅଯୋଗ୍ୟମାନେ ହିଁ ଅଲୋଡ଼ା ହୋଇ ରହିଯିବୁ । ଯୁଗ ଆଗକୁ ଚାଲିଯିବା ଏବଂ ଆମେ ହିଁ ତିରସ୍କୃତ ହୋଇ ପଛରେ ପଡ଼ିରହିବୁ । ଆମର ଆଡ଼ମ୍ବରଗୁଡ଼ାଇ ଖପର ହୋଇ ପଡ଼ିରହିବ । ମଣିଷ ତାଙ୍କୁ ଚିହ୍ନିବ, ତରୁଣ ତାଙ୍କୁ ଚିହ୍ନିବ, କାଲିର ସ୍ଵପ୍ନ ଦେଖୁଥିବା ଆଖିମାନେ ତାଙ୍କୁ ନିଶ୍ଚୟ ଆବିଷ୍କାର କରିନେବେ । ସେହିମାନେ ହିଁ ଆଚାର୍ଯ୍ୟ ହରିହରଙ୍କୁ ଆପଣାର ସଖା କରି ପାଇବେ ।

 

ଆଚାର୍ଯ୍ୟ ହରିହର କାହାରି ସମ୍ପତ୍ତି ନ ଥିଲେ । କୌଣସି ପୂଜାରେ କେବେହେଲେ ଧରା ଦେଉନଥିଲେ । ସିଏ କୌଣସି ଜାତିର ନ ଥିଲେ କିମ୍ବା କୌଣସି ଦେଶର ନ ଥିଲେ; କୌଣସି ରାଷ୍ଟ୍ରର ମଧ୍ୟ ସେ ସମ୍ପତ୍ତି ନ ଥିଲେ, ରାଷ୍ଟ୍ରୀୟତାର କୌଣସି ରଜ୍ଜୁ ତାଙ୍କୁ କେବେହେଲେ ବାନ୍ଧି ପାରି ନଥିଲା ଅଥବା ସଂସାରର କୌଣସି କ୍ଷେତ୍ରକୁ ସତେଅବା ସ୍ଵରାଷ୍ଟ୍ରବତ୍‍ ମଣି ସେ ତାହାରି ଭିତରେ କାହାରିକୁ ବାନ୍ଧି ରଖିବାଲାଗି କେବେହେଲେ କୌଣସି ପ୍ରୟାସ କରି ନ ଥିଲେ । ସେ ଜଣେ ଭକ୍ତ ଥିଲେ, ତେଣୁ ଭକ୍ତିର ଭାଜନ ହୋଇ ରହିଥିଲେ । ଭକ୍ତି ଆମ ଭିତରେ ଅନେକ ସଯତ୍ନକର୍ଷିତ କେତେ କେତେ ବାଡ଼କୁ ଭାଙ୍ଗି ଦେଇଯାଏ, ଅନେକ ସତର୍କତାକୁ ଭାଙ୍ଗି ଦେଇଯାଏ; ଭକ୍ତି ଯୁକ୍ତ କରି ରଖେ, ସମ୍ମିଳିତ କରେ । ଭକ୍ତିରୁ ପରମ ଅନୁରକ୍ତି ଜନ୍ମେ ଏବଂ ତାହାହିଁ ଜୀବନକ୍ଷେତ୍ରରେ ଏକ ସ୍ଵାଭାବିକ ସକଳ–ଅନୁରକ୍ତି ରୂପେ ଆପଣାକୁ ପ୍ରତିଫଳିତ କରି ରଖେ । ପରମ ଅନୁରକ୍ତି ସମଗ୍ର ଓ ସକଳ ଜୀବନ ପ୍ରତି ପ୍ରଗାଢ଼ ଅନୁରକ୍ତି ରୂପେ ଆତ୍ମପ୍ରକାଶ କରେ । ପରମ–ଅନୁରକ୍ତ ମଣିଷ, ମଣିଷ ମାତ୍ରକେ ସବୁରି ପ୍ରତି ଅନୁରକ୍ତ ହୋଇରହିଥାଏ, ସମସ୍ତଙ୍କର ସଖା ହୋଇ ପାରିବାର ଭାଜନ ହୋଇ ରହେ । ଠିକ ସେହି କାରଣରୁ ହିଁ ଆଚାର୍ଯ୍ୟ ମହାଶୟ ଆମ ଅନେକଙ୍କ ସକାଶେ ଭାଜନ ହୋଇ ରହିଥିଲେ । ସିଏ ଏଡ଼େବଡ଼ ଥିଲେ ମଧ୍ୟ ତଥାପି ଆମର ଏତେ ପାଖରେ ଆସି ଧରା ଦେଇ ପାରୁଥିଲେ, କେତେ ସହଜରେ ଆମକୁ ଆପଣାର ଅତି ପାଖରେ ସ୍ଥାନ ଦେଇ ପାରୁଥିଲେ । କେତେ ବଡ଼ ହୋଇ ମଧ୍ୟ ସେ ଆମ ସମସ୍ତଙ୍କୁ ଏପରି ଆପଣାର ବୋଲି ଲାଗୁଥିଲେ-। ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରାବାସରେ ସେ ଯେଉଁ ପିଲାରୁ କାଛୁକୁ ନିଜ ଭିତରେ ଧୋଇ ସଫା କରୁଥିଲେ ବା ଜରବେଳେ ଯାହାପାଖରେ ରାତି ଉଜାଗର ହୋଇ ବସିଥିଲେ, ସିଏ କେଡ଼େ ସହଜରେ ତାଙ୍କୁ ଆପଣାର ଏକାନ୍ତ ନିଜର ବୋଲି ଅନୁଭବ କରି ନଥିବ ! ସତ୍ୟବାଦୀର ବିଦ୍ୟାଳୟ ଭାଙ୍ଗିଗଲା, ଦେଶର କେତେ କେତେ ସତ୍ୟବାଦୀ କାଳର ପ୍ରୟୋଜନରେ ପଡ଼ି ଅଥବା କାଳର ଅନୁରୋଧକୁ ଏଡ଼ି ନ ପାରି ମିଥ୍ୟାବାଦୀ ହେଲେ; ତଥାପି ଆଚାର୍ଯ୍ୟ ହରିହର ଆପଣାର ଧର୍ମ ଛାଡ଼ିଲେ ନାହିଁ । ଆମ ପାଖରେ ବସି ସିଏ ଆମ କେତେ କେତେ ମଣିଷଙ୍କର ହୃଦୟରୁ କେତେ ମଇଳା ଧୋଇନେଲେ ଓ ଆମର ବିଶ୍ଵାସ ଭାଙ୍ଗି ପଡ଼ୁଥିଲା ବେଳେ କେତେ ବଳ ଭରି ଦେଇଗଲେ-

 

ମଣିଷ ଭିତରେ କୁଆଡ଼େ ଭଲ ଅଛି, ମନ୍ଦ ବି ଅଛି । ଦୈତ୍ୟ ଅଛି, ଦେବତା ବି ଅଛି । ସେଥିଲାଗି, ଉପଦେଶ ଦେଲାବାଲାମାନେ ଆମକୁ ଏହି ସଂସାରରେ ଅତ୍ୟନ୍ତ ସାବଧାନ ହୋଇ ବାଟ ଚାଲିବାର ପରାମର୍ଶ ଦେଇଥାଆନ୍ତି । ମନ୍ଦର ଜାଲ ଭିତରେ ପଡ଼ିନଯିବାର ହିତବାଣୀ ଶୁଣାଇଥାନ୍ତି । ଏମାନେ ବିଶ୍ଵାସ ନ କରିବାକୁ କହନ୍ତି, ଭଳି ନ ଯିବାକୁ କହନ୍ତି । ଆପଣାର ଦୁଆର ଖୋଲିକରି ରଖିବାକୁ ସେମାନେ ସଂସାରରେ ଭଣ୍ଡିଯିବା ବୋଲି ଭାଷ୍ୟ କରନ୍ତି । ଏମାନେ ଆଉ ଯାହା କରନ୍ତୁ କି ନକରନ୍ତୁ ପଛକେ, ଆପଣାଭିତରେ ରହିଥିବା ମନ୍ଦଟା ବିଷୟରେ ହିଁ ମଣିଷକୁ ସବୁବେଳେ ଭାରି ସଚେତ କରି ରଖିଥାନ୍ତି । ସଂସାରରେ ଦୈତ୍ୟମାନଙ୍କର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସଦା ସତର୍କ ହୋଇ ରହିବାକୁ କହି କହି ସେମାନେ ଆମକୁ ଆପଣ ଭିତରେ ଗୋଟାଏ ଗୋଟାଏ ଦୁରାତ୍ମ ଦୈତ୍ୟ ହୋଇ ବସିବାନିମନ୍ତେ ସତେଅବା ସତତ ପ୍ରରୋଚନା ଦେବାରେ ଲାଗିଥାନ୍ତି । ଏହି ପରାମର୍ଶ ବା ପ୍ରରୋଚନା ଦେବାଟା ହେଉଛି ତୁଚ୍ଛା ଅଭକ୍ତର ଲକ୍ଷଣ । ପ୍ରକୃତ ଭକ୍ତ ଆମକୁ କେବଳ ନିରସ୍ତ୍ର କରି ଦେଇଯାଏ, ଆମର ସବୁ ଦୁଆରକୁ ଖୋଲି ଦେଇଯାଏ । ଏବଂ, ସତର୍କତାର ସବୁ ଅସ୍ତ୍ର ହାତରୁ ଖସି ପଡ଼ିଲା ପରେ ସଂସାରରେ ଆଉ ଡର ମାଡ଼େ ନାହିଁ । ପରିବର୍ତ୍ତନକୁ ଡର ମାଡ଼େ ନାହିଁ କିମ୍ବା ବିପ୍ଳବକୁ ବି ଡର ମାଡ଼େ ନାହିଁ । ଆପଣାର ଭିତରଟା ସତେଅବା ଶୁଦ୍ଧ ଏବଂ ସ୍ପଷ୍ଟ ହୋଇ ଦେଖାଯିବାକୁ ଆରମ୍ଭ କରେ, ଆପଣା ଭିତରେ ସତେଅବା କେଉଁ ସାହସୀ ପ୍ରସ୍ତୁତ ହୋଇ ବସିଥିବା ପରି ମନେ ହୁଏ ।

 

ଆଚାର୍ଯ୍ୟ ହରିହର ଠିକ୍‍ ଏହିପରି ଜଣେ ଭକ୍ତ ଥିଲେ । ସେଥିଲାଗି ତାଙ୍କୁ ଦେଖୁ ଦେଖୁ ହିଁ ଆପଣା ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ଭଲଗୁଡ଼ାକ ସତେଅବା ଭାର ଜଳ ଜଳ ହୋଇ ଦିଶି ଯାଉଥିଲା । ତାଙ୍କୁ ଦେଖୁଥିଲା ବେଳେ ଆଖି ଉପରୁ କେଉଁ ବଦ୍ଧ ସଂସ୍କାରଗୁଡ଼ାକ ତଳକୁ ଖସି ପଡ଼ୁଥିଲା କେଜାଣି, ତା’ପରେ ଆପଣା ଆଡ଼କୁ ଅନାଇବାବେଳକୁ ଓ ଆପଣାକୁ ଅନୁଭବ କରିବା ବେଳକୁ ସତେଅବା କେତେ କେତେ ଶୁଭର ସନ୍ଧାନ ମିଳି ଯାଉଥିଲା । ସେହି ଶୁଭକୁ ହିଁ ଆପଣାର କାନ୍ଧ ଉପରକୁ ଟେକି ନେଇ ବାଟ ଚଳିବାକୁ ଇଚ୍ଛା ହେଉଥିଲା । ସଂସାରରେ ଆଉ କେହି ଶତ୍ରୁ ବୋଲି ମନେ ହେଉ ନ ଥିଲା, କେହି ପର ବୋଲି ମନେ ହେଉ ନ ଥିଲେ କି କେହି ଦୂର ବୋଲି ମନେ ହେଉ ନ ଥିଲା । କେହି ପର ବୋଲି ମନେ ହେଉ ନଥିଲେ କି କେହି ଦୂର ବୋଲି ମନେ ହେଉ ନଥିଲେ । ସମସ୍ତେ ସାଥି ବାଟୋଇ ପରି ମନେ ହେଉଥିଲେ । ଆଚାର୍ଯ୍ୟ ହରିହର ସେକଥା କରି ପାରୁଥିଲେ । ସିଏ ଭକ୍ତ ଥିଲେ । ସିଏ ତାଙ୍କରି ଭକ୍ତ ଥିଲେ । ତାଙ୍କରି ପ୍ରିୟ ଥିଲେ । ତେଣୁ,ଏଠି ଆମ ସମସ୍ତଙ୍କର ବି ପ୍ରିୟ ଥିଲେ ।

 

ଆଚାର୍ଯ୍ୟ ହରିହର ପରିକ୍ରମା

ପୂଜ୍ୟପୂଜା ସଂସଦ, କଟକ, ଡିସେମ୍ବର,୧୯୭୩

Image

 

ମୋ’ରି ଭଳି, ମୋ’ଠାରୁ ବଳି

 

ଯଦି ଅପ୍ରତ୍ୟାଶିତ ଭାବରେ ଆପଣଙ୍କ ଘରକୁ ଜଣେ ବୁଢ଼ା ପଶି ଆସିବେ, ଆଗରୁ କୌଣସି ସୂଚନାର ଗନ୍ଧ ବି ନ ଥିବ, ମୁଣ୍ଡରେ ନାଲି ଗାମୁଛାର ପଗଡ଼ି, ସେଇ ଏକା ରଙ୍ଗର କଛାମରା ଧୋତିଟିଏ ପିନ୍ଧିଥିବେ ଯେ ଆଣ୍ଠୁ ଯାଏଁ ପାଉ ନ ଥିବା, ହାତରେ ଏଡ଼େ ବଡ଼ ଠେଙ୍ଗା କାନ୍ଧରେ ଦିଇଟା ମୁଣି, ତମ୍ଭାବର୍ଣ୍ଣର ତକ ତକ ଖଣ୍ଡାମାର୍କା ଦିହଟିଏ– ତେବେ ତାଙ୍କୁ ଦେଖି ଆପଣଙ୍କ ମନରେ କି ପ୍ରତିକ୍ରିୟା ହେବ ? ସିଏ ଆଉ କାହାଠାରୁ ଆପଣଙ୍କର ଠିକଣା ଯୋଗାଡ଼ କରିଥିବେ–ହୁଏତ ବାଟ ପଚାରି ପଚାରି ଆପଣଙ୍କ ଯାଏଁ ଆସିଥିବେ ଏବଂ ସବୁଠାରୁ ବିଚିତ୍ର ଘଟଣା ହେଉଛି, ଆପଣ ନିଜେ ତାଙ୍କୁ ବସିବାକୁ କହିବା ପୂର୍ବରୁ ସିଏ ଆପଣା ଆଡ଼ୁ ବସିପଡ଼ିବେ । ହୁଏତ ଆପଣା ଚୌକିରେ ବସିଥିବେ, ସେ ଭୂଇଁରେ ଆପଣଙ୍କ ପକ୍କା ପିଣ୍ଢାଟା ଉପରେ ବସିଯିବେ ଏବଂ ଆପଣାଙ୍କୁ ପୁରୁଣା ପତ୍ରିକା ମାଗିବେ, ବହି ମାଗିବେ, ଦଶ ପଇସା ଚାନ୍ଦା ମାଗିବେ । ଗୋଟିଏ ଖାତା ବାହାର କରି ଆପଣଙ୍କର ପୂରା ଠିକଣା ଲେଖିନେବେ । କହିଲେ, ଆପଣ ସେତେବେଳେ ନିଜ ଭିତରେ କଣ ଭାବୁଥିବେ ! ସବୁ ଖାପଛଡ଼ା ଲାଗୁଥିବ, ତଥାପି ମଣିଷଟିକୁ ତା’ ହାବଭାବରୁ ଚିହ୍ନୁ ଚିହ୍ନୁ ଆପଣଙ୍କ ପେଟ ପୂରି ଯାଉଥିବ, ହୃଦୟ ପ୍ରସନ୍ନ ହୋଇଯାଉଥିବ । ଆପଣ ଖବର କାଗଜରୁ ଆଗରୁ ହୁଏତ ଏହିପରି ଜଣେ ବିଚିତ୍ର ଲୋକ ବିଷୟରେ ପଢ଼ିଥିବେ ଅଥବା ବନ୍ଧୁମାନଙ୍କ ପାଖରୁ ଶୁଣୁଥିବେ । ବର୍ତ୍ତମାନ ଜାଣିବେ ଏବଂ ମନେ ମନେ ତେବେ ଇଏ ସେଇ ଲୋକଟି ବୋଲି କହିବେ ।

 

ଆପଣା ତାଙ୍କୁ କିଛି ପୁରୁଣା ପତ୍ରିକା ଦେବେ, କିଛି ବହି ବି ଦେବେ । ନାଲି ଗାମୁଛାଟିଏ ପକାଇ ସିଏ ସେହି ଧନଗୁଡ଼ିକୁ ଗଣ୍ଠିଲିଟିଏ କରି ବାନ୍ଧିବେ ଓ ତାକୁ ମୁଣ୍ଡରେ ମୁଣ୍ଡାଇ ଆପଣଙ୍କର ଶୁଭବାଞ୍ଛା କରି ବାହାରିଯିବେ । ପୁଣି ଦିନେ ଆସି ପହଞ୍ଚିଯିବେ । ସିଏ ଜଣେ ମହାନ୍‍ ଅର୍ଥାତ ଅନ୍ୟଭଳି ମଣିଷ ବୋଲି ଆପଣ ତାଙ୍କୁ ଇତି ମଧ୍ୟରେ ହୁଏତ ମନେ ମନେ ଠାବ କରି ସାରିଥିବେ । ଏଥର ନିଜ ପିଲାମାନଙ୍କ ସହିତ ତାଙ୍କର ପରିଚୟ କରାଇଦେବେ, ତାଙ୍କ ଗୋଡ଼ତଳେ ପିଲାମାନଙ୍କୁ ମୁଣ୍ଡିଆ ମରାଇବେ । ଏହିପରି ଭାବରେ ସାରା ପରିବାରଟି ସକାଶେ ସିଏ ଜଣେ ଅଜା ହୋଇଯିବେ । ଶ୍ରୀଯୁକ୍ତ ଦାଶରଥି ପଟ୍ଟନାୟକଙ୍କର ଦେହାନ୍ତ ପରେ ବର୍ତ୍ତମାନ ସଂସ୍କରଣ ଲେଖୁଥିବା ପ୍ରାୟ ସମସ୍ତେ ତାଙ୍କୁ ‘ଅଜା’ ବୋଲି ଚିହ୍ନାଇ ଦେଉଛନ୍ତି, ସେହି ‘ଅଜା’ ପଦର ଇତିହାସ ପ୍ରକୃତରେ ମୋଟାମୋଟି ଏହିପରି । ଏହି ବ୍ୟକ୍ତିଟି ବଞ୍ଚିଥିବା ସମୟରେ ଯେତେବେଳେ ଆପଣଙ୍କର ଘରକୁ ଆସୁଥିଲା ଓ ତା’ ନିଜ ବଣିଜ କରି ଚାଲି ଯାଉଥିଲା, ଆପଣ ସତ କହିଲେ ଆପଣଙ୍କର ମନରେ କିଭଳି ପ୍ରତିକ୍ରିୟା ହେଉଥିଲା ?

 

ସିଏ ଚାଲିଯିବାପରେ ଆମେ ସମସ୍ତେ ତାଙ୍କୁ କେତେ ଭାବପ୍ରବଣ ହୋଇ ଝୁରି ହେଉଛୁ-। ଦାଶରଥି ପଟ୍ଟନାୟକ କାହାଠାରୁ କେବେ ଯେ ଅସମ୍ମାନ ପାଇଥିବେ, ସେକଥା ମୁଁ କଳ୍ପନା କରିପାରୁନାହିଁ ଅଥବା କେଉଁଠି ବା ଯଦି ତାଙ୍କୁ ଉଚିତ ଖାତିର ପ୍ରଦର୍ଶା ହୋଇ ହୋଇ ନ ଥିବ ତେବେ ସିଏ ସେଇଟାକୁ କେବେହେଲେ ଦେହକୁ ନେଇ ନ ଥିବେ ଏବଂ ଅମୁକ ବ୍ୟକ୍ତିଟା ମୋ ପ୍ରତି ଏହିପରି ଦୁର୍ବ୍ୟବହାର କଲା ବୋଲି ସେ କଦାପି ଆଉ କାହାପାଖରେ କଥା ହେଲାବେଳେ ଅଭିଯୋଗ କରି ନ ଥିବେ । ଶ୍ରୀ ଦାଶରଥି ପଟ୍ଟନାୟକ ଗୋଟିଏ ନିଶାରେ ନିଜ ଜୀବନକୁ ବଞ୍ଚୁଥିଲେ । ନିଶା ଖାଉଥିଲେ ଲୋକ ସଚରାଚର ସବୁଠାରେ ପ୍ରାୟ ଏକାଭଳି । ଶ୍ରୀ ପଟ୍ଟନାୟକ ନିଶା ଖାଇଲେ ନିଜ ଜୀବନର ଶେଷ ଚରଣରେ, ନିଜ ଜୀବିକାବୃତ୍ତିରୁ ଅଳସର ଗ୍ରହଣ କରି ସାରିବାପରେ । ଋଷିଆର ଉପନ୍ୟାସକାର ଲିଓ ଟଲଷ୍ଟୟଙ୍କୁ ଏହିପରି ଶେଷ ଜୀବନରେ ଯାଇ ତାଙ୍କର ନିଶାଟା ଘାରିଥିଲା । ସିଏ କଣ ପାଇଁ ଏକାବେଳକେ ଅଲଗା ମଣିଷଟିଏ ହୋଇଗଲେ-। ଅଲଗା ପ୍ରକାରର କଥା କହିଲେ, ତାଙ୍କ ସମୟର ମଣିଷମାନଙ୍କୁ ଅବାକ କରିଦେଇଥିଲେ-। ସେତେବେଳେ ତାଙ୍କୁ ମଧ୍ୟ କେତେ ମଣିଷ ପାଗଳ ବୋଲି ଭାବୁଥିଲେ ହୁଏତ ସ୍ଵଂୟ ଟଲଷ୍ଟୟ ନିଜ ପୂର୍ବତନ ପର୍ଯ୍ୟାୟ ଜୀବନଟିକୁ ଭ୍ରମମୟ ବୋଲି ଅନୁଭବ କରୁଥିଲେ ଏବଂ ଏହି ଶେଷ ପର୍ଯ୍ୟାୟରେ ଯାଇ ସତ୍ୟ ମଧ୍ୟରେ ଥଳ ପରି ଥଳଟିଏ ପାଇଲେ ବୋଲି ବିଶ୍ଵାସ କରୁଥିଲେ-। ପ୍ରତ୍ୟକ ମଣିଷର ଅନ୍ଦାଜ ନେଇ ତାଙ୍କ ପାଗଳାମି । ଅପ୍ରେମୀ ମନୁଷ୍ୟମାନଙ୍କୁ ପ୍ରେମୀମାନଙ୍କୁ ଜୀବନବେଭାରଗୁଡ଼ିକୁ ଅନେକ ସମୟରେ ଅଳ୍ପବହୁତ ଏକ ପାଗଳାମି ପରି ପ୍ରତୀତ ହୋଇ ଆସିଛି-

 

ଦାଶରଥି ବାବୁଙ୍କ ବିଷୟରେ ତାଙ୍କର ମୃତ୍ୟୁ ପରେ ଯେତେ ଲେଖା ବାହାରିଛି, ସେଗୁଡ଼ିକ ପ୍ରାୟ ସବୁ ସତେଯେପରି ଏକ ବିଳାପର ଧିସାରେ ଲେଖାଯାଉଛି । ବିଳାପ ଅଧିକାଂଶ ସମୟରେ କ୍ରୋଧପ୍ରକାଶ ଦ୍ଵାରା ହିଁ ନିଜର ଜ୍ଵାଳାରେ କିଞ୍ଚିତ୍‍ ଉପସମ ଆଣିବାକୁ ଚେଷ୍ଟା କରିଥାଏ । ବିଚରା ଉତ୍କଳମାତା ଓ ଓଡ଼ିଆ ଜାତି, ଏମାନେ ଏହିସବୁ ଅବସରରେ ଭାରି ଗାଳି ଖାଆନ୍ତି । ଓଡ଼ିଆ ଜାତି ତାର ବରପୁତ୍ରମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇ ଜାଣିନାହିଁ, ଲେଖାରେ ଓ ଭାଷଣ ଗୁଡ଼ିକରେ ବାରମ୍ବାର ଏହି ଅଭିଯୋଗ ହେଉଥିବା ସମୟରେ ଉତ୍କଳଜନନୀ କାହାକୁ କିଭଳି ଭାବରେ କରିଥିବେ କେଜାଣି ? ମୁଁ ସମୟେ ସମୟେ ଭାବେ ଯେ ଓଡ଼ିଶାର କେହି ବଡ଼ ମଣିଷ ଆଦୌ ନ ମରନ୍ତୁ ଏବଂ ଓଡ଼ିଆ ଜାତିକୁ ଆଦୌ ଭଳି ଭଳି ଭତ୍ସନା ଶୁଣିବାକୁ ନ ପଡ଼ୁ । ଉତ୍କଳମଣି ଯିବାର ସତୁରୀ ବର୍ଷ ହେବାକୁ ବସିଥିଲେ ମଧ୍ୟ ଏବେ ଭାଷଣମାନ କେଡ଼େ ଉତ୍ତେଜିତ ହୋଇ ଓଡ଼ିଶା ତାଙ୍କୁ ଠିକ୍‍ କରି ବୁଝିଲା ନାହିଁ ବୋଲି ଖେଦ ବ୍ୟକ୍ତ କରୁଛନ୍ତି । ଖେଦ ବ୍ୟକ୍ତି କରିବାରୁ ଶର ମାରି ଗାଳି ଦେଉଥିବାର ଯାବତୀୟ ଉପଲକ୍ଷ୍ୟର କେତେ ବ୍ୟକ୍ତି କିଞ୍ଚିତ୍ ଆନନ୍ଦ ଲାଭ କରିନ୍ତି ବୋଲି ସମ୍ଭବତଃ ମନୋବିଜ୍ଞାନୀମାନେ ତୁମକୁ କହିବାକୁ ମନ କରିବେ । ଯାବତୀୟ ଅଭିନୟରୁ ଅବଶ୍ୟ ଏକ ତୃପ୍ତି ମିଳିଯାଏ; ଅଭିନୟକାରୀ ଅଭିନୟ କରୁଛି ବୋଲି ମୋଟେ ସଜ୍ଞାନ ନ ଥାଏ ଏବଂ ତେଣେ ତୃପ୍ତି ଲାଭ କରୁଥାଏ । ଇଏ କ’ଣ କମ୍ ଭାଗ୍ୟର କଥା ? ଶ୍ରୀ ଦାଶରଥି ପଟନାୟକଙ୍କ ସମ୍ପର୍କରେ ଆସିଥିବା ସମସ୍ତେ ଅନ୍ତତଃ ଗୋଟିଏ କଥାରେ ଏକମତ ହେବେ ଯେ, ସିଏ ନିଜେ ବାଛି ନେଇଥିବା କାର୍ଯ୍ୟରେ ଅଦମ୍ୟ ଉତ୍ସାହ ଓ ଅମାପ ଉଦ୍ୟମର ପରିଚୟ ଦେଉଥିଲେ । ଜୀବନରେ ସତକୁ ସତ ନିଜେ କିଛି ବାଛି ନେଇ ପାରିଥିଲେ ଭିତରୁ ଥାଇ ଯେଉଁ ପରମବନ୍ଧୁ ସତେଅବା ସେହି ଉତ୍ସାହ ଓ ସେହି ଉଦ୍ୟମଶକ୍ତିକୁ ନିରନ୍ତର ଯୋଗାଇ ଦେବାରେ ଲାଗିଥାଏ । ଅନେକ ମଣିଷ ମଧ୍ୟ ବାଧ୍ୟ ହୋଇ ନିଜ କାମସବୁ କରନ୍ତି । ଚାକିରିଆ ବାଧ୍ୟ ହୋଇ ସିଏ କରୁଥିବା କାର୍ଯ୍ୟରେ ଘୋଷାରି ହେଉଥାଏ । ସଂସାରରେ ମାୟା ବ୍ୟତୀତ ଆଉ କିଛିହେଲେ ଦେଖି ପାରୁନଥିଲେ ମଧ୍ୟ କିଛି ଦେଖି ବା ଛୁଇଁ ପାରୁନଥିଲେ ମଧ୍ୟ ତଥାପି ଘୋଷାରି ହେଉଥିବା ମଣିଷମାନେ ସେହି ସଂସାରଟାକୁ ନେଇ କ’ଣ କମ୍ ମାତିଥାନ୍ତି ? ସେମାନେ ପରସା କମାନ୍ତି, ପଦ ଅର୍ଜନ୍ତି, ରଜାନଅର ପରି ଘର ତୋଳନ୍ତି, କ୍ଷମାତାର ଖୋଳଗୁଡ଼ିକ ଭିତରେ କେତେକେତେ ଦର୍ପରେ ଧାଁଧପଡ଼ କରୁଥାନ୍ତି,–ତଥାପି ଘୋଷାରି ହେଉଥାନ୍ତି । ତୋଡ଼ ଥାଏ ସିନା, ଉତ୍ସାହ ନ ଥାଏ । ବାରଟା ଉଦ୍ୟମରେ ଏକାବେଳେକେ ପଶି ତଥାପି ଅସହଜ ହୋଇ ଦିଶୁଥାନ୍ତି,–ସେମାନେ ଆଦୌ କେଉଁଠିହେଲେ ହୃଦୟ ଦେଇ ପାରନ୍ତିନାହିଁ । ଗୋଟାଏ ଗୋଟାଏ କୂଅ ଭିତରେ ପଶି ତାରି ଭିତରେ ଗୋଟାଏ ଗୋଦଡ଼ା ଗୟଳ ପରି ପହଁରିବାରେ ଲାଗିଥାଆନ୍ତି । ଦାଶରଥି ପଟ୍ଟନାୟକ ଭାରି ହାଲୁକା ମଣିଷଟିଏ ଥିଲେ । ଭାରି ଅଳପ ଭିତରେ ବାଟ ଚାଲୁଥିବା ପରି ଲାଗୁଥିଲେ ସିନା, ମାତ୍ର ଏହି ପୃଥିବୀର କେତେ କାମକୁ ସିଏ ସତେଅବା ନିଜ ଆଡ଼ୁ ରାଜି ହୋଇ ଗ୍ରହଣ କରୁଥିଲେ । ଭଗବାନ ଓଡ଼ିଶାକୁ ଆଶୀର୍ବାଦ କରନ୍ତୁ, ରାଜ୍ୟରେ ଏହିପରି ମଣିଷମାନଂକର ସଂଖ୍ୟା ବଢ଼ୁ । ଗୋଟିଏ ଶଦ୍ଦରେ କହିଲେ, ଖୁସିରେ ରାଜି ହୋଇ ନିଜର ଜୀବନଟିକୁ ନିଜର ସହଚର କରିପାରିଥିଲେ ବୋଲି ସମ୍ଭବତଃ ଦାଶରଥିବାବୁଙ୍କୁ ସିଏ ମୁଣ୍ଡରେ ବୋହୁଥିବା ବହି ଓ ପତ୍ରିକାର ବୋଝ ସବୁବେଳେ ଏପରି ହାଲୁକା ଲାଗୁଥିଲା ।

 

ଏବଂ, ‘ଏଠି ତାଙ୍କୁ ସବୁକିଛି ଯେ ସହଜ ଲାଗୁଛି’, ସେହି ଅନୁଭବଟି ତାଙ୍କର ମୁହଁ ଉପରେ ହସ ହୋଇ ନିରନ୍ତର ବ୍ୟକ୍ତ ହୋଇ ପାରୁଥିଲା । ଗୋଟାଏ ଜୀବନରେ ସିଏ କେତେ କ’ଣ କାର୍ଯ୍ୟସାଧ୍ୟ କରିଛନ୍ତି, ନିଜର ଉଚିତ କାର୍ଯ୍ୟଟିକୁ ଆବିଷ୍କାର କରି ପାରିଥିବାରୁ ହିଁ ସିଏ ତାହା କରିପାରିଛନ୍ତି । ନିଜର ସ୍ଵଭାବ ଅନୁସାରେ ନିଜର ଧର୍ମକୁ ଆବିଷ୍କାର କରିବା, ଏବଂ ସେହି ଧର୍ମ ଅନୁସାରେ ପୃଥିବୀରେ ରହିଥିବା ଏତେ କାର୍ଯ୍ୟ ଭିତରୁ ଗୋଟିଏ ବାଛିନେବା, ସମ୍ଭବତଃ ଏହା ହେଉଛି ପ୍ରତ୍ୟେକ ମଣିଷର ଜୀବନରେ ଏକ ବଡ଼ ଘଟଣା, ହୁଏତ ସବାବଡ଼ ଘଟଣା । ୧୯୬୭ ମସିହା ଗ୍ରୀଷ୍ମ ଛୁଟିରେ ମୁଁ ଯେତେବେଳେ ଉଦୟପୁର ଯାଇ ଦାଶରଥି ପଟନାୟକଙ୍କୁ ପ୍ରଥମେ ସାକ୍ଷାତ କରିଥିଲି, ସେହି ଦିନଠାରୁ ଆମେ ଦୁହେଁ ପରସ୍ପରର ବନ୍ଧୁ ହୋଇ ଯାଇଥିଲୁ । ସେହି ବନ୍ଧୁତା ଶେଷ ପର୍ଯ୍ୟନ୍ତ ରହିଗଲା । ମୁଁ ତାଙ୍କ ଆଗରେ ତ ଦୂରର କଥା, ପଛରେ ମଧ୍ୟ ତାଙ୍କର କେବେହେଲେ ପ୍ରଶଂସା କରିନାହିଁ । ଓଡ଼ିଶା ତାଙ୍କ ଲାଗି ଧନ୍ୟ ହୋଇଛି ବୋଲି କୋଉଠି ସଭାରେ କହିନାହିଁ; ମାତ୍ର ତାଙ୍କୁ ଦେଖି ସବୁବେଳେ ଉତ୍ସାହ ହିଁ ପାଇଛି । ସିଏ ଯେଉଁ କାର୍ଯ୍ୟଟିକୁ ନିଜର ବୋଲି ଆଦରି ନେଇଥିଲେ ତାହା ମୋର ବି କାର୍ଯ୍ୟରେ ପରିଣତ ହେଉ ବୋଲି ମୁଁ କଦାପି ଇଚ୍ଛା କରିନାହିଁ । ମାତ୍ର, ସବୁବେଳେ ଅତି ପାଖରେ ତାଙ୍କୁ ଅନୁଭବ କରିଛି, ଏମିତି ମଣିଷଟିଏ ମୋର ପରିଚିତଙ୍କ ପରିଧି ଭିତରକୁ ଆସିଛନ୍ତି ବୋଲି କେତେ ଖୁସି ହୋଇଛି ଏବଂ ସେହି ଖୁସିରେ ନିଜ ବାଟରେ ଚାଲିବା ସକାଶେ ବଳ ପାଇଛି । ଆପେ ବାଟଟିଏ ଚାଲିବା ସମୟରେ ଏହିପରି ଭାବରେ ଆଉ ପାଞ୍ଚଜଣ ମଧ୍ୟ ସତକୁ ସତ ବାଟ ଚାଲୁଛନ୍ତି, ବୋଲି ହୃଦବୋଧ ହୋଇ ପାରୁଥିବ, ତେବେ ପୃଥିବୀ ଉପରେ ପ୍ରକୃତରେ ଖୁବ୍‍ ବିଶ୍ଵାସ ଆସିବା । ଓଡ଼ିଶାରେ ମଧ୍ୟ ବହୁତ କିଛି ସମ୍ଭବ ହେବ ବୋଲି କହିବାକୁ ମନ ହେବ । ମୁଁ ଶ୍ରୀଯୁକ୍ତ ଦାଶରଥି ପଟ୍ଟନାୟକଙ୍କୁ ପ୍ରଣାମ କରୁଛି ।

 

ଜଣେ ମଣିଷକୁ ବହୁତ ଅର୍ଥରେ ଆଉଜଣେ ମଣିଷର ସୋଦର ବା ଦୋସର ବୋଲି କୁହାଯାଇପାରିବ । ପ୍ରତ୍ୟେକ ମନୁଷ୍ୟ ନାନା ସମ୍ଭାବନାର ଏକ ବିଚିତ୍ର ଏକକ ହୋଇ ପୃଥିବୀକୁ ଆସୁଛନ୍ତି । ପରିବେଶ ଭିତରେ ପ୍ରତିକୂଳତା ରହିଛି, ଅନୁକୂଳତା ମଧ୍ୟ ରହିଛି । ଜୀବନର ଅଭିବୃଦ୍ଧି ପାଇଁ କେତୋଟି ସର୍ବନିମ୍ନ ଅତ୍ୟାବଶ୍ୟକତାକୁ ଛାଡ଼ିଦେଲେ ବାକି ଯେଉଁସବୁ ଉପାଦାନକୁ ପ୍ରକୃତରେ ପ୍ରତିକୂଳ ଓ ଆଉ କେଉଁଗୁଡ଼ିକୁ ଅନୁକୂଳ ବୋଲି କୁହାଯିବ, ତାହାକୁ କେହି ଅଙ୍କ କଷି ସୂତ୍ର ବାନ୍ଧି ନିର୍ଦ୍ଧାରିତ କରିଦେଇ ପାରିବନାହିଁ । ପରିସ୍ଥିତି ଅନୁକୂଳ ହୋଇ ରହିଥିଲେ ସମସ୍ତେ ଯେ ଫୁଲଟିଏ ହୋଇ ଫୁଟିଉଠିବେ, ସେକଥା ଆଦୌ ନୁହେଁ । ସକାଳ ଆସିଲେ ଯେ ସମସ୍ତଙ୍କର ନିଦ ଅବଶ୍ୟ ଭାଙ୍ଗିବ, ସେକଥାରେ କେଉଁ ନିଶ୍ଚୟତା ରହିଛି ? ପରିସ୍ଥିତି ପ୍ରତିକୂଳ ହୋଇଥିଲେ ତାହାରି ସମ୍ମୁଖୀନ ହେବାକୁ ଯାଇ ବହୁ ମଣିଷ ନିଜ ଭିତରେ ରହିଥିବା ଅମିତ ଶକ୍ତିର ପରିଚୟ ମଧ୍ୟ ପାଇଥାନ୍ତି । ଆପଣାର ବାସନା ଅନୁସାରେ ଆମେ ତୁମେ ପ୍ରତ୍ୟେକେ କ’ଣ ନା କ’ଣଟିଏ ହେବାକୁ ମନ କରୁ, ବାଟଟିଏ ଚାଲୁ । ଅଙ୍କୁରଟିଏ କ୍ରମବିକଶିତ ହୋଇ ପଲ୍ଲବ ଧରେ, ଫୁଲ ଫୁଟେ । ସେହି ବାସନାକୁ ନିଜ ଭିତରୁ ପାଇବାକୁ ହୁଏ । ସେହି ବାସନାକୁ ପାଇବାର ଆଦୌ କୌଣସି ନିର୍ଦ୍ଧିଷ୍ଟ ବୟସ ନାହିଁ । ଉପନିଷଦର ବାକ୍ୟ ପରି, ‘ଯେନ ଏଷଃ ବୃଣୁତେ ତେନ ଲଭ୍ୟଃ’ । ଧନ୍ୟ ସେହି ମଣିଷ ଯିଏ ସେହି ବାସନାଟିକୁ ପାଏ, ଡାକଟିଏ ଶୁଣେ ଓ ସମ୍ମତି ଦିଏ । ତେବେଯାଇ ଅସଲ ଜନ୍ମଟି ସମ୍ଭବ ହୁଏ, ଅସଲ । ଆଖିଟି ଫିଟେ । ଅସଲ କେନ୍ଦ୍ରରୁ ନିର୍ଦ୍ଦେଶ ମିଳେ । ସେଇ ନିର୍ଦ୍ଦେଶ ଦିଏ, ସେଇ ଶକ୍ତି ଦେଉଥାଏ । କେବଳ କଥା ମାନି ଆଗେଇଯିବା ଛଡ଼ା ଉପାୟ ନ ଥାଏ । ତାହା ହେଉଛି ଆମର ଦ୍ଵିତୀୟ ଜନ୍ମ, ଆମର ଅସଲ ଜନ୍ମ, ସାର୍ଥକ ଜନ୍ମ । ପୃଥିବୀର ମହା ଭାଗ୍ୟ ଯେ ଏହିଭଳି ଜନ୍ମ ଏଠି ଅନୁକ୍ଷଣ ଲାଗି ରହିଛି । ଉଦାର ଭଗବାନଟିଏ ପୃଥିବୀ ଉପରେ କେବେହେଲେ ତା’ କରୁଣାକୁ ଊଣା କରୁନାହିଁ ।

 

ତେଣୁ, ଆମେ ସମସ୍ତେ ପ୍ରକୃତରେ କେହି ଆଗରୁ ଯଶ ନେବାକୁ ସିଆଡ଼ୁ ଧଣ୍ଡା ପିନ୍ଧି ଏଠାକୁ ଆସୁନାହିଁ । ନିଜର ପରିଚୟଟିକୁ ଲାଭ କରିବାକୁ, ନିଜର ବାସନାଟିକୁ ନିଜେ ବାରି ପାରିବାକୁ ଆବଶ୍ୟକ ଦୁଆରଟିଏ ଆମ ସମସ୍ତଙ୍କ ପାଖରେ ଥାଏ । ସେଇ ଦୁଆରଟିକୁ କେହି ଖୋଲେ, ଆଉକେହି ମନ ବି କରେ ନାହିଁ । ସିଏ, ଏହି ଦ୍ଵିତୀୟ ବ୍ୟକ୍ତିଟି, ଆଉ କିଛିକୁ ମନ କରେ । ମାନୀ ହୁଏ, ଧନୀ ହୁଏ, ମନୋରମ ପଦ ଲାଭ କରେ, ମନୋରମ ଭାର୍ଯ୍ୟାଟିଏ ବି ପାଏ । କିଛି ବାକି ରହେ ନାହିଁ । ତଥାପି ଦୁଆରଟି ଅଖୋଲା ରହିଯାଏ । ଏମାନେ ସଫଳ ହୁଅନ୍ତି, କିନ୍ତୁ ନିଜ ପାଖରେ ଅଫଳନ୍ତି ହୋଇ ରହିଯାଆନ୍ତି । ସବୁ ଥାଏ, ତଥାପି ଖୋଡ଼ିଆ ହୋଇ ରହିଥାନ୍ତି । କଥା ସାଂଗକୁ କଥା ଲଗାଇ କେତେ କହିପାରନ୍ତି, ସିଂହାସନ ପରେ ସିଂହାସନ ଯୋଡ଼ି ତିଥି ଉପରେ ଯାଇ ବସିଥାନ୍ତି । ତଥାପି ବାଟ ପାଇ ନ ଥାନ୍ତି । ବାଟ ଚାଲୁ ନ ଥାନ୍ତି । ସେମାନେ ପୃଥିବୀ ଲାଗି ବହୁତ ଦୁଃଖର କାରଣ ହୁଅନ୍ତି । ସେମାନଙ୍କ ସକାଶେ ବିଧାତାକୁ ବହୁତ କିଛି ସହିବାକୁ ପଡ଼େ । ଦାସିଆ ଆଦୌ କାହାରି ଦୁଃଖର କାରଣ ନ ଥିଲା । ନିଜର ନ ଥିଲା କି ଆଉ କାହାରି ନ ଥିଲା । ସଂସାର କରୁଥିଲା । ତଥାପି ସଂସାର ତାକୁ ପଚାଇ ସଢ଼ାଇ ପାରୁ ନ ଥିଲା । ଆମେ ସମସ୍ତ ତା’ରି ପରି ହେଲେ ପୃଥିବୀଟା ଯେ କେତେ କ’ଣ ହୋଇ ପାରନ୍ତା ସିଏ କାହାରି ବାର୍ତ୍ତାବହ ହୋଇ ରହିଥିଲା । ନିଜ ଭିତରେ ନିଜଠାରୁ ବଳି ଆଉ ଗୋଟିଏ କ’ଣର ସୁରାଖ ପାଇଥିଲା । ସେଇ ସୁରାଖ ମନ କଲେ ମିଳେ । ମନକଲେ ଯାଇ ତପସ୍ଵୀ ହେବା ସମ୍ଭବ ହୁଏ । ଅସଲ ତପସ୍ଵୀ ନିଜ ପାଇଁ କୌଣସି ତପସ୍ୟା କରେ ନାହିଁ । ନିଜେ ମହକ ପାଇବ ବୋଲି ପୃଥିବୀର ଆଦୌ କୌଣସି ଫୁଲ ମହକେ ନାହିଁ । ଏହି ପୃଥିବୀର ଗର୍ଭ ଭିତରେ, ଗଭୀରରେ ଆହୁରି ଗୋଟିଏ ପୃଥିବୀ ରହିଛି ଯେଉଁଠାରେ ରୀତିଗୁଡ଼ିକ ଏକାବେଳେକେ ଭିନ୍ନ ହୋଇ ରହିଥାନ୍ତି । ସେହି ପୃଥିବୀକୁ ଏହି ପୃଥିବୀ ସିଡ଼ି ହୋଇ ପଡ଼ିଛି । ଦାସିଆକୁ ସେହି ରହସ୍ୟ ଜଣାଥିଲା ।

 

‘ସମାଜ’, ୫/୧୦/୯୭

Image